Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ଶେଷ ହେଲା ମା ଭଗବତୀଙ୍କ ଶାରଦୀୟ ଉତ୍ସବ,  ଛଅ ଭଉଣୀଙ୍କୁ ବିଦାୟ ଦେଇ ପିତ୍ରାଳୟକୁ ବାହୁଡ଼ିଲେ ମା

ବାଣପୁର( ସୀତାରାମ ଅଗ୍ରହୱାଲ): ଛଅ ଭଉଣୀଙ୍କୁ ବିଦାୟ ଦେଇ ପିତ୍ରାଳୟକୁ ବାହୁଡ଼ିଲେ ମା’ଭଗବତୀ’ । ବାଣପୁରରେ ଶାରଦୀୟ ପର୍ବ ଶେଷ। ବାଣପୁର ଦୀର୍ଘ 16 ଦିନର ମହାର୍ଘବେଳାରେ ଭିତର ଓ ବାହାର ପର୍ବ ଗୃହରେ ମା’ଙ୍କ ଆବାହନ ସଂସ୍ଥାପନ, ଚଣ୍ଡୀପାଠ , ବଗଳା ସ୍ତୋତ୍ର ଫଠନ , ଦୀପ, ଧୂପ ନୈବେଦ୍ୟ ଅର୍ପଣ, ଯାଗଯଜ୍ଞ, ଆଳତୀ ଗୁପ୍ରପୂଜା, ବନ୍ଦାପନା ପରେ ପହଡ଼ ପରି ନିତି କାନ୍ତି ଇତ୍ୟାଦି ଏକ ବିଚିତ୍ରମୟ ପରିବେଶ ସୃଷ୍ଟି କରିଥିଲା।

ପ୍ରତ୍ୟହ ମା’ ଭଗବତୀଙ୍କ ସହିତ ମା’ ମାନଙ୍କର ଅଙ୍ଗରାଗ ମାଜଣା, ମହାପ୍ରସାଦ ଅର୍ପଣ,ବେଶ ,ବଲ୍ଲଭ ପରେଶଙ୍କୁଡ଼ି ଧୂପ, ସଂଧ୍ୟାରେ ନିଶଙ୍କୁଡ଼ି ପୂଜା ପରେ ଦେବୀ ନୃତ୍ୟ , “କାଠିନୃତ୍ୟ “ବଳି ଜେନାନୃତ୍ୟ ଇତ୍ୟାଦି ପାରମ୍ପରିକ ନୀତି କାନ୍ତି ଓମଧ୍ୟରାତ୍ରରେ ଗୁପ୍ତ ପୂଜା ଦର୍ଶନ କରିବାପାଇଁ,ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ଭିତରେ,”ଜୟମା ଭଗବତୀଙ୍କର ଜୟ” ଧ୍ୱନୀରେ ଉଚ୍ଛୁଳି ପଡ଼ୁଥିଲା ପାଟ ଅଗଣା।

ମୂଳାଷ୍ଟମୀଠାରୁ କୃଷ୍ଣ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ମା’ଙ୍କ ମନ୍ଦିର ବେଢ଼ା ଭିତର ପର୍ବଗୃହରେ କେବଳମା’ ଭାଗବତୀ ଓ ଗଡ଼ଦେବୀ ମା’ କନକଦୁର୍ଗାଙ୍କ ସପ୍ତ ଦିନ ବ୍ୟାପି ପର୍ବ “ଯାହାକୁ ଭିତର ପର୍ବ କୁହାଯାଏ” ପାଳିତ ହୋଇଥିବାବେଳେ ମହାଳୟା ଅମାବାସ୍ୟାରେ ସପ୍ତମାତୃକା ପୂଜାର ପ୍ରତୀକମା’ଭଗବତୀ ଙ୍କ ସହିତ ମା’ ବିରିଜାଇ, ମା’ନାରାୟଣୀ,ମା’ଶିଦ୍ଧେଶ୍ଵରୀ, ମା’ କନକଦୁର୍ଗା, ଓ ସ୍ଥାନାଧିପତିମା’ବୁଢ଼ି ଠାକୁରାଣିଙ୍କ ମିଳନ ମହୋତ୍ସବ ବା “ଭେଟ’କୁ ଏଠି ଭେଟଅମାବାସ୍ୟା ବୋଲି କୁହାଯାଏ।

ଏହି ଦିନଠାରୁ ସାତ ଭଉଣୀ ଦଶହରା ପର୍ଯ୍ୟନ୍ତ ମନ୍ଦିର ବେଢ଼ା ବାହାରେ ଥିବା ବଙ୍କାଡ଼ଗଡ଼ର ରାଜପ୍ରତିଷ୍ଠିତ ସାତବଖରା ଘରେ ରହି ଦଶହରା ପର୍ଯ୍ୟନ୍ତ ପର୍ବ ପାଳନ କରି ଶେଷରେ ବିଜୟାଦଶମୀର ମଧ୍ୟରାତ୍ରରେ ଛଅଭଉଣୀଙ୍କୁ ସସମ୍ମାନେ ଶାଢ଼ି, ଚ଼ୁଡ଼ି, ଅଳତା , ସିନ୍ଦୁର ସହିତ ବିଦାୟ ଦେଇ ପିତ୍ରାଳୟଦକ୍ଷେଶ୍ଵର ମନ୍ଦିରକୁ ବାହୁଡ଼ିଲେ ମା’ ଭାଗବତୀ’।

ବାଣପୁରର ଏହି ନିଆରା ଢଙ୍ଗରେ ପାଳିତ ପ୍ରଚୀନ ପରମ୍ପରାରପର୍ବ ଷୋଳଦିନ ଧରି ବାଣପୁର ବଡ଼ଦାଣ୍ଡ ସୁନ୍ଦର ଝଲମଲ ଆଲୁଅରେ ଆଲୋକିକରଣ, ତୋରଣମାଳା, ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମରେ ଉଚ୍ଛୁଳି ପଡ଼ୁଥିଲା । ମା’ଙ୍କ ଭେଟଯାତ୍ରା ଦେଖିବାକୁ ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା ।

ଶାନ୍ତିଶୃଙ୍ଖଳା ରକ୍ଷା କରିବାପାଇଁ ବାଲୁଗାଁଉପଖଣ୍ଡଆରକ୍ଷୀ ଅଧିକ୍ଷକ ସ୍ଥାନୀୟ ବାଣପୁର ଥାନା ଓ ବାଲୁଗାଁ ଥାନା ଆରକ୍ଷୀ ଅଧିକାରୀ, ପରିମଳ ଓ ଆଲୋକିକରଣରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ, ସ୍ଥାନୀୟ ପ୍ରଶାସନ, ମନ୍ଦିର ପରିଚାଳନା କମିଟି, ସ୍ଥାନୀୟ ବିଦ୍ୟୁତ ବିଭାଗର କର୍ମଚାରୀ, ଦେବୋତ୍ତର କାର୍ଯ୍ୟାଳୟର ସମସ୍ତ କର୍ମଚ଼ାରୀ, ମନ୍ଦିରର ସମସ୍ଥ ନିଯୋଗୀ ଓ ଗହଣ ସେବାୟତ, ସ୍ଥାନୀୟଗଣମାଧ୍ୟମର ପ୍ରତିନିଧି, ଜନପ୍ରତିନିଧି ଏବଂ ବାଣପୁର ଜନସାଧାରଣ ସମସ୍ତ ପ୍ରକାର ଅକୁଣ୍ଠ ସହଯୋଗ ଯୋଗାଇଦେଇଥିବା କଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର

କଟକର ଟ୍ରାଫିକ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ, ନ ମାନିଲେ ହଜାରେ ଗଣିବ

ଭୁବନେଶ୍ବର: ଆସନ୍ତାକାଲି ସୋମବାର ଦିନ ଓଡିଶାର ସବୁଠାରୁ ଧୂମଧାମରେ ଭସାଣୀ ଉତ୍ସବ ହେଉଥିବା କଟକର ଟ୍ରାଫିକରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ସେହି ଅନୁସାରେ ଯେଉଁ ପରିବର୍ତ୍ତନ ହୋଇଛି ତାହା ହେଲା

ତେବେ ଏହି ନିୟମ ଯେଉଁମାନେ ପାଳନ ନ କରିବେ ସେମାନଙ୍କୁ ପାଞ୍ଚ ଶହ ଟଙ୍କାରୁ ହଜାରେ ଟଙ୍କା ପର୍ଯ୍ୟନ୍ତ ଜରିମାନ ଦେବାକୁ ପଡିବ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଭସାଣୀ ପାଇଁ ଭୁବନେଶ୍ବର ଟ୍ରାଫିକରେ ହେଲା ପରିବର୍ତ୍ତନ, ଜାଣନ୍ତୁ କଣ

ଭୁବନେଶ୍ବର: ଆସନ୍ତାକାଲି ମା ଦୁର୍ଗାଙ୍କ ବିଦାୟ ଉତ୍ସବ। ଅର୍ଥାତ ଭସାଣୀ ଉତ୍ସବ। ଏହି ଉତ୍ସବ ବେଶ ଧୂମଧାମରେ ପାଳନ କରାଯିବ। ସେଥିପାଇଁ ଆସନ୍ତାକାଲି ପାଇଁ ଭୁବନେଶ୍ବରରେ ଟ୍ରାଫିକ କଟକଣା କରାଯାଇଛି। ଭୁବନେଶ୍ବର ଟ୍ରାଫିକ ପୋଲିସ ସୂଚନା ଅନୁସାରେ ଏହିପରି ଭାବେ ଆସନ୍ତାକାଲି ଟ୍ରାଫିକ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି।

ତେବେ ଏହି ଟ୍ରାଫିକ ପରିବର୍ତ୍ତନକୁ କଡାକଡି ଲାଗୁ କରାଯିବ। ଯେଉଁମାନେ ନିୟମ ଖିଲାପ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ବିଜୟା ଦଶମୀରେ ଝିଅମାନଙ୍କୁ ଖଣ୍ଡା ବାଣ୍ଟିଲେ ବିଜେପି ବିଧାୟକ, ସାରା ଦେଶରେ ଚର୍ଚ୍ଚା

ନୂଆଦିଲ୍ଲୀ: ଗତ ଶନିବାର ବିହାରର ସୀତାମାରି ଜିଲ୍ଲାରେ ବିଜୟା ଦଶମୀ ଉତ୍ସବରେ ବିଜେପି ବିଧାୟକ ମିଥାଇଲେଶ କୁମାର ଝିଅମାନଙ୍କୁ ଖଣ୍ଡା ବଣ୍ଟନ କରିଥିଲେ। ସେ କହିଛନ୍ତି ଯେ, ଯଦି କୈଣସି ମନ୍ଦ ବ୍ୟକ୍ତି ଆମ ଭଉଣୀମାନଙ୍କୁ ଛୁଇଁବାକୁ ସାହସ କରନ୍ତି, ତେବେ ଏହି ଖଣ୍ଡା ଦ୍ୱାରା ତାଙ୍କ ହାତ କାଟି ଦିଆଯିବ। ଯାହାକୁ ନେଇ ସାରା ଦେଶରେ ବେଶ ଚର୍ଚ୍ଚା ଚାଲିଛି।

ସେ ଆହୁରି କହିଛନ୍ତି ଯେ, “ଆମ ଭଉଣୀମାନଙ୍କୁ ସେମାନଙ୍କ ହାତ କାଟିବାର କ୍ଷମତାକୁ ସକ୍ଷମ କରିବାକୁ ପଡିବ ଏବଂ ଯଦି ଆବଶ୍ୟକ ହୁଏ ତେବେ ମୁଁ ଏବଂ ଆପଣ ସମସ୍ତେ ଏହା କରିବାକୁ ପଡ଼ିବ। ସେହି ସମସ୍ତ ଦୁଷ୍କର୍ମକାରୀ, ଯେଉଁମାନେ ଆମ ଭଉଣୀମାନଙ୍କ ବିରୁଦ୍ଧରେ ଖରାପ ଦୃଷ୍ଟିରେ ଦେଖୁଛନ୍ତି ସେମାନଙ୍କୁ ଧ୍ୱଂସ କରିବାକୁ ପଡ଼ିବ ବୋଲି ଶ୍ରୀ କୁମାର କହିଛନ୍ତି।

ଏହାକୁ ସମର୍ଥନ କରିବା ପାଇଁ ମିଥାଇଲେଶ କୁମାର ଲୋକମାନଙ୍କୁ ନିବେଦନ ମଧ୍ୟ କରିଥିଲେ। ଲୋକଙ୍କୁ, ବିଶେଷକରି ମହିଳାମାନଙ୍କୁ ଦୁଷ୍କର୍ମକାରୀଙ୍କ ବିରୋଧରେ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟ- ଏବଂ କଲେଜ ଯାଉଥିବା ଝିଅମାନଙ୍କୁ ଖଣ୍ଡା ବଣ୍ଟନ କରାଯାଇଥିଲା।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜି ସଂଧ୍ୟାରେ ବିଭିନ୍ନ ପୂଜା ମଣ୍ଡପରେ ରାବଣ ପୋଡି ଉତ୍ସବ, ଭକ୍ତଙ୍କର ହେବ ସମାଗମ

ଭୁବନେଶ୍ବର: ଅଧର୍ମର ପରାଜୟ ଘଟି ହେବ ଧର୍ମର ଜୟ। ସେଥିପାଇଁ ଦଶହରାକୁ ବିଜୟା ଦଶମୀ ଭାବେ ପାଳନ କରାଯାଇଥାଏ। ଏହି ଦିନ ପ୍ରଭୃଶ୍ରୀରାମ ରାବଣକୁ ହତ୍ୟା କରି ମା ସୀତାଙ୍କୁ ଉଦ୍ଧାର କରିଥିଲେ। ସେଥିପାଇଁ ଆଜିର ଦିନରେ ବିଭିନ୍ନ ପୂଜା ମଣ୍ଡପ ତରଫରୁ ରାବଣ ପୋଡି ଉତ୍ସବର ଆୟୋଜନ କରାଯାଇଥାଏ। ଏଥିରେ ବିରାଟକାୟ ରାବଣ ପ୍ରତିମୂର୍ତ୍ତିରେ ଅଗ୍ନି ସଂଯୋଗ କରାଯାଇ ତାକୁ ବଧ କରାଯାଇଥାଏ।

ଗତକାଲି ସଂଧ୍ୟାରେ ଅନେକ ସ୍ଥାନରେ ବିଜୟା ଦଶମୀ ପାଳନ କରାଯାଇ ରାବଣ ପୋଡି କରାଯାଇଛି। ହେଲେ ଓଡିଶାର ଅନେକ ସ୍ଥାନରେ ଆଜି ରାବଣପୋଡି ଉତ୍ସବ ପାଳନ କରାଯାଉଛି। ତେବେ ହାଇକୋର୍ଟଙ୍କ ରାୟ ଅନୁସାରେ ଏଥର କଟକରେ ବାଣ ଫୁଟାଯାଇପାରିବ ନାହିଁ। ସେହିପରି ଭୁବନେଶ୍ବରରେ ଜନଗହଳି ସ୍ଥାନରୁ ବହୁଦୂରରେ ଏହି ଆତସବାଜି ପ୍ରତିଯୋଗୀତା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ରାବଣ ପୋଡି ଦେଖିବା ପାଇଁ ବହୁ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ପୋଲିସ ଏବଂ ଅଗ୍ନିଶମ ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

ଆଜି ବିଜୟା ଦଶମୀ, ଦୁର୍ଗାପୂଜାର ଶେଷ ପର୍ବ, ବିଭିନ୍ନ ପୂଜା ମଣ୍ଡପରେ ଭିଡ

ଭୁବନେଶ୍ବର: ଆଜି ହେଉଛି ବିଜୟା ଦଶମୀ। ଦୀର୍ଘଦିନ ଧରି ଚାଲିଥିବା ମା ଦୁର୍ଗା ପୂଜାର ଆଜି ହେଉଛି ଶେଷ ଦିନ। କାରଣ ଆସନ୍ତାକାଲି ମା ଆମମାନଙ୍କ ପାଖରୁ ବିଦାୟ ନେବେ। ପୁଣି ମାଙ୍କ ଦର୍ଶନ କରିବାକୁ ହେଲେ ବର୍ଷେ ଅପେକ୍ଷା କରିବାକୁ ପଡିବ। ଦୀର୍ଘ ଦଶଦିନ ଧରି ଚାଲିଥିବା ଘୋଘା ଆଜି ରାତିରେ ଯବନିକା ପଡିବ। ସେଥିପାଇଁ ଆଜି ସମସ୍ତ ପୂଜା ମଣ୍ଡପରେ ସକାଳୁ ଭିଡ ପରିଲକ୍ଷିତ ହୋଇଛି।

ତେବେ ଆଜି ଶେଷ ଦିନ ହୋଇଥିବାରୁ ସଂଧ୍ୟାରେ ପ୍ରବଳ ଭିଡ ହେବ ବୋଲି ଅନୁମାନ କରାଯାଇଛି। ଆଜି ସମସ୍ତ ପୂଜା ମଣ୍ଡପରେ ଚାଲିଛି ଦଶମୀ ପୂଜା। ଆଜି ସଂଧ୍ୟାରେ ହେବ ରାବଣ ପୋଡି ଉତ୍ସବ। କାରଣ ଏହି ବିଜୟା ଦଶମୀରେ ପ୍ରଭୃ ଶ୍ରୀରାମ ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରିଥିଲେ। ସେଥିପାଇଁ ଆଜିର ଦିନକୁ ବିଜୟା ଦଶମୀ ବୋଲି କୁହାଯାଉଛି। ଆଜି ରାବଣ ପୋଡି ତଥା ପୂଜାର ଶେଷ ଦିନ ହୋଇଥିବାରୁ ଭକ୍ତଙ୍କ ଭିଡକୁ ଦେଖି ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମାରିଲେ ତୀର, ରାବଣ ଜଳିପୋଡି ଛାରଖାର

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀଠାରେ ଉଭୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ମଞ୍ଚ ଉପରୁ ଧନୁଶର ଧରି ମାରିଲେ ତୀର। ତାହା ଯାଇ ରାବଣ ଶରୀରରେ ବାଜିଲା। ଆଉ ନିମିଷେକ ମଧ୍ୟରେ ରାବଣର ଶରୀର ଜଳିପୋଡି ପାଉଁଶ ହୋଇଗଲା।

ଆଜି ବିଜୟା ଦଶମୀ ଉପଲକ୍ଷେ ନୂଆଦିଲ୍ଲୀର ଲାଲ କିଲ୍ଲା ମଇଦାନରେ ଆୟୋଜିତ ହୋଇଥିଲା ରାବଣ ପୋଡି ଉତ୍ସବ। ଏହି ଉତ୍ସବରେ ଯୋଗଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ଉଭୟ ତୀରମାରି ରାବଣ, ମହୀରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଦର ବାଉଁଶ ମୂର୍ତ୍ତିରେ ନିଆଁଲଗାଇଥିଲେ। ଏହି ଉତ୍ସବ ଦେଖିବା ପାଇଁ ସେଠାରେ େହଜାର ହଜାର ଲୋକ ଏକଜୁଟ ହୋଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

କଟକରେ ପ୍ରାୟ ୪୦ଟି ପୂଜା ମଣ୍ଡପ ବୁଲି ମା’ଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକରେ ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଛନ୍ତି।

କଟକବାସୀଙ୍କ ସୌଜନ୍ୟତା ଓ ଭାଇଚାରାରେ ଅଭିଭୂତ ହୋଇ ମୁଖ୍ୟମନ୍ତ୍ରୀ କଟକବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ଦିଗରେ ସେମାନଙ୍କ ପ୍ରୟାସର ଭୂୟସୀ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟର ସର୍ବାଙ୍ଗୀନ ବିକାଶ ନିମନ୍ତେ ମା’ଙ୍କ ଆଶିଷ ଭିକ୍ଷା କରିବା ସହ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ନିମନ୍ତେ ପ୍ରାର୍ଥନା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନୂଆ ସରକାର ନୂଆ ଆଶା ଉଦ୍ଦୀପନା ନେଇ ନୂଆ ଓଡ଼ିଶା ଗଠନର ସଂକଳ୍ପ ନେଇ ଆସିଛି। ୧୦୦୦ ବର୍ଷର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବହନ କରୁଥିବା କଟକ ସହରର ସର୍ବାଙ୍ଗୀନ ବିକାଶ ସହ ଏହାକୁ ସ୍ମାର୍ଟ ସିଟି କରିବା ଏବଂ କଟକ-ଭୁବନେଶ୍ୱରକୁ ଟୁଇନ୍‌-ସିଟି ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାର ପ୍ରଯତ୍ନ କରୁଛନ୍ତି।

ଓଡ଼ିଶା ଆଗାମୀ ଦିନରେ ବିକଶିତ ଓଡ଼ିଶା ହେବ, ସମୃଦ୍ଧ ଓଡ଼ିଶା ହେବ। ବିକାଶର ଏହି ଯାତ୍ରା କଟକରୁ ଆରମ୍ଭ ହେବ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଓଡ଼ିଶାକୁ ଭଲ ପାଆନ୍ତି ଏବଂ ପୂର୍ବୋଦୟର ବିକାଶ ପାଇଁ ସେ ଲକ୍ଷ୍ୟ ରଖିଛନ୍ତି।

ମୁଖ୍ୟମନ୍ତ୍ରୀ ପ୍ରଥମେ ପ୍ରତାପନଗରୀରେ ଦୁର୍ଗାମେଢ଼ ଦେଖିବା ପରେ ଚାଉଳିଆଗଞ୍ଜ, ଶିଖରପୁର, ଯୋବ୍ରା, ରାଣୀହାଟ, କଲେଜ ଛକ, ଛତ୍ରବଜାର, ମଧୁପାଟଣା, ଖାନନଗର, ପିଠାପୁର, ଝୋଲାସାହି, ଦରଘାବଜାର, ଚୌଧୁରୀବଜାର, ଚାନ୍ଦିନୀଚୌକ, ତୁଳସୀପୁର, ସିଡିଏ ସେକଟର ୬ ଓ ୭, ବିଡାନାସୀ, ମାତାମଠ ସହ ପ୍ରାୟ ୪୦ଟି ଦୁର୍ଗାମେଢ଼ ପରିଦର୍ଶନ କରିଥିଲେ।

ପ୍ରତି ପୂଜାମଣ୍ଡପରେ ସ୍ଥାନୀୟ ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କୁ ଉତ୍ସାହର ସହ ସ୍ୱାଗତ କରିଥିବାବେଳେ ଆୟୋଜକ କମିଟି ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ପୂର୍ବତନ ମନ୍ତ୍ରୀ ଶ୍ରୀ ସମୀର ଦେ ଏବଂ ବରିଷ୍ଠ କର୍ମକର୍ତ୍ତାମାନେ ପୂଜା ମଣ୍ଡପ ବୁଲି ଦେଖିଥିଲେ।

Categories
ଆଜିର ଖବର ଜାତୀୟ ଖବର

ବିଜୟାଦଶମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜୟା ଦଶମୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :

“ବିଜୟା ଦଶମୀ ଉପଲକ୍ଷେ ଦେଶବାସୀଙ୍କୁ ଅନେକ ଶୁଭକାମନା । ମା ଦୁର୍ଗା ଏବଂ ଭଗବାନ ଶ୍ରୀ ରାମଙ୍କ ଆଶୀର୍ବାଦରୁ ଆପଣମାନେ ଜୀବନର ସମସ୍ତ କ୍ଷେତ୍ରରେ ବିଜୟୀ ହୁଅନ୍ତୁ, ଏହା ହିଁ ମୋର କାମନା ।”

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ତିନିଦିନିଆ କେଉଁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଆଜିଠାରୁ ତିନିଦିନିଆ କେଉଁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଅପରାହ୍ନରେ ସେ ହେଲିକାପ୍ଟରରେ ଭୁବନେଶ୍ବରରୁ କେଉଁଝର ଯିବେ। ସେଠାରେ ସେ ଶିରିଡି ସାଇ ମନ୍ଦିରରେ ପୂଜାଅର୍ଚ୍ଚନା କରିବେ। ଏହାପରେ ସେ ବିଭିନ୍ନ ପୂଜା ମଣ୍ଡପ ବୁଲି ମାଙ୍କ ଦର୍ଶନ କରିବେ। ଏ ନେଇ ପୂର୍ବରୁ କେଉଁଝରର ବିଭିନ୍ନ ପୂଜା ମଣ୍ଡପ ତରଫରୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ସର୍କିଟ ହାଉସରେ ରାତ୍ରୀ ଯାପନ କରିବେ।

ରବିବାର ସକାଳେ ମୁଖ୍ୟମନ୍ତ୍ରୀ ନିଜ ଗାଁ ରାଇକଳା ଗସ୍ତ କରିବେ। ସେଠାରେ କିଛି ସମୟ ରହିବା ପରେ ସେ ପୁଣି କେଉଁଝରର ବିଭିନ୍ନ ପୂଜାମଣ୍ଡପ ପରିଦର୍ଶନ କରିବେ। ସେହିପରି ସୋମବାର ଦିନ ସେ କେତେକେ ବିଶିଷ୍ଠ ଲୋକଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେହିଦିନ ସେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

ଦଶହରାରେ ଏହି ଚାରିଟି ଜିନିଷ ଦେଖିଲେ ବର୍ଷ ସାରା ହୋଇଥାଏ ମଙ୍ଗଳ

ନୂଆଦିଲ୍ଲୀ: ଅସତ୍ୟ ଉପରେ ସତ୍ୟର ବିଜୟ। ଆଜି ସାରା ଦେଶରେ ବିଜୟ ଦଶମୀ ପାଳନ କରାଯାଉଛି। ଶାରଦୀୟ ନବରାତ୍ରୀର ସମାପ୍ତି ପରେ ଦଶହରା ପାଳନ କରାଯାଇ ଥାଏ। ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ଭଗବାନ ରାମ ଦଶହରା ଦିନ ରାବଣକୁ ହତ୍ୟା କରିଥିଲେ। ପାପ ଉପରେ ପୂଣ୍ୟର ବିଜୟ ଲାଭ ହୋଇ ଥିଲା। ଏହି ପର୍ବ ସାରା ଦେଶରେ ବହୁତ ଉତ୍ସାହର ସହିତ ପାଳନ କରାଯାଇଥାଏ। ତେବେ ଚଳିତ ବର୍ଷ କରୋନା ପାଇଁ ଏହା ଫିକା ପଡିଯାଇଛି।

ତେବେ ଅନେକ ଲୋକ ଜାଣନ୍ତି ନାହିଁ ଯେ, ଏହି ପର୍ବରେ ଏପରି ଜିନିଷ ଅଛି ଯାହା ଦେଖିଲେ ଅତ୍ୟନ୍ତ ଶୁଭ ପ୍ରାପ୍ତ ହୋଇଥାଏ। ଜ୍ୟୋତିଷମାନେ ମଧ୍ୟ ବିଶ୍ବାସ କରନ୍ତି, ଯଦି ଦଶହରା ଦିନରେ ଏହି ଚାରୋଟି ଜିନିଷ ଦେଖନ୍ତି, ତେବେ ତାହା ସମଗ୍ର ବର୍ଷ ଅତ୍ୟନ୍ତ ଶୁଭ ଏବଂ ଭାଗ୍ୟ ଉଜ୍ଜ୍ୱଳ ହେବାର ସମ୍ଭାବନା ରହିଛି।

ଏହି ଚାରୋଟି ଜିନିଷ ହେଲା..

୧- ବିଜୟା ଦଶମୀକୁ ସାଧାରଣତଃ ଯାତ୍ରାର ଦିନ ବୋଲି ଧରାଯାଇଥାଏ। ଏହି ଦିନ ଯଦି କୁଆଡେ ଯାତ୍ରା କରାଯାଏ ତେବେ ସେଥିରେ ନିଶ୍ଚିତ ବିଜୟ ହେବ ବୋଲି ବିଶ୍ବାସ ରହିଛି। ଯଦି ଆପଣ ଏହି ଦିନ କୈଣସି ସ୍ଥାନକୁ ଯାତ୍ରା କରୁଛନ୍ତି, ତେବେ ଯିବା ପୂର୍ବରୁ ମନ୍ଦିରକୁ ଯାଇ ଭଗବାନଙ୍କୁ ଦର୍ଶନ କରନ୍ତୁ। ବିଶେଷ କରି ଦଶହରାରେ ରାମମନ୍ଦିର କିମ୍ବା ଶିବ ମନ୍ଦିର ଯିବା ସବୁଠାରୁ ଶୁଭ ଦାୟକ ଅଟେ।

୨- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି ଦଶହରା ଦିନ ନୀଳକଣ୍ଠ ପକ୍ଷୀ ଦୃଷ୍ଟିକୁ ଆସେ, ତେବେ ଏହା ବୁଝିବା ନେବା ଉଚିତ ଯେ ଭଲ ସମୟ ଆରମ୍ଭ ହେବାକୁ ଯାଉଛି। ନୀଳକଣ୍ଠ ପକ୍ଷୀ ହେଉଛି ଏପରି ଏକ ପକ୍ଷୀ ଯାହାର କଣ୍ଠ ନୀଳବର୍ଣ୍ଣ ଦେଖାଯାଇଥାଏ। ଏହା ବିଶ୍ୱାସ କରାଯାଏ ଯେ ଭଗବାନ ରାମ ନୀଳକଣ୍ଠ ପକ୍ଷୀକୁ ଦେଖିବା ପରେ ରାବଣକୁ ହତ୍ୟା କରିଥିଲେ। ନୀଳକଣ୍ଠ ପକ୍ଷୀ ଭଗବାନ ଶିବଙ୍କ ରୂପ ବୋଲି ମଧ୍ୟ ବିବେଚନା କରାଯାଏ।

୩- ବିଜୟା ଦଶମୀ ଦିନ ପାନ ଖାଇବା ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ ଏହି ବିଶେଷ ଦିନରେ ଭଗବାନ ରାମଙ୍କ ଶ୍ରେଷ୍ଠ ଭକ୍ତ ହନୁମାନଙ୍କୁ ପାନ ଅର୍ପଣ କଲେ ସମସ୍ତ ଇଚ୍ଛା ପୂରଣ ହୁଏ। ଯେହେତୁ ପାନ ହେଉଛି ବିଜୟର ପ୍ରତୀକ ଏବଂ ପାନ ଶବ୍ଦର ମହତ୍ତ୍ୱ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ ପାନକୁ ଦଶହରାରେ ଶୁଭ ବୋଲି ମନେ କରାଯାଇଥାଏ।

୪- ଦଶହରା ସମୟରେ ଆଉ ଏକ ଶୁଭ ଦୃଶ୍ୟ ହେଉଛି ପାଣିରେ ମୀନ ଖେଳୁଥିବାର ଦେଖିବା। ଯଦି ଆପଣ ନଦୀ କିମ୍ବା ପୋଖରୀରେ ମାଛ ଖେଳୁଥିବାର ନଜରକୁ ଆସେ ତେବେ ତାହା ଏକ ଶୁଭଦାୟକ ଦୃଶ୍ୟ ଭାବେ ବିବେଚନା କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ସଂସ୍କୃତି

ନବରାତ୍ରୀ ଉତ୍ସବରେ “ଗରବା” ନୃତ୍ୟର ପରଂପରା ଏବଂ ନୃତ୍ୟ ଶୈଳୀର ଆକର୍ଷଣ

ସଂପଦ ଦଳାଇ

ସାଧାରଣତଃ ପୂଜା ଋତୁ ଆସିଲେ ଦୁଇଟି ନୃତ୍ୟ ଶୈଳୀ ଆଖି ଆଗରେ ନାଚି ଉଠେ। ସେ ଦୁଇଟି ହେଲା “ଗରବା ନୃତ୍ୟ” ଏବଂ “ଦାଣ୍ଡିଆ ନୃତ୍ୟ”। ଏହି ଦୁଇ ନୃତ୍ୟ ଦୁର୍ଗା ବା ନବରାତ୍ର ସହିତ କାହିଁ କେଉଁ କାଳରୁ ଜଡିତ ହୋଇ ଆସିଛି। ଏହି ଦୁଇ ନୃତ୍ୟ ଶୈଳୀର ଜନ୍ମଦାତା ହେଉଛି ଗୁଜୁରାଟ ରାଜ୍ୟ। ମୁଖ୍ୟତଃ ନବରାତ୍ର, ଶରଦ ପୂର୍ଣ୍ଣିମା, ବସନ୍ତ ପଞ୍ଚମୀ ଏବଂ ହୋଲି ପ୍ରଭୃତି ଉତ୍ସବରେ ଏହି ନୃତ୍ୟ ପରିବେଷଣ କରାଯାଇଥାଏ।

ଗରବା ଶଦ୍ଦଟି ହେଉଛି ସଂସ୍କୃତ ଶଦ୍ଦ, ଯାହାର ଅର୍ଥ ହେଉଛି ଗର୍ଭ ବା ଗର୍ଭାଶୟ। ବିଶ୍ବାସ ରହିଛି ଯେ,ଝିଅମାନେ ଏହି ନୃତ୍ୟ ପରିବେଷଣ କଲେ ସେମାନଙ୍କର ଗର୍ଭାଶୟ ଶକ୍ତ ହୋଇଥାଏ ଏବଂ ଛୁଆ ଜନ୍ମ କରିବାର ଶକ୍ତି ହାସଲ କରି ପାରନ୍ତି। ସେଥିପାଇଁ ଗରବା ନୃତ୍ୟରେ ମହିଳାଙ୍କ ଭାଗିଦାରୀ ଅଧିକ ରହିଛି। ଏହି ନୃତ୍ୟ ଶୈଳୀଟି ଭାରତରେ ଥିବା କୈଣସି ଶାସ୍ତ୍ରୀୟ ନୃତ୍ୟଠାରୁ କିଛି କମ ନୁହେଁ।

ସେଥିପାଇଁ ଗରବା ନୃତ୍ୟ ବର୍ତ୍ତମାନ ଗୁଜୁରାଟରୁ ଡେଇଁ ସାରା ଭାରତ ବର୍ଷରେ ଏକ ଲୋକପ୍ରିୟ ନୃତ୍ୟ ଭାବେ ପରିଚୟ ସୃଷ୍ଟି କରିପାରିଛି। ଏପରିକି ବାହାର ଦେଶରେ ଥିବା ଗୁଜୁରାଟୀମାନେ ମଧ୍ୟ ଏହି ନୃତ୍ୟକୁ ସେଠାରେ ପ୍ରସାର କରାଇ ପାରିଛନ୍ତି। ନବରାତ୍ରୀ ବା ଦୁର୍ଗା ପୂଜା ଆସିଲେ ଭାରତର ସମସ୍ତ ରାଜ୍ୟରେ କେଉଁଠି ନା କେଉଁଠି ଏହି ଗରବା ଏବଂ ଦାଣ୍ଡିଆ ନୃତ୍ୟର ଆସର ଦେଖିବାକୁ ମିଳିଥାଏ।

ଗରବା ନୃତ୍ୟ କିପରି କରାଯାଇ ଥାଏ

ଏହି ନୃତ୍ୟ ପରିବେଷଣ ପୂର୍ବରୁ ଗୋଟିଏ ସ୍ଥାନରେ ଦେବୀଙ୍କ ମୂର୍ତ୍ତି କିମ୍ବା ଫଟୋ ସ୍ଥାପନ କରାଯାଇଥାଏ। ଏହାପରେ ସେଠାରେ ବାଦ୍ୟ ଶିଳ୍ପୀଙ୍କ ଦ୍ବାରା ବାଦ୍ୟ ପରିବେଷଣ କରାଯାଏ। ଏହାପରେ ନୃତ୍ୟଶିଳ୍ପୀମାନେ ବୃତ୍ତାକାର ଭାବେ ଘୁରି ଘୁରି ନୃତ୍ୟ ପରିବେଷଣ କରିଥାନ୍ତି। ଏହି ନୃତ୍ୟ ବହୁ ସମୟ ଧରି ପରିବେଷଣ କରାଯାଇଥାଏ। ସେଥିପାଇଁ ଏହାର ରିଦ୍ଦମି ବା ବାଦ୍ୟ ଶୈଳୀର ବେଗ ଧିର ହୋଇଥାଏ। ଏହି ଗରବା ନୃତ୍ୟଟି ହେଉଛି ଭାରତର ଏକ ପ୍ରସିଦ୍ଧ ଲୋକନୃତ୍ୟ। ଲୋକବାଦ୍ୟ ଏବଂ ଲୋକସଂଗୀତ ସମାହାର ହେଉଛି ଏହି ଗରବା ନୃତ୍ୟ। ଏଥିରେ ଯେଉଁ ବାଦ୍ୟ ବ୍ୟବହାର ହୋଇଥାଏ ତାହା ପାରଂପାରିକ ବାଦ୍ୟ। ଲୋକବାଦ୍ୟ ଭାବେ କେବଳ ଡ୍ରମ ବା ଢୋଲ ଏବଂ ହାରମୋନିୟମ ବ୍ୟବହାର କରାଯାଇଥାଏ।

ବର୍ତ୍ତମାନ ଅନେକ ଏଥିରେ ବିଭିନ୍ନ ଆଧୁନିକ ବାଦ୍ୟକୁ ସାମିଲ କରୁଥିଲେ ମଧ୍ୟ ପାରଂପାରିକ ବାଦ୍ୟର ମହକ ଅତୁଟ ରହିଛି। ଏହି ନୃତ୍ୟର ପରିବେଷଣ ସମୟ ହେଉଛି ରାତି। ଅର୍ଥାତ ମହିଳାମାନେ ରାତିରେ ଘରର ସମସ୍ତ କାମ ସାରିବା ପରେ ଏହି ନୃତ୍ୟ ଆରମ୍ଭ ହୋଇଥାଏ। ଗ୍ରାମର ବା ସହରର ଗୋଟିଏ ସ୍ଥାନରେ ସେଥିପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇ ଥାଏ।

ସମସ୍ତେ ଆସିବା ପରେ ଆରମ୍ଭ ହୁଏ ଏହି ନୃତ୍ୟ। ଏଥିରେ ମହିଳା ଓ ପୁରୁଷମାନେ ଚକ୍ରାକାର ହୋଇ ନୃତ୍ୟ ପରିବେଷଣ କରିଥାନ୍ତି। ଗରବା ନୃତ୍ୟରେ ମହିଳା ନୃତ୍ୟଶିଳ୍ପୀମାନେ ହାତରେ କୌଣସି ଜିନିଷ ଧରି ନ ଥିବା ବେଳେ ପୁରୁଷମାନେ ହାତରେ ରଂଗୀନ ରୁମାଲ ଧରିଥାନ୍ତି। ଏଥିରେ ଯେଉଁ ଗୀତ ବୋଲା ଯାଇଥାଏ ତାହା ମା,ଅମ୍ବାଙ୍କ ନଅ ଟି ରୂପ ଉପରେ ଆଧାରିତ ହୋଇଥାଏ। ସେଥିପାଇଁ ଏହି ଗରବା ନୃତ୍ୟ ନବରାତ୍ରୀ ସମୟରେ ନଅ ଦିନ ପରିବେଷିତ ହୋଇଥାଏ।

ଗରବା ନୃତ୍ୟର ମୁଖ୍ୟ ଆକର୍ଷଣ ହେଉଛି ଏହାର ବେଶ ପୋଷାକ

ଏହି ଲୋକନୃତ୍ୟର ମୁଖ୍ୟ ଆକର୍ଷଣ ହେଉଛି ଏହାର ପୋଷାକ। ମୁଖ୍ୟତଃ ମହିଳାମାନେ ବା ଝିଅମାନେ ଯେଉଁ ପୋଷାକ ପିନ୍ଧନ୍ତି ତାହା ବେଶ୍ ଆକର୍ଷଣୀୟ। ଭାରତର ଅନ୍ୟ ନୃତ୍ୟ ଶୈଳୀ ପରି ଏହି ନୃତ୍ୟର ବେଶ ପୋଷାକ ଏହାର ଆକର୍ଷଣୀୟତାକୁ ବୃଦ୍ଧି କରାଇଥାଏ। ଏଥିରେ ମହିଳାମାନେ ସାଧାରଣତଃ ପାରଂପାରିକ ପୋଷାକ ପରିଧାନ କରିଥାନ୍ତି। ବିଭିନ୍ନ ଏମ୍ବ୍ରଡିଂ ଏବଂ ରଂଗୀନ ମଣିଯୁକ୍ତ ଥିବା ଘାଘରା ମହିଳାମାନେ ପିନ୍ଧିଥାନ୍ତି।

ଏଥିସହିତ ସେମାନେ ମୁଣ୍ଡରେ ଏକ ଓଢଣୀ ମଧ୍ୟ ଦେଇଥାନ୍ତି। ସେହିପରି ମୁଣ୍ଡ ଓ ଦେହରେ ମହିଳାମାନେ ବିଭିନ୍ନ ରୂପା ତାରକସୀର ଅଳଙ୍କାର ପରିଧାନ କରିଥାନ୍ତି। ପୁରୁଷମାନେ ଏକ ରଂଗୀନ କୁର୍ତ୍ତା ବା ସାର୍ଟ ସହିତ ଏକ ଟ୍ରାଉଜର ପିନ୍ଧିଥାନ୍ତି। ହେଲେ ଏମାନେ ହାତରେ ଏକ ପ୍ରିଣ୍ଟେଡ ରୁମାଲ ଧରିଥାନ୍ତି। ଗୁଜୁରାଟର ସୌରାଷ୍ଟ୍ର ଅଞ୍ଚଳର ନୃତ୍ୟଶିଳ୍ପୀମାନେ ପୁରା ଟିପିକାଲ ଗୁଜୁରାଟି ପୋଷାକ ପିନ୍ଧି ନୃତ୍ୟ କରିଥାନ୍ତି।

ପ୍ରାଚୀନ ଯୁଗର ଗରବା ନୃତ୍ୟ ଶୈଳୀଟି ଥିଲା ବେଶ କଷ୍ଟଦାୟକ

ବର୍ତ୍ତମାନ ଯେଉଁ ଗରବା ନୃତ୍ୟ ପରିବେଷଣ କରାଯାଉଛି ତାହା ହେଉଛି ମୂଳ ଗରବା ନୃତ୍ୟର ଏକ ପରିବର୍ତ୍ତିତ ଶୈଳୀ। କାରଣ ପ୍ରାଚୀନ ଯୁଗରେ ଏହି ନୃତ୍ୟ ପରିବେଷଣ ବେଶ କଷ୍ଟ ଦାୟକ ଥିଲା। ଏଥିରେ ନାରୀମାନେ ପାରଂପାରିକ ବେଶ ପୋଷାକରେ ସଜ୍ଜିତ ହେଉଥିଲେ, ହେଲେ ମୁଣ୍ଡରେ ଏକ ମାଠିଆ ଧରି ସାବଧାନତାର ସହ ନୃତ୍ୟ କରିବାକୁ ପଡୁଥିଲା। ଏପରିକି ମାଠିଆ ଉପରେ ଏକ ପଇଡ ମଧ୍ୟ ରଖାଯାଉଥିଲା।

ମାଠିଆଟି ଭାରୀ କରିବା ପାଇଁ ତା ଭିତରେ ବିଭିନ୍ନ କୋଳି ଏବଂ ରୂପା ମୁଦ୍ରା ଭର୍ତ୍ତି କରାଯାଉଥିଲା। ସେହି ମାଠିଆକୁ ମୁଣ୍ଡରେ ରଖି ନୃତ୍ୟଶିଳ୍ପୀମାନେ ଦେହର ସନ୍ତୁଳନ ରକ୍ଷା କରି ନୃତ୍ୟ କରୁଥିଲେ। ସେତେବେଳେ ସମସ୍ତେ ଏପରି ନୃତ୍ୟ କରିବା କାଠିକର ପାଠ ଥିଲା। ନୃତ୍ୟଶିଳ୍ପୀଙ୍କ ମୁଣ୍ଡରେ ଥିବା ମାଠିଆକୁ ଏକ ପବିତ୍ର କୁମ୍ଭ ବୋଲି ବିବେଚନା କରାଯାଉଥିଲା। ନୃତ୍ୟର ମଝିରେ ମଝିରେ ଶିଳ୍ପୀମାନେ ତାଳି ମାରି ଘୁରିଘୁରି ନୃତ୍ୟ ପରିବେଷ କରୁଥିଲେ। ସେଥିପାଇଁ ସେମାନେ ପୂର୍ବରୁ ବହୁଦିନ ଧରି ଅଭ୍ୟାସ କରିବାକୁ ପଡୁଥିଲା।

ଅନେକ ସ୍ଥାନରେ ଏହି ନୃତ୍ୟ ଶୈଳୀ ଆହୁରି କଷ୍ଟଦାୟକ ମଧ୍ୟ ଥିଲା। କେତେକ ସ୍ଥାନରେ ନୃତ୍ୟଶିଳ୍ପୀମାନେ ମାଠିଆରେ କଣା କରି ତା ମଧ୍ୟରେ ଏକ ଦୀପ ଜଳାଇ ନୃତ୍ୟ ପରିବେଷଣ କରୁଥିଲେ। କେତେକ ଏକ ଟୁଲ ଉପରେ ଠିଆ ହୋଇ ମଧ୍ୟ ନୃତ୍ୟ କରୁଥିବାର ଜଣାପଡିଛି।

ଗରବା ନୃତ୍ୟ ବିଭିନ୍ନ ସମୟରେ ପରିବେଷଣ କରାଯାଉଥିଲେ ମଧ୍ୟ ନବରାତ୍ର ସମୟରେ ଯେପରି ଭାବେ ପରିବେଷଣ କରାଯାଉଛି ତାହା ସବୁଠୁ ଆକର୍ଷଣୀୟ। ଏହି ନୃତ୍ୟ ଶୈଳୀର ଗୀତଟି ସଂପୂର୍ଣ୍ଣ ଭାବେ ମାଆଙ୍କ ନଅଟି ରୂପ ଉପରେ ଆଧାରିତ ଥିବାରୁ ନବରାତ୍ର ପରଂପରା ସହିତ ଏହା କାହିଁ କେଉଁ କାଳରୁ ଜଡିତ ହୋଇ ରହିଆସିଛି।

Categories
DurgaPujaNews ଆଜିର ଖବର ଧର୍ମ ବ୍ୟକ୍ତିତ୍ୱ ରାଜ୍ୟ ଖବର

ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହିନ ମାଝୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ସହଧର୍ମିଣୀ ଡା. ପ୍ରିୟଙ୍କା ମାରାଣ୍ଡି ମଧ୍ୟ ଉପସ୍ଥିତ ଥିଲେ।

ପୂଜା ମଣ୍ଡପ ବୁଲିବା ପାଇଁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଜି ସକାଳେ ପୂଜା ମଣ୍ଡପ ଗୁଡ଼ିକ ପାଇଁ ଧାର୍ଯ୍ୟ ହୋଇଥିବା ସରକାରୀ ଦେୟ ଛାଡ଼ ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀ ପ୍ରଥମେ ପୁରୁଣା ଭୁବନେଶ୍ୱରସ୍ଥିତ ପାଟଣା ସାହି ପୂଜାମଣ୍ଡପକୁ ଯାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଏହି ମଣ୍ଡପରେ ଚଳିତ ବର୍ଷ ୭୫ତମ ଶାରଦୀୟ ଦୁର୍ଗାପୂଜାର ଆୟୋଜନ କରାଯାଇଛି।

ଏହା ପରେ ମୁଖ୍ୟମନ୍ତ୍ରୀ ସୁନ୍ଦରପଦା, ବରମୁଣ୍ଡା, ନୟାପଲ୍ଲୀ, ସହିଦନଗର, ରସୁଲଗଡ଼, ବମିଖାଲ, ଷ୍ଟେସନ୍‌ ବଜାର ଏବଂ ଲକ୍ଷ୍ମୀସାଗର (କଟକ ରୋଡ୍‌) ପୂଜାମଣ୍ଡପ ବୁଲି ଦେଖିବା ସହ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନ କରିଥିଲେ।

ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଜଗଜ୍ଜନନୀ ମା’ଦୁର୍ଗାଙ୍କ ଆଗମନରେ ଧରଣୀ ଉତ୍ସବମୁଖର ହୋଇଉଠିଛି। ଭୁବନେଶ୍ୱରର ବିଭିନ୍ନ ମଣ୍ଡପରେ ମହାସମାରୋହରେ ତଥା ଆକର୍ଷଣୀୟ ଭାବେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଛି । ଆଜି ଅଷ୍ଟମୀ ତିଥିରେ ମା’ଙ୍କ ଦର୍ଶନ କରି ମୁଁ ନିଜକୁ ଧନ୍ୟ ମନେ କରୁଛି।

ମା’ଙ୍କ ନିକଟରେ ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କ ସୁଖ, ଶାନ୍ତି, ସମୃଦ୍ଧି ସହ ରାଜ୍ୟର ବିକାଶ ପାଇଁ ପ୍ରାର୍ଥନା କରିଛି। ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମା’ଦୁର୍ଗା ସମସ୍ତଙ୍କୁ ଆର୍ଶୀବାଦ ଦିଅନ୍ତୁ ବୋଲି ସେ କହିଥିଲେ। ଏହି ଅବସରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଭୁବନେଶ୍ବରର ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଭୁବନେଶ୍ବରର ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ଆଜି ପୂର୍ବାହ୍ନରେ ନବୀନ କେତେକ ପୂଜା ମଣ୍ଡପ ବୁଲିବା ସହିତ ମା ଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି। ନବୀନ ପୂଜାମଣ୍ଡପରେ ପହଞ୍ଚିବା ପରେ ପୂଜା ସମିତ ତରଫରୁ ତାଙ୍କୁ ସ୍ବାଗତ କରାଯାଇ ମାଙ୍କ ନିକଟକୁ ପାଛୋଟି ନିଆଯାଇଥିଲା।

ପୂଜା ମଣ୍ଡପରେ ନବୀନ ପହଞ୍ଚିବା ସମୟରେ ସେଠାରେ ଥିବା ଭକ୍ତମାନେ ତାଙ୍କୁ ଦେଖି ବେଶ ଖୁସି ପ୍ରକଟ କରିଥିଲେ। ଏପରିକି କେତେକ ସ୍ଥାନରେ ତାଙ୍କ ସହିତ ସେଲଫି ନେବା ପାଇଁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା। ରାଜ୍ୟବାସୀଙ୍କ ମଙ୍ଗଳ କାମନା କରି ସେ ମାଙ୍କ ନିକଟରେ ପ୍ରାର୍ଥନା କରିଥିବାର ଜାଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ପୂଜା ମଣ୍ଡପଗୁଡିକ ପାଇଁ ଖୁସି ଖବର, ମୁଖ୍ୟମନ୍ତ୍ରୀ ଛାଡ କଲେ ରେଣ୍ଟ

ଭୁବନେଶ୍ବର: ବର୍ତ୍ତମାନ ସାରା ଓଡିଶାରେ ପୂଜାର ମାହୋଲ ଚାଲିଛି। ସମସ୍ତେ ଧୂମଧାମରେ ମା ଦୁର୍ଗାଙ୍କୁ ଆବାହନ କରିବାରେ ଲାଗିଛନ୍ତି। ଏହିପରିସ୍ଥିତିରେ ପୂଜା ମଣ୍ଡପ ପାଇଁ ଆସିଛି ଏକ ଖୁସି ଖବର। ତାହା ହେଲା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସମସ୍ତ ଦୁର୍ଗା ପୂଜା ପେଣ୍ଡାଲ ଗୁଡ଼ିକର ରେଣ୍ଟ ଛାଡ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଯେଉଁମାନେ ପୂଜା ମଣ୍ଡପ ନିର୍ମାଣ କରୁଛନ୍ତି ସେମାନେ ସରକାରଙ୍କୁ ରେଣ୍ଟ ପ୍ରଦାନ କରିଥାନ୍ତି। ହେଲେ ଚଳିତ ବର୍ଷ ଏହା ଦେବେ ନାହିଁ। ଏଥିସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାରା ଓଡିଶାବାସୀଙ୍କୁ ଶାରଦୀୟ ଦୁର୍ଗା ପୂଜା ଅବସରରେ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ନବରାତ୍ରୀର ପଞ୍ଚମ ଦିନରେ ଦେବୀ ସ୍କନ୍ଦମାତାଙ୍କୁ ପୂଜା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନବରାତ୍ରୀର ପଞ୍ଚମ ଦିନରେ ଦେବୀ ସ୍କନ୍ଦମାତାଙ୍କୁ ପୂଜା କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

“ମା ଦୁର୍ଗାଙ୍କର ପଞ୍ଚମ ସ୍ୱରୂପ ଦେବୀ ସ୍କନ୍ଦମାତାଙ୍କ ଚରଣରେ କୋଟି କୋଟି ପ୍ରଣାମ! ସୁଖ ପ୍ରଦାୟିନୀ – ମୋକ୍ଷଦାୟିନୀ ମା ଙ୍କର ଆଶୀର୍ବାଦରୁ ସମସ୍ତଙ୍କର କଲ୍ୟାଣ ହେଉ। ଏହି ଅବସରରେ ମା’ ଙ୍କର ଏକ ସ୍ତୁତି……।”

Categories
DurgaPujaNews ଆଜିର ଖବର ଜାତୀୟ ଖବର ଧର୍ମ

ନବରାତ୍ରୀରେ ଗ୍ରହଣ କରନ୍ତୁ ଏହି ଉପାୟ, ହଟିବ ନକାରାତ୍ମକ ଶକ୍ତି, ଦାମ୍ପତ୍ୟ ଜୀବନରେ ମିଳିବ ସୁଖ

ବାସ୍ତୁ ଶାସ୍ତ୍ର: ହିନ୍ଦୁ ଧର୍ମରେ ନବରାତ୍ରୀ ପର୍ବ ସ୍ୱତନ୍ତ୍ର ବିବେଚନା କରାଯାଏ। ନବରାତ୍ରୀ ପର୍ବ ସମସ୍ତ ପ୍ରକାରର ତ୍ରୁଟି ଦୂର କରିବାରେ ସକ୍ଷମ ଅଟେ। ନବରାତ୍ରିରେ ପାଳନ କରାଯାଉଥିବା ଉପବାସ ମଧ୍ୟ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସହାୟକ ହୁଏ। ନବରାତ୍ରିରେ ୯ ଟି ବିଭିନ୍ନ ପ୍ରକାରର ମା’ ଦୁର୍ଗାଙ୍କୁ ପୂଜା କରାଯାଏ। ମାତାଙ୍କର ଏହି ୯ ସ୍ୱରୂପର ବିଶେଷ ମହତ୍ତ୍ୱ ରହିଛି। ପୂଜାପାଠ ଏବଂ ନବରାତ୍ରୀ ସମୟରେ କିଛି ପଦକ୍ଷେପ ଦ୍ୱାରା ଘରର ବାସ୍ତୁ ଦୋଷ ମଧ୍ୟ ଅପସାରଣ କରାଯାଇପାରିବ। ଜାଣନ୍ତୁ ଏହା କିପରି ସମ୍ଭବ-

ନକାରାତ୍ମକ ଶକ୍ତି- ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘରେ ନକାରାତ୍ମକ ଶକ୍ତିର ଉପସ୍ଥିତି ଥିବାରୁ ଏହା ଘରର ସଦସ୍ୟଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ପ୍ରତ୍ୟେକ କାର୍ଯ୍ୟରେ ବାଧା ସହିତ ସବୁବେଳେ ଅର୍ଥର ଅଭାବ ରହିଥାଏ। ଏହା ସହିତ ବିବାହିତ ଜୀବନରେ ଟେନସନ, କଳଙ୍କ ପରିସ୍ଥିତି ମଧ୍ୟ ଦୃଶ୍ୟମାନ ହୁଏ। ଘରର ସଦସ୍ୟମାନଙ୍କର ଅଗ୍ରଗତି ବନ୍ଦ ହୋଇଯାଏ। ମତଭେଦ ଜାରି ରୁହେ। ରୋଗ ଇତ୍ୟାଦି ଆପଣଙ୍କୁ ଘେରି ରହିଥାଏ। ତେଣୁ, ଘରର ନକାରାତ୍ମକ ଶକ୍ତିକୁ ହଟାଇବା ଅତ୍ୟନ୍ତ ଆବଶ୍ୟକ ହୋଇଯାଏ। ଦେବୀ ଦୁର୍ଗାଙ୍କୁ ପୂଜା କରିବା ଏବଂ ନବରାତ୍ରିରେ ଦୈନିକ ଯଜ୍ଞ କରିବା ଘରର ନକାରାତ୍ମକତାକୁ ନଷ୍ଟ କରିଦିଏ। ବିବାହିତ ଜୀବନରେ ମଧୁରତା ମଧ୍ୟ ରହିଥାଏ।

ଗଙ୍ଗା ଜଳ- ନବରାତ୍ରିରେ ଦେବୀ ଦୁର୍ଗାଙ୍କୁ ପୂଜା କରିବା ପୂର୍ବରୁ ଏକ ପାତ୍ରରେ ପାଣି ଏବଂ କିଛି ବୁନ୍ଦା ଗଙ୍ଗା ଜଳ ମିଶାଇ ଏହାକୁ ରଖନ୍ତୁ। ପୂଜା ସମାପ୍ତ ହେବା ପରେ ଘରର ପ୍ରତ୍ୟେକ କୋଣରେ ଆମ୍ବ ପତ୍ର ସହିତ ସେହି ପାଣି ଛିଞ୍ଚନ୍ତୁ। ଏହା କରିବା ଦ୍ୱାରା ଘରର ସକାରାତ୍ମକତା ମଧ୍ୟ ବଢିଥାଏ। ଏହି ପ୍ରତିକାର ନବରାତ୍ରୀରେ ଗ୍ରହଣ କରାଯିବା ଜରୁରୀ।

ଏକ ଘିଅ ଦୀପ ଜାଳନ୍ତୁ- ନବରାତ୍ରିରେ ସକାଳେ ଏବଂ ସନ୍ଧ୍ୟାରେ ମା’ ଦୁର୍ଗାଙ୍କୁ ପୂଜା କରିବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ସନ୍ଧ୍ୟାରେ ଘରର ମୁଖ୍ୟ ଦ୍ୱାରରେ ଘିର ଦୀପ ଜାଳିଲେ ମାତା ଲକ୍ଷ୍ମୀ ଖୁସି ହୋଇ ତାଙ୍କ ଭକ୍ତମାନଙ୍କୁ ଆଶୀର୍ବାଦ କରନ୍ତି। ଏହା କଲେ ଅର୍ଥର ଅଭାବ ଦୂର ହୁଏ। ଋଣ ଇତ୍ୟାଦି ସମସ୍ୟା ମଧ୍ୟ ଦୂର ହୋଇଯାଏ।

Categories
ଆଜିର ଖବର ଜାତୀୟ ଖବର

ନବରାତ୍ରୀର ତୃତୀୟ ଦିନରେ ଦେବୀ ଚନ୍ଦ୍ରଘଣ୍ଟାଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନବରାତ୍ରୀର ତୃତୀୟ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେବୀ ଚନ୍ଦ୍ରଘଣ୍ଟାଙ୍କୁ ପ୍ରାର୍ଥନା କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ନବରାତ୍ରୀରେ ଆଜି ମା’ ଚନ୍ଦ୍ରଘଣ୍ଟାଙ୍କ ଚରଣରେ କୋଟି କୋଟି ବନ୍ଦନ। ଦେବୀ ମା’ ତାଙ୍କର ସମସ୍ତ ଭକ୍ତଙ୍କୁ ଯଶସ୍ୱୀ ଜୀବନର ଆଶୀର୍ବାଦ ପ୍ରଦାନ କରନ୍ତୁ। ଆପଣ ସମସ୍ତଙ୍କ ପାଇଁ ତାଙ୍କର ଏହି ସ୍ତୁତି…।”

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପାର୍ବଣ ସମୟରେ ଯାତ୍ରୀ ଭିଡକୁ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଅଧିକ ବିଶେଷ ଟ୍ରେନ

ଭୁବନେଶ୍ୱର: ପାର୍ବଣ ସମୟରେ ଟ୍ରେନ ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଦ୍ୱାରା ଦେଶର ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯାତାୟାତ ପାଇଁ ପୂଜା ସ୍ପେଶାଲ ଟ୍ରେନ୍ ଚଳାଚଳର ଯୋଜନା କରାଯାଇଛି, ଯାହା ନଭେମ୍ବର 2024 ର ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ। ଏହି ପଦକ୍ଷେପରେ ପୂର୍ବତଟ ରେଳପଥ ଯାତ୍ରୀମାନଙ୍କ ସୁବିଧାଜନକ ଯାତ୍ରା ବିକଳ୍ପ ସୁନିଶ୍ଚିତ କରିବା ଲକ୍ଷ୍ୟରେ ପୂଜା ଛୁଟି ସମୟରେ 5 ଲକ୍ଷ 32 ହଜାରରୁ ଅଧିକ ଅତିରିକ୍ତ ଯାତ୍ରୀ ପରିବହନ ପାଇଁ ଲକ୍ଷ୍ୟ ରଖିଛି।

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରୁ ଦେଶର ବିଭିନ୍ନ ପ୍ରଣତାକୁ ପ୍ରାୟ 27 ଯୋଡି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାର ଯୋଜନା କରିଛି। ଏହା ବ୍ୟତୀତ, ଅତିରିକ୍ତ ଭାବରେ ଆହୁରି ୧୪ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଦେଶର ବିଭିନ୍ନ ପ୍ରଣତାକୁ ମଧ୍ୟ ଚଳାଚଳ କରି ଯାତ୍ରୀ ଭିଡ଼ ସମୟରେ ରେଳ ସଂଯୋଗକୁ ବୃଦ୍ଧି କରୁଅଛି ଯାହାକି ଏହି ଉଚ୍ଚ ଯାତ୍ରୀ ଚାହିଦା ନିୟମିତ ଟ୍ରେନ୍ ସେବା ଉପରେ ଭାର ହ୍ରାସ କରିବ। ମୋଟାମୋଟି ଭାବେ, 1134 ଟ୍ରିପ ସ୍ୱତନ୍ତ୍ର ଟ୍ରେନ ପୂଜା ଉତ୍ସବ ସମୟରେ ଚଳାଚଳ କରିବ।

ଜାତୀୟ ଟ୍ରେନ୍ ଇନକ୍ୱାରୀ ସିଷ୍ଟମ୍ (NTES), ପୂର୍ବତଟ ରେଳପଥ (ଇଷ୍ଟକୋଷ୍ଟ ରେଲୱେ) ସୋସିଆଲ୍ ମିଡିଆ ପ୍ଲାଟଫର୍ମ, ରେଳ ଷ୍ଟେସନରେ ଥିବା PRS କାଉଣ୍ଟର (ଅନୁସନ୍ଧାନ କେନ୍ଦ୍ର) ଭଳି ବିଭିନ୍ନ ମାଧ୍ୟମରେ ଏହି ସ୍ୱତନ୍ତ୍ର ଟ୍ରେନର କାର୍ଯ୍ୟସୂଚୀ ଏବଂ ଉପଲବ୍ଧତା ସମ୍ବନ୍ଧରେ ଅବଗତ ହେବାପାଇଁ ରେଳ ଯାତ୍ରୀମାନଙ୍କୁ କୁହାଯାଇଅଛି ଯାହାକି ଏକ ସୁଗମ ଏବଂ ଅସୁବିଧାମୁକ୍ତ ଭ୍ରମଣ ଅଭିଜ୍ଞତା ସୁନିଶ୍ଚିତ କରିବାକୁ ଏହି ମାଧ୍ୟମ ଗୁଡିକ ସଠିକ ସୂଚନା ପ୍ରଦାନ କରିବ।

ପୂର୍ବତଟ ରେଳପଥ ଏହାର ଯାତ୍ରୀମାନଙ୍କ ପାଇଁ ସୁବିଧାଜନକ ତଥା ଦକ୍ଷ ସେବା ଯୋଗାଇବା ପାଇଁ ପ୍ରତିବଦ୍ଧ ରହିଥାଏ, ବିଶେଷ ଭାବେ ପୂଜା ଋତୁରେ ଯେତେବେଳେ ଯାତ୍ରା ଚାହିଦା ମାତ୍ରାଧିକ ଥାଏ।

ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରରୁ ଧାନବାଦ୍ (ଝାଡ଼ଖଣ୍ଡ) ଏବଂ ଯଶୋବନ୍ତପୁର (ବାଙ୍ଗାଲୋର) ଅଭିମୁଖେ; ପୁରୀରୁ ପାଟନା (ବିହାର), ନିଜାମୁଦ୍ଦିନ (ଦିଲ୍ଲୀ), ଉଧନା (ସୁରଟ-ଗୁଜୁରାଟ), ଗ୍ୱାଲିୟର (ମଧ୍ୟ ପ୍ରଦେଶ), କୋଲକାତା, ସାନ୍ତ୍ରାଗାଛି, ଶାଲିମାର (ପଶ୍ଚିମ ବଙ୍ଗ) ଏବଂ ଭଞ୍ଜପୁର (ବାରିପଦା) ଅଭିମୁଖେ; ସମ୍ବଲପୁରରୁ ଏରୋଡ (କେରଳ) ଅଭିମୁଖେ; ବିଶାଖାପାଟନମ୍ ଠାରୁ ସିକନ୍ଦରାବାଦ, ବେଙ୍ଗାଲୁରୁ, ତିରୁପତି, ଚେନ୍ନାଇ, କୋଲାମ (କେରଳ), ଶାଲିମାର ଏବଂ ଆରାକୁ ଅଭିମୁଖେ ଚଳାଚଳ କରିବାକୁ ଥିବାବେଳେ ବ୍ରହ୍ମପୁର ରୁ ନାନ୍ଦେଡ (ମହାରାଷ୍ଟ୍ର), ସିକନ୍ଦରାବାଦ, ସୁରଟ(ଗୁଜୁରାଟ); ଶ୍ରୀକାକୁଲମ୍ ଠାରୁ ସିକନ୍ଦରାବାଦ ଏବଂ ତିରୁପତି ଅଭିମୁଖେ ଏବଂ କଟକରୁ ହାଇଦ୍ରାବାଦ ଅଭିମୁଖେ ଚଳାଚଳ କରୁଛି।

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରୁ ଦେଶର ବିଭିନ୍ନ ପ୍ରାନ୍ତକୁ ଚଳାଚଳ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ହେଉଛି …

* ଭୁବନେଶ୍ୱରରୁ ଧାନବାଦ୍ (ଝାଡ଼ଖଣ୍ଡ) ଏବଂ ଯଶୋବନ୍ତପୁର (ବାଙ୍ଗାଲୋର),

* ପୁରୀରୁ ପାଟନା (ବିହାର), ନିଜାମୁଦ୍ଦିନ (ଦିଲ୍ଲୀ), ଉଧନା (ସୁରଟ-ଗୁଜୁରାଟ), ଗ୍ୱାଲିଅର (ମଧ୍ୟ ପ୍ରଦେଶ), କୋଲକାତା, ସାନ୍ତ୍ରାଗାଛି, ଶାଲିମାର (ପଶ୍ଚିମ ବଙ୍ଗ) ଏବଂ ଭଞ୍ଜପୁର (ବାରିପଦା),

* ସମ୍ବଲପୁରରୁ ଏରୋଡ (କେରଳ),

* ବିଶାଖାପାଟନମ୍ ଠାରୁ ସିକନ୍ଦରାବାଦ, ବେଙ୍ଗାଲୁରୁ, ତିରୁପତି, ଚେନ୍ନାଇ, କୋଲାମ (କେରଳ), ଶାଲିମାର ଏବଂ ଆରାକୁ,

* ବ୍ରହ୍ମପୁର ରୁ ନାନ୍ଦେଡ (ମହାରାଷ୍ଟ୍ର), ସିକନ୍ଦରାବାଦ, ସୁରଟ(ଗୁଜୁରାଟ),

* ଶ୍ରୀକୁକୁଲମ୍ ରୁ ସିକନ୍ଦରାବାଦ ଏବଂ ତିରୁପତି,

* କଟକରୁ ହାଇଦ୍ରାବାଦ।

ଦୁର୍ଗା ପୂଜା, ଦୀପାବଳୀ ଏବଂ ଛଟ ପୂଜା ସମୟରେ ଲୋକପ୍ରିୟ ଗନ୍ତବ୍ୟସ୍ଥଳକୁ ଯାତାୟାତ କରିବାକୁ ଥିବା ଯାତ୍ରୀମାନଙ୍କୁ ଏହି ସ୍ୱତନ୍ତ୍ର ଟ୍ରେନ୍ ଅତିରିକ୍ତ ସୁବିଧା ଯୋଗାଇବ ଯାହାକି ସମସ୍ତେ ସୁବିଧାରେ ଏବଂ ନିରାପଦରେ ଠିକ୍ ସମୟରେ ନିଜ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ।

Categories
ଆଜିର ଖବର ଜାତୀୟ ଖବର

ନବରାତ୍ରୀର ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନବରାତ୍ରୀର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମା’ ବ୍ରହ୍ମଚାରିଣୀଙ୍କୁ ପ୍ରାର୍ଥନା କରିଛନ୍ତି ଏବଂ ସମଗ୍ର ଦେଶକୁ ଅଶେଷ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରତ୍ୟେକ ଭକ୍ତଙ୍କୁ ସବୁ ଆହ୍ୱାନର ସମ୍ମୁଖୀନ ହେବାକୁ ଶକ୍ତି ଦେବାକୁ ଦେବୀଙ୍କ ନିକଟରେ ଶ୍ରୀ ମୋଦୀ ପ୍ରାର୍ଥନା କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ନବରାତ୍ରୀର ଦ୍ୱିତୀୟ ଦିନରେ ସମସ୍ତ ଦେଶବାସୀଙ୍କ ପକ୍ଷରୁ ମା’ ବ୍ରହ୍ମଚାରିଣୀଙ୍କୁ ମୋର ବିଶେଷ ନମନ। ମା’ଙ୍କ ନିକଟରେ ପ୍ରାର୍ଥନା ଯେ ତାଙ୍କର ଭକ୍ତମାନଙ୍କୁ ପ୍ରତ୍ୟେକ ଆହ୍ୱାନର ସମ୍ମୁଖୀନ ହେବାକୁ ଶକ୍ତି ପ୍ରଦାନ କରନ୍ତୁ।”

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକର ଦୁର୍ଗାପୂଜାରେ ସ୍ଵତନ୍ତ୍ର କାର୍ଯକ୍ରମ, “ଦୁର୍ଗା ଦୁର୍ଗତି ନାଶିନୀ”

ଭୁବନେଶ୍ଵର: ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିଆଗରେ ରଖି ଭେଟିଦିଏ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ। ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଥିବା ଜୀ ସାର୍ଥକ ସବୁବେଳେ ନିଚ୍ଛକ କାହାଣୀ ସହିତ ଲୋକଙ୍କର ଦୈନନ୍ଦୀନ ଜୀବନ ସହିତ କାହାଣୀକୁ ସଂଯୋଗ କରିଥାଏ। ଦର୍ଶକଙ୍କ ପାଖରୁ ମିଳୁଥିବା ଅଗଣିତ ଭଲପାଇବା ଫଳରେ ଜୀ ସାର୍ଥକ ଦର୍ଶକଙ୍କ ଭଲ ପାଇବାକୁ ଧ୍ୟାନରେ ରଖି ମନଛୁଆଁ ଧାରାବାହିକରେ କିଛି ନୂତନତ୍ତ୍ବ ଆଣିବାକୁ ନିଜର ପ୍ରୟାସ ଜାରି ରଖୁଥାଏ। କିଛି ସେମିତି ଦେଖାଯିବ ମନପସନ୍ଦର ବିଶେଷ କାର୍ଯକ୍ରମ ‘ଦୁର୍ଗା ଦୁର୍ଗତି ନାଶିନୀ’ ରେ ହେବ ଅନ୍ୟାୟ ସହିତ ସଂଗ୍ରାମ ଏହି ରବିବାର ସନ୍ଧ୍ୟା ୬.୩୦ ମିନିଟରେ।

ପବିତ୍ର ଦଶହରା ଅବସରରେ ଘଟିଛି ଏମିତି ଏକ ଘଟଣା ଯେଉଁଥିରେ ନଜର ଆସିବେ ମାନିନୀ, ମଧୁ, ରେଖା, ସନ୍ଧ୍ୟା, ରାଗିଣୀ ,ଲକ୍ଷ୍ମୀ ଓ ପ୍ରିୟା। ସମସ୍ତଙ୍କର ନିଜସ୍ବ ସଂଘର୍ଷ ରହିଛି କିନ୍ତୁ ସେ ସମୟକୁ ଅତିକ୍ରମ କରି ସେମାନେ ହୋଇଛନ୍ତି ଏକ୍ ଓ ସୃଷ୍ଟି ହୋଇଛି ଏକ ଅତୁଟ ବନ୍ଧନ। ଯାହା ଦଶଭୂଜା ମାଁ ଦୁର୍ଗାଙ୍କ ଭାବନାର ପ୍ରତିଛବି। ନାରୀ ଅବଳା ନୁହେଁ କି ଦୁର୍ବଳା ଆବଶ୍ୟକ ପଡିଲେ ସେ ଭୈରବୀ ରୂପ ମଧ୍ୟ ନେଇପାରେ ଓ ସମାଜକୁ ରକ୍ଷା କରିପାରେ। ସମସ୍ତେ ମିଶି ଅମରଜିତ ସିଂ ନାମକ ଚକ୍ରାନ୍ତକାରୀ ବ୍ୟକ୍ତିର ଦୁଷ୍ଟ ମାନସିକତା ଓ ମାନବ ଚାଲାଣକୁ ଜାଣି ପାରି କରିଛନ୍ତି ଏହି ଚାଲାଣର ପର୍ଦ୍ଦାଫାସ।

ତାଙ୍କର ଏହି ଯାତ୍ରା ଅନେକ ରହସ୍ୟ ଓ ଅଲୌକିକ ତତ୍ତ୍ବରେ ଭରି ରହିଛି। ନ୍ୟାୟ ପାଇଁ ସମସ୍ତେ ବ୍ୟକ୍ତିଗତ ସ୍ତରରେ ପାଲଟିଛନ୍ତି ଜଣେ ଜଣେ ଯୋଦ୍ଧା। ସେ କେବଳ ଅମରଜିତ ସାମନା କରିନାହାନ୍ତି ତା ସହିତ ସମାଜରେ ଘଟୁଥିବା ଅମାନବିକ ଘଟଣାର ମଧ୍ୟ ସାମନା କରିଛନ୍ତି। ଅମରଜିତ ସାମନା କରି ଶାରିରୀକ ଓ ମାନସିକ ସ୍ତରରେ ତାଙ୍କ ବିଜୟ ହୋଇଛି ଓ ସମାଜରେ ସନ୍ତୁଳନ ବଜାୟ ରହିଛି। ଏହି କାହାଣୀ ମାନବ ଚାଲାଣ , ଶକ୍ତିର ଦୁର୍ବ୍ୟବହାର ଓ ନାରୀର ଶକ୍ତିକୁ ସମ୍ବନ୍ଧିତ କରେ।

ଦେଖିବାକୁ ଭୁଲିବେନି ୩ ଘଂଟାର ବିଶେଷ କାର୍ଯ୍ୟକ୍ରମ ‘ଦୁର୍ଗା ଦୁର୍ଗତି ନାଶିନୀ’। ଏହି କାହାଣୀକୁ ଦେଖିବା ସହିତ ନିଜକୁ କାହାଣୀ ସହିତ ଯୋଡି ହେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍। ଏହି ରବିବାର ସନ୍ଧ୍ୟା ୬.୩୦ ମିନିଟରେ କେବଳ ଜୀ ସାର୍ଥକରେ।