Categories
ଆଜିର ଖବର

ଆସନ୍ତା କାଲି ରିଲିଜ୍‌ ହେବ ନାହିଁ ‘ପିଏମ୍‌ ନରେନ୍ଦ୍ର ମୋଦି’ : ନିର୍ବାଚନ ପରେ ଆସିବ ପରଦାକୁ

‘ପିଏମ୍ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ ଲାଗିଲା ରୋକ୍‌। ନିର୍ବାଚନ ଆୟୋଗ (ଇସି) ବୁଧବାର ଅଭିନେତା ବିବେକ ଓବରୟଙ୍କ ଅଭିନୀତ ‘ପିଏମ୍‍ ନରେନ୍ଦ୍ର ମୋଦୀ’ ଚଳିଚ୍ଚିତ୍ର ମୁକ୍ତିଲାଭକୁ ଅଟକାଇ ଦେଇଛନ୍ତି। ଆସନ୍ତା କାଲି ଏହି ଫିଲ୍ମଟି ମୁକ୍ତିଲାଭ କରିବାର ଥିଲା। ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ କାଲି ହେବାକୁ ରହିଛି। ନିର୍ବାଚନ କମିଶନ ଏହି ପରିପ୍ରେକ୍ଷୀରେ ଫିଲ୍ମର ମୁକ୍ତିଲାଭ ଉପରେ ରୋକ୍‌ ଲଗାଇଛନ୍ତି। ନିର୍ବାଚନ ଶେଷ ହେବା ପରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ତେବେ ଏହି ଫିଲ୍ମର ସ୍ଥଗିତାଦେଶ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଓ ନିର୍ବାଚନକୁ ପ୍ରଭାବିତ କରିବା ଆଶଙ୍କା ପୂର୍ବକ ଏହି ଆବେଦନ କରାଯାଇଥିଲା।  ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇ, ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ ସଞ୍ଜୟ ଜୈନ୍‌ଙ୍କ ପୀଠ ଏହି ମାମଲାର ଶୁଣାଣି କରି ସ୍ଥଗିତାଦେଶ ଲଗାଇବାକୁ ମନା କରିଦେଇଥିଲେ। ଫିଲ୍ମକୁ ସେନସର୍‌ ବୋର୍ଡ ତରଫରୁ ମଧ୍ୟ ସାର୍ଟିଫିକେଟ୍‌ ମିଳିଯାଇଥିଲା।

Categories
ଆଜିର ଖବର

ଚାରା ଦୁର୍ନୀତି ମାମଲା : ଲାଲୁଙ୍କ ଜାମିନ ଆବେଦନ ଖାରଜ

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଝଟ୍‌କା। ଚାରା ଦୁର୍ନୀତି ମାମଲା ନେଇ ଜେଲ୍‌ରେ ବନ୍ଦୀ ଥିବା ଲାଲୁ ଗତକାଲି ସର୍ବୋଚ୍ଚ କୋର୍ଟରେ ଜାମିନ ଆବେଦନ କରିଥିଲେ। ସୁପ୍ରିମ୍‌କୋର୍ଟ ଆଜି ଲାଲୁଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ଲାଲୁଙ୍କ ମାମଲାକୁ ବରିଷ୍ଠ ଓକିଲ କପିଲ ଶିବଲ ଲଢୁଥିବା ବେଳେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଏହି ମାମଲାର ବିଚାର କରିଥିଲେ। ଗତକାଲି ଲାଲୁଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିବା ବେଳେ ସିବିଆଇ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ଚାରା ଘୋଟାଲା ମାମଲାରେ ଜେଲରେ ରହିଥିବା ଲାଲୁ ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ ରାଜନୈତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ନେଇ ଜାମିନ ଆବେଦନ କରିଥିଲେ। ସୂଚନାଯୋଗ୍ୟ ଯେ, ଲାଲୁ ବର୍ତ୍ତମାନ ରିମ୍‌ସରେ ଚିକିତ୍ସାଧୀନ ଅଛନ୍ତି। ଜଣେ ବ୍ୟକ୍ତି ଅସୁସ୍ଥ ଥିଲେ ଡାକ୍ତରଖାନାରେ ହିଁ ସଠିକ୍‌ ଚିକିତ୍ସା ମିଳିପାରିବ ବୋଲି କହିବା ସହିତ କୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି।