Categories
Hockey Worldcup23 ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର

ଦେଶ ଭ୍ରମଣରେ ବାହାରିଲା ପୁରୁଷ ହକି ବିଶ୍ୱକପ ଟ୍ରଫି, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଏଫଆଇଏଚ ଓଡିଶା ପୁରୁଷ ହକି ବିଶ୍ୱକପ ୨୦୨୩ ର ଟ୍ରଫି ଟୁର୍ ବା ଟ୍ରଫି ଭ୍ରମଣ ବା ପରିକ୍ରମାରେ ବାହାରିଛି। ଏହି ପରିକ୍ରମା ଆନୁଷ୍ଠାନିକ ଭାବେ ଆଜି ଭୁବନେଶ୍ୱରରେ ଆରମ୍ଭ ହୋଇଛି। ଏହି ଟ୍ରଫିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କିଙ୍କୁ ପ୍ରଦାନ କରି ଯାତ୍ରାର ଶୁଭାରମ୍ଭ କରିଛନ୍ତି।

ଟ୍ରଫି ଯାତ୍ରାକୁ ଏକ ବଡ ସଫଳତା କାମନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, “ମୁଁ ଆଶା କରୁଛି ପୁରୁଷ ହକି ବିଶ୍ୱକପ ଟ୍ରଫି ଟୁର୍ ବା ପରିକ୍ରମା ସମଗ୍ର ଭାରତରେ ବିଶ୍ୱକପ ପାଇଁ ଉତ୍ସାହ ସୃଷ୍ଟି କରିବ। ଏଥିରେ ଆମେ ୧୬ ଟି ଦଳର ୧୬ ଟି ମ୍ୟାଚକୁ ଆମେ ଆୟୋଜନ କରିବୁ ଯାହା ଭୁବନେଶ୍ୱର ଏବଂ ରାଉରକେଲାରେ ଖେଳାଯିବ।

ମୁଁ ନିଶ୍ଚିତ ଯେ ଏହା ଖେଳାଳୀ ଏବଂ ପ୍ରଶଂସକମାନଙ୍କ ପାଇଁ ଏକ ସ୍ମରଣୀୟ ବିଶ୍ୱକପ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଅବସରରେ କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତ ବେହେରା, ହକି ଇଣ୍ଡିଆର ମହାସଚିବ ଭୋଳାନାଥ ସିଂ, କ୍ରୀଡା କମିଶନର-କମ-ସଚିବ ଶ୍ରୀ ଆର ଭିନେଲ କୃଷ୍ଣା,  ହକି ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଶ୍ରୀବାସ୍ତବ ସହି ବିଭାଗୀୟ ଅଧିକାରୀ ଏବଂ ହକି ଖେଳାଳି ଉପସ୍ଥିତ ଥିଲେ।

ଏହି ଟ୍ରଫି ୧୩ ଟି ରାଜ୍ୟ ଏବଂ ଗୋଟିଏ ୟୁନିଅନ୍ ଟେରିଟୋରିରେ ଭ୍ରମଣ କରିବ। ଏହି ଟ୍ରଫିକୁ ବିଜୟ ଲାଭ କରିବାକୁ ଥିବା ଦଳ ନେବା ପୂର୍ବରୁ ତାହା ପ୍ରଶଂସକ ଏବଂ ଜନସାଧାରଣଙ୍କ ନିକଟରେ ପହଁଚି ପାରିବ। ୫ ରୁ ୨୫ ଡିସେମ୍ବରରେ ପର୍ଯ୍ୟନ୍ତ ଏହା ରାଜ୍ୟ ଭ୍ରମଣ କରିବ।

ଆସନ୍ତା ୨୧ ଦିନରେ ଏହି ଟ୍ରଫି ପଶ୍ଚିମବଙ୍ଗ, ମଣିପୁର, ଆସାମ, ଝାଡଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାନା, ନୂଆଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, କର୍ଣ୍ଣାଟକ ଏବଂ ଛତିଶଗଡ ପ୍ରଭୃତି ରାଜ୍ୟ ଦେଇ ଯାତ୍ରା କରିବ।

ଭାରତ ଭ୍ରମଣ ପରେ ଓଡ଼ିଶାକୁ ଏହି ହକି ପୁରୁଷ ବିଶ୍ୱକପ ଟ୍ରଫି ଫେରିବା ପରେ ରାଜ୍ୟର ସମସ୍ତ ଜିଲ୍ଲା ଭ୍ରମଣ କରିବ। ଏହି ଟ୍ରଫି ହକିର ଏନ୍ତୁଡିଶାଳ ସୁନ୍ଦରଗଡ ଜିଲ୍ଲାର ୧୭ ଟି ବ୍ଲକରେ ଭ୍ରମଣ କରିବ।

ରାଉରକେଲାରେ ଏହି ଭ୍ରମଣ ଶେଷ ହେବ। ଶେଷରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମକୁ ଏହା ଫେରିବ। କାରଣ ୨୯ ଜାନୁୟାରୀ ୨୦୨୩ ରେ କଳିଙ୍ଗ ଷ୍ଟାଡିୟନରେ ଫାଇନାଲ ଖେଳାଯିବ।