Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ପୂଜା ଆସିଲା, ମା’ଙ୍କୁ ସ୍ବାଗତ କରିବା ପାଇଁ ସଜେଇ ହେଲା କାଶତଣ୍ଡୀ

ଭୁବନେଶ୍ବର: ଦୁର୍ଗା ପୂଜା ଆଉ କାଶତଣ୍ଡୀ ଫୁଲର ସଂପର୍କ କାହିଁ କେଉଁ ଆବାହମାନ କାଳରୁ ରହି ଆସିଛି। କାରଣ ଏହି ଧରାପୃଷ୍ଟକୁ ଯେତେବେଳେ କାଶତଣ୍ଡୀ ଫୁଲ ଆସିଯାଏ, ସେତେବେଳେ ପ୍ରତୀୟମାନ ହୁଏ ଯେ, ମା ଦୁର୍ଗା ଆସିବେ। କାରଣ ମା’ ଙ୍କୁ ଏହି ଧରାପୃଷ୍ଠରେ ସ୍ବାଗତ କରିବା ପାଇଁ କାଶତଣ୍ଡୀ ଆଗୁଆ ଆସି ସଜେଇ ହୁଏ।

ବର୍ଷକୁ ଥରେ ଦେଖାଯାଉଥିବା ଏହି କାଶତଣ୍ଡୀ ବର୍ତ୍ତମାନ ଓଡିଶାର ପୁରପଲ୍ଲୀରେ ଦେଖିବାକୁ ମିଳୁଛି। ଆଉ କିଛି ଦିନ ପରେ ଏହା ପୁଣି କୁଆଡେ ହଜିଯିବ। ମାଙ୍କ ବିଦାୟ ପରେ ସେ ମଧ୍ୟ ଧରାପୃଷ୍ଟରୁ ବିଦାୟ ନେବ। ତେଣୁ ଏହି କାଶତଣ୍ଡୀକୁ ନେଇ ବହୁ ବର୍ଗର ଲୋକେ ବହୁ କଥା ବା କବିତା ରଚନା କରିଛନ୍ତି। ଏପରିକି ଏହି କାଶତଣ୍ଡୀକୁ ନେଇ ମଧ୍ୟ ପୁରାଣ ପୋଥୀରେ ବହୁ ବର୍ଣ୍ଣନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମା’ଭଗବତୀ ମନ୍ଦିର ପୁରୋହିତଙ୍କୁ ବରଣ କରି ଗୁଆପଇତା ଦେଲେ ରାଜା, ଅଷ୍ଟମୀରୁ ଶାରଦୀୟ ପର୍ବ ଆରମ୍ଭ

ବାଣପୁର (ସୀତାରାମ ଅଗ୍ରୱାଲ): ଉତ୍କଳର ପ୍ରାଚୀନ ଶକ୍ତିପୀଠମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ବାଣପୁରର ମା’ଭଗବତୀଙ୍କ ପୀଠ ଅନ୍ୟତମ। ଏହି ପୀଠରେ ପାଳିତ ବାରମାସର ତେର ପର୍ବ ମଧ୍ୟରୁ ଶାରଦୀୟ ପୂଜୋତ୍ସବ ଅନନ୍ୟ ଶ୍ରେଷ୍ଠପର୍ବ। ସର୍ବତ୍ର ଶାରଦୀୟ ପର୍ବ ଆଶ୍ୱିନ କୃଷ୍ଣ ଅଷ୍ଟମୀଠାରୁ ଦଶହରା ପର୍ଯ୍ୟନ୍ତ ପାଳିତ ହେଉଥିବାବେଳେ ଏଠାରେ ଭାଦ୍ରବ ଶୁକ୍ଳ ଷଷ୍ଠୀ ଠାରୁ ଆରମ୍ଭ ହୋଇ ଆଶ୍ୱିନ କୁମାର ପୂର୍ଣ୍ଣିମାରେ ଉଦ୍‌ଯାପିତ ହେବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି।

ଭାଦ୍ରବ ଶୁକ୍ଳ ଅଷ୍ଟମୀ ଠାରୁ ଦେବୀ ଶୟନରେ ରହନ୍ତି। ଏହି ସମୟରେ ମାଙ୍କ ମନ୍ଦିରରେ ଧୂପ ଆଳତିରେ ଘଣ୍ଟ କାହାଳୀ , ବାଦ୍ୟ ବାଜିବା ବନ୍ଦ ଥାଏ। ଆଶ୍ୱିନ କୃଷ୍ଣ ଅଷ୍ଟମୀ ବା ମୂଳାଷ୍ଟମୀରେ ସହସ୍ର କୁମ୍ଭବରଣ ପରେ ସ୍ତୋତ୍ରୀୟ ଶାକ୍ତ ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ସହିତ ଘଣ୍ଟ କାହାଳୀ ବାଦ୍ୟ ବାଦନ ପରେଦେବୀ ଶୟନରୁ ଉଠନ୍ତିା ମଙ୍ଗଳକୁମ୍ଭ ଦୀପସ୍ଥାପନ କରାଯାଇ ଦେବୀଙ୍କୁ ସ୍ନାନ ମଣ୍ଡପରେ ୧୦୮ କଳସ ଅଭିଷିକ୍ତ ସୁବାଷିତ ଜଳରେ ସ୍ନାନ କରାଯାଇ ରାଜାଙ୍କ ପ୍ରଦତ୍ତ ନୂତନ ପାଟବସ୍ତ୍ର ‘ପୁଷ୍ପଚ଼ନ୍ଦନ ସିନ୍ଦୁର ପରିଧାନ କରିବା ପରେ ଆଳତି ବନ୍ଦାପନା ହୋଇ ଶାରଦୀୟ ପର୍ବଗୃହକୁ ବିଜେ ପାଇଁ ସମସ୍ତ ପ୍ରକାର ବିଧିବ୍ୟବସ୍ଥା ଗ୍ରହଣ କରାଯାଏ।

ପାରମ୍ପରିକ କ୍ରମେ ସପ୍ତମୀରେ ପ୍ରାଚୀନବଙ୍କାଡ଼ଗଡ଼ ଅଧୁନା ପାରିକୁଦ ଗଡ଼ର ରାଜା ସନ୍ତୋଷ ଚନ୍ଦ୍ର ମାନସିଂମର୍ଦ୍ଦରାଜ ହରିଚନ୍ଦ୍ର ଆଜିମା’ଭଗବତୀଙ୍କ ମନ୍ଦିର ପୁରୋହିତ, ପୂଜକ ସାମନ୍ତ ଙ୍କୁ ବରଣ କରି ଗୁଆପଇତା ପାଟମଠା ପ୍ରଦାନ କରି ମା’ଙ୍କ ପରିଧାନ ନିମନ୍ତେ ଅଙ୍ଗବସ୍ତ୍ର ସହିତ ଚୁଡ଼ିସିନ୍ଦୁର ଅଳତା ପୁଷ୍ପମାଳ ପ୍ରଦାନ କରି ପର୍ବର ସର୍ବମଙ୍ଗଳ କାମନା କରିଥିଲେ। ଅଷ୍ଟମୀ ଦିନ ଦେବୀ ଉତ୍ଥାପନ ନୀତିକାନ୍ତି ପରେମା’ କନକଦୁର୍ଗାପ୍ରଥମେ ଏହାକୁ ପରିଧାନ କରି ସର୍ବସାଧାରଣଙ୍କୁ ଦର୍ଶନ ଦେବେ। ପରେ ସଂଧ୍ୟାରୁ ମା’ଦେବୀ ଭଗବତୀଙ୍କ ଚଳନ୍ତି ପ୍ରତିମା ସ୍ତମ୍ଵେଶ୍ଵରୀ କାଠି ଠାକୁରାଣିଙ୍କ ଦେବୀ ନୃତ୍ୟ ଆରମ୍ଭ ହୋଇ ମା’ପିତ୍ରାଳୟଦକ୍ଷେଶ୍ଵର ମନ୍ଦିରରୁ ଭିତର ପର୍ବଗୃହକୁ ବିଜେ କରିବାପରେ ଅମାବାସ୍ୟା ପର୍ଯ୍ୟନ୍ତ ଭିତର ପର୍ବ ଆରମ୍ଭ ହେବ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଚିଲିକାରେ ପାଣି ତୋଳା ଯାତ୍ରା ସାରି ବାହୁଡ଼ିଲେ ମା’ ଭଗବତୀ, ଦୁର୍ଗା ଅଷ୍ଟମୀରୁ ମା’ଙ୍କ ଶୟନ ଆରମ୍ଭ

ବାଣପୁର (ସୀତାରାମ ଅଗ୍ରୱାଲ): ଭାରତ ସହିତ ଅନ୍ୟାନ୍ୟ ଦେଶରେ ଥିବା ୧୦୮ ଶକ୍ତିପୀଠ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ବାଣପୁରର ମା’ଭଗବତୀଙ୍କ ଶକ୍ତି ପୀଠ ପ୍ରାଚୀନ ପରମ୍ପରା ବହନ କରୁଥିବା ଏକ ପ୍ରଖ୍ୟାତ ପୀଠ। ଏହି ପୀଠର ମହାତ୍ମ୍ୟ, ପର୍ବପର୍ବାଣୀ, ଜାନିଯାତ୍ରା, ନୀତିକାନ୍ତି ଅନ୍ୟାନ୍ୟ ପୀଠମାନଙ୍କ ଠାରୁ ସଂପୂର୍ଣ୍ଣ ନିଆରା।

ସବୁ ଜାନିଯାତ୍ରା, ପର୍ବ ପର୍ବାଣୀର ଦେବୀଙ୍କର ମାନବୀୟ ଲୀଳାର ପରିପ୍ରକାଶ ଦେଖିବାକୁ ମିଳେ। ଯେମିତିକା ଭାଦ୍ରବ ଶୁକ୍ଳ ସପ୍ତମୀରେ ମା’ଙ୍କ ପାଣି ତୋଳା ଯାତ୍ରା ସହିତ ଚିଲିକାରେ ନୌବିହାର ଏବଂ ଭଉଣୀ କାଳିଜା ଙ୍କୁ ଚଳିତ ଶାରଦୀୟ ପର୍ବକୁ ଆମନ୍ତ୍ରଣ ତାର ନିଛକ ବିଶ୍ୱାସ।

ମା’ଙ୍କ ଚାରିଦିଗରେ ଚାରିଭଉଣୀ ଯଥା ପୂର୍ବରେ କାଳିଜାଇ, ପଶ୍ଚିମରେ ବିରିଜାଇ, ଦକ୍ଷିଣରେ ନାରାୟଣୀ ଓ ଉତ୍ତରରେ ଶିଦ୍ଦେଶ୍ଵରୀ ରହି ମା’ଙ୍କ ପୀଠର ସୁରକ୍ଷା କାରିଣୀ ଭାବରେ ପୂଜା ପାଇ ଆସୁଥିବାରୁ ମା’ଭଗବତୀ ଶାରଦୀୟ ପର୍ବକୁ ସମସ୍ତଙ୍କୁ ନିମନ୍ତ୍ରଣ କରି ଆଜ୍ଞାମାଳ ଆଣିବାର ବିଶ୍ଵାଶନୀୟ ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି।

ବର୍ଷର ବିଭିନ୍ନ ମାସରେ ବିଭିନ୍ନ ଦିଗକୁ ଯାତ୍ରା କରି ଭଉଣୀମାନଙ୍କ ସହିତ ଆଧାତ୍ମିକ ସଂପର୍କ ସ୍ଥାପନ ସହିତ ସେମାନଙ୍କ ସହିତ ପର୍ବପର୍ବାଣୀ ଜାନିଯାତ୍ରାରେ ଏକାଠି ହେବା ଏକ ମାନବୀୟ ଲୀଳାର ଏକ ଅନନ୍ୟ ପରମ୍ପରା। ଲଳିତା ସପ୍ତମୀର ଗୋଧୂଳୀ ଲଗ୍ନରେ ମା’ଙ୍କ ଚଳନ୍ତି ପ୍ରତିମା ସ୍ତମ୍ଵେଶ୍ଵରୀ କାଠି ଠାକୁରାଣୀ ନିଜର ସମସ୍ଥ ସେବାୟତଙ୍କ ସହିତ ଘଣ୍ଟ ଛତା କାହାଳୀ ଢ଼ୋଲ ବାଦନରେ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରରୁ ବାହାରି ବିରାଟ ଥାଟପଟୁଆର ବାଜା ରୋଷଣୀରେ ଜଗନ୍ନାଥପୁର, ବିଷର ପାଟଣା, ଅନ୍ତର କିଆରୀ, ଅଲାଇଡ଼ିହ, ଗୋପୀନାଥପୁର, ବାଲୁଗାଁ ପାଟଣା ସାହି, ଗୁଣ୍ଡୁରୁପୁର, ସାମନ୍ତରାପୁର ଦେଇ ଚିଲିକା କୂଳରେ ପହଞ୍ଚିବା ପରେ ପୂର୍ବରୁ ପ୍ରସ୍ତୁତ ସୁସଜ୍ଜିତ ନୌକାରେ ମଶାଲତି, ଘଣ୍ଟୁଆ, କାହାଳିଆ, ପାଳିଆ ମାଳି ଓ ପୂଜକ ସାଆନ୍ତ ସହିତ ନିଯୋଗୀ ସେବାୟତଙ୍କୁ ନେଇ ରାତ୍ରିର ଘନ ଅନ୍ଧକାର ଭିତରେ ଚିଲିକାରେ ନୌବିହାର କରିଥିଲେ।

ତେଣେ ଚିଲିକାର ଆରାଧ୍ୟା ମା’ କାଳିଜାଇଙ୍କ ପୀଠରେ ପାରିକୁଦ ରାଜା ସନ୍ତୋଷ ଚନ୍ଦ୍ର ମାନସିଂ ହରିଶ୍ଚନ୍ଦ୍ର ଓ ସେବାୟତମାନେ ମା’ଙ୍କୁ ଆଳତି ବନ୍ଦାପନା କରି ମା’ଙ୍କ ଆଜ୍ଞାମାଳକୁ ଗୋଟିଏ ସୁସଜ୍ଜିତ ଆଟିକାରେ ରଖି ଦୀପ ଲଗାଇ ଚିଲିକା ଜଳରେ ଭସାଇ ଦେଇଥିଲେ। ଚିଲିକା ଢେଉରେ ଆଜ୍ଞାମାଳ ସହ ଆଟିକାଟି ଭାସିଭାସି ଆସୁଥିବାବେଳେ ମା’ଭଗବତୀଙ୍କ ନୌକାର ମଙ୍ଗରେ ପୂଜକ ସାଆନ୍ତ ମଙ୍ଗଳ କଳଶ ଦୀପ ଧୂପ ନୈବେଦ୍ୟ ସ୍ଥାପନ କରି ମା’ କାଳିଜାଇଙ୍କୁ ଆରତି ବନ୍ଦାପନା ସହିତମା’ଙ୍କ ଜୟଧ୍ଵନୀ କରି ଘନ ଅନ୍ଧକାର ଭିତରେ ଚିଲିକା ପାଣିରୁ ବିଶ୍ୱାସର ସହିତ ଆଜ୍ଞାମାଳ ତୋଳି ଧରି କଳା ଶାଢ଼ିରେ ବାନ୍ଧି କୂଳକୁ ଫେରିଥିଲେ।

ଆଜ୍ଞାମାଳକୁ ପାଣିରୁ ତୋଳି ଧରିବା ବା ଉଠାଇ ଆଣିବାର ପରମ୍ପରାକୁ “ପାଣି ତୋଳା”ଯାତ୍ରା ବୋଲି ବିଶ୍ୱାସ କରାଯାଏ। ତତ୍ ପରେ ଦୁଇ ଭଉଣୀ ବାଟରେ ସାମନ୍ତରାପୁରର ବିଭୂତି ସାମନ୍ତରା ଓ ଗ୍ରାମବାସୀଙ୍କ ତରଫରୁ ପ୍ରସ୍ତୁତ ଖେଚଡ଼ି, ମାଛ ପୋଡ଼ା, କାକରା, ଅଟକାଳି ଭୋଗଲାଗି ହୋଇ ବାଟରେ ଦଧିବାମନ ମନ୍ଦିର, ଗୁଣ୍ଡରୁପୁର, ପାଟଣା ସାହି ମଠ, ଏବଂ ଶେଷରେ ଅନ୍ତର କିଆରୀ ଗ୍ରାମବାସୀଙ୍କ ଦ୍ଵାରା ପ୍ରସ୍ତୁତ ଚିତା କର୍ଷକ ସମୁହ ପନ୍ତିଭୋଗ ସେବନ କରିବାପରେ ବାଟରେ ଜଗନ୍ନାଥପୁରର ଶ୍ରଦ୍ଧାଳୁ ଓ ବାପଘର ପରିଚ୍ଛାଙ୍କ ଘରମାନଙ୍କରେ ଭୋଗ ସେବନ ସହିତ ମନ୍ଦିରକୁ ବାହୁଡା ବିଜେ କରି ଶୟନ ଅଷ୍ଟମୀରେ ଶୟନ ବିଧିପାଇଁ ମା’ଙ୍କ ଖଟ ଶେଜ ପଲଙ୍କ ସଜ କରାଯାଇଥିଲା।

ପରେ ପୂଜକ ସାଆନ୍ତ ଓ ପାଳିଆ ମାଳି, କାଠି ନାହାକ କାଠି ଠାକୁରାଣିଙ୍କ ଠାରୁ ପାଟ୍ଟଶାଢି ସଂପୂର୍ଣ୍ଣ ଓ ଲାଗି କରି ଶୟନ ବିଧି କରି ମନ୍ଦିର ପ୍ରତିମା କନକ ଦୁର୍ଗାଙ୍କୁ ପଲଙ୍କ ଉପରେ ଶୟନ କରାଇଥିଲେ। ଜଗତ ଜନନୀ ମା’ଭଗବତୀ ସର୍ବଶେଷରେ ଶୟନ କରିଥିବାରୁ ଏହି ସମୟରେ ମନ୍ଦିରରେ ଧୂପ ଆଳତିରେ ଘଣ୍ଟକାହାଳି ବାଜା ବାଜିବା ସଂପୂର୍ଣ୍ଣମନା।

ଆଶ୍ୱିନ କୃଷ୍ଣ ଅଷ୍ଟମୀ ବା ମୂଳାଷ୍ଟମୀରୁ ସହଶ୍ର କୁମ୍ଭବରଣ କରାଯାଇ ଦେବୀଙ୍କୁ ଶୟନରୁ ଉତଥାନ ପରେ ପର୍ବ ଆରମ୍ଭ ହେବାର ପରମ୍ପରା ଏହି ଶକ୍ତି ପୀଠର ମହାନ ପର୍ବ ଭାବରେ ପରିଚିତ।

ମା’ଙ୍କ ଏହି ଯାତ୍ରାକୁ ଶୁଙ୍ଖଳିତ କରିବାପାଇଁ ସ୍ଥାନୀୟ ବାଣପୁର ବାଲୁଗାଁ ପ୍ରଶାସନ, ମନ୍ଦିର ପରିଚାଳନା କମିଟି, ବାଣପୁର ଓ ବାଲୁଗାଁ ଥାନାଧିକାରୀ, ଦୁଇ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମକର୍ତ୍ତା, ସମସ୍ତ ଗ୍ରାମବାସୀ ବୃନ୍ଦ ଏବଂ ଦେବୋତ୍ତର କାର୍ଯ୍ୟାଳୟର ସମସ୍ଥ କନିକର୍ଭା ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମା’ଭଗବତୀଙ୍କ ପୀଠରେ ଷଷ୍ଠୀ ଓଷା, ପାର୍ବଣ ପ୍ରସ୍ତୁତି ପାଇଁ ଷଷ୍ଠୀ ବ୍ରତ ଧାରଣ କଲେ ସେବାୟତ

ବାଣପୁର (ସୀତାରାମ ଅଗ୍ରୱାଲ): ଉପକୂଳ ଓଡ଼ିଶାର ମହାନ ପର୍ବ ଷଷ୍ଠୀ ଓଷା, ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ ପୁରପଲ୍ଲୀର ପ୍ରତି ଘରେ ଭାଗ୍ୟର ଦେବୀ ଷଷ୍ଠୀଦେବୀଙ୍କୁ ଛଅତିଅଣ ଛ, ଭଜା, ସହିତ ନାନାଦି ପ୍ରକାର ପିଠାପଣା, କ୍ଷିରୀ ଖେଚଡ଼ି କରି ପୂଜାକରାଯାଏ। ଏହି ଦିନ ଗୃହମାନଙ୍କରେ ମା’ଙ୍କୁ ପୂଜା ଆରଧନା କଲେ ଘରର ସମସ୍ତଙ୍କୁ ମା’ ସମସ୍ଥ ବିପଦ ଆପଦ , ରୋଗ ବୈରାଗରୁ ରକ୍ଷା କରିବା ସହିତ ଅଶେଷ ଆୟୁଷ ଓ ଉତ୍ତମଭାଗ୍ୟ ପ୍ରଦାନ କରିଥାନ୍ତି ବୋଲି ବିଶ୍ୱାସ ଅଛି। ଏଣୁ ପ୍ରତିଟି ଓଡ଼ିଆ ଘରମାନଙ୍କରେ ସ୍ୱତନ୍ତ୍ର ଷଠିଘର ସ୍ଥାପନ କରି ଜନ୍ମ ସମୟରୁ ଏହିଦିନ ମା’ଙ୍କୁ ମହା ଆଡ଼ମ୍ବର ସହକାରେ ପୂଜା ଆରାଧନା କରାଯାଏ।

ଖୋର୍ଦ୍ଧା ଜିଲ୍ଲାର ପ୍ରାଚୀନ ଶକ୍ତିପୀଠ ମା’ଭଗବତୀଙ୍କ ମନ୍ଦିରରେ ମଧ୍ୟ ଏହି ପର୍ବ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ମା’ଙ୍କୁ ସ୍ୱୟଂ ଷଷ୍ଠି ଦେବୀ ଭାବରେ ମଧ୍ୟ ବିଶ୍ୱାସ କରାଯାଇ ଏହି ପର୍ବ ପାଳନ କରାଯିବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି। ଏହି ଦିନ ପ୍ରତ୍ୟୁଷରୁ ମା’ଙ୍କ କେବଳ ଅଙ୍ଗରାଗ ମାଜଣା ପରେ ବେଶ ହୋଇ ସକାଳର କୌଣସି ନୀତିକାନ୍ତି ହୋଇ ନ ଥିଲା।

ମଧ୍ୟାହ୍ନରେ ମା’ଭଗବତୀଙ୍କ ଚଳନ୍ତି ପ୍ରତିମା ସ୍ତମ୍ଵେଶ୍ଵରୀ ନାନାଦି ରଙ୍ଗବେରଙ୍ଗର ପାଟ ପତନି ସହିତ ବେଲପତ୍ର ମନ୍ଦାରମାଳ ପରିଧାନ କରି ନିଯୋଗୀ ସେବାୟତଙ୍କ ସହିତ ଘଣ୍ଟ ଛତା କାହାଳୀ , ବାଦ୍ୟରେ ପିତ୍ରାଳୟଶ୍ରୀ ଶ୍ରୀଦକ୍ଷେଶ୍ଵର ମନ୍ଦିରରୁ ବାହାରି ବଡ଼ ଦାଣ୍ଡରେ ଯାତ୍ରା କରି ନିଜ ମନ୍ଦିରକୁ ବିଜେ କରିଥିଲେ। ଯାତ୍ରା ସମୟରେ ମା’ଙ୍କର ବିଜେ କାହାଳୀ ଶବ୍ଦ ଶୁଣି ପ୍ରତିଟି ଘରମାନଙ୍କରେ ଗୃହିଣୀମାନେ ଶଙ୍ଖ ହୁଳହୁଳି ପକାଇ ଷଷ୍ଠୀଦେବୀଙ୍କୁ ପୂଜା ଆରାଧାନା ସହିତ ନାନାଦି ନୈବେଦ୍ୟ ଅର୍ପଣ ପୂର୍ବକ ପରିବାର ସହିତ ସଂସାରରମଙ୍ଗଳ କାମନା କରିଥିଲେ।

ମା’କାଠି ଠାକୁରାଣୀ ମନ୍ଦିରରେ ବିଜେ କରିବାପରେ ପୂଜକ ସାଆନ୍ତ , ପାଳିଆ ମାଳି ମା’ଙ୍କ ସମ୍ମୁଖରେ କୁମ୍ଭ , ସପ୍ତମୁଖୀ ଦୀପ ସ୍ଥାପନ ସହିତ ଛଅଟି ସରାରେ ନୈବେଦ୍ୟ (ବଲ୍ଲଭ,ନଡ଼ିଆ ପାତି ଆଦି) ଅର୍ପଣ କରି ମା’ଙ୍କୁ ଷଷ୍ଠୀ ଦେବୀ ଭାବରେ ଆବାହନ କରି .ଷଠି ସୂତା ଲାଗି କରିବା ସହିତ ଷୋଡ଼ଷ ଉପଚାରରେ ପୂଜା ଓ ଆଳତି ବନ୍ଦାପନା କରି ସଂସାରରମଙ୍ଗଳ କାମନା କରିଥିଲେ। ମା’ଙ୍କୁ ଷଷ୍ଠୀ ଦେବୀ ଭାବରେ ଦର୍ଶନକରି ଆଶୀର୍ବାଦ ଲାଭ ପାଇଁ ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ପରେ ମା’ଙ୍କ ପାଖରେଶଙ୍କୁଡ଼ି ଧୂପରେ, କ୍ଷିରି ଖେଚଡ଼ି ,ମାଛ ମହୁର, ଆମ୍ବିଳ, ଶାଗମୁଗ,ଭଜା,ଏଣ୍ଡୁରି ଲାଗି ହୋଇ ଧୂପ ଆଳତି ବଢିଥିଲା। ମା’ଙ୍କ ପ୍ରତିଟି ସେବାୟତ ପରିବାରର ସମସ୍ତେ ଷଠିସୂତା ଧାରଣ କରି ତାଙ୍କରି ଆଶୀର୍ବାଦ କାମନା ସହିତ ପ୍ରସାଦ ସେବନ କରିଥିଲେ।

ଆଜିଠାରୁ ମା’ଭଗବତୀଙ୍କ ପାର୍ବଣ ପ୍ରସ୍ତୁତି ଆରମ୍ଭ ‘ ଲଳିତା ସପ୍ତମୀରେ ମା’ଙ୍କ ପାଣି ତୋଳା ଯାତ୍ରା ସହିତ ଚିଲିକାରେ ନୌବିହାର କରି ଭଉଣୀ ମା’କାଳିଜାଇ ଙ୍କୁ ପାର୍ବଣ ପାଇଁ ନିମନ୍ତ୍ରଣ କରି ଆଜ୍ଞାମାଳ ନେଇ ଫେରିବା ପରେ ଦୁର୍ଗାଷ୍ଟମୀରୁ ଦେବୀଶୟନ କରିବେ। ଆଶ୍ୱିନ କୃଷ୍ଣ ଅଷ୍ଟମୀ ବା ମୂଳାଷ୍ଟମୀଠାରୁ ମା’ଭଗବତୀଙ୍କ ଷୋଳ ପର୍ବ ଆରମ୍ଭ ହେବା। ମା’ଙ୍କ ଶୃଙ୍ଖଳିତ ଷଷ୍ଠୀ ଓଷା ପୂଜାନୀତି ପାଇଁ ମନ୍ଦିର କାର୍ଯ୍ୟାଳୟ ତରଫରୁ ସମସ୍ତ ପ୍ରକାର ବିଧିବ୍ୟବସ୍ଥା ଯୋଗାଇଦିଆଯାଇଥିବାକଥା କାର୍ଯ୍ୟନିର୍ବାହୀଙ୍କଠାରୁ ପ୍ରକାଶ।