Categories
ଆଜିର ଖବର ରାଜ୍ୟ ଖବର

ତଲାବିରା ତାପଜ ବିଦ୍ୟୁତ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: କୋଇଲା ପରିବହନ ଖର୍ଚ୍ଚ ହ୍ରାସ କରିବା ପାଇଁ ପିଟ୍-ହେଡ୍‌ରେ ତାପଜ ବିଦ୍ୟୁତ୍ ପ୍ଲାଣ୍ଟ ସ୍ଥାପନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ଆଗକୁ ବଢ଼ାଇବା ପାଇଁ କୋଇଲା ମନ୍ତ୍ରଣାଳୟ କୋଇଲା କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ୱାରା ତାପଜ ଶକ୍ତି କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା କରିଛି। କେନ୍ଦ୍ର ସରକାର ସରକାର ଏନଏଲସିଆଇଏଲ୍ ମାଧ୍ୟମରେ ତଲାବିରାଠାରେ ୩ x ୮୦୦ ମେଗାୱାଟ ଅଲଟ୍ରା ସୁପର କ୍ରିଟିକାଲ ଥର୍ମାଲ ପାୱାର ପ୍ଲାଣ୍ଟ ସ୍ଥାପନ କରିବାକୁ ଅନୁମୋଦନ କରିଛନ୍ତି। ଏନଏଲସିଆଇଏଲକୁ ୨୩ ନିୟୁତ ଟନ୍‌ (ଏମଟି) ପିକ୍ ରେଟେଡ୍ କ୍ଷମତା ବିଶିଷ୍ଟ ମୋଟ ୫୫୩ ନିୟୁତ ଟନ୍ ଖଣିଜ ଭଣ୍ଡାର ଥିବା ତଲାବିରା କୋଇଲା ଖଣି ଆବଣ୍ଟନ କରାଯାଇଛି। କାର୍ଯ୍ୟକ୍ଷମ ହେବା ପରେ ଏହି ପିଟ୍ ହେଡ୍ ପ୍ଲାଣ୍ଟ ୟୁନିଟ୍ ପିଛା ୩.୬୫ ଟଙ୍କା (୨.୪୦ ଟଙ୍କା ନିର୍ଦ୍ଧାରିତ ମୂଲ୍ୟ ଏବଂ ୧.୨୫ ଟଙ୍କା ପରିବର୍ତ୍ତନଶୀଳ ମୂଲ୍ୟ) (ପ୍ରାୟ) ମୂଲ୍ୟରେ ବିଦ୍ୟୁତ୍ ଉତ୍ପାଦନ କରିବ ଯାହାକି ଦେଶର ଟିପିପିମାନଙ୍କ ଦ୍ୱାରା ଉତ୍ପାଦିତ ସବୁଠାରୁ ଶସ୍ତା ବିଦ୍ୟୁତ ଶକ୍ତି ମଧ୍ୟରୁ ଅନ୍ୟତମ।    

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ସମ୍ବଲପୁରଠାରେ ଏନଏଲସି ଇଣ୍ଡିଆ ଲିମିଟେଡ୍ (ଏନଏଲସିଆଇଏଲ)ର ୨,୪୦୦ ମେଗାୱାଟ ସୁପରକ୍ରିଟିକାଲ ତାପଜ ବିଦ୍ୟୁତ ପ୍ଲାଣ୍ଟର ଶିଳାନ୍ୟାସ କରିବେ । ଆତ୍ମନିର୍ଭର ଭାରତର ପରିକଳ୍ପନା ସହ ସମ୍ପୂର୍ଣ୍ଣ ରୂପେ ସମନ୍ୱିତ ନେଭେଲି ଲିଗ୍ନାଇଟ୍ କର୍ପୋରେସନ୍ ଇଣ୍ଡିଆ ଲିମିଟେଡ୍ (ଏନ୍ଏଲ୍‌ସିଆଇଏଲ୍) ତଲାବିରା ତାପଜ ବିଦ୍ୟୁତ୍‌ ପ୍ରକଳ୍ପର ଶିଳାନ୍ୟାସ କରାଯିବ। ଏହି ଅତ୍ୟାଧୁନିକ ପ୍ରକଳ୍ପ ବିଶ୍ୱସନୀୟ, ସୁଲଭ ଓ ନିରନ୍ତର ଶକ୍ତି ଯୋଗାଇବା, ଦେଶର ଶକ୍ତି ନିରାପତ୍ତାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବା ଏବଂ ଆର୍ଥିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପାଇଁ ନିର୍ମାଣ କରାଯିବା ।

ଏହି ପିଟହେଡ୍ ପାୱାର ଷ୍ଟେସନକୁ ଏନଏଲସିଆଇଏଲର କ୍ୟାପ୍ଟିଭ୍ କୋଇଲା ବ୍ଲକ, ତଲାବିରା ୨ ଏବଂ ୩ ସହିତ ଗୁରୁତ୍ୱପୂର୍ଣ୍ଣ ଭାବରେ ସଂଯୋଗ କରାଯିବ, ଯାହା ସ୍ଥାୟିତ୍ୱକୁ ସୁନିଶ୍ଚିତ କରିବ । ତାପଜ ବିଦ୍ୟୁତ କେନ୍ଦ୍ରରେ ଅଧିକ ଦକ୍ଷତା,  ଅଙ୍ଗାରକାମ୍ଳ ହ୍ରାସ ଏବଂ ୧୦% ପରିବେଶ ଅନୁକୂଳ ବାୟୋମାସ୍ କୋ-ଫାୟାରିଂ ପଦକ୍ଷେପ ରହିଛି।

ବିଦ୍ୟୁତ୍‌ କ୍ରୟ ଚୁକ୍ତି (ପିପିଏ) ମାଧ୍ୟମରେ ଓଡ଼ିଶାକୁ ୮୦୦ ମେଗାୱାଟ୍, ତାମିଲନାଡୁକୁ ୧୫୦୦ ମେଗାୱାଟ୍, କେରଳକୁ ୪୦୦ ମେଗାୱାଟ୍ ଏବଂ ପୁଡୁଚେରୀକୁ ୧୦୦ ମେଗାୱାଟ୍ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିସାରିଛି। ମୁଖ୍ୟ ପ୍ଲାଣ୍ଟ ପାଇଁ ୧୮,୨୫୫ କୋଟି ଟଙ୍କା ମୂଲ୍ୟର ଇଞ୍ଜିନିୟରିଂ, କ୍ରୟ ଓ ନିର୍ମାଣ (ଇପିସି) ଚୁକ୍ତି ବିଏଚଇଏଲକୁ ପ୍ରଦାନ କରାଯାଇଛି। ପ୍ରଥମ ୮୦୦ ମେଗାୱାଟ୍ ବିଦ୍ୟୁତ ୟୁନିଟ୍ ଆରମ୍ଭରୁ ୫୨ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ ଏବଂ ପରବର୍ତ୍ତୀ ୟୁନିଟ୍ ଗୁଡ଼ିକ ୬ ମାସ ବ୍ୟବଧାନରେ ଅନ୍‌ଲାଇନରେ ଆସିବ ବୋଲି ଆଶା କରାଯାଉଛି।

ଏହି ଐତିହାସିକ ପ୍ରକଳ୍ପ ଭାରତର ଶକ୍ତି ସ୍ଥିରତାକୁ ସୁଦୃଢ଼ କରିବା ଦିଗରେ ଏକ ଉପଯୁକ୍ତ ପଦକ୍ଷେପ, ଯାହା ସ୍ଥାୟୀ ଏବଂ ପରିବେଶ ଅନୁକୂଳ ଶକ୍ତି ସମାଧାନକୁ ଗ୍ରହଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ପ୍ରତିନିଧିତ୍ୱ କରୁଛି । ଏହା ଏକ ସବୁଜ ଭବିଷ୍ୟତ ପାଇଁ ଆମର ପ୍ରତିବଦ୍ଧତାକୁ ସୂଚାଇଥାଏ ତଥା ଶକ୍ତି ନିରାପତ୍ତା ଓ ପରିବେଶ ପରିଚାଳନା ପାଇଁ ରାଷ୍ଟ୍ରର ପ୍ରଗତିର ପ୍ରତୀକ ଭାବରେ ଠିଆ ହୋଇଛି ।

Categories
ଆଜିର ଖବର ଜାତୀୟ ଖବର

କୋଇଲା ମନ୍ତ୍ରଣାଳୟ ଅଧୀନରେ ମହାନଦୀ କୋଲଫିଲ୍ଡ ଲିମିଟେଡ୍ ର ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ବହୁମୁଖୀ ଯୋଗାଯୋଗ ସୁବିଧା ପ୍ରଦାନ ଏବଂ ଦକ୍ଷତା ବୃଦ୍ଧି କରି ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବା ପାଇଁ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର ନୀତି ଅନୁରୂପ, କୋଇଲା ମନ୍ତ୍ରଣାଳୟ କୋଇଲାର ଦକ୍ଷ ଉତ୍ତୋଳନକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ବ୍ୟାପକ ଭିତ୍ତିଭୂମି ସମ୍ପ୍ରସାରଣ କରିଛି। କୋଇଲା ଉତ୍ପାଦନ କ୍ଷେତ୍ରରେ ରେଳ ନେଟୱର୍କକୁ ବଢ଼ାଇବା ଉଦ୍ଦେଶ୍ୟରେ ସିଆଇଏଲ, ଆଇଆର୍ସିଓଏନ୍ ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ‘‘ମହାନଦୀ କୋଲ୍ ରେଲ୍ ଲିମିଟେଡ୍’’ ଗଠିତ ହୋଇଛି। ଅତିରିକ୍ତ ରେଳ ଲାଇନ୍ ବିଛାଇବା, ବର୍ତ୍ତମାନର ରେଳ ଲାଇନର ଦୋହରୀକରଣ, ରେଳ-ଓଭର-ରେଲ (ଆରଓଆର), ୱାଇ-କର୍ଭସ ଇତ୍ୟାଦି ପାଇଁ ସିଆଇଏଲ୍ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପ ପାଇଁ ପାଣ୍ଠି ପ୍ରଦାନ କରିଛି।

