Categories
ଆଜିର ଖବର ଜାତୀୟ ଖବର

ଡାମନର ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ଏବଂ ସାଇକେଲ ବିତରଣ କଲେ କେନ୍ଦ୍ରମନ୍ତ୍ରୀ

ଡାମନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ କେନ୍ଦ୍ର ଶାସିତ ଅଞ୍ଚଳରେ ସ୍କୁଲ ଶିକ୍ଷା ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହୋଇଛି। ଏହି ଶିକ୍ଷାନୁଷ୍ଠାନ ଗୁଡିକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ଦିଗରେ ଯୁବଶକ୍ତିଙ୍କ ଉର୍ଜା ଓ ପ୍ରତିଭାକୁ ପ୍ରସ୍ଫୁଟିତ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶୁକ୍ରବାର କେନ୍ଦ୍ର ଶାସିତ ଅଞ୍ଚଳ ଡାମନ ଏବଂ ଡିଉର ଡାମନ ସହରରେ ଥିବା ବିଭିନ୍ନ ସ୍କୁଲ ଓ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଭେଟିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆଜି ଡାମନ ସ୍ଥିତ ମହର୍ଷି ବାଲ୍ମିକୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଟୋକରଖାଡାକୁ ଉଦଘାଟନ କରିଥିଲେ। ସେହିପରି ପଞ୍ଜରାପୋଲ ଏବଂ ସାଉଦ୍ୱାଦୀ ଠାରେ ଡାମନ – ଡିଉ, ଦାଦ୍ରା ନଗର ହାବେଳିରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଲାପଟପ୍ ଏବଂ ସାଇକେଲ ବଣ୍ଟନ କରିଥିଲେ। ଡିଉ’ର ଭନକବରାରେ ଉଚ୍ଚ ମାଧ୍ୟମିକ ଓ ପ୍ରାଥମିକ ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସ୍ଲିଭାସା ସ୍ଥିତ ନମୋ ମେଡିକାଲ ଏଜ୍ୟୁକେସନ ଏବଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ସରକାରୀ ଇଞ୍ଜିନିୟରିଂ କଲେଜ, ରିଙ୍ଗନଓ୍ୱାଡା ସ୍ଥିତ ସରକାରୀ ପ୍ରାଥମିକ ସ୍କୁଲ ପରିଦର୍ଶନ କରିଥିଲେ।

ଏହି ଅବସରରେ ସେ କହିଥିଲେ ଉଦଘାଟିତ ମହର୍ଷି ବାଲ୍ମିକୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଟୋକରଖାଡା ସ୍ଥାନୀୟ ଅଞ୍ଚଳରେ ଶିକ୍ଷା ପ୍ରଦାନ କରିବାରେ ନିଜର ଗୁରୁ ଦାୟିତ୍ୱ ତୁଲାଇବ । ଆଜିର ଏହି ଶିକ୍ଷାମୂଳକ ପଦକ୍ଷେପ ଗୁଡିକ କେନ୍ଦ୍ର ଶାସିତ ଅଞ୍ଚଳରେ ସ୍କୁଲସ୍ତରୀୟ ଶିକ୍ଷାକୁ ସୁଦୃଢ଼ କରିବା ସହ ନୂଆ ସୁଯୋଗ ସୃଷ୍ଟି କରିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଅନାବରଣ ହୋଇଥିବା ଜାତୀୟ ଶିକ୍ଷା ନୀତି ଆତ୍ମନିର୍ଭର ଏବଂ ବିକଶିତ ଭାରତ ପାଇଁ ଦୃଢ ମୂଳଦୁଆ ପକାଇଛି । ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ବିକଶିତ ଭାରତର ଲକ୍ଷ୍ୟକୁ ବାସ୍ତବର ରୂପ ଦେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଏପ୍ରିଲ ମାସରେ ନମୋ ମେଡିକାଲ ଏଜ୍ୟୁକେସନ ଏବଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ, ଯାହାର ଶିଳାନ୍ୟାସ ୨୦୧୯ରେ ମଧ୍ୟ ମୋଦି କରିଥିଲେ। ଏହି ଉତ୍କର୍ଷ କେନ୍ଦ୍ର ସ୍ଥାନୀୟ ଅଞ୍ଚଳରେ ମେଡିକାଲ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଦୃଶ୍ୟପଟ୍ଟକୁ ମଜଭୂତ୍ କରିବାରେ ବିଶେଷ ସହାୟକ ହୋଇଛି। ଏହି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଟେବୁଲ ଟେନିସ୍ ଖେଳିଥିଲେ।

