Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ଦାନା ସମୀକ୍ଷା, ନଭେମ୍ବର ୨ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରି ନଭେମ୍ବର ୨ ତାରିଖ ସୁଦ୍ଧା ବାତ୍ୟା ଜନିତ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନରେ ହେଲିକପ୍ଟର ଯୋଗେ ବାତ୍ୟାଞ୍ଚଳ ପରିଦର୍ଶନ କରି ସନ୍ଧ୍ୟାରେ ପରିସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ।

ସମିକ୍ଷାପରେ ଗଣ ମାଧ୍ୟମ ଆଗରେ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ସମୁଦାୟ 6210 ଟି ଆଶ୍ରୟସ୍ଥଳରେ 8 ଲକ୍ଷରୁ ଅଧିକ ଲୋକ ରହିଥିଲେ । କିନ୍ତୁ ବର୍ତ୍ତମାନ ପ୍ରାୟ ସମସ୍ତେ ନିଜନିଜ ଘରକୁ ଫେରିଗଲେଣି। ଯେଉଁ କେତୋଟି ଗ୍ରାମ ପଞ୍ଚାୟତରେ ପାଣି ଜମି ରହିଛି ସେଠିକାର ଲୋକମାନେ ଏବେବି ଆଶ୍ରୟସ୍ଥଳୀରେ ଅଛନ୍ତି । ମାତ୍ର 30 ହଜାର ଲୋକ 470 ଟି ଆଶ୍ରୟସ୍ଥଳୀରେ ଅଛନ୍ତି ।

ବିଦ୍ୟୁତ୍ ଯୋଗାଣ ଉପରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମାନ ସୁଦ୍ଧା ପ୍ରାୟ 98 ପ୍ରତିଶତ ବିଦ୍ୟୁତ୍ ଉପଭୋକ୍ତାଙ୍କ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରାଯାଇଛି ।

ସମୁଦାୟ 22 ଲକ୍ଷ 84 ହଜାର ଉପଭୋକ୍ତା ପ୍ରଭାବିତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 22 ଲକ୍ଷ 32 ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସଂଯୋଗ ସ୍ୱଭାବିକ କରାଯାଇଛି। କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଅଳ୍ପ କେତୋଟି ଗ୍ରାମ ପଞ୍ଚାୟତ ଏବେବି ଜଳମଗ୍ନ ଅଛି । ତାହା ସତ୍ତ୍ୱେ ବି ବିଦ୍ୟୁତ୍ ଯୋଗାଣ କାର୍ଯ୍ୟ ଚାଲିଛି ।

ପାଣି କମିବା ପରେ ବିଦ୍ୟୁତ୍ ଯୋଗାଣ ଶତପ୍ରତିଶତ ସ୍ୱାଭାବିକ ହୋଇଯିବ । 7 ହଜାରରୁ ଅଧିକ କର୍ମଚାରୀ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବା ପାଇଁ ନିୟୋଜିତ ଅଛନ୍ତି ବୋଲି ସେ କହିଥିଲେ। ବିଦ୍ୟୁତ୍ ପୁନଃ ଯୋଗାଣ କ୍ଷେତ୍ରରେ ଲୋକମାନେ କର୍ମଚାରୀଙ୍କୁ ସ୍ଵତଃ ପ୍ରବୃତ୍ତ ଭାବେ ସହଯୋଗ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପ୍ରଭାବିତ ଅଞ୍ଚଳର ମ୍ୟୁନିସପାଲଟି ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକରେ ସଫେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅଣପ୍ରଭାବିତ ଅଞ୍ଚଳରୁ ସଫେଇ କର୍ମଚାରୀ ଆଣି ରାସ୍ତାଘାଟ ପରିଷ୍କାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କୃଷି କ୍ଷେତ୍ରର କ୍ଷୟକ୍ଷତି ଉପରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରାରମ୍ଭିକ ଆକଳନରୁ ଜଣାଯାଇଛି ଯେ, କୃଷି କ୍ଷେତ୍ରରେ କେନ୍ଦ୍ରାପଡା ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର 12 ଟି ବ୍ଲକ୍ ର 880 ଟି ଗ୍ରାମ ପଞ୍ଚାୟତ ଓ 4100 ଟି ଗ୍ରାମରେ ପ୍ରାୟ 2 ଲକ୍ଷ 21 ହଜାର 800 ଏକର ଚାଷ ଜମିରେ ଫସଲ କ୍ଷତି ହୋଇଛି । ପ୍ରକୃତ ରିପୋର୍ଟ ଆସିବାପରେ ସହାୟତା ପ୍ରଦାନ କରାଯିବ ବୋଲି ସେ କହିଥିଲେ।

ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ 335 ଟି ଡାକ୍ତରୀ ଦଳ ନିୟୋଜିତ ହୋଇଥିଲେ । ସମୁଦାୟ 4871 ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ଓ ମା ଗୃହକୁ ଅଣାଯାଇଥିଲା। ସେଠାରେ ଏହି ସମୟ ମଧ୍ୟରେ 2,529 ଜଣ ଶିଶୁ ଜନ୍ମ ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସବୁ ପ୍ରମୁଖ ରାସ୍ତା ଗୁଡିକରୁ ପ୍ରାୟ ସବୁ ଅବରୋଧ ହଟି ସାରିଛି ଏବଂ ବର୍ତ୍ତମାନ ଗମନା ଗମନରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଥିଲେ।

ବନ୍ୟା ଭୟ ବର୍ତ୍ତମାନ ଆଉ ନାହିଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବୁଢାବଳଙ୍ଗ ନଦୀ ପୂର୍ବରୁ ବିପଦ ସଂକେତ ଉପରେ ଥିଲା । ତେବେ, ବର୍ତ୍ତମାନ ଜଳସ୍ତର ହ୍ରାସ ପାଇଛି । ଏବେ ଏହା ବିପଦ ସଂକେତ ତଳେ ଅଛି। ବିପଦ ସ୍ତର 8.13 ମିଟର ଥିବା ବେଲେ ବର୍ତ୍ତମାନ ଜଳସ୍ତର 7.20 ମିଟର ଅଛି ବୋଲି ସେ କହିଥିଲେ।

ବିଭିନ୍ନ ଜାଗାରେ ଲୋକଙ୍କ ଘରେ ବାତ୍ୟା ଦ୍ୱାରା ଗଛ ଭାଙ୍ଗି ପଡିଥିବାରୁ ଅଗ୍ନିଶମ ବିଭାଗକୁ ପ୍ରାୟ 6 ହଜାର ଫୋନ୍ କଲ୍ ଆସିଥିଲା ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ଉପରେ ଅଗ୍ନିଶମ ବାହିନୀ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଛି ।

ବାତ୍ୟା ମୁକାବିଲାରେ ଭାରତ ସରକାରଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ସେ କହିଥିଲେ ଯେ ବାତ୍ୟା ସମୟରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ଆବଶ୍ୟକ ପରିମାଣର NDRF ଟିମ୍ ପଠାଇଥିଲେ । ଲୋକଙ୍କ ଜୀବନ ବଞ୍ଚାଇବାରେ ସେମାନଙ୍କ ଭୂମିକା ଖୁବ୍ ସହାୟକ ହୋଇଛି । ଏଥିପାଇଁ “ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛି” ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେହିପରି, ବାତ୍ୟା ମୁକାବିଲା ପାଇଁ 21 ତାରିଖରୁ ସମୀକ୍ଷା ଆରମ୍ଭ କରାଯାଇଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରଥମରୁ ଜିଲ୍ଲାପାଳମାନଙ୍କୁ ଯେଉଁ ସବୁ ନିର୍ଦ୍ଦେଶ ଏବଂ ଦାୟିତ୍ୱ ଦିଆ ଯାଇଥିଲା ସେମାନେ ଦିନରାତି ଏକ କରି ସେସବୁ କାର୍ଯ୍ୟକୁ ସୁଚାର ରୂପେ ସମ୍ପନ୍ନ କରିଛନ୍ତି ।

ରାଜ୍ୟ ସରକାର ଜିରୋ କାଜୁଆଲଟି ଲକ୍ଷ୍ୟ ହାସଲ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ଆପଣମାନଙ୍କ ଜରିଆରେ ମୁଁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ସବୁ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଉଛି । ବିଶେଷ କରି କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜର ଜିଲ୍ଲାପାଳମାନଙ୍କୁ ମୋର ସ୍ୱତନ୍ତ୍ର ଧନ୍ୟବାଦ ।”

ସମୀକ୍ଷା ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ସ୍ଵତନ୍ତ୍ର ରିଲିଫ କମିଶନର ଶ୍ରୀ ଦେଓ ରଞ୍ଜନ କୁମାର ସିଂହ, ପୋଲିସ ମହା ନିର୍ଦ୍ଦେଶକ ଶ୍ରୀ ୱାୟି. ବି. ଖୁରାନିଆ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ବାତ୍ୟା ବେଳେ ବୃଦ୍ଧାଙ୍କୁ ପିଠିରେ ବୋହି ଆଣିଲେ ଆଶାକର୍ମି, ଫୋନ କରି ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା

ଭୁବନେଶ୍ବର: କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆଶା ଦିଦି ଶିବାନୀ ମଣ୍ଡଳଙ୍କ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ଟେଲିଫୋନ୍ ଯୋଗେ କଥାହୋଇ ବାତ୍ୟା ସମୟରେ ମାନବିକତାର ପ୍ରକୃତ ନିଦର୍ଶନ ଦେଖାଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଥିଲେ।

ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆଶା ଦିଦି ଶିବାନୀ ମଣ୍ଡଳ ବାତ୍ୟା ପୂର୍ବରୁ ଖସାମୁଣ୍ଡା ଗାଁର ଲୋକମାନଙ୍କୁ ଆଶ୍ରୟସ୍ଥଳୀକୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରିବାର ଦାୟିତ୍ବ ନେଇଥିଲେ। ଏହି ଦାୟିତ୍ବ ସେ ସୁନ୍ଦରଭାବେ ନିର୍ବାହ କରିଛନ୍ତି। ଗାଁର ଜୈନେକ ବୟସ୍କା ମହିଳା ପାରାଲିସିସ ଆକ୍ରାନ୍ତ ଏବଂ ପ୍ରବଳ ବର୍ଷା ଯୋଗୁଁ ଆଶ୍ରୟସ୍ଥଳକୁ ଯାଇ ପାରୁନଥିଲେ। ଶିବାନୀ ଦିଦି ତାଙ୍କୁ ନିଜ ପିଠିରେ ପକାଇ ଦେଢ କିଲୋମିଟର ଦୂରରେ ଥିବା ଆଶ୍ରୟସ୍ଥଳକୁ ବୋହି ନେଇ କର୍ତ୍ତବ୍ୟ ପାଳନ କ୍ଷେତ୍ରରେ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି।

ମୁଖ୍ୟମନ୍ତ୍ରୀ ଆଶା ଦିଦିଙ୍କ ସହ ଫୋନ୍‌ରେ କଥା ହେବା ପରେ ଜାଣିବାକୁ ପାଇଲେ ଯେ ସେ ଦିନ ସେ ସମୁଦାୟ ୭ଜଣ ବୟସ୍କ ଏବଂ ୨ ଜଣ ପ୍ରସୂତୀଙ୍କୁ ପିଠିରେ ବୋହି ଆଶ୍ରୟସ୍ଥଳକୁ ନେଇଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କର ଏହି ଉତ୍ସର୍ଗୀକୃତ ସେବାର ଉଚ୍ଚ ପ୍ରଶଂସାକରିବା ସହିତ କହିଥିଲେ ଯେ ସରକାର ଏବଂ ମୁଁ ବ୍ୟକ୍ତିଗତ ଭାବେ ତୁମ କାମ ଉପରେ ବହୁତ ଖୁସି।

ମହାପ୍ରଭୁ ଶ୍ରୀ ଜଗନ୍ନାଥ ତୁମକୁ ସବୁବେଳେ ଭଲରେ ରଖନ୍ତୁ। ବିପଦ ବେଳେ ତୁମେ ସମସ୍ତଙ୍କୁ ଏହି ଭଳି ସାହାଯ୍ୟ କରୁଥାଅ। ମୁଖ୍ୟମନ୍ତ୍ରୀ ତାଙ୍କ ପରିବାରର ଭଲମନ୍ଦ ବିଷୟରେ ବୁଝିଥିଲେ ଏବଂ ତାଙ୍କର ଘର ନଥିବାରୁ ଟେଲିଫୋନ୍‌ ଯୋଗେ ରାଜନଗର ବିଡିଓଙ୍କୁ ତାଙ୍କୁ ତୁରନ୍ତ ଏକ ଘର ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଶିବନୀଙ୍କୁ ଅନ୍ୟାନ୍ୟ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ମୁକାବିଲାରେ ସରକାର ସମ୍ପୂର୍ଣ୍ଣ ସଫଳ, ଜିରୋ କାଜୁଆଲ୍‌ଟି ଲକ୍ଷ୍ୟ ହାସଲ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସକାଳୁ ସ୍ୱତନ୍ତ୍ର ରିଲିଫ୍ କମିଶନର କାର୍ଯ୍ୟାଳୟକୁ ଯାଇ ପରିସ୍ଥିତିର ସମୀକ୍ଷା କରିବା ସହିତ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମୀକ୍ଷା ପରେ ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ କାଲି ମଧ୍ୟ ରାତ୍ରରୁ ଆଜି ସକାଳ ୭ଟା ସୁଦ୍ଧା ଭିତରକନିକା ଓ ଧାମରା ମଧ୍ୟବର୍ତ୍ତୀ ଅଞ୍ଚଳରେ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍‌ ହୋଇଛି। ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ଆମେ ଆମର ‘ଜିରୋ କାଜୁଆଲ୍‌ଟି’ ଲକ୍ଷ୍ୟ ହାସଲ କରିଛୁ। ବାତ୍ୟା ମୁକାବିଲାରେ ଆମେ ସମ୍ପୂର୍ଣ୍ଣ ସଫଳତା ହାସଲ କରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟରେ ନିୟୋଜିତ ଥିବା ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ସରକାର ଓ ପ୍ରଶାସନର ତତ୍ପରତା ଯୋଗୁ ପ୍ରାୟତଃ କ୍ଷୟକ୍ଷତି ଘଟି ନାହିଁ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯେଉଁ ସବୁ ଜାଗାରେ ଗଛ ପଡି ରାସ୍ତା ଅବରୋଧ ହୋଇଛି, ଆଜି ଅପରାହ୍ନ ଗୋଟାଏ ସୁଦ୍ଧା ସେସବୁ ହଟାଯିବ। ବିଦ୍ୟୁତ ସରବରାହ ବ୍ୟାଘାତ ହୋଇଥିବା ସ୍ଥାନଗୁଡିକରେ ସନ୍ଧ୍ୟା ୬ଟା ସୁଦ୍ଧା ବିଦ୍ୟୁତ ସଂଯୋଗ ଯୋଗାଇଦିଆଯିବ। ରେଳ ସେବା ମଧ୍ୟ ଆରମ୍ଭ ହୋଇଯାଇଛି। ଭୁବନେଶ୍ୱର ଓ ପୁରୀରୁ ନିର୍ଦ୍ଧାରିତ ସମୟରେ ରେଳ ଚଳାଚଳ କରିବ ବୋଲି ସେ କହିଛନ୍ତି।

ସେହିପରି ବିମାନ ଚଳାଚଳ ସ୍ୱାଭାବିକ ହୋଇଛି। ଆଜି ସକାଳ ୯ଟା ରେ ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରଥମ ବିମାନ ଅବତରଣ କରିଛି। ପ୍ରଭାବିତ ଅଞ୍ଚଳରେ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଓ ମା’ ଗୃହକୁ ସ୍ଥାନାନ୍ତରିତ ହୋଇଥିବା ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୧୬୦୦ରୁ ଅଧିକ ମହିଳା ନବଜାତ ଶିଶୁଙ୍କୁ ସୁରକ୍ଷିତ ଭାବେ ଜନ୍ମ ଦେଇଛନ୍ତି। ଆମ ପାଇଁ ଖୁସିର କଥା ଉଭୟ ମା’ ଓ ଶିଶୁମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ବାତ୍ୟା ‘ଦାନା’ର ପ୍ରଭାବ କମି ଗଲାଣି। ଲୋକମାନେ ଆଶ୍ରୟ ସ୍ଥଳୀରୁ ନିଜ ନିଜ ଘରକୁ ଫେରିବା ଆରମ୍ଭ କଲେଣି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଶେଷ କୃପା ଓ ଆମର ଟିମ୍‌ ସ୍ପିରିଟ୍ ଯୋଗୁ ଆମେ ବାତ୍ୟାର ସଫଳ ମୁକାବିଲା କରିପାରିଲୁ। ମୁଖ୍ୟମନ୍ତ୍ରୀ ଏଥିପାଇଁ ଜନସାଧାରଣ, ପ୍ରଶାସନିକ ଅଧିକାରୀ, ଉଦ୍ଧାରକାରୀ ଦଳ, ଡାକ୍ତରୀ ଦଳ, ପୋଲିସ୍, ଅଗ୍ନିଶମ ବାହିନୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

Categories
ଆଜିର ଖବର ଜାତୀୟ ଖବର ଫଟୋ ଖବର ରାଜ୍ୟ ଖବର

ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପରେ କଣ କଲା ତାଣ୍ଡବ, ଦେଖନ୍ତୁ ଏହି ସବୁ ଫଟୋ