ବିଭିନ୍ନ ସହାୟକ ସଂସ୍ଥାରେ ସିଆଇଏଲ୍ ପ୍ରଥମ ମାଇଲ୍ ସଂଯୋଗ (ଏଫ୍ଏମ୍ସି) ପ୍ରକଳ୍ପ ନିର୍ମାଣ କରି ପିଟ୍-ହେଡ୍ରୁ ରେଳ ଲୋଡିଂ ପଏଣ୍ଟ୍ ପର୍ଯ୍ୟନ୍ତ ଯାନ୍ତ୍ରିକ କୋଇଲା ପରିବହନ ଭିତ୍ତିଭୂମି ସ୍ଥାପନ କରିବାକୁ ଯୋଜନା କରିଛି। ସମସ୍ତ ବୃହତ ଖଣି ପାଇଁ ସମୁଦାୟ ୧୦୦ରୁ ଅଧିକ ଏଫ୍ଏମ୍ସି ପ୍ରକଳ୍ପ ଯୋଜନା କରାଯାଇଛି। ଗୋଟିଏ ପଟେ ଏହି ପ୍ରକଳ୍ପଗୁଡ଼ିକ ଲୋଡିଂ ଦକ୍ଷତାରେ ଉନ୍ନତି ଆଣିବା, ଲୋଡିଂ ସମୟ ହ୍ରାସ କରିବା ସହିତ ଅନ୍ୟପଟେ ନିର୍ଗମନ ଏବଂ ପ୍ରଦୂଷଣ ହ୍ରାସ କରିବାରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଫେବ୍ରୁଆରୀ, ୨୦୨୪ରେ ଓଡ଼ିଶାରେ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍)ର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ଉଦ୍ଘାଟନ କରିବେ। ସେଥିମଧ୍ୟରୁ ଅନୁଗୁଳ ଜିଲ୍ଲା ତାଳଚେର କୋଲଫିଲ୍ଡରେ ୩୩୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଭୁବନେଶ୍ୱରୀ ଫେଜ୍-୧ ପ୍ରକଳ୍ପ ରେକ୍ ଲୋଡିଂ ସମୟକୁ ପାଖାପାଖି ୫୦ ମିନିଟ୍କୁ ହ୍ରାସ କରିବ, ପରିବେଶ ଅନୁକୂଳ ପରିବହନ ଆରମ୍ଭ କରିବ, ସବୁଜ ଗୃହ ବାଷ୍ପ ନିର୍ଗମନ ହ୍ରାସ କରିବ ଏବଂ କୋଇଲା ପରିବହନ ଖର୍ଚ୍ଚ ହ୍ରାସ କରିବ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହେଉଛି ଲାଜକୁରା ରାପିଡ୍ ଲୋଡିଂ ସିଷ୍ଟମ (ଆରଏଲଏସ), ଯାହା ପ୍ରାୟ ୩୭୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । କୋଇଲାର ଗୁଣବତ୍ତା ଏବଂ ଯୋଗାଣ ବୃଦ୍ଧି କରିବା, ପାଖାପାଖି ୫୦ ମିନିଟ୍ ଲୋଡିଂ ସମୟ ହାସଲ କରିବା, ପରିବେଶ ଅନୁକୂଳ ପରିବହନ, ସବୁଜ ଗୃହ ବାଷ୍ପ ନିର୍ଗମନକୁ ହ୍ରାସ କରିବା ଏବଂ ସାମଗ୍ରିକ କୋଇଲା ପରିବହନ ଖର୍ଚ୍ଚ ହ୍ରାସ କରିବା ପାଇଁ ଏହି ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି। ଏହି ପ୍ରୟାସ କେବଳ ପରିବେଶ ପ୍ରଭାବକୁ ଯଥେଷ୍ଟ ହ୍ରାସ କରିବ ନାହିଁ ବରଂ ସ୍ଥାନୀୟ ଯୁବବର୍ଗଙ୍କ ପାଇଁ ମୂଲ୍ୟବାନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିଥାଏ।

ଏହି ମାଇଲଖୁଣ୍ଟ ପ୍ରକଳ୍ପଗୁଡ଼ିକ ବ୍ୟତୀତ ପ୍ରଧାନମନ୍ତ୍ରୀ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ୫୫୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଇବ୍ ଭ୍ୟାଲି ୱାଶେରୀକୁ ମଧ୍ୟ ଉଦଘାଟନ କରିବେ । ଏହି ପ୍ରକଳ୍ପ ଗୁଣବତ୍ତା ପାଇଁ କୋଇଲା ପ୍ରକ୍ରିୟାକରଣରେ ଏକ ଆଦର୍ଶ ପରିବର୍ତ୍ତନ, ଅଭିନବତା ଓ ସ୍ଥାୟୀତ୍ୱକୁ ସୂଚାଇବା ଏବଂ କୋଇଲା ଗୁଣବତ୍ତା ମାନକ ବୃଦ୍ଧି କରିବା ସହିତ ସ୍ୱଚ୍ଛ ତଥା ଅଧିକ ଦକ୍ଷ ଶକ୍ତି ସମାଧାନ ପାଇଁ ଭାରତର ଦୃଷ୍ଟିକୋଣ ସହ ସମନ୍ୱିତ ହେବ ।

ଏହାବ୍ୟତୀତ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍) ଦ୍ୱାରା ୮୭୮ କୋଟି ଟଙ୍କା ନିବେଶରେ ନିର୍ମିତ ଝାରସୁଗୁଡ଼ା-ବରପାଲି-ସର୍ଡେଗା ରେଳ ଲାଇନ୍ ଫେଜ୍-୧ର ୫୦ କିଲୋମିଟର ଲମ୍ବ ଦ୍ୱିତୀୟ ରେଳ ଲାଇନକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି ସମ୍ପ୍ରସାରଣ ରେଳ ଭିତ୍ତିଭୂମିକୁ ଯଥେଷ୍ଟ ବୃଦ୍ଧି କରିବ, ନିରବଚ୍ଛିନ୍ନ ପରିବହନ ସୁବିଧା ଯୋଗାଇ ଦେବ ଏବଂ ଦକ୍ଷ କୋଇଲା ଯୋଗାଣ ଶୃଙ୍ଖଳା ସୁନିଶ୍ଚିତ କରିବ ।

ପ୍ରାୟ ୨୧୪୫ କୋଟି ଟଙ୍କାର ମିଳିତ ନିବେଶ ସହିତ ଏହି ପ୍ରୟାସ ଏକ ନିରନ୍ତର ଏବଂ ଦକ୍ଷ ଶକ୍ତି ଯୋଗାଣ ପାଇଁ କୋଇଲା ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର କୋଇଲା ଶିଳ୍ପକୁ ଉଲ୍ଲେଖନୀୟ ଲାଭ ପ୍ରଦାନ କରିବା ସହ ଦେଶର ଶକ୍ତି ସୁରକ୍ଷାରେ ସହାୟକ ହେବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ଓଡ଼ିଶାରେ ୨୪୦୦ ମେଗାୱାଟ୍ ତାପଜ ବିଦ୍ୟୁତ୍ ପ୍ରକଳ୍ପ ଠିକା କାର୍ଯ୍ୟ ବିଏଚ୍‌ଇଏଲ୍ କୁ ପ୍ରଦାନ କଲା ଏନ୍‌ଏଲ୍‌ସିଆଇଏ ଲ

ଭୁବନେଶ୍ଵର: କୋଇଲା ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ କମ୍ପାନୀ ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ ଆଇସିବି ମାଧ୍ୟମରେ ପ୍ରତିଯୋଗିତାମୂଳକ ଟେଣ୍ଡର ଆହ୍ୱାନ କରିବା ପରେ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ୨୪୦୦ ମେଗାୱାଟ କ୍ଷମତା (୩ x  ୮୦୦ ମେଗାୱାଟ୍ – ପର୍ଯ୍ୟାୟ ୧) ବିଶିଷ୍ଟ ପିଟ୍ ହେଡ୍ ଗ୍ରୀନ୍ ଫିଲ୍ଡ ତାପଜ ବିଦ୍ୟୁତ୍ ପ୍ରକଳ୍ପ ସ୍ଥାପନ କରିବାକୁ ବିଏଚଇଏଲ୍ (ଭେଲ୍‌) କୁ ଇପିସି ଠିକା କାର୍ଯ୍ୟ ପ୍ରଦାନ କରିଛି। ଏହି ପ୍ରକଳ୍ପ ଅଲଟ୍ରା ସୁପର କ୍ରିଟିକାଲ ଟେକ୍ନୋଲୋଜି ଉପରେ ଆଧାରିତ। ୨୪୦୦ ମେଗାୱାଟ୍ ବିଦ୍ୟୁତ୍ ନିମନ୍ତେ ଚୁକ୍ତି ତାମିଲନାଡୁ, ଓଡ଼ିଶା, କେରଳ ଓ ପୁଡୁଚେରୀ ରାଜ୍ୟ ସହିତ କରାଯାଇଛି ଏବଂ ଏଥିପାଇଁ ପିପିଏ ପୂର୍ବରୁ ନିଷ୍ପାଦିତ ହୋଇସାଇଛି।

