Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୭୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର:  ରାଜ୍ୟରେ ଆଜି ୭୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୩୪ ଜଣ ଚିହ୍ନଟ ହୋଇଥିବାବେଳେ ୩୧୯ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮ ହଜାର ୬୫୯କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୯୬ ହଜାର ୫୧୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୦ ହଜାର ୫୬୩ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୫୧୦ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୭୫୩ ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରୁ ସର୍ବାଧିକ ୭୫ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୪୭, ବାଲେଶ୍ଵରରୁ ୩୨,  ବରଗଡରୁ ୩୧, ଭଦ୍ରକରୁ ୧୭, ବଲାଙ୍ଗିରରୁ ୪୧, ବୌଦ୍ଧରୁ ୧୨, କଟକରୁ ୪୧,  ଦେବଗଡରୁ ୩,  ଢେଙ୍କାନାଳରୁ ୧୧, ଗଜପତିରୁ ୩,  ଗଞ୍ଜାମରୁ ୧୧, ଜଗତସିଂହପୁରରୁ  ୨୬, ଯାଜପୁରରୁ ୬, ଝାରସୁଗୁଡାରୁ ୨୬, କଳାହାଣ୍ଡିରୁ ୪୭, କନ୍ଧମାଳରୁ ୧୦, କେନ୍ଦ୍ରାପଡାରୁ ୨୬, କେଉଁଝରରୁ ୨୭, ଖୋର୍ଦ୍ଧାରୁ ୭୪,  କୋରାପୁଟରୁ ୧୨, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୨୫, ନବରଙ୍ଗପୁରରୁ ୧, ନୟାଗଡରୁ ୬, ନୂଆପଡାରୁ ୬୫, ପୁରୀରୁ ୩୪,  ସମ୍ବଲପୁରରୁ ୨୦, ସୋନପୁରରୁ ୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୧୦ ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି।

 

 

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଗତ ୨୪ ଘଣ୍ଟାରେ ୩୮ ହଜାର ୩୧୦ କରୋନା ପଜିଟିଭ୍‌ ଚିହ୍ନଟ: ୪୯୦ ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ କରୋନା ଗ୍ରାଫ୍‌ ତଳମୁହାଁ ହୋଇଛି। କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ଆଶ୍ବସ୍ତି ମିଳିଛି। ଗତ ୨୪ ଘଣ୍ଟାରେ ୩୮ ହଜାର ୩୧୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ୪୯୦ ଜଣଙ୍କର ମୃତ୍ୟୁ ହୋଇଛି। ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଲକ୍ଷ ୬୭ ହଜାର ୬୨୩ରେ ପହଞ୍ଚିଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ହଜାର ୨୩ ହଜାର ୯୭କୁ ବୃଦ୍ଧି ପାଇଛି। ଦେଶରେ ଏବେ ୫ ଲକ୍ଷ ୪୧ ହଜାର ୪୦୫ ଜଣ ସକ୍ରିୟ ରୋଗୀ ଥିବାବେଳେ ୭୬ ଲକ୍ଷ ୩ ହଜାର ୧୨୧ ଜଣ ସୁସ୍ଥ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

24 ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ 76 ହଜାରରୁ ଉର୍ଦ୍ଧ୍ବ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 76 ହଜାର 472 ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ 1021ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 34 ଲକ୍ଷ ଅତିକ୍ରମ କରିଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 34 ଲକ୍ଷ 63 ହଜାର 973ରେ ପହଞ୍ଚିଛି। ସେହିପର ଦେଶରେ ମୃତ୍ୟୁ ସଂଖ୍ୟା 62ହଜାର ଅତିକ୍ରମ କରିଛି। ଦେଶରେ ସର୍ବମୋଟ ମୃତ୍ୟୁ ସଂଖ୍ୟା 62 ହଜାର 550ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ 26 ଲକ୍ଷ 48 ହଜାର 998 ଜଣ ଅକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 7 ଲକ୍ଷ 52ହଜାର 424 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ଦେଶରେ ଆରୋଗ୍ୟ ହାର 77 ପ୍ରତିଶତ ଛୁଇଁଛି। ସେହିପରି ଦେଶରେ ମୃତ୍ୟୁ ହାର ଓ ଆକ୍ଟିଭ୍‌ କେସ୍‌ ରେଟ୍‌ ଲଗାତାର ଭାବରେ ହ୍ରାସ ପାଉଛି। ମୃତ୍ୟୁ ହାର 1.81%ରେ ପହଞ୍ଚିଥିବାବେଳେ ଆକ୍ଟିଭ୍‌ କେସ୍‌ ରେଟ୍‌ 22 % ରହିଛି। ତେବେ ଦେଶରେ ସର୍ବାଧିକ ସକ୍ରିୟ ମାମଲା ମହାରାଷ୍ଟ୍ରରେ ହିଁ ରହିଛି। ଏହା ପରେ ସକ୍ରିୟ ମାମଲାରେ ଦେଶରେଦ୍ବିତୀୟ ସ୍ଥାନରେ ରହିଛି ତାମିଲନାଡୁ, ତୃତୀୟ ସ୍ଥାନରେ ଦିଲ୍ଲୀ, ଚତୁର୍ଥ ସ୍ଥାନରେ ଗୁଜୁରାଟ ଓ ପଞ୍ଚମ ସ୍ଥାନରେ ପଶ୍ଚିମବଙ୍ଗ ରହିଛି। ଏହି ପାଞ୍ଚୋଟି ରାଜ୍ୟରେ ସର୍ବାଧିକ ସକ୍ରିୟ ମାମଲା ରହିଛି। ବିଶ୍ବରେ ସକ୍ରିୟ ମାମଲା କ୍ଷେତ୍ରରେ ଭାରତ ତୃତୀୟ ସ୍ଥାନରେ ରହିଛି। ଆମେରିକା, ବ୍ରାଜିଲ୍ ପରେ କରୋନା ମହାମାରୀ ସର୍ବାଧିକ ପ୍ରଭାବିତ ଦେଶ ମଧ୍ୟରେ ଭାରତ ଚତୁର୍ଥ ସ୍ଥାନରେ ରହିଛି।

