Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀର ମହାପଞ୍ଚାୟତ ପାଇଁ କୃଷକମାନଙ୍କୁ ମିଳିଲା ଅନୁମତି!, କିନ୍ତୁ ମାନିବାକୁ ପଡିବ ଏହି ସର୍ତ୍ତ

ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀର ରାମଲିଲା ମଇଦାନରେ ହେବାକୁ ଥିବା ୟୁନାଇଟେଡ୍ କିସାନ୍ ମୋର୍ଚ୍ଚାର ମହାପଞ୍ଚାୟତ ପାଇଁ ଦିଲ୍ଲୀ ପୋଲିସ ଅନୁମତି ଦେଇଛି।

ଦିଲ୍ଲୀ ପୋଲିସ ସୂତ୍ର ଅନୁଯାୟୀ, ୟୁନାଇଟେଡ୍ କିସାନ୍ ମୋର୍ଚ୍ଚାର ରାମଲିଲା ମଇଦାନରେ ମହା ପଞ୍ଚାୟତ ପାଇଁ ଅନୁମତି ଦିଆଯାଇଛି। ୟୁନାଇଟେଡ୍ କିସାନ୍ ମୋର୍ଚ୍ଚାକୁ ମହାପଞ୍ଚାୟତ କରିବାକୁ ଅନେକ ସର୍ତ୍ତ ଲଗାଯାଇଛି।

ପୋଲିସର ସର୍ତ୍ତ ଅନୁଯାୟୀ, ପଞ୍ଚାୟତ ସମୟରେ ରାମଲିଲା ମଇଦାନରେ ୫ ହଜାରରୁ ଅଧିକ ଲୋକ ରହିବେ ନାହିଁ। କୌଣସି ଟ୍ରାକ୍ଟର ଟ୍ରଲି ଆଣିବେ ନାହିଁ। କୌଣସି ପ୍ରକାରର ଅସ୍ତ୍ରଶସ୍ତ୍ର ଆଣିବେ ନାହିଁ। ଏହି କାର୍ଯ୍ୟକ୍ରମ କେବଳ ତିନି ଘଣ୍ଟା ଚାଲିବ। ସକାଳ ୧୧ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ, ଏହାପରେ ସମସ୍ତେ ଫେରିଯିବେ।

ସର୍ତ୍ତମୂଳକ ଅନୁମତି ଅନୁଯାୟୀ ପୋଲିସ କହିଛି ଯେ, ରାତିରେ କେହି ରହିବେ ନାହିଁ। ଆଇନ ଶୃଙ୍ଖଳା ବଜାୟ ରଖିବ। କୌଣସି ପ୍ରକାରର ରାଲି କିମ୍ବା ପ୍ରଦର୍ଶନ ହେବ ନାହିଁ। ୟୁନାଇଟେଡ୍ କିସାନ୍ ମୋର୍ଚ୍ଚାର ନେତାମାନେ ଏହି ସର୍ତ୍ତଗୁଡିକରେ ଦସ୍ତଖତ କରି ସେମାନଙ୍କୁ ଦିଲ୍ଲୀ ପୋଲିସକୁ ଦେଇଛନ୍ତି, ଏହା ପରେ ଦିଲ୍ଲୀ ପୋଲିସ ଏନଓସି ଦେଇ ଅନୁମତି ଦେଇଛି।

ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ଟ୍ରାଫିକ ପୋଲିସ ପକ୍ଷରୁ ଟ୍ରାଫିକ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି। ମାର୍ଚ୍ଚ ୧୪ ତାରିଖରେ ରାମଲିଲା ମଇଦାନରେ କିସାନ ମହାପଞ୍ଚାୟତ ଯୋଗୁଁ ଯାନବାହନ ଚଳାଚଳ ପ୍ରଭାବିତ ହେବ। ତେଣୁ ସଂପୃକ୍ତ ମାର୍ଗ ପରିବର୍ତ୍ତେ ଏକ ବିକଳ୍ପ ମାର୍ଗ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଟ୍ରାଫିକ ନିୟମ ଏବଂ ରୁଟ ଡାଇଭର୍ସନ ବିଷୟରେ ଦିଲ୍ଲୀ ଟ୍ରାଫିକ ପୋଲିସ ଯାତ୍ରୀମାନଙ୍କୁ ସତର୍କ କରାଇଛି।

Categories
ଆଜିର ଖବର ଜାତୀୟ ଖବର

ମାର୍ଚ୍ଚ ୧୦ ରେ ରେଳବାଇର ଚକ୍କା ଜାମ ଘୋଷଣା: ପଢନ୍ତୁ କୃଷକ ଆନ୍ଦୋଳନର ସମ୍ପୂର୍ଣ୍ଣ ଯୋଜନା

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ଜାରି ରହିଛି। ଏହି ସମୟରେ କୃଷକ ନେତା ଜଗଜିତ ସିଂ ଡଲ୍ଲେୱାଲ ଏବଂ ସରଭନ ସିଂ ପଣ୍ଢେର୍ ରବିବାର ଦିନ କହିଛନ୍ତି ଯେ, ଆମର ଦିଲ୍ଲୀ ଚଲୋ ପଦଯାତ୍ରା ସ୍ଥଗିତ ରଖାଯାଇ ନାହିଁ। ଆମର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମର ବିରୋଧ ଜାରି ରହିବ।

ଜଗଜିତ ସିଂ ଡଲ୍ଲେୱାଲ କହିଛନ୍ତି ଯେ, ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଦିଲ୍ଲୀ ଯିବା କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇ ନାହିଁ। ଆମେ ଏଥିରୁ ପଛଘୁଞ୍ଚା ଦେଇନାହୁଁ। ଯେପରି କେନ୍ଦ୍ର ସରକାର ଆମର ଦାବି ପୂରଣ କରିବେ, ସେଥିପାଇଁ ଆମେ ରଣନୀତି ପ୍ରସ୍ତୁତ କରିଛୁ। ଯେଉଁଠାରେ ଆମେ ବସିଛୁ ସେହି ସୀମାରେ ଆମେ ସଂଖ୍ୟା ବୃଦ୍ଧି କରିବୁ। ଆମେ ମଧ୍ୟ କୃଷକମାନଙ୍କୁ ଅନ୍ୟ ସୀମାକୁ ଆଣିବାକୁ ଚେଷ୍ଟା କରିବୁ।

ଜଗଜିତ ସିଂ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ନିଷ୍ପତ୍ତି ନେଇଛୁ ଯେ ମାର୍ଚ୍ଚ ୬ ତାରିଖରେ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ରେଳ, ବସ୍ ଏବଂ ବିମାନ ଯୋଗେ (ଦିଲ୍ଲୀ) ଆସିବେ। ମାର୍ଚ୍ଚ ୧୦ ତାରିଖରେ ଅପରାହ୍ନ ୧୨ ରୁ ୪ ଟା ପର୍ଯ୍ୟନ୍ତ ଆମର ଏକ ରେଳ ରୋକୋ ଆନ୍ଦୋଳନ ହେବ। ଆମେ ନିବେଦନ କରୁଛୁ ଯେ, ଯଥାସମ୍ଭବ ଲୋକ ଏଥିରେ ଭାଗ ନିଅନ୍ତୁ।

ସରଭନ ସିଂ ପଣ୍ଢେର୍ କ’ଣ କହିଲେ?:

ପଞ୍ଜାବ କିସାନ ମଜଦୁର ସଂଘର୍ଷ ସମିତିର ସାଧାରଣ ସମ୍ପାଦକ ସରଭନ ସିଂ ପଣ୍ଢେର୍ ମଧ୍ୟ ଜଗଜିତ ସିଂଙ୍କ ବକ୍ତବ୍ୟକୁ ଦୋହରାଇ କହିଛନ୍ତି ଯେ, ଖନୌରୀ ଏବଂ ଶମ୍ଭୁ ସୀମାରେ ବସିଥିବା କୃଷକମାନେ ସେମାନଙ୍କର ଆନ୍ଦୋଳନ ଚଳାଇବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଜୟ ମିଶ୍ର ଟେନିଙ୍କୁ ଟିକେଟ୍ ଦେଇ ବିଜେପି ଚାଷୀଙ୍କୁ ଅପମାନିତ କରିଛି।

ମାର୍ଚ୍ଚ ୧୪ ତାରିଖରେ କୃଷକମାନେ ମଧ୍ୟ ‘କିଷାନ ମହାପଞ୍ଚାୟତ’ ଆୟୋଜନ କରିବେ। ଏ ସମ୍ପର୍କରେ ୟୁନାଇଟେଡ୍ କିସାନ୍ ମୋର୍ଚ୍ଚା କହିଛନ୍ତି ଯେ, ଏଥିରେ ୪୦୦ରୁ ଅଧିକ କୃଷକ ସଂଗଠନ ଅଂଶଗ୍ରହଣ କରିବେ। ୟୁନାଇଟେଡ କିସାନ ମୋର୍ଚ୍ଚା ଏବଂ କିସାନ ମଜଦୁର ମୋର୍ଚ୍ଚା (କେଏମଏମ) କୁ ଏସକେଏମ ଏକତା ପାଇଁ ନିବେଦନ କରି ଏକ ପ୍ରସ୍ତାବ ପଠାଇଛି।

ଚାଷୀଙ୍କ ଦାବି କ’ଣ?:

ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ପାଇଁ ଆଇନଗତ ଗ୍ୟାରେଣ୍ଟି, ସ୍ଵାମୀନାଥନ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରିବା, କୃଷକ ଏବଂ କୃଷି ଶ୍ରମିକଙ୍କ ପାଇଁ ପେନସନ ଏବଂ କୃଷି ଋଣ ଛାଡ ସମେତ ଅନେକ ଦାବି ରହିଛି।