Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାର ୧୬୯ ଆଦିମ ଜନଜାତିଙ୍କୁ ମାନ୍ୟତା ପାଇଁ ରାଜ୍ୟସଭାରେ ଦାବୀ କଲେ ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ଓଡିଶାର ୧୬୯ଟି ଜନଜାତି ସଂପ୍ରଦାୟଙ୍କୁ ମାନ୍ୟତା ଦେବା ପାଇଁ ମଙ୍ଗଳବାର ଦିନ ରାଜ୍ୟସଭାରେ ଦାବୀ କରିଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର। ଛିତଶଗଡର ଜନଜାତି ସଂଶୋଧନ ବିଲ ପାଶକୁ ସମର୍ଥନ କରି ଡ ପାତ୍ର ଏହି ଦାବୀ କରିଛନ୍ତି। ବିଜେଡି ଏହି ବିଲକୁ ସଂପୂର୍ଣ୍ଣ ସମର୍ଥନ କରୁଛି, ହେଲେ ଦୀର୍ଘଦିନ ଧରି ଓଡିଶାର ଆଦିମ ଜନଜାତି ପ୍ରତି କେନ୍ଦ୍ର ସରକାର ଦୃଷ୍ଟି ଦିଅନ୍ତୁ ବୋଲି ସେ ଦାବୀ କରିଥିଲେ।

ଡ. ପାତ୍ର କହିଥିଲେ ଯେ, ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ସେ ବହୁବାର ଦାବୀ କରିଛନ୍ତି। ସେ ଏ ସଂକ୍ରାନ୍ତରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ହେଲେ ଏ ପର‌୍ୟ୍ୟନ୍ତ ତାହା କାର‌୍ୟ୍ୟକାରୀ ହୋଇପାରିଲା ନାହିଁ। ଅନ୍ୟପକ୍ଷରେ ହୋ ଏବଂ ମୁଣ୍ଡାରୀ ପରି କେତେକ ଜନଜାତି ଭାଷାକୁ ମଧ୍ୟ କେନ୍ଦ୍ର ସରକାର ମାନ୍ୟତା ପ୍ରଦାନ କରୁ ନାହିଁନ୍ତି। ଏଥି ପ୍ରତି ଜନଜାତି କଲ୍ୟାଣ ମନ୍ତ୍ରୀ ଧ୍ୟାନ ଦେବାକୁ ସେ ଅନୁରୋଧ କରିଥିଲେ।

ଏହି ବିଲକୁ ସମର୍ଥନ କରି ସେ ଜନଜାତି କଲ୍ୟାଣ ପାଇଁ କେତେକ ପ୍ରସ୍ତାବ ମଧ୍ୟ ଆଗତ କରିଥିଲେ। ସେ କହିଥିଲେ ଯେ, ଜନଜାତିର ମୁଖ୍ୟ ରୋଜଗାର ମାଧ୍ୟମ ହେଉଛି କେନ୍ଦୁପତ୍ର। ହେଲେ ଦୁଃଖର କଥା ଏହି କେନ୍ଦୁପତ୍ର ଉପରେ କେନ୍ଦ୍ର ସରକାର ୧୮ ପ୍ରତିଶତ ଜିଏସଟି ନେଉଛନ୍ତି। ଏହା ଜନଜାତି ମନ୍ତ୍ରଣାଳୟ ଅଧିନର ନ ଥିଲେ ମଧ୍ୟ ଏହି ଜିଏସଟି ଛାଡ କରିବା ପାଇଁ ମୁଁ ସଂସଦ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି।

ସେହିପରି ଜନଜାତି କଲ୍ୟାଣ ପାଇଁ ଡ ପାତ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ମଧ୍ୟ ଗୃହରେ ଉଠାଇଥିଲେ। ସେ କହିଥିଲେ ଯେ, ଅନେକ ଜନଜାତୀ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କ ପାଇଁ ଭଲ ଘରଟିଏ ମିଳିପାରୁ ନାହିଁ। ସେଥିପାଇଁ ଏହିମାନଙ୍କର ଉନ୍ନତି ପାଇଁ କେନ୍ଦ୍ର ସରକାର ଧ୍ୟାନ ଦେବେ ବୋଲି ସେ ଗୃହ ମଧ୍ୟରେ ଅନୁରୋଧ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆରମ୍ଭ ହେଲା ମଡେଲ ରାଜନୀତି: ଧର୍ମେନ୍ଦ୍ରଙ୍କ ମନ୍ତବ୍ୟର ଜବାବ ରଖିଲା ବିଜେଡି

ନୂଆଦିଲ୍ଲୀ : ଉପନିର୍ବାଚନ କଦାପି ରାଜନୀତି କିମ୍ବା ଶାସନ ପାଇଁ ମଡେଲ ନୁହେଁ । ବିଜୁ ଜନତା ଦଳ ପାଇଁ ଶାସନର ମଡେଲ ହେଉଛି ଓଡିଶାର ସାଢେ ୪କୋଟି ଲୋକଙ୍କର ସେବା କରିବା ସହିତ ଓଡିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବା । ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପନିର୍ବାଚନ ମଡେଲ ମନ୍ତବ୍ୟର ଜବାବରେ ଏହା କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଗଣମାଧ୍ୟମକୁ କହିଥିଲେ ଯେ ବିଜେଡିର ପଦ୍ମପୁର ମଡେଲ ଥିଲେ ବିଜେପିର ଧାମନଗର ମଡେଲ ଅଛି । ଶ୍ରୀ ପ୍ରଧାନଙ୍କର ଏଭଳି ମନ୍ତବ୍ୟ ଉପରେ କଡା ଟିପ୍ପଣୀ ଦେଇ ବିଜେଡି ସାଂସଦ ଡକ୍ଟର ପାତ୍ର କହିଛନ୍ତି ଯେ ଉପ-ନିର୍ବାଚନ କଦାପି ରାଜନୀତି କିମ୍ବା ଶାସନ ପାଇଁ ମଡେଲ ହୋଇପାରିବ ନାହିଁ ।

ବିଜୁ ଜନତା ଦଳ ପାଇଁ ଶାସନର ମଡେଲ ହେଉଛି ଓଡିଶାର ୪.୫ କୋଟି ଲୋକଙ୍କର ସେବା କରିବା । ବିଜେଡି ଉପରେ ଲୋକଙ୍କର ବିଶ୍ୱାସ ଓ ଭରସା ଥିବାରୁ ଓଡିଶାବାସୀଙ୍କ ପାଇଁ ଏହି ଦଳ ଭଲ କାମ କରୁଛି । ଗତ ୨୨ ବର୍ଷ ଧରି ଓଡିଶାରେ ନିର୍ବାଚନ ଜିତିବା ସତ୍ତ୍ୱେ ଲୋକଙ୍କ ସେବା ପାଇଁ ବିଜେଡି ନିର୍ବାଚନରେ ବିଜୟକୁ ଓଡିଶାର ମଡେଲ କରିନାହିଁ ।

ଆମର ମଡେଲ୍ ହେଉଛି ଉତ୍ତମ ପ୍ରଶାସନର ମଡେଲ ଏବଂ ୫-ଟି ଏବଂ ମୋ ସରକାର ଆଧାରରେ ଓଡିଶାକୁ ଭାରତର ଏକ ନମ୍ବର ରାଜ୍ୟରେ ପରିଣତ କରିବା । ଆମେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଅନୁରୋଧ କରୁଛୁ ଯେ ଶାସନ ପାଇଁ ଉପ-ନିର୍ବାଚନର ମଡେଲ ବ୍ୟବହାର କରନ୍ତୁ ନାହିଁ, ଓଡିଶାର ଲୋକଙ୍କ ସେବା ପାଇଁ ଉତ୍ତମ ଶାସନର ମଡେଲ ବ୍ୟବହାର କରିବାକୁ ଦିଅନ୍ତୁ ବୋଲି ଡକ୍ଟର ପାତ୍ର କହିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜନୀତିକୁ ଆସୁଥିବା ମହିଳାଙ୍କୁ ଅସମ୍ମାନ ଆଦୌ ଶୋଭନୀୟ ନୁହେଁ: ବିଜେଡି

ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ପଦ୍ମପୁର ଉପନିର୍ବାଚନରେ ବିଜୟ ପରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ନିଜ ପିତାଙ୍କୁ ହରାଇଥିବା ଓଡିଆ ଆଦିବାସୀ ମହିଳା ବର୍ଷା ସିଂହ ବରିହାଙ୍କ ବିରୋଧରେ ଓଡ଼ିଶା ବିଜେପି ନେତାମାନେ କିପରି ଅପମାନିତ, ଅଶୋଭନୀୟ ଏବଂ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିରେ କୁହାଯାଇଛି ଯେ “ନମ୍ରତାର ସହିତ ମୁଁ ରାଜ୍ୟ ବିଜେପି ନେତାମାନଙ୍କୁ ନିବେଦନ କରିବାକୁ ଚାହେଁ ଯେ ସାଧାରଣ ଜୀବନରେ ପ୍ରବେଶ କରୁଥିବା ମହିଳାଙ୍କୁ ଅସମ୍ମାନ କରାନଯାଉ, କାରଣ ଏଭଳି ଆଚରଣକୁ ବର୍ତ୍ତମାନ କିମ୍ବା ଭବିଷ୍ୟତରେ ଓଡ଼ିଶାବାସୀ ଆଦୌ ପ୍ରଶଂସା କରିବେ ନାହିଁ।”

ବରିଷ୍ଠ ବିଜେପି ନେତା ଶ୍ରୀ ରମା ରଞ୍ଜନ ବଳିଆରସିଂ ଏବଂ ଅନ୍ୟମାନଙ୍କ ଲୁହ ଓଡିଶାର ଲୋକ ବିଶେଷକରି ମହିଳାମାନଙ୍କର ଭାବନାକୁ ସ୍ପଷ୍ଟ ଭାବେ ସୂଚିତ କରୁଛି ଯେ ପଦ୍ମପୁର ଉପନିର୍ବାଚନ ସମୟରେ ଓଡିଶା ବିଜେପିର ନେତାମାନେ ଶ୍ରୀମତୀ ବର୍ଷା ସିଂ ବରିହାଙ୍କୁ କିଭଳି ଅପମାନିତ କରିବା ସହିତ ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିଲେ।

ଡକ୍ଟର ପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ମହିଳାମାନେ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଆମେ କି ବାର୍ତ୍ତା ଦେଉଛୁ। ଯଦି ତୁମେ ସାଧାରଣ ଜୀବନରେ ପ୍ରବେଶ କର ତେବେ ତୁମକୁ ଅପମାନିତ କରାଯିବ। ରାଜନୀତିରେ ମହିଳାମାନଙ୍କର ଅଂଶଗ୍ରହଣ ଭାରତରେ ବହୁତ କମ୍ ଅଟେ ଏବଂ ଏହି ପ୍ରକାରର ଅପମାନଜନକ ମନ୍ତବ୍ୟ ଏବଂ ଆଚରଣ ମହିଳାମାନଙ୍କୁ ରାଜନୀତିରେ ପ୍ରବେଶରୁ ଦୂରେଇ ଦେବ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେବଳ ବିଜେଡିର ସଭାପତି ନୁହଁନ୍ତି, ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କୁ ଓଡିଶାବାସୀ ବିଶ୍ୱାସ କରିଛନ୍ତି ଏବଂ ବିଶେଷକରି ମହିଳାମାନେ ତାଙ୍କୁ ଜଣେ ବରିଷ୍ଠ ଷ୍ଟେଟସ୍‍ମ୍ୟାନ ଭାବରେ ଦେଖନ୍ତି। ଏହାକୁ ପ୍ରତିପାଦନ କରିବା ତାଙ୍କର ନୈତିକ ଦାୟିତ୍ୱ ଅଟେ। ରାଜନୀତି ସହିତ ଏହାର କୌଣସି ସମ୍ପର୍କ ନାହିଁ। ଏହା ହେଉଛି ମହିଳାଙ୍କ ସମ୍ମାନ ଏବଂ ସାଧାରଣ ଜୀବନରେ ସେମାନଙ୍କର ଅଂଶଗ୍ରହଣ ବିଷୟରେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଝିବା ଉଚିତ ଯେ ଏହା ରାଜନୀତିରେ ପ୍ରବେଶ କରୁଥିବା ମହିଳାଙ୍କ ପ୍ରତି ଅସମ୍ମାନ ଏକ ସମ୍ବେଦନଶୀଳ ପ୍ରସଙ୍ଗ ଏବଂ ଏହାକୁ ଏକ ରାଜନୈତିକ ପ୍ରସଙ୍ଗ ଭାବରେ ଗ୍ରହଣ ନକରିବା ଉଚିତ୍‍। ଏହି ପ୍ରକ୍ରିୟାରେ ସେ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକୁ ବିବୃତ୍ତି ଭିତରକୁ ଟାଣିବାକୁ ଚେଷ୍ଟା କରିଛନ୍ତି ଯାହା ଦୁର୍ଭାଗ୍ୟଜନକ ଏବଂ ବିଭ୍ରାନ୍ତିକର।

ଆମେ ନିଶ୍ଚିତ ଯେ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତାମାନେ ବର୍ଷା ସିଂ ବରିହାଙ୍କ ସମେତ ଦେଶରେ ମହିଳାଙ୍କ ବିରୋଧରେ କରାଯାଉଥିବା ବ୍ୟକ୍ତିଗତ ଅପମାନଜନକ ବିବୃତ୍ତିକୁ ନିଶ୍ଚିତ ନିନ୍ଦା କରିବେ ବୋଲି ଡକ୍ଟର ପାତ୍ର କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚାରି ବର୍ଷ ହେଲା ପଦମପୁର ରେଳଲାଇନ୍ କଥା କହି ଭୁଆଁ ବୁଲାଉଛି କେନ୍ଦ୍ର, ବିଜେଡିର ଅଭିଯୋଗ

ଭୁବନେଶ୍ୱର: ଡିସେମ୍ବର ୧୫ ତାରିଖରେ ବରଗଡ଼ ଷ୍ଟେସନରୁ ଭାୟା ପଦମପୁର ଦେଇ ନୂଆପଡ଼ା ରୋଡ଼ ଷ୍ଟେସନ୍ ପର୍ଯ୍ୟନ୍ତ ଏକ ନୂତନ ରେଳଲାଇନ୍ ପ୍ରକଳ୍ପକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିଲେ। ଏ ନେଇ ସେ ବିଧିବଦ୍ଧ ଭାବେ ଟୁଇଟ୍ କରି ସୂଚନା ମଧ୍ୟ ଦେଇଥିଲେ। ଇତିମଧ୍ୟରେ ଏହି ଘୋଷଣାକୁ ଚାରି ବର୍ଷ ପୂରିବାକୁ ଯାଉଛି।

ମାତ୍ର ଏ ନେଇ ରାଜ୍ୟ ସରକାର ବାରମ୍ବାର ରେଳ ମନ୍ତ୍ରଣାଳୟକୁ ଜଣାଇ ଆସୁଥିଲେ ହେଁ ଏଯାଏ ଏହି ରେଳଲାଇନ୍ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପାରିନାହିଁ। ତେଣୁ ରେଳଲାଇନ ମଞ୍ଜୁର ହୋଇଥିବା କଥା କହି ଚାରି ବର୍ଷ ହେଲା କେନ୍ଦ୍ର ସରକାର ପଦମପୁରବାସୀଙ୍କୁ ଭୁଆଁ ବୋଲି ଆସୁଛନ୍ତି ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ରେଳ ମନ୍ତ୍ରଣାଳୟ ନିଜ ପ୍ରତିଶ୍ରୁତି ରକ୍ଷା କରି ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ତୁରନ୍ତ ଏହି ପ୍ରକଳ୍ପ କାର‌୍ୟ୍ୟ ଆରମ୍ଭ କରିବାକୁ ବିଜେଡି ସାଂସଦ ଡ.ସସ୍ମିତ ପାତ୍ର ଦାବି କରିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡ.ପାତ୍ର ଏ ସଂପର୍କରେ ବିସ୍ତୃତ ସୂଚନା ଦେଇ କହିଛନ୍ତି ଯେ ବରଗଡ଼ ଷ୍ଟେସନରୁ ଭାୟା ପଦମପୁର ଦେଇ ନୂଆପଡ଼ା ରୋଡ଼ ଷ୍ଟେସନ୍ ପର‌୍ୟ୍ୟନ୍ତ ଏକ ନୂତନ ରେଳଲାଇନ୍ ପ୍ରକଳ୍ପକୁ କେନ୍ଦ୍ର ମଞ୍ଜୁର କରିଥିଲେ। ଆଜିକୁ ଚାରି ବର୍ଷ ହେଲା ଏହି ପ୍ରକଳ୍ପକୁ କାର‌୍ୟ୍ୟକାରୀ କରିବା ଲାଗି ମୁଖ୍ୟମନ୍ତ୍ରୀ ବାରମ୍ବାର ରେଳ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି। ମାତ୍ର ଆଜି ପର୍ଯ୍ୟନ୍ତ ରେଳଲାଇନ୍ ତ ଦୂରର କଥା, ଏଥିପାଇଁ ସର୍ଭେ ମଧ୍ୟ ହୋଇନାହିଁ।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏ ନେଇ ପୂର୍ବତଟ ରେଳବାଇ ପକ୍ଷରୁ ୧୧ ଜାନୁୟାରୀ, ୨୦୧୯ରେ ରେଳ ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଥିଲା ଏବଂ ଏହି ପ୍ରକଳ୍ପ କାର‌୍ୟ୍ୟକାରୀ ହେଲେ ୧୭.୩୧ % ହାରରେ ଅର୍ଥ ଫେରସ୍ତ ମିଳିବ ବୋଲି କୁହାଯାଇଥିଲା। ୧୦ ଅକ୍ଟୋବର, ୨୦୧୯ରେ ରେଲୱେ ବୋଡ୍ ଏହି ପ୍ରକଳ୍ପ କାର‌୍ୟ୍ୟକାରୀ କରିବା ପାଇଁ ଓଡ଼ିଶା ସରକାରଙ୍କୁ ମାଗଣାରେ ଜମି ଏବଂ ବିସ୍ଥାପିତଙ୍କ ପୁନର୍ବାସ ପାଇଁ ହେବାକୁ ଥିବା ଖର୍ଚ୍ଚ ବହନ କରିବାକୁ ପ୍ରସ୍ତାବ ଦେଇଥିଲା।

ମୁଖ୍ୟମନ୍ତ୍ରୀ ଏଥିପାଇଁ କେବଳ ଯେ ମାଗଣାରେ ଜମି ଯୋଗାଇ ଦେବାକୁ ରାଜି ହୋଇଥିଲେ ତାହା ନୁହେଁ, ଏହି ପ୍ରକଳ୍ପ ପାଇଁ ୩୦୦ କୋଟି ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ରେଳ ମନ୍ତ୍ରଣାଳୟକୁ ଜଣାଇ ଦେଇଥିଲେ। ମାତ୍ର ଏହା ସତ୍ତ୍ୱେ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଇଟା ଖଣ୍ଡେ ମଧ୍ୟ ପକାଇ ନାହାନ୍ତି। ତେଣୁ ପଶ୍ଚିମ ଓଡ଼ିଶାବାସୀ ବିଶେଷ କରି ବରଗଡ଼, ନୂଆପଡ଼ା ଏବଂ ପଦମପୁର ଅଞ୍ଚଳର ଅଧିବାସୀଙ୍କ ସ୍ବାର୍ଥ ପାଇଁ କେନ୍ଦ୍ର ସରକାର ତୁରନ୍ତ ଏହି ରେଳଲାଇନ ପ୍ରକଳ୍ପ ମଞ୍ଜୁର କରିବା ସହ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ ଜମି ଅଧିଗ୍ରହଣ କରି ରେଳଲାଇନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାର ଆବଶ୍ୟକତା ରହିଛି।

ଡ.ପାତ୍ର ଆହୁରି କହିଥିଲେ ଯେ ବିଗତ ପାଞ୍ଚ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ସଂପୂର୍ଣ୍ଣ କେନ୍ଦ୍ରୀୟ ପାଣ୍ଠିରୁ ଓଡ଼ିଶାରେ ଗୋଟିଏ ବି ନୂତନ ରେଳଲାଇନ ପ୍ରକଳ୍ପ ମଞ୍ଜୁର କରି ନାହାନ୍ତି। ଯେଉଁ ପ୍ରକଳ୍ପରେ ରାଜ୍ୟ ସରକାର ପାଣ୍ଠି ଯୋଗାଇଛନ୍ତି, କେବଳ ସେହିସବୁ ରେଳପ୍ରକଳ୍ପ ଅନୁମୋଦନ ପାଇଛି। ରେଳଲାଇନ ଘନତ୍ତ୍ୱ ଦୃଷ୍ଟିରୁ ପଛରେ ଥିବା ଓଡ଼ିଶା ଭଳି ରାଜ୍ୟ ପାଇଁ ଏଭଳି ବୈମାତୃକ ମନୋଭାବ ଆଦୌ ଗ୍ରହଣୀୟ ନୁହେଁ।

ତେଣୁ କେନ୍ଦ୍ର ସରକାର ଆଉ ପଶ୍ଚିମ ଓଡ଼ିଶାବାସୀଙ୍କୁ ଭୁଆଁ ନ ବୁଲାଇ ତୁରନ୍ତ ବରଗଡ଼ ଷ୍ଟେସନରୁ ଭାୟା ପଦମପୁର ନୂଆପଡ଼ା ରୋଡ଼ ଷ୍ଟେସନ୍ ରେଳଲାଇନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ବିଜୁ ଜନତା ଦଳ ପକ୍ଷରୁ ମୁଁ ଦୃଢ଼ ଦାବି କରୁଛି ବୋଲି ଡ.ପାତ୍ର କହିଛନ୍ତି।

Categories
RajyasabhaElection ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁଣିଥରେ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇଲେ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର

ଭୁବନେଶ୍ବର: ପୁଣିଥରେ ବିଜେଡି ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନିତ ହୋଇଛନ୍ତି। ଆଜି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ଏହାକୁ ପୁନଃଗଠନ କରିଛନ୍ତି। ଏଥିରେ ସେ ସାଂସଦ ସସ୍ମିତଙ୍କୁ ପୁଣିଥରେ ଏହି ପ୍ୟାନେଲରେ ନିଯୁକ୍ତି ଦେଇଛନ୍ତି। କାରଣ ପୂର୍ବ ସଦସ୍ୟତା ସମୟରେ ସସ୍ମିତ ଏହି ପ୍ୟାନେଲରେ ରହି ଗୃହ ପରିଚାଳନା କରିଛନ୍ତି।

ସସ୍ମିତଙ୍କ ସହିତ ରାଜ୍ୟସଭା ଅଧ୍ୟକ୍ଷ ଆଉ ପାଞ୍ଚଜଣଙ୍କୁ ମଧ୍ୟ ଏହି ପ୍ୟାନେଲରେ ନିଯୁକ୍ତି କରିଛନ୍ତି। ସେମାନେ ହେଲେ ଭୁବନେଶ୍ବର କଲିତା, ଇନ୍ଦୁବାଲା ଗୋସ୍ବାମୀ, ଡ ଏଲ ହନୁମନ୍ତଥୟା, ତ୍ରିଚି ଶିବା ଏବଂ ଭି ବିଜୟସାୟି ରେଡ୍ଡୀ। ସସ୍ମତିଙ୍କ ରାଜ୍ୟସଭା ପରିଚାଳନା ବେଶ ଦକ୍ଷତାର ସହ କରିଥିବାରୁ ଉପରାଷ୍ଟ୍ରପତି ତଥା ଗୃହର ଅଧ୍ୟକ୍ଷ ତାଙ୍କୁ ପ୍ରଶଂସା କରିଥିଲେ।