Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଏଥର ସଂସ୍କୃତି ଚର୍ଚ୍ଚା ସମାରୋହରେ ‘ଶ୍ରୀଜଗନ୍ନାଥ ସଂସ୍କୃତିରେ ସମାଜବାଦ’ ଉପରେ ଆଲୋଚନା

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୮୧ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ। ସମ୍ମାନନୀୟ ଅତିଥି ଭାବରେ ଯୋଗଦାନ କରିଥିଲେ ବିଭାଗୀୟ ଯୁଗ୍ମ ଶାସନ ସଚିବ ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ । ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ଶ୍ରୀମତୀ ବନାନୀ ମହାପାତ୍ର।

ମୁଖ୍ୟ ବକ୍ତା ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ କହିଥିଲେ ଯେ ଅଖିଳାଣ୍ଡକୋଟି ବ୍ରହ୍ମାଣ୍ଡ ନାୟକ ମହାପ୍ରଭୁ ଶ୍ରୀଜଗନ୍ନାଥ କଳିଯୁଗର ପ୍ରତ୍ୟକ୍ଷ ଦେବତା ଭାବରେ ଦେବଭୂମି ଭାରତ ବର୍ଷରେ ପବିତ୍ର ଉତ୍କଳ ଭୂଖଣ୍ଡର ଭୂସ୍ୱର୍ଗ ସ୍ୱରୂପ ପୁରୁଷୋତ୍ତମ କ୍ଷେତ୍ରରେ ଦାରୁଦେବତା ଭାବରେ ପୂଜା ପାଉଛନ୍ତି। ତେଣୁ ତନ୍ତ୍ର ଯାମଳଗ୍ରନ୍ଥରେ କୁହାଯାଇଛି –ଭାରତେ ଚୋତ୍କଳେଦେଶ ଭୂସ୍ୱର୍ଗେ ପୁରୋଷୋତ୍ତମେ। ଦାରୁରୂପୀ ଜଗନ୍ନାଥୋ ଭକ୍ତନାମବୟପ୍ରଦଃ।।

ବୈଦିକ ଯୁଗରୁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଗଢ଼ି ଉଠିଥିବା ରୀତି,ନୀତି ଓ ସାମାଜିକ ପ୍ରମ୍ପରାର ପ୍ରବହମାନ ଧାରା ହିଁ ଶ୍ରୀଜଗନ୍ନାଥ ସଂସ୍କୃତି ଭାବରେ ବିଶ୍ୱ ସଂସ୍କୃତିକୁ ସର୍ବଦା ପ୍ରଭାବିତ କରିଆସିଛି। ସର୍ବଧର୍ମ ଓ ସର୍ବ ସମ୍ପ୍ରଦାୟର ସମନ୍ୱୟ ସ୍ୱରୂପ ହିଁ ଶ୍ରୀଜଗନ୍ନାଥ ସଂସ୍କୃତି ଜଗତରେ ” “ବସୁଧୈବ କୁଟୁମ୍ବକମ୍‌” ବାର୍ତ୍ତା ପ୍ରଦାନ କରି ସର୍ବଜନାଦୃତ ହୋଇପାରିଛି ।

ଶ୍ରୀମନ୍ଦିରର ରତ୍ନସିଂହାସନରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତି ବିଶ୍ୱରେ ଶ୍ୱେତ, ପୀତ, କୃଷ୍ଣ ଓ ଲୋହିତ ବର୍ଣ୍ଣର ମନୁଷ୍ୟମାନଙ୍କର ବର୍ଣ୍ଣକୁ ଧାରଣ କରି ସମାଜରୁ ବର୍ଣ୍ଣବୈଷମ୍ୟବାଦକୁ ଦୂର କରି ସମଗ୍ର ମାନବ ଜାତି ଏକ ଓ ଅଭିନ୍ନ ବୋଲି ବାର୍ତ୍ତା ପ୍ରଦାନ କରନ୍ତି। ଜାତି-ଧର୍ମ-ବର୍ଣ୍ଣ ଲିଙ୍ଗ ନିର୍ବିଶେଷରେ ସମସ୍ତେ ସମାନ ଏବଂ ଇଶ୍ୱରଙ୍କର ଅମୃତ ସନ୍ତାନ ବୋଲି ଆଜି ମଧ୍ୟ ଶ୍ରୀଜଗନ୍ନାଥ ମନ୍ଦିରରେ ଅଚାଣ୍ଡାଳ ବ୍ରାହ୍ମଣଙ୍କର ଏକତ୍ର ମହାପ୍ରସାଦ ସେବନର ପବିତ୍ର ପରମ୍ପରା ପ୍ରମାଣ କରେ।

ଉତ୍କଳୀୟ ଜନଜୀବନରେ ଜନ୍ମୋତ୍ସବ, ଉପନୟନ, ବିବାହ ତଥା ଅନ୍ତେଷ୍ଟିକ୍ରିୟା ପ୍ରଭୃତି ଅବସରରେ ମହାପ୍ରସାଦ ସେବନ ହିଁ ପରମ ସୌଭାଗ୍ୟ ବୋଲି ମନେ କରାଯାଏ। ସର୍ବବିଧ ମାଙ୍ଗଳିକ କାର୍ଯ୍ୟରେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନାମ ଉଚ୍ଚାରଣ ପୂର୍ବକ ସଙ୍କଳ୍ପ ତଥା ମହାପ୍ରସାଦ ସମର୍ପଣ ପୂର୍ବକ ଶୁଭାରମ୍ଭ ମହନୀୟ ସମାଜବାଦର ସୂଚନା ପ୍ରଦାନ କରେ।

ଶ୍ରୀଜଗନ୍ନାଥଙ୍କ ବିବିଧ ପର୍ବପର୍ବାଣୀ ଏବଂ ଯାତ୍ରାବିଧି ସମାଜରେ ସାମାଜିକ ଏକତା-ଅଖଣ୍ଡତା ତଥା ଭେଦାଭେଦ ଭାବକୁ ଦୂରକରି ବିଶ୍ୱବାସୀଙ୍କ ବିଭିନ୍ନତା ମଧ୍ୟରେ ଏକତାର ରୂପକ ସାମାଜିକ ସମରସତାର ବାର୍ତ୍ତା ପ୍ରଦାନକରେ। ମହାପ୍ରଭୂଙ୍କ ସେବାରେ ନିୟୋଜିତ ” “ନିଯୋଗ ସଂହତିଃ କାର୍ଯ୍ୟସାଧିକା’ ‘ର ବାର୍ତ୍ତା ଦେବା ସହିତ ସମାଜବାଦକୁ ସୁଦୃଢ଼ କରିଥାଏ।

ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣର ତର୍ଜମାରୁ ଜଣାଯାଏ ଯେ ଶ୍ରୀଜଗନ୍ନାଥ ସଂସ୍କୃତିରେ ନାରୀ ସଶକ୍ତକରଣର ସନ୍ଦେଶ ତଥା ସୁସ୍ଥ ସମାଜ ଗଠନ ନିମନ୍ତେ କୁତ୍ସିତ ଜାତିପ୍ରଥା ସର୍ବଥା ପରିତ୍ୟାଗକଲେ ହିଁ ସ୍ୱୟଂ ମହାଲକ୍ଷ୍ମୀ ଆଗମନ କରିଥାନ୍ତି। ରତ୍ନ ସିଂହାସନରେ ଭାଇ ଓ ଭଉଣୀଙ୍କ ସହିତ ବିରାଜମାନ ମହାପ୍ରଭୁ ବିଶ୍ୱଭ୍ରାତୃତ୍ୱଭାବକୁ ସର୍ବଦା ଅଭିବ୍ୟକ୍ତ କରୁଛନ୍ତି। ଉତ୍କଳର ଗଜପତି ରଥଯାତ୍ରା ଅବସରରେ “ଛେରାପହଁରା’ ନୀତି ପାଳନ କରି ସ୍ୱର୍ଣ୍ଣସମାର୍ଜନୀୟ ରଥମାର୍ଜନା କରନ୍ତି।

ଏହାଦ୍ୱାରା ସେ “ସ୍ୱଚ୍ଛ ଭାରତ’ ର ବାର୍ତ୍ତା ଦେବା ସହିତ ସମାଜରେ ସାଧାରଣ ଝାଡ଼ୁଦାର ସେବକର ମଧ୍ୟ ମହତ୍ୱକୁ ପ୍ରଚାର କରନ୍ତି। ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ସେବାରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ରକୁଳରେ ଜାତ ସେବକଙ୍କ ଯୋଗଦାନ ବିଶ୍ୱସମୁଦାୟକୁ ସମାଜବାଦର ହିଁ ବାର୍ତ୍ତା ପ୍ରଦାନ କରୁଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ରାଜାଧିରାଜ ମହାପ୍ରଭୁ ଲୋକଲୀଳା କରିବା ପାଇଁ ସତତ ତତ୍ପର। ସାମାନ୍ୟ ମନୁଷ୍ୟ ଭଳି ପ୍ରାତଃ ସର୍ଯ୍ୟାତ୍ୟାଗ ଠାରୁ ରାତ୍ରି ଶୟନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦିନଚର୍ଯ୍ୟା ସାମାଜିକ ଜୀବନ ଶୈଳୀକୁ ପ୍ରଚାର କରେ। ଦେବଦୀପାବଳୀ ଅବସରରେ ଅଦିତି କଶ୍ୟପ, କୌଶଲ୍ୟା ଦଶରଥଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ କରି ମହନୀୟ ସାମାଜିକ ସନ୍ଦେଶ ଦେଇଥାନ୍ତି।

ସମ୍ମାନନୀୟ ଅତିଥି ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ କହିଥିଲେ ଯେ ସମାଜବାଦ କହିଲେ ଯେଉଁଠି ତାରତମ୍ୟ ନଥାଏ, ଭେଦଭାବ ନଥାଏ, ପ୍ରଭେଦ ନଥାଏ, ପାର୍ଥକ୍ୟ ନଥାଏ। ଶ୍ରୀଜଗନ୍ନାଥ ସଂସ୍କୃତିରେ ସମାଜବାଦ ବ୍ୟତୀତ ଅନ୍ୟ କିଛି ନାହିଁ। କୌଣସି ସ୍ଥାନରେ ମୂଳ ବିଗ୍ରହ ତାଙ୍କର ରତ୍ନସିଂହସନ ଛାଡ଼ି ଆସନ୍ତି ନାହିଁ କିନ୍ତୁ ପୁରୀରେ ରଥଯାତ୍ରା ସମୟରେ ଶ୍ରୀଜଗନ୍ନାଥ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ସ୍ୱୟଂ ଚାଲିଆସନ୍ତି।

ଗଜପତିଙ୍କୁ ଚଣ୍ଡାଳ କାର୍ଯ୍ୟପରି ନିକୃଷ୍ଠ କାର୍ଯ୍ୟ ଦିଆଯାଇଛି ଏହା ପ୍ରମାଣିତ କରିବା ପାଇଁ ଯେ ଜଗନ୍ନାଥ ସଂସ୍କୃତିରେ ଉଚ୍ଚନିଚ୍ଚର ଭେଦଭାବ ନାହିଁ। ତେଣୁ ଏହି ଛେରାପହଁରା ଆମକୁ ଦର୍ଶାଇ ଦିଏ କୌଣସି କାର୍ଯ୍ୟ ସାନ ନୁହଁ କି କୌଣସି କର୍ଯ୍ୟ ବଡ଼ ନୁହେଁ। ମହାପ୍ରସାଦ ଜଣେ ଜଣଙ୍କ ଠାରୁ ଛଡ଼େଇ ଖାଇ ପାରିବ, ଅଇଁଠା ମଧ୍ୟ ଖାଇ ପାରିବ। ଏଥିରେ ମଧ୍ୟ ଭେଦଭାବ ବା ତାରତମ୍ୟ ନାହିଁ। ପରିଶେଷରେ ଦର୍ଶକ ଏବଂ ବୁଦ୍ଧିଜୀବୀମାନଙ୍କର ବିଷୟ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ଏବଂ ଓଡ଼ିଶା ମଧ୍ୟରେ ବୁଝାମଣା ଚୁକ୍ତିପତ୍ର ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ICCR) ନୂଆଦିଲ୍ଲୀ, ଆଜାଦ ଭବନ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଡ. ବିଜୟ କେତନ ଉପାଧ୍ୟାୟ ରାଜ୍ୟ ସରକାରଙ୍କ ପକ୍ଷରୁ ସାଂସ୍କୃତିକ, କଳା ଏବଂ ଶିକ୍ଷା ସମ୍ବନ୍ଧୀୟ ବିଷୟକୁ ନେଇ ଭାରତ ସରକାରଙ୍କ ସହିତ ଏକ ଚୁକ୍ତିପତ୍ର (MOU) ସ୍ୱାକ୍ଷର କରିଛନ୍ତି । ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ICCR), ଭାରତ ସରକାରଙ୍କ ପକ୍ଷରୁ ଅଞ୍ଜୁ ରଂଜନ, ଡେପୁଟି ଡାରେକ୍ଟର ଜେନେରାଲ ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି ।

ପୂର୍ବରୁ ୨୦୨୨ ମସିହା ନଭେମ୍ବର ୧୧ ତାରିଖରେ “ଭାରତୀୟ ରାଜ୍ୟ ଗୁଡିକର ସାଂସ୍କୃତିକ ସମ୍ମେଳନ” (Bharat Ke Rajyon Ka Sanskrutic Sammelan)”ରେ ଦେଶର ୨୧ ଗୋଟି ରାଜ୍ୟ ଭାରତ ସରକାରଙ୍କ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ICCR) ସହିତ ଏହି ଚୁକ୍ତିନାମା ସ୍ୱାକ୍ଷର କରିସାରିଛନ୍ତି ।

ଏହା ଅତ୍ୟନ୍ତ ଆନନ୍ଦର ବିଷୟ ଯେ ଓଡ଼ିଶା ସରକାର ତା.୨୭.୦୯.୨୦୨୪ ରିଖରେ ଏହି ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି । ଯାହାଦ୍ୱାରା କି ICCR ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ ହେବା ସହିତ ବିଦେଶରେ ସରକାରଙ୍କର ସାଂସ୍କୃତିକ ଏବଂ କୁଟନୀତିଜ୍ଞ ସମ୍ପର୍କର ଅଭିବୃଦ୍ଧି ଘଟିବ । ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବା ଦ୍ୱାରା ଭାରତ ସହିତ ବିଦେଶରେ ଓଡ଼ିଶାର ଅନନ୍ୟ ସାଂସ୍କୃତିକ ପରମ୍ପରା ଓ ପର୍ଯ୍ୟଟନର ବିନିମୟ ହେବା ସହିତ ଅର୍ଥନୀତିର ଅଭିବୃଦ୍ଧି ଘଟିବ ।

ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ICCR) ଏବଂ ଓଡ଼ିଶା ସରକାର ମିଳିତ ଭାବରେ ବିଭିନ୍ନ ଏକାଡେମିକ୍‌, ସାଂସ୍କୃତିକ ଏବଂ କଳା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଦେଶ ତଥା ବିଦେଶରେ ଆୟୋଜନ ଓ ପରିଚାଳନା କରିପାରିବେ । ଯାହା ଦ୍ୱାରା କି, ଓଡ଼ିଶାର ସମୃଦ୍ଧ କଳା ସଂସ୍କୃତି ଦେଶବିଦେଶରେ ପ୍ରଚାର ପ୍ରସାର ହୋଇପାରିବ ।

ବିଦେଶରେ ଓଡ଼ିଆ ଅସ୍ମିତା ବହନ କରୁଥିବା ଓଡ଼ିଶାର ପାରମ୍ପରିକ କଳା ଓ ସଂସ୍କୃତିର ପରିପ୍ରକାଶ, ପ୍ରଚାର ପ୍ରସାର ଏବଂ ବିକାଶ କ୍ଷେତ୍ରରେ ପ୍ରଥମଥର ପାଇଁ ଭାରତ ସରକାରଙ୍କ ସହିତ ଓଡ଼ିଶା ସରକାର ଏହି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

୭୫ ତମ ସଂସ୍କୃତି ଚର୍ଚ୍ଚା ସମାରୋହରେ ପ୍ରଭୃ ଜଗନ୍ନାଥଙ୍କ ଜ୍ବର ଓ ଏହାର ଚିକିତ୍ସା ଉପରେ ଆଲୋଚନା

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୭୫ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ଡାକ୍ତର ଆଶୁତୋଷ ପ୍ରସାଦ ମିଶ୍ର, ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ପ୍ରଚାରକ। ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିଲୀପ ରାଉତରାଏ। ସମ୍ମାନନୀୟ ଅତିଥି ତଥା ସଭା ପରିଚାଳନା କରିଥିଲେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ମଧୁସୂଦନ ଦାଶ।

ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍‌ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ
ସଂସ୍କୃତି ବିଭାଗର ଅନୁଶାସନ ସଚିବ ଶ୍ରୀମତୀ ବନାନୀ ମହାପାତ୍ର।

ଏହି ଅବସରରେ ମୁଖ୍ୟ ବକ୍ତା ଡାକ୍ତର ଆଶୁତୋଷ ପ୍ରସାଦ ମିଶ୍ର କହିଥିଲେ ଯେ ଓଡ଼ିଆ ଜାତିର ଇଷ୍ଟଦେବତା ମହାପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କର ମାନବ ଲୀଳାର ସ୍ୱତନ୍ତ୍ର ପରିପ୍ରକାଶ ହେଉଛି ଅନବସର। ସ୍ନାନ ପୂର୍ଣ୍ଣିମାରେ ଅଷ୍ଟୋତ୍ତର ଶତକୁମ୍ଭ ଜଳ ସ୍ନାନ କରି ଚତୁର୍ଦ୍ଧାବିଗ୍ରହ ଜ୍ୱରାକ୍ରାନ୍ତ ହୁଅନ୍ତି। ପ୍ରଭୁଙ୍କର ବ୍ୟାଧିର ନିରାକରଣ ନିମନ୍ତେ ଏକ ପକ୍ଷ ବ୍ୟାପି ଅଣସର ଘରେ ବିବିଧ ଉପଚାର କରାଯାଇଥାଏ।

ଫୁଲୁରି ଲାଗି, ଅଣସର ପଥି-ପଣା, ଦଶମୂଳମୋଦକ ଗ୍ରହଣ ପରେ ମହାପ୍ରଭୁ ସୁସ୍ଥ ହୋଇ
ଭକ୍ତଙ୍କୁ ନବଯୌବନ ଦର୍ଶନ ପ୍ରଦାନ କରନ୍ତି। ଏ ଲୀଳା ସମଗ୍ର ଜଗତରେ ଅଲୌକିକ ଓ
ଅସାଧାରଣ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଏ ପ୍ରକାର ଅଦ୍ଭୁତ ଲୀଳା ପ୍ରତ୍ୟେକ ଭକ୍ତଙ୍କର
ଚିତ୍ତକୁ ଦ୍ରବିଭୁତ କରି ମାନବୀୟ ଛଟାର ଷ୍ପଷ୍ଟ ସ୍ୱାକ୍ଷର ବହନ କରିଥାଏ। ଏ ସମୟରେ
ମହାପ୍ରଭୁଙ୍କର ଅନ୍ୟ ଏକ ସ୍ୱରୂପ ପଟ୍ଟବ୍ରହ୍ମ ଭାବରେ ସେବା ଗ୍ରହଣ କରିବାର ବ୍ୟବସ୍ଥା
ଦେଖିବାକୁ ମିଳିଥାଏ। ବ୍ରହ୍ମଗିରିରେ ଶ୍ରୀ ଅଲାରନାଥଙ୍କର ଆରଧନାର ଏକ ବିସ୍ତୃତ ପର୍ଯ୍ୟାୟ ଅନବସର ଅବସରରେ ଦେଖିବାକୁ ମିଳେ।

ସମ୍ପାନର ଅତିଥି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିଲୀପ ରାଉତରାଏ ଜଗନ୍ନାଥଙ୍କ ଅଲୌକିକ ଘଟଣାବଳୀର ଏକ ଅନୁଭୁତି ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ଯେ ଭଗବାନ ବର୍ତ୍ତମାନର ସଂରଚନା କରିଛନ୍ତି । ଆମେ ବର୍ତ୍ତମାନ ଦେଖି ଭବିଷ୍ୟତର ପରିକଳ୍ପନା କରିଥାଉ କିନ୍ତୁ ଯଦି ଆମେ କିଛି ଆଶା କରିବା ନାହିଁ, ନିଜର କର୍ମ ଏବଂ କର୍ତ୍ତବ୍ୟ କରିଚାଲିବା ତେବେ ଭଗବାନ ନିଶ୍ଚୟ ଭଲ କରିବେ।

ସମ୍ପାନର ଅନ୍ୟତମ ଅତିଥି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ମଧୁସୂଦନ ଦାଶ କହିଥିଲେ ଯେ ଜଗନ୍ନାଥ ଆମର ଆରାଧ୍ୟ ଦେବତା। ଜଗନ୍ନାଥଙ୍କୁ ଅନୁଭବ କରାଯାଇ ପାରିବ। ମହାପ୍ରଭୁ ଜଗନ୍ନାଥଙ୍କ ମାନବୀୟ ଲୀଳାକୁ ବେଶ ଭଲଭାବରେ ପ୍ରତିପାଦିତ କରନ୍ତି। ମହାପ୍ରଭୁଙ୍କର ନୀତି କାନ୍ତି ଆମକୁ ମନେ ପକାଇ ଦିଏ ଆମ ସଂସ୍କୃତି ଏବଂ ପରମ୍ପରା କେତେ ଜୀବନ୍ତ। ପରିଶେଷରେ ଦର୍ଶକ ଏବଂ ବୁଦ୍ଧିଜୀବୀ ମାନଙ୍କର ବିଷୟ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର

ବଜେଟ୍‌ ମୁଖ୍ୟାଂଶ : ନାରୀ ସୁରକ୍ଷା ପାଇଁ 26 ହଜାର କୋଟି

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍‌ରେ ସରକାରଙ୍କ ପକ୍ଷରୁ ନାରୀ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି । ବେଟି ବଚାଓ ବେଟୀ ପଢାଓ ଯୋଜନାରେ ପ୍ରାୟ 94 ପ୍ରତିଶତ ମହିଳା ଉପକୃତ ହେଉଥିବା ନେଇ ସୀତାରମଣ ଘୋଷଣା କରିଥିଲେ। ମହିଳାଙ୍କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଯୋଜନା ପାଇଁ ସରକାରଙ୍କ ପକ୍ଷରୁ 28 ହଜାର 6 ଶହ କୋଟି ଟଙ୍କାର ବଜେଟ୍‌ ରଖାଯାଇଛି । ସେହିପରି ମହିଳାଙ୍କ ବିବାହ ବୟସ ପୂର୍ବରୁ କରାଯାଉଥିବା ବିବାହକୁ ରୋକିବା ପାଇଁ ଏକ କମମିଟି ଗଠନ କରାଯିବା ନେଇ ସୀତାରମଣ ଘୋଷଣା କରିଛନ୍ତି। ଅପପୁଷ୍ଟିର ମୁକାବିଲା ପାଇଁ 35600 କୋଟି ଟଙ୍କାର ଘୋଷଣା କରାଯାଇଛି। 2021 ସୁଦ୍ଧା ଦେଶର 10 କୋଟି ପରିବାରକୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ସୀତାରମଣ ପ୍ରକାଶ କରିଛନ୍ତି ।
ସେହିପରି ଅନୁସୂଚିତ ଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ବିକାଶ ପାଇଁ 85 ହଜାର କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଥିବା ବେଳେ ଅନୁସୂଚିତ ଜନଜାତି ବର୍ଗର ବିକାଶ ପାଇଁ 53 ହଜାର 700 କୋଟି ଟଙ୍କା ଘୋଷଣା କରାଯାଇଛି ।

ବିମାନ ଚଳାଚଳ କ୍ଷେତ୍ରରେ ମଧ୍ୟ 600 ନୂତନ ବିମାନ ଚଳାଚଳ ପାଇଁ ଘୋଷଣା କରାଯାଇଛି। 2024 ସୁଦ୍ଧା ଦେଶରେ 100ଟି ନୂତନ ବିମାନବନ୍ଦର ନିର୍ମାଣ ସହିତ ବିମାନ ସଂଖ୍ୟ 1200କୁ ବୃଦ୍ଧି କରିବା ପାଇଁ ବଜେଟ୍‌ରେ ଘୋଷଣା କରାଯାଇଛି । ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଘୋଷଣା କରାଯାଇଛି। ପର୍ଯ୍ୟଟନର ବିକାଶ ପାଇଁ 25 ଶହ କୋଟିର ବ୍ୟୟବରାଦ କରାଯାଇଥିବା ବେଳେ ସଂସ୍କୃତିର ପୁନରୁଦ୍ଧାର ପାଇଁ 3150 କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି। ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ 5ଟି ନୂତନ ପର୍ଯ୍ୟଟନ ସ୍ଥଳର ବିକାଶ ନେଇ ଘୋଷଣା କରାଯାଇଛି। କୋଲକାତାରେ ଅବସ୍ଥିତ ଇଣ୍ଡିଆନ୍‌ ମ୍ୟୁଜିୟମ୍‌ର ପୁନରୁଦ୍ଧାର କରାଯିବା ସହିତ ରାଞ୍ଚିରେ ଏକ ଜନଜାତି ସଂଗ୍ରହାଳୟ ନିର୍ମାଣ କରାଯିବା ନେଇ ଘୋଷଣା କରାଯାଇଛି ।

