Categories
ଆଜିର ଖବର ଜାତୀୟ ଖବର

ଗତ 24 ଘଣ୍ଟାରେ କରୋନା ଯୋଗୁଁ ମହାରାଷ୍ଟ୍ରରେ 36ଜଣଙ୍କ ମୃତ୍ୟୁ, ଦେଶରେ ମୃତ୍ୟୁ ସଂଖ୍ୟା 1200 ଟପିଲା

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ଏବେ ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ କୋଭିଡ୍‌19ର 790ଟି ମାମଲା ସାମ୍ନାକୁ ଆସିଥିବାବେଳେ 36ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ଲଗାତାର ଭାବରେ ବଢୁଥିବା କରୋନା ମାମଲା ଏବେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚିନ୍ତାର କାରଣ ପାଲଟିଛି । ଏପର୍ଯ୍ୟନ୍ତ ରାଜ୍ୟରେ ମୃତ୍ୟୁ ସଂଖ୍ୟା 521ରେ ପହଞ୍ଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 12ହଜାର ଟପିସାରିଛି ।

ମହାରାଷ୍ଟ୍ରରେ କଣ୍ଟେନମେଣ୍ଟ, ହଟ୍‌ସ୍ପଟ୍‌ ଜୋନ୍‌ ଓ ଲକ୍‌ଡାଉନକୁ ଶକ୍ତ ରୂପେ ପାଳନ କରାଯିବା ପରେ ମଧ୍ୟ ଲଗାତାର ଭାବରେ ମାମଲା ବୃଦ୍ଧି ପାଉଛି । ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ 8351ଜଣ ଆକ୍ରାନ୍ତ ରହିଛନ୍ତି । ସେହିପରି ଏଠାରେ ମୃତ୍ୟୁସଂଖ୍ୟା 332 ରହିଛି । ଗତ 24 ଘଣ୍ଟା ମଧ୍ୟରେ ମୁମ୍ବାଇରୁ 539 କରୋନା ମାମଲା ସାମ୍ନାକୁ ଆସିଛି ।

ରାଜ୍ୟରେ ଦୁଇ ହଜାର ଲୋକେ ସୁସ୍ଥ ହୋଇଥିବାବେଳେ ଏହି ସୁସ୍ଥ ଲୋକଙ୍କୁ ମଧ୍ୟ ଆଇସୋଲେଟ୍‌ରେ ରଖାଯାଉଛି । ମହାରାଷ୍ଟ୍ରରେ ଧାରାବୀ ଅଞ୍ଚଳରୁ ମାତ୍ର 2 ଦିନ ମଧ୍ୟରେ 127ଟି ମାମଲା ସାମ୍ନାକୁ ଆସିଛି । ଧାରାବୀରେ ଏପର୍ଯ୍ୟନ୍ତ 496ଜଣ ସଂକ୍ରମିତ ହୋଇଥିବାବେଳେ 18 ଜଣଙ୍କର ମୃତ୍ୟୁ ଘଟିଛି ।

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 1223ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 37,776 ରହିଥିବାବେଳେ ବିଦେଶୀ 111ଜଣ ରହିଛନ୍ତି । ସେହିପରି 10,017ଜଣ ସୁସ୍ଥ ହୋଇଛନ୍ତି । (ଏଜେନ୍ସି)