Categories
ବିଶେଷ ଖବର

ସେପ୍ଟେମ୍ବର ଶେଷ ସୁଦ୍ଧା ଭାରତ ପୃଥିବୀର ସର୍ବାଧିକ କରୋନା ଆକ୍ରାନ୍ତ ଦେଶ ହେବାର ସମ୍ଭାବନା

କେଦାର ମିଶ୍ର 

ଦେଖୁ ଦେଖୁ ପାଞ୍ଚମାସ ସମୟ ବିତିଗଲାଣି। ମାର୍ଚ୍ଚ ମାସର ତୃତୀୟ ସପ୍ତାହ ବେଳକୁ ଆମେ କରୋନା ଭୂତାଣୁକୁ ନୂଆ କରି ଜାଣୁଥିଲୁ। ସେତେବେଳେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଯେଉଁ ଦୈନିକ ବୁଲେଟିନ ବାହାର କରୁଥିଲେ ସେଇଠି ଆମେ ଦେଖୁଥିଲୁ କରୋନାକୁ ନେଇ ତିନୋଟି ଦେଶ ବେଶୀ ଆକ୍ରାନ୍ତ- ଚୀନ, ଦକ୍ଷିଣ କୋରିଆ ଓ ଇରାନ। ଏହି ତିନୋଟି ଦେଶରେ ଯେତିକି ସଂଖ୍ୟକ ଆକ୍ରାନ୍ତ ସେତେବେଳେ ବାହାରୁଥିଲେ,ଏବେ ଗୋଟିଏ ଦିନରେ ତାଠୁ ଢେର ଗୁଣ ଅଧିକ ଆକ୍ରାନ୍ତ ଆମ ଦେଶରେ ବାହାରୁଛନ୍ତି। ଚୀନରେ ଆରମ୍ଭ ହୋଇଥିବା ଏହି ଭୂତାଣୁ ସେଠାରେ ମାତ୍ର ୮୪,୮୭୧ ଲୋକଙ୍କ୍ଜୁ ଆକ୍ରାନ୍ତ କରିଥିଲ।। ଆମ ଦେଶରେ ଏବେ ଦିନକୁ ୫୫ ରୁ ୬୫ ହଜାର ଆକ୍ରାନ୍ତ ବାହାରୁଛନ୍ତି। ମାର୍ଚ୍ଚ ମାସରେଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ଏକ ନମ୍ବର ଥିବା ଚୀନ ଅଗଷ୍ଟ ମାସ ବେଳକୁ ୩୪ ନମ୍ବର ସ୍ଥାନକୁ ଖସି ଆସିଛି। ସେହିପରି ଦକ୍ଷିଣ କୋରିଆ ୭୪ ଓ ଇରାନ ୧୧ ସ୍ଥାନକୁ ଖସିଛନ୍ତି। ମାର୍ଚ୍ଚ ପରେ ଏପ୍ରିଲ ରେ କରୋନା ଚିତ୍ର ବଦଳିଗଲା ଓ ଚୀନ, ଇରାନ, ଦକ୍ଷିଣ କୋରିଆ ବଦଳରେ ଇଟାଲୀ, ସ୍ପେନ, ଫ୍ରାନ୍ସ, ଇଂଲଣ୍ଡ ଓ ଜର୍ମାନୀରେ ସଂକ୍ରମଣ ବଢିଲା। ଏହି ସମୟରେ ଆମେରିକା ସ୍ଥିତି ମଧ୍ୟ ଜଟିଳ ହେବା ଆରମ୍ଭ କରିଥିଲା। ସମୟକ୍ରମେ ୟୁରୋପୀୟ ଦେଶଙ୍କ ସ୍ଥାନ ଆମେରିକା,ବ୍ରାଜିଲ ଓ ଭାରତ ନେଇଛନ୍ତି।

