Categories
ବିଶେଷ ଖବର ରାଜ୍ୟ ଖବର

CycloneAlert: ବିପଦ ଟଳିଲା, ଦୁର୍ବଳ ହେଲା ସାମ୍ଭବ୍ୟ ବାତ୍ୟା ‘ଜୱାଦ’, ଜାରୀ ରହିବ ପ୍ରବଳ ବର୍ଷା

ଭୁବନେଶ୍ବର: ସାମ୍ଭବ୍ୟ ବାତ୍ୟା ବର୍ତ୍ତମାନ ସମୁଦ୍ର ଭିତରେ ଦୁର୍ବଳ ହେବାରେ ଲାଗିଛି। ଯାହା ଆଶା କରାଯାଉଥିଲା ତାହା ଆଉ ହେବ ନାହିଁ ବୋଲି ଜଣାପଡିଛି। ତେବେ ଏହା ବର୍ତ୍ତମାନ ଗଭୀର ଅବପାତରେ ପରିଣତ ହୋଇଛି। ଧୀରେଧୀରେ ଏହା ସ୍ଥଳ ଭାଗକୁ ମାଡି ଆସୁଛି। ଆସନ୍ତାକାଲି ଏହି ପୁରୀ ଉପକୂଳ ଛୁଇଁବାର ସମ୍ଭାବନା ରହିଛି।

ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ‘ଜୱାଦ’ ବର୍ତ୍ତମାନ ବିଶାଖପାଟନାମ୍ ର ଦକ୍ଷିଣପୂର୍ବ ଦିଗରେ 230 କିଲୋମିଟର ଦୂରରେ ରହିଛି। ସେହିପରି ଗୋପାଳପୁରରୁ 340 କିଲୋମିଟର, ପୁରୀ ଉପକୂଳରୁ 410 କିଲୋମିଟର ଏବଂ ପାରାଦ୍ବୀପଠାରୁ 490 କିଲୋମିଟର ଦୂରରେ ରହିଛି।

ଆସନ୍ତାକାଲି ମଧ୍ୟାହ୍ନ ବେଳକୁ ଏହା ପୁରୀତଟ ସ୍ଥଳଭାଗରେ ପ୍ରବେଶ କରି ପଶ୍ଚିମ ବଂଗ ଆଡକୁ ଗତି କରିବ। ତେବେ ସ୍ଥଳଭାଗ ଛୁଇଁବା ବେଳକୁ ଏହା ଦୁର୍ବଳ ହୋଇପଡିଥିବା। ଫଳରେ ପବନର ଗତି ହ୍ରାସ ପାଇବ। ହେଲେ ଏହାର ପ୍ରଭାବରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏହାର ପ୍ରଭାବକୁ ଲକ୍ଷ ରଖି ତିନୋଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ ବିଭାଗ। ସେହି ଜିଲ୍ଲାଗୁଡିକ ହେଲା ଗଂଜାମ ପୁରୀ ଏବଂ ଜଗତସିଂହପୁର। ଏହି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିିଛି।

ସେହିପରି ଆଠଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରୀ କରାଯାଇଛି। ସେଗୁଡିକ ହେଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ନୟାଗଡ, ଗଜପତି ଏବଂ ଯାଜପୁର ଜିଲ୍ଲା। ଏହି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେହିପରି କନ୍ଧମାଳ, ରାୟଗଡା, କେଉଁଝର ଏବଂ ମୟୁରଭଂଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି।