Categories
ଆଜିର ଖବର ଜାତୀୟ ଖବର

ଆତଙ୍କବାଦୀମାନଙ୍କୁ ନିଜ ଭାଷାରେ ଜବାବ ଦିଆଯିବା ଉଚିତ: କଠୁଆ ଆକ୍ରମଣ ପରେ କହିଲା କଂଗ୍ରେସ 

ନୂଆଦିଲ୍ଲୀ: ସୋମବାର ଦିନ ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାରେ ଆତଙ୍କବାଦୀମାନେ ଗ୍ରେନେଡ ଫିଙ୍ଗି ସେନା ଗାଡି ଉପରକୁ ଗୁଳି ଚଳାଇଥିଲେ। ଏହି ଘଟଣାରେ ୫ ଯବାନ ସହିଦ ହୋଇଥିଲେ ଏବଂ ୫ ଯବାନ ଆହତ ହୋଇଥିଲେ। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଆଜି ଏହି ପ୍ରସଙ୍ଗରେ ଦୁଃଖ ପ୍ରକାଶ କରିବା ସହ ଆତଙ୍କବାଦୀଙ୍କ ଏହି କାର୍ଯ୍ୟକୁ ନିନ୍ଦା କରିଛି।

ଦଳ ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଦୀପେନ୍ଦ୍ର ହୁଡା କହିଛନ୍ତି ଯେ, “କଠୁଆ,ରେ ସେନା ଉପରେ ଆକ୍ରମଣର ଦୁଃଖଦ ଖବର ଆସିଛି। ଆମେ ଆମର ସହିଦମାନଙ୍କୁ ପ୍ରଣାମ କରୁଛୁ। ଏହି ଘଟଣା ନିନ୍ଦନୀୟ। କେବଳ କଂଗ୍ରେସ ନୁହେଁ ପ୍ରତ୍ୟେକ ଭାରତୀୟ ଏହି ମୂହୁର୍ତ୍ତରେ ସେମାନଙ୍କ ପରିବାର ସହିତ ଅଛନ୍ତି। ଗୋଟିଏ ମାସ ମଧ୍ୟରେ ଏହା ହେଉଛି ପଞ୍ଚମ ଆତଙ୍କବାଦୀ ଆକ୍ରମଣ। ଜାରି ଆକ୍ରମଣକୁ ନେଇ ଆମେ ଚିନ୍ତା ପ୍ରକଟ କରୁଛୁ।”

କଂଗ୍ରେସ ପାର୍ଟି ସରକାରଙ୍କ ନିକଟରେ ଦାବି କରି କହିଛି ଯେ, “ଆମେ ବିଶ୍ୱାସ କରୁ ଯେ ସରକାର ଏହାକୁ ସେତିକି ଗୁରୁତ୍ଵ ବୋଲି ମନେ କରୁନାହାଁନ୍ତି। ଏକ ଦାୟିତ୍ଵପୂର୍ଣ୍ଣ ବିରୋଧୀ ହୋଇଥିବାରୁ ସରକାର ଏହାକୁ ଗୁରୁତର ସହ ନେବାକୁ ଆମେ ଦାବି କରୁଛୁ। ଆତଙ୍କବାଦୀଙ୍କୁ ନିଜ ଭାଷାରେ ଜବାବ ଦିଆଯିବା ଉଚିତ ଏବଂ ଆମେ ସରକାରଙ୍କୁ ପ୍ରତ୍ୟେକ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛୁ।

ଦିପେନ୍ଦ୍ର ହୁଡା କହିଛନ୍ତି ଯେ, “ଆତଙ୍କବାଦୀ କାର୍ଯ୍ୟକଳାପର କେନ୍ଦ୍ର କାଶ୍ମୀରରୁ ଜାମ୍ମୁକୁ ସ୍ଥାନାନ୍ତରିତ ହୋଇଛି। ଏହି ଧାରାକୁ ନେଇ କଂଗ୍ରେସ ନିଜର ଗମ୍ଭୀର ଚିନ୍ତା ପ୍ରକଟ କରିଛି। ଏହାର ଗୋଟିଏ କାରଣ ସାମ୍ନାକୁ ଆସିଛି ଯେ, ସାମରିକ ନିୟୋଜନ ଲଦାଖ ଆଡକୁ ଗତି କରୁଛି। ସରକାର ଏଥିପ୍ରତି ଧ୍ୟାନ ଦେବା ଉଚିତ୍। ”

ସେ ଆହୁରି କହିଛନ୍ତି ଯେ, “ସେନା ବିଶେଷଜ୍ଞଙ୍କ କହିବାନୁସାରେ, ଆକ୍ରମଣର ମୁଖ୍ୟ କାରଣ ହେଉଛି ସାମରିକ ନିୟୋଜନ ପାକିସ୍ତାନ ପ୍ରତି କମ୍ ଏବଂ ଲଦାଖ ପ୍ରତି ଅଧିକ। ସେନା ବିଶେଷଜ୍ଞମାନେ କହିଛନ୍ତି ଯେ, ସରକାର ଏହା ପୂର୍ବରୁ ସତର୍କ ରହିବା ଉଚିତ୍ କିନ୍ତୁ ଜାମ୍ମୁ କାଶ୍ମୀରରେ ସ୍ଥିତିକୁ ନେଇ ମୋଦୀ ସରକାର ଗୁରୁତର ନୁହଁନ୍ତି। ସେ ନିଜ କାହାଣୀକୁ ଦେଶ ଆଗରେ ଉପସ୍ଥାପନ କରିବାରେ ଅଧିକ ବ୍ୟସ୍ତ ଅଛନ୍ତି।”

କଂଗ୍ରେସ ନେତା କହିଛନ୍ତି ଯେ, “ମାଲଦ୍ୱୀପ ଏବଂ ନେପାଳ ଭଳି ଛୋଟ ଦେଶ ମଧ୍ୟ ଭାରତ ଉପରେ ନଜର ରଖିଛନ୍ତି। ଏପରିକି ପାକିସ୍ତାନ ମଧ୍ୟ ଭାରତକୁ ଆଖି ଦେଖାଉଛି। ନିଜର ବିଫଳ ନୀତି ଯୋଗୁଁ ନିଜ ଦେଶର ଲୋକଙ୍କ ଧ୍ୟାନ ହଟାଇବା ପାଇଁ ସେମାନେ ଏହି ଅଦମ୍ୟ କାର୍ଯ୍ୟ କରୁଛନ୍ତି।”