ଆଜିର ତାରିଖରେ କାରୋନାର ସତ୍ୟ ହେଉଛି, ପୃଥିବୀର ସବୁଠୁ ଅଧିକ ଆକ୍ରାନ୍ତ ଭାରତରେ ଚିହ୍ନଟ ହେଉଛନ୍ତି। ଅଗଷ୍ଟ ୧୭ ତାରିଖ ଦିନ ପୃଥିବୀରେ ନୂଆ କରୋନା ଆକ୍ରାନ୍ତଙ୍କର ସଂଖ୍ୟା ଥିଲା ୧.୯୮,୫୩୫। ସେଥିରୁ ଭାରତରେ ଆକ୍ରାନ୍ତ ଥିଲେ ୫୪,୨୮୮। ଅର୍ଥାତ ପୃଥିବୀର ୨୭.୩% ନୂଆ ଆକ୍ରାନ୍ତ କେବଳ ଭାରତରୁ ଚିହ୍ନଟ ହେଉଛନ୍ତି। ଏହି ଦିନ ଆମେରିକାରେ ପ୍ରାୟ ୪୦ ହଜାର ଓ ବ୍ରାଜିଲରେ ୨୩ ହଜାର ଆକ୍ରାନ୍ତ ବଢିଛନ୍ତି। ଏହି ସଂଖ୍ୟା ସତ୍ତ୍ୱେ ଭାରତ ସରକାର ଆମକୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ଯେ, ଆମ ଦେଶରେ ପରୀକ୍ଷା ତୁଳନାରେ ଆକ୍ରାନ୍ତଙ୍କ ହାର କମ ରହିଛି। ଗତ ପନ୍ଦର ଦିନରେ ଦେଶରେ ପ୍ରାୟ ଏକ କୋଟି ଲୋକଙ୍କର କରୋନା ପରୀକ୍ଷା ହୋଇଛି ଓ ସେଥିରୁ ୧୦ ଲକ୍ଷ ୧୧ ହଜାର ନୂଆ ଆକ୍ରାନ୍ତ ବାହାରିଛନ୍ତି। ଅର୍ଥାତ ୧୫ ଦିନରେ ଦେଶରେ ନୂଆ ପୋଜିଟିଭ ହାର ୧୦% ରହିଛି। ଏହା ଉଦବେଗଜନକ ସଂଖ୍ୟା ନୁହେଁ କି?

ମୃତ୍ୟୁ ସଂଖ୍ୟା ବଢୁଛି ହେଲେ ମୃତ୍ୟୁହାର କମ ରହିଛି ବୋଲି ଭାରତ ସରକାରଙ୍କ ଯୁକ୍ତି ରେ ମଧ୍ୟ ଅନେକ ପ୍ରଶ୍ନବାଚୀ ରହିଛି। ଗତ ୧୫ ଦିନ ଭିତରେ ଦେଶରେ ପ୍ରାୟ ୧୫ ହଜାର ଲୋକ ମୃତ୍ୟୁବରଣ କରିଛନ୍ତି। ଏବେ ମୃତ୍ୟୁ ସଂଖ୍ୟା ଦୈନିକ ପ୍ରାୟ ୧୦୦୦ ରେ ପହଞ୍ଚିଛି। ଅଧିକ ସଂଖ୍ୟକ ନୂଆ ଆକ୍ରାନ୍ତ ଯେହେତୁ ଗତ ୧୫ ଦିନରେ ବାହାରିଛନ୍ତି, ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି। ତେବେ ଅଧିକ ଆକ୍ରାନ୍ତ ବାହାରିବା ସହିତ ଅଧିକ ଆରୋଗ୍ୟ ହାର ବଢୁଛି। ଏମାନଙ୍କ ଭିତରୁ ଜଟିଳ ସ୍ଥିତିରେ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ଉପରେ ଆଗାମୀ ସମୟର ମୃତ୍ୟୁହାର ନିର୍ଭର କରିବ।

