Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସିଙ୍ଗାପୁରରେ ପ୍ରବାସୀ ଭାରତୀୟଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ସହ ଶିକ୍ଷା କ୍ଷେତ୍ରରେ ସମ୍ପର୍କକୁ ମଜଭୂତ୍ କରିବା ପାଇଁ ୭ ଦିନିଆ ବିଦେଶ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତର ପ୍ରଥମ ଦିନରେ ସିଙ୍ଗାପୁରରେ ରହୁଥିବା ଭାରତୀୟ ସମୁଦାୟଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି।

ପ୍ରବାସୀ ଭାରତୀୟ ମାନଙ୍କ ଆତିଥେୟତାକୁ ପ୍ରଶଂସା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଦେଶରେ ଭାରତୀୟଙ୍କ ଗହଣରେ ରହିବା ଏବଂ ସେମାନଙ୍କ ସହ ଭୋଜନରେ ସାମିଲ ହେବା ମୋ ପାଇଁ ଖୁସିର ବିଷୟ। ସିଙ୍ଗାପୁର- ଭାରତ ଭାଗିଦାରୀକୁ ଅଧିକ ମଜଭୂତ୍ କରିବାରେ ଆମର ପ୍ରବାସୀ ଭାରତୀୟମାନେ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ସେମାନେ ବାହାରେ ରହି ମଧ୍ୟ ଭାରତର ସଂସ୍କୃତିକୁ ପାଳନ କରୁଛନ୍ତି । ସିଙ୍ଗାପୁରର ପ୍ରଗତିରେ ତାଙ୍କର ଯୋଗଦାନ ଅନେକ ରହିଛି। ବର୍ତ୍ତମାନ ସମୟରେ ପୁଞ୍ଜିନିବେଶ ଏବଂ ସୁଯୋଗ ପାଇଁ ଭାରତ ହେଉଛି ବିଶ୍ୱର ସବୁଠୁ ଆକର୍ଷଣୀୟ ସ୍ଥାନ । ପ୍ରବାସୀମାନେ ଭାରତରେ ଥିବା ନିଜର ଆତ୍ମୀୟ ଏବଂ ସଂସ୍କୃତି ସହିତ ସବୁବେଳେ ଯୋଡ଼ି ହୋଇ ରହିବା ସହ ଭାରତର ଅଭିବୃଦ୍ଧି ଯାତ୍ରାରେ ଯୋଗଦାନ ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଭାରତ ଓ ସିଙ୍ଗାପୁରକୁ ଗର୍ବିତ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ।

ସିଙ୍ଗାପୁରରେ ପ୍ରବାସୀଙ୍କ ସହ ଆଲୋଚନା କାଳରେ ଭାରତର ଯୁବକମାନଙ୍କୁ ଦକ୍ଷ କରିବାରେ ଜାତୀୟ ଶିକ୍ଷା ନୀତି – ୨୦୨୦ର ଭୂମିକା ଏବଂ ଭାରତରେ ଶିକ୍ଷାର ବ୍ୟାପକତା ଉପରେ ଆଲୋକପାତ କରିଥିଲେ ଶିକ୍ଷା ମନ୍ତ୍ରୀ । ଭାରତ ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତିର ଲକ୍ଷ୍ୟ ନେଇ କାମ କରିବା ତଥା ଏହା ଦ୍ୱାରା ହେବାକୁ ଥିବା ବିକାଶ ଉପରେ ଚର୍ଚ୍ଚା କରିଥିଲେ । ସେହିପରି ୨୦୭୦ ସୁଦ୍ଧା ନେଟ୍ ଜିରୋ ଆଡକୁ ଅଗ୍ରସର ହେବା ଏବଂ ବିଶ୍ୱ ସବୁଜ ଉର୍ଜା ମଡେଲକୁ ଆକାର ଦେବା ପାଇଁ ପ୍ରବାସୀଙ୍କ ସମ୍ଭାବନା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଭାରତର ଐତିହ୍ୟ ସହ ଜଡ଼ିତ ବିଷୟ ସହ ଯୋଡି ହୋଇ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପାଇଁ ଶ୍ରୀ ପ୍ରଧାନ ପ୍ରବାସୀଙ୍କୁ ଆହ୍ୱାନ ଦେଇଥିଲେ ।

ଏହି ସିଙ୍ଗାପୁର ଗସ୍ତ କାଳରେ ଶ୍ରୀ ପ୍ରଧାନ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ୍, ଉପପ୍ରଧାନମନ୍ତ୍ରୀ ଗାନ୍ କିମ୍ ୟୋଙ୍ଗ୍, ଶିକ୍ଷା ମନ୍ତ୍ରୀ ଚାନ୍ ଚୁନ୍ ସିଂ ଏବଂ ବୈଦେଶିକ ମନ୍ତ୍ରୀ ଭିଭିଆନ୍ ବାଲକ୍ରିଷ୍ଣନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

Categories
ଆଜିର ଖବର ଜାତୀୟ ଖବର

ନୂତନ ଶ୍ରେଣୀଭୁକ୍ତ ଶାସ୍ତ୍ରୀୟ ଭାଷାର ଭାଷାବିତମାନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିକଟରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପାଲି, ପ୍ରାକୃତ, ମରାଠୀ, ଆସାମୀ(ଅହମିୟା) ଏବଂ ବଙ୍ଗଳା ଭାଷାରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବାକୁ ମଞ୍ଜୁର କରିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ଏହି ସବୁ ଭାଷାର ଭାଷାବିତମାନଙ୍କୁ ଭେଟି ସାକ୍ଷାତ୍ ଆଲୋଚନା କରିଛନ୍ତି।

ଏହି ଭାରତୀୟ ଭାଷା ଗୁଡ଼ିକୁ ଶାସ୍ତ୍ରୀୟ ଭାଷା ତାଲିକାରେ ଅନ୍ତର୍ଭୁକ୍ତ କରିଥିବାରୁ ଭାଷାବିତମାନେ ଖୁସି ବ୍ୟକ୍ତ କରିବା ସହ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ସବୁ ଭାଷାକୁ ପ୍ରୋତ୍ସାହିତ ଓ ସୁସମୃଦ୍ଧ କରିବା ଦିଗରେ ସମସ୍ତେ ନିଜର ସମର୍ଥନ ଜଣାଇଛନ୍ତି। ଏ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମ ଭାଷା ଗୁଡିକ ହେଉଛି ‘ଭାରତୀୟତା’ର ପ୍ରାଣ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସରକାର ସବୁ ଭାରତୀୟ ଭାଷା ବା ମାତୃଭାଷାରେ ଶିକ୍ଷାକୁ ପ୍ରୋତ୍ସାହିତ କରୁଛନ୍ତି । ଜାତୀୟ ଶିକ୍ଷା ନୀତିର କଳ୍ପନା ଅନୁସାରେ ଆମର ଭାଷାଗତ ଐତିହ୍ୟକୁ ସମ୍ମାନ ଜଣାଇବା ସହ ସଂରକ୍ଷଣ କରିବା ପାଇଁ ସବୁ ପ୍ରକାର ପ୍ରୟାସ କରୁଛନ୍ତି। ମାତୃଭାଷା ଶିକ୍ଷାକୁ ସୁଗମ କରିବା, ସମସ୍ତ ଭାରତୀୟ ଭାଷା ଉପରେ ସମାନ ଗୁରୁତ୍ୱ ଦେବା ସହିତ ବହୁଭାଷାଭିତ୍ତିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଉଲ୍ଲେଖନୀୟ ଯେ, ଭାରତ ସରକାର ପୂର୍ବରୁ ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ, ମlଲlୟାଲମ୍‌ ଓ ଓଡ଼ିଆ ଭାଷାଗୁଡିକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇସାରିଛନ୍ତି। ଶାସ୍ତ୍ରୀୟ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସଂସ୍କୃତ ଭାଷାର ପ୍ରଚାର ପାଇଁ ସଂସଦର ଏକ ଅଧିନିୟମ ମାଧ୍ୟମରେ ୨୦୨୦ରେ ତିନୋଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ପ୍ରାଚୀନ ତାମିଲ ଗ୍ରନ୍ଥଗୁଡିକର ଅନୁବାଦକୁ ସୁଗମ କରିବା ଅନୁସନ୍ଧାନକୁ ପ୍ରୋତ୍ସାହିତ କରିବା ଏବଂ ତାମିଲର ଭାଷା ଛାତ୍ରମାନଙ୍କ ପାଇଁ ପାଠ୍ୟକ୍ରମ ପ୍ରଦାନ କରିବାକୁ କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ ସଂସ୍ଥାନ ପ୍ରତିଷ୍ଠା କରାଯାଇଥିଲା।

ଶାସ୍ତ୍ରୀୟ ଭାଷାର ଅଧ୍ୟୟନ ଏବଂ ସଂରକ୍ଷଣକୁ ଆହୁରି ବଢ଼ାଇବା ପାଇଁ ମହୀଶୁରରେ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ଲାଙ୍ଗୁଏଜ୍ ଅଧିନରେ ଶାସ୍ତ୍ରୀୟ କନ୍ନଡ, ତେଲୁଗୁ, ମାଲାୟାଲମ୍ ଏବଂ ଓଡିଆରେ ଅଧ୍ୟୟନ ପାଇଁ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହି ପଦକ୍ଷେପଗୁଡିକ ସହିତ, ଶାସ୍ତ୍ରୀୟ ଭାଷା କ୍ଷେତ୍ରରେ ଉପଲବ୍ଧତାକୁ ମାନ୍ୟତା ଦେବା ସହ ପ୍ରୋତ୍ସାହିତ  କରିବା ପାଇଁ ଅନେକ ଜାତୀୟ ଏବଂ ଅର୍ନ୍ତଜାତୀୟ ପୁରସ୍କାର ମଧ୍ୟ ଆରମ୍ଭ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ହରିୟାଣା ନିର୍ବାଚନ: ବିଜେପିର ବିଜୟ ପଛରେ କିଏ ଏହି ନେତା, ଯାହାଙ୍କ ଯୋଗୁଁ ପଦ୍ମକୁ ମିଳିଲା ସଫଳତା?

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ ​​ଜିତିବାକୁ ଯାଉଛି ବୋଲି କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରିଥିଲା। ଏକଜିଟ୍ ପୋଲ୍ ମଧ୍ୟ କଂଗ୍ରେସର ବିଜୟ ଦର୍ଶାଉଥିଲା, କିନ୍ତୁ ଫଳାଫଳ ଦିନ ଏହି ପରିସ୍ଥିତି ବଦଳିଗଲା, କିନ୍ତୁ ହରିୟାଣାରେ ବିଜେପିର ବିଜୟ ପଛରେ ଦଳର ଏପରି ତିନିଜଣ ନେତା ଅଛନ୍ତି, ଯାହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା।

ହରିୟାଣା ବିଧାନସଭା ନିର୍ବାଚନରେ ​​ରାଜ୍ୟ ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଉଭୟ ସହ-ପ୍ରଭାରୀ ବିପ୍ଲବ ଦେବ ଏବଂ ସୁରେନ୍ଦ୍ରଙ୍କ ଭୂମିକା ମଧ୍ୟ ଅତ୍ୟନ୍ତ ଜବରଦସ୍ତ ଥିଲା। ପାର୍ଟି ଟିକେଟ୍ ବଣ୍ଟନ କରିଥିଲା, ତଥାପି ଧର୍ମେନ୍ଦ୍ର ପ୍ରଧାନ ଚର୍ଚ୍ଚାକୁ ନଆସି ଛୋଟ ବୈଠକ କରିଥିଲେ। ଅସନ୍ତୁଷ୍ଟ ନେତା ଓ କର୍ମୀମାନଙ୍କୁ ଶାନ୍ତ କରିବା ପାଇଁ ଅନେକ ବୈଠକ କରିଥିଲେ।

ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ବୈଠକର ଫଳାଫଳ ହେଲା ଯେ ଦଳ ବିରୋଧରେ ନିର୍ବାଚନ ଲଢିବାକୁ ସ୍ଥିର କରିଥିବା ଅଧାରୁ ଅଧିକ ଲୋକଙ୍କ ନାମାଙ୍କନ ପ୍ରତ୍ୟାହାର କରାଯାଇଥିଲା ଏବଂ ସମସ୍ତଙ୍କୁ ଗୋଟିଏ ପ୍ଲାଟଫର୍ମରେ ଅଣାଯାଇଥିଲା। ଆଭ୍ୟନ୍ତରୀଣ ଲଢେଇ ବିଷୟରେ କହିବାକୁ ଗଲେ କଂଗ୍ରେସ ତୁଳନାରେ ବିଜେପିରେ ଏହି ଜିନିଷ କମ୍ ଦେଖାଯାଇଥିଲା। କୌଣସି ପ୍ରକାରର ଦଳ ବିରୋଧୀ କାର୍ଯ୍ୟ ଦେଖାଗଲା।

କଂଗ୍ରେସର ପରାଜୟର ପଛରେ ଏକ ପ୍ରମୁଖ କାରଣ ଗୋଷ୍ଠୀ କନ୍ଦଳ ବୋଲି କୁହାଯାଉଛି। ନିର୍ବାଚନ ସମୟରେ କୁମାରୀ ଶୈଲଜା, ଭୁପେନ୍ଦ୍ର ସିଂ ହୁଡା ଏବଂ ସୁରଜେୱାଲାଙ୍କ ସମର୍ଥକଙ୍କ ମଧ୍ୟରେ ମତଭେଦ ହୋଇଥିଲା। ତିନିଜଣ ନେତା ସିଏମ୍ ପଦବୀ ପାଇଁ ଦୌଡରେ ନିଜକୁ ଆଗକୁ ଦେଖାଉଥିଲେ। ପ୍ରଚାର ରାଲିରେ ଶୈଲଜା ଏବଂ ହୁଡାଙ୍କ ମଧ୍ୟରେ ତିକ୍ତତା ମଧ୍ୟ ସ୍ପଷ୍ଟ ଦେଖାଯାଉଥିଲା।

ଯଦି ଆମେ ହରିୟାଣାରେ ଭାରତୀୟ ଜନତା ପାର୍ଟିର ରଣନୀତିକୁ ଦେଖିବା, ସେଠାରେ ଅନେକ ସମସ୍ୟା ଦେଖାଦେଇଥିଲା ଯେଉଁଥିରେ ଦଳ କ୍ଷତିର ସମ୍ମୁଖୀନ ହେଉଥିବାର ଦେଖାଯାଉଥିଲା, ମାତ୍ର ୭ ମାସ ପୂର୍ବରୁ ଦଳ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମନୋହର ଲାଲଙ୍କୁ ସିଏମ ପଦରୁ ହଟାଇ ନାୟବ ସିଂ ସୈନିଙ୍କୁ ନେତୃତ୍ଵ ହସ୍ତାନ୍ତର କରିଥିଲା। ନାୟବ ସିଂ ସୈନି ଚେହେରାକୁ ସାମ୍ନା କରି ଦଳ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲା ଏବଂ ଫଳାଫଳରୁ ଜଣାପଡିଛି ଯେ, ନାୟବ ସିଂ ସୈନିଙ୍କ ଉପରେ ଜନସାଧାରଣ ଭରସା ପ୍ରକଟ କରିଛନ୍ତି। ସେହିଭଳି ବିଜେପି ମଧ୍ୟ ଏହି ସୂତ୍ର ଗ୍ରହଣ କରିଛି, ଯାହା ସଫଳ ହୋଇଛି। ଗୁଜୁରାଟ, ଉତ୍ତରପ୍ରଦେଶ ଏବଂ ତ୍ରିପୁରାରେ ମଧ୍ୟ ବିଜେପି ସମାନ ରଣନୀତି ଆପଣାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ରାଷ୍ଟ୍ରୀୟ ସଭାପତି ହେବେ କି ? କାହିଁକି ଏପରି ଚାଲିଛି ଚର୍ଚ୍ଚା

ଭୁବନେଶ୍ବର: ଓଡିଶାର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ବର୍ତ୍ତମାନ ବେଶ ଚର୍ଚ୍ଚା। ରାଜ୍ୟ ରାଜନୀତିରେ ବେଶ ଆଲୋଚନା ଓ ପର୍ଯ୍ୟାଲୋଚନା। ତାହା ହେଲା ଯେ ଧର୍ମେନ୍ଦ୍ର ପ୍ରଧାନ କୁଆଡେ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ। ଏହି ଖବରଟି ପ୍ରସାରିତ ହେବା ପରେ ଧର୍ମେନ୍ଦ୍ର ଶିବିରରେ ଉଭୟ ଖୁସି ଓ ନୈରାଶ ମଧ୍ୟ ପରିଲକ୍ଷିତ ହୋଇଛି। କାରଣ ରାଷ୍ଟ୍ରୀୟ ସଭାପତି ହେଲେ ବୋଧହୁଏ ମନ୍ତ୍ରୀପଦ ଚାଲିଯାଇପାରେ।

ଅନ୍ୟପଟେ ଦେଖିବାକୁ ଗଲେ ବର୍ତ୍ତମାନ ଜେ ପି ନଡ୍ଡା ଉଭୟ ମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ସଭାପତି ଅଛନ୍ତି। ହେଲେ ଆଉ ମାସ କେଇଟା ପରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି। ବିଜେପିର ଗୋଟିଏ ନେତା ଗୋଟିଏ ପଦବୀ ନ୍ୟାୟରେ ନଡ୍ଡାଙ୍କ କ୍ଷେତ୍ରରେ ଲାଗୁ ହୋଇ ନାହିଁ। ଯେହେତୁ ତାଙ୍କର କାର୍ଯ୍ୟକାଳ ଆଉ କିଛି ମାସ ଥିବାରୁ ବୋଧହୁଏ ଦଳ ସେଥିପାଇଁ ଦୁଇଟି ପଦବୀରେ ତାଙ୍କୁ ରଖିଛି।

ତେବେ ଧର୍ମେନ୍ଦ୍ର ରାଷ୍ଟ୍ରୀୟ ସଭାପତି ହେବା ଜାତୀୟ ଗଣମାଧ୍ୟମରେ ଯେତେ ଚର୍ଚ୍ଚା ନ ହେଉଛି ରାଜ୍ୟରେ ତାହାଠାରୁ ବେଶୀ ଚର୍ଚ୍ଚା ହେଉଛି। ଏହାର କାରଣ ହେଲା ଧର୍ମେନ୍ଦ୍ରଙ୍କର ଉଭୟ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ସହିତ ଭଲ ସଂପର୍କ ରହିଛି। ବିଭିନ୍ନ ସମୟରେ ଓଡିଶା ବିଜେପିରେ ତାଙ୍କର ଦବଦବା ଚାଲିଆସିଛି। କେନ୍ଦ୍ରରେ ମଧ୍ୟ ତାଙ୍କର କଥା ରହୁଛି। ତେଣୁ ସେହି ହିସାବରେ ଧର୍ମେନ୍ଦ୍ରଙ୍କୁ ହୁଏତ ଦଳ ସଭାପତି ଆସନରେ ବସାଇପାରେ ବୋଲି କୁହାଯାଉଛି।

ହେଲେ ଅନ୍ୟ ଏକ ସୁତ୍ର ବା ଜାତୀୟ ଗଣମାଧ୍ୟମ ଚର୍ଚ୍ଚା ଅନୁସାରେ କୁଆଡେ ବସୁନ୍ଧରା ରାଜେ ପରବର୍ତ୍ତି ସଭାପତି ହେବେ। ତାଙ୍କୁ ଆରଏସଏସ ଦୃଢ ସମର୍ଥନ କରୁଛି ବୋଲି ଜଣାପଡିଛି। ଏପରିକି ଆରଏସଏସ ର ମୁଖ୍ୟ ମୋହନ ଭାଗବତଙ୍କ ସହିତ ବସୁନ୍ଧରାଙ୍କ ବୈଠକ ହୋଇସାରିଛି ବୋଲି କୁହାଯାଇଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବସୁନ୍ଧରାଙ୍କ ନାମକୁ ସମ୍ମତି ପ୍ରଦାନ କରିଛନ୍ତି। ଅନ୍ୟପଟେ ଆରଏସଏସ ଧର୍ମେନ୍ଦ୍ର ସପକ୍ଷରେ ନ ଥିବାର ଜଣାପଡିଛି। ତେଣୁ ଏପରି ପରିସ୍ଥିତିରେ ଧର୍ମେନ୍ଦ୍ରଙ୍କ ଅପେକ୍ଷା ବସୁନ୍ଧରାଙ୍କ ପଲ୍ଲା ଭାରୀ ରହିଛି।

Categories
ଜାତୀୟ ଖବର ବିଶେଷ ଖବର

Haryana Election: ହରିୟାଣା ନିର୍ବାଚନ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Haryana Election: ହରିୟାଣାର ବିକାଶକୁ ସମ୍ପୂର୍ଣ୍ଣ ବନ୍ଦ କରି ପୁଣି ଥରେ କୃଷକଙ୍କ ଜମି ଦଖଲ କରିବା, ଦଳିତ ଓ ମହିଳାଙ୍କ ଉପରେ ଅତ୍ୟାଚାର କରିବା ଏବଂ ଯୁବକମାନଙ୍କୁ ସେହି ପୁରୁଣା ସ୍ଥିତାବସ୍ଥାକୁ ଫେରାଇ ଆଣିବା କଂଗ୍ରେସର ମୂଳ ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି କହିଛନ୍ତି ହରିୟାଣା ନିର୍ବାଚନ ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ହରିୟାଣା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି କରନାଲରେ ବିଜେପି କାର‌୍ୟ୍ୟକର୍ତ୍ତାଙ୍କୁ ଭେଟିବା ସହ ସଂଗଠନାତ୍ମକ ବିଷୟ ଉପରେ ଆଲୋଚନା କରିଛନ୍ତି। ପ୍ରଚାର କରିବା ଅବସରରେ ସେ କହିଛନ୍ତି ହରିୟାଣାରେ ବିଜେପି ବିଜୟର ହ୍ୟାଟ୍ରିକ୍ ହେବାକୁ ଯାଉଛି। ବିଧାନସଭା ନିର୍ବାଚନ ପାଇଁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଛି।

ବିଗତ ୧୦ ବର୍ଷରେ ରାଜ୍ୟରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି । ବିଗତ ୧୦ ବର୍ଷ ଧରି ବିଜେପି ନିରନ୍ତର ଭାବେ ହରିୟାଣାର ସେବା କରିଆସୁଛି। ହରିୟାଣାର ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ ପ୍ରତ୍ୟେକ ବର୍ଗଙ୍କ କଲ୍ୟାଣ ପାଇଁ ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତି ନେଇଛନ୍ତି। କୃଷକମାନଙ୍କୁ ସମସ୍ତ କୃଷି ସାମଗ୍ରୀ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)ର ଗ୍ୟାରେଣ୍ଟି ଦେବାରେ ହରିୟାଣା ହେଉଛି ପ୍ରଥମ ରାଜ୍ୟ। ବିଜେପି ସରକାରରେ ଏହି ରାଜ୍ୟରେ ଯୁବବର୍ଗଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦିଆଯାଇ ସେମାନଙ୍କୁ ସରକାରୀ ଚାକିରି ପ୍ରଦାନ କରାଯାଇଛି।

ଗୋଟିଏ ପଟେ ସୈନୀ ସରକାର ଚାଷୀଙ୍କ ସ୍ୱାର୍ଥ ପାଇଁ ଚିନ୍ତା କରୁଛନ୍ତି । ଅନ୍ୟ ଗୋଟିଏ ପକ୍ଷରେ ବାପା ପୁଅଙ୍କ ଶାସନରେ ଚାଷୀଙ୍କ ଚାଷଜମି ଦଖଲ କରିବା ପାଇଁ ଯୋଜନା କରାଯାଉଛି । ଯେଉଁମାନେ ଏମଏସପି ନାଁରେ ଚାଷୀଙ୍କୁ ଠକିଥା’ନ୍ତି ସେମାନେ କେବେ ବି ନିଜ ସରକାରରେ ଗ୍ୟାରେଣ୍ଟି ପୂରଣ କରନ୍ତି ନାହିଁ । କଂଗ୍ରେସ ଠାରୁ ଜନତା କେବଳ ମିଛର ଗ୍ୟାରେଣ୍ଟି ପାଇଥା’ନ୍ତି ।

ହରିୟାଣାର ସଚେତନ ଓ ସ୍ୱାଭିମାନୀ ଲୋକମାନେ କଂଗ୍ରେସର ହରିୟାଣା ବିରୋଧୀ ଓ ଜନବିରୋଧୀ ମାନସିକତାକୁ ଭଲ ଭାବରେ ବୁଝିଛନ୍ତି । ସେଥିପାଇଁ ଆଗାମୀ ବିଧାନସଭା ନିର୍ବାଚନରେ ଜନତା, କଂଗ୍ରେସ ଏବଂ ବାପା ପୁଅଙ୍କୁ ହରାଇ ସେମାନଙ୍କୁ ଏକ ଶିକ୍ଷା ଦେବାକୁ ଯାଉଛନ୍ତି। ହରିୟାଣାର ଡବଲ ଇଞ୍ଜିନ ସରକାର କୃଷକ, ମହିଳା, ଦଳିତ, ବଞ୍ଚିତ ଏବଂ ଯୁବବର୍ଗଙ୍କ ନନଷ୍ଟପ୍ ବିକାଶ କରି ବିକଶିତ ହରିୟାଣା ଗଠନ କରିବା କାମରେ ଲାଗିଛନ୍ତି। ହରିୟାଣାର ବିଜେପି ସରକାର ଉପରେ ଜନସାଧାରଣଙ୍କ ଅତୁଟ ବିଶ୍ୱାସ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଜାତୀୟ ଆପ୍ରେଣ୍ଟିସିପ୍ ପ୍ରଶିକ୍ଷଣ ଯୋଜନା ୨.୦ ପୋର୍ଟାଲର ଶୁଭାରମ୍ଭ: ଛାତ୍ରବୃତ୍ତି ଆକାରରେ ୧୦୦ କୋଟି ଜାରି

ନୂଆଦିଲ୍ଲୀ/ଭୁବନେଶ୍ୱର: ଜାତୀୟ ଆପ୍ରେଣ୍ଟିସିପ୍ ପ୍ରଶିକ୍ଷଣ ଯୋଜନା(ନାଟ୍ସ) ଆମର ଯୁବପିଢ଼ିଙ୍କୁ ଆପ୍ରେଣ୍ଟିସିପ୍ ସୁଯୋଗ ସହିତ ଯୋଡ଼ିବା ସହ ଚାକିରି ପ୍ରଶିକ୍ଷଣ ପ୍ରଦାନ କରିବା ତଥା ସେମାନଙ୍କୁ ଅଧିକ ରୋଜଗାରକ୍ଷମ କରିବାରେ ବେଶ୍ ସହାୟକ ହେଉଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଜାତୀୟ ଆପ୍ରେଣ୍ଟିସିପ୍ ପ୍ରଶିକ୍ଷଣ ଯୋଜନା (ନାଟ୍ସ) ୨.୦ ପୋର୍ଟାଲର ଶୁଭାରମ୍ଭ ସହ ଡିବିଟି ମାଧ୍ୟମରେ ଛାତ୍ରବୃତ୍ତି ଆକାରରେ ୧୦୦ କୋଟି ଟଙ୍କା ଜାରି କରିଛନ୍ତି। ନିଯୁକ୍ତି ସୁଯୋଗକୁ ଗତି ଦେବା ସହ ଯୁବପିଢିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଇବା ଦିଗରେ ଏହି ପୋର୍ଟାଲର ଶୁଭାରମ୍ଭ ହୋଇଛି।  ଆପ୍ରେଣ୍ଟିସିପକୁ ଲୋକାଭିମୁଖୀ କରିବା, ଦକ୍ଷତା ବ୍ୟବଧାନକୁ ଦୂର କରିବା, ଯୁବାକାଂକ୍ଷା ପୂରଣ କରିବା ଏବଂ ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ। ଶୁଭାରମ୍ଭ ହୋଇଥିବା ଏନଏଟିଏସ୍ ୨.୦ ପୋର୍ଟାଲ ଆପ୍ରେଣ୍ଟିସିପ୍ ସୁଯୋଗର ପହଞ୍ଚକୁ ବ୍ୟାପକ କରିବ ଏବଂ ପ୍ରାର୍ଥୀ ଏବଂ ନିଯୁକ୍ତିଦାତାଙ୍କୁ ମ୍ୟାଚ୍ ମେକିଂ କରିବାରେ ସାହାଯ୍ୟ କରିବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି,  ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ଏହି ଯୁଗ କେବଳ ଡିଗ୍ରୀ ହାସଲ କରିବା ପାଇଁ ନୁହେଁ ବରଂ ଦକ୍ଷତା ବିକାଶ ପାଇଁ ମଧ୍ୟ ଗୁରୁତ୍ୱବହନ କରେ। ଆମ ପାଠ୍ୟକ୍ରମରେ ନିଯୁକ୍ତି ଦକ୍ଷତା ବୃଦ୍ଧି ଉପରେ ଦୃଷ୍ଟି ଦିଆଯିବା ଉଚିତ୍। ଚଳିତ ବର୍ଷର ବଜେଟରେ ଦକ୍ଷତା ଏବଂ ନିଯୁକ୍ତି ବୃଦ୍ଧି ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି। ଆମର ଆପ୍ରେଣ୍ଟିସିପ୍ ଇକୋସିଷ୍ଟମ୍ ବିବିଧ ଏବଂ ଉଭା ହେଉଥିବା ନୂଆ କ୍ଷେତ୍ରକୁ ସାମିଲ କରିବା ଉଚିତ୍ । ଦେଶର ଡେମୋଗ୍ରାଫିକ୍ ଡିଭିଡେଣ୍ଡକୁ  ଉପଯୋଗ କରିବା ପାଇଁ ଏକ ବ୍ୟାପକ ରଣନୀତି ପ୍ରସ୍ତୁତ କରିବା ପାଇଁ ଆହ୍ୱାନ କରିଛନ୍ତି ଶିକ୍ଷା ମନ୍ତ୍ରୀ। ଏହାସହ ସମସ୍ତ ଶିକ୍ଷାନୁଷ୍ଠାନ ଓ ଶିଳ୍ପସଂସ୍ଥା ଗୁଡ଼ିକୁ ନାଟ୍ସ ୨.୦ ପୋର୍ଟାଲରେ ସାମିଲ ହେବା ପାଇଁ ଅପିଲ କରିଛନ୍ତି। ଆପ୍ରେଣ୍ଟିସିପକୁ ଏକ ଜନଆନ୍ଦୋଳନରେ ପରିଣତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ନାଟ୍ସ ଯୋଜନାର ସୁବିଧା ପାଇଥିବା କେନ୍ଦୁଝରର ଦମୟନ୍ତୀ ମହାନ୍ତ ନିଜର ଅନୁଭୂତି ପ୍ରକାଶ କରିଥିଲେ। ଗରିବ ପରିବାରରୁ ଆସି ସରକାରୀ ପଲିଟେକନିକ, ସମ୍ବଲପୁର ଶିକ୍ଷାନୁଷ୍ଠାନରୁ ଡିପ୍ଲୋମା ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରର ପାଠ ପଢି ନାଟ୍ସ ମାଧ୍ୟମରେ ସମ୍ବଲପୁର, ବୁର୍ଲା ସବଡିଭିଜନରେ କିପରି ପ୍ରଶିକ୍ଷଣ ପାଇ ଲାଭ ପାଇପାରିଛନ୍ତି ତା’ ଉପରେ ଆଲୋକପାତ କରିଥିଲେ, ଯାହାକୁ ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ବଜେଟ ୨୦୨୪ ରାଜ୍ୟ ଖବର

ଓଡ଼ିଶାରେ ‘କୋଷ୍ଟାଲ ହାଇଓ୍ୱେ’ ପାଇଁ ୨୩, ୮୮୨ କୋଟି: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର: ଓଡ଼ିଶାରେ ୨୩, ୮୮୨ କୋଟି ଟଙ୍କା ବ୍ୟୟରେ ୪୧୩ କିମି ଲମ୍ବ ଚାରି ଲେନ୍ ବିଶିଷ୍ଟ ‘କୋଷ୍ଟାଲ ହାଇଓ୍ୱେ’ ନିର୍ମାଣ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଧନ୍ୟବାଦ। ଭାରତମାଳା ପରିଯୋଜନାରେ ଏହି ପ୍ରସ୍ତାବିତ ରାଜପଥ ତିନୋଟି ସେକ୍ସନରେ ରାମେଶ୍ୱରରୁ ରତନପୁର, ରତନପୁରରୁ ଦୀଘା ଏବଂ ଜାମୁଝାଡିରୁ ଧାମରା ପର୍ଯ୍ୟନ୍ତ ନିର୍ମାଣ ହେବ। ଏଥିପାଇଁ ଡିପିଆର୍ ସହ ଆନୁଷଙ୍ଗିକ ମଞ୍ଜୁରୀ ପ୍ରାୟ ସମ୍ପୂର୍ଣ୍ଣ ହେବା ସ୍ଥିତିରେ ଅଛି। ଖୁବ ଶୀଘ୍ର କୋଷ୍ଟାଲ ହାଇଓ୍ୱେ ନିର୍ମାଣ କାମ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବୋଦୟ କଳ୍ପନା ସାକାର କରିବା ଦିଗରେ ଉପକୂଳ ରାଜପଥ ଓଡ଼ିଶା ସମେତ ପୂର୍ବ ଭାରତର ସାମାଜିକ ଓ ଆର୍ଥିକ ବିକାଶ ଦିଗରେ ଗେମ୍ ଚେଞ୍ଜର ହେବ।

Categories
ଆଜିର ଖବର ଜାତୀୟ ଖବର

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱାଗତ: ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଲେ କ୍ଷମା ମାଗନ୍ତୁ ବିରୋଧୀ

ନୂଆଦିଲ୍ଲୀ: NEET ପେପର ଲିକ୍ ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି ଏବଂ ଏହାକୁ ସତ୍ୟର ବିଜୟ ବୋଲି କହିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଆମେ ଆରମ୍ଭରୁ କହିଛୁ ଯେ ଛାତ୍ରଛାତ୍ରୀଙ୍କ ସ୍ଵାର୍ଥ ସର୍ବାଧିକ ଏବଂ କାହାରି କିଛି କ୍ଷତି ହେବ ନାହିଁ। NEET ପ୍ରସଙ୍ଗରେ ବିରୋଧୀଙ୍କ ଭୂମିକା ସ୍ପଷ୍ଟ ହୋଇଛି।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ‘ବିରୋଧୀ ଦଳର ନେତା ଲୋକସଭାରେ ଯେଉଁ ମନୋଭାବ ଗ୍ରହଣ କରିଥିଲେ, ତାହା ତାଙ୍କ ମାନସିକ ସ୍ଥିତିକୁ ପ୍ରତିଫଳିତ କରିଥାଏ। ଏହାକୁ ସମାଲୋଚନା କରି ରାହୁଲ ଗାନ୍ଧୀ ଭାରତକୁ ସମାଲୋଚନା କରିଛନ୍ତି।

ସୁପ୍ରିମକୋର୍ଟଙ୍କୁ କୃତଜ୍ଞତା ଜଣାଇଛନ୍ତି:

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସହ ଜଡିତ ଏକ ପୋଷ୍ଟକୁ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, ‘NEET-UG ଉପରେ ଆଜିର ନିଷ୍ପତ୍ତି କଳ୍ପନାଜଳ୍ପନାର ଅନ୍ତ ଘଟାଇବ ଏବଂ ଲକ୍ଷ ଲକ୍ଷ ପରିଶ୍ରମୀ ଏବଂ ସଚ୍ଚୋଟ ଛାତ୍ରଛାତ୍ରୀଙ୍କୁ ଆଶ୍ଵସ୍ତି ପ୍ରଦାନ କରିବ। ଛାତ୍ରଛାତ୍ରୀଙ୍କ ସ୍ଵାର୍ଥକୁ ସୁରକ୍ଷିତ ରଖିଥିବା ଐତିହାସିକ ନିଷ୍ପତ୍ତି ପାଇଁ ମୁଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିକଟରେ କୃତଜ୍ଞ।

ବିରୋଧୀ କ୍ଷମା ମାଗିବା ଉଚିତ୍:

ସେ କହିଛନ୍ତି ଯେ, ‘ଦେଶର ଛାତ୍ରଛାତ୍ରୀମାନଙ୍କୁ ବିଭ୍ରାନ୍ତ କରିବା, ଦ୍ୱନ୍ଦ୍ୱ ସୃଷ୍ଟି କରିବା ଏବଂ ସେମାନଙ୍କୁ ସାମାଜିକ ଉତ୍ତେଜନା ପାଇଁ ଉତ୍ତେଜିତ କରିବା, ଏସବୁ ତାଙ୍କ ରାଜନୀତିର ଏକ ଯୋଜନାବଦ୍ଧ ଅଂଶ ଥିଲା। ନିର୍ବାଚନ ଫଳାଫଳକୁ ପ୍ରତ୍ୟାଖ୍ୟାନ କରି ଦେଶରେ ଅରାଜକତା ଏବଂ ନାଗରିକ ଅଶାନ୍ତି ସେମାନଙ୍କ ରଣନୀତିର ଏକ ଅଂଶ ହୋଇପାରିଛି। ମୁଁ ତାଙ୍କୁ ଏବଂ ବିରୋଧୀ ଦଳର ସମସ୍ତଙ୍କୁ ନିବେଦନ କରୁଛି ଯେ, ଯେଉଁମାନେ ଏହି ଦାୟିତ୍ଵହୀନ କାର୍ଯ୍ୟରେ ଜଡିତ ଥିଲେ ସେମାନେ ଦେଶର ଛାତ୍ର, ଯୁବକ ଏବଂ ପିତାମାତାଙ୍କୁ କ୍ଷମା ମାଗନ୍ତୁ।

ସୁପ୍ରିମକୋର୍ଟ କ’ଣ କହିଛନ୍ତି?:

NEET-UG 2024 ର ଅସଫଳ ପ୍ରାର୍ଥୀଙ୍କୁ ଏକ ବଡ ଝଟକା ଦେଇ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଏହି ବିବାଦୀୟ ପରୀକ୍ଷାକୁ ବାତିଲ କରିବା ଏବଂ ଏହାକୁ ପୁନଃ ପରିଚାଳନା କରିବାକୁ ଆବେଦନକୁ ଖାରଜ କରିଛନ୍ତି। ଏହା ସହିତ କୋର୍ଟ କହିଛନ୍ତି ଯେ, ଏହାର ବିଶ୍ୱସନୀୟତା ନିୟମିତ ଭାବେ ପ୍ରଭାବିତ ହୋଇଛି କିମ୍ବା ଅନ୍ୟାନ୍ୟ ଅନିୟମିତତା ଘଟିଲା ବୋଲି ଦର୍ଶାଇବାକୁ ରେକର୍ଡରେ କୌଣସି ବିଷୟ ନାହିଁ। ଏହି ଅନ୍ତରୀଣ ନିଷ୍ପତ୍ତି କେନ୍ଦ୍ର ସରକାର ଏବଂ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ପାଇଁ ଏକ ବଡ ଆଶ୍ଵସ୍ତି ପ୍ରଦାନ କରିଛି, ଯାହା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ସମେତ ବ୍ୟାପକ ଅନିୟମିତତାକୁ ନେଇ ମେ ୫ ତାରିଖରେ ରାସ୍ତାରୁ ସଂସଦ ପର୍ଯ୍ୟନ୍ତ ତୀବ୍ର ସମାଲୋଚନା ତଥା ବିରୋଧର ସମ୍ମୁଖୀନ ହେଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର

NEET ମାମଲାରେ ଗଠନ ହେଲା ଉଚ୍ଚ ସ୍ତରୀୟ କମିଟି, ଦୁଇ ମାସ ମଧ୍ୟରେ ଦାଖଲ କରିବ ରିପୋର୍ଟ

ନୂଆଦିଲ୍ଲୀ: ଜାତୀୟ ପରୀକ୍ଷା ଆୟୋଜନ ସଂସ୍ଥା (ଏନଟିଏ) ଜରିଆରେ ପାରଦର୍ଶୀ, ସୁଗମ ଓ ସ୍ୱଚ୍ଛ ଭାବେ ପରୀକ୍ଷା ଆୟୋଜନ ସୁନିଶ୍ଚିତ କରିବା ଲାଗି ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଶେଷଜ୍ଞମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟି ନିମ୍ନଲିଖିତ ସୁପାରିସ କରିବ:

ପରୀକ୍ଷା ପ୍ରକ୍ରିୟାର ବ୍ୟବସ୍ଥାରେ ସଂସ୍କାର,

ଡାଟା ସୁରକ୍ଷା ପ୍ରୋଟୋକଲ୍‌ରେ ସୁଧାର,

ଏନଟିଏର ଢାଞ୍ଚା ଓ ପରିଚାଳନାରେ ଉନ୍ନତି

ଉଚ୍ଚସ୍ତରୀୟ କମିଟର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ନାମ ନିମ୍ନରେ ଦିଆଗଲା

ଡ. କେ ରାଧାକ୍ରିଷ୍ଣନ

ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ତଥା ଆଇଆଇଟି କାନପୁରର ବିଓଜିର ଅଧ୍ୟକ୍ଷ।

ଅଧ୍ୟକ୍ଷ
ଡାକ୍ତର ରଣଦୀପ ଗୁଲେରିଆ,

ଦିଲ୍ଲୀ ଏମ୍ସର ପୂର୍ବତନ ନିର୍ଦ୍ଦେଶକ

ସଦସ୍ୟ
ପ୍ରଫେସର ବି ଜେ ରାଓ,

ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି

ସଦସ୍ୟ
ପ୍ରଫେସର ରାମମୂର୍ତ୍ତି କେ.

ଆଇଆଇଟି ମାଡ୍ରାସର ସିଭିଲ ଇଞ୍ଜିନିୟରିଂ ବିଭାଗର ଅତିଧି ପ୍ରାଧ୍ୟାପକ

ସଦସ୍ୟ
ପଙ୍କଜ ବଂଶଲ,

ସହ ପ୍ରତିଷ୍ଠାତା, ପିପୁଲ ଷ୍ଟ୍ରଙ୍ଗ ଏବଂ କର୍ମଯୋଗୀ ଭାରତର ବୋର୍ଡ ସଦସ୍ୟ

ସଦସ୍ୟ
ପ୍ରଫେସର ଆଦିତ୍ୟ ମିତ୍ତଲ,

ଆଇଆଇଟି ଦିଲ୍ଲୀର ଛାତ୍ର ବ୍ୟାପାର ଡିନ୍

ସଦସ୍ୟ
ଗୋବିନ୍ଦ ଜୟସ୍ୱାଲ,

ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ,

ଭାରତ ସରକାର

ସଦସ୍ୟ ସଚିବ

କମିଟି ନିମ୍ନ ବିଷୟଗୁଡ଼ିକ ପ୍ରତି ଧ୍ୟାନ ଦେଇ କାର୍ଯ୍ୟ କରିବ;

(iପରୀକ୍ଷା ପ୍ରକ୍ରିୟାରେ ସଂସ୍କାର

(କ) ଆମୂଳଚୁଳ ଭାବେ ପରୀକ୍ଷା ପ୍ରକ୍ରିୟାର ବିଶ୍ଳେଷଣ କରିବା ଏବଂ ବ୍ୟବସ୍ଥାର ଦକ୍ଷତାରେ ଉନ୍ନତି ଆଣିବା ଏବଂ କୌଣସି ସମ୍ଭାବ୍ୟ ଉଲ୍ଲଂଘନକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେବା।

(ଖ) ଏନଟିଏର ମାନକ ପରିଚାଳନା ପଦ୍ଧତି ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (ଏସଓପି)/ପ୍ରୋଟୋକଲର ସମ୍ପୂର୍ଣ୍ଣ ସମୀକ୍ଷା କରିବା ଏବଂ ପ୍ରତ୍ୟେକ ସ୍ତରରେ ଅନୁପାଳନ ସୁନିଶ୍ଚିତ କରିବା ପାଇଁ ଅନୁଧ୍ୟାନ ବ୍ୟବସ୍ଥା ସହିତ ଏହି ପ୍ରକ୍ରିୟା/ ପ୍ରୋଟୋକଲଗୁଡ଼ିକୁ ସୁଦୃଢ଼ କରିବା ନିମନ୍ତେ ପଦକ୍ଷେପ ନେବା ଲାଗି ଆବଶ୍ୟକ ପରାମର୍ଶ ଦେବା।

(ii) ଡାଟା ସୁରକ୍ଷା ପ୍ରୋଟୋକଲରେ ଉନ୍ନତି

(କ) ବର୍ତ୍ତମାନର ଡାଟା ସୁରକ୍ଷା ପ୍ରକ୍ରିୟା ଏବଂ ଏନଟିଏର ପ୍ରୋଟୋକଲଗୁଡିକର ମୂଲ୍ୟାଙ୍କନ କରିବା ତଥା ଏଥିରେ ସୁଧାର ପାଇଁ ପଦକ୍ଷେପ ସୁପାରିସ କରିବା।

(ଖ) ବିଭିନ୍ନ ପରୀକ୍ଷା ପାଇଁ ପେପର ସେଟିଂ ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ସମ୍ବନ୍ଧୀୟ ବର୍ତ୍ତମାନର ସୁରକ୍ଷା ପ୍ରୋଟୋକଲ ଯାଞ୍ଚ କରିବା ତଥା ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ କରିବା ପାଇଁ ସୁପାରିସ କରିବା।

(iii) ଏନଟିଏର ଢାଞ୍ଚା ଓ ପରିଚାଳନାରେ ଉନ୍ନତି

(କ) ପଏଣ୍ଟ (୧) ଓ (୨) ଅଧୀନରେ ଦିଆଯାଇଥିବା ସୁପାରିସଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ)ର ସାଂଗଠନିକ ଢାଞ୍ଚା ଏବଂ ପରିଚାଳନା ପ୍ରକ୍ରିୟାରେ ସୁଧାର ଆବଶ୍ୟକ ସୁପାରିସ କରିବା ଏବଂ ପ୍ରତ୍ୟେକ ସ୍ତରରେ କର୍ମକର୍ତ୍ତାଙ୍କ ଭୂମିକା ଏବଂ ଦାୟିତ୍ୱକୁ ସ୍ପଷ୍ଟ ଭାବରେ ନିର୍ଦ୍ଧାରଣ କରିବା।

(ଖ) ଏନଟିଏର ସାମ୍ପ୍ରତିକ ଅଭିଯୋଗ ସମାଧାନ ବ୍ୟବସ୍ଥାର ଆକଳନ କରିବା, ଉନ୍ନତିର କ୍ଷେତ୍ରଗୁଡିକ ଚିହ୍ନଟ କରିବା ଏବଂ ଏହାର ଦକ୍ଷତା ବୃଦ୍ଧି ପାଇଁ ସୁପାରିସ କରିବା।

ଏହି ଆଦେଶ ଜାରି ହେବାର ଦୁଇ ମାସ ମଧ୍ୟରେ କମିଟି ଏହାର ରିପୋର୍ଟ ଶିକ୍ଷା ମନ୍ତ୍ରଣାଳୟକୁ ପ୍ରଦାନ କରିବ।

ନିଜର ସହାୟତା କରିବା ପାଇଁ କମିଟି ଯେକୌଣସି ବିଷୟ ବିଶେଷଜ୍ଞଙ୍କ ସହଯୋଗ ନେଇପାରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସାଂସଦ ଭାବେ ଜିତିବା ପରେ ଆଜି ସମ୍ବଲପୁରର ବିଭିନ୍ନ ମନ୍ଦିର ବୁଲି ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ସମ୍ବଲପୁର ଲୋକସଭା ସାଂସଦ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବିଭିନ୍ନ ମନ୍ଦିରରେ ଦର୍ଶନ କରିବା ସହ ସ୍ଥାନୀୟ ଲୋକମାନଙ୍କୁ ଭେଟି ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରବିବାର ସମ୍ବଲପୁର ମାନେଶ୍ଵର ସ୍ଥିତ ଶିବ ମନ୍ଦିର, ବ୍ରୁକ୍ସହିଲ୍ ସ୍ଥିତ ହନୁମାନ ମନ୍ଦିର, ଦାନୀପାଲିରେ ମା’ ରଣେଶ୍ୱର ରାମଚଣ୍ଡୀ ମନ୍ଦିର, ନନ୍ଦପଡା ବାଲୁଙ୍କେଶ୍ଵର ମନ୍ଦିରରେ ଦର୍ଶନ କରିଥିଲେ। ସେହିପରି ଝାଡୁଆପଡ଼ା ସ୍ଥିତ ଜଗନ୍ନାଥ ମନ୍ଦିର, ସମ୍ବଲପୁରରେ ଅନୋଖା ଶ୍ରୀ ଶ୍ୟାମ ମନ୍ଦିରରେ କରିଥିଲେ କେନ୍ଦ୍ରମନ୍ତ୍ରୀ।

ଏହି ଅବସରରେ ସେ କହିଛନ୍ତି ଯେ ସମ୍ବଲପୁର ହେଉଛି ମନ୍ଦିରରେ ପରପୂର୍ଣ୍ଣ ସହର। ଏକ ଆଧ୍ୟାତ୍ମିକ ସହର। ଏଠାରୁ ସାଂସଦ ଭାବରେ ନିର୍ବାଚିତ ହେବା ପରେ ସମ୍ବଲପୁରକୁ ଏହା ମୋର ପ୍ରଥମ ଗସ୍ତ। ଏଠାକାର ମନ୍ଦିର ଗୁଡିକ କେବଳ ଆସ୍ଥାର କେନ୍ଦ୍ର ନୁହେଁ, ସଭ୍ୟତା ଓ ସଂସ୍କୃତିର ବଡ ପ୍ରୟୋଗଶାଳା। ସ୍ଥାନୀୟ ଜୀବନଜୀବନକୁ ଭଲରେ ବୁଝିବା ସହ ଲୋକଙ୍କ ସହ ପ୍ରତ୍ୟକ୍ଷ ମିଶିବାର ସୁଯୋଗ ମିଳିବା ମୋ ପାଇଁ ସୌଭାଗ୍ୟର ବିଷୟ ବୋଲି ସେ କହିଛନ୍ତି।

ମନ୍ଦିର ଦର୍ଶନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ସମ୍ବଲପୁରର ପୂର୍ବତନ ବିଧାୟିକା, ସମାଜସେବୀ ତଥା ପ୍ରତିଷ୍ଠିତ ଚିକିତ୍ସିକ ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ତାଙ୍କ ବାସଭବନରେ ଭେଟି ଆଶୀର୍ବାଦ ନେଇଥିଲେ। ସମ୍ବଲପୁରର ବରିଷ୍ଠ ଲୋକମାନଙ୍କୁ ଭେଟି ଆଶୀର୍ବାଦ ନେବା ସହ ସ୍ଥାନୀୟ ସମୃଦ୍ଧ ସାହିତ୍ୟର ପ୍ରଚାର ପ୍ରସାର, ଶିକ୍ଷା, ଅନୁକୂଳ ପରିବେଶ ତଥା ଅଞ୍ଚଳର ବିକାଶ ଓ ଉନ୍ନତି ପାଇଁ ସେମାନଙ୍କର ଉପାଦେୟ ପରାମର୍ଶ ଗ୍ରହଣ କରିଥିଲେ। ଏକ ସ୍ୱଚ୍ଛ, ସୁନ୍ଦର, ବିକଶିତ ଓଡ଼ିଶା ସହ ବିକଶିତ ସମ୍ବଲପୁର ଗଢିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

‘ସିବିଆଇ ତଦନ୍ତ ହେଉ, ପ୍ରଧାନମନ୍ତ୍ରୀ କାହିଁକି ଚୁପ୍ ଅଛନ୍ତି?’: NEET ଅନିୟମିତତା ସମ୍ପର୍କରେ କହିଲା କଂଗ୍ରେସ

ନୂଆଦିଲ୍ଲୀ: NEET ର ଫଳାଫଳରେ ଅନିୟମିତତା ସମ୍ପର୍କରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ସରକାର ଏହି ପ୍ରସଙ୍ଗରେ ଗମ୍ଭୀର। ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କୁ କଠୋର ଦଣ୍ଡ ଦିଆଯିବ। ଏବେ କଂଗ୍ରେସ ତାଙ୍କ ବିବୃତ୍ତି ଉପରେ ପାଲଟା ଆକ୍ରମଣ କରିଛି। ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଗୌରବ ଗୋଗୋଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଗୌରବ ଗୋଗାଇ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଆକ୍ରମଣ କରି କହିଛନ୍ତି ଯେ, ‘ତଦନ୍ତ ମଧ୍ୟ କରାଯାଇ ନାହିଁ ଏବଂ ଫଳାଫଳ ମଧ୍ୟ ଦିଆଯାଇଛି। ଯଦି ସେମାନେ ସରକାରୀ କର୍ମଚାରୀଙ୍କୁ ପଚାରନ୍ତି, ତେବେ ସେମାନେ ପାଇବେ ଏକମାତ୍ର ଉତ୍ତର ହେଉଛି ସବୁକିଛି ଠିକ ଅଛି। ଆପଣ ଏହି ନିଷ୍ପତ୍ତିରେ କିପରି ପହଞ୍ଚିଲେ, ତାହା ଜାଣିବାର ଶିଶୁ ଏବଂ ସେମାନଙ୍କର ପିତାମାତାଙ୍କର ଅଧିକାର ଅଛି। ପ୍ରଧାନମନ୍ତ୍ରୀ ଚୁପ୍ ରହିଛନ୍ତି, ଅନୁସନ୍ଧାନ ନକରି କିଛି ଘଟିନାହିଁ ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି। ଏହି ଜନାଦେଶ ପରେ ମଧ୍ୟ ସେମାନଙ୍କର ଅହଂକାର ଦୂର ହୋଇନାହିଁ। ଏଥିରେ ସିବିଆଇ ତଦନ୍ତ ହେବା ଉଚିତ୍।

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ‘ଶିକ୍ଷା ମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଚୁପ୍ ଅଛନ୍ତି। ସେମାନେ ଆଲୋଚନା କରିବାକୁ ଚାହାଁନ୍ତି ନାହିଁ। ଯେଉଁ ଏନଟିଏ ନେତୃତ୍ୱରେ ପେପର ଲିକ୍ ହୋଇଥିଲା, ତାକୁ ତଦନ୍ତ କରିବାକୁ କୁହାଯାଇଥିଲା। ଆମେ କିପରି ନ୍ୟାୟଯୁକ୍ତ ଅନୁସନ୍ଧାନ ଆଶା କରିପାରିବା? କୋଚିଂ ସେଣ୍ଟରଗୁଡ଼ିକର ମନମୁଖୀ କାର୍ଯ୍ୟ ମଧ୍ୟବିତ୍ତ ପରିବାରର ଜୀବନକୁ ଅସ୍ଥିର କରିଦେଇଛି। NTA ଏହାର ଅନୁସନ୍ଧାନ କରିବାକୁ ସମର୍ଥ ହେବ କି? ଯଦି ସେମାନେ କୌଣସି ପେପର ପାଇଛନ୍ତି, ତେବେ କିଛି NTA ଅଧିକାରୀ ଏଥିରେ ନିଶ୍ଚିତ ଭାବେ ଜଡିତ ଅଛନ୍ତି।

ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇ ସେ କହିଛନ୍ତି ଯେ, ଏହି ପ୍ରସଙ୍ଗ ଉଠାଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲକ୍ଷ୍ୟ କରି ସେ କହିଛନ୍ତି ଯେ, ସେ ପରୀକ୍ଷା ଉପରେ ଚର୍ଚ୍ଚା କରୁଥିଲେ ଏବଂ ପରୀକ୍ଷା ବିଷୟରେ ମାର୍ଗଦର୍ଶନ ଦେଇଥିଲେ। ଆଜି ଘଟିଥିବା ଦୁର୍ନୀତି ବିଷୟରେ ଆପଣ କାହିଁକି ଚର୍ଚ୍ଚା କରୁନାହାଁନ୍ତି? କଂଗ୍ରେସ ଦଳ ସିବିଆଇ ତଦନ୍ତ ଦାବି କରିଛି।

ସେ ଆହୁରି କହିଛନ୍ତି ଯେ, ‘ସୁପ୍ରିମକୋର୍ଟଙ୍କ ଜରିଆରେ ତଦାରଖ କରାଯାଉ। ଆମେ ରେକର୍ଡିଂ ଶୁଣିଛୁ, ଯେଉଁଥିରେ ଲକ୍ଷ ଲକ୍ଷ ଟଙ୍କା ମଗାଯାଉଛି। ଏହି ପରୀକ୍ଷାଗୁଡ଼ିକ ଆମର ଭବିଷ୍ୟତ ଡାକ୍ତରମାନଙ୍କୁ ପ୍ରସ୍ତୁତ କରନ୍ତି, କ’ଣ ଏହିପରି ସେମାନଙ୍କୁ ପ୍ରସ୍ତୁତ କରାଯାଉଛି?

Categories
ଆଜିର ଖବର ଜାତୀୟ ଖବର

ଦୋଷୀଙ୍କୁ ଦଣ୍ଡ ଦିଆଯିବ: NEET ବିବାଦ ଉପରେ କହିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର: NEET ରେଜଲ୍ଟ ଉପରେ ସୁପ୍ରିମକୋର୍ଟ ଆଜି ଶୁଣାଣି କରିଛନ୍ତି। କୋର୍ଟ ଏହି ପ୍ରସଙ୍ଗରେ ଏକ ବଡ଼ ନିଷ୍ପତ୍ତି ଦେଇ କହିଛନ୍ତି ଯେ, ଭୟଭୀତ ହେବାର ଆବଶ୍ୟକତା ନାହିଁ, ସେମାନେ NEET ଖାତା ଉପରେ ପ୍ରତିବନ୍ଧକ ଲଗାଉ ନାହାଁନ୍ତି।

ଏଥି ସହିତ, ମନ୍ତ୍ରଣାଳୟ ଗ୍ରହଣ କରିବା ପରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ NEET ର ଫଳାଫଳରେ ଅନିୟମିତତା ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ସରକାର ଏହି ପ୍ରସଙ୍ଗରେ ଗମ୍ଭୀର। ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କୁ କଠୋର ଦଣ୍ଡ ଦିଆଯିବ।

NEET ପ୍ରସଙ୍ଗରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପ୍ରଶ୍ନ ଉଠାଇଥିବା ପିଲାମାନଙ୍କୁ ସରକାର ଗୁରୁତ୍ୱ ଦେଉଛନ୍ତି। ଆମ ସମ୍ମୁଖରେ ଆସିଥିବା ଘଟଣାର ଦୋଷୀଙ୍କୁ ଦଣ୍ଡ ଦିଆଯିବ। ସଂପୂର୍ଣ୍ଣ ସ୍ୱଚ୍ଛ ବ୍ୟବସ୍ଥା ପାଇଁ ଭାରତ ସରକାର ପ୍ରତିବଦ୍ଧ। ଅଦାଲତର ନିଷ୍ପତ୍ତି ଆସିବାକୁ ଦିଅନ୍ତୁ, କୋର୍ଟ ଯାହା କହିବେ ତାହା କରାଯିବ।

NEET ଫଳାଫଳ ପରେ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, କାଉନସେଲିଂ ବନ୍ଦ କରାଯିବ ନାହିଁ, କିନ୍ତୁ ଗ୍ରେସ୍ ମାର୍କ ପାଇଥିବା ୧୫୬୩ ଛାତ୍ରଛାତ୍ରୀଙ୍କୁ ପୁନଃ ପରୀକ୍ଷା ଦେବାକୁ ପଡିବ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗରେ, ପଛରେ ପଡିଲେ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ବର: ଓଡିଶାରେ ସବୁଠାରୁ ବଡ ଲଢେଇ ସମ୍ବଲପୁର ଲୋକସଭାରେ ହେଉଥିଲା। ତେବେ ଗଣତି ପରେ ସେଠାରେ ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗୁଆ ରହିଛନ୍ତି। ସେ 36501 ଭୋଟରେ ଆଗରେ ରହିଛନ୍ତି। ପଛରେ ପଡିଯାଇଛନ୍ତି ବିଜେଡିର ପ୍ରଣବ ପ୍ରକାଶ ଦାସ। ଗଣତି ହିସାବରେ ସମ୍ବଲପୁରରେ ଯେଉଁ ପ୍ରାର୍ଥୀ ଭୋଟ ହାତେଇଛନ୍ତି ତାହା ହେଲା

1- ଧର୍ମେନ୍ଦ୍ର ପ୍ରଧାନ, ବିଜେପି –  177105

2- ପ୍ରଣବ ପ୍ରକାଶ ଦାସ, ବିଜେଡି-  144613

3- ନଗେନ୍ଦ୍ର ପ୍ରଧାନ, କଂଗ୍ରେସ- 29333

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ସମ୍ବଲପୁରରୁ ମୌର୍ଯ୍ୟ ଏକ୍ସପ୍ରେସର ଶୁଭାରମ୍ଭ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଷ୍ଟେସନ ଠାରେ ସମ୍ବଲପୁର-ହଟିଆ-ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସ ଟ୍ରେନ ର ଶୁଭାରମ୍ଭ କରିଛନ୍ତି।

ଗୋରଖପୁର-ହଟିଆ-ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସର ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ସମ୍ବଲପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଙ୍ଗାଲୀର ମାନ୍ୟବର ବିଧାୟକ ନାଉରି ନାୟକ ଉପସ୍ଥିତ ଥିବାବେଳେ ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ଆଜି ଶୁଭାରମ୍ଭ ଟ୍ରେନ୍ ସମ୍ବଲପୁରରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚଳାଚଳ କରିଛି। ଏହି ଟ୍ରେନ୍ ର ନିୟମିତ ଚଳାଚଳ ସମ୍ପର୍କରେ ଖୁବ ଶୀଘ୍ର ସୂଚନା ଦିଆଯିବ। ହଟିଆ ଏବଂ ଗୋରଖପୁର ମଧ୍ୟରେ ଏହି ଟ୍ରେନ୍ ପାଇଁ ସ୍ଥିରୀକୃତ ରହଣି ଷ୍ଟେସନ ଓ ସମୟ ସାରଣୀରେ କୌଣସି ପରିବର୍ତ୍ତନ କରାନଯାଇ ଏହି ଟ୍ରେନ୍ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି।

ସମ୍ବଲପୁରକୁ ଏହି ଟ୍ରେନର ସମ୍ପ୍ରସାରଣ ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶର ଲୋକଙ୍କ ପାଇଁ ଏକ ପରିବର୍ତ୍ତନକାରୀ ଯାତ୍ରା ସଂଯୋଗ ହେବ। ଏହି ଟ୍ରେନ ସମ୍ବଲପୁରରୁ ଗୋରଖପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ପଶ୍ଚିମ ଓଡ଼ିଶାର ବାସିନ୍ଦାଙ୍କ ପାଇଁ ବ୍ୟବସାୟ, ଶିକ୍ଷା, ତୀର୍ଥ ଯାତ୍ରା ଏବଂ ଚିକିତ୍ସା ଭଳି ବିଭିନ୍ନ କାରଣରୁ ଯାତ୍ରା କରିବା ପାଇଁ ଏକ ଜୀବନ ରେଖା ଭାବରେ କାର୍ଯ୍ୟ କରିବ। ଏହା ବ୍ୟତୀତ ଏହା ଗୋରଖପୁର ଏବଂ ସମ୍ବଲପୁର ମଧ୍ୟରେ ସିଧାସଳଖ ସଂଯୋଗ ଥିବା ପର୍ଯ୍ୟଟନ ଏବଂ ସାଂସ୍କୃତିକ ବିନିମୟକୁ ମଧ୍ୟ ବୃଦ୍ଧି କରିବ।

ସମ୍ପ୍ରସାରଣ ମାର୍ଗରେ ଏହି ଟ୍ରେନ ହଟିଆ ଓ ସମ୍ବଲପୁର ମଧ୍ୟରେ ରେଙ୍ଗାଲି, ଝାରସୁଗୁଡା ଏବଂ ରାଉରକେଲା ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ରହଣି କରିବ ରହିବ। ପ୍ରାରମ୍ଭରେ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ତୁଷାର କାନ୍ତ ପାଣ୍ଡେ ଅତିଥି ପଣଙ୍କୁ ସ୍ୱାଗତ କରିବା ସହିତ ଏହି ଟ୍ରେନ ର ଉପକାରିତା ସମ୍ବନ୍ଧରେ ବର୍ଣନା କରିଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ଆଜି ୧୫୫ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିପାରେ ବିଜେପି: ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିପାରେ ଏହି ଆସନରୁ ଟିକେଟ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ୨୦୨୪ ଲୋକସଭା ନିର୍ବାଚନ ପାଇଁ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରେ। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ପାଖାପାଖି ୧୫୫ ଜଣଙ୍କ ନାମ ଚର୍ଚ୍ଚାରେ ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାରଣାସୀରୁ, ଅମିତ ଶାହଙ୍କୁ ଗାନ୍ଧୀନଗରରୁ, ରାଜନାଥ ସିଂହଙ୍କୁ ଲକ୍ଷ୍ନୌରୁ, ସ୍ମୃତି ଇରାନୀଙ୍କୁ ଆମେଠିରୁ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବଲପୁରରୁ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଗ୍ୱାଲିୟର/ଶିବପୁରୀ/ଗୁନାରୁ, ଶିବରାଜ ସିଂହ ଚୌହାନ ଭୋପାଳ/ବିଦିଶାରୁ ଏବଂ ସମ୍ବିତ ପାତ୍ରଙ୍କୁ ପୁରୀରୁ ଟିକେଟ୍ ମିଳିପାରେ।

ଏହାବ୍ୟତୀତ ଭିୱାନୀ ବଲ୍ଲଭଗଡ଼ରୁ ଭୁପେନ୍ଦ୍ର ଯାଦବ, ଡିବ୍ରୁଗଡ଼ରୁ ସର୍ବାନନ୍ଦ ସୋନୋୱାଲ, ରାଜୌରୀ-ଅନନ୍ତନାଗରୁ ରବୀନ୍ଦ୍ର ରାଇନା, କୋଟାରୁ ଓମ୍ ବିର୍ଲା, ଉତ୍ତର-ପୂର୍ବ ଦିଲ୍ଲୀରୁ ମନୋଜ ତିୱାରୀ, ପଶ୍ଚିମ ଦିଲ୍ଲୀରୁ ପରବେଶ ବର୍ମା ଏବଂ ଆସନସୋଲରୁ ଭୋଜପୁରୀ ଗାୟକ ତଥା ଅଭିନେତା ପୱନ ସିଂହଙ୍କୁ ପ୍ରାର୍ଥୀ କରାଯାଇପାରେ।

ଗୁରୁବାର (ଫେବ୍ରୁଆରି ୨୯) ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାତ୍ରି ୧୧ଟାରୁ ୩ଟା ୧୫ ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ଧରି ୧୭ଟି ରାଜ୍ୟର ୧୫୫ଟି ଲୋକସଭା ଆସନ ଉପରେ ବିଚାର ବିମର୍ଶ କରାଯାଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଅମିତ ଶାହା, ରାଜନାଥ ସିଂହ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ୟୁପିରେ ସହଯୋଗୀ ଦଳକୁ ୬ ଟି ଆସନ ଏବଂ ଝାଡ଼ଖଣ୍ଡରେ ଏଜେଏସୟୁକୁ ଗୋଟିଏ ଆସନ ଦେବ ବିଜେପି

ନିର୍ବାଚନ କମିଟି ବୈଠକରେ ଏନଡିଏ ସହଯୋଗୀଙ୍କ ସହ ଆସନ ବୁଝାମଣା ଉପରେ ମଧ୍ୟ ଆଲୋଚନା ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ୮୦ଟି ଲୋକସଭା ଆସନମଧ୍ୟରୁ ବିଜେପି ଅପନା ଦଳ, ଆରଏଲଡି ଓ ଅନ୍ୟାନ୍ୟ ଦଳକୁ ୬ଟି ଆସନ ଦେଇପାରେ। ଏହାବ୍ୟତୀତ ଝାଡ଼ଖଣ୍ଡର ୧୪ଟି ଲୋକସଭା ଆସନ ମଧ୍ୟରୁ ଗୋଟିଏ ଆସନ ଗିରିଡିହ ଆସନକୁ ଏଜେଏସ୍ୟୁ ପାଇଁ ଛାଡ଼ିବ।

ପଞ୍ଜାବ, ଆନ୍ଧ୍ର ଓ ତାମିଲନାଡୁରେ ଏବେ ବି ମେଣ୍ଟ ନେଇ ଆଲୋଚନା ଚାଲିଛି

ବିଜେପିକୁ ୩୭୦ରୁ ଅଧିକ ଏବଂ ଏନଡିଏକୁ ୪୦୦ରୁ ଅଧିକ ଆସନ ପାଇଁ ପ୍ରସ୍ତୁତି ପାଇଁ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଗତକାଲିର ବୈଠକରେ ପୁରୁଣା ସହଯୋଗୀମାନଙ୍କୁ ସାହାଯ୍ୟ କରିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା।

ଏଥିପାଇଁ ପଞ୍ଜାବରେ ପୁରୁଣା ସହଯୋଗୀ ଅକାଳୀ ଦଳ, ଆନ୍ଧ୍ରପ୍ରଦେଶରେ ଟିଡିପି ଓ ଜନସେନା, ତାମିଲନାଡୁରେ ଏଆଇଏଡିଏମକେକୁ ଏନଡିଏକୁ ଫେରାଇ ଆଣିବା ନେଇ ଆଲୋଚନା ହୋଇଥିଲା। ଏହି ସବୁ ରାଜ୍ୟର ଆସନ ଏବେ ସ୍ଥଗିତ ରହିଛି। ମେଣ୍ଟ କଥା ଉଠିଲେ ଦଳ ସମାନ ଆଧାରରେ ଆସନ ବିଭାଜନ କରିବ, ନଚେତ୍ ଏକାକୀ ଯିବ।
ଆସାମରେ ରହିଛି ୧୪ ଲୋକସଭା ଆସନ: ବିଜେପି ୧୧ରେ ଲଢ଼ିବ, ସହଯୋଗୀ ଦଳ ୩ଟିରେ ଲଢ଼ିବେ

ଆସାମର ୧୪ଟି ଲୋକସଭା ଆସନ ପାଇଁ ବିଜେପି ତା’ର ସହଯୋଗୀ ଦଳସହ ବୁଝାମଣା କରିଛି। ଆସାମରେ ବିଜେପି ୧୧ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଆସାମ ଗଣ ପରିଷଦ (ଏଜିପି) ୨ଟି ଏବଂ ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲ (ୟୁପିପିଏଲ୍) ଗୋଟିଏ ଆସନରେ ପ୍ରାର୍ଥୀ ଦେବ। ଏଜିପି ବାରପେଟା ଏବଂ ଧୁବ୍ରୀ, ୟୁପିପିଏଲ କୋକ୍ରାଝରରୁ ପ୍ରାର୍ଥୀ ଦେବେ।

ସମ୍ଭାବନା – ୨୦୧୯ ତୁଳନାରେ ୩୩% ଅଧିକ ମହିଳା ପ୍ରାର୍ଥୀ

ଏଥର ଲୋକସଭା ନିର୍ବାଚନରେ ସର୍ବାଧିକ ସଂଖ୍ୟକ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ବିଜେପି ପ୍ରସ୍ତୁତି ଚଳାଇଛି। ବୁଧବାର (ଫେବ୍ରୁଆରି ୨୮) ଦଳର କୋର୍ ଗ୍ରୁପ୍ ବୈଠକରେ ମଧ୍ୟ ଏହା ଉପରେ ସହମତି ହୋଇଥିଲା। ବୈଠକରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ସ୍ମୃତି ଇରାନୀଙ୍କ ସମେତ ରେକର୍ଡ ସଂଖ୍ୟକ ମହିଳାଙ୍କୁ କେଉଁଠି ପ୍ରାର୍ଥୀ କରାଯିବ ସେ ନେଇ ଆଲୋଚନା ହୋଇଥିଲା।

ଗତଥର ତୁଳନାରେ ଏଥର ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ୩୩ ପ୍ରତିଶତ ଅଧିକ ହେବ ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି। ୨୦୧୯ରେ ୫୩ ଜଣ ମହିଳା ବିଜେପି ଟିକେଟରେ ଲୋକସଭା ନିର୍ବାଚନ ଲଢ଼ିଥିଲେ। ୩୩% ଅଧିକ ହାରରେ ୭୦ ଜଣ ମହିଳା ଟିକେଟ ପାଇପାରିବେ। ଏହା ପୂର୍ବରୁ କୋର ଗ୍ରୁପ୍ ବୈଠକରେ ୨୩ଟି ରାଜ୍ୟର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ରଖାଯାଇଥିଲା। ନୂଆ ଚେହେରାଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା।

ମାର୍ଚ୍ଚ ୧୦ ସୁଦ୍ଧା ୫୦% ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ଯୋଜନା

ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ୧୦ ସୁଦ୍ଧା ବିଜେପି ୫୦ ପ୍ରତିଶତ ଲୋକସଭା ଆସନର ନାମ ଘୋଷଣା କରିପାରେ। ୨୦୧୯ ନିର୍ବାଚନରେ ମଧ୍ୟ ଦଳ ସମାନ କାମ କରିଥିଲା। ଗତଥର ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର କିଛି ସପ୍ତାହ ପୂର୍ବରୁ ମାର୍ଚ୍ଚ ୨୧ତାରିଖରେ ବିଜେପି ୧୬୪ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଢେଙ୍କାନାଳରେ ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’ର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ଢେଙ୍କାନାଳ: ଆଗାମୀ ଦିନରେ ଢେଙ୍କାନାଳ ମଡର୍ନ କମ୍ୟୁନିକେସନର ଫ୍ୟୁଚରିଷ୍ଟିକ୍ ସେଣ୍ଟର ତଥା ଆଧୁନିକ ଯୋଗାଯୋଗର ଭବିଷ୍ୟତ କେନ୍ଦ୍ର ହେବ ବୋଲି ଶୁକ୍ରବାର ଢେଙ୍କାନାଳରେ ଏନଏସଡିସିର ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’(ଏସଆଇଏସ)କୁ ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗତ ୨୦ ତାରିଖରେ ଏନଏସଡିସି ଦ୍ୱାରା ସମ୍ବଲପୁରରେ ଦେଶର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟର ଉଦଘାଟନ କରିବା ପରେ ଆଜି ଢେଙ୍କାନାଳରେ ଏହି ସେଣ୍ଟରର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ଏକବିଂଶ ଶତାବ୍ଦୀର ଯୁବପିଢିଙ୍କ ଆକାଂକ୍ଷା ଓ ରୁଚିକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ରୋଜଗାର ଓ ସ୍ୱରୋଜଗାର ବଢାଇବା ଲକ୍ଷ୍ୟରେ ଏହି କେନ୍ଦ୍ର ସ୍ଥାପନା କରାଯାଇଛି । ଏହି କେନ୍ଦ୍ରରେ ଡିଜିଟାଲ ଦୁନିଆ ତଥା ସର୍ଭିସ ଇଣ୍ଡଷ୍ଟ୍ରିର ଆଧୁନିକ ସ୍କିଲିଂ ଟ୍ରେନିଂର ବ୍ୟବସ୍ଥା ଅଛି ।

ନିକଟରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ସ୍ୱୀକୃତି ଦେଇ ଢେଙ୍କାନାଳ ସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି)କୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଡିମଡ୍ ୟୁନିଭର୍ସିଟିର ମାନ୍ୟତା ଦିଆଯାଇଛି । ଆଜି ଉଦଘାଟିତ ସ୍କିଲ୍ ଇଣ୍ଡିଆ ସେଣ୍ଟର ଆଇଆଇଏମ ଢେଙ୍କାନାଳ ସହ ଯୋଡିହେଲେ ଆଗାମୀ ଦିନରେ ଢେଙ୍କାନାଳ ମଡର୍ନ କମ୍ୟୁନିକେସନର ଫ୍ୟୁଚରିଷ୍ଟିକ୍ ସେଣ୍ଟର ହୋଇପାରିବ । ଅନେକ ଛାତ୍ରଛାତ୍ରୀ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଲାଭ ନେଇପାରିବେ । ନୂଆପିଢିର ପିଲାମାନଙ୍କୁ ଦକ୍ଷ କରିବା ପାଇଁ ପ୍ରଧାନମନ୍ତ୍ରୀ ବଦ୍ଧ ପରିକର । ନୂଆପିଢିର ଯୁବକ ଯୁବତୀମାନେ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍- ସ୍କିଲିଂ ସହ ଯୋଡି ହୋଇ ନିଜକୁ ଦକ୍ଷ ବନାଇଲେ ହିଁ ଆମେ ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିପାରିବା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଢେଙ୍କାନାଳରେ ୬  ହଜାର ବର୍ଗଫୁଟ ପରିମିତ ଜାଗାରେ ପ୍ରତିଷ୍ଠିତ ଏହି ସ୍କିଲ୍ ସେଣ୍ଟରରେ ମୋଟ ୫ଟି ଆଧୁନିକ ଲ୍ୟାବ ରହିଛି ଏବଂ ପ୍ରଶିକ୍ଷଣ ନିମନ୍ତେ ୩ ଟି ଟ୍ରେନିଂ ହଲ ଅଛି, ଯେଉଁଥିରେ ବର୍ଷକୁ ୧୨୦୦ ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ପ୍ରଶିକ୍ଷିତ ହୋଇପାରିବେ । ସ୍ୱଳ୍ପ ମୂଲ୍ୟରେ ୩ ମାସରେ ୮ଟି ବିଷୟ ଉପରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ସ୍କିଲ୍ ଇଣ୍ଡିଆ ମିଶନ ଅଧୀନରେ ନ୍ୟୁ ଏଜ୍ ସ୍କିଲ୍ସ, ଗ୍ରାଫିକ୍ସ ଡିଜାଇନ, ପ୍ରଯୁକ୍ତିବିଦ୍ୟା ଓ ପ୍ରଯୁକ୍ତିସେବା ଫୁଡ୍ ଆଣ୍ଡ ବେଭରେଜ୍ ସର୍ଭିସେସ୍ ଭଳି ବିବିଧ କ୍ଷେତ୍ରରେ ଇଚ୍ଛୁକ ଯୁବକ ଯୁବତୀଙ୍କୁ ଏହି କେନ୍ଦ୍ରରେ ତାଲିମ ଦିଆଯିବ ।

Categories
ଆଜିର ଖବର ଜାତୀୟ ଖବର

ଆଇଆଇଟି ତିରୁପତିର ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ନେତୃତ୍ୱରେ ଦେଶରେ ଆଇଆଇଟି ଭଳି ଶିକ୍ଷାନୁଷ୍ଠାନ ଗୁଡିକ ଦ୍ରୁତ ଗତିରେ ଖୋଲାଯାଉଛି। କାରଣ, ଏହି ସବୁ ଅନୁଷ୍ଠାନ ଗୁଡିକ ଆମ ଦେଶକୁ ବିଶ୍ୱର ବୈଷୟିକ ଏବଂ ବୈଜ୍ଞାନିକ ମାନବ ସମ୍ବଳର ଏକ ବୃହତ୍ତମ ଭଣ୍ଡାରରେ ପରିଣତ କରିବା ଦିଗରେ ସହଯୋଗୀ ହେବ ବୋଲି ଗୁରୁବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଆଇଆଇଟି ତିରୁପତିର ସମାବର୍ତ୍ତନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଇଆଇଟି ତିରୁପତିର ଚତୁର୍ଥ ଓ ପଞ୍ଚମ ଯୁଗ୍ମ ସମାବର୍ତ୍ତନ ସମାରୋହରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମର ନୂତନ ଆଇଆଇଟି ଗୁଡିକ ଦ୍ରୁତ ଗତିରେ ପରିପକ୍ୱ ହେଉଛି ଏବଂ ଉତ୍କର୍ଷ କେନ୍ଦ୍ର ଭାବରେ ଉଭା ହେଉଛି। ଆଇଆଇଟି ତିରୁପତି ଇନୋଭେସନ ଏବଂ ଆନ୍ତଃବିଭାଗୀୟ ଗବେଷଣା ଉପରେ ଧ୍ୟାନ ଦେବା ପ୍ରଶଂସନୀୟ। ଏହି ଅନୁଷ୍ଠାନ ସାମାଜିକ-ଅର୍ଥନୈତିକ ପରିବର୍ତ୍ତନର ଉତ୍ପେରକ ଭାବେ କାର୍ଯ୍ୟ କରିବ, ଯାହା ଯୁବଶକ୍ତିଙ୍କ ଉର୍ଜାକୁ ବିଶ୍ୱ କଲ୍ୟାଣ ଏବଂ ମାନବସେବା ପାଇଁ ବ୍ୟବହାର କରିପାରିବ। ଆଇଆଇଟି ତିରୁପତି ସମେତ ପାଲକ୍କଡ, ଜମ୍ମୁ, ଭିଲାଇ, ଗୋଆ ଏବଂ ଧାରୱାଡରେ ୨୦୧୫-୧୬ରେ ଆରମ୍ଭ ହୋଇଥିବା ନୂତନ ଆଇଆଇଟି ସାରା ଦେଶରେ ଆମର ଯୁବବର୍ଗଙ୍କୁ ଗୁଣାତ୍ମକ ଏବଂ ଉଚ୍ଚମାନର ଟେକ୍ନୋଲୋଜି ଶିକ୍ଷା ଉପଲବ୍ଧ କରାଇବା ହେଉଛି ମୋଦୀ ସରକାରଙ୍କ ପ୍ରତିବଦ୍ଧତାର ପ୍ରତିଫଳନ। ଆଇଆଇଟିରୁ ଗ୍ରାଜୁଏଟ ହେଉଥିବା ଯୁବବର୍ଗ ବିଭିନ୍ନ କ୍ଷେତ୍ରରେ ଆଗୁଆ ରହୁଛନ୍ତି ଏବଂ ଆମ ଦେଶ ଏବଂ ବିଦେଶରେ ଅନେକ ଷ୍ଟାର୍ଟଅପ ତିଆରି କରିବାରେ ଆଗ ଧାଡିରେ ରହି ନିଜର ଭୂମିକା ନିର୍ବାହ କରୁଛନ୍ତି। ଆଜିର ଅନେକ ଷ୍ଟାର୍ଟଅପ୍ ଗୁଡିକ ଆସନ୍ତାକାଲି ବଡ଼ ବଡ଼ କର୍ପୋରେଟ୍ ହାଉସରେ ପରିଣତ ହେବ ଏବଂ ଜ୍ଞାନ, ସମ୍ପତ୍ତି ଏବଂ ନିଯୁକ୍ତି ଦୁନିଆରେ ନିଜର ଦବଦବା ବଜାୟ ରଖିବ।

ଏକ ମିଶନ ମୋଡରେ ନବସୃଜନ ଏବଂ ଉଦ୍ୟମିତାର ସଂସ୍କୃତିକୁ ପ୍ରୋତ୍ସାହନ ଦିଆଯିବା ଦରକାର। ଷ୍ଟାର୍ଟଅପ୍ ଗୁଡ଼ିକ ଅର୍ଥନୈତିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବାର ସାମର୍ଥ୍ୟ ଅଟନ୍ତି। ଆଇଆଇଟି – ଭୁବନେଶ୍ୱର, ଆଇଆଇଟି – ତିରୁପତିରେ ଷ୍ଟାର୍ଟଅପ୍ ପାଇଁ ଏକ ଭିଜନ ପ୍ରସ୍ତୁତ କରିବା ଉପରେ କାମ କରିବା ଉଚିତ୍। ଆମର ସମସ୍ତ ଆଇଆଇଟି ଦେଶରେ ଏକ ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗୀ ଭାବନା ସୃଷ୍ଟି କରିବା ଆବଶ୍ୟକ ବୋଲି କହିବା ସହ ସ୍ନାତକରେ ଉତ୍ତୀର୍ଣ୍ଣ ହୋଇଥିବା ଦୁଇଟି ବ୍ୟାଚର ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ ପ୍ରଧାନ। ଆଇଆଇଟି ତିରୁପତିର ଛାତ୍ରଛାତ୍ରୀମାନେ ଓଲଥ୍ କ୍ରିଏଟର ହେବେ ଏବଂ ବିକଶିତ ଭାରତର ଲକ୍ଷ୍ୟକୁ ହାସଲ କରିବା ଦିଗରେ ନିଜର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସ୍ୱଦେଶୀ ଷ୍ଟାର୍ଟଅପ୍ ଗୁଡ଼ିକ ଉପରେ ନିବେଶ କରିବା ପାଇଁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନୂଆଦିଲ୍ଲୀ ଠାରେ ଅଲ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ଆସୋସିଏସନ (ଆଇମା) ର ୬୮ତମ ପ୍ରତିଷ୍ଠା ଦିବସ ଏବଂ ୧୮ତମ ଜାତୀୟ ମ୍ୟାନେଜମେଣ୍ଟ ଦିବସ ଅବସରରେ  ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱଦେଶୀ ଷ୍ଟାର୍ଟଅପ୍ ଗୁଡ଼ିକ ଉପରେ ନିବେଶ କରିବା ପାଇଁ ଶିଳ୍ପ ସମାଜକୁ ଆହ୍ୱାନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ୨୫ ବର୍ଷ ମଧ୍ୟରେ ଭାରତ ହେବ ଅନଷ୍ଟପେବୁଲ। ଶିକ୍ଷା ଠାରୁ ଆରମ୍ଭ କରି ଅର୍ଥନୀତି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଭାରତ ଉତ୍କର୍ଷତା ହାସଲ କରିବ। ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ଆହୁରି ସମ୍ପ୍ରସାରଣ କରିବା ପାଇଁ ସ୍ୱଦେଶୀ ଷ୍ଟାର୍ଟଅପ୍ ଗୁଡ଼ିକ ଉପରେ ଅଧିକ ଭରସା କରିବା ଏବଂ ପୁଞ୍ଜିନିବେଶ କରିବା ଆବଶ୍ୟକ। ଅଲ୍ ଇଣ୍ଡିଆ ମ୍ୟାନଜମେଣ୍ଟ ଆସୋସିଏସନ ପରି ଅନୁଷ୍ଠାନ ଗୁଡିକ ଏ ଦିଗରେ ନିଜର ଦାୟିତ୍ୱ ନିର୍ବାହ କରିବା ଜରୁରୀ। ଲୋକମାନଙ୍କୁ ସେମାନଙ୍କ ଲକ୍ଷ୍ୟ ପୂରଣ କରିବା ପାଇଁ ମାର୍ଗଦର୍ଶନ ଦେବା ସହିତ ଭାରତର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉପଯୋଗ କରିବା ଦିଗରେ ଥିବା ସମସ୍ତ ପ୍ରତିବନ୍ଧକକୁ ଦୂର କରିବା ପାଇଁ ସେମାନଙ୍କ ଭୂମିକା ପ୍ରତିପାଦିତ କରିବା ଦରକାର।

ସେ କହିଛନ୍ତି ଯେ ଆମର ସାମୂହିକ ବୁଦ୍ଧିମତାକୁ ରାଷ୍ଟ୍ର ନିର୍ମାଣରେ ବ୍ୟବହାର କରାଯିବା ଉଚିତ୍। ଏହି କଥାକୁ  ଆମ ଭିତରେ ସୀମିତ ନ ରଖି ପରବର୍ତ୍ତୀ ପିଢ଼ି ପାଖରେ ମଧ୍ୟ ପହଞ୍ଚାଇବା ଦରକାର। ୨୦୨୭ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। ଏହା ଦ୍ୱାରା ବିପୁଳ ସୁଯୋଗ ସୃଷ୍ଟି ହେବ। ଏହି ସୁଯୋଗର ବ୍ୟବହାର କରିବା ସହ ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ପାଇଁ ଏକ ସାମୂହିକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବା ଆମ ଆଗରେ ଚ୍ୟାଲେଞ୍ଜ ରହିଛି। ଏହି ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ବିଚାରବିମର୍ଶ କରିବା ପାଇଁ ଶ୍ରୀ ପ୍ରଧାନ ଶିଳ୍ପ ସମାଜକୁ ପରାମର୍ଶ ଦେଇଥିଲେ।

ଅଲ୍ ଇଣ୍ଡିଆ ମ୍ୟାନଜମେଣ୍ଟ ଆସୋସିଏସନର ପ୍ରତିଷ୍ଠା ଦିବସ ପାଇଁ ଅନୁଷ୍ଠାନକୁ ଶୁଭେଚ୍ଛା ଜଣାଇବା ସହ ମ୍ୟାନେଜମେଣ୍ଟ, ସମାଜସେବା ଏବଂ ଥଟ୍ ଲିଡରସିପ୍ ନେତୃତ୍ୱ ପାଇଁ ପୁରସ୍କୃତ ହୋଇଥିବା ସମସ୍ତ ବିଶିଷ୍ଟ ଶିଳ୍ପପତିଙ୍କୁ କେନ୍ଦ୍ରମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ସବୁଠାରୁ ଅଧିକ ଚର୍ଚ୍ଚାରେ ସମ୍ବଲପୁର ଲୋକସଭା ଭାଜପାରୁ ଧର୍ମେନ୍ଦ୍ର ପ୍ରଧାନ, ବିଜଦରୁ କିଏ?

ଭୁବନେଶ୍ୱର: ଏକଦା କଂଗ୍ରେସ ଓ ବିଜଦର ହସ୍ତମୁଦି ମାହାଲ ହୋଇଥିବା ସମ୍ବଲପୁର ଲୋକସଭା ଆସନ ଏବେ ଭାଜପା ପାଇଁ ଅନୁକୂଳ ସ୍ଥିତିରେ ରହିଛି। ରାଜ୍ୟରେ ବିଗତ ୨୩ ବର୍ଷ ଧରି ନିରଙ୍କୁଶ ଶାସନ କ୍ଷମତାରେ ଥିବା ବିଜଦ ଏହି ଆସନ ପାଇଁ ପ୍ରାର୍ଥୀ ଖୋଜିବାରେ ଲାଗିଥିବାବେଳେ କଂଗ୍ରେସରେ ମଧ୍ୟ ପ୍ରାର୍ଥୀ ସଂକଟ ଲାଗିରହିଛି।

ଗତ ନିର୍ବାଚନରେ ଆଦୌ ଚର୍ଚ୍ଚାରେ ନ ଥିବା କଂଗ୍ରେସ ନେତା ନିତେଶ ଗଙ୍ଗଦେବ ଭାଜପାକୁ ଆସି ଲୋକସଭା ପ୍ରାର୍ଥୀ ହୋଇଥିଲେ। ନିର୍ବାଚନରେ ବିଜଦର ପ୍ରଚାରପ୍ରସାର, ଧନବଳ, ଜନବଳକୁ ପ୍ରତିହତ କରି ଅପ୍ରତ୍ୟାଶିତ ଭାବରେ ମାତ୍ର ୯,୧୬୨ ଭୋଟରେ ବିଜୟ ଲାଭ କରିଥିଲେ। ଏପରିକି ସମ୍ବଲପୁର ଲୋକସଭା ଅଧିନରେ ଥିବା ରେଙ୍ଗାଲି, ସମ୍ବଲପୁର ଓ ଦେବଗଡ଼ ବିଧାନସଭା ଆସନରେ ଭାଜପା ପ୍ରାର୍ଥୀମାନେ ବିଜୟ ଲାଭ କରିଥିଲେ। ଅନ୍ୟ ୪ଟି ବିଧାନସଭା ଆସନରେ ଭାଜପା ପ୍ରାର୍ଥୀମାନେ ବିଜଦ ପ୍ରାର୍ଥୀମାନଙ୍କୁ କଡ଼ା ଟକ୍କର ଦେଇ ପରାଜିତ ହୋଇଥିଲେ।

ଭାଜପାର କେନ୍ଦ୍ରୀୟ କମିଟିର ନିଷ୍ପତ୍ତି ଅନୁସାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ସ୍ଥିର ହେବାପରଠାରୁ ସମ୍ବଲପୁର ଲୋକସଭା ଆସନ ଚର୍ଚ୍ଚାକୁ ଆସିଛି। ସମ୍ବଲପୁରର ବର୍ତ୍ତମାନ ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଭାଜପା ନେତାମାନଙ୍କ ବିରୋଧରେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିବା ପରଠାରୁ ଗଙ୍ଗଦେବଙ୍କୁ ଆଉ ଦଳୀୟ ଟିକଟ ମିଳିବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। ଶାସକ ଦଳ ବିଜଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏଠାରୁ ହରାଇବା ପାଇଁ ବିଭିନ୍ନ ପ୍ରକାରର ସମରସଜ୍ଜା କଲେ ମଧ୍ୟ ସଫଳ ହୋଇପାରିବ ନାହିଁ। କାରଣ ସମ୍ବଲପୁରରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର କ୍ଷେତ୍ରୀୟ କାର୍ଯ୍ୟାଳୟ ରହିଛି। ଏହାର ଦାୟିତ୍ୱରେ ଭାଜପାର ପୂର୍ବତନ ସଂଗଠନ ସମ୍ପାଦକ ପ୍ରସନ୍ନ ମିଶ୍ର ଅଛନ୍ତି। ତାଙ୍କରି ସମରସଜ୍ଜାରେ ଗତଥର ବିଜଦ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଜିତୁ ଜିତୁ ହାରଗଲେ। ତେଣୁ ଆଗାମୀ ନିର୍ବାଚନରେ ସଂଘର ପ୍ରମୁଖ ଭୂମିକା ରହିବ, ଯାହାଫଳରେ ଭାଜପା ପ୍ରାର୍ଥୀଙ୍କ ବିଜୟରେ ସହାୟତା ହେବ।

୧୯୯୮ରୁ ୨୦୦୯କୁ ଛାଡ଼ି ୨୦୧୪ ପର୍ଯ୍ୟନ୍ତ ଏଠାରୁ ୪ଥର ବିଜୟୀ ହୋଇଥିବା ଶାସକ ବିଜଦ ଆଗାମୀ ନିର୍ବାଚନରେ କାହାକୁ ପ୍ରାର୍ଥୀ କରିବ ସେଥିପାଇଁ ଚିନ୍ତାରେ ପଡ଼ିଯାଇଛି। ଏଠାରୁ ଲଗାତାର ୩ଥର ସାଂସଦ ହୋଇଥିବା ପ୍ରସନ୍ନ ଆଚାର୍ଯ୍ୟ ଲୋକସଭା ଲଢ଼ିବା ପରିବର୍ତ୍ତେ ବିଧାନସଭା ଲଢ଼ିବା ପାଇଁ ଆଗ୍ରହୀ ଅଛନ୍ତି। ଏପରିକି ଗତଥର ନିର୍ବାଚନ ଲଢ଼ି ହାରିଥିବା ନଳିନୀକାନ୍ତ ପ୍ରଧାନ ଆଗାମୀ ନିର୍ବାଚନରେ ଲୋକସଭା ପରିବର୍ତ୍ତେ ଆଠମଲିକରୁ ବିଧାନସଭା ଲଢ଼ିବା ପାଇଁ ଜନସମ୍ପର୍କ ଅଭିଯାନ ଚଳାଇଛନ୍ତି। ଏହାକୁ ନେଇ ବର୍ତ୍ତମାନର ବିଜଦ ବିଧାୟକ ରମେଶ ସାଏ ଦଳରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। ପୂର୍ବରୁ କଂଗ୍ରେସ ଲୋକସଭା ପ୍ରାର୍ଥୀ ହୋଇଥିବା ବିଜଦର ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି। କିନ୍ତୁ ସେ ଏଥିପାଇଁ ଆଗ୍ରହୀ ନ ଥିବା ତାଙ୍କ ନିକଟତମ ସୂତ୍ରରୁ ପ୍ରକାଶ।

ଯାହାଫଳରେ ବିଜଦର ପ୍ରଭାବଶାଳୀ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ନାମ ସମ୍ବଲପୁର ଲୋକସଭା ଆସନ ପାଇଁ ବେଶ୍‍ କିଛିଦିନ ହେଲା ଚର୍ଚ୍ଚା ହେଉଛି। ସେ ଯଦି ଏଠାରୁ ଲଢ଼ନ୍ତି ତେବେ ସେ ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିର୍ବାଚନ ମଣ୍ଡଳୀ ମଧ୍ୟରେ ସୀମିତ ରଖିବା ପାଇଁ ସେଠାରେ ପଡ଼ି ରହିବେ। ଫଳରେ ବିଜଦର ରାଜ୍ୟ ନିର୍ବାଚନ ପରିଚାଳନାରେ ବାଧା ଉପୁଜିବ, ତେଣୁ ସେ ପ୍ରାର୍ଥୀ ହୋଇନପାରନ୍ତି ବୋଲି ଗୋଟିଏ ଗୋଷ୍ଠୀ ଯୁକ୍ତି ବାଢ଼ୁଛନ୍ତି। ଆଉ ଗୋଟିଏ ଗୋଷ୍ଠୀର ଯୁକ୍ତି ଅନୁସାରେ ସେ ଉପକୂଳର ହୋଇଥିବାରୁ ପଶ୍ଚିମ ଓଡ଼ିଶାର ମତଦାତାମାନେ କଟକିଆ କହି ବିରୋଧ କରିପାରନ୍ତି। ତେଣୁ ବିଜଦ ଏବେ ପ୍ରାର୍ଥୀ ଖୋଜିବାରେ ଲାଗିଛି। ଯଦି କେହି ନ ମିଳନ୍ତି ତେବେ ପୂର୍ବତନ ସାଂସଦ ନଗେନ୍ଦ୍ର କୁମାର ପ୍ରଧାନ ପୁଣି ଥରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

୧୯୬୭ରୁ ୨୦୦୯ ପର୍ଯ୍ୟନ୍ତ ସମ୍ବଲପୁର ଲୋକସଭା ଆସନରୁ ୭ଥର ବିଜୟୀ ହୋଇଥିବା କଂଗ୍ରେସ ଦଳ ଗତ ଦୁଇଟି ନିର୍ବାଚନରେ ତୃତୀୟ ସ୍ଥାନକୁ ଖସି ଆସିବା ସହିତ ଭୋଟ ହାର ମଧ୍ୟ ହରାଇବାରେ ଲାଗିଛି। ୨୦୧୯ ନିର୍ବାଚନରେ ବର୍ତ୍ତମାନର ପିସିସି ସଭାପତି ଶରତ ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀ ହୋଇ ମାତ୍ର ୧,୩୫,୯୬୯ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିକଟରେ ପଶ୍ଚିମ ଓଡ଼ିଶାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କରିଥିଲେ ହେଁ ଏହାର ପ୍ରଭାବ ମତଦାତା କିମ୍ବା କଂଗ୍ରେସ ନେତାଙ୍କ ଉପରେ ପଡ଼ିନାହିଁ। ଯାହାଫଳରେ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ପରେ ଅନେକ ବରିଷ୍ଠ କଂଗ୍ରେସ ନେତା ଦଳ ଛାଡ଼ି ବିଜଦରେ ଯୋଗ ଦେଇଛନ୍ତି। ତେଣୁ ଆଗାମୀ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ କିଏ ପ୍ରାର୍ଥୀ ହେବ ତାହା ଏବେ ପ୍ରଦେଶ ନାତାମାନଙ୍କର ଚିନ୍ତାର ବିଷୟ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ସମ୍ବଲପୁରରେ ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ  

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରରେ ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଲୋକାର୍ପଣ କରିବେ। ଏହାସହ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସନ୍ଥକବି ଭୀମ ଭୋଇ ଓ  ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଉପରେ ୬ ଗୋଟି ଡାକ ଟିକେଟର ଉନ୍ମୋଚନ ସହ ୪୨ଟି ଡାକଘର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ଶ୍ରୀ ପ୍ରଧାନ ମଙ୍ଗଳବାର ଦିନ ପ୍ରଥମେ ସମ୍ବଲପୁର ରେଳ ଷ୍ଟେସନରେ ସମ୍ବଲପୁର – ଦର୍ଶନ ନଗର – ସମ୍ବଲପୁର ଆସ୍ଥା ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ କରିବେ। ସମ୍ବଲପୁର ଭେଦିକ ଆନ୍ତର୍ଜାତିକ ସ୍କୁଲରେ ରୋବୋଟିକ୍ ସେଣ୍ଟରର ଲୋକାର୍ପଣ କରିବେ। ପରେ ମାଝିପାଲି ଠାରେ ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଉଦଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ସମ୍ବଲପୁର ପିଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଉଦଘାଟିତ ଓ ଶିଳାନ୍ୟାସ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଡିହେବେ। ଏହି ଦିନ ପ୍ରଧାନମନ୍ତ୍ରୀ ସମ୍ବଲପୁର ପିଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ବହୁମୁଖୀ ସଭାଗୃହର ଶିଳାନ୍ୟାସ, ଫୁଟବଲ ଫର୍ ସ୍କୁଲ୍(ଏଫ୪ଏସ) କାର୍ଯ୍ୟକ୍ରମର ଶୁଭାରମ୍ଭ ବ୍ୟତିତ ଦେଶବ୍ୟାପୀ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ।

ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଶ୍ରୀ ପ୍ରଧାନ ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ସନ୍ଥକବି ଭୀମ ଭୋଇ ଓ  ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଉପରେ ୬ ଗୋଟି ଡାକ ଟିକେଟ ଓ ଡାକ ଘର ଉନ୍ମୋଚନ କରିବେ। ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ତଥା ଧନୁଯାତ୍ରା, ନୂଆଖାଇ ପର୍ବ, ସମ୍ବଲପୁରୀ ବନ୍ଧ, ଶୀତଳ ଷଷ୍ଠୀ ଯାତ୍ରା ଓ ସମ୍ବଲପୁରୀ ନୃତ୍ୟ ଉପରେ ଡାକ ଟିକେଟ୍ ଉନ୍ମୋଚିତ ହେବ। ଏହାସହ ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ୪୨ଟି ଡାକଘରର ଉଦଘାଟନ କରିବେ।

ଏହା ପରେ କେନ୍ଦ୍ରମନ୍ତ୍ରୀ ସମ୍ବଲପୁରରେ ପିଏମ ସ୍ୱନିଧି ଯୋଜନା ସମ୍ପର୍କୀତ ରାଷ୍ଟ୍ରୀୟ ଉଦ୍ୟମିତା ବିକାଶ ପରିଯୋଜନାର ଶୁଭାରମ୍ଭ କରିବେ। ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନିକଟରେ ଲୋକାର୍ପିତ ହୋଇଥିବା ଝାରସୁଗୁଡ଼ାର ନବନିର୍ମିତ ମୁଖ୍ୟ ଡାକଘର ଐତିହ୍ୟ ଭବନ ପରିଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ: ଜାଣନ୍ତୁ କଣ ରହିଛି କାର୍ଯ୍ୟସୂଚୀ

ଭୁବନେଶ୍ଵର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଓଡିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ସେ ରେଳବାଇ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଆଭାସୀ (ଭିଡିଓ କନଫରେନସିଂ) ମାଧ୍ୟମରେ ଡାକ ବିଭାଗର ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେବେ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁର୍ଲା ସ୍ଥିତ ସମ୍ବଲପୁର ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଅଡିଟୋରିୟମ ଠାରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ।

ଉଭୟ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଶ୍ରୀ ବୈଷ୍ଣବ ଅପରାହ୍ନ 02 ଘ. 30 ମି. ସମୟରେ ଓଡ଼ିଶାର କିମ୍ବଦନ୍ତୀ କବି ତଥା ପଶ୍ଚିମ ଓଡିଶାର ସାଂସ୍କୃତିକ ଐତିହ୍ୟ ଉପରେ ସ୍ମରଣୀୟ ଡାକ ଷ୍ଟାମ୍ପ ଉନ୍ମୋଚନ କରିବେ। ସେହିଭଳି ସମ୍ବଲପୁର, ବରଗଡ, ଦେଓଗଡ, ଝାରସୁଗୁଡା ଏବଂ ସୁନ୍ଦରଗଡ ଡିଭିଜନର 42 ଟି ଶାଖା ପୋଷ୍ଟ ଅଫିସ ମଧ୍ୟ ଏହି ଅବସରରେ ଉନ୍ମୋଚନ କରାଯିବ।

ଶ୍ରୀ ବୈଷ୍ଣବ ଅପରାହ୍ନ 03 ଘ. 30 ମି. ସମୟରେ ପୂର୍ବତଟ ରେଳପଥର ମୁଖ୍ୟାଳୟ ଠାରେ ରେଳପଥର କାର୍ଯ୍ୟଦକ୍ଷତା ବିଶେଷ ଭାବେ ପ୍ରକଳ୍ପ, ଟ୍ରାଫିକ୍ ସୁବିଧା ଏବଂ ଭିତ୍ତିଭୂମି ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା କରିବେ। ଏହା ପରେ ଶ୍ରୀ ବୈଷ୍ଣବ ଭୁବନେଶ୍ୱରରେ କିଛି ସ୍ଥାନୀୟ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ସନ୍ଧ୍ୟାରେ ଦିଲ୍ଲୀ ଫେରି ଯିବେ।