Categories
ବିଶେଷ ଖବର ରାଜ୍ୟ ଖବର

ତୃତୀୟ ଲହରକୁ ନିୟନ୍ତ୍ରଣ ପାଇଁ ପର୍ବପର୍ବାଣୀରେ ସାବଧାନ ରୁହନ୍ତୁ, ମୁଖ୍ୟମନ୍ତ୍ରୀ କରାଇଲେ ସତର୍କ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ପରିସ୍ଥିତ ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେରିକା ଠାରୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢିବା ଚିନ୍ତାଜନକ ହୋଇଛି । ତେଣୁ ଏ ପରିସ୍ଥିତିରେ ଆମକୁ ସମ୍ଭାବ୍ୟ ତୃତୀୟ ଲହର ଠାରୁ ନିରାପଦ ରହିବାକୁ ହେଲେ, କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ହେବ । ଏଥିରେ ସାମାନ୍ୟ ଅବହେଳା ସମସ୍ତଙ୍କ ପାଇଁ ବିପଦର କାରଣ ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ ।

କୋଭିଡ ଆଚରଣବିଧି ହେଉଛି,କୋଭିଡ ବିରୁଦ୍ଧରେ ଲଢିବା ପାଇଁ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାର ଉପଯୁକ୍ତ ପାଳନ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନେ ଏପର୍ଯ୍ୟନ୍ତ ଟିକା ନେଇନାହାନ୍ତି । ତେଣୁ ସେମାନଙ୍କ ପାଇଁ ଆମକୁ ଅଧିକ ସତର୍କ ରହିବାକୁ ହେବ । କୋଭିଡ ନିୟମ ପାଳନରେ ଅବହେଳା ଯଦି ଦୃଷ୍ଟିକୁ ଆସେ, ତେବେ ଅନୁଷ୍ଠାନର ମୁଖ୍ୟ ଦାୟୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ । ପ୍ରଶାସନ ଏଥିପାଇଁ ସ୍ବତନ୍ତ୍ର ଚିମ୍ ଗଠନ କରି ଶିକ୍ଷାନୁଷ୍ଠାନ ଗୁଡିକ ନିୟମିତ ଭାବରେ ଅଚାନକ ଯାଞ୍ଚ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ହାଟ ବଜାର, ଧର୍ମାନୁଷ୍ଠାନ, ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଆଦି ଗୁଡିକ ଉପରେ ସତର୍କ ଦୃଷ୍ଟି ରଖିବା ସହିତ ସେଠାରେ କୋଭିଡ ନିୟମ କଡାକଡି ପାଳନ ଉପରେ ପ୍ରଶାସନ ଦୃଷ୍ଟି ରଖିବା ଉପରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସ୍ବାସ୍ଥ୍ୟକର୍ମୀ, ସ୍କୁଲ ଯାଉଥିବା ପିଲା, ଗର୍ଭବତୀ ମହିଳା, ସରକାରୀ କର୍ମଚାରୀ ଏବଂ ପୋଲିସ – ଏହି high risk group ର ନିୟମିତ ଭାବରେ ଟେଷ୍ଟିଂ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ କେତେକ କ୍ଷେତ୍ରରେ ସ୍ବାସ୍ଥ୍ୟକର୍ମୀଙ୍କ ଭିତରେ ସଂକ୍ରମଣ ନଜରକୁ ଆସୁଛି । ତେଣୁ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା ସ୍ବାସ୍ଥ୍ୟକର୍ମୀ ଓ ନମୂନା ସଂଗ୍ରହ କରୁଥିବା ଟିମ୍ ମାନଙ୍କୁ କୋଭିଡ ନିୟମ ସଂପର୍କରେ ବାରମ୍ବାର ସଚେତନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାସହିତ ଡେଲ୍‌ଟା ଭାରିଏଣ୍ଟ ଅଧିକ ସଂକ୍ରମଣ କରୁଥିବାରୁ Micro Contentment Zone କରି ନିରନ୍ତର ଦୃଷ୍ଟି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଯୋଗାଣରେ ବୃଦ୍ଧି ଘଟିଥିବାରୁ ଟିକାକରଣରେ ମଧ୍ୟ ଉନ୍ନତି ଆସିଛି । ତେଣୁ ଯେପରି ସବୁ ଲୋକ ତାଙ୍କର ଦୁଇଟି ଯାକ ଡୋଜ ନିଶ୍ଚିତ ନେବେ, ତାହା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗକୁ ପାର୍ବଣ ଋତୁ ଆସୁଛି । କେରଳରେ ଓନାମ୍ ପର୍ବ ପାଳନ ପରେ ପରେ ସଂକ୍ରମଣ ବୃଦ୍ଧିର ଉଦାହରଣ ଦେଇ ପାର୍ବଣ ସମୟରେ ସମସ୍ତଙ୍କୁ ଅଧିକ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ପରିସ୍ଥିତିର ଗୁରୁତ୍ବକୁ ଉପଲବ୍‌ଧି କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ । ଏହାଦ୍ବାରା ଆମେ ଭବିଷ୍ୟତରେ ଲକ୍‌ଡାଉନକୁ ଏଡାଇ ପାରିବା ଏବଂ ଲୋକଙ୍କ ଆର୍ଥିକ ଅବସ୍ଥାରେ କ୍ଷତି ହେବ ନାହିଁ ।

ପାର୍ବଣ ଋତୁ ସମୟରେ ଆମର ଦାୟିତ୍ବପୂର୍ଣ୍ଣ ବ୍ୟବହାର ହିଁ ତୃତୀୟ ଲହରକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଣ୍ଣାୟକ ହେବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ଭିଡକୁ ନ ଯିବା ପାଇଁ ଅନୁରୋଧ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଲକ୍ଡାଉନ କୋହଳ କରାଯାଇଛି। କିନ୍ତୁ ତାର ଅର୍ଥ ନୁହେଁ ଯେ ଆମେ ନିୟମ ପାଳନରେ ଢିଲା କରିବା । ତେଣୁ ଯଦି ଆବଶ୍ୟକ ପଡେ, ସାମୁହିକ ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ପୁଣି ଥରେ ଲକ୍ଡାଉନ ପାଇଁ ବାଧ୍ୟ ହେବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରିଦେଇଥିଲେ ।

ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶର ଅନୁପାଳନ ଉପରେ ଗୁରୁତ୍ବ ଦେଇଥିଲେ । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ବିଭାଗୀୟ କାର‌୍ୟ୍ୟକ୍ରମ ଉପରେ ଉପସ୍ଥାପନା ରଖିଥିଲେ ।

ପୋଲିସ ମହାନିର୍ଦ୍ଦେଶକ ଅଭୟ ମଧ୍ୟ କୋଭିଡ ନିୟମ ଅନୁପାଳନ ଉପରେ ପୋଲିସର ପଦକ୍ଷେପ ଉପରେ ସୂଚନା ଦେଇଥିଲେ। ବି.ଏମ୍‌.ସି ଏବଂ ସି.ଏମ୍‌.ସିର କମିଶନର, ଦେବଗଡ ଓ ପୁରୀର ଜିଲ୍ଲାପାଳମାନେ ସେମାନଙ୍କ ଅଞ୍ଚଳର ପରିସ୍ଥିତି ଉପରେ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଶ୍ରୀ ଭି.କେ. ପାଣ୍ଡିଆନ କାର‌୍ୟ୍ୟକ୍ରମ ସଞ୍ଚାଳନ କରିଥିଲେ । ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କରୋନା ମୁକାବିଲା ସମୀକ୍ଷା କରି ପ୍ରଶାସନକୁ ଚେତାଇ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର, ପ୍ରତିଟି ଜୀବନ ମୂଲ୍ୟବାନ ଏବଂ ଗୋଟିଏ ଗୋଟିଏ ଜୀବନ ରକ୍ଷା ପାଇଁ ଆମେ ସର୍ବୋତ୍ତମ ଚେଷ୍ଟା ଜାରି ରଖିଛୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର କୋଭିଡ ପରିସ୍ଥିତି ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ବିରୁଦ୍ଧରେ ଲଢେଇ ଏକ ଲମ୍ବା ଲଢେଇ। ତେଣୁ ଏ ଲଢେଇ ଜିତିବାକୁ ହେଲେ ଆମ ସମସ୍ତଙ୍କୁ ଦାୟିତ୍ବର ସହ କାମ କରିବାକୁ ହେବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗୋଟିଏ ସଂକ୍ରମଣ କମିଲେ, ଗୋଟିଏ ICU ଓ ଗୋଟିଏ ବେଡ୍‌ ଉପରୁ ଚାପ କମିଥାଏ । ଯାହାଦ୍ବାରା ଜୀବନ ମରଣ ପରିସ୍ଥିତିର ଯନ୍ତ୍ରଣାକୁ ଦୂରେଇ ହୋଇଥାଏ । ରାଜ୍ୟ ସରକାର କୋଭିଡ ରୋଗୀ ମାନଙ୍କୁ ସର୍ବୋତ୍ତମ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଏବଂ ଆମର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନେ ଦିନରାତି ଏକ କରି ସେବା ଜାରି ରଖିଛନ୍ତି । ଏଥିପାଇଁ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଯେପରି ଚାପ କମ୍‌ ରହିବ, ସେଥିପାଇଁ ଆମକୁ ଦାୟିତ୍ବପୂର୍ଣ୍ଣ ଭାବରେ କାମ କରିବାକୁ ହେବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାରା ଦେଶ ବର୍ତ୍ତମାନ ଏକ ଗୁରୁତର ସଂକଟ ମଧ୍ୟ ଦେଇ ଗତି କରୁଛି । ବଡ ବଡ ସହର ଓ ମେଟ୍ରୋ ମାନଙ୍କରେ ସ୍ବାସ୍ଥ୍ୟ ସେବା ସଂପୂର୍ଣ୍ଣ ଚାପଗ୍ରସ୍ତ । ଏହାକୁ ଦୃଷ୍ଟିରେ ରଖି ପରିସ୍ଥିତିର ମୁକାବିଲା ପାଇଁ ଆମକୁ ସତର୍କ ରହିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସଂକ୍ରମଣ ସଂଖ୍ୟା ବୃଦ୍ଧି ସତ୍ତ୍ବେ ଆମେ ନିରନ୍ତର ଭାବେ ସେବା କରିଚାଲିଛୁ । କିନ୍ତୁ କେତେକ ଜିଲ୍ଲାରେ ସଂକ୍ରମଣର ସ୍ଥିତି ଆମ ପାଇଁ ଉଦ୍‌ବେଗ ସୃଷ୍ଟି କରିଛି। ଭାଇରସ୍‌ର double ଓ triple mutant ଦ୍ରୁତ ଗତିରେ ବ୍ୟାପୁଛି ଏବଂ ଏହି ଦ୍ବିତୀୟ ଲହରରେ ଆମର ଯୁବଗୋଷ୍ଠୀ ବିଶେଷ ଭାବରେ ସଂକ୍ରମିତ ହେଉଛନ୍ତି । କେତେକ କ୍ଷେତ୍ରରେ ସେମାନଙ୍କ ସ୍ବାସ୍ଥ୍ୟ ଜଟିଳତା ଦେଖା ଦେଉଛି ବୋଲି ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଥିଲେ ।

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମୟରେ ଆମେ ଯେଉଁ ନୀତି ଅବଲମ୍ବନ କରିଆସିଛେ, ସେହିପରି କୋଭିଡର ମୁକାବିଲାରେ ସବୁଠାରୁ ଖରାପ ପରିସ୍ଥିତିକୁ ସାମ୍‌ନା କରିବା ପାଇଁ ଆମ ପ୍ରସ୍ତୁତ ରହିବା ଦରକାର । ଏହି ପରିପ୍ରେକ୍ଷୀରେ ତୃଣମୂଳ ସ୍ତରରେ ପରିସ୍ଥିତିର ଆକଳନ କରି ତ୍ରୁଟିଶୂନ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ପର୍ଯ୍ୟବେକ୍ଷକ ମାନେ ଏଥିପ୍ରତି ଯତ୍ନବାନ ହେବେ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏସବୁ ବିଷୟ ନିୟମିତ ସମୀକ୍ଷା କରି ପରବର୍ତ୍ତୀ ବୈଠକରେ ତାଙ୍କୁ ଅବଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବଙ୍କୁ ପରାମର୍ଶ ଦେଇଥିଲେ।

