Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲା ପାଇଁ 5 କୋଟି, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସୁନ୍ଦରଗଡ ଓ ଯାଜପୁର ଜିଲ୍ଲାର କୋଭିଡ ପରିଚାଳନା ବ୍ୟବସ୍ଥା ସମୀକ୍ଷା କରି କୋଭିଡ ଯୁଦ୍ଧ ରଣନୀତିକୁ ସୁଦୃଢ କରିବା ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସୁନ୍ଦରଗଡ ଓ ଯାଜପୁର ଜିଲ୍ଲାକୁ ୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

କୋଭିଡ ଚିକିତ୍ସାରେ ପ୍ଲାଜ୍‌ମା ଥେରାପି ସଫଳତାର ସହ କାମ କରୁଛି । କଟକ ଏସସିବି ପରେ ଏବେ ପଶ୍ଚିମ ଓଡିଶା ପାଇଁ ରାଉରକେଲାର ଆଇଜିଏଚରେ ପ୍ଲାଜମା ବ୍ୟାଙ୍କ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଚିକିତ୍ସିତ ଗୁରୁତର ରୋଗୀ ମାନଙ୍କୁ ରାଉରକେଲାର ଆଇଜିଏଚ ହସ୍‌ପିଟାଲରୁ ପ୍ଲାଜମା ଥେରାପି ଯୋଗାଇ ଦିଆଯିବ।

ଏଥିସହିତ ରାଉରକେଲାର କୋଭିଡ କେୟାର ସେଣ୍ଟର ଗୁଡିକର ଶଯ୍ୟା ସଂଖ୍ୟା ୭୦୦ରୁ ୧୭୦୦କୁ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

୫ ମାସ ପାଇଁ ମିଳିବ ମାଗଣା ଚାଉଳ ଓ ଡାଲି, ଜାଣନ୍ତୁ କିଏ ହେବେ ଉପକୃତ

ଭୁବନେଶ୍ବର, କରୋନା ସଂକ୍ରମଣ ଏବଂ ତଦ୍‌ଜନିତ ଲକ୍‌ଡାଉନ ଓ ସଟ୍‌ଡାଉନ ଗରିବ ଲୋକଙ୍କ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି। ତେଣୁ ଗରିବ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମାନଙ୍କୁ ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ୫ ମାସ ମାଗଣାରେ ଡାଲି ଓ ଚାଉଳ ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏହାଦ୍ବାରା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମାନଙ୍କୁ ପ୍ରତି ମାସରେ ମୁଣ୍ଡପିଛା ୫ କେଜି ଲେଖାଏ ଚାଉଳ ୫ ମାସ ପାଇଁ ମାଗଣା ଯୋଗାଇ ଦିଆଯିବ। ଏହାସହିତ ପ୍ରତି ମାସରେ ପରିବାର ପିଛା ଏକ କେଜି ଲେଖାଏ ଡାଲି ମଧ୍ୟ ନଭେମ୍ବର ପର୍ଯ୍ୟନ୍ତ ମାଗଣାରେ ଯୋଗାଇ ଦିଆଯିବ।

ଏହାଦ୍ବାରା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧାରୁ ବାଦ ପଡିଥିବା ଲକ୍ଷ ଲକ୍ଷ ହିତାଧିକାରୀମାନେ ଉପକାର ପାଇପାରିବେ।

Categories
ବିଶେଷ ଖବର

ଗଞ୍ଜାମ ପାଇଁ ୨୫ କୋଟି ମଞ୍ଜୁର, ଜାଣନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅନେକ ଘୋଷଣା

ଭୁବନେଶ୍ବର, ଗଞ୍ଜାମ ଜିଲ୍ଲାର କୋଭିଡ ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସମୀକ୍ଷା କରିଛନ୍ତି। ଜିଲ୍ଲାରେ ରଣନୀତିକୁ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି।

ଆସନ୍ତାକାଲି ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ ହସ୍‌ପିଟାଲରେ ପ୍ଲାଜ୍‌ମା ଥେରାପି ଆରମ୍ଭ କରାଯିବ। ଏହାଦ୍ବାରା ଗଞ୍ଜାମ ଓ ଆଖପାଖ ଜିଲ୍ଲାର ଗୁରୁତର କୋଭିଡ ରୋଗୀମାନେ ପ୍ଲାଜ୍‌ମା ଥେରାପି ସୁବିଧା ପାଇପାରିବେ ଏବଂ କୋଭିଡ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ ଯେ ଭୁବନେଶ୍ବରର ସମ୍‌ କୋଭିଡ ହସ୍‌ପିଟାଲ ଓ କଟକର ଅଶ୍ବିନୀ କୋଭିଡ ହସ୍‌ପିଟାଲରେ ଗତ ୧୮ ତାରିଖ ଠାରୁ ପ୍ଲାଜ୍‌ମା ଥେରାପି ଆରମ୍ଭ ହୋଇଛି ଏବଂ ଏହା ସୁଫଳ ମଧ୍ୟ ଦେଇଛି। ସମୁଦାୟ ୬ ଜଣ ରୋଗୀଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇଛନ୍ତି ଓ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସ୍ଥିର ଅଛି।

ବ୍ରହ୍ମପୁରର ଅମିତ ହସ୍‌ପିଟାଲରେ ୧୬ଟି ଆଇ.ସି.ୟୁ ବେଡ୍‌ ସହିତ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ପ୍ରତିଷ୍ଠା କରାଯିବ। ଏହାକୁ କଟକର ଅଶ୍ବିନୀ ହସ୍‌ପିଟାଲ ପରିଚାଳନା କରିବ। ଏଥିପାଇଁ ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଅଶ୍ବିନୀ ହସ୍‌ପିଟାଲ ମଧ୍ୟରେ MoU ସ୍ବାକ୍ଷରିତ ହୋଇଛି।