ଗଣିତ ମାଧ୍ୟମରେ ହୁଏତ ଆମେ କହିବାକୁ ଚେଷ୍ଟା କରୁଛୁ ଯେ, ଆମ ଲୋକ ସଂଖ୍ୟା ଦୃଷ୍ଟିରୁ ଏତେ ଲୋକ ମରିବା ସ୍ଵାଭାବିକ। ଏହି ଯୁକ୍ତି ସଂପୂର୍ଣ୍ଣ ଅମାନବୀୟ। ୟୁରୋପୀୟ ଦେଶ ସମୂହ ଓ ଆମେରିକାରେ ବୟସ୍କ ଲୋକଙ୍କ ସଂଖ୍ୟା ଅଧିକ। ସେହି ସବୁ ଦେଶରେ ଜରା ନିବାସ ଓ ବୟସ୍କ ଲୋକଙ୍କ ଜୀବନ ହାନି ଘଟୁଛି। ଭାରତ ଅପେକ୍ଷାକୃତ ତରୁଣମାନଙ୍କର ଦେଶ। ଏସିଆ ମହାଦେଶରେ ଇରାନ କୁ ବାଦ ଦେଲେ ଅନ୍ୟ କୌଣସି ଦେଶରେ ମୃତ୍ୟୁହାର ସେତେବେଶୀ ନୁହଁ। ଆମର ପଡୋଶୀ ପାକିସ୍ତାନରେ ଏବେ ଆରୋଗ୍ୟ ହାର ୯୩% ରୁ ଅଧିକ। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପାକିସ୍ତାନରେ ଗତ ୧୫ ଦିନରେ ପ୍ରାୟ ୯୦୦୦। ଏସିଆର ଅନ୍ୟାନ୍ୟ ଦେଶ ସଂକ୍ରମଣ ଓ ମୃତ୍ୟୁହାର ରୋକିବାରେ ସଫଳ ହୋଇ ଚାଲିଛନ୍ତି। ଆମେ ସେମାନଙ୍କ ତୁଳନାରେ ଭଲ ସ୍ଥିତି ରେ ସତରେ ରହିଛୁ କି?

ବର୍ତ୍ତମାନ ସଂକ୍ରମଣ ସ୍ଥିତି ଦେଖି ସହଜରେ ଅନୁମାନ କରିହେବ ଯେ ଅଗଷ୍ଟ ଶେଷ ବେଳକୁ ଆମେ ହୁଏତ ବ୍ରାଜିଲକୁ ପଛରେ ପକାଇ ଦ୍ଵିତୀୟ ସର୍ବାଧିକ ସଂକ୍ରମିତ ଦେଶ ଭାବରେ ଉଭା ହେବୁ। ଆମ ଆଗକୁ କେବଳ ଆମେରିକା ରହିବ। ତେବେ ଆମେରିକାରେ ସଂକ୍ରମଣ ସ୍ଥିତି ଏବେ ସୁଧୁରୁଛି ଓ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ୪୦ ହଜାର ଭିତରେ ରହୁଛି। ସେପ୍ଟେମ୍ବର ମାସରେ ଯଦି ଆମର ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରିତ ନ ହୁଏ ତାହେଲେ ଆମେ ହୁଏତ ସେପ୍ଟମ୍ବର ଶେଷ ସୁଦ୍ଧା ଆମେରିକାକୁ ଟପି ଏକ ନମ୍ବର କରୋନା ଆକ୍ରାନ୍ତ ଦେଶ ହେବାର ରେକର୍ଡ କରିବାର ସମ୍ଭାବନା ବହୁ ଅଧିକ।

ଏହି ସ୍ଥିତି ଆମକୁ ଅଧିକ ସଂକ୍ରମଣ ଓ ମରଣ କେବଳ ଦେବ ନାହିଁ, ଏହା ଆମର ଆର୍ଥିକ ସ୍ଥିତିକୁ ଅଧିକ ଦୁର୍ବଳ କରିବ। ପୃଥିବୀର ଅନ୍ୟ ଦେଶ ସବୁ କରୋନା ମୁକ୍ତ ହୋଇ ନିଜକୁ ସଜାଡିବା ଆରମ୍ଭ କରୁଥିବା ବେଳେ ଭାରତ ସଂକ୍ରମଣର ଶିକାର ରେ ପହଞ୍ଚିବା। ଏହା ଆଦୌ ଭଲ ସୂଚନା ନୁହେଁ।

Categories
ଆଜିର ଖବର ରାଜ୍ୟ ଖବର

ବିଷ ପିଇଥିବା ବ୍ୟକ୍ତିଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିବାରୁ ଏସ୍‌ସିବି କାଜୁଆଲିଟିରେ ହେଲେ ହନ୍ତସନ୍ତ

