ଗୁଜୁରାଟ : ଦେଶରେ କରୋନା ମାମଲା ହୁ ହୁ ହୋଇ ବଢିଚାଲିଛି । କରୋନା ଦ୍ୱାରା ଅଧିକ ପ୍ରଭାବିତ ରାଜ୍ୟମାନଙ୍କ ମଧ୍ୟରେ ଗୁଜୁରାଟ ମଧ୍ୟ ରହିଛି । ଅନଲକ ପ୍ରର୍ଯ୍ୟାୟରେ ପ୍ରତିଦିନ କରୋନା ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଅହମ୍ମଦାବାଦରେ ମଧ୍ୟ କରୋନା ମାମଲା ଦ୍ରୁତ ଏବଂ ଚିନ୍ତାଜନକ ଭାବରେ ବୃଦ୍ଧି ପାଉଛି । ଅହମ୍ମଦାବାଦରେ ମଧ୍ୟ ମୃତ୍ୟୁ ହାର ଅଧିକ ରହିଛି । ଅହମ୍ମଦାବାଦରେ ମୃତ୍ୟୁ ହାର ବର୍ତ୍ତମାନ 7.1% ରହିଛି । ଅହମ୍ମଦାବାଦ ବର୍ତ୍ତମାନ ଦେଶରେ କରୋନାର ଡେଥସ୍ପଟ ଭାବେ ଚିହ୍ନିତ ହୋଇଛି । ଅହମ୍ମଦାବାଦରେ ପ୍ରତି 100ଟି ମାମଲା ମଧ୍ୟରୁ 7 ଜଣଙ୍କର ମୃତ୍ୟୁ ହେଉଥିବାର ସୂଚନା ମିଳିଛି । ଗତ ମାସଠାରୁ ଅହମ୍ମଦାବାଦଠାରେ ମୃତ୍ୟୁ ଦର ବଢିବାରେ ଲାଗିଛି । ଏଥିପାଇଁ ଏବେ ଏହି ସହରକୁ କରୋନା ଡେଥସ୍ପଟ ଭାବରେ ବିବେଚନା କରାଯାଇଛି । କାରଣ ଗତ ମାସ ପୂର୍ବରୁ ଏଠାରେ ମୃତ୍ୟୁ ହାର 5% ଥିବାବେଳେ ବର୍ତ୍ତମାନ ଏହା 7.1% କୁ ବୃଦ୍ଧି ପାଇଛି ।
ଗୁଜୁରାଟରେ କରୋନା ମୃତ୍ୟୁହାର ବିଷୟରେ କହିବାକୁ ଗଲେ ଏହା 9.16% ପ୍ରତିଶତ ରହିଛି । ଗତ 84 ଦିନ ମଧ୍ୟରେ ଗୁଜରାଟରେ କରୋନାରୁ ମୋଟ 1385 ଜଣ ମୃତ୍ୟୁ ହୋଇଥିବାବେଳେ ଅହମ୍ମଦାବାଦରେ 1117ଜଣଙ୍କର ମୃତ୍ୟୁ ହୋଇଛି ।
ଗତ 10 ଦିନ ମଧ୍ୟରେ ଗୁଜୁରାଟରେ କରୋନା ଯୋଗୁଁ 309 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅହମ୍ମଦାବାଦରେ 250 ଜଣଙ୍କର ମୃତ୍ୟୁ ହୋଇଛି।
ତେବେ ଏଠାରେ ଅଧିକ ଚିନ୍ତାଜନକ ବିଷୟ ହେଉଛି ଯେ, ପ୍ରତି ମିଲିୟନ ଜନସଂଖ୍ୟାରେ 1797 ଜଣ ଲୋକ କରୋନା ରୋଗରେ ପୀଡିତ ରହିଛନ୍ତି । ସେହିପରି ମୁମ୍ବାଇରେ 3316 ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ, ଚେନ୍ନାଇରେ ମଧ୍ୟ 3229 ଜଣ ଆକ୍ରାନ୍ତ ହେଉଛନ୍ତି ।ଅହମ୍ମଦାବାଦରେ ପ୍ରତି ନିୟୁତ ଲୋକଙ୍କ ମଧ୍ୟରେ 128 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୁମ୍ବାଇରେ 113 ଜଣ, ଦିଲ୍ଲୀରେ 43 ଏବଂ ଚେନ୍ନାଇରେ 31 ଜଣଙ୍କର ମୃତ୍ୟୁ ଘଟିଛି।
ଜୁନ୍ 1 ରୁ ଜୁନ୍ 11 ତାରିଖ ଅପରାହ୍ନ 5ଟା ସମୟ ସୁଦ୍ଧା ଦିଆଯାଇଥିବା ସରକାରୀ ତଥ୍ୟ ଅନୁଯାୟୀ, 11 ଦିନ ମଧ୍ୟରେ ଗୁଜୁରାଟରେ 5273 ଟି ପଜିଟିଭ ମାମଲା ଆସିଛି । ଯେଉଁଥିରେ 347 ଜଣଙ୍କର ମୃତ୍ୟୁ ହୋଇଛି । ଅନଲକ୍ -1 ରେ ପ୍ରତିଦିନ 490 ରୁ 510 ଟି ଆକ୍ରାନ୍ତ ମାମଲା ସାମ୍ନାକୁ ଆସୁଥିବାବେଳେ ପ୍ରତିଦିନ ହାରାହାରି 32 ଜଣ ଲୋକଙ୍କର ମୃତ୍ୟୁ ଘଟିଛି ।