ଗଞ୍ଜାମରେ କୋଭିଡ ମୁକାବିଲାକୁ ଆହୁରି ସୁଦୃଢ କରିବା ପାଇଁ ୨ ଜଣ ଆଇ.ଏ.ଏସ୍‌ ଅଫିସର, ୨୫ ଜଣ ଓ.ଏ.ଏସ୍‌ ଅଫିସର, ୧୦୫ ଜଣ ORS ଅଫିସର, ୩୦ ଜଣ MBBS ଡାକ୍ତର, ୧୦୦ ଜଣ ଆୟୁଶ ଡାକ୍ତର ଏବଂ ୨୭ ଜଣ ଲାବୋରେଟୋରୀ ଟେକ୍‌ନିସିଆନଙ୍କୁ ନିୟୋଜିତ କରାଯାଇଛି। ଏହାସହିତ ୩ ଜଣ ଡି.ଏସ୍‌.ପିଙ୍କ ସମେତ ବିଭିନ୍ନ ପାହ୍ୟାର ଅଫିସର ଏବଂ ୧୦ ପ୍ଲାଟୁନ ପୋଲିସ ମଧ୍ୟ ପଠାଯିବା ପାଇଁ ନିଷ୍ପତ୍ତି ହୋଇଛି।

ଗଞ୍ଜାମ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଜିଲ୍ଲାରେ ଆମ୍ବୁଲାନ୍‌ସ ସେବାକୁ ଆହୁରି ଦକ୍ଷ ଓ ସୁଦୃଢ କରାଯାଇ ରୋଗୀ ମାନଙ୍କୁ ଯେପରି ଠିକ୍‌ ସମୟରେ ସେବା ଯୋଗାଇ ଦେଇପାରିବେ,ତାକୁ ସୁନିଶ୍ଚିତ କରାଯିବ। ଆବଶ୍ୟକତା ଅନୁଯାୟୀ ୧୦୦ଟି ଆମ୍ବୁଲାନ୍‌ସ ନିୟୋଜିତ କରିବା ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି।

ସେହିପରି ସାରା ରାଜ୍ୟର କୋଭିଡ ପରିଚାଳନାକୁ ଦୃଢ କରିବାପାଇଁ ମୁଖ୍ୟମନ୍ତ୍ରୀ କେତେକ ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ
ସାରା ରାଜ୍ୟର ବିଭିନ୍ନ କୋଭିଡ ହସ୍‌ପିଟାଲ, କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର କିମ୍ବା କୋଭିଡ କେୟାର କେନ୍ଦ୍ରରେ କାମ କରୁଥିବା ଡାକ୍ତରମାନେ ଦୈନିକ ୧୦୦୦ ଟଙ୍କା, ପାରାମାଡିକାଲ କର୍ମଚାରୀ ମାନେ ଦୈନିକ ୫୦୦ ଟଙ୍କା ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନେ ଦୈନିକ ୨୦୦ ଟଙ୍କା ପ୍ରୋତ୍ସାହନ ରାଶି ପାଇବେ।

ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପର୍ଯ୍ୟବେକ୍ଷଣ କରୁଥିବା ଆଶାକର୍ମୀ ମାନେ ୨୦୨୦ ଜୁଲାଇ ମାସରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ସର୍ଭେ ଓ ସ୍ବତନ୍ତ୍ର ସର୍ଭେ ପାଇଁ ମାସକୁ ୧୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପାଇବେ।
ଘରକୁ ଘର ବୁଲି ସ୍ବାସ୍ଥ୍ୟ ପର୍ଯ୍ୟବେକ୍ଷଣ କରୁଥିବା ତଥା ସ୍ବତନ୍ତ୍ର ସର୍ଭେ କରୁଥିବା ଅଙ୍ଗନବାଡି କର୍ମୀମାନେ ଏହି ସର୍ଭେ ସମୟ ମଧ୍ୟରେ ମାସକୁ ୧୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପାଇବେ।

ସୋମବାର ସମୀକ୍ଷା ବୈଠକରେ ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ ମଧ୍ୟ ଭିଡିଓ କନ୍‌ଫରେନ୍‌ସିଂରେ ଯୋଗ ଦେଇ ସୁଚିନ୍ତିତ ମତାମତ ଦେଇଥିଲେ। ବାଚସ୍ପତି ଶ୍ରୀ ପାତ୍ର ସହରାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳ ଉପରେ ଅଧିକ ଫୋକ୍‌ସ କରିବା ପାଇଁ ପରାମର୍ଶ ଦେଇଥିଲେ। ଗ୍ରାମାଞ୍ଚଳରେ ଯେଉଁ ମାନଙ୍କର ସୁବିଧା ଅଛି, ସେମାନଙ୍କ ପାଇଁ ହୋମ୍ ଆଇସୋଲେସନ ସୁବିଧା କରିବା ପାଇଁ ମନ୍ତ୍ରୀ ଶ୍ରୀ ଆରୁଖ ପରାମର୍ଶ ଦେଇଥିଲେ।

ପ୍ରାରମ୍ଭରେ ଗଞ୍ଜାମ ଜିଲ୍ଲାପାଳ କୋଭିଡ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ପୋଲିସ ମହାନିର୍ଦ୍ଦେଶକ, ଉନ୍ନୟନ କମିଶନର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।