କଟକ : ଏସ୍‌ସିବି କାଜୁଆଲଟିରେ କରୋନା ଆକ୍ରାନ୍ତ ହନ୍ତସନ୍ତ ହେଉଥିବାର ଅଭିଯୋଗ ହୋଇଛି। ଏସ୍‌ସିବି କାଜୁଆଲିଟିରେ ୧୨ ଘଣ୍ଟା ଧରି ବିଷ ପିଇଥିବା ରୋଗୀ ପଡିଥିବାର ଅଭିଯୋଗ ହୋଇଛି। କାଲି ବାଲେଶ୍ବରରୁ ଆସି ରାତି ୯ଟାରେ କାଜୁଆଲିଟିରେ ଭର୍ତ୍ତି ହୋଇଥିଲେ। ବିଷ ପିଇଥିବା ବ୍ୟକ୍ତିଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିବାରୁ ହନ୍ତସନ୍ତ ହୋଇଛନ୍ତି। ୧୨ ଘଣ୍ଟା  ବିତିଥିଲେ ବି ସମ୍ପୃକ୍ତ ବ୍ୟକ୍ତିଙ୍କୁ ସ୍ଥାନାନ୍ତର କରାଯାଉନଥିବାର ଅଭିଯୋଗ ହୋଇଛି। ରୋଗୀ ଜଣକ ହନ୍ତସନ୍ତ ହେଉଥିବାର ତାଙ୍କ ପରିବାର ଏକ ଭିଡିଓ ଜରିଆରେ ଅଭିଯୋଗ କରିଛନ୍ତି। ତେବେ ଏନେଇ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Categories
ଆଜିର ଖବର ଆଞ୍ଚଳିକ

ଚିଲିକା ଏବଂ ବାଣପୁର ବ୍ଲକର ଚାରି ଗୋଟି ପଞ୍ଚାୟତ ସଟ୍‌ଡାଉନ୍‌, ଜାଣନ୍ତୁ କେଉଁ ସବୁ ପଞ୍ଚାୟତକୁ କରାଯାଇଛି ସଟ୍‌ଡାଉନ୍‌

ସୀତାରାମ ଅଗ୍ରଓ୍ବାଲ

ଚିଲିକା/ବାଣପୁର:  ଦେଶରେ କରୋନା ମହାମାରୀ ଦିନକୁ ଦିନ ଭୟଙ୍କର ରୂପ ନେଉଛି। କରୋନକୁ ପ୍ରତିହତ କରିବା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିଲେ ସୁଦ୍ଧା କରୋନା ମହାମାରୀ କମିବାର ନାଁ ଧରୁନାହିଁ। ଓଡ଼ିଶାରେ ଗତ ଏକ ମାସ ରୁ ଉର୍ଦ୍ଧ୍ବ ସମୟ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି। ଏଥିରୁ ବାଦ ପଡିନି ଖୋର୍ଦ୍ଧା ଜିଲ୍ଲା। ରାଜ୍ୟ ସଂକ୍ରମଣ ତାଲିକାରେ ଖୋର୍ଦ୍ଧା ଜିଲ୍ଲା ଦୁଇ ନମ୍ବରରେ ଥିବା ବେଳେ ଏହା ଅନ୍ତର୍ଗତ ଚିଲିକା ଏବଂ ବାଣପୁର ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେବେ ଏଠାରେ ଲୋକାଲ୍‌ କେସ୍‌ ପ୍ରଶାସନର ମୁଣ୍ଡବ୍ୟାଥାର କାରଣ ପାଲଟିଛି। ଗତ କାଲି ଉଭୟ ବାଣପୁର ଏବଂ ଚିଲିକା ବ୍ଲକର ଚାରିଗୋଟି ପଞ୍ଚାୟତରୁ ଲୋକାଲ୍‌ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବାରୁ ଆଜି ଚାରିଗୋଟି ପଞ୍ଚାୟତକୁ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସଟ ଡ଼ାଉନ ଘୋଷଣା କରିଛନ୍ତି ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ ମାନେ।

ବାଣପୁର ଓ ଚିଲିକାର ସଟ୍‌ଡାଉନ୍‌ କରାଯାଇଥିବା ପଞ୍ଚାୟତ ଗୁଡିକ ହେଉଛି ଚିଲିକା ବ୍ଲକର ଅଠର ବାଟିଆ, ହରିପୁର, ସୋରଣ ଏବଂ ବାଣପୁର ବ୍ଲକର ମୋରାମୋରି। ସବୁ ପଞ୍ଚାୟତରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରପଞ୍ଚମାନେ ଏପରି ନିଷ୍ପତ୍ତି ନେଇଛନ୍ତି। ସମସ୍ତ ପଞ୍ଚାୟତକୁ ୭୨ ଘଣ୍ଟା ଯାଏଁ ସଟ୍‌ଡାଉନ୍‌ କରାଯାଇଛି।

ମୋରାମୋରି ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ସଟ୍‌ଡାଉନ୍‌ କରାଯାଇଛି। ବାଣପୁର ବ୍ଲକ ନାଚୁଣୀ ଓ ମୋରାମୋରି ପଞ୍ଚାୟତରୁ ଜଣେ ଲେଖାଏଁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମୋରାମୋରି ପଞ୍ଚାୟତରେ ମୋରାମୋରି ଗ୍ରାମର ଜଣେ ୩୨ ବର୍ଷୀୟ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ନାଚୁଣୀ ପଞ୍ଚାୟତର ଲୋକପୁର ଗାମରୁ ଜଣେ ୨୯ ବର୍ଷ ବୟସ୍କ ସ୍ବାସ୍ଥ୍ୟକର୍ମୀ ରହିଛନ୍ତି। ସଂକ୍ରମଣକୁ ଦୃଷ୍ଟିରେ ରଖି ମୋରାମୋରି ପଞ୍ଚାୟତର ସରପଞ୍ଚ ସବିତା ନାୟକ ଏହି ପଞ୍ଚାୟତର ଦୁଇଟି ଗ୍ରାମ ଯଥାକ୍ରମେ ସଲପଡିହ ଓ ମୋରମୋରୀ ଗ୍ରାମକୁ ୭୨ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ପଞ୍ଚାୟତରେ ଆଜି ଅର୍ଥାତ୍‌ ୧୪ ତାରିଖ ଦିନ ଦୁଇ ଘଟିକାଠାରୁ ଆସନ୍ତା ୧୭ ତାରିଖ ଦିବା ୨ ଘଟିକା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ନିୟମ ବଳବତ୍ତର ରହିବ।

ସେହିପରି ହରିପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ସ୍ବାଇଁ, ଅଠରବାଟିଆ ପଞ୍ଚାୟତର ସରପଞ୍ଚ ଇନ୍ଦୁମତୀ ଜାଲୀ ଓ ସୋରଣର ସରପଞ୍ଚ ସୁଜାତା ବିଶ୍ବାଳ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପଞ୍ଚାୟତଗୁଡିକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି।

ସୋରଣ ଗ୍ରାମର ପୂଜାରୀ ସାହିକୁ  ଆଜି ସନ୍ଧ୍ୟା ୬ ଘଟିକା  ଅର୍ଥାତ୍‌ ୧୪ ତାରିଖ ସନ୍ଧ୍ୟା ୬ ଘଟିକାଠାରୁ ଆସନ୍ତା ୧୭ ତାରିଖ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ସେହିପରି ଅଠର ବାଟିଆ ଗ୍ରାମ ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ଗ୍ରାମ ପଞ୍ଚାୟତରେ ୧୪ ତାରିଖ ସକାଳ ୧୧ ଘଟିକାଠାରୁ ଆସନ୍ତା ୧୭ ତାରିଖ ସକାଳ ୧୧ ଘଟିକା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ କଟକଣା ବଳବତ୍ତର ରହିବ।  ହରିପୁର ଗ୍ରାମ ପଞ୍ଚାୟତର ଛୋଟରାୟପୁର ଗ୍ରାମକୁ ମଧ୍ୟ ୭୨ ଘଣ୍ଟା ପାଇଁ ସଟ୍‌ଡାଉନ୍‌ କରାଯାଇଛି। ଏହି ଗ୍ର୍ରାମରେ ଆଜି ସନ୍ଧ୍ୟା ଅର୍ଥାତ୍‌ ୧୪ ତାରିଖ ସନ୍ଧ୍ୟା  ୭ ଟାରୁ ୧୭ ତାରିଖ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ବଳବତ୍ତର ରହିବ।

ସରପଞ୍ଚମାନେ ପଞ୍ଚାୟତକୁ ସଟ୍‌ଡାଉନ୍‌ କରିବା ପୂର୍ବରୁ ନିଜ ନିଜ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଖୋର୍ଦ୍ଧା ଜିଲ୍ଲାପାଳ ସମେତ ତହସିଲଦାର ପ୍ରମୁଖଙ୍କୁ ଏନେଇ ଅବଗତ କରାଇଛନ୍ତି। ସରପଞ୍ଚମାନଙ୍କ ଏଭଳି ପଦକ୍ଷେପକୁ ଗ୍ରାମବାସୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

68 ଓ 69 ଆକ୍ରାନ୍ତଙ୍କ ଯାତ୍ରା ବିବରାଣୀ ଜାରି

ଭୁବନେଶ୍ବର: ୬୮ ନମ୍ବର ୨ ବର୍ଷୀୟ ଶିଶୁକନ୍ୟାର ବିବରଣୀ ମଧ୍ୟ ପ୍ରକାଶ କରିଛନ୍ତି ସରକାର। ଥଣ୍ଡା କାଶ ଲାଗି ରହିବା ପରେ ସେ ସ୍ଥାନୀୟ ବରହମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ଲାଗି ଯାଇଥିଲେ। ଏପ୍ରିଲ୍‌ 6ରୁ ଥଣ୍ଡା, କାଶ ରହିଥିଲା । ସେ ଦୁଇଥର ବରହମପୁର ହସ୍ପିଟାଲ ଯାଇଥିଲେ। ଏପ୍ରିଲ୍‌ 7ରୁ 16 ମଧ୍ୟରେ ଶିଶୁ କନ୍ୟାକୁ ଦୁଇଥର ହସ୍ପିଟାଲ ନିଆଯାଇଛି। ଏପ୍ରିଲ୍‌ 19ରେ ନମୁନା ପଜିଟିଭ ପରେ ତାଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି 69 ଆକ୍ରାନ୍ତ ଜଣକ ବୟସ ହେଉଛି 40 ବର୍ଷ। ସେ ସୁନ୍ଦରଗଡ ବିସ୍ରା ଅଞ୍ଚଳର। ପୂର୍ବରୁଜଣେ ସମ୍ପର୍କୀୟ ଆକ୍ରାନ୍ତଙ୍କ ଥିବାରୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିଲେ। ଲକ୍ଷଣ ପ୍ରକାଶ ପାଇବାରୁ ଏପ୍ରିଲ୍‌ 20ରେ ତାଙ୍କର ସାମ୍ପଲ୍‌ ନିଆଯାଇଥିଲା। ସାମ୍ପଲ୍‌ ପଜିଟିଭ୍‌ ମିଳିବା ପରେ ତାଙ୍କୁ ରାଉରକେଲା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 5 କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଉ 5 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ରୁ ସୂଚନା ମିଳିଛି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 79ରେ ପହଞ୍ଚିଛି। ଗତକାଲି ପର୍ଯ୍ୟନ୍ତ ଏହି ସଂଖ୍ୟା 74 ଥିବାବେଳେ ଆଜି 5 ଜଣଙ୍କର ଚିହ୍ନଟ ହୋଇଛି । ଏହି ସମସ୍ତ ବାଲେଶ୍ବରର ଜିଲ୍ଲାର ବୋଲି ଜଣାପଡିଛି।  ଗତକାଲି ରାଜ୍ୟରେ ମୋଟ 13 ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ସଂଖ୍ୟା ବଢିବାରେ ଲାଗିଛି। ଏବେ ରାଜ୍ୟରେ ମୋଟ୍‌ ଆକ୍ଟିଭ୍‌ କେସ୍‌ 53 ରହିଥିବାବେଳେ ଆରୋଗ୍ୟ ହୋଇଛନ୍ତି 25ଜଣ ଓ ଜଣକର ମୃତ୍ୟୁ ଘଟିଛି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏହା ଏବେ ଚିନ୍ତାର ବିଷୟ ପାଲଟିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ। ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା 56କୁ ବୃଦ୍ଧି ହୋଇଛି। ସମୁଦାୟ 4734ଟି ସାମ୍ପଲ୍‌ ଟେଷ୍ଟ ହୋଇଥିବାବେଳେ 4678ଟି ନେଗେଟିଭ୍‌ ଆସିଛି। ଏଥି ମଧ୍ୟରୁ 56ଜଣ ପଜିଟିଭ୍‌ ରହିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ 37  ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଓ୍ବେବ୍‌ସାଇଟ୍‌ରୁ ସୂଚନା ମିଳିଛି। ଗତକାଲି ରାତ୍ରିରେ 5ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ରାଜ୍ୟରେ ସମୁଦାୟ 18ଜଣ ସୁସ୍ଥ ହୋଇ ଫେରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିର ଦ୍ବିତୀୟ କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜାରି

କଳାହାଣ୍ଡି: ଗତକାଲି ମଧ୍ୟ ରାତ୍ରିରେ ଚିହ୍ନଟ ହୋଇଥିବା ୪ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଜାରି କରାଯାଇଛି। ଆଜି ୪୫ ନମ୍ବର କରୋନା ଆକ୍ରାନ୍ତଙ୍କ ତଥା କଳାହାଣ୍ଡି ଗୋଲମୁଣ୍ଡାର ୨୦ ବର୍ଷୀୟ ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ପ୍ରଦାନ କରାଯାଇଛି। ଆକ୍ରାନ୍ତ ଜଣକ ବେହେରାଗୁଡାରେ ମାର୍ଚ୍ଚ ୨୦ ଓ ୨୧ ତାରିଖରେ ସାଙ୍ଗଙ୍କ ସହ ମିଳାମିଶା କରିଛନ୍ତି ବୋଲି ସୂଚନା ମିଳିଛି। ସେହିପରି ମାର୍ଚ୍ଚ ୨୨ ରୁ ୨୪ ତାରିଖରେ ଘରେ ରହିଥିବା ନେଇ ତଥ୍ୟ ପ୍ରକାଶ କରିଛି। ମାର୍ଚ୍ଚ ୨୫ରେ ନିଜ ଗାଁରେ ତେଜରାତି ଦୋକାନକୁ ଯାଇଛନ୍ତି। ମାର୍ଚ୍ଚ ୨୬ରୁ ଏପ୍ରିଲ୍‌ ୩ ମଧ୍ୟରେ କୁଆଡେ ଯାଇ ନଥିବା ତଥ୍ୟରେ ଉଲ୍ଲେଖ ରହିଛି।

ଏପ୍ରିଲ୍‌ ୪ ରେ ବାହାରିନ୍‌ ଫେରନ୍ତା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ଜଣାପଡିଛି। ଏପ୍ରିଲ୍‌ ୪ ତାରିଖରେ ଘରେ ରହିଥିବାବେଳେ ଏପ୍ରିଲ୍‌ ୫ ତାରିଖରେ ସେ ଇନଷ୍ଟିଚ୍ୟୁସନାଲ୍‌ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ଯାଇଥିଲେ। ଏପ୍ରିଲ୍‌ ୯ ତାରିଖରେ ତାଙ୍କ ପାଖରୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ଏପ୍ରିଲ୍‌ ୧୦ ତାରିଖରେ ତାଙ୍କୁ କଟକର ଅଶ୍ବିନୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଶିଶୁ

ଭୁବନେଶ୍ବର: ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଜାରି ହୋଇଛି। ଜାରି ହୋଇଥିବା ଏହି ଯାତ୍ରା ବିବରଣୀରେ ରାଜ୍ୟର ୪୮ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଶିଶୁ ରହିଥିବାର ସୂଚନା ମିଳିଛି। ଆଜି ରାଜ୍ୟ ସରକାର କରୋନା ସଂକ୍ରମିତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ପ୍ରଦାନ କରିଛନ୍ତି। ଏଥରୁ କରୋନା ସଂକ୍ରମିତ ମଧ୍ୟରେ ୯ ଓ ୫ ବର୍ଷର ଦୁଇ ଶିଶୁ କନ୍ୟା ସଂକ୍ରମିତ ହୋଇଛନ୍ତି ବୋଲି ଜଣାପଡିଛି। ଏହି ଦୁଇ ଶିଶୁ ଝାରପଡାର ୪୨ ନମ୍ବର କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କୀୟ ବୋଲି ଜଣାପଡିଛନ୍ତି। ଏହି ଦୁଇଶିଶୁଙ୍କ ସମେତ ଜଣେ ୩୭ ବର୍ଷୀୟା ମହିଳା ମଧ୍ୟ ସଂକ୍ରମିତ ହୋଇଥିବାର ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟ କରିଛନ୍ତି।

ଭୁବନେଶ୍ବରର ୪୬, ୪୭ ଓ ୪୮ ନମ୍ବର କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ମଧ୍ୟ ଜାରି କରାଯାଇଛି। ଏହି ଆକ୍ରାନ୍ତମାନେ ୨୨ ମାର୍ଚ୍ଚରୁ ଏପ୍ରିଲ୍‌ ତିନି ତାରିଖ ପର୍ଯ୍ୟନ୍ତ ଘରେ ରହିଥିଲେ। ଏହାପରେ ୪ ରୁ ୫ ଏପ୍ରିଲ୍‌ରେ ଭୁବନେଶ୍ବରସ୍ଥିତ ଏମସ୍‌ ହସ୍ପିଟାଲ୍‌ ଯାଇଥିଲେ। ପରେ ୬ରୁ ୯ ତାରିଖ ପର୍ଯ୍ୟନ୍ତ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଥିଲେ। ଏପ୍ରିଲ୍‌ ୮ ତାରିଖରେ ଏମାନଙ୍କର ନମୁନା ପରୀକ୍ଷଣ କରାଯାଇଥିଲା। ଏପ୍ରିଲ୍‌ ୯ ତାରିଖରେ ପଜିଟିଭ୍‌ ହୋଇଥିବାର ସୂଚନା ମିଳିଥିଲା। ଏହାପରେ ଏମାନଙ୍କୁ  କିମସ୍‌ କୋଭିଡ୍‌ -୧୯ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।