Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ ଭାରତକୁ ଜି-୨୦ ଦେଶ ଗୁଡିକ ମଧ୍ୟରେ ସର୍ବଶ୍ରେଷ୍ଠ ସ୍ଥାନ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ଆଧାରରେ ଭାରତକୁ ବିଶ୍ୱର ଶୀର୍ଷ ୫ଟି ଦେଶ ଗୁଡିକ ମଧ୍ୟରେ ଏବଂ ଜି ୨୦ ଦେଶ ଗୁଡିକ ମଧ୍ୟରେ ସର୍ବଶ୍ରେଷ୍ଠ ସ୍ଥାନ ମିଳିଛି। ଜର୍ମାନସ୍ଥିତ ଜର୍ମାନ୍ ୱାଚ, ନ୍ୟୁ କ୍ଲାଇମେଟ୍ ଇନ୍‌ଷ୍ଟିଚ୍ୟୁଟ୍ ଆଣ୍ଡ କ୍ଲାଇମେଟ୍ ଆକ୍ସନ ନେଟୱର୍କ ଇଣ୍ଟରନ୍ୟାସନାଲ୍ ଦ୍ୱାରା ପ୍ରକାଶିତ ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ (ସିସିପିଆଇ, ୨୦୨୩) ଅନୁସାରେ ଭାରତ ତାଲିକାରେ ୨ଟି ସ୍ଥାନ ଉପରକୁ ଉଠିଛି ଏବଂ ଏବେ ଅଷ୍ଟମ ସ୍ଥାନରେ ରହିଛି। ନଭେମ୍ବର ୨୦୨୨ରେ ସିଓପି ୨୭ରେ ଜାରି ସିସିପିଆଇର ନୂତନ ରିପୋର୍ଟରେ କେବଳ ଚାରୋଟି ଛୋଟ ଦେଶ, ଡେନମାର୍କ, ସ୍ୱିଡେନ୍‌, ଚିଲି ଏବଂ ମରକ୍କୋକୁ ଭାରତ ଉପରେ କ୍ରମାନୁସାରେ ୫ମ, ୬ଷ୍ଠ ଏବଂ ୭ମ ସ୍ଥାନ ମିଳିଛି। ଏହି ଅନୁସାରେ ଦେଖିଲେ, ସମସ୍ତ ବୃହତ୍ ଅର୍ଥବ୍ୟବସ୍ଥା ଗୁଡିକ ମଧ୍ୟରେ ଭାରତର ସ୍ଥିତି ସବୁଠାରୁ ଭଲ ରହିଛି।

ଅନ୍ତର୍ଜାତୀୟ ଜଳବାୟୁ ରାଜନୀତିରେ ସ୍ୱଚ୍ଛତା ବୃଦ୍ଧି କରିବାକୁ ସିସିପିଆଇ ଲକ୍ଷ୍ୟ ରଖିଛି ଏବଂ ଜଳବାୟୁ ସୁରକ୍ଷା ପ୍ରୟାସ ଏବଂ ବିଭିନ୍ନ ଦେଶ ଦ୍ୱାରା କରାଯାଇଥିବା ପ୍ରଗତିର ତୁଳନାକୁ ଏହା ସକ୍ଷମ କରିଥାଏ। ୨୦୦୫ ଠାରୁ ପ୍ରତି ବର୍ଷ ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ (ସିସିପିଆଇ) ପ୍ରକାଶିତ ହେଉଛି। ୫୯ଟି ଦେଶ ଏବଂ ୟୁରୋପୀୟ ସଂଘର ଜଳବାୟୁ ସୁରକ୍ଷା ପ୍ରଦର୍ଶନ ଉପରେ ନଜର ରଖିବା ପାଇଁ ଏକ ନିରପେକ୍ଷ ଅନୁଧ୍ୟାନ ବ୍ୟବସ୍ଥା। ପ୍ରତି ବର୍ଷ, ସିସିପିଆଇ ମୂଲ୍ୟାଙ୍କିତ ଦେଶ ଗୁଡିକ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସାର୍ବଜନିନ ଏବଂ ରାଜନୈତିକ ବିତର୍କ ଆରମ୍ଭ କରେ। ଏହି ୫୯ ଟି ଦେଶର ଜଳବାୟୁ ସୁରକ୍ଷା ପ୍ରଦର୍ଶନ, ଯାହା ବିଶ୍ୱର ଗ୍ରୀନ୍‌ହାଉସ୍ ଗ୍ୟାସ୍ (ଜିଏଚ୍‌ଜି) ନିର୍ଗମନର ୯୨%ର ଅଂଶବିଶେଷ, ଯାହାର ମୂଲ୍ୟାଙ୍କନ ଚାରୋଟି ଶ୍ରେଣୀରେ କରା ଯାଇଛି: ଜିଏଚ୍‌ଜି  ନିର୍ଗମନ (ସାମଗ୍ରିକ ସ୍କୋରର ୪୦%), ନବୀକରଣ ଯୋଗ୍ୟ ଶକ୍ତି (ସାମଗ୍ରିକ ସ୍କୋରର ୨୦%), ଶକ୍ତି ବ୍ୟବହାର (ସାମଗ୍ରିକ ସ୍କୋରର ୨୦%) ଏବଂ ଜଳବାୟୁ ନୀତି (ସାମଗ୍ରିକ ସ୍କୋରର ୨୦%)।

ଜିଏଚ୍‌ଜି ନିର୍ଗମନ ଏବଂ ଶକ୍ତି ବ୍ୟବହାର ବର୍ଗରେ ଭାରତ ଏକ ଉଚ୍ଚ ମାନ୍ୟତା ପାଇଥିବାବେଳେ ଜଳବାୟୁ ନୀତି ଏବଂ ନବୀକରଣ ଯୋଗ୍ୟ ଶକ୍ତି ପାଇଁ ଏକ ମାଧ୍ୟମ ମାନ୍ୟତା ଲାଭ କରିଛି। ନବୀକରଣ ଯୋଗ୍ୟ ଶକ୍ତିର ଦ୍ରୁତ ନିୟୋଜନ ଏବଂ ଶକ୍ତି ଦକ୍ଷତା ପ୍ରୋଗ୍ରାମ ପାଇଁ ଦୃଢ଼ ସଂରଚନା ଦିଗରେ ଭାରତର ଆକ୍ରମଣାତ୍ମକ ନୀତି ଗୁଡିକ ଯଥେଷ୍ଟ ପ୍ରଭାବ ପକାଇଛି। ସିସିପିଆଇ ରିପୋର୍ଟ ଅନୁଯାୟୀ, ଭାରତ ଏହାର ୨୦୩୦ ନିର୍ଗମନ ଲକ୍ଷ୍ୟ ପୂରଣ କରିବାକୁ ଟ୍ରାକରେ ଅଛି (ଏକ ନିମ୍ନ – ୨ ଡିଗ୍ରୀ ସେଲ୍‌ସିଅସସ୍ ସହିତ ସୁସଙ୍ଗତ)।

ସିସିପିଆଇ ଦ୍ୱାରା ଦିଆ ଯାଇଥିବା ର଼୍ୟାଙ୍କିଙ୍ଗ୍ ଭାରତକୁ ଏକମାତ୍ର ଜି -୨୦ ଦେଶ ଭାବରେ ଶ୍ରେଷ୍ଠ ୧୦ ମାନ୍ୟତାରେ ସ୍ଥାନିତ କରିଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଭାରତ ବର୍ତ୍ତମାନ ଜି -୨୦ ଅଧ୍ୟକ୍ଷତା ଗ୍ରହଣ କରିବ ଏବଂ ବିଶ୍ୱକୁ ନିଜର ଜଳବାୟୁ ହ୍ରାସ ନୀତି ଯେପରିକି ଶକ୍ତିର ଅକ୍ଷୟ ଉତ୍ସ ନିୟୋଜନ ଏବଂ ଅନ୍ୟାନ୍ୟ ଶକ୍ତି ପରିବର୍ତ୍ତନ କାର୍ଯ୍ୟକ୍ରମ ପ୍ରଦର୍ଶିତ କରିବା ପାଇଁ ଏହା ଏକ ଉପଯୁକ୍ତ ସମୟ ହେବ।

କେନ୍ଦ୍ର ଶକ୍ତି ଏବଂ ନୂତନ ତଥା ନବୀକରଣ ଯୋଗ୍ୟ ମନ୍ତ୍ରୀ ଆର. କେ. ସିଂହ ଏହା ଉପରେ ଆଲୋକପାତ କରି କହିଛନ୍ତି ଯେ ଭାରତର ସିସିପିଆଇ ମାନ୍ୟତା ମହାମାରୀ ତଥା କଠିନ ଅର୍ଥନୈତିକ ସମୟ ସତ୍ତ୍ୱେ  ବିଶ୍ୱ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଦର୍ଶିତ ନେତୃତ୍ୱର ପ୍ରମାଣ ଅଟେ। ବିଶ୍ୱ ସ୍ତରରେ ଶ୍ରେଷ୍ଠ ୫ମ ମାନ୍ୟତା ପ୍ରତିଫଳିତ କରୁଛି ଯେ ବିଶ୍ୱର ଯେକୌଣସି ସ୍ଥାନ ଅପେକ୍ଷା ନବୀକରଣ ଯୋଗ୍ୟ କ୍ଷମତା ସ୍ଥାପନ ଭଳି ଭାରତ ଶକ୍ତି ପରିବର୍ତ୍ତନ କାର୍ଯ୍ୟକ୍ରମ ଗୁଡିକୁ ବହୁତ ଦ୍ରୁତ ଗତିରେ କାର୍ଯ୍ୟକାରୀ କରୁଛି। ସେ ବିଭିନ୍ନ ଚାହିଦା ଥିବା ପ୍ରମୁଖ କାର୍ଯ୍ୟକ୍ରମ ଯେପରିକି ଉଜାଲା, ପିଏଟି ଯୋଜନା ଏବଂ ଷ୍ଟାଣ୍ଡାର୍ଡ ଏବଂ ଲେବେଲିଂ କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋକପାତ କରିଥିଲେ ଯାହା ଏହି ଉଲ୍ଲେଖନୀୟ ସଫଳତା ପାଇଁ ବିଶେଷ ଅବଦାନ ଦେଇଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

‘ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର ଆକ୍ସନ୍‌ ପ୍ଲାନ୍‌’

ଭୁବନେଶ୍ୱର: ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଜର୍ମାନ ସରକାରଙ୍କ ପରିବେଶ ସଂସଦୀୟ କମିଟି ଓ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ସ୍ଥାନୀୟ ଖାରବେଳ ଭବନ ସମ୍ମିଳନୀ କକ୍ଷଠାରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାର ସବୁବେଳେ ଜୈବବିବିଧତା, ବନ୍ୟଜନ୍ତୁ ଓ ଜଳସଂରକ୍ଷଣ ଉପରେ ପ୍ରାଧାନ୍ୟ ଦେଇଆସିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଥିଲେ । ରାଜ୍ୟର ବନ୍ୟଜନ୍ତୁ ଓ ସେମାନଙ୍କ ବାସସ୍ଥାନର ଉପଯୁକ୍ତ ସୁରକ୍ଷା ପାଇଁ ଓଡ଼ିଶାରେ ୧୯ଟି ବନ୍ୟଜନ୍ତୁ ଅଭୟାରଣ୍ୟ ରହିଛି । ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷାକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ବୋଲି ସେ କହିଥିଲେ ।

ଜିଆଇଜେଡ୍‌ ଭିତରକନିକାକୁ ପ୍ରମୁଖ ରାମସାର୍‌ ସାଇଟ୍‌ ଭାବରେ ଚୟନ କରିଛି । ଚିଲିକା ବିକାଶ ପ୍ରାଧିକରଣ (ସିଡିଏ) ଭିତରକନିକା ରାମସାର୍‌ ସାଇଟ୍‌ର ସମନ୍ୱିତ ପରିଚାଳନା ପାଇଁ ହାଇଡ୍ରୋ-ବାୟୋଲୋଜିକାଲ ଆକଳନ ଉପରେ ଏକ ଅଧ୍ୟୟନ କରିଥିଲା । ଦୀର୍ଘକାଳୀନ ତଥ୍ୟରୁ ସର୍ବେକ୍ଷଣ ଓ ବିଶ୍ଳେଷଣ କରି ଜଳର ଗୁଣାତ୍ମକ ମୂଲ୍ୟାଙ୍କନ ଓ ସ୍ୱାସ୍ଥ୍ୟ ରିପୋର୍ଟ କାର୍ଡ ପ୍ରସ୍ତୁତି ପାଇଁ ହାଇଡ୍ରୋଲୋଜିକାଲ୍‌ ବ୍ୟବସ୍ଥା ଏବଂ ମନିଟରିଂ ପାରାମିଟରଗୁଡ଼ିକୁ ନିଶ୍ଚିତ କରିବା ପାଇଁ ସିଡିଏ ସୁପାରିଶ କରିଛି ବୋଲି ମନ୍ତ୍ରୀ ଶ୍ରୀ ଅମାତ ସୂଚନା ଦେଇଥିବାବେଳେ ସିଡିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ସୁଶାନ୍ତ ନନ୍ଦ ଏ ବିଷୟରେ ଅତିଥିମାନଙ୍କୁ ବିଶେଷ ଅବଧାରଣା ଦେଇଥିଲେ ।

ରାଜ୍ୟର ଜୈବ ସମ୍ବଳର ସଂରକ୍ଷଣ ପାଇଁ ସରକାର ୭୨୫୬ଟି ଜୈବବିବିଧତା ପରିଚାଳନା କମିଟି ଗଠନ କରିଛନ୍ତି । ଜଳବାୟୁ ପରିବର୍ତ୍ତନ ଆଜି ବିଶ୍ୱର ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୨୧-୨୦୩୦ ବର୍ଷ ପାଇଁ ପ୍ରଥମ ଓ ଏକମାତ୍ର ରାଜ୍ୟ ଭାବରେ ବିସ୍ତୃତ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରିଛି ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ଜଳବାୟୁ ପରିବର୍ତ୍ତନ, ଜୈବବିବିଧତା ଓ ବନ୍ୟଜନ୍ତୁ ସଂରକ୍ଷଣ, ଜଳ ଓ ଏହାର ମାନର ସଂରକ୍ଷଣ ଆଦି ପ୍ରମୁଖ ସମସ୍ୟା ରୂପେ ଦେଖାଯାଇଛି । ଏଗୁଡ଼ିକୁ ସଂରକ୍ଷିତ କରିବାକୁ ହେଲେ ପୃଥିବୀର ପ୍ରତ୍ୟେକଟି ଦେଶ ମଧ୍ୟରେ ସମନ୍ୱୟ ଦରକାର ବୋଲି ଜର୍ମାନ ସରକାରଙ୍କ ପରିବେଶ ସଂସଦୀୟ କମିଟିର ପ୍ରତିନିଧିମାନେ ପ୍ରକାଶ କରିଥିଲେ । ଆକାଶମାର୍ଗରୁ ଓଡ଼ିଶାର ନଦନଦୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ବିଭୋର କରିଛି ବୋଲି ସେମାନେ ପ୍ରକାଶ କରିଥିଲେ ।

ଜୈବବିବିଧତା, ବନ୍ୟଜନ୍ତୁ, ହେନ୍ତାଳବଣର ସୁରକ୍ଷା ଓ ସଂରକ୍ଷଣ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଉପରେ ଓଡ଼ିଶା ସରକାର ସବୁବେଳେ ପ୍ରାଧାନ୍ୟ ଦେଇଆସିଛନ୍ତି । ବନ ସୁରକ୍ଷା ସମିତିମାନେ ଏ ଦିଗରେ ରାଜ୍ୟ ସରକାରଙ୍କୁ ସମୁଚିତ ସହଯୋଗ କରିଆସିଛନ୍ତି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା ସ୍ୱାଗତ ଭାଷଣରେ ପ୍ରକାଶ କରିଥିଲେ । ଭିତରକନିକା ରାମସାର ସାଇଟ୍‌ର ସମନ୍ୱିତ ପରିଚାଳନା ପାଇଁ ହାଇଡ୍ରୋ-ଇକୋଲୋଜିକାଲ୍‌ ଆକଳନର ଆବଶ୍ୟକତା ଉପରେ ଚିଲିକା ବିକାଶ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ସୁଶାନ୍ତ ନନ୍ଦ ବିସ୍ତୃତ ଅବଧାରଣା ଦେଇଥିଲେ ।

ବିଭାଗୀୟ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ଡ. କେ. ମୁରୁଗେସାନ୍‌ ଧନ୍ୟବାଦ ଦେବା ସହ ବୈଠକ ପରିଚାଳନା କରିଥିଲେ । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସୁଶୀଲ କୁମାର ପୋପ୍‌ଲି, ଶ୍ରୀ ଦେବୀଦତ୍ତ ବିଶ୍ୱାଳ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଡ. ପ୍ରଦୀପ କୁମାର ରାଉତ ଓ ଜର୍ମାନ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।
ପ୍ରତିନିଧିମାନେ ଆସନ୍ତାକାଲି ଭିତରକନିକା ପରିଦର୍ଶନର କାର୍ଯ୍ୟକ୍ରମ ରହିଛି ।