ରିଙ୍ଗନଓ୍ୱାଡା ସ୍ଥିତ ସରକାର ପ୍ରାଥମିକ ସ୍କୁଲକୁ ଗସ୍ତ କରିବା ଅବସରରେ ସ୍କୁଲର ଶୈକ୍ଷିକ ବାତାବରଣକୁ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ। ସେ କହିଥିଲେ ସ୍କୁଲରେ ଅମୃତ ପିଢିଙ୍କୁ ଉଲ୍ଲାସ ଏବଂ ଚାପମୁକ୍ତ ବାତାବରଣରେ ପାଠ ପଢାଇବା ସର୍ବୋଚ୍ଚ ପ୍ରାଥମିକତାରେ ରହିଛି। ଜାତୀୟ ଶିକ୍ଷା ନୀତିରେ ରିଙ୍ଗନଓ୍ୱାଡାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଆମ ଶିଶୁ ମାନଙ୍କର ବିକାଶ ପାଇଁ ବଡ ମୂଳଦୁଆ ପକାଇଛି। ଏହବ୍ୟତିତ ଡାମନ ସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜ ଗସ୍ତ କରି ଶିକ୍ଷା ପ୍ରଦାନ କରିବାରେ ଏହି ବହୁମୁଖୀ ଏକାଡେମିକ୍ ଇନଷ୍ଟ୍ୟୁଚେସନ ବିଶେଷ ଗୁରୁତ୍ୱ ଦେବା ପ୍ରଶଂସନୀୟ। ଏହାର ଶିକ୍ଷା ଭିତ୍ତିଭୂମିରେ ଅତ୍ୟାଧୁନିକ ଭିତ୍ତିଭୂମି ଗୁଡିକ ଶିୈକ୍ଷିକ ପରିବେଶ ଓ ଛାତ୍ରଛାତ୍ରୀଙ୍କ ଅଭିଜ୍ଞତାକୁ ଆଗକୁ ନେଉଛି।

ସେହିପରି ଡାମନର ବରକୁଣ୍ଡ ଗ୍ରାମ ପଞ୍ଚାୟତ ଗସ୍ତ କରିବା ସହ ଡେଭକା ସମୁଦ୍ରକୂଳର ନମୋ ପଥ ବୁଲି ଦେଖିଥିଲେ। ଏହି ଗସ୍ତ କାଳରେ ଡାମନରେ ରହୁଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ଭେଟି ଖୁସି ପ୍ରକାଶ କରିଥିଲେ।

Categories
ବିଶେଷ ଖବର ମନୋରଂଜନ ରାଜ୍ୟ ଖବର ସିନେମା

ସବଡିଭିଜନ ସ୍ତରରେ ପ୍ରଦର୍ଶିତ ହେବ ଚଳଚିତ୍ର ‘ଦମନ’, ହଲ ବୁକ୍ ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ

ଭୁବନେଶ୍ୱର: ଓଡ଼ିଆ ସିନେମା ଦମନର ଲୋକପ୍ରିୟତା ଏବଂ ପ୍ରେରଣାଦାୟୀ ବିଷୟବସ୍ତୁକୁ ଲକ୍ଷ୍ୟକରି ଏହାକୁ ଜିଲ୍ଲା ଏବଂ ସବଡିଭିଜିନ ସ୍ତରରେ ପ୍ରଦର୍ଶନ କରିବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି। ଏଥି ପାଇଁ ଉପଯୁକ୍ତ ସିନେମା ବା ଥିଏଟର ହଲ୍ ବୁକ୍ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମ୍ୟାଲେରିଆ ନିରାକରଣ ପାଇଁ ୨୦୧୬ ମସିହାରେ ରାଜ୍ୟ ସରକାର ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ (ଦମନ) କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏଥିରେ ବିଶେଷତଃ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି, ନୂଆପଡା ଏବଂ କନ୍ଧମାଳ ଆଦି ୮ ଟି ଜିଲ୍ଲାର ପ୍ରାୟ ୮୦୦୦ ମ୍ୟାଲେରିଆ ପ୍ରବଣ ଗ୍ରାମମାନଙ୍କରୁ ଏହି ଘାତକ ଜ୍ୱରର ନିରାକରଣ ଉପରେ ଅଧିକ ଗୁରୁତ୍ୱ ଆରୋପ କରାଯାଇଥିଲା।

କ୍ଷେତ୍ର ସ୍ତରରେ କାର୍ଯ୍ୟରତ ଡ଼ାକ୍ତର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କ ମିଳିତ ଉଦ୍ୟମ ଫଳରେ ମ୍ୟାଲେରିଆ ନିରାକରଣ ଦିଗରେ ଉଲ୍ଲେଖନୀୟ ସଫଳତା ମିଳିଥିଲା। ତେବେ ଏହି ଯୋଜନାର କାର୍ଯ୍ୟାୟନ ସହଜ ଓ ସୁଗମ ନଥିଲା। ପାହାଡ, ଜଙ୍ଗଲ, ନଦୀ ଓ ଝରଣା ପରିବେଷ୍ଟିତ ଦୂରାନ୍ତ ଗ୍ରାମମାନଙ୍କରେ ପ୍ରଚଳିତ ଅନ୍ଧବିଶ୍ୱାଶ, ଅସ୍ୱାସ୍ଥ୍ୟକର ଜୀବନ-ଚର୍ଯ୍ୟା, ଯୋଗାଯୋଗର ଅଭାବ ଆଦି ଏ ଦିଗରେ ବଡ଼ ବଡ଼ ପ୍ରତିବନ୍ଧକ ସାଜିଥିଲା। ଏସବୁକୁ ଅତିକ୍ରମ କରି ‘ଦମନ’ର ସଠିକ୍ କାର‌୍ୟ୍ୟାନ୍ୱୟନ ନିମନ୍ତେ ନିଷ୍ଠାପର ଡ଼ାକ୍ତର ଏବଂ କ୍ଷେତ୍ରସ୍ତରୀୟ କର୍ମଚାରମାନଙ୍କୁ ଅନେକ ତ୍ୟାଗ ଓ କଷ୍ଟ ସ୍ୱୀକାର କରିବାକୁ ପଡିଥିଲା।

ଏହି ବାସ୍ତବିକ କଥାକୁ ଲକ୍ଷ୍ୟକରି ଚଳଚିତ୍ର ଲେଖକ ଦେବୀ ପ୍ରସାଦ ଲେଙ୍କା, ନିର୍ଦ୍ଦେଶକ ଦୀପେନ୍ଦ୍ର ସାମଲ, ନିର୍ଦ୍ଦେଶକ ବିଶାଳ ମୌର୍ଯ୍ୟ ଓଡ଼ିଆ ଫିଲ୍ମ ଦମନ ପ୍ରସ୍ତୁତ କରିଥିଲେ। ସିନେମାର ପ୍ରାକୃତିକ ପ୍ରଚ୍ଛଦପଟ୍ଟ ଏବଂ ବାସ୍ତବିକ କଥାବସ୍ତୁ ଦର୍ଶକମାନଙ୍କୁ ବେଶ ଛୁଇଥିଲା। ଚଳଚିତ୍ରଟିର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଥିଲା। ଏପରିକି ଏହି ସିନେମାଟିକୁ ଗତ ରବିବାର ଦିନ ରାଜ୍ୟ ଲୋକସେବା ଭବନ କନଭେସନ୍ ସେଣ୍ଟର ହଲରେ ପ୍ରଦର୍ଶିତ କରାଯାଇଥିଲା।

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଏହି ସିନେମା ଦେଖି ଏହାର ଉଚ୍ଚ ପ୍ରଶଂସା କରିଥିଲେ। ସିନେମାଟିକୁ ଜିଲ୍ଲାସ୍ତରରେ ପ୍ରଦର୍ଶନ କରିବା ପାଇଁ ମଧ୍ୟ ମହାପାତ୍ର ପରାମର୍ଶ ଦେଇଥିଲେ।

ବିଭିନ୍ନ ସ୍ତରରୁ ଆସିଥିବା ମତାମତକୁ ବିଚାରକରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମାଧ୍ୟମରେ ଏହି ସିନେମାକୁ ଜିଲ୍ଲା ଏବଂ ଉପଖଣ୍ଡ ସ୍ତରରେ ପ୍ରଦର୍ଶିତ କରିବା ପାଇଁ ସ୍ଥିର କରାଯାଇଛି। ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି।

ଏହି ସିନେମା “ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଯୋଜନା ଗୁଡିକର କାର୍ଯ୍ୟାନ୍ୱୟନରେ ଉଭୟ ସରକାରୀ ଅଧିକାରୀ ଓ ଜନସାଧାରଣଙ୍କ ପାଇଁ ପ୍ରେରଣାର ଉତ୍ସ” ହେବବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି। ଏଥିପାଇଁ ଜିଲ୍ଲା ଏବଂ ଉପଖଣ୍ଡ ସ୍ତରରେ ଉପଯୁକ୍ତ ସିନେମା ବା ଥିଏଟର ଅଗ୍ରୀମ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ ରାଜ୍ୟ ଖବର ସିନେମା

ପ୍ରଥମ ଥର ପାଇଁ ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ପ୍ରଦର୍ଶିତ ହେଲା ଚଳଚିତ୍ର ‘ଦମନ’

ଭୁବନେଶ୍ୱର: ମାଲେରିଆ ନିରାକରଣ ଉପରେ ପର୍ଯ୍ୟବସିତ “ଦମନ” ଚଳଚିତ୍ର ଖୁବ୍ ବାସ୍ତବଧର୍ମୀ ଓ ପ୍ରେରଣାଦାୟୀ ହୋଇଥିବାରୁ ଏହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କରମୁକ୍ତ କରିଛନ୍ତି। ବିଭିନ୍ନ ଅଞ୍ଚଳରେ କଷ୍ଟକର ସ୍ଥିତିରେ କାର‌୍ୟ୍ୟକରୁଥିବା ଡାକ୍ତର ଓ ଅନ୍ୟ ଅଧିକାରୀମାନଙ୍କୁ ଏହା ଉତ୍ସାହିତ କରିବ।

ଚଳଚିତ୍ରର, କାହାଣୀ,ଚରିତ୍ର ଓ ଅଭିନୟ ଦୃଷ୍ଟିରୁ ଏହାର ଲୋକପ୍ରିୟତା ବଢିବାରେ ଲାଗିଛି ଓ ଏହା ହିନ୍ଦୀ ଭାଷାରେ ଡବିଂହେବାକୁ ଯାଉଛି। ଫଳରେ ଏହା ଭାରତର ବିଭିନ୍ନ ପ୍ରଦେଶରେ ଲୋକପ୍ରିୟତା ହାସଲ କରିବ। ବିଭିନ୍ନ ଦୁର୍ଗମ ଅଂଚଳରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହଆଗାମୀ ଦିନରେ ଏହାକୁ ସବୁ ଜିଲ୍ଲାରେ ପ୍ରଦର୍ଶିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଛନ୍ତି । ଆଜି ଲୋକସେବା ଭବନ ସ୍ଥିତ କନଭେନସନ ସେଣ୍ଟର ଠାରେ ରାଜ୍ୟପ୍ରଦର୍ଶିତ “ଦମନ” ଚଳଚିତ୍ର ଦେଖିବା ଅବସରରେ ମୁଖ୍ୟ ଶାସନ ସଚିବ ଏହା କହିଛନ୍ତି ।