ବଏଲର, ଟର୍ବାଇନ୍‌, ଜେନେରେଟର, ପ୍ଲାଣ୍ଟର ସନ୍ତୁଳନ, ଏଫଜିଡି ଏବଂ  ୩ x  ୮୦୦ ମେଗାୱାଟ୍ – ୨୪୦୦ ମେଗାୱାଟ ପର୍ଯ୍ୟାୟ -୧ ପାଇଁ ଏସସିଆର ଭଳି ଯନ୍ତ୍ରପାତିର ଇଞ୍ଜିନିୟରିଂ, ଉତ୍ପାଦନ, ଯୋଗାଣ, ନିର୍ମାଣ ଏବଂ କାର୍ଯ୍ୟକ୍ଷମ କରିବା ଏଥିରେ ଅନ୍ତର୍ଭୁକ୍ତ।

ଏହି ତାପଜ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ଓଡ଼ିଶାର ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ୨୦୨୦ରୁ କାର୍ଯ୍ୟକ୍ଷମ ହୋଇଥିବା ଏନ୍‌ଏଲ୍‌ସିଆଇଏଲର ବାର୍ଷିକ ୨୦ ନିୟୁତ ଟନ୍ (ଏମ୍‌ଟିପିଏ) କ୍ଷମତା ବିଶିଷ୍ଟ ତଳବିରା – ୨ ଓ ୩ ଖଣିରୁ କୋଇଲା ଯୋଗାଣ କରାଯିବ। ପ୍ରକଳ୍ପ ପାଇଁ ଆବଶ୍ୟକ ଜଳ ହୀରାକୁଦ ଜଳଭଣ୍ଡାରରୁ ସଂଯୋଗ କରାଯାଇ ଉତ୍ପାଦିତ ବିଦ୍ୟୁତ୍‌କୁ ଆଇଏସ୍‌ଟି ଓ ଏସ୍‌ଟିୟୁ ନେଟୱାର୍କ ଜରିଆରେ ସ୍ଥାନାନ୍ତର କରାଯିବ।

ଏମଓଇଏଫ୍ ଗାଇଡଲାଇନ (ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟ ମାର୍ଗଦର୍ଶିକା) ପୂରଣ କରିବା ପାଇଁ ଏହି ପ୍ରକଳ୍ପ ଏଫଜିଡି ଏବଂ ଏସସିଆର ପରି ଅତ୍ୟାଧୁନିକ ପ୍ରଦୂଷଣ ନିୟନ୍ତ୍ରଣ ଉପକରଣ ଆଣିବ। ବାୟୋ ମାସ୍ ହ୍ୟାଣ୍ଡଲିଂ ସିଷ୍ଟମ ସହିତ ଶକ୍ତି ମନ୍ତ୍ରଣାଳୟର ଗାଇଡଲାଇନ ଅନୁଯାୟୀ  ସବୁଜ ପଦକ୍ଷେପର ଏକ ଅଂଶ ଭାବରେ ବାୟୋ ମାସ୍‌ର କୋ ଫାୟାରିଂ ପାଇଁ ବଏଲର ଡିଜାଇନ୍ କରାଯିବ।

ଏହି ପ୍ରକଳ୍ପର ପ୍ରଥମ ୟୁନିଟ୍ ୨୦୨୮ – ୨୯ ଆର୍ଥିକ ବର୍ଷରେ କାର୍ଯ୍ୟକ୍ଷମ ହେବ। ଏହା ପିଟ୍ ହେଡ୍ ତାପଜ ପ୍ରକଳ୍ପ ହୋଇଥିବାରୁ ଏହାର ପରିବର୍ତ୍ତନଶୀଳ ମୂଲ୍ୟ ପ୍ରତିଯୋଗିତାମୂଳକ ହେବ ଏବଂ ଏନଏଲସି ଇଣ୍ଡିଆ କମ୍ ମୂଲ୍ୟରେ ବିଜୁଳି ଉତ୍ପାଦନ କରିବ ଏବଂ ଏହାର ହିତାଧିକାରୀ ମାନଙ୍କୁ କମ୍ ମୂଲ୍ୟରେ ପ୍ରଦାନ କରିବ।