କୋଭିଡ ନିୟନ୍ତ୍ରଣରେ ବିଭିନ୍ନ ଜିଲ୍ଲାର ବଣିକ ସଂଗଠନ ମାନେ ଯେପରି ସ୍ବେଚ୍ଛାକୃତ ଭାବରେ ଆଗେଇ ଆସି ବ୍ୟବସାୟ ସମୟକୁ ସୀମିତ କରିଛନ୍ତି ଏବଂ କେତେକ ସ୍ଥାନରେ ସ୍ବେଚ୍ଛାକୃତ ଭାବରେ ଦୋକାନ ବନ୍ଦ କରିଛନ୍ତି, ତାହା ସ୍ବାଗତଯୋଗ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ତେଣୁ ଆମର କୋଭିଡ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଫଳପ୍ରଦ କରିବା ପାଇଁ ସମସ୍ତ ଆବାସିକ ସଂଘ, ବଣିକ ସଂଘ ଏବଂ ଅନ୍ୟାନ୍ୟ ଗୋଷ୍ଠୀଭିତ୍ତିକ ସଂଗଠନ ମାନଙ୍କ ସହିତ ସହଭାଗିତା ଭିତ୍ତିରେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

କୋଭିଡ ରୋଗର ଚିକିତ୍ସାରେ ଅକ୍‌ସିଜେନର ଗୁରୁତ୍ବ ସବୁଠାରୁ ଅଧିକ । ତେଣୁ ଅକ୍‌ସିଜେନ ଯୋଗାଣ ଯେପରି ସୁବ୍ୟବସ୍ଥିତ ଭାବରେ ଜାରି ରହିବ, ତାହାର ତଦାରଖ କରିବା ସହିତ ଠିକ୍‌ ସମୟରେ ପର୍ଯ୍ୟାପ୍ତ ପରିମାଣର ଅକ୍‌ସିଜେନ ଯେପରି ରୋଗୀ ପାଖରେ ପହଞ୍ଚି ପାରିବ, ସେଥିପ୍ରତି ଯତ୍ନବାନ ହେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ଜରୁରୀ ଔଷଧ ମହଜୁଦ ରଖିବା ଏବଂ ତାହାର ଯୋଗାଣ ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

କୋଭିଡର ଏହି ଦ୍ବିତୀୟ ଲହର ଆମକୁ ସୂଚାଇ ଦେଇଛି ଯେ ଏ ସଂକଟ ଦୀର୍ଘ ଦିନର ଏବଂ ଏଥିପାଇଁ ଆମକୁ ସବୁବେଳେ ପ୍ରସ୍ତୁତ ରହିବାକୁ ହେବ । ଏଣୁ ଯଦି ଆମେ କୋଭିଡ ନିୟମାବଳୀକୁ ଠିକ୍‌ ଭାବରେ ପାଳନ କରିବା, ତେବେ କୋଭିଡର ପରାଜୟ ସୁନିଶ୍ଚିତ । ଏ ବିପତ୍ତି ସମୟରେ ନିଷ୍ଠାର ସହ ସେବା ଯୋଗାଉ ଥିବା ଆମର frontline covid warrior ମାନଙ୍କର ଯତ୍ନ ନିଆଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ ।

ସବୁବେଳେ ଠିକ୍‌ ଭାବରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ହାତ ଧୋଇବା ଆଦି କୋଭିଡ ନିୟମାବଳୀର ସଠିକ୍‌ ଅନୁପାଳନ ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ରୋଗୀର ଜୀବନ ରକ୍ଷା ପାଇଁ ଆମର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ କଠିନ ପରିଶ୍ରମ କରୁଛନ୍ତି। ତେଣୁ ଆମେ ପ୍ରତ୍ୟେକ ଯଦି ଦାୟିଦ୍ବବାନ ହେବା, ତେବେ କୋଭିଡ ଯୁଦ୍ଧରେ ଆମେ ନିଶ୍ଚିତ ବିଜୟୀ ହେବା ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ ।