ଭୁବନେଶ୍ବର: ବାତ୍ୟା ଦାନା ଶେଷରେ ସ୍ଥଳଭାଗ ଛାଡିବା ପକ୍ରିୟା ଆରମ୍ଭ କରିଛି। ଗତକାଲି ମଧ୍ୟ ରାତ୍ରୀରେ ଏହା ସ୍ଥଳଭାଗ ସ୍ପର୍ଶ କରିଥିଲା। ଏହାର ଲ୍ୟାଣ୍ଡଫଲ ପକ୍ରିୟା ରାତି ପ୍ରାୟ ୧୨ଟା ୫ରୁ ଆରମ୍ଭ ହୋଇଥିଲା। ରାତି ପ୍ରାୟ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ବାତ୍ୟା ଦାନା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ କରିଥିଲା। ଏହି ସମୟରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ବେଗରେ ବହିଥିଲା ପବନ। ତେବେ ଏହି ସମୟରେ ଯେଉଁ ତାଣ୍ଡବ ଲିଳା କରିଥିଲା ତାହାର ଏହା ହେଉଛି ପ୍ରମାଣ।

ବର୍ତ୍ତମାନ ଦାନା ଭୀଷଣ ବାତ୍ୟାରୁ କେବଳ ବାତ୍ୟାରେ ପରିଣତ ହୋଇଛି। ଆଉ ଏକ ଘଣ୍ଟା ମଧ୍ୟରେ ଏହା ସ୍ଥଳଭାଗରୁ ଅପସରି ଯିବ। ବାତ୍ୟା ପରେ ଅବପାତ, ପରେ ଲଘୁଚାପକୁ ପରିବର୍ତ୍ତନ ହୋଇ ଏହା ଉଭେଇ ଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସରିଲା ବାତ୍ୟା ଦାନାର ପ୍ରକୋପ, ଦୁର୍ବଳ ହୋଇ ସ୍ଥଳଭାଗ ପରିତ୍ୟାଗ କରିବା ଆରମ୍ଭ, ଦେଖନ୍ତୁ Video

ଭୁବନେଶ୍ବର: ଶେଷରେ ବାତ୍ୟାକୁ ନେଇ ଯେଉଁ ଆଶା ଆଶଙ୍କା ଥିଲା ତାହା ଶେଷ ହୋଇଛି। ବାତ୍ୟା ଦାନାର ଲ୍ୟାଣ୍ଡଫଲ ପକ୍ରିୟା ଶେଷ ହୋଇଛି। ବର୍ତ୍ତମାନ ବାତ୍ୟା ସ୍ଥଳଭାଗରୁ ଅପସରି ଯିବା ପାଇଁ ଚେଷ୍ଠା କରୁଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ବର୍ତ୍ତମାନ ଭୀଷଣ ବାତ୍ୟା ଦାନା ଦୁର୍ବଳ ହୋଇ କେବଳ ବାତ୍ୟାକୁ ପରିବର୍ତ୍ତନ ହୋଇଛି। ଏହାପରେ ଅବପାତ ପରେ ଲଘୁଚାପକୁ ପରିବର୍ତ୍ତନ ହୋଇ ଉଭାଇ ଯିବ।

ଗତକାଲି ମଧ୍ୟରାତ୍ରରେ ଭୀଷଣ ବାତ୍ୟା ଦାନା ସ୍ଥଳଭାଗ ସ୍ପର୍ଶ କରିଥିଲା। ଏହାର ଲ୍ୟାଣ୍ଡଫଲ ପକ୍ରିୟା ରାତି ପ୍ରାୟ ୧୨ଟା ୫ରୁ ଆରମ୍ଭ ହୋଇଥିଲା। ଏହାପରେ ରାତି ପ୍ରାୟ ୧. ୩୦ ରୁ ୩ ଟା ୩୦ ମଧ୍ୟରେ ବାତ୍ୟା ଦାନା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ କରିଥିଲା। ଏହି ସମୟରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ବେଗରେ ପବନ ବହିଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମଧ୍ୟରାତ୍ରରେ ସ୍ଥଳଭାଗ ସ୍ପର୍ଷ କଲା ବାତ୍ୟା ଦାନା, ଘଣ୍ଟାକୁ ପବନ ୧୨୦ କିଲୋମିଟର ପ୍ରବାହିତ

ଭୁବନେଶ୍ବର: ମଧ୍ୟରାତ୍ରରେ ଭୀଷଣ ବାତ୍ୟା ଦାନା ସ୍ଥଳଭାଗ ସ୍ପର୍ଶ କରିଛି। ଏହାର ଲ୍ୟାଣ୍ଡଫଲ ପକ୍ରିୟା ରାତି ପ୍ରାୟ ୧୨ଟା ୫ରୁ ଆରମ୍ଭ ହୋଇଥିଲା। ରାତି ପ୍ରାୟ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ବାତ୍ୟା ଦାନା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ କରିଥିଲା। ଏହି ସମୟରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ବେଗରେ ବହିଥିଲା ପବନ।

ବର୍ତ୍ତମାନ ସ୍ଥଳଭାଗ ଅତିକ୍ରମ କରୁଛି ଦାନା। ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟାର ପଶ୍ଚାତ ଭାଗ ସ୍ଥଳଭାଗରେ ପହଚିଛି। ଏହି ପକ୍ରିୟା ଶେଷ ହେବାକୁ ଆହୁରି ଦୁଇଘଣ୍ଟା ସମୟ ଲାଗିବ ବୋଲି ଅନୁମାନ କରାଯାଇଛି। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିବା ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଆଜି ପୂର୍ବାହ୍ନରେ ଦାନା ଦୁର୍ବଳ ହେବ।

ଏହାର ପ୍ରଭାବରେ ଭିତରକନିକା, ଧାମରା, କେନ୍ଦ୍ରାପଡ଼ାର ପେଣ୍ଠ ସମେତ ବିଭିନ୍ନ ଅଞ୍ଚଳରେ ଚାଳଛପର ଘର ସହ ଅନେକ ଆଜବେଷ୍ଟସ ଘର ନଷ୍ଟ ହୋଇଛି। ସେହିପରି ରାସ୍ତା ଉପରେ ଗଛଡାଳ ଭାଙ୍ଗିପଡିଛି। ଏହି ସମୟରେ ଅଗ୍ନିଶମ ଏବଂ ଓଡ୍ରାଫ ଟିମ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବର୍ତ୍ତମାନ କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବର୍ଷା ଲାଗିରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାତ୍ୟା ଦାନା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଓଡ଼ିଶାରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଛନ୍ତି।

ଆଲୋଚନା ସମୟରେ, ମୁଖ୍ୟମନ୍ତ୍ରୀ ରାଜ୍ୟରେ ଚାଲିଥିବା ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଏହା ସହିତ ଲୋକଙ୍କ ସୁରକ୍ଷା ପାଇଁ ନିଆ ଯାଇଥିବା ସୁରକ୍ଷା ବଳ, NDRF, ODRAF  ଆଦି ମୁତୟନ ସଂପର୍କରେ ମଧ୍ୟ ସୂଚନା ଦେଇଥିଲେ।

ଆଲୋଚନା ପରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସଂପର୍କରେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ସୂଚନା ଯୋଗ୍ୟ ଯେ ଆଜି ଅପରାହ୍ନରେ ମଧ୍ୟ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।

କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ୍ ଶାହା ମଧ୍ୟ ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା, ୩ ଲକ୍ଷରୁ ଅଧିକ ସ୍ଥାନାନ୍ତରିତ, ୨୩୩୮ ଜଣ ଗର୍ଭବତୀଙ୍କୁ ହସପିଟାଲରେ ଭର୍ତ୍ତି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନଠାରେ ବାତ୍ୟା ଦାନା ଦ୍ବାରା କ୍ଷତିଗ୍ରସ୍ତ ହେବାକୁ ଥିବା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର, କଟକ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାପାଳଙ୍କ ସହିତ ବାତ୍ୟା ମୁକାବିଲା ପ୍ରସ୍ତୁତିର ଅଗ୍ରଗତି ସଂପର୍କରେ ଆଲୋଚନା କରିଛନ୍ତି।

ସମୀକ୍ଷା ପରେ ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧୧ଟି ଜିଲ୍ଳାର ୩୮ଟି ବ୍ଲକର ୧୬୫୩ଟି ଗ୍ରାମ , ୯ଟି ପୌରାଞ୍ଚଳ ଓ ୨୬ଟି ୱାର୍ଡ ଏହି ବାତ୍ୟା ଦ୍ବାରା ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହି ସବୁ ଅଞ୍ଚଳରେ ଥିବା ତଳିଆ ଓ ବିପଦଶଙ୍କୁଳ ଅଞ୍ଚଳରୁ ସମୁଦାୟ ୩,୬୨,୦୦୦ ଲୋକଙ୍କୁ ସ୍ଥାନାନ୍ତରିତ କରିବାର ଲକ୍ଷ୍ୟ ରହିଛି। ଆଜି ଦିନ ୧୧ଟା ସୁଦ୍ଧା ୩ଲକ୍ଷ ରୁ ଉର୍ଦ୍ଧ୍ବ ଲୋକଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଉ କିଛି ଘଣ୍ଟା ମଧ୍ୟରେ ସ୍ଥାନାନ୍ତର ପ୍ରକ୍ରିୟାରେ ଶତ ପ୍ରତିଶତ ସଫଳତା ହାସଲ ହେବ ବୋଲି ସେ କହିଥିଲେ।

ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ୨୩୩୮ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ଡାକ୍ତରଖାନା ଓ ମା’ ଗୃହକୁ ସ୍ଥାନାନ୍ତର କରାଯାଇଛି ବୋଲି ସେ କହିଥିଲେ। ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ବାତ୍ୟା ପ୍ରସ୍ତୁତିର ସମୀକ୍ଷା ଅବସରରେ ସ୍ଥାନାନ୍ତରଣ କରିବା ପକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସଂପ୍ରତି ଏହି ସବୁ ଜିଲ୍ଲା ଗୁଡିକରେ ୮୪୨ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଓ ୬୪୪୩ଟି ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ମିଶାଇ ସମୁଦାୟ ୭୨୮୫ଟି ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ଅଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ମଧ୍ୟ ଓଡିଶାର ବାତ୍ୟା ପରିସ୍ଥିତି ଉପରେ ନଜର ରଖିଛନ୍ତି । ବାତ୍ୟା ମୁକାବିଲା ପାଇଁ ଆବଶ୍ୟକୀୟ ସମସ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବାକୁ ସେ କହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କ୍ଷତିଗ୍ରସ୍ତ ସମ୍ଭାବନେ ଥିବା ୧୧ଟି ଜିଲ୍ଲାକୁ ଅଭିଜ୍ଞତା ସଂପନ୍ନ ବରିଷ୍ଠ ଆଇଏସ ଅଧିକାରୀଙ୍କୁ ପଠା ଯାଇଛି। ସେମାନେ ପଞ୍ଚାୟତ ଓ ଗାଁ ସ୍ତର ପର୍ଯ୍ୟନ୍ତ ଯାଇ ସ୍ଥାନାନ୍ତର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି। ରାଜ୍ୟ ମନ୍ତ୍ରୀ ମଣ୍ଡଳର ୯ ଜଣ ମନ୍ତ୍ରୀ ମଧ୍ୟ ପ୍ରଭାବିତ ଜିଲ୍ଳା ଗୁଡିକରେ ଉପସ୍ଥିତ ରହି ଏହି କାର୍ଯ୍ୟକୁ ତଦାରଖ କରି ସରକାରଙ୍କୁ ତଥ୍ୟ ପ୍ରଦାନ କରୁଛନ୍ତି।

ଅଶ୍ରୟସ୍ଥଳରେ ଥିବା ଲୋକଙ୍କୁ ନିୟମିତ ଭାବେ ରନ୍ଧାଖାଦ୍ୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ପୋଲିସ ମୁତୟନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଥିଲେ।

ଆଜି ଜିଲ୍ଲାପାଳ ମାନଙ୍କ ସହିତ ଆଲୋଚନାରେ ମୁଖ୍ୟମନ୍ତ୍ରୀ ଶତ ପ୍ରତିଶତ ସ୍ଥାନାନ୍ତରଣ, ଜିରୋ କାଜୁଆଲ୍‌ଟି, ଡାକ୍ତରଖାନା ଗୁଡ଼ିକରେ ନିରବଛିନ୍ନ ବିଦ୍ୟୁତ୍ ସେବା, ପ୍ରଭାବିତ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର କିରୋସିନ, ପେଟ୍ରୋଲ, ଡିଜେଲ ମହଜୁଦ ରଖିବା, ଆଶ୍ରୟସ୍ଥଳୀ ଗୁଡ଼ିକୁ ରନ୍ଧା ଖାଦ୍ୟ ଯୋଗାଣ ସହିତ ଶୌଚାଳୟକୁ ସଫା ସୁତାର ରଖିବା ଉପରେ ଗୁରୁତ୍ଵ ଦେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବାତ୍ୟା କ୍ଷତିଗ୍ରସ୍ତ ବିଦ୍ୟୁତ୍ ଖୁଣ୍ଟ ଓ ଟ୍ରାନସଫର୍ମର ଗୁଡ଼ିକର ତୁରନ୍ତ ମରାମତି କରି ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ପୁନଃକ୍ଷମ (Restore) କରିବା ପାଇଁ ଅତିରିକ୍ତ ଟିମ୍ ମହଜୁଦ ରଖିବାକୁ ଜିଲ୍ଲାପାଳ ମାନଙ୍କୁ ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ସବୁ ଜିଲ୍ଲାଗୁଡିକରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ନିମନ୍ତେ NDRFର ୧୯ଟି ଟିମ୍ ଓ ODRAF ର ୫୧ଟି ଟିମ୍ ଏବଂ ଅଗ୍ନିଶମ ବାହିନୀର ୨୨୦ଟି ଟିମ୍ ମୁତୟନ ଅଛନ୍ତି । ଏଥି ସହିତ ୧୫୭ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ନିୟୋଜିତ ଅଛନ୍ତି। ପ୍ରଭାବିତ ଅଞ୍ଚଳରେ ମନୁଷ୍ୟ ଓ ଗୃହପାଳିତ ପଶୁ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ୯୨ଟି ଡାକ୍ତରୀ ଟିମ୍ ଓ ୫୮ଟି ପ୍ରାଣୀ ସମ୍ପଦ ଚିକିତ୍ସା ଟିମ୍ ମୁତୟନ ଅଛନ୍ତି।

ଗୃହପାଳିତ ପଶୁମାନଙ୍କୁ ବାନ୍ଧି ନରଖି ଖୋଲା ରଖିବା ପାଈଁ ଲୋକମାନଙ୍କୁ ପରାମର୍ଶ ଦେବାପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ କହିଥିଲେ। ଗୃହପାଳିତ ପଶୁ ମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ପଶୁ ଖାଦ୍ୟ ଯୋଗାଇଦେବା ପାଇଁ ସେ କହିଥିଲେ।

ସମୀକ୍ଷା ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଡିକେ ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ ବି ଖୁରାନୀଆ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବମାନେ ଉପସ୍ଥିତ ଥିଲେ। ବାତ୍ୟା ସମ୍ଭାବନା ଥିବା ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Cyclone Dana Pre Impact: ବାଲେଶ୍ବରରେ ଆରମ୍ଭ ହୋଇଗଲାଣି ତାଣ୍ଡବ, ଗଛ ଉପୁଡି ରାସ୍ତା ଅବରୋଧ

Cyclone Dana Pre Impact: ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପୂର୍ବରୁ ବର୍ତ୍ତମାନଠାରୁ ଡରାଇବା ଆରମ୍ଭ କଲାଣି। ସମୁଦ୍ର ଉପକୂଳ ଅଞ୍ଚଳରେ ପବନ ସହିତ ପ୍ରବଳ ବର୍ଷା ଯୋଗୁଁ କ୍ଷୟକ୍ଷତି ଆରମ୍ଭ ହୋଇଯାଇଛି। ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହେବାରେ ଲାଗିଛି। ଏହାର ପ୍ରଭାବ ବର୍ତ୍ତମାନ ବାଲେଶ୍ବର ଜିଲ୍ଲାରେ ପରିଲକ୍ଷିତ ହୋଇଛି।

ବାଲେଶ୍ବର ବସ୍ତା ଅଞ୍ଚଳରେ ଗତକାଲି ରାତିରୁ ଗଛ ଉପୁଡି ରାସ୍ତା ଅବରୋଧ ହୋଇଛି। ବସ୍ତା ବ୍ଲକର ବୃନ୍ଦାବନପୁର ଗ୍ରାମରେ ବହୁ ଗଛ ଉପୁଡି ପଡିଥିବାର ଦେଖାଯାଇଛି। ଏହି ଖବର ଜାଣିବା ପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫା କରିବାରେ ଲାଗିଛନ୍ତି। ସେହିପରି ଚାଳଘର ଗୁଡିକର ଅବସ୍ଥା ମଧ୍ୟ ତଦୃପ। ଯଦି ବାତ୍ୟା ଆସିବା ପୂର୍ବରୁ ଏପରି ସ୍ଥିତି ତେବେ ବାତ୍ୟା ଆସିଲେ କଣ ହେବ ବୋଲି ଲୋକେ ଭୟଭିତ ହୋଇପଡିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅସ୍ତରଂଗରେ ବାତ୍ୟାର ପ୍ରଭାବ, ରାସ୍ତା ଉପରେ ଉପୁଡି ପଡିଲା ଗଛ, ଅଗ୍ନିଶମ କର୍ମଚାରୀ ନିୟୋଜିତ