Categories
ଆଜିର ଖବର

ଶେୟାର ଆଣ୍ଡ କେୟାର ଭାରତର ସଂସ୍କୃତି : ନାଇଡୁ

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ସୋମବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏକ ଘରୋଇ ସ୍କୁଲର କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଅଭିଭାଷଣ ରଖିଛନ୍ତି। ପ୍ରଥମେ ସେ ଉତ୍କଳ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ସ୍କୁଲ କେବଳ ପାଠ ପଢିବା ପାଇଁ ନୁହେଁ, ଦେଶ ନିର୍ମାଣରେ ଏହାର ମୁଖ୍ୟ ଭୂମିକା ହେବା ଉଚିତ। ଦୀର୍ଘଦିନର ବ୍ରିଟିଶ ଶାସନ ଯୋଗୁ ଆମ ଇତିହାସ ପାଠ୍ୟକ୍ରମ ବଦଳିଛି- ଚିନ୍ତା ବଦଳିଛି। ଆମ ସଂସ୍କୃତି ଓ ଐତିହ୍ୟକୁ ଆମ ପାଠ୍ୟକ୍ରମରେ ସାମିଲ କରିବା ଉଚିତ। ମାତୃଭାଷାକୁ ସବୁବେଳେ ଗୁରୁତ୍ୱ ଦେବା ଉଚିତ। ଗୁଗଲ କେବେ ଗୁରୁଙ୍କ ସ୍ଥାନ ନେଇ ପାରିବ ନାହିଁ। ଶେୟାର ଆଣ୍ଡ କେୟାର ଭାରତର ସଂସ୍କୃତି ବୋଲି ସେ ନିଜ ଅଭିଭାଷଣରେ କହିଛନ୍ତି।। ସେ କହିଛନ୍ତି, “ଦୀର୍ଘ ଦିନର ବ୍ରିଟିଶ ଶାସନ ଯୋଗୁଁ ଆମ ଇତିହାସ ପାଠ୍ୟକ୍ରମ ସହ ଆମର ଚିନ୍ତା ବଦଳିଛି। ଆମ ସଂସ୍କୃତି-ଐତିହକୁ ଆମ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ପଡିବ।ଛାତ୍ରଛାତ୍ରୀଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି ଉପ-ରାଷ୍ଟ୍ରପତି। ୫ଟି କଥା ମନେ ରଖିବାକୁ ପିଲାଙ୍କୁ ଭେଙ୍କେୟା ନାଇଡୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, “ଘରେ ମାତୃଭାଷା କୁହ। ମମି ନୁହେଁ ମା’ କୁହ। ବାପା-ମାଆଙ୍କୁ ଅବହେଳା କର ନାହିଁ। ନିଜ ଦେଶ କି ରାଜ୍ୟକୁ ଭୁଲନି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବାପରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର୍‌ ଗଣେଶ ଲାଲ୍‌ ଏବଂ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସ୍ୱାଗତ କରିଥିଲେ। ସେ ପୂର୍ବ ନିର୍ଦ୍ଧାରିତ ସମୟର ୧୦ ମିନିଟ୍‌ ପୂର୍ବରୁ ବିମାନବନ୍ଦରରେ ପହଞ୍ଚିଥିଲେ।

Categories
ବିଶେଷ ଖବର ସଂସ୍କୃତି

ସରକାରୀ ପୁସ୍ତକ ମେଳାର ର ନିମନ୍ତ୍ରଣ; ବିଶ୍ଵସ୍ତରୀୟ ଆୟୋଜନରେ ସଫଳ ଓଡିଶା ସରକାର ପୁସ୍ତକମେଳା ଆୟୋଜନରେ ଏତେ ହତାଶିଆ କାହିଁକି ?

ଜ୍ୟୋତି ନନ୍ଦ

ଯେହେତୁ ବର୍ତ୍ତମାନ ଭୁବନେଶ୍ଵରରେ ଚାଲିଥିବା ପୁସ୍ତକମେଳା ଏକ ସରକାରୀ କାର୍ଯ୍ୟକ୍ରମ ସେଦୃଷ୍ଟିରୁ ସେଠିକି ସମସ୍ତ ସରକାରୀ କର୍ମଚାରୀ ଯେଉଁମାନେ ଭୁବନେଶ୍ଵରରେ ଅଛନ୍ତି ସେମାନଙ୍କୁ ପ୍ରଦର୍ଶନୀ ପଡିଆରେ ପ୍ରତ୍ୟହ ସଂଧ୍ୟା ଛଅଟା ପରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଉ।ଯାହା ଫଳରେ ପୁସ୍ତକମେଳା ପରିସର ଆଉ ଯାହାହେଉ ନା କାହିଁକି ଟିକିଏ ଅଧିକ ଗହଳଚହଳ ଥିଲା ଭଳି ଲାଗିବ।

ତାହା ସହିତ ଯଦି ପୁସ୍ତକ ମେଳା ପରିସରରେ ପ୍ରାତ୍ୟହିକ  ଅଭଢାର ସୁବନ୍ଦୋବସ୍ତ ହୁଅନ୍ତା ତେବେ ତାହା ଆମର( ପୁସ୍ତକ) କ୍ଷୁଧାକୁ ଅନେକ ପରିମାଣରେ ବି ପ୍ରଶମିତ କରି ପାରନ୍ତା। କହିବା କଥା ହେଉଛି
ଯେତେବେଳେ ଏଇଟି ଏକ ସରକାରୀ ପ୍ରାୟୋଜିତ କାର୍ଯ୍ୟକ୍ରମ ସେତେବେଳେ ଅନ୍ୟ ସମସ୍ତ ସେହିଭଳି କାର୍ଯ୍ୟକ୍ରମ ରେ  ଭୀଡ-ଉତ୍ପାଦନ ଲକ୍ଷ୍ୟାର୍ଥେ ଯେଉଁ ବ୍ୟବସ୍ଥାମାନ ଥାଏ ତାହା ଏଠାରେ ମଧ୍ୟ ଉପଲବ୍ଧ ରହିବା ବିଧେୟ।

ବିଶେଷ କରି ସମସ୍ତ ସରକାରୀ , ବେସରକାରୀ,ତଥା ଅବସରପ୍ରାପ୍ତ (ବେଶି ଏଇ ଶ୍ରେଣୀକୁ)କର୍ମଚାରୀଙ୍କୁ ଓ  ସମସ୍ତ ବିପିଏଲ୍ ଏପିଏଲ୍ କାର୍ଡ ଧାରୀଙ୍କୁ, ଛାତ୍ରଛାତ୍ରୀଙ୍କୁ ଏହି ସରକାରୀ ପୁସ୍ତକମେଳାରୁ ଶତକଡା ଷାଠିଏ ରିହାତି ରେ ବହି କିଣିବାର ସୁବନ୍ଦୋବସ୍ତ କରାଯାଉ ।ଏହି ରିହାତି ସବସିଡି ଆକାରରେ ସରକାରଙ୍କ ତରଫରୁ ପ୍ରତ୍ୟେକ ପ୍ରକାଶକର ଏକାଉଣ୍ଟକୁ ସିଧାସଳଖ ଟ୍ରାନ୍ସଫର କରିଦିଆ ଯାଉ।

ବାଃ।ନିଜର ଏମିତି ପ୍ରସ୍ତାବରେ ଅନ୍ୟକେହି ନହୁଅନ୍ତୁ ପଛକେ ନିଜେ ଆଗ ସ୍ୱୟଂ ଆନନ୍ଦିତ ହେବା ଉଚିତ।

ଆଗରୁ ହ୍ୱାଟସ୍ ଅପ୍ ରେ ଏହି ପୁସ୍ତକ ମେଳା ସଂପର୍କିତ ନିମନ୍ତ୍ରଣ ପତ୍ରଟିଏ ପାଇବାର ସୁଯୋଗ ହୋଇଛି। ସେମିତି ନିମନ୍ତ୍ରଣ ପତ୍ରଟିଏ ନପାଇ ଥିଲେ ବହୁତ ଆନନ୍ଦିତ ହୋଇଥାନ୍ତି।କାରଣ ସେହି ନିମନ୍ତ୍ରଣ ପତ୍ର ଯୋଗୁ ଉପସ୍ଥିତ ଲେଖକ ଅବଗତ ହେଲା ଅନ୍ୟ ସମସ୍ତ ସରକାରୀ ବ୍ୟବସ୍ଥା ଭଳି ପୁସ୍ତକ ମେଳା ବି ଏକ ବ୍ୟବସ୍ଥା।ଯେଉଁ ବ୍ୟବସ୍ଥା ପଛରେ ରହିଛି ଔପଚାରିକତା ବେଶି ମାତ୍ର ପୁସ୍ତକ ତ ଆଉ ପିଠା କାଳିଆ ଭଳି ଯୋଜନା ନୁହଁ ଯେ ହିତାଧିକାରୀମାନେ ସ୍ଵୟଂ ଆସି ପହଂଚିଯିବେ।ପୁସ୍ତକର ଯେଉଁ ହିତାଧିକାରୀମାନେ ରହିଥାନ୍ତି ବା ପୁସ୍ତକ ସହ ଯେଉଁ ହିତାଧିକାରୀମାନଙ୍କୁ ଯୋଡାଯାଇଥାଏ ସେଥିପାଇଁ ପୁସ୍ତକର ରଚନା,ପ୍ରସ୍ତୁତି ଓ ବିପଣନ ସଂପର୍କରେ ଗଂଭୀର ପରିଚର୍ଚ୍ଚା ଆବଶ୍ୟକ ଏହି ଭଳି ପୁସ୍ତକମେଳାର ପରିସରରରେ।

କିନ୍ତୁ ସରକାରୀ କାର୍ଯ୍ୟକ୍ରମ  ଭଳି ଏକ ଦାପ୍ତରିକ ନିର୍ଦ୍ଦେଶ ସମ ଆନ୍ତରିକତାହୀନ ବ୍ୟବସ୍ଥାକୁ ଏହି ବୟସ୍କ ଲେଖକର ଘୋର ଅପସନ୍ଦ।

ଏହି ଭଳି ଆୟୋଜନରେ ଆମର ପ୍ରଶାସନିକ ବାବୁ ମାନେ କେତେ ସଚେତନ ତାହା ଗୋଟିଏ ମାତ୍ର କଥାରୁ ବୁଝାଯାଇପାରିବ।ପୁସ୍ତକମେଳା ପରିସରରେ   ୨୦ ତାରିଖରୁ ୨୮ ତାରିଖ ଯାଏ ସବୁଦିନ ସଂଧ୍ୟା  ଛଅଟା ବେଳେ “ସାରସ୍ବତ ସଭା” ର ଆୟୋଜନ ହୋଇଛି।ଏହି ସବୁ ସାରସ୍ବତ ସଭା ମାନ କହିବାକୁ ଗଲେ ବିରଳ ସଭା।ବିରଳ ଏଇଥିପାଇଁ ଯେ ପୃଥିବୀର ଅନ୍ୟ କେଉଁ ପୁସ୍ତକମେଳା ପରିସରରେ ଏମିତି ସଭା ହୁଏ ନାହିଁ ଯେଉଁଠି  ନିର୍ଦ୍ଦିଷ୍ଟ କୌଣସି ବିଷୟବସ୍ତୁ ବା ପ୍ରସଂଗ ଅନୁପସ୍ଥିତ ।ମାତ୍ର ସବୁଦିନ ଏଇଠି ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ତାହାର ବିଧିବଦ୍ଧ ତାଲିକା ଏହି ନିମନ୍ତ୍ରଣପତ୍ରରେ ରହିଅଛି।

ପୁସ୍ତକମେଳା ପରିସରରେ ସଭାମାନଙ୍କରେ ପୁସ୍ତକଚର୍ଚ୍ଚା, ସାହିତ୍ୟଚର୍ଚ୍ଚା ଭଳି ଗଂଭୀର ଚର୍ଚ୍ଚା ପରିବର୍ତ୍ତେ ତାହାକୁ ‘ଯାହା ଜାଣ ତାହା’ ଭଳି ଔପଚାରିକ ସଭାରେ ପରିଣତ କରି ନାଚଗୀତକୁ ମୁଖ୍ୟ ଆକର୍ଷଣ ହିସାବରେ ଉପସ୍ଥାପନ କରିବାର ବୌଦ୍ଧିକ ତଥା ସାଂସ୍କୃତିକ ଅପାରଗତା କୁ ଉପସ୍ଥିତ ଲେଖକ ପ୍ରତିବାଦ କରୁଛି।