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି। କୋଭିଡ କେୟାର ସେଣ୍ଟର ଗୁଡିକୁ କ୍ରିୟାଶୀଳ କରାଯିବା ସହିତ ସମସ୍ତ କୋଭିଡ ହସ୍‌ପିଟାଲ ଗୁଡିକୁ କାର୍ଯ୍ୟକ୍ଷମ କରାଯାଇଛି । ମେଡିକାଲ କଲେଜ ଗୁଡିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ସହିତ ନୂଆ ବେସରକାରୀ ହସ୍‌ପିଟାଲ ଗୁଡିକୁ କୋଭିଡ ହସ୍‌ପିଟାଲରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଉଛି।

୩୦ ପ୍ରତିଶତ ଶଯ୍ୟାରେ ଅକ୍‌ସିଜେନ ବ୍ୟବସ୍ଥା କରାଯାଇଛି ଏବଂ ଏହାକୁ ୩୫ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ । ପଡୋଶୀ ରାଜ୍ୟ ଗୁଡିକରେ ଅଧିକ କୋଭିଡ ସଂଖ୍ୟା ଥିବାରୁ ସେ ସବୁ ରାଜ୍ୟରୁ ଲୋକଙ୍କ ଚଳାଚଳ ଉପରେ ତୀକ୍ଷଣ ନଜର ରଖାଯାଇଛି। ଖୁବଶୀଘ୍ର ଶଯ୍ୟା ଉପଲବ୍ଧତାକୁ ସୁବ୍ୟବସ୍ଥିତ କରିବା ପାଇଁ ଏକ Online Real-time Bed Management System କାର୍ଯ୍ୟକାରୀ କରାଯିବ ବୋଲି ସେ କହିଥିଲେ ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର କୋଭିଡ ପରିସ୍ଥିତି ଉପରେ ଏକ ଉପସ୍ଥାପନା ରଖି କହିଥିଲେ ଯେ ବର୍ତ୍ତମାନ ରାଜ୍ୟରେ ୫୦,୯୫୮ active case ରହିଛି ଏବଂ ୭ଟି ଜିଲ୍ଲାରେ ୬୦ ପ୍ରତିଶତ active case ରହିଛି । ସେ କହିଥିଲେ ଯେ ବର୍ତ୍ତମାନ ରାଜ୍ୟରେ ସମୁଦାୟ ୩୧,୪୭୧ଟି ବେଡ୍‌ ରହିଛି ଏବଂ ICU bed ବ୍ୟତୀତ ୧୭,୪୯୫ଟି ବେଡ୍‌ରେ ଅକ୍‌ସିଜେନର ବ୍ୟବସ୍ଥା କରାଯାଇଛି।

ଉଭୟ ସରକାରୀ ଓ ବେସରକରୀ କୋଭିଡ ହସ୍‌ପିଟାଲ ଗୁଡିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ସହିତ ଅଧିକ ସଂଖ୍ୟକ ଶଯ୍ୟାରେ ଅକ୍‌ସିଜନ ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ। ରାଜ୍ୟରେ ବର୍ତ୍ତମାନ ଦୈନିକ ୪୨.୧୦ ମେଟ୍ରିକ ଟନ୍‌ ଅକ୍‌ସିଜେନ ବ୍ୟବହାର କରାଯାଉଛି ବୋଲି ସୂଚନା ଦେବା ସହିତ Remdesivir ଓ Favipiravir ଆଦି ସମସ୍ତ ଜରୁରୀ ଔଷଧ ଯଥେଷ୍ଟ ଭାବରେ ଉପଲବ୍‌ଧ ରହିଛି ବୋଲି ସେ କହିଥିଲେ ।

ପୋଲିସ ମହାନିର୍ଦ୍ଦେଶକ ଅଭୟ କୋଭିଡ ନିୟମାବଳୀର ଅନୁପାଳନ ଦିଗରେ ପୋଲିସର ପଦକ୍ଷେପ ସଂପର୍କରେ ସୂଚନା ଦେବା ସହିତ କହିଥିଲେ ଯେ ଆଜି ସୁଦ୍ଧା ୮ଟି ରାଜ୍ୟକୁ ୯୦ଟି ଟ୍ୟାଙ୍କର ଜରିଆରେ ୧୬୭୫.୮୧ ଟନ୍‌ ଅକ୍‌ସିଜେନ ପଠାଯାଇଛି । ବିଭିନ୍ନ କୋଭିଡ ଚିକିତ୍ସାଳୟରେ ଅଗ୍ନି ନିୟନ୍ତ୍ରଣ ସଂପର୍କରେ ନିଆଯାଉଥିବା ପଦକ୍ଷେପ ଉପରେ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସୂଚନା ଦେଇଥିଲେ ।

ବୈଠକରେ ସୁନ୍ଦରଗଡ, ଝାରସୁଗୁଡା, ବାଲେଶ୍ବର ଓ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ମାନେ ଜିଲ୍ଲାର କୋଭିଡ ପରିସ୍ଥିତି ଓ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ । ମୁଖ୍ୟମନ୍ତୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକକୁ ସଂଯୋଜନା କରିଥିଲେ । ବୈଠକରେ ଉନ୍ନୟନ କମିଶନର ଶ୍ରୀ ପି.କେ ଜେନା, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଶ୍ରୀ ଡି.କେ. ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କୋଭିଡ ନିୟମ ଅନୁପାଳନ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, ହେବ 10 ଦିନିଆ ଅଭିଯାନ

ଭୁବନେଶ୍ବର,  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କ ସହିତ ଏକ ବୈଠକରେ କୋଭିଡ ପରିସ୍ଥିତିର ସମୀକ୍ଷା କରି ତୃଣମୂଳସ୍ତରରେ କୋଭିଡ ପରିଚାଳନା ବ୍ୟବସ୍ଥାକୁ ପୁନଃକାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ ମନରେ ଯେପରି ଭରସା ସୃଷ୍ଟି ହେବ, ସେଥିପାଇଁ ସମସ୍ତଙ୍କ ଦୃଷ୍ଟିଗୋଚର ହେବା ଭଳି ପଦକ୍ଷେପ ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ପରିସ୍ଥିତିର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନିମ୍ନୋକ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଛତିଶଗଡ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡିକ ଉପରେ ସତର୍କ ନଜର ରଖାଯିବ। ପଶ୍ଚିମ ଓଡିଶାର ଅଧିକ ପ୍ରଭାବିତ ଅଞ୍ଚଳକୁ ମୁଖ୍ୟ ଶାସନ ସଚିବ, ଓ ବରିଷ୍ଠ ଅଧିକାରୀମାନେ ଗସ୍ତ କରିବେ ଏବଂ ପରିସ୍ଥିତିର ଆକଳନ କରି ଜରୁରୀ ପଦକ୍ଷେପ ଗ୍ରହଣ କରିବେ।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଶ୍ଚିମ ଓଡିଶାର ପ୍ରଭାବିତ ଜିଲ୍ଲାମାନଙ୍କରେ ସ୍ଥିତି ଆକଳନ କରି ଦରକାର ଅନୁସାରେ ଡାକ୍ତର, ପାରାମେଡିକ୍‌ସ, ଲାବ୍ ଟେକ୍‌ନିସିଆନ ମାନଙ୍କୁ ନିୟୋଜିତ କରି ସେଠାରେ ମାନବ ସମ୍ବଳକୁ ମଜବୁତ କରାଯିବ।

ଆବଶ୍ୟକସ୍ଥଳେ ହସ୍‌ପିଟାଲ ଗୁଡିକରେ ପର‌୍ୟ୍ୟାପ୍ତ ପଦକ୍ଷେପ ଗ୍ରହଣ କରାଯିବ। ଅକ୍‌ସିଜେନ ସୁବିଧା ସହିତ ପର‌୍ୟ୍ୟାପ୍ତ ପରିମାଣର ଆମ୍ବୁଲାନ୍‌ସକୁ ମୁତୟନ କରାଯିବ।

ଜରୁରୀ କଲ୍ ଗୁଡିକୁ ଗୁରୁତର ସହ ନେଇ ତତ୍ପରତାର ସହ ଯେପରି ପଦକ୍ଷେପ ନିଆଯିବ, ସେଥିପାଇଁ ତଦାରଖ ବ୍ୟବସ୍ଥାକୁ ସୁଦୃଢ କରାଯିବ ।

କୋଭିଡ ନିୟମାବଳୀର କଡାକଡି ଅନୁପାଳନ ନିମନ୍ତେ ରାଜ୍ୟ ପୋଲିସ ପକ୍ଷରୁ ବ୍ୟାପକ ମୁତୟନ କରାଯାଇ ୧୦ ଦିନ ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯିବ।

ହାତ ଧୋଇବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ବିଷୟରେ ବ୍ୟାପକ ସଚେତନତା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ।

ସଚେତନତା ତଥା କୋବିଡ ନିୟମର ଅନୁପାଳନ ନିମନ୍ତେ ଜିଲ୍ଲାପାଳ ମାନେ ସମାଜର ସବୁ ବର୍ଗର ଜନସାଧାରଣ, ବିଶେଷତଃ ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତି ଗ୍ରୁପ ଆଦିଙ୍କୁ ନେଇ ବ୍ୟାପକ କାର‌୍ୟ୍ୟକ୍ରମ ତୁରନ୍ତ ଆରମ୍ଭ କରିବେ।

ବ୍ୟକ୍ତିଗତ ତଥା ଆନୁଷ୍ଠାନିକ ସ୍ତରରେ (Office, Educational Institutions, Business Establishment etc.) କୋଭିଡ ନିୟମ ପାଳନକୁ କଡାକଡି ପାଳନ ପାଇଁ ତଦାରଖ ବ୍ୟବସ୍ଥାକୁ ମଜବୁତ କରାଯିବ।

କୋଭିଡର ପ୍ରଥମ ଲହରୀ ଆମେ ସମସ୍ତେ ଅନୁଭବ କରିଛୁ । ଯେହେତୁ ଏହା ଲୋକଙ୍କ ଜୀବନମରଣ ସହ ଜଡିତ, ତେଣୁ ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜନସାଧାରଣ ସତର୍କ ରହିବା ସହ କୋଭିଡ ନିୟମାବଳୀ ପାଳନ କରିବା ଏବଂ ସଂକ୍ରମଣ ନିୟନ୍ତ୍ରଣରେ ସରକାରଙ୍କ ସହ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

ନବରଙ୍ଗପୁରର ଖ୍ରୀଷ୍ଟିଆନ ହସ୍‌ପିଟାଲରେ ଖୋଲା ଯାଇଥିବା କୋଭିଡ ହସ୍‌ପିଟାଲର ପ୍ରାପ୍ୟ ୪୫ ଲକ୍ଷ ୬୦ ହଜାର ଟଙ୍କା ଏପର‌୍ୟ୍ୟନ୍ତ ନାଲ୍‌କୋ ପକ୍ଷରୁ ପଇଠ କରାଯାଇ ନଥିବାରୁ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତୁରନ୍ତ ମଞ୍ଜୁର କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ।

ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ରାଜ୍ୟର ସମସ୍ତ ସୀମାନ୍ତବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ କରାଯିବା ସହିତ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକମାନଙ୍କ ଟେଷ୍ଟିଂ ପାଇଁ ପରାମର୍ଶ ଦିଆଯାଇଛି ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟରେ ବର୍ତ୍ତମାନ କୋଭିଡର ସ୍ଥିତି ଏବଂ ସ୍ବାସ୍ଥ୍ୟ ବିଭାଗର ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ ପାଣ୍ଡିଆନ୍ ଏହି କାର‌୍ୟ୍ୟକ୍ରମକୁ ସଂଚାଳନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଏବଂ ଭୁବନେଶ୍ବର-କଟକର ମ୍ୟୁନିସପାଲ କମିଶନର ମାନଙ୍କ ସହିତ ସେମାନଙ୍କର ସ୍ବାସ୍ଥ୍ୟ ଭିତ୍ତିଭୂମି, ମାନବ ସମ୍ବଳ ତଥା କୋଭିଡ ନିୟମର ଅନୁପାଳନ ଆଦି ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ଏହି ବୈଠକରେ ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର, ପୋଲିସ ମହାନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ବିଶେଷ ଖବର