ଭୁବନେଶ୍ବର: ବାତ୍ୟା ଦାନାର ପ୍ରଭାବ ଗତକାଲି ରାତିରୁ ଆରମ୍ଭ ହୋଇଯାଇଛି। ପାରାଦୀପ, ଜଗତସିଂହପୁର ବାଲେଶ୍ବର ଭଦ୍ରକରେ ଏହାର ତାଣ୍ଡବ ଆରମ୍ଭ ହୋଇସାରିଛି। ସେହିପରି ପୁରୀ ଜିଲ୍ଲା ଅସ୍ତରଂଗରେ ମଧ୍ୟ ବାତ୍ୟାର ପ୍ରଭାବ ପରିଲକ୍ଷିତ ହୋଇଛି। ଗତକାଲି ରାତିରେ ପ୍ରବଳ ବର୍ଷା ହେବା ସହିତ ପବନ ମଧ୍ୟ ପ୍ରବାହିତ ହେଉଛି। ଫଳରେ ରାସ୍ତାଘାଟରେ ଗଛ ଉପୁଡି ପଡିଯାଇଛି।

ସେଠାରେ ସଜାଗ ଥିବା ଅଗ୍ନିଶମ ବିଭାଗ ଏହି ଘଟଣା ପରେ ରାସ୍ତା ସଫା କାମ କରିବା ଲାଗିଯାଇଛନ୍ତି। ଗତକାଲି ରାତିରୁ ଅସ୍ତରଂଗର ବିଭିନ୍ନ ସ୍ଥାନରେ ଅଗ୍ନିଶମ କର୍ମଚାରୀ କଟର ସାହାଯ୍ୟରେ ଗଛ କାଟିବା ସହିତ ରାସ୍ତାରୁ ତାହାକୁ ହଟାଉଛନ୍ତି। ତେବେ ବର୍ଷା ପରିମାଣ ଓ ପବନ ବେଗ ବୃଦ୍ଧି ପାଉଥିବାରୁ ଏହି କ୍ଷତି ଆହୁରି ପରିଲକ୍ଷିତ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ଅଞ୍ଚଳରେ ବାତ୍ୟା ମୁକାବିଲା ପାଇଁ ସମୀକ୍ଷା କଲେ ଉପଜିଲ୍ଲାପାଳ

ବାଣପୁର(ସୀତାରାମ ଅଗ୍ରୱାଲ): ସମ୍ଭାବ୍ୟ ବାତ୍ୟା ଦାନା କୁ ଦୃଷ୍ଟିରେ ରଖି ବୁଧବାର ଦିନ ଖୋର୍ଦ୍ଧା ଉପଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠୀ ବାଣପୁର ଓ ଚିଲିକା ବ୍ଲକ ପରିଦର୍ଶନ କରି ସ୍ଥାନୀୟ ପ୍ରଶାସନ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ତଦାରଖ କରିଥିଲେ।

ଏହି ଅବସରରେ ଉପ ଜିଲ୍ଲପାଳ ଶ୍ରୀ ସେଠି ସାମ୍ଭାବ୍ୟ ବାତ୍ୟା କୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ପ୍ରସ୍ତୁତ ଥିବା ଗଣମାଧ୍ୟମକୁ କହିଥିଲେ। ଉଭୟ ବ୍ଲକ କର୍ତ୍ତୃପକ୍ଷଙ୍କୁ ବାତ୍ୟା ସମୟରେ ନାଗରିକଙ୍କ ସ୍ଥାନାନ୍ତରିକରଣ ପ୍ରକ୍ରିୟା ସମ୍ବନ୍ଧୀୟ ପ୍ଲାନ ସମ୍ପର୍କରେ ଅବଗତ କରାଯାଇଛି।

ସମସ୍ତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳି ଏବଂ ସାମୟିକ ବାତ୍ୟା ଆଶ୍ରୟସ୍ଥଳିକୁ ସଜାଗ ରଖାଯାଇଛି ଏବଂ ଆବଶ୍ୟକସ୍ଥଳେ ଲୋକମାନଙ୍କୁ ସ୍ଥାନାନ୍ତରଣ କରାଯିବ। ସେଠାରେ ବିଦ୍ୟୁତ, ପାଣି, ଶୁଖିଲା ଖାଦ୍ୟ ସହ ଜେନେରେଟରର ବ୍ୟବସ୍ଥା ହୋଇଥିବା ଜଣାପଡିଛି।

ଉଭୟ ବ୍ଲକର ସମସ୍ତ ପଞ୍ଚାୟତରେ ଜଣେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଅନୁରୂପଭାବେ ଅତ୍ୟାବଶକୀୟ ସାମଗ୍ରୀର କଳାବଜାରୀ ରୋକିବା ପାଇଁ ଯୋଗାଣ ନିରୀକ୍ଷକ ମାନେ ନିରନ୍ତର ପେଟ୍ରୋଲିଂ ଜାରି ରଖିଥିବା ଉପଜିଲ୍ଲାପାଳ କହିଛନ୍ତି। ଉପଜିଲ୍ଲାପାଳ ଙ୍କ ଗସ୍ତବେଳେ ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ, ତହସିଲଦାର ଟି ପଦ୍ମନାଭ ଦୋରା ଓ ଚିଲିକା ବିଡ଼ିଓ ହଳଧର ଶବର ଆଦି ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

Cyclone Dana ପାଇଁ ଓଡିଶା ଅଗ୍ନିଶମ ବିଭାଗର ୧୮୨ ଟି ଉଦ୍ଧାରକାରୀ ଦଳ ନିୟୋଜିତ

ଭୁବନେଶ୍ବର: ବାତ୍ୟା ଦାନାର ସଫଳ ମୁକାବିଲା କରିବା ପାଇଁ ଅଗ୍ନିଶମ ଓ ଜରୁରୀକାଳୀନ ବିଭାଗ ଏହାର ପ୍ରାକ୍ ପ୍ରସ୍ତୁତିକୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଇଛି । ଏହି ଅବସରରେ ଆଜି ପୁଣିଥରେ ଅଗ୍ନିଶମ ଓ ଜରୁରୀକାଳୀନ ସେବାର ମହାନିର୍ଦ୍ଦେଶକ ଡଃ. ସୁଧାଂଶୁ ଷଡଙ୍ଗୀ, ଭା.ପୁ.ସେ. ଏହି ସଂକ୍ରାନ୍ତରେ ଶ୍ରୀ ଦେବେନ୍ଦ୍ର କୁମାର ସ୍ଵାଇଁ, ମୁଖ୍ୟ ଅଗ୍ନିଶମାଧିକାରୀ (ଏସ୍.ଏ.ଜି.), ଶ୍ରୀ ରମେଶ ଚନ୍ଦ୍ର ମାଝୀ, ମୁଖ୍ୟ ଅଗ୍ନିଶମାଧିକାରୀ, ଶ୍ରୀ ପ୍ରଶାନ୍ତ କୁମାର ଦାଶ, ମୁଖ୍ୟ ଅଗ୍ନିଶମାଧିକାରୀ ଓ ଅନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀ ମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ।

ବାତ୍ୟା ଦ୍ଵାରା ପ୍ରଭାବିତ ସମ୍ଭାବ୍ୟ  ବିଭିନ୍ନ ଅଞ୍ଚଳ ଗୁଡିକରେ ଦାୟିତ୍ଵରେ ଥିବା ବରିଷ୍ଠ ଅଧିକାରୀମାନେ ବାତ୍ୟାର ସଫଳ ମୁକାବିଲା ନିମନ୍ତେ ସେମାନେ ଆବଶ୍ୟକ କରୁଥିବା ଉଦ୍ଧାରକାରୀ ଦଳ ଏବଂ ସରଞ୍ଜାମ ବିଷୟରେ ମହାନିର୍ଦ୍ଦେଶକ ମହୋଦୟଙ୍କୁ ଅବଗତ କରାଇଥିଲେ ।

ଶ୍ରୀ ଦେବେନ୍ଦ୍ର କୁମାର ସ୍ଵାଇଁ, ମୁଖ୍ୟ ଅଗ୍ନିଶମାଧିକାରୀ (ଏସ୍.ଏ.ଜି.) ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବର୍ତ୍ତମାନ ସୁଦ୍ଧା ବାତ୍ୟା ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ଜିଲ୍ଲା ଗୁଡିକରେ ସର୍ବମୋଟ ୧୮୨ ଗୋଟି ଉଦ୍ଧାରକାରୀ ଦଳକୁ ପ୍ରଶାସନର ପରାମର୍ଶକ୍ରମେ ବିଭିନ୍ନ ସ୍ଥାନ ମାନଙ୍କରେ ମୁତୟନ କରାଯାଇଅଛି । ପ୍ରତ୍ୟେକ ଦଳକୁ  ବାତ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି ଅବିରତ ଭାବେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିବାପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଯଥା-ପାୱାର ସ, କମ୍ବି ଟୁଲସ୍, ଟାୱାର ଲାଇଟ୍, ପାୱାର ବୋଟ୍, ପ୍ଲାଜମା କଟର ଏବଂ ଅନ୍ୟାନ୍ୟ ଉପକରଣ ଗୁଡିକୁ ଯୋଗାଇ ଦିଆଯାଇଛି।

ଏହି ଦଳ ଗୁଡିକ ବାତ୍ୟା ସମୟରେ ଉପୁଡିପଡିଥିବା ଗଛ ଓ ବିଦ୍ୟୁତ ଖୁଣ୍ଟକୁ କାଟି ରାସ୍ତା ସଫା କରିବା ସହିତ, ପାଣି ଘେରରେ ରହିଥିବା ମଣିଷ ଓ ଜୀବଜନ୍ତୁ ମାନଙ୍କୁ ଉଦ୍ଧାର କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ପ୍ରଭାବିତ ହେବାକୁ ଥିବା ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ଵରେ ରଖାଯିବା ସହ ଜିଲ୍ଲା ପ୍ରଶାସନ ସହ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ଏହି ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ୧୦ ଗୋଟି ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳକୁ ସ୍ଥିତି ଅନୁସାରେ ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ମୁତୟନ କରିବା ଲାଗି ଭୁବନେଶ୍ଵର ଠାରେ ସଜାଗ ରଖାଯାଇଛି।

ଆଜିର ବୈଠକରେ ବାତ୍ୟା ପ୍ରଭାବିତ ହେବାକୁଥିବା ଅଞ୍ଚଳର ଅଗ୍ନିଶମ କେନ୍ଦ୍ର ଗୁଡିକୁ ଛୋଟ ଛୋଟ ଉଦ୍ଧାରକାରୀ ଦଳ ଗଠନ କରି ଲୋକମାନଙ୍କୁ ଆବଶ୍ୟକୀୟ ଜରୁରୀକାଳୀନ ସେବା ପ୍ରଦାନ କରାଇବା ଲାଗି ମହାନିର୍ଦ୍ଦେଶକ, ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ସମ୍ଭାବ୍ୟ ବାତ୍ୟା କୌଣସି କାରଣରୁ ଏହାର ଦିଗ ପରିବର୍ତ୍ତନ କରି ଅନ୍ୟ ଦିଗ ଆଡକୁ ଯଦି ମୁହାଏଁ, ତେବେ ଉଦ୍ଧାରକାରୀ ଦଳ ଗୁଡିକ ନୂତନ ଭାବେ କ୍ଷତିଗ୍ରସ୍ଥ ହେବାକୁଥିବା ଅଞ୍ଚଳ ଗୁଡିକରେ କିପରି ସ୍ୱଳ୍ପ ସମୟ ମଧ୍ୟରେ ନିୟୋଜିତ କରାଯାଇ ପାରିବ, ସେ ଉପରେ ପୂର୍ବରୁ ପ୍ରସ୍ତୁତି ହୋଇ ରହିବା ପାଇଁ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଥିଲେ।

ଏଥି ସହିତ କଟକ, ଭୁବନେଶ୍ଵର, ପୁରୀ ଓ ଅନ୍ୟାନ୍ୟ ସହର ଗୁଡିକର ବାତ୍ୟା ପ୍ରଭାବିତ ସମ୍ଭାବ୍ୟ ଅଞ୍ଚଳ ଗୁଡିକରେ ଜଳ ମଗ୍ନ ହୋଇପଡିଲେ, ଜଳ ନିଷ୍କାସନ ନିମିତ୍ତ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ପମ୍ପ ଗୁଡିକୁ ପ୍ରସ୍ତୁତ ରଖାଯାଇଛି । ରାଜ୍ୟର ପ୍ରଭାବିତ ଅଞ୍ଚଳର ଜନସାଧାରଣ ମାନଙ୍କୁ ବାତ୍ୟା ସମୟରେ କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ତୁରନ୍ତ ନିକଟସ୍ଥ ଅଗ୍ନିଶମ କେନ୍ଦ୍ରକୁ ଖବର ଦେବାଲାଗି, ପରାମର୍ଶ ଦିଆଯାଇଅଛି। ଏଥି ନିମନ୍ତେ ଅଗ୍ନିଶମ ଏବଂ ଜରୁରୀକାଳୀନ ନିର୍ଦ୍ଦେଶାଳୟଠାରେ ବାତ୍ୟା ସଙ୍କ୍ରାନ୍ତୀୟ ନିୟନ୍ତ୍ରଣ କକ୍ଷ (୦୬୭୧-୨୩୦୩୧୦୧) ଖୋଲା ଯାଇ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Cyclone Dana Update: ସ୍ଥଳଭାଗକୁ ସ୍ପର୍ଶ କଲା ବାତ୍ୟାର ବାହାର ଅଂଶ, ପାଣିପାଗ ବିଭାଗର ସୂଚନା

ଭୁବନେଶ୍ବର: ବାତ୍ୟା ଦାନାର ବର୍ତ୍ତମାନ ବାହାର ଭାଗ ବା ଅଂଶ ସ୍ଥଳ ଭାଗ ଛୁଇଁଛି। ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ପାଣିପାଗ ବିଭାଗ ବିଶେଷଜ୍ଞ ଉମାଶଙ୍କର ଦାସ। ସେ କହିଛନ୍ତି ଯେ, ବାତ୍ୟାର ଆଖି ହେଉଛି ଏହାର କେନ୍ଦ୍ରସ୍ଥଳ। ଏହି ଆଖିଠାରୁ ପ୍ରାୟ 500ରୁ 600 କିଲୋମିଟର ପର୍ଯ୍ୟନ୍ତ ତାହାର ବାହାର ଅଂଶ ରହିଥାଏ। ସେହି ଅଂଶ ବର୍ତ୍ତମାନ ସ୍ଥଳ ଭାଗ ଛୁଇଁ ସାରିଲାଣି ବୋଲି ସେ କହିଛନ୍ତି।

ଏହାର ପ୍ରଭାବରେ ବର୍ତ୍ତମାନ ପାରାଦୀପ, ଜଗତସିଂହପୁର, ଧାମରା, ଭଦ୍ରକ ପରି ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଏଥିସହିତ ହାଲକା ପବନ ମଧ୍ୟ ପ୍ରବାହିତ ହେବାରେ ଲାଗିଛି। ଧିରେଧିରେ ବାତ୍ୟାର ଅନ୍ୟ ଅଂଶ ସ୍ଥଳଭାଗ ଆଡକୁ ଆସିବା ପରେ ଏହି ବର୍ଷାର ପରିମାଣ ବଢିବାରେ ଲାଗିବ। ବାତ୍ୟାର ଆଖି ଆସନ୍ତାକାଲି ରାତିରେ କିମ୍ବା ଶୁକ୍ରବାର ଭୋରରୁ ସ୍ଥଳଭାଗ ଛୁଇଁବ। ଏହି ବାତ୍ୟା ଦାନା ଧାମରାରୁ ଭିତରକନିକା ମଧ୍ୟରେ ସ୍ଥଳଭାଗ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ କହିଛି।

Categories
Cyclone ଆଜିର ଖବର ରାଜ୍ୟ ଖବର

Cyclone Update: ବଳବାନ ହେଉଛି ବାତ୍ୟା ଦାନା, ବନ୍ଦରଗୁଡିକରେ ଶେଷ ବିପଦ ସଙ୍କେତ ଜାରୀ

ଭୁବନେଶ୍ବର: ସମୁଦ୍ରରେ ବଳବାନ ହେବାରେ ଲାଗିଛି ବାତ୍ୟା ଦାନା। ସର୍ବଶେଷ ସୂଚନା ଅନୁସାରେ ବାତ୍ୟା ଧାମରା ଏବଂ ଭିତରକନିକା ମଧ୍ୟରେ ସ୍ଥଳଭାଗ ସ୍ପର୍ଶ କରିବ। ତେବେ ଏହି ସମୟରେ ସମୁଦ୍ରରେ ଦୁଇ ମିଟର ପର୍ଯ୍ୟନ୍ତ ଜୁଆର ଉଠିବାର ସମ୍ଭାବନା ରହିଛି। ସେଥିପାଇଁ ଓଡିଶା ଉପକୂଳର ବନ୍ଦରଗୁଡିକରେ ସର୍ବାଧିର ବିପଦ ସଙ୍କେତ 10 ଜାରୀ କରାଯାଇଛି।

ତେବେ ସର୍ବଶେଷ ସୂଚନା ଅନୁସାରେ ବାତ୍ୟା ଦାନା ବର୍ତ୍ତମାନ ପାରାଦ୍ବୀପର ଦକ୍ଷିଣପୂର୍ବ ଦିଗର 520 କିଲୋମିଟର ଦୂରରେ ରହିଛି। ସେହିପରି ପଶ୍ଚିମ ବଂଗର ସାଗରଦ୍ବୀପଠାରୁ ଏହା 600 କିଲୋମିଟର ଦୂରରେ ରହିଛି। ଆଜି ରାତିରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ। ଆସନ୍ତାକାଲି ମଧ୍ୟ ରାତ୍ରୀରେ କିମ୍ବା ଭୋରରେ ବାତ୍ୟା ଦାନା ସ୍ଥଳଭାଗ ଛୁଇଁବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାତ୍ୟା ପାଇଁ ବାତିଲ ହେଲା ଓଏଏସ ପରୀକ୍ଷା, ଓପିଏସସି ତରଫରୁ ଘୋଷଣା

ଭୁବନେଶ୍ବର: ବାତ୍ୟା ଦାନା ପାଇଁ ଆସନ୍ତା 27 ତାରିଖ ରବିବାରରେ ହେବାକୁ ଥିବା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ବାତିଲ କରାଯାଇଛି। ତେବେ ପରବର୍ତ୍ତି ପରୀକ୍ଷା କେବେ ହେବ ସେ ନେଇ ପରେ ଅବଗତ କରାଯିବ ବୋଲି ଓପିଏସସି ତରଫରୁ କୁହାଯାଇଛି। ତେବେ ଏ ନେଇ ପରୀକ୍ଷାର୍ଥୀ ଓପିଏସସି ୱେବସାଇଟରେ ବିସ୍ତୁତ ତଥ୍ୟ ହାସଲ କରିପାରିବେ।

ବର୍ତ୍ତମାନ ବାତ୍ୟା ଦାନା ଆସନ୍ତାକାଲି ସ୍ଥଳ ଭାଗ ଛୁଇଁବ। ପଚିଶ ତାରିଖରେ ଏହାର ପ୍ରବଳ ପ୍ରଭାବ ରହିବ। ଫଳରେ ବିଭିନ୍ନ ସ୍ଥାନରେ ରାସ୍ତାଘାଟ ଭାଙ୍ଗିଯିବା ସହିତ ଗମନାଗମନ ବାଧାପ୍ରାପ୍ତ ହେବ। ଏପରିକି ଟ୍ରେନ ସେବା ମଧ୍ୟ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ପରୀକ୍ଷାକୁ ସ୍ଥଗିତ ରଖାଗଲା ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସୁଛି ବାତ୍ୟା ଦାନା….୯ ଟି ଜିଲ୍ଲାରେ କରିବ ତାଣ୍ଡବ

ଭୁବନେଶ୍ବର: ଆସୁଛି ବାତ୍ୟା ଦାନା। ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିବା ଅବପାତ ବର୍ତ୍ତମାନ ଆଜି ଭୋରରୁ ବାତ୍ୟାରେ ପରିଣତ ହୋଇଛି। ଏ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ବର୍ତ୍ତମାନ ପାରାଦ୍ବୀପଠାରୁ 560 କିଲୋମିଟର ଦୂରରେ ରହିଛି। ସେହିପରି ସାଗରଦ୍ବୀପ ଠାରୁ ଏହା 630 କିଲୋମିଟର ଦୂରରେ ରହିଛି। ଏହା ଘଣ୍ଟା ପ୍ରତି 18 କିଲୋମିଟର ବେଗର ଗତିକରୁଛି ବୋଲି ଜଣାପଡିଛି।

ତେବେ ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ତାହା ହେଲା ଯେ ପ୍ରଭାବତି ଜିଲ୍ଲାଗୁଡିକର ଦାୟିତ୍ବ ମନ୍ତ୍ରୀ ଓ ସଚିବଙ୍କୁ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ୯ଜଣ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇଛନ୍ତି। ଏହାସହ ବାତ୍ୟା ଦ୍ବାରା ଅଧିକ ପ୍ରଭାବିତ ହେବାକୁ ଥିବା ୬ଟି ଜିଲ୍ଲା ପାଇଁ ୬ଜଣ ବରିଷ୍ଠ ଆଇଏଏସଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି। ଜିଲ୍ଲା ପ୍ରଶାସନକୁ ସମସ୍ତ ପ୍ରକାରର ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଓ ଆଇଏଏସଙ୍କୁ ଦାୟିତ୍ବ ଦେଇଛନ୍ତି।

ଗଂଜାମ, ପୁରୀ, ଜଗତସିଂହପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ବର, ମୟୂରଭଂଜ, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପବନ ଓ ବର୍ଷା ହେବ। ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛନ୍ତି। ସେହି ଜିଲ୍ଲାରେ ଓଡ୍ରାଫ, ଏନଡିଆରଏଫ ଏବଂ ଅଗ୍ନିଶମ ବିଭାଗ ସଜାଗ ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Cyclone Big Breaking: ବାତ୍ୟାରେ ପରିଣତ ହେଲା ଗଭୀର ଅବପାତ, ସଜାଗ ରୁହ……

ଭୁବନେଶ୍ବର: ଆଜି ବାତ୍ୟାରେ ପରିଣତ ହୋଇଛି ବଙ୍ଗୋବସାଗରରେ ସୃଷ୍ଟି ହୋଇଥିବା ଅବପାତ। ପାରଦ୍ବୀପ ରାଡରେ ଏହା ବାତ୍ୟା ହେଲା ବୋଲି ସ୍ପଷ୍ଟ ହୋଇଛି। ଏହା ବର୍ତ୍ତମାନ ପାରାଦ୍ବୀପଠାରୁ 560 କିଲୋମିଟର ଦୂରରେ ରହିଛି। ସେହିପରି ସାଗରଦ୍ବୀପ ଠାରୁ ଏହା 630 କିଲୋମିଟର ଦୂରରେ ରହିଛି। ଏହା ଘଣ୍ଟା ପ୍ରତି 18 କିଲୋମିଟର ବେଗର ଗତିକରୁଛି ବୋଲି ଜଣାପଡିଛି।

ଏହି ଦାନା ଆସନ୍ତାକାଲି ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ 100 ରୁ 110 କିଲୋମିଟର ରହିବ ବୋଲି ଅନୁମାନ କରାଯାଇଛି। ପୂର୍ବରୁ ସୂଚନା ଦିଆଯାଇଥିଲା ଯେ, ବାତ୍ୟା ଦାନା 23 ତାରିଖରେ ବାତ୍ୟା ରୂପ ନେବ। ଏହାପରେ 24 ତାରିଖରେ ଭୀଷଣ ବାତ୍ୟା ରୂପ ନେଇ ସ୍ଥଳଭାଗ ଛୁଇଁବ। ଏହା ପୁରୀ ଏବଂ ସାଗର ଦ୍ବୀପ ମଧ୍ୟରେ କୌଣସି ସ୍ଥାନରେ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ କହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Train Cancelled for Cyclone: ବାତ୍ୟା ପାଇଁ ୧୨୪ଟି ଟ୍ରେନ ବାତିଲ କଲା ପୂର୍ବତଟ ରେଳ ବିଭାଗ

ଭୁବନେଶ୍ବର: ସାମ୍ଭବ୍ୟ ବାତ୍ୟାକୁ ନେଇ ପୂର୍ବତଟ ରେଳ ୧୨୪ଟି ଟ୍ରନକୁ ବାତିଲ କରିଛି। ଏ ନେଇ ଖୋର୍ଦ୍ଧା ଡିଆରମ ଅଫିସରୁ ବିଜ୍ଞପ୍ତି ପ୍ରକାଶ କରିଛି। ଯାତ୍ରୀଙ୍କ ସୁରକ୍ଷା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ରେଳ ବିଭାଗ ତରଫରୁ କୁହାଯାଇଛି। ଯେଉଁ ଟ୍ରେନଗୁଡିକ ବାତିଲ ହୋଇଛି ତାହାର ତାଲିକା ରେଳ ବିଭାଗ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛି। ତାହା ହେଲା

ତେବେ ବାତ୍ୟା ପରେ କିପରି ରେଳ ଲାଇନ ସଜଡା ଯିବ ସେ ନେଇ ମଧ୍ୟ ପୂର୍ବତଟ ରେଳବାଇ ଏକ ବୈଠକ କରିଛି। ମୁଖ୍ୟତଃ ଭୁବନେଶ୍ବର ବିଶାଖପାଟନାମ ପର୍ଯ୍ୟନ୍ତ ରେଳ ଧାରଣ ଉପରେ ତୀକ୍ଷ୍ମ ନଜର ରଖିବା ପାଇଁ ନିଷ୍ପତି କରାଯାଇଛି। ଏପରି କ୍ଷେତ୍ରରେ ଯାତ୍ରୀମାନେ ରେଳବାଇକୁ ସହଯୋଗ କରିବା ପାଇଁ ନିବେଦନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

Cyclone Breaking: ବାତ୍ୟା ପାଇଁ କଲେଜ ଓ ବିଶ୍ବବିଦ୍ୟାଳୟ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୧୪ଟି ଜିଲ୍ଲାରେ ୩ ଦିନିଆ କଲେଜ ଓ ବିଶ୍ବବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି । ସେହି ଜିଲ୍ଲାଗୁଡିକ ହେଲା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼ ଓ କଟକ ଜିଲ୍ଲା। ଏହି ଜିଲ୍ଲାର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।

ରାଜ୍ୟରେ ବାତ୍ୟା ‘ଦାନା’ ପାଇଁ ଏହି ୧୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ । ସେଥିପାଇଁ ଆଗୁଆ ପଦକ୍ଷେପ ସ୍ୱରୂପ କଲେଜ ଗୁଡ଼ିକ ଛୁଟି ଘୋଷଣା କରାଯାଇଛି। ଏ ସଂପର୍କରେ ଏସଆରସି ଉଚ୍ଚ ଶିକ୍ଷା ବିଭାଗକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସବୁ ସଚିବଙ୍କୁ ନେଇ ଜରୁରୀ ବୈଠକ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ଆଜି ସଚିବସ୍ତରୀୟ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷା ଓ ବାତ୍ୟା ପରିପ୍ରେକ୍ଷୀରେ ପ୍ରଶାସନିକ ପ୍ରସ୍ତୁତି ସଂପର୍କରେ ସଚିବମାନଙ୍କ ସହିତ ଆଲୋଚନା କରିଥିଲେ।

ଜନସାଧାରଣଙ୍କୁ ସମ୍ଭାବ୍ୟ ବାତ୍ୟା ଓ ବାତ୍ୟା ପରବର୍ତ୍ତୀ ସମୟରେ ଟେଲିଫୋନ୍ ସେବା, ବିଦ୍ୟୁତ୍ ଶକ୍ତି, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା ଯୋଗାଇବା ସହିତ ବାତ୍ୟା ପରେ ପରେ ଶିକ୍ଷାନୁଷ୍ଠାନଗୁଡିକ ଚାଲୁକରିବା ସଂପର୍କରେ ପ୍ରସ୍ତୁତି ନେଇ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ବାତ୍ୟା ହେଲେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ଘଟିଲେ ଗ୍ରାମାଂଚଳ ଓ ସହରାଂଚଳରେ ପାନୀୟ ଜଳ ତୁରନ୍ତ ଯୋଗାଇବା ପ୍ରମୁଖ ଆହ୍ୱାନ ହୋଇଥାଏ।

ସେହିଭଳି ବିଭିନ୍ନ ଡାକ୍ତରଖାନା ମାନଙ୍କରେ ଆବଶ୍ୟକ ଡିଜି/ଜେନେରେଟର ସେଟ୍ ସବୁବେଳେ କାର୍ଯ୍ୟକ୍ଷମ ରହିବାର ନିତାନ୍ତ ଆବଶ୍ୟକତା ରହିଛି। ଏହି ଦୃଷ୍ଟିରୁ ସ୍ଥିତି ଉପରେ ନଜର ରଖି ୨୩ ଓ ୨୪ ତାରିଖରେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧିନରେ ଥିବା ଓଭରହେଡ୍ ପାଣି ଟାଙ୍କି ଗୁଡିକ ଶତ ପ୍ରତିଶତ ପୂର୍ଣ୍ଣ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଶକ୍ତି ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ବିଭାଗ ଏବଂ ଅନ୍ୟ ବିଭିନ୍ନ ସେବା ପାଇଁ ସମନ୍ୱୟ ରଖି ଆବଶ୍ୟକ ଜେନେରେଟର ସେଟ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜେନେରେଟର ସେଟ୍ ଗୁଡିକର ସଚଳ ରହିବା ପାଇଁ ଯାନ୍ତ୍ରିକ ସ୍ଥିତି ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଆବଶ୍ୟକ ସମସ୍ତ କର୍ମଚାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେବାକୁ ପରାମର୍ଶ ଦିଆଯାଇଛି।

ଜେନେରେଟର ସେଟ୍ ଗୁଡିକ ଡିଜେଲ ସହ ପ୍ରସ୍ତୁତ ରଖିବା ସହିତ ଯଥା ଶୀଘ୍ର ସେଗୁଡିକ ଟ୍ରାଏଲ ରନ ( ପରୀକ୍ଷା କରି ପ୍ରସ୍ତୁତ ରଖିବାକୁ) ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବାତ୍ୟା ପରବର୍ତ୍ତୀ ସମୟରେ ଆବଶ୍ୟକ ହେଉଥିବା ସ୍ଥାନ ଓ ଅଂଚଳ ପାଇଁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବା ପାଇଁ ଯଥେଷ୍ଟ ପ୍ରସ୍ତୁତି କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଆବଶ୍ୟକ ଜଳ ସଂଚୟ ରଖିବା, ବାତ୍ୟା ସମୟରେ ଓ ବାତ୍ୟା ପରବର୍ତ୍ତୀ ସମୟରେ ସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଜଳର ଉପଯୁକ୍ତ ବ୍ୟବହାର କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।

ବୈଠକରେ ଗତ ସେପ୍ଟେମ୍ବର ମାସ ସୁଦ୍ଧା ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ବାବଦରେ କରାଯାଇଥିବା ଖର୍ଚ୍ଚ ସଂପର୍କରେ ଉପସ୍ଥାପନ କରାଯାଇଥିଲା ଏବଂ ବଜେଟ ଅନୁମୋଦନ ମୁତାବକ ଅର୍ଥର ଉପଯୋଗକୁ ତ୍ୱରାନ୍ୱିତ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି। ଗତ ବର୍ଷ ତୁଳନାରେ ଚଳିତ ସେପ୍ଚେମ୍ବର ୨୦୨୪ ସୁଦ୍ଧା ରାଜ୍ୟର ନିଜସ୍ୱ ରାଜସ୍ୱ ଆଦାୟ ୧୩.୭୩ ପ୍ରତିଶତ ବୃଦ୍ଧି ଘଟିଥିବା ବୈଠକରୁ ଜଣାଯାଇଛି। ଅନ୍ୟ ସରକାରୀ ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ ଗୁରୁତ୍ୱ ଦେବା ସହିତ ମୁଖ୍ୟ ଶାସନ ସଚିବ ବିଭିନ୍ନ ପ୍ରସଙ୍ଗରେ ସଚିବମାନଙ୍କ ସହିତ ଆଲୋଚନା କରି ଆବଶ୍ୟକ ପରାମର୍ଶ ଦେଇଥିଲେ।

ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ , ରାଜସ୍ୱ ବିଭାଗ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଦେଓ ରଞ୍ଜନ କୁମାର ସିଂ , ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ଜି. ମାଥିଭାଥନନ୍ ଙ୍କ ସମେତ ଅନ୍ୟ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାତ୍ୟା ଆସୁଛି… ଅବପାତରେ ପରିବର୍ତ୍ତନ ହେଲା ଲଘୁଚାପ, ଆସନ୍ତାକାଲି ବାତ୍ୟା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଶକ୍ତି ଗୋଟାଇ ଅବପାତରେ ପରିଣତ ହୋଇଛି। ଆସନ୍ତାକାଲି ଏହା ବାତ୍ୟାରେ ପରିଣତ ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏହାପରେ 24 ତାରିଖରେ ଏହା ଭୀଷଣ ବାତ୍ୟାରେ ପରିଣତ ହେବ।

ପାଣିପାଗ ବିଭାଗ ଅନୁସାରେ ୨୩ ଅକ୍ଟୋବରରେ ଏହା ବାତ୍ୟା ରୂପ ଧାରଣ କରିବ। ୨୪ ଅକ୍ଟୋବର ସକାଳ ସୁଦ୍ଧା ଉତ୍ତର-ପଶ୍ଚିମ ଦିଗକୁ ଯାଇ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବା ସେତେବେ ତାହା ପ୍ରବଳ ବାତ୍ୟାରେ ପରିଣତ ହେବ।୨୪ ଅକ୍ଟୋବର ରାତି ସମୟରେ ପୁରୀ ଏବଂ ସାଗର ଦ୍ୱୀପ ମଧ୍ୟରେ ସ୍ଥଳ ଭାଗ ଛୁଇଁ ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ସେତେବେଳେ ଏହା ୧୦୦-୧୧୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବ।

ଏହାଦ୍ବାରା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଗଜପତି ଜିଲାରେ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ଅନୁମାନ କରାଯାଇଛି । ଏହି ସମୟରେ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ୩୦ରୁ ସେମିରୁ ଊର୍ଦ୍ଧ୍ବ ବର୍ଷା ସମ୍ଭାବନା ମଧ୍ୟ ରହିଛି। ବିଶେଷ କରି ଜଗତସିଂହପୁର, ପୁରୀ, ଗଞ୍ଜାମ ଜିଲାରେ ଅଧିକ ବର୍ଷା ହେବ।