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ରାଜ୍ୟ ଚଳଚିତ୍ର ଉନ୍ନୟନ ନିଗମ ସହଯୋଗରେ ଆଜି ଦମନ ଚଳଚିତ୍ର ପ୍ରଦର୍ଶନ ବ୍ୟବସ୍ଥା କରାଯାଇଥିଲା। କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅରିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଯୋଗଦେଇଆଗାମୀ ଦିନରେ ଏହିଭଳି ବାସ୍ତବଧର୍ମୀ ଚଳଚିତ୍ରର ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ। ଓଡିଶା ଚଳଚିତ୍ର ନିଗମର ସହଯୋଗ ତଥା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଚଳଚିତ୍ରର ଲୋକପ୍ରିୟତା ଦୃଷ୍ଟିରୁ ଏହାକୁ ପୁନଶ୍ଚ କନଭେନସନ ସେଣ୍ଟରଠାରେ ପ୍ରଦର୍ଶନ କରାଯିବ ବୋଲି ମଧ୍ୟ ସେ କହିଥିଲେ।

ଓଡିଶା ଚଳଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀ ସତ୍ୟବ୍ରତ (କୁନା) ତ୍ରିପାଠୀ କହିଲେ ଯେ, ୮୬ ବର୍ଷର ଓଡିଆ ସିନେମା ଇତିହାସରେ ଏଭଳି ସିନେମା ଏକ ଅଭିନବ ପଦକ୍ଷେପ। ଆଗାମୀ ଦିନରେ ଆଗାମୀ ଦିନରେ ଏହା ସବୁ ନିର୍ଦ୍ଦେଶକ, ପ୍ରଯୋଜକ ଓ ଅଭିନେତାମାନଙ୍କୁ ଉତ୍ସାହିତ କରିବ।

କାର୍ଯ୍ୟକ୍ରମରେ ଚଳଚିତ୍ରର ମୁଖ୍ୟ ଅଭିନେତା ଶ୍ରୀ ବାବୁସାନ ମହାନ୍ତି, ଯୁଗ୍ମ ରଚୟିତା ଓ ନିର୍ଦ୍ଦେଶକ ବିଶ୍ୱାଳ ମୌର‌୍ୟ୍ୟା ଏବଂ ଦେବୀ ପ୍ରସାଦ ଲେଙ୍କାଙ୍କ ସହିତ ପ୍ରଯୋଜକ ଶ୍ରୀ ଦୀପେନ୍ଦ୍ର ସାମଲଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମ୍ବର୍ଦ୍ଧିତ କରିଥିଲେ। ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ଚଳଚିତ୍ର ଦେଖିଥିଲେ। ବିଭାଗର ନିର୍ଦ୍ଦେଶକଶ୍ରୀ ରଞ୍ଜନ କୁମାର ଦାସ କାର‌୍ୟ୍ୟକ୍ରମର ସଂଯୋଜନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ରାଜ୍ୟ ଖବର ସିନେମା

Breaking News: ‘ଦମନ’ ଚଳଚ୍ଚିତ୍ର ପ୍ରଦର୍ଶନ କୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନ ର ପ୍ରଦର୍ଶନ କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି ।

ବାସ୍ତବ ଜୀବନରେ ମାଲକାନଗିରି ର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ବାରେ ଜଣେ ଯୁବ ଡାକ୍ତର ମାନବିକତାର ଯେଉଁ ନୂଆ ଉଦାହରଣ ସ୍ରୁଷ୍ଟି କରିଛନ୍ତି ତାହା ଏ ଚଳଚ୍ଚିତ୍ରର ବିଷୟ ବସ୍ତୁ।

ସ୍ୱାସ୍ଥ୍ୟ ବିଭାଗ ସମେତ ସବୁ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ସେବା ମନୋଭାବ କୁ ଆହୁରି ମଜବୁତ୍ କରିବା ଦିଗରେ ଏହା ପ୍ରଭାବିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

କୋଭିଡ ମହାମାରୀ ସମୟରେ ଯେଭଳି ରାଜ୍ଯ ସରକାରଙ୍କ ବିଭିନ୍ନ ବିଭାଗ ସମନ୍ଵୟ ରଖି ସେବା ଯୋଗାଇଲେ ସେଭଳି କାମକଲେ ଆମେ ଏକ ସୁସ୍ଥ ଓ ସଚେତନ ସାମାଜ ର ବିକାଶ କରି ପାରିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ବିଶ୍ବାସ ପ୍ରକଟ କରିଛନ୍ତି।