Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୁନ୍ଦରୀ ପାଇଁ ଚିଠି ଲେଖିଲେ ଶିବରାଜ ସିଂ ଚୌହ୍ବାନ

ଭୁବନେଶ୍ୱର: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ତେବେ କୌଣସି ରାଜନୈତିକ ପ୍ରସଙ୍ଗକୁ ନେଇ ଶିବରାଜ ଏହି ଚିଠି ଲେଖିନାହାନ୍ତି । ବରଂ ବାଘୁଣୀ ‘ସୁନ୍ଦରୀ’ ପାଇଁ ସେ ଏହି ଚିଠି ଲେଖିଛନ୍ତି । ‘ସୁନ୍ଦରୀ’ର ଯତ୍ନ ନେବାକୁ ଶିବରାଜ ଉକ୍ତ ଚିଠିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ଚିଠି ମାଧ୍ୟମରେ ସେ ଏଭଳି ଅନୁରୋଧ କରିଥିବା ଶିବରାଜ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ,  2018ରେ ସୁନ୍ଦରୀ ସହ ଆଉ ଏକ ବାଘକୁ ମଧ୍ୟପ୍ରଦେଶରୁ ଅଣାଯାଇଥିଲା ।

Categories
ଆଜିର ଖବର

ମୋଦିଙ୍କ ପାଖ ଲୋକ ହେବାକୁ ଚେଷ୍ଟା ଚଳାଇଛନ୍ତି ନବୀନ : ନିରଞ୍ଜନ ପଟ୍ଟନାୟକ

ଆୟୁଷ୍ମାନ ଯୋଜନାକୁ ନେଇ ନବୀନଙ୍କ ସମାଲୋଚନା କରିଛନ୍ତି ନିରଞ୍ଜନ ପଟ୍ଟନାୟକ। ନିକଟରେ କେନ୍ଦ୍ର ସରକାରଙ୍କ ତରଫରୁ ଆୟୁଷ୍ମାନ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିବାବେଳେ ଏହାକୁ ନେଇ ସଚିବାଳୟରେ କେନ୍ଦ୍ରୀୟ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏହି ଯୋଜନା ସମ୍ପର୍କରେ ବିଶେଷ ଆଲୋଚନା ହୋଇଛି। ତେବେ ଏହାକୁ ନେଇ କଟାକ୍ଷ କରିଛନ୍ତି ପୂର୍ବତନ ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ। ପୂର୍ବରୁ ଏହି ଯୋଜନାକୁ ପ୍ରତ୍ୟାଖ୍ୟାନ କରିଥିବା ନବୀନ ସରକାର ଏବେ ମୋଦିଙ୍କ ପାଖ ଲୋକ ହେବା ପାଇଁ ଏହି ଯୋଜନାକୁ ଆପାଣାଉଛନ୍ତି ବୋଲି ନିରଞ୍ଜନ କହିଛନ୍ତି। ରାଜ୍ୟ ସରକାରଙ୍କ ପାଖରେ ନିଜ ଯୋଜନା ପାଇଁ ଫାଣ୍ଠିର ଅଭାବ ରହିଛି ବୋଲି ମଧ୍ୟ କହିଛନ୍ତି ନିରଞ୍ଜନ।

Categories
ଆଜିର ଖବର

ପୁଡୁଚେରୀରେ କ୍ଷମତା ଯୁଦ୍ଧ : ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମ୍‌କୋର୍ଟ ନୋଟିସ୍‌

କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଚାଲିଥିବା କ୍ଷମତା ଯୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍‌ ମିଳିଛି। ମଙ୍ଗଳବାର କୋର୍ଟ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଲ୍ୟୁଟନାଣ୍ଟ ଗଭର୍ଣ୍ଣର କିରଣ ବେଦୀ ଏବଂ ନାରାୟଣସାମୀଙ୍କ ମଧ୍ୟରେ ଚାଲିଥିବା ବିବାଦ ନେଇ ଏହି ନୋଟିସ୍‌ ପଠାଯାଇଛି। ଜଷ୍ଟିସ୍‌ ଇନ୍ଦୁ ମଲହୋତ୍ରା ଏବଂ ଏମ୍‌ ଆର୍‌ ଶାହଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ନୋଟିସ୍‌ ଜାରି କରିଛନ୍ତି। ଏପ୍ରିଲ୍‌ ୩୦ ତାରିଖରେ କିରଣ ବେଦୀଙ୍କ ପକ୍ଷରୁ ଦାୟର କରାଯାଇଥିବା ଯାଚିକା ଉପରେ ବିଚାର କରି କୋର୍ଟ ଏହି ନୋଟିସ୍‌ ଜାରି କରିଛନ୍ତି। ଏହା ସହିତ ଜୁନ୍‌ ୭ ମଧ୍ୟରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଆସନ୍ତା ଜୁନ୍‌ ୨୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ। ଏହା ପୂର୍ବରୁ ମାଡ୍ରାସ ହାଇକୋର୍ଟ ସରକାରଙ୍କ ଦୈନନ୍ଦିନ କାର୍ଯ୍ୟରେ ହସ୍ତକ୍ଷେପ ନ କରିବା ପାଇଁ କିରଣ ବେଦୀଙ୍କୁ ଆଦେଶ ଦେଇଥିଲେ।

Categories
ଆଜିର ଖବର

ଅରୁଣାଚଳ ପ୍ରଦେଶର ୧୦ମ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଲେ ପେମା ଖାଣ୍ଡୁ

ବିଜେପିର ବରିଷ୍ଠ ନେତା ପେମା ଖାଣ୍ଡୁ ବୁଧବାର ଦିନ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ବିଗ୍ରେଡିୟର୍‌ ବି ଡି ମିଶ୍ରାଙ୍କ ଦ୍ବାରା ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପେମାଙ୍କ ସମେତ ମନ୍ତ୍ରିମଣ୍ଡଳର ୧୧ଜଣ ମନ୍ତ୍ରୀଙ୍କର ମଧ୍ୟ ଶପଥ ଗ୍ରହଣ କରାଇଛନ୍ତି ରାଜ୍ୟପାଳ। ଖାଣ୍ଡୁ ଅରୁଣାଚଳ ପ୍ରଦେଶର ୧୦ମ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ଆସାମ, ନାଗାଲାଣ୍ଡ, ମଣିପୁର, ତ୍ରିପୁରା ଓ ମେଘାଳୟର ମୁଖ୍ୟମନ୍ତ୍ରୀ ପ୍ରମୁଖ ସାମିଲ୍‌ ହୋଇଛନ୍ତି। ଖାଣ୍ଡୁଙ୍କ ନେତୃତ୍ବରେ ବିଜେପି ୬୦ ସଦସ୍ୟ ବିଧାନସଭାରେ ୪୧ଟି ଆସନ ଜିତିଛି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ଏହି ଅବସରରେ ପେମା ଖାଣ୍ଡୁଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଟୁଇଟ୍‌ ମଧ୍ୟ କରିଛନ୍ତି।

Categories
ଆଜିର ଖବର

ଆସନ୍ତା କାଲି ନବୀନଙ୍କ ଶପଥ ଗ୍ରହଣ ଉତ୍ସବ : ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ

ବୁଧବାର ଦିନ ଶପଥ ନେବେ ପଞ୍ଚମଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍‌। ଆସନ୍ତାକାଲି ଦିନ ସାଢେ ୧୦ଟାରେ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବ ହେବାକୁ ଥିବାବେଳେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଶପଥ ଗ୍ରହଣ ସ୍ଥାନ ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୨୫ ଫ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ଅତିଥି ମାନଙ୍କ ପ୍ରବେଶ ପାଇଁ ୫ଟି ପ୍ରବେଶ ପଥ ନିର୍ଦ୍ଧାରଣ କରାଯାଇଛି। ଭିଭିଆଇପି, ଏମ୍‌ପି, ଏମ୍‌ଏଲ୍‌ଏଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶପଥ କରାଯାଇଛି। ଏହି ଶପଥ ଗ୍ରହଣ ଉତ୍ସବକୁ ୭ହଜାର ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଛି। ତିନୋଟି ସ୍ଥାନରେ ପାର୍କିଂ ପ୍ଲେସ୍‌ କରାଯାଇଛି। ମଞ୍ଚରେ ୧୦୦ ଫୁଟ ଯାଏଁ ସିସିଟିଭି କଭରେଜ୍‌ର ବ୍ୟବସ୍ଥା କରାଯାଇଛି। ଆଜି ସେଠାରେ ସୁରକ୍ଷା ସମ୍ପର୍କିତ ମକ୍‌ଡ୍ରିଲ୍‌ ରିହରସାଲ ହେବ ବୋଲି ପୁଲିସ କମିଶନର କହିଛନ୍ତି। ଏହି ଶପଥ ଗ୍ରହଣ ସମାରୋହ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି। ସେହିପରି ଦେଶର କିଛି ଜଣାଶୁଣା ଉଦ୍ୟୋଗପତି, ସବୁ ଦଳର ନେତା ଓ ମହିଳାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଚଳିତ ଥର ରାଜଭବନ ଭିତରେ ଶପଥଗ୍ରହଣ ଉତ୍ସବ ନ କରାଯାଇ ପ୍ରଦର୍ଶନୀ ପଡ଼ିଆରେ ଆଡମ୍ବର ସହକାରେ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରାଯାଇଛି।

Categories
ଆଜିର ଖବର

ସଂସଦ ରଣନୀତି ପାଇଁ ନବ ନିର୍ବାଚିତ ସାଂସଦଙ୍କ ସହିତ ନବୀନଙ୍କ ବୈଠକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଜୁ ଜନତା ଦଳର ସମସ୍ତ ନବ ନିର୍ବାଚିତ ସାଂସଦ। ନିର୍ବାଚନ ପରବର୍ତ୍ତୀ ପ୍ରଥମ ଥର ପାଇଁ ବିଜେଡି ସଂସଦୀୟ ଦଳର ବୈଠକ ବସିଛି। ନବୀନ ନିବାସରେ ସମସ୍ତ ନବ ନିର୍ବାଚିତ ସାଂସଦ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ସଂସଦରେ ଏହି ନେତାଙ୍କର ଭୂମିକା ନେଇ ଏହି ବୈଠକରେ ଆଲୋଚନା ହୋଇଛି। ସମସ୍ତ ନବ ନିର୍ବାଚିତ ୧୨ ଜଣ ସାଂସଦ ଏହି ବୈଠକରେ ଉପସ୍ଥିତ ଥିଲେ। ନବୀନଙ୍କ ସହିତ ଏହି ବୈଠକରେ ଭର୍ତ୍ତୂହରି ମହତାବ, ଅଚ୍ୟୁତ ସାମନ୍ତ ଏବଂ ଅନୁଭବ ମହାନ୍ତି ଉପସ୍ଥିତ ଅଛନ୍ତି। ଏମାନଙ୍କ ବ୍ୟତିତ ଚନ୍ଦ୍ରାଣୀ ମୁର୍ମୁ, ପିନାକୀ ମିଶ୍ର ଏବଂ ମଞ୍ଜୁଲତା ମଣ୍ଡଳ ମଧ୍ୟ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ଏହା ସହିତ ନିଜର ସଂସଦୀୟ କ୍ଷେତ୍ରରେ କିପରି ବିକାଶ ମୂଳକ କାର୍ଯ୍ୟ କରିବେ ସେ ନେଇ ମଧ୍ୟ ଆଲୋଚନା ହୋଇଥିବା ଜଣାପଡିଛି।

Categories
ଆଜିର ଖବର

ପୁରୀରେ ଫନି କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରି ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀର ସର୍କଟ ହାଉସ୍‌ରେ ବାତ୍ୟା ଫନିର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ, ମେ ୩ ତାରିଖରେ ପ୍ରଳୟଙ୍କାରୀ ବାତ୍ୟା ଫନି ପୁରୀଠାରେ ଲ୍ୟାଣ୍ଡ କରିଥିଲା। ପନି ପୁରୀ ସହରକୁ ଅନେକ କ୍ଷୟକ୍ଷତି କରିଛି। ବିଦ୍ୟୁତ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବାବେଳେ ଅନେକଙ୍କ ଘର ମଧ୍ୟ ମାଟିରେ ମିଶିଯାଇଛି। ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରି କାର୍ଯ୍ୟର ସମୀକ୍ଷା କରିବା ସହିତ ପ୍ୟାକେଜ ଘୋଷଣା କରିଛନ୍ତି। ପ୍ରତି ପରିବାରକୁ ମାଗଣାରେ ଅଢେଇ ଲିଟର କିରୋସିନି ମିଳିବ ବୋଲି ସୂଚନା ରହିଛି। ୧୦ ଦିନରେ ଥରେ ଏହି କିରୋସିନ ମିଳିବ। ସେହିପରି ପ୍ରତି ପରିବାରକୁ ୫୦ କିଲୋ ଚାଉଳ ଯୋଗାଇ ଦିଆଯିବ। ରାସନକାର୍ଡ ନଥିବା ପରିବାରଙ୍କୁ ମଧ୍ୟ ଏହି ସୁବିଧା ଦିଆଯିବ। ପ୍ରଭାବିତ ଅଞ୍ଚଳରେ  ୧୦ ଲକ୍ଷ ମହମବତୀ ମାଗଣା ବଣ୍ଟନ କରାଯିବ ଓ ୨ ମାସ ପାଇଁ ମାଗଣାରେ ସାନିଟାରୀ ନାପକିନ୍‌ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ପୁରୀର ବିଦ୍ୟୁତ ବ୍ୟବସ୍ଥାର ସମୀକ୍ଷା କରି କହିଛନ୍ତି ଯେ, ଏହି କାର୍ଯ୍ୟ ପାଇଁ ୧୦ ହଜାର ଲୋକ କାମ କରୁଛନ୍ତି। ବହୁତ ଶୀଘ୍ର ସମସ୍ତ ପୁରୀର ସମସ୍ତ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ କରାଯିବ।

Categories
ଆଜିର ଖବର

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ପ୍ରମୋଦ ସାଓ୍ବନ୍ତ

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ପରେ ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି  ଗୋଆ ବିଧାନସଭାର ବାଚସ୍ପତି ତଥା ବିଜେପି ନେତା ପ୍ରମୋଦ ସାଓ୍ବନ୍ତ। ଗତକାଲି ମଧ୍ୟରାତ୍ରରେ ଏକ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଶପଥ ଗ୍ରହଣ କରିଛନ୍ତି। ସହଯୋଗୀ ଦଳ ଏମ୍‌ଜିପିର ସୁଦିନ୍‌ ଧବଲିକର ଏବଂ ଜିଏଫ୍‌ପିର ବିଜାଇ ସରେଦଶାଇ ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ କରିଥିବା ବେଳେ ଅନ୍ୟାନ୍ୟ ୯ ଜଣ ନେତା କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଗୋଆ ରାଜ୍ୟପାଳ ମୃଦଳା ସିହ୍ନା ଏହି ଶପଥପାଠ କରାଇଥିଲେ। ଗତ ରବିବାର ମନୋହର ପାରିକରଙ୍କ ମୃତ୍ୟୁ ପରେ ଗୋଆରେ ଲାଗିରହିଥିବା ରାଜନୈତିକ ସଙ୍କଟ ଏଥି ସହିତ ଏକ ପ୍ରକାର ଶେଷ ହୋଇଛି।

 

Categories
ଆଜିର ଖବର

ପ୍ରମୋଦ ସାଓ୍ଵନ୍ତ ଗୋଆର ନୂଆ ମୁଖ୍ୟମନ୍ତ୍ରୀ ହେବେ !

ପ୍ରମୋଦ ସାଓ୍ଵନ୍ତ ଗୋଆର ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଗୋଆର ବାଚସ୍ପତି ରହିଥିଲେ ପ୍ରମୋଦ। ତାଙ୍କ ନାମକୁ ନେଇ ବିଜେପି ଓ ସହଯୋଗୀ  ଦଳଙ୍କ ମଧ୍ୟରେ  ସହମତି ହୋଇଥିବା ଜଣାଯାଇଛି। ଉପମୁଖ୍ୟମନ୍ତ୍ରୀ ଭାବେ ବିଜୟ ସରଦେଶାଇ ଓ ଏମଜିପି ର ସୁଦିନ ଦାଓ୍ଵଲିକର ନାମ ରହିଛି। ଗତକାଲି ମନୋହର ପାରିକରଙ୍କ ଦେହାନ୍ତ ପରେ ରାଜ୍ୟ ରାଜନୀତିରେ ହଲ୍‌ଚଲ୍‌ ସୃଷ୍ଟି ହୋଇଥିଲା। କଂଗ୍ରେସ ସରକାର ଗଠନ ପାଇଁ ଦାବି କରି ରାଜ୍ୟପାଳଙ୍କୁ ଭେଟିଥିଲା। ତେବେ ବିଜେପି ପକ୍ଷରୁ ନିଜର ସହଯୋଗୀ ଦଳଙ୍କ ସହ ଆଲୋଚନା କରି ପ୍ରମୋଦଙ୍କ ନାମରେ ମୋହର ବାଜିବା ନେଇ ସ୍ପଷ୍ଟ ସୂଚନା ରହିଛି। ଏ ନେଇ ଦଳ ଆନୁଷ୍ଠାନିକ ଘୋଷଣା କରିବାର ସମ୍ଭାବନା ରହିଛି। ରାତି ୯ଟାରେ ଏନେଇ ବିଧିବଦ୍ଧ ଭାବେ ଘୋଷଣା ହେବ ବୋଲି ସୂଚନା ରହିଛି।

Categories
ଆଜିର ଖବର

ଗରିବ ଲୋକର ଖୁସି ମୋର ସବୁଠାରୁ ବଡ଼ ସନ୍ତୋଷ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗରିବ ଲୋକର ଖୁସି ମୋର ସବୁଠାରୁ ବଡ଼ ସନ୍ତୋଷ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଭୁବନେଶ୍ବରର ଜନତା ମଇଦାନଠାରେ ଆୟୋଜିତ ଏକ ବିଶାଳ ଜନସମାବେଶରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗରିବ ଲୋକଙ୍କ କଲ୍ୟାଣକୁ ତାଙ୍କ ସରକାର ପ୍ରାଥମିକତା ଦେଇ ଆସିଛି । ସେ ସବୁବେଳେ ଗରିବଙ୍କ ସାଥୀରେ ରହିଛନ୍ତି ଓ ସେମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ କାମ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମିଶନ୍‌ ଶକ୍ତିର ମା’ମାନଙ୍କୁ ସମ୍ବୋଧିତ କରି ତାଙ୍କୁ ବିକାଶର ସାରଥୀ ବୋଲି ବର୍ଣ୍ଣନା କରିଛନ୍ତି । ତାଙ୍କ ସରକାର ମିଶନ ଶକ୍ତିର ମା’ମାନଙ୍କୁ ଜିରୋ ପ୍ରତିଶତ ସୁଧରେ ଋଣ ଦେଉଛି । ସେହିପରି  ସହରରେ ରହୁଥିବା ବସ୍ତିବାସିନ୍ଦାମାନଙ୍କୁ ତାଙ୍କ ସରକାର ଜାଗା ମିଶନରେ ଅନ୍ତର୍ଭୁକ୍ତ କରାଇଛି । ମହାନଗର ନିଗମ ଅଂଚଳରେ ୧୦,୦୦ ବସ୍ତି ବାସିନ୍ଦାଙ୍କୁ ଆବାସ୍‌ ମିଶନ୍‌ ଯୋଜନାରେ ବାସଗୃହ ଆବଣ୍ଟନର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକାମ୍ର, ଭୁବନେଶ୍ବର କେନ୍ଦ୍ର ଏବଂ ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ପାଇଁ ରାସ୍ତାଘାଟ, ବିଜୁଳି ଓ ଡ୍ରେନେଜ୍‌ ଆଦି ଭିତ୍ତିଭୂମିର ବିକାଶ କାର୍ଯ୍ୟକ୍ରମର ଶିଳାନ୍ୟାସ କରିଥିଲେ ।