Categories
ଆଜିର ଖବର ମନୋରଂଜନ ସିନେମା

ବିଗତ ଦିନର ଲୋକପ୍ରିୟ ନାୟିକା ଓ୍ବାହିଦା ରେହମାନ

ମୁମ୍ବାଇ : ହିନ୍ଦୀ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତ୍ରୀ ଓ୍ବାହିଦା ରେହମାନ ଆଜି 82 ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ୧୯୩୮ ଫେବୃୟାରୀ ୩ରେ ତାମିଲନାଡୁରେ ଓ୍ବାହିଦା ଜନ୍ମଗ୍ରହଣ କରିଥିଲେ।  50ରୁ 70 ଦଶକ ମଧ୍ୟରେ ଜଣେ ସଫଳ ଅଭିନେତ୍ରୀ ଭାବେ ବଲିଉଡ୍‌ରେ ବେଶ୍‌ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଓ୍ବାହିଦା । କେବଳ ହିନ୍ଦୀ ନୁହେଁ, ତେଲୁଗୁ, ତାମିଲ୍‌, ବଙ୍ଗାଳୀ ଭଳି ଭାଷାରେ ମଧ୍ୟ ଫିଲ୍ମ କରି ନିଜର ଅଭିନୟର ଯାଦୁ ଛାଡିଛନ୍ତି । 1957 ମସିହାରେ ବଲିଉଡ୍‌ ଚଳଚ୍ଚିତ୍ର ‘ପ୍ୟାସା’ ଜରିଆରେ ବଲିଉଡ୍‌ରେ ପାଦ ଥାପିଥିଲେ ଓ୍ବାହିଦା ।  ଏହି ଫିଲ୍ମରେ ଗୁରୁଦତ୍ତ ଓ ଓ୍ବାହିଦାଙ୍କ ଯୋଡ଼ିକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ । ଏହି ଯୋଡି ‘ସାହିବ୍‌ ବିଓ୍ବି ଔର ଗୁଲାମ୍‌’, ‘ଚୌଦୀନ୍‌କା ଚାନ୍ଦ୍‌’, ‘କାଗଜ୍‌ କେ ଫୁଲ୍‌’ ପରି ଫିଲ୍ମରେ ଅଭିନୟ କରି ସଫଳ ହୋଇଛନ୍ତି । ସେହି ସମୟରେ ଦୁହିଁଙ୍କ ପ୍ରେମ କାହାଣୀ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଥିଲା । ପରବର୍ତ୍ତୀ ସମୟରେ ଓ୍ବାହିଦା ଦେବାନନ୍ଦଙ୍କ ସହିତ ‘ଗାଇଡ’ ଫିଲ୍ମରେ ନଜର ଆସିଲେ, ଫିଲ୍ମଟି ବକ୍ସ ଅଫିସ୍‌ରେ ବେଶ୍‌ କମାଲ କରିଥିଲା । ପରେ ପରେ ସେ ଦେବାନନ୍ଦଙ୍କ ସହିତ ‘ସୋଲା ସାଲ୍‌’, ‘କାଲାବଜାର୍‌’, ‘ରୂପ କୀ ରାନୀ ଚୋର କେ ରାଜା’ ପରି ଫିଲ୍ମରେ ଅଭିନୟ କରିଥିଲେ । କିନ୍ତୁ ପ୍ୟାସା ଫିଲ୍ମ ରିଲିଜ୍‌ ପୂର୍ବରୁ ଦେବାନନ୍ଦଙ୍କ ସହିତ ସିଆଇଡିରେ ନଜର ଆସିଥିଲେ ଓ୍ବାହିଦା । ତେବେ ଏହି ଫିଲ୍ମରେ ପାର୍ଶ୍ବ କଳାକାର ରୂପେ ଅଭିନୟ କରିଥିଲେ । ଏହା ପରେ ପରେ ସେ ସୁନୀଲ ଦତ୍ତଙ୍କ ସହିତ ମୁଝେ ଜୀନେ ଦୋ’,‘ତୀସ୍‌ରୀ କସମ୍‌’ ‘କୌନ୍‌ ଅପ୍‌ନା କୌନ୍‌ ପରାୟା’, ‘କୋହରା’, ‘ମଜବୁର୍‌,’ ‘ବିସ୍‌ ସାଲ୍‌ ବାଦ୍‌’ ପରି ଫିଲ୍ମରେ ଅଭିନୟ କରିଛନ୍ତି । ଷାଠିଏ ଦଶକରେ ରହମାନ୍‌ ଥାର୍ଡ ହାଏଷ୍ଟ୍‌ ପେଡ୍‌ ଅଭିନେତ୍ରୀ ଭାବେ ବଲିଉଡ୍‌ରେ ରାଜ୍‌ କରୁଥିଲେ ।  1974 ମସିହାରେ ଓ୍ବାହିଦା ଶଶୀ ରେଖିଙ୍କୁ ବିବାହ କରିଥିଲେ । ତା’ପରେ ଦୁହେଁ ‘ସଗୁନ୍’ ଫିଲ୍ମରେ ନଜର ଆସିଥିଲେ । ଦୁହିଁଙ୍କର ଦୁଇଟି ସନ୍ତାନ ରହିଛନ୍ତି । ଉଲ୍ଲେଖନୀୟ ଅଭିନୟ ପାଇଁ ତାଙ୍କୁ ପଦ୍ମଶ୍ରୀ ଓ ପଦ୍ମଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି। ୨୦୧୩ରେ ଫିଲ୍ମ ଜଗତରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଭାରତୀୟ ଶତାବ୍ଦୀ ପୁରସ୍କାର, ଫିଲ୍ମଫେୟାର ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡରେ ସମ୍ମାନିତ କରାଯାଇଥିଲା। ଏତଦ୍‌ ବ୍ୟତୀତ ଓ୍ବାହିଦା ବେଷ୍ଟ ଆକ୍‌ଟ୍ରେସ୍‌ ନ୍ୟାସନାଲ ଆଓ୍ବାର୍ଡ ଓ ସର୍ବଶ୍ରେଷ୍ଠ ଅଭିନେତ୍ରୀର ୨ଟି ଫିଲ୍ମଫେୟାର ଆଓ୍ବାର୍ଡରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ବଲିଉଡ୍‌ର ଜଣେ ଲୋକପ୍ରିୟ କଳାକାରଙ୍କୁ ତାଙ୍କ 82 ତମ ଜନ୍ମଦିବସ ଅବସରରେ ଅନେକ ଅନେକ ଶୁଭକାମନା