ତାହା ସହିତ ଆପଣଙ୍କ ଗୋଚରାର୍ଥେ ନିବେଦନ କରିବାକୁ ଚାହିଁବି ସେହି ପୁସ୍ତକ ମେଳାରେ ୨୦ ତାରିଖରୁ ୨୮ ତାରିଖ ଯାଏଁ ସବୁଦିନ ନିୟମିତ ସଂଧ୍ୟା ଛଅଟା ପରର ସଭାରେ ସଭାମୂଖ୍ୟ ବା ସମ୍ମାନୀତ ଅତିଥି ଭାବରେ ଯେଉଁ ମହାନୁଭବ ନିଜର ଉପସ୍ଥିତିକୁ ଜାହିର୍ କରିବେ ବୋଲି ନିମନ୍ତ୍ରଣରେ ଲେଖାଅଛି, ସେ ମହାଶୟଙ୍କର ଅବସରପ୍ରାପ୍ତ ପ୍ରଶାସକ ତଥା ସଂସ୍କୃତି ବିଦ୍ବାନ ଶ୍ରୀଯୁକ୍ତ ବାଳକୃଷ୍ଣନ ଭଳି ଓଡିଶାର ସାମାଜିକ ଜୀବନ ଓ ସାହିତ୍ୟ ଓ ସଂସ୍କୃତି ଉପରେ ସେମିତି କୌଣସି ଉଲ୍ଲେଖଯୋଗ୍ୟ ବିଦ୍ୱତା ନାହିଁ।ତାଙ୍କୁ ଅନ୍ୟକେହି ଶୁଣିବାରେ ଆଗ୍ରହ ରଖିଥାଇ ପାରନ୍ତି କିନ୍ତୁ ଉପସ୍ଥିତ ଲେଖକ ସେଥିରେ ନିଜ ସମୟର ନିର୍ଘାତ୍ ଅପଚୟ ବୋଲି ମନେ କରିବ।ନିମନ୍ତ୍ରଣ ପତ୍ରରେ ନାଆଁ ରହିଥିବା କାରଣରୁ ସେ ମହାନୁଭବ ଜଣକ ସରକାରୀଭାବେ ନିଶ୍ଚିତ  ପ୍ରଖର ପୁସ୍ତକ ପ୍ରେମୀ ଓ ବିଦ୍ବାନ ହୋଇଥିବେ। ସେ ହେଉଛନ୍ତି ଶ୍ରୀଯୁକ୍ତ ପ୍ରମୁଖ ସଚିବ,ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ।

ସଭାମୁଖ୍ୟ ବା ସମ୍ମାନୀତ ଅତିଥି ନୁହଁ, ସଭାପରେ ସେ ମହାଶୟ ସରକାରୀ କାର୍ଯ୍ୟକ୍ରମ ହେତୁ ଔପଚାରିକ ଧନ୍ୟବାଦ ପ୍ରଦାନ କରିବାରେ କୌଣସି ଅସୁବିଧା ନାହିଁ।ସେହି କାମଟି ସେ କରିବା ଉଚିତ।ସାହିତ୍ୟଚର୍ଚ୍ଚା/ପୁସ୍ତକଚର୍ଚ୍ଚା କାହିଁକି ?ଯଦି ଶ୍ରୀଯୁକ୍ତ ପ୍ରମୁଖ ସଚିବଙ୍କ ସାହିତ୍ୟଚର୍ଚ୍ଚା/ପୁସ୍ତକ ଚର୍ଚ୍ଚା ରେ ମତି ରହିଛି ତେବେ ତାଙ୍କ ପାଇଁ ବାହାରେ ଅନ୍ୟମାନଙ୍କ ଭଳି ପ୍ରଶସ୍ତ କ୍ଷେତ୍ର ଉପଲବ୍ଧ ରହିଛି।ସେଇଠି ସେ ଇଚ୍ଛାମୁତାବକ ବୃହଦାକାର ଗ୍ରନ୍ଥାବଳୀମାନ ଲେଖନ୍ତୁ ଆଉ ଆମ ସାହିତ୍ୟର ଶ୍ରୀବୃଦ୍ଧି କରନ୍ତୁ ।ମାତ୍ର ପାଣ୍ଡିତ୍ୟ ପ୍ରଦର୍ଶନର ଏଇ ସର୍ଟକର୍ଟ ଟିର ଆୟୁଷ ଅତ୍ୟନ୍ତ କ୍ଷଣସ୍ଥାୟୀ ଆମ ବିଚାରରେ। ଆଉ ତାହା କାହିଁକି ?

ଏବେ ଶ୍ରୀଯୁକ୍ତ ପ୍ରମୁଖ ସଚିବ ଓଡିଶାର ଜଣେ ପ୍ରମୁଖ ଜନପ୍ରିୟ ଔପନ୍ୟାସିକଙ୍କର ନାଟକମାନ ପଢିଛନ୍ତି ବୋଲି କହିଥିବାର ଚର୍ଚ୍ଚା ହେଉଛି । ଏଥିରେ କୌଣସି ଅସ୍ୱାଭାବିକତା ନାହିଁ। ସମ୍ଭବତଃ ଏହିଭଳି କେତେକଙ୍କ ଦୃଷ୍ଟି ହେଉଛି ବିରଳ ନାଟକ-ଦୃଷ୍ଟି,ଯାହାକୁ ପ୍ରାଞ୍ଜଳ ଭାବରେ କହିବାର ପ୍ରୟୋଜନ ନାହିଁ।

ଯଦି ଶ୍ରୀଯୁକ୍ତ ପ୍ରମୁଖ ସଚିବ ମହୋଦୟ ପ୍ରତିଦିନ  ଶେଷରେ ନିଜ ସ୍ବାକ୍ଷରିତ ବିଜ୍ଞପ୍ତି ଟିଏ ଦିଅନ୍ତେ ଯେ ଆଜି ଏତିକି ଲୋକ ମେଳା ପରିସରକୁ ଆସିଛନ୍ତି ତାହାହେଲେ ଆମର ଅର୍ଥ କେତେ ପରିମାଣରେ ସଦୁପଯୋଗ ହୋଇଛି ତାହାର ଏକ ବିସ୍ତୃତ ଚିତ୍ର ଆମ ସାମ୍ନାରେ ରହିପାରନ୍ତା। ଆଉ ଯାହା  ପରେ ଯେତେ ଯେତେ ପୁସ୍ତକ ମେଳା ଏଠାରେ ଆୟୋଜନ ହେବ ତାହା  ପାଇଁ  ଏହା ଏକ ଇଣ୍ଡେକ୍ସ ଭଳି କାମ କରିପାରନ୍ତା।ତେଣୁ ସେଠାରେ ସାହିତ୍ୟ ସଭାରେ ବସି କୌଣସି ବିଷୟ ବା ପ୍ରସଂଗ ନଥିବା କାରଣରୁ  ନିଜର ପାଣ୍ଡିତ୍ୟ ର ସହଜ ପ୍ରଦର୍ଶନ କରିବା ଅପେକ୍ଷା ପୁସ୍ତକମେଳା ର ପରିଚାଳନାରେ ସେ  ଅଧିକ ଗଂଭୀର ଭାବରେ ମନଯୋଗୀ ହେଲେ ଅଧିକ ଭଲ ହେବ।

ଆଶା  ମଂଚରୁ ଓହ୍ଲାଇ ଆସିବା ପରେ ଶେଷରେ ଶ୍ରୀଯୁକ୍ତ ପ୍ରମୁଖ ସଚିବ ଆମକୁ ହୁଏତ କହିବେ ତାଙ୍କର ଦକ୍ଷ ପରିଚାଳନାରେ ସମାହିତ ଏହି ପୁସ୍ତକମେଳା ର ବିଶେଷତ୍ବ ଟି କ’ଣ ଓ ଏହା କାହିଁକି ଅନ୍ୟ ଯେତିକି ପୁସ୍ତକମେଳା ଭୁବନେଶ୍ଵରରେ ହେଉଛି ବା ହୋଇ ଆସିଛି ତାହାଠାରୁ ଏହି ବିଶେଷ ପୁସ୍ତକମେଳା “ଅକ୍ଷର” କେଉଁ ଦୃଷ୍ଟିରେ ଶ୍ରେଷ୍ଠ ହେବ ?

ଶ୍ରେଷ୍ଠତ୍ବ ର ପ୍ରଶ୍ନ ଏଇଥିପାଇଁ ଉଠାଯାଉଛି ଯେ ଏହାର ପ୍ରଯୋଜକ ରହିଛନ୍ତି ଆମ ସରକାର। ନିକଟରେ ସଂପନ୍ନ ବିଶ୍ଵ କପ୍ ହକି ଆୟୋଜନ ଭଳି ଏହି ଆୟୋଜନର ସଫଳତା ଓ ଶ୍ରେଷ୍ଠତ୍ୱ ନିହାତି ଆବଶ୍ୟକ।

ଯେଉଁମାନେ ସବୁକଥାକୁ ସମ୍ଭାବିତ ଭୋଟଗଣିତରେ
ଦେଖିଥାନ୍ତି ସେମାନଙ୍କ ପାଇଁ ଏଇ କଥାଟି ମନେ ରଖିବାକୁ ହେବ ଯେ ପୁସ୍ତକମେଳାର ବା ପୁସ୍ତକର ସିଧା ସଳଖ ଭୋଟ ରାଜନୀତି ସହିତ କୌଣସି ସଂପର୍କ ନାହିଁ।ମାତ୍ର ପୁସ୍ତକ ପ୍ରେମୀ ମାନେ ଅପ୍ରତ୍ୟକ୍ଷ ଭାବରେ ଭୋଟଗଣିତକୁ ପ୍ରଭାବିତ କରିପାରିବାର କ୍ଷମତା ରଖିଥାନ୍ତି। ପୁସ୍ତକପ୍ରେମୀଟିଏ ସିଧା ସଳଖ ହୁଏତ ଭୋଟ ଦାନ ସଂପର୍କ ନିଷ୍ପୃହ ରହିଥାଇପାରେ ମାତ୍ର ସେ ସବୁବେଳେ ହିଁ ସବୁ ଭୋଟ୍ ର ପଛରେ ଥିବା ଓପିନିଅନ୍ ମେକର ହିସାବରେ ଅବତୀର୍ଣ୍ଣ ହୋଇଥାଏ।ତେଣୁ ପୁସ୍ତକପ୍ରେମୀ ମାନେ କୌଣସି ଦଳର ଅସଂଲଗ୍ନ ମୁଖପାତ୍ର ହିସାବରେ କାର୍ଯ୍ୟ କରିଥାନ୍ତି। ଏମାନେ ଚା’ ଦୋକାନରେ ବା ବିଭିନ୍ନ ପବଲିକ ସ୍ପେସ୍ ରେ ପୁସ୍ତକର ଚର୍ଚ୍ଚା କରିବା ଭିତରେ ଗୋଟିଏ ଦଳ ପ୍ରତି ପଜିଟିଭ ଜନମତ ନିଜ ଅଜାଣତରେ ତିଆରି କରିଥାନ୍ତି।ଏହାକୁ ମାନେ ପୁସ୍ତକମେଳା ଭଳି କାର୍ଯ୍ୟକ୍ରମକୁ ଯଦି କେହି ସେମିତି ଗୁରୁତ୍ୱହୀନ ଏବଂ ଜନ ମଂଗଳ ର ଅପରିହାର୍ଯ୍ୟ ତାଲିକାରେ ନିମ୍ନସ୍ଥାନ ଦେଉଥାଏ ତେବେ  ତାହା ଦୁର୍ଭାଗ୍ୟ।ଏହା ପିଠା,କାଳିଆ ଭଳି  ଜନମତକୁ ଅଧିକ ପ୍ରଭାବିତ କରିବାର ସାମର୍ଥ୍ୟ ରଖିଛି।

ସେ ଯାହାହେଉ ପରିଶେଷରେ ଆମେ ଜାଣୁ ଯେ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଜଣେ ଲେଖକ ଓ ପ୍ରଖର ପୁସ୍ତକପ୍ରେମୀ।ପୁସ୍ତକର ମର୍ଯ୍ୟଦା ସେ ଯଥେଷ୍ଠ ଅଧିକ ବୁଝନ୍ତି।ଆଶା ଏହି ଆୟୋଜନର ସଂଗତି ଆଉ ବିସଂଗତିର  ସେ ଏକ ସମୀକ୍ଷା କରି ଉପଯୁକ୍ତ ପଦକ୍ଷେପ ନେବେ।