Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅଙ୍କିତ ଶର୍ମା ହତ୍ୟା ମାମଲା : 5 ଜଣଙ୍କୁ ଗିରଫ କଲା ପୋଲିସ୍‌

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡ ସମୟରେ ଆଇବି ଅଫିସର ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ଶନିବାର ପୋଲିସ୍‌ 5 ଜଣଙ୍କୁ ଗିରଫ କରିଛି । ପୂର୍ବରୁ ନିଲମ୍ବିତ ଆପ୍‌ କାଉନ୍‌ସିଲର୍‌ ତାହିର ହୁସେନ୍‌ଙ୍କୁ ଗିରଫ କରାଯାଇଥିବା ବେଳେ ଶନିବାର ଦିନ ଆହୁରି ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ପାଞ୍ଚ ଜଣ ହେଉଛନ୍ତି ଫିରୋଜ୍‌, ଜାଭେଦ୍‌, ଗୁଲ୍‌ଫାମ୍‌, ଶୋଏବ୍‌ ଏବଂ ଅନାସ୍‌ । ପ୍ରଥମ ଚାରିଜଣ ଦିଲ୍ଲୀର ଚାନ୍ଦ ବାଗର ବାସିନ୍ଦା ହୋଇଥିବା ବେଳେ ଅନାସ୍‌ ମୁସ୍ତାଫାବାଦର ବାସିନ୍ଦା ଅଟନ୍ତି । ଅନ୍ୟପକ୍ଷରେ ଶନିବାର ଦିନ ଅଙ୍କିତ ଶର୍ମାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ପ୍ରକାଶ ପାଇଛି । ଅଙ୍କିତ ଶର୍ମାଙ୍କ ଶରୀରରେ 51ଟି କ୍ଷତଚିହ୍ନ ରହିଥିବା ବେଳେ 10ରୁ 12 ଜଣ ଏହି ହତ୍ୟାରେ ସମ୍ପୃକ୍ତ ରହିଥିବା ନେଇ ପୋଷ୍ଟମର୍ଟମ ରିପୋର୍ଟରେ ପ୍ରକାଶ ପାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ହିଂସାକାଣ୍ଡକୁ ନେଇ ସଂସଦରେ ବିବୃତି ରଖିଲେ ଅମିତ ଶାହା

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡକୁ ନେଇ ଲୋକସଭାରେ ବିବୃତି ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ହିଂସାକାଣ୍ଡରେ ସମୁଦାୟ 52 ଜଣ ନିହତ ହୋଇଥିବା ବେଳେ 526 ଜଣ ଆହତ ହୋଇଛନ୍ତି । 371ଟି ଦୋକାନକୁ ଜଳାଇ ଦିଆଯାଇଥିବା ବେଳେ 142ଟି ଘର ଜଳାଇ ଦିଆଯାଇଥିଲା । ଲୋକସଭାରେ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିବା ସହିତ ଦିଲ୍ଲୀ ହିଂସାକାଣ୍ଡରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବା ନେଇ ଶାହା ଦୃଢୋକ୍ତି ପ୍ରକାଶ କରିଛନ୍ତି । ପ୍ରତିପକ୍ଷ ଦଳର ନେତାଙ୍କୁ ହିଂସାକାଣ୍ଡ ପାଇଁ ଶାହା ଦାୟୀ କରିଥିଲେ । ଏହାର ପ୍ରତିବାଦରେ କଂଗ୍ରେସ ଏବଂ ଆଇୟୁଏମ୍‌ଏଲ୍‌ର ସଂସଦ ମାନେ ଗୃହ ପରିତ୍ୟାଗ କରିଥିଲେ । ଦିଲ୍ଲୀ ପୋଲିସ୍‌ର କାର୍ଯ୍ୟକୁ ସମସ୍ତେ ନାପସନ୍ଦ କରିଥିବା ବେଳେ ଶାହା ଦିଲ୍ଲୀ ପୋଲିସର ପ୍ରଶଂସା କରିଥିଲେ । ଦିଲ୍ଲୀ ପୋଲିସ୍‌ର ତତ୍ପରତା କାରଣରୁ ଦଙ୍ଗା ବ୍ୟାପି ନଥିଲା ବୋଲି ଶାହା କହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦେଶରେ ମୁସ୍‌ଲିମ୍‌ ହେବା ବଡ ଅପରାଧ : ଅମାନତଉଲ୍ଲା ଖାନ୍‌

ନୂଆଦିଲ୍ଲୀ : ଦେଶରେ ମୁସଲମାନ୍‌ ହେବା ଆଜିର ସମୟରେ ବଡ ଅପରାଧ ବୋଲି ଆପ୍‌ ବିଧାୟକ ଅମାନତଉଲ୍ଲା ଖାନ୍‌ ମତ ଦେଇଛନ୍ତି । ଶନିବାର ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ଅମାନତଉଲ୍ଲା ଖାନ୍‌ ଏହି ବିବାଦୀୟ ମତ ଦେଇଛନ୍ତି । ନିଲମ୍ବିତ ଆପ୍‌ କର୍ପୋରେଟର୍‌ ତାହିର ହୁସେନ୍‌ଙ୍କ ଉଦାହରଣ ଦେଇ ଅମାନତଉଲ୍ଲା ଏଡି ବୟାନ ଦେଇଛନ୍ତି । ଜଣେ ମୁସଲମାନ୍‌ ହୋଇଥିବାରୁ ତାହିର ହୁସେନଙ୍କୁ ଦଣ୍ଡ ଭୋଗିବାକୁ ପଡୁଛି । ଦେଶରେ ମୁସଲମାନ ହେବା ସବୁଠାରୁ ବଡ ଅପରାଧ ଏବଂ ଭବିଷ୍ୟତରେ ସରକାର ଏହା ମଧ୍ୟ ପ୍ରମାଣ କରିଦେବେକି ଦିଲ୍ଲୀ ହିଂସାକାଣ୍ଡ ତାହିର ହୁସେନ୍‌ କରାଇଛନ୍ତି । ତାହିର ହୁସେନ୍‌ଙ୍କୁ 7 ଦିନିଆ ପୋଲିସ୍‌ ରିମାଣ୍ଡରେ ପଠାଯିବା ପରେ ଅମାନତଉଲ୍ଲା ଏହି ମତ ଦେଇଛନ୍ତି । ଅମାନତଉଲ୍ଲାଙ୍କ ଏହି ମନ୍ତବ୍ୟକୁ ନେଇ ବିଜେପି ବିଧାୟକ ବିଧାୟକ ବିଜେନ୍ଦ୍ର ଗୁପ୍ତା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ୍‌ କରିଛନ୍ତି । ଆପ୍‌ ଦଳର ମୁସଲିମ୍‌ ତୁଷ୍ଟୀକରଣ ନୀତିକୁ ଧନ୍ୟବାଦ । ମୁଁ କେଜ୍ରିଓ୍ବାଲଙ୍କୁ ପ୍ରଶ୍ନ କରିବାକୁ ଚାହୁଁଛି କି ସେ ତାଙ୍କ ବିଧାୟକଙ୍କ ମତରେ ସହମତି ପ୍ରକାଶ କରୁଛନ୍ତି କି ନାହିଁ ବୋଲି ଗୁପ୍ତା ଟ୍ବିଟ୍‌ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ହିଂସାକାଣ୍ଡ: ସହାୟତା ରାଶି ବୃଦ୍ଧି କରିଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ : ଦିଲ୍ଲୀରେ ହିଂସାକାଣ୍ଡ ଘଟି 53 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 200ରୁ ଅଧିକ ଆହତ ହୋଇଛନ୍ତି। ଶତାଧିକ ଘର ଏବଂ ସ୍କୁଲରେ ନିଆଁ ଲଗାଯାଇଥିବା ବେଳେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସହାୟତା ରାଶିରେ ବୃଦ୍ଧି ଘୋଷଣା କରାଯାଇଛି। ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହି ସହାୟତା ରାଶି ସମ୍ପର୍କରେ ଘୋଷଣା କରିଛନ୍ତି। ସମୁଦାୟ 17 ଶହଟି କ୍ଷୟକ୍ଷତିର ଆବେଦନ ଦାଖଲ କରାଯାଇଛି। ପୂର୍ବରୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଘରପୋଡି ପାଇଁ 25 ହଜାର ସହାୟତା ରାଶି ଘୋଷଣା କରିଥିବା ବେଳେ ଶୁକ୍ରବାର ସହାୟତା ରାଶିରେ ବୃଦ୍ଧି ଘଟାଇଛନ୍ତି। ଘରପୋଡି ପାଇଁ ସମୁଦାୟ 5ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି ପୂର୍ବରୁ ସହାୟତା ରାଶି 4 ଲକ୍ଷ ରହିଥିବା ବେଳେ ତନ୍ମଧ୍ୟରୁ ଘର ମାଲିକଙ୍କୁ 3 ଲକ୍ଷ ଏବଂ ଭଡାଟିଆଙ୍କୁ 1 ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଥିଲା। ଏହା ସହିତ ସାମାନ୍ୟ ଭାବରେ ପୋଡି ଯାଇଥିବା ଘର ପାଇଁ 2.5 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ସେହିପରି 1000ରୁ କମ୍‌ ଛାତ୍ର ରହିଥିବା ସ୍କୁଲ୍‌କୁ 5 ଲକ୍ଷ ଏବଂ 1000ରୁ ଅଧିକ ଛାତ୍ର ରହିଥିବା ସ୍କୁଲପାଇଁ 10 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

7 ଦିନିଆ ରିମାଣ୍ଡରେ ତାହିର୍‌ ହୁସେନ୍‌

ନୂଆଦିଲ୍ଲୀ : ଆଇବି ଅଫିସର ଅଙ୍କିତ ଶର୍ମା ହତ୍ୟା ମାମଲାରେ ନିଲମ୍ବିତ ଆପ୍‌ ନେତା ତାହିର ହୁସେନ୍‌ଙ୍କୁ 7 ଦିନିଆ ରିମାଣ୍ଡରେ ପଠାଇଛନ୍ତି କୋର୍ଟ । ଗତକାଲି ତାହିର ହୁସେନଙ୍କୁ ଗିରଫ କରାଯାଇଥିବା ବେଳେ ଆଜି କୋର୍ଟରେ ହାଜର କରାଯାଇଥିଲା । ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ରାକେଶ କୁମାର ରାମପୁରୀଙ୍କ ନିକଟରେ ହୁସେନ୍‌ଙ୍କୁ ହାଜର କରାଯାଇଥିବା ବେଳେ ହୁସେନ୍‌ଙ୍କୁ 7 ଦିନିଆ ରିମାଣ୍ଡରେ ପଠାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଉତ୍ତର ପୂର୍ବ ଦିଲ୍ଲୀରେ ହିଂସାକାଣ୍ଡ ଘଟିଥିବା ବେଳେ ଆଇବି ଅଫିସର ଅଙ୍କିତ ଶର୍ମାଙ୍କୁ ହତ୍ୟା କରିବା ଅଭିଯୋଗରେ ହୁସେନ୍‌ଙ୍କୁ ଗିରଫ କରାଯାଇଛି । ଏହି ହିଂସାକାଣ୍ଡରେ 47 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 200ରୁ ଅଧିକ ଲୋକ ଆହତ ହୋଇଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ହିଂସାକାଣ୍ଡ : ନିଲମ୍ବିତ ଆପ୍‌ ନେତା ତାହିର ହୁସେନ୍‌ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ଆପ୍‌ ନେତା ତାହିର୍‌ ହୁସେନ୍‌ଙ୍କୁ ଦିଲ୍ଲୀ ପୋଲିସ୍‌ ଗିରଫ କରିଛି । ଆଇବି ଅଫିସର ଅଙ୍କିତ ଶର୍ମାଙ୍କୁ ହତ୍ୟା କରିବା ମାମଲାରେ ତାହିର ହୁସେନଙ୍କୁ ଗିରଫ କରାଯାଇଛି । ଗୁରୁବାର ଦିଲ୍ଳୀ ପୋଲିସ୍‌ ପକ୍ଷରୁ ହୁସେନ୍‌ଙ୍କୁ ଗିରଫ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ,ଉତ୍ତର ପୂର୍ବ ଦିଲ୍ଲୀରେ ହିଂସାକାଣ୍ଡ ଘଟି 47 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 200ରୁ ଅଧିକ ଲୋକ ଆହତ ହୋଇଥିଲେ । ଦିଲ୍ଲୀରେ ବର୍ତ୍ତମାନ ସ୍କୁଲ କଲେଜ ଗୁଡିକ ଖୋଲୁଛି ଏବଂ ଶାନ୍ତି ଫେରୁଛି ବୋଲି ଲ୍ୟୁଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜଲ ପ୍ରକାଶ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ହିଂସାକାଣ୍ଡ : ଗୁଳିଚାଳନାକାରୀ ଶାହରୁଖ୍‌ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡରେ ଗୁଳିଚାଳନାକାରୀ ଅଭିଯୁକ୍ତକୁ ଗିରଫ କରିଛି ଦିଲ୍ଲୀ ପୋଲିସ୍‌ । ଗୁଳି ଚାଳନାକାରୀ ଶାହରୁଖକୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଉତ୍ତର ପ୍ରଦେଶରୁ ଗିରଫ କରିଛି । ମଙ୍ଗଳବାର ଦିନ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପକ୍ଷରୁ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶାହରୁଖକୁ ଗିରଫ କରାଯିବା ସହିତ ତାର ପରିବାର ଲୋକଙ୍କୁ ଅଟକ ରଖାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀର ଜାଫରାବାଦରେ ଜାନୁୟାରୀ 24 ତାରିଖରେ ଶାହରୁଖ 8 ରାଉଣ୍ଡ ଗୁଳି ଚଳାଇଥିଲା । ଦିଲ୍ଲୀରେ ହିଂସାକାଣ୍ଡ ଘଟି 47 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 200ରୁ ଅଧିକ ଲୋକ ଆହତ ହୋଇଥିଲେ । 47ଟି ହତ୍ୟା ଅଭିଯୋଗର ତଦନ୍ତ କରି ଦିଲ୍ଲୀ ପୋଲିସ୍‌ ବର୍ତ୍ତମାନ ସୁଦ୍ଧା 24 ଜଣଙ୍କୁ ଗିରଫ କରିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ନିହତ ଆଇବି ଅଫିସରଙ୍କ ପରିବାରକୁ 1 କୋଟିର ସହାୟତା ରାଶି

ନୂଆଦିଲ୍ଲୀ : ନିହତ ଆଇବି ଅଫିସର ଅଙ୍କିତ ଶର୍ମାଙ୍କ ପରିବାରକୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ 1 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସୋମବାର ଦିନ ଏହି ସହାୟତା ରାଶି ଘୋଷଣା କରିଛନ୍ତି । ଉତ୍ତରପୂର୍ବ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡରେ ଗୁଇନ୍ଦା ବିଭାଗ ଅଧିକାରୀ ଅଙ୍କିତ ଶର୍ମା ପ୍ରାଣ ହରାଇଥିଲେ । ସୋମବାର କେଜ୍ରିଓ୍ବାଲ 1 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବା ସହିତ ପରିବାରର ଜଣଙ୍କୁ ସରକାରୀ ଚାକିରିର ଘୋଷଣା କରିଛନ୍ତି । ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ଅରବିନ୍ଦ କେଜ୍ରିଓ୍ବାଲ ଏହି ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଫେବୃୟାରୀ 26 ତାରିଖରେ ଦିଲ୍ଲୀର ଚାନ୍ଦ ବାଗରେ ଆଇବି ଅଫିସର ଅଙ୍କିତ ଶର୍ମାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ହିଂସାକାଣ୍ଡ ପାଇଁ ମୋଦି ସରକାରଙ୍କୁ ପ୍ରଶ୍ନ କରାଯିବା ଉଚିତ୍‌ : ଓଓ୍ବେସୀ

ନୂଆଦିଲ୍ଲୀ : ଦିଲ୍ଲୀରେ ସିଏଏ ବିରୋଧୀ ହିଂସାକାଣ୍ଡ ପାଇଁ ମୋଦି ସରକାରଙ୍କୁ ପ୍ରଶ୍ନ କରାଯିବା ଉଚିତ୍‌ ବୋଲି ଅସଦ୍ଦୁଦ୍ଦିନ୍‌ ଓଓ୍ବେସୀ ପ୍ରକାଶ କରିଛନ୍ତି । ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ଅଧୀନରେ ରହିଥିବାରୁ ହିଂସାକାଣ୍ଡ ପରସ୍ଥିତି ପାଇଁ କେନ୍ଦ୍ର ସରକାର ଦାୟୀ । ତେଣୁ ବିପକ୍ଷ ଦଳର ସଦସ୍ୟଙ୍କୁ ହିଂସାକାଣ୍ଡ ପାଇଁ ଦାୟୀ କରିବା ଅପେକ୍ଷା ମୋଦି ସରକାର ନିଜକୁ ଦାୟୀ କରିବା ଯଥାର୍ଥ ବୋଲି ଏଆଇଏମ୍‌ଆଇଏମ୍‌ ସାଂସଦ ଅସଦ୍ଦୁଦ୍ଦିନ୍‌ ଓଓ୍ବେସୀ ପ୍ରକାଶ କରିଛନ୍ତି । ହିଂସାକାଣ୍ଡରେ ମୃତାହତ ସମସ୍ତ ବ୍ୟକ୍ତି ଭାରତୀୟ ତେଣୁ ଭାରତବାସୀଙ୍କ ପ୍ରାଣହାନି ପାଇଁ ସରକାର ଦାୟିତ୍ବ ଗ୍ରହଣ କରିବା ଉଚିତ୍‌ ବୋଲି ଓଓ୍ବେସୀ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ହିଂସାକାଣ୍ଡ ପାଇଁ ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ ହୋ ହଲ୍ଲା କରାଯିବା କାରଣରୁ ଆସନ୍ତାକାଲି ପର୍ଯ୍ୟନ୍ତ ସଂସଦକୁ ମୁଲତବୀ ରଖାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ହିଂସାକାଣ୍ଡ : ପୂର୍ବତନ କଂଗ୍ରେସ କାଉନ୍‌ସିଲର ଇସରତ୍‌ ଜହାଁ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ପାଇଁ ପୂର୍ବତନ କଂଗ୍ରେସ କାଉନ୍‌ସିଲର୍‌ ଇସରତ୍‌ ଜହାଁଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ହିଂସାକାଣ୍ଡ ସମୟରେ ଘୃଣା ଭରା ଭାଷଣ ଦେବା କାରଣରୁ ଏବଂ ହିଂସାକାଣ୍ଡକୁ ବଢାଇବାରେ ସହାୟତା କରିଥିବାରୁ ପୂର୍ବତନ କାଉନ୍‌ସିଲରଙ୍କୁ ଗିରଫ କରିବା ସହିତ 14 ଦିନିଆ ରିମାଣ୍ଡରେ ପଠାଯାଇଛି । ଖୁରେଜୀ ଖାସ୍‌ର ପୂର୍ବତନ କାଉନ୍‌ସିଲର୍‌ ବିଗତ ଦୁଇ ମାସ ଧରି ସିଏଏ ବିରୋଧୀ ଆନ୍ଦୋଳନରେ ରାସ୍ତା ବନ୍ଦ କରିଥିଲେ । ଫେବୃୟାରୀ 23 ତାରିଖ ରବିବାର ଦିନ ଘୃଣା ଭରା ଭାଷଣ ଦେଇଥିବାରୁ ଇସ୍‌ରତ୍‌ ଜହାଁଙ୍କୁ ଦିଲ୍ଲୀ ପୋଲିସ୍‌ ପକ୍ଷରୁ ଗିରଫ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ହିଂସାକାଣ୍ଡ ପୀଡିତଙ୍କ ପାଇଁ କେଜ୍ରିଓ୍ବାଲଙ୍କ ସହାୟତା ରାଶି ଘୋଷଣା

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡରେ ପୀଡିତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଶୁକ୍ରବାର ସନ୍ଧ୍ୟାରେ କେଜ୍ରିଓ୍ବାଲ ଏହି ସହାୟତା ରାଶି ସମ୍ପର୍କରେ ଘୋଷଣା କରିଛନ୍ତି । ହିଂସାକାଣ୍ଡରେ ଜଳାପୋଡା ହୋଇଥିବା ବେଳେ ଜଳିଯାଇଥିବା ଘର ଗୁଡିକ ପାଇଁ ସହାୟତା ରାଶି ଘୋଷଣା କରାଯାଇଛି । ଜଳି ଯାଇଥିବା ପ୍ରତି ଘର ପାଇଁ 25 ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା 42 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 200 ଜଣ ଆହତ ହୋଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ହିଂସା: ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ କଂଗ୍ରେସର ପ୍ରତିନିଧିମଣ୍ଡଳ

ନୂଆଦିଲ୍ଲୀ : ଦିଲ୍ଲୀ ହିଂସା ମାମଲାରେ କଂଗ୍ରେସର ଏକ ପ୍ରତିନିଧିମଣ୍ଡଳ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ସାକ୍ଷାତ ପାଇଁ ପହଞ୍ଚିଛନ୍ତି। ଏହି ପ୍ରତିନିଧି ମଣ୍ଡଳରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରା, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଆନନ୍ଦ ଶର୍ମା, ରଣଦୀପ୍‌ ସୁରେଜଓ୍ବାଲା ସମେତ ବହୁ ନେତା ସାମିଲ୍‌ ରହିଛନ୍ତି। ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

ଏହି ସ୍ମାରକ ପତ୍ରରେ ଦିଲ୍ଲୀ ହିଂସାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଦାବି କରାଯିବା ସହିତ ପୀଡିତଙ୍କୁ ସାହାଯ୍ୟ କରିବାର ଦାବି କରାଯାଇଛି। ସେହିପରି ଦିଲ୍ଲୀ ହିଂସାକାଣ୍ଡର ଶୁଣାଣି କରିଥିବା ବିଚାରପତି ଏସ୍‌. ମୂରଲୀଧରଙ୍କ ବଦଳିକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇବା ସହିତ ସରକାର ନ୍ୟାୟର ମୁହଁ ବନ୍ଦ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀ ହିଂସା ଘଟଣାରେ 35 ଜଣଙ୍କର ମୃତ୍ୟୁ ହୋଇଛି। ଗଗନବିହାର ଓ ଜୋହରୀପୁର ଏକ୍ସଟେସନର ଡବଲ ପୁଲିଆ ନାଳ ନିକଟରୁ ଦୁଇଜଣଙ୍କ ମୃତଦେହ ଠାବ ହୋଇଛି । ଏହି ହିଂସାରେ 200ରୁ ଉର୍ଦ୍ଧ୍ବ ଆହତ ହୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।(ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜଷ୍ଟିସ୍‌ ଏସ୍‌. ମୂରଲୀଧରଙ୍କ ବଦଳିକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ :  ଦିଲ୍ଲୀ ହାଇକୋର୍ଟର ବିଚାରପତି ଏସ୍‌. ମୂରଲୀଧରଙ୍କ ବଦଳିକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର ପୂର୍ବତନ ରାହୁଲ୍‌ ଗାନ୍ଧି ଓ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି।  ଦିଲ୍ଲୀ ହିଂସା ମାମଲାରେ ଶୁଣାଣି କରିଥିବା ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌. ମୂରଲୀଧରଙ୍କ ରାତାରାତି ବଦଳିକୁ ନେଇ ପ୍ରଶ୍ନ ଉଠାଇବା ସହିତ ସରକାର ନ୍ୟାୟକୁ ଅବରୁଦ୍ଧ କରିବାର ପ୍ରୟାସ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସର ଏହି ଦୁଇ ନେତା।

ରାହୁଲ୍‌ ଗାନ୍ଧି ଏହି ଅବସରରେ ଦିବଙ୍ଗତ ବିଚାରପତି ଲୋୟାଙ୍କ ମାମଲାକୁ ଉଲ୍ଲେଖ କରି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସୂଚନାଯୋଗ୍ୟ, ଶୋହରାବୁଦ୍ଦିନ୍‌ ଶେଖ୍‌ ଏନକାଉଣ୍ଟର ମାମଲାରେ ଶୁଣାଣି କରୁଥିବା ସିବିଆଇ ଜଜ୍‌ ବିଏଚ୍‌ ଲୋୟାଙ୍କ ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଗୃହ ମନ୍ତ୍ରୀ ଅମିତ୍‌ ଶାହା ଅଭିଯୁକ୍ତ ରହିଥିଲେ। କିନ୍ତୁ ପରେ ସେ ସମସ୍ତ ଅଭିଯୁକ୍ତରୁ ମୁକ୍ତ ହୋଇଥିଲେ।

ସେହିପରି ପ୍ରିୟଙ୍କା ଗାନ୍ଧି ବିଚାରପତି ମୁରଲୀଧରନଙ୍କ ଅଧରାତ୍ରିରେ ବଦଳିକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହା ଏକ ଦୁଃଖଦ ତଥା ଲଜ୍ଜାଜନକ ଘଟଣା ବୋଲି କହିଛନ୍ତି ପ୍ରିୟଙ୍କା। କୋଟି କୋଟି ଭାରତୀୟଙ୍କ ନ୍ୟାୟପାଳିକା ଉପରେ ଆସ୍ଥା ରହିଛି । ଲୋକଙ୍କ ବିଶ୍ବାସକୁ ଭାଙ୍ଗିବା ସହିତ ନ୍ୟାୟକୁ ଅବରୁଦ୍ଧ କରିବା ପାଇଁ ସରକାରଙ୍କ ପ୍ରୟାସ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ପ୍ରିୟଙ୍କା। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ହିଂସା : ମୃତକଙ୍କ ସଂଖ୍ୟା 34କୁ ବୃଦ୍ଧି

ନୂଆଦିଲ୍ଲୀ :  ଉତ୍ତରପୂର୍ବ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡରେ ମୃତକଙ୍କ ସଂଖ୍ୟା 34କୁ ବୃଦ୍ଧି ପାଇଛି । ଆଜି ସକାଳ ପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା 27 ରହିଥିବାବେଳେ ହିଂସାରେ ଗମ୍ଭୀର ରୂପେ ଆହତ ହୋଇଥିବା ଆଉ ସାତଜଣକଙ୍କ ମୃତ୍ୟୁଘଟିଛି । ଏହି ହିଂସାରେ 50ରୁ ଅଧିକ ପୋଲିସ୍‌ କର୍ମୀଙ୍କ ସମେତ ପ୍ରାୟ 200 ଲୋକ ଆହତ ହୋଇଛନ୍ତି ।

ମଙ୍ଗଳବାର ଦିନ ଉତ୍ତରପୂର୍ବ ଦିଲ୍ଲୀର ଚାନ୍ଦବାଗ୍‌, ଭଜନାପୁରା, ଗୋକଲପୁରୀ, ମୌଜପୁର, କର୍ଦ୍ଦମପୁରୀ ଓ ଜାଫରବାଦରେ ଭୀଷଣ ହିଂସା ହୋଇଥିଲା । ପୂର୍ବରୁ ରବିବାର ଓ ସୋମବାର ଦିନ ମଧ୍ୟ ଏହି ଅଞ୍ଚଳଗୁଡିକରେ ପ୍ରବଳ ହିଂସା ଅନୁଭୂତ ହୋଇଥିଲା । ପଥର, ଗୁଳି ଓ ଅନ୍ୟ ହତିଆର ଜରିଆରେ  ଲୋକମାନେ ଆହତ ହୋଇଥିବାର ସୂଚନା ରହିଛି । ହିଂସା ମାମଲାରେ ପୋଲିସ୍‌ ଏପର୍ଯ୍ୟନ୍ତ 18ଟି ଏଫଆଇଆର୍‌ ଭିନ୍ନ ଭିନ୍ନ ଥାନାରେ ରୁଜୁ କରିଛି। ହିଂସା ଘଟଣାରେ 106ଜଣକୁ ଗିରଫ କରାଯାଇଛି । ସିସିଟିଭି କ୍ୟାମେରା ଜରିଆରେ ଚିହ୍ନିତ କରାଯାଇ ଅଭିଯୁକ୍ତଙ୍କୁ ଧରିବା ଲାଗି ଚେଷ୍ଟା ଜାରି ରହିଛି ।

ହିଂସା ଉପରେ ଅଙ୍କୁଶ ଲଗାଇବା ପାଇଁ ଉତ୍ତର ପୂର୍ବ ଦିଲ୍ଲୀରେ  ବଡ ସଂଖ୍ୟାରେ ସୁରକ୍ଷା ବଳକୁ ନିୟୋଜିତ କରାଯାଇଛି । ରାଜଧାନୀରେ ସ୍ଥିତି ନିୟନ୍ତ୍ରିତ କରିବା ପାଇଁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ୍‌ଙ୍କୁ ଦାୟିତ୍ବ ଦିଆଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ହିଂସାକାଣ୍ଡ : ଯିଏ ଉସୁକେଇଥିବ ତା’ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ – ଗୌତମ ଗମ୍ଭୀର

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡ ମାମଲାରେ ଭାରତୀୟ ଜନତା ପାର୍ଟିର ସାଂସଦ ଗୌତମ ଗମ୍ଭୀର ବୟାନ ଦେଇ ହିଂସାକାଣ୍ଡ ପାଇଁ ଯିଏ ଦାୟୀ ତା’ ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି । ଗୌତମ ଗମ୍ଭୀର କହିଛନ୍ତି ଯେ, ଯିଏ ବି ଉତ୍ତେଜିତ ଭାଷଣ ଦେବ, ତା’ ଉପରେ କାର୍ଯ୍ୟାନୁଷ୍ଠାନ କରାଯିବ । କିଏ ଦେଇଛି, କେଉଁ ଦଳ ସହିତ ତା’ର ସମ୍ପର୍କ ରହିଛି ଏନେଇ କିଛି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ଗୌତମ ଗମ୍ଭୀର ।

ପୂର୍ବ ଦିଲ୍ଲୀର ସାଂସଦ ଗୌତମ ଗମ୍ଭୀର ଆଜି ମୌଜପୁର ହିଂସାକାଣ୍ଡରେ ଆହତ ହୋଇଥିବା ଡିସିପି ଅମିତ ଶର୍ମାଙ୍କୁ ସାକ୍ଷାତ କରିଛନ୍ତି । ପଟପଡଗଞ୍ଜ ମ୍ୟାକ୍ସ ହସ୍ପିଟାଲ୍‌ରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରିଥିଲେ । ଦୁଇଦିନ ଧରି ଦିଲ୍ଲୀରେ ଚାଲିଥିବା ହିଂସାକୁ ନେଇ ବିଜେପି ସାଂସଦ ଗୌତମ ଗମ୍ଭୀର କହିଛନ୍ତି ଯେ, ଉତ୍ତର ପୂର୍ବ ଦିଲ୍ଲୀରେ ହେଉଥିବା ହିଂସାକାଣ୍ଡରେ ଯେଉଁମାନେ ସାମିଲ୍‌ ରହିଛନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେ ଯେକୌଣସି ଦଳର ହୋଇଥାନ୍ତୁ ନା କାହିଁକି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯଦି ଏହି କାଣ୍ଡରେ କପିଲ୍‌ ମିଶ୍ରାଙ୍କ ହାତ ରହିଥିବ, ତେବେ ତାଙ୍କ ବିରୋଧରେ ମଧ୍ୟ ମାମଲା ଦାଏର କରାଯିବ ।

ସୂଚନାଯୋଗ୍ୟ, ଜାନୁଆରୀ 22 ତାରିଖରେ ଶାହିନବାଗ୍‌ ପରେ ଜାଫରବାଦ ଓ ଚାନ୍ଦ ବାଗ୍‌ରେ ରାସ୍ତା ବନ୍ଦକୁ ନେଇ କପିଲ ମିଶ୍ରା ଧମକ ଦେଇ କହିଥିଲେ ଯେ, ଦିଲ୍ଲୀ ପୁଲିସ୍‌ ତିନି ଦିନ ଭିତରେ ରାସ୍ତାକୁ ଖାଲି କରାନ୍ତୁ । ଯଦି ତିନି ଦିନ ଭିତରେ ରାସ୍ତା ଖାଲି ନ ହେବ, ତେବେ ଆମେ ରାସ୍ତାକୁ ଓହ୍ଲାଇବୁ ଓ ପୁଲିସ୍‌ର କଥା ମଧ୍ୟ ଶୁଣିବୁ ନାହିଁ ବୋଲି କହିଥିଲେ । କପିଲ ମିଶ୍ରାଙ୍କ ଏହି ବୟାନ ପରେ ହିଂସା ଆରମ୍ଭ ହୋଇଥିଲା ।

Categories
ଆଜିର ଖବର ଜାତୀୟ ଖବର

ଅଶାନ୍ତ ଦିଲ୍ଲୀ : ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ : ସିଏଏକୁ ନେଇ ଦିଲ୍ଲୀରେ ପରିବେଶ ବେଶ୍‌ ଅଶାନ୍ତ ରହିଛି । ସୋମବାର ଦିନ ଉତ୍ତରପୂର୍ବ ଦିଲ୍ଲୀରେ ହିଂସାକାଣ୍ଡ ସହିତ ପୋଡାଜଳା ହୋଇଯାଇଛି । ଏଥିରେ 7ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଏହି ମୃତକଙ୍କ ମଧ୍ୟରେ ଜଣେ ହେଡ୍‌ କନେଷ୍ଟବଳ ରହିଛନ୍ତି । 100ରୁ ଉର୍ଦ୍ଧ୍ବ ଏଥିରେ ଆହତ ହୋଇଥିବାବେଳେ ଆଜି ସକାଳୁ ମଧ୍ୟ ବେଶ୍‌ ଉତ୍ତେଜନାମୟ ପରିସ୍ଥିତି ରହିଛି। ତେବେ ଦିଲ୍ଲୀରେ ଉତ୍ତରପୂର୍ବ ଅଞ୍ଚଳରେ 144 ଧାରା ଜାରି ରହିଛି।

ଦିଲ୍ଲୀରେ ପରିସ୍ଥିତିକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଜରୁରୀକାଳୀନ ବୈଠକ ଡାକିଥିଲେ। ଲୋକଙ୍କୁ ଶାନ୍ତି ରଖିବା ପାଇଁ ଅପିଲ୍‌ ମଧ୍ୟ କରିଛନ୍ତି। ଦିଲ୍ଲୀର ଅଶାନ୍ତ ପରିବେଶକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀର ଉପରାଜ୍ୟପାଳ ଅନିଲ୍‌ ବୈଜଲ୍‌ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲଙ୍କ ସମେତ ଦଳର ସମସ୍ତ ପ୍ରତିନିଧିଙ୍କ ସହ ଏକ ବୈଠକ କରିବେ ବୋଲି ଜଣାପଡିଛି। (ଏଜେନ୍ସି)