ପ୍ରଥମେ ନା ନା, ଏବେ ‘ହୁ’ କହିଲା ପବନରେ ବି ସଂକ୍ରମିତ ହୋଇପାରେ ମହାମାରୀ କରୋନା

ସମୀକ୍ଷା ବ୍ୟୁରୋ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ‘ହୁ’ ପ୍ରଥମେ କହୁଥିଲା ମହାମାରୀ କରୋନା ବାୟୁ ସଂକ୍ରମିତ ନୁହେଁ । ଏହା କେବଳ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ହିଁ ସଂକ୍ରମଣ ହୋଇଥାଏେ। କିନ୍ତୁ ପବନରେ ବି କରୋନା ଭୂତାଣୁ ସଂକ୍ରମିତ ହେବାର ଆଶଙ୍କା ରହିଛି ବୋଲି ୩୨ଟି ଦେଶର ୨୩୯ ଜଣ ବୈଜ୍ଞାନିକ ମତାମତ ଦେବା ପରେ ‘ହୁ’ ଏଥିରେ ସମ୍ପୂର୍ଣ୍ଣ ଏକମତ ହୋଇନଥିଲେ ସୁଦ୍ଧା ଏହାକୁ ଅଗ୍ରାହ୍ୟ ବି କରିନାହିଁ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଶେଷରେ ସ୍ୱୀକାର କରିଛି ଯେ, କରୋନା ବାୟୁ ବାହିତ । ଅର୍ଥାତ କରୋନା ଭୂତାଣୁ ବାୟୁ ଦ୍ୱାରା ମଧ୍ୟ ପରିବାହିତ ହୋଇପାରେ । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ପଷ୍ଟ କରିଛି, ଏହା ଉପରେ ଅଧିକ ଗବେଷଣା ଆବଶ୍ୟକ । କାଶିବା କିମ୍ବା ଛିଙ୍କିବା ଦ୍ୱାରା ଜଣେ ବ୍ୟକ୍ତିଠାରୁ ନିର୍ଗତ ହେଉଥିବା ଡ୍ରପଲେଟ୍ସ ବା ଜଳୀୟ କଣାରେ କରୋନା ଭୂତାଣୁ ସଂକ୍ରମିତ ହୁଏ ବୋଲି ଡବ୍ଲୁଏଚଓ ପକ୍ଷରୁ କୁହାଯାଉଥିଲା । ଏବେ ବାୟୁ ମଣ୍ଡଳରେ ଭାସମାନ ଅବସ୍ଥାରେ ଛୋଟ ଛୋଟ ଜଳକଣିକା ଦ୍ୱାରା ମଧ୍ୟ କରୋନା ଭୂତାଣୁ ସଂକ୍ରମିତ ହେବାର ଆଶଙ୍କା ରହିଥିବା ସ୍ୱୀକାର କରିଛି ହୁ’।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଚିଠି ଲେଖି ଏହି ବୈଜ୍ଞାନିକମାନେ ଗାଇଡଲାଇନରେ ପରିବର୍ତନ କରିବାକୁ ପରାମର୍ଶ ଦେଇଥିଲେ । ବିଶେକ କରି ଅତି ଗହଳି ସ୍ଥାନ, ନିବୁଜ କୋଠରୀ କିମ୍ବା ଅଳ୍ପ ବାୟୁ ଚଳାଚଳ କରୁଥିବା ସ୍ଥାନରେ କରୋନା ଭୂତାଣୁ ବାୟୁ ଦ୍ୱାରା ସୁସ୍ଥ ଲୋକ ଦେହକୁ ସଂକ୍ରମିତ ହୋଇପାରେ ବୋଲି ବୈଜ୍ଞାନିକମାନେ ଦାବି କରିଥିଲେ । ଏନେଇ ହୁ’ର ସଂକ୍ରମଣ ନିବାରଣ ଓ ନିୟନ୍ତ୍ରଣ ପ୍ରମୁଖ କହିଛନ୍ତି ଯେ, ଏହି ଦାବିକୁ ପ୍ରମାଣ କରିବା ଲାଗି ଅଧିକ ତଥ୍ୟ ସଂଗ୍ରହ କରାଯାଉଛି ।

ପ୍ରମାଣ ମିଳିଲେ ଯାଇ ଡବ୍ଲୁଏଚଓ ତାର ଗାଇଡଲାଇନରେ ପରିବର୍ତ୍ତନ କରିବ । ବର୍ତମାନ କେବଳ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି । କରୋନା ଭୂତାଣୁ ବାୟୁବାହିତ ବୋଲି ପ୍ରମାଣ ସିଦ୍ଧ ହେଲେ ତିନି ଲେୟାର ବିଶିଷ୍ଟ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇ ପାରେ ।