Categories
ଆଜିର ଖବର ରାଜ୍ୟ ଖବର

ବଜେଟ୍‌ ପୂର୍ବରୁ ଆଗତ ହେଲା ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ : ଅଭିବୃଦ୍ଧି ହାର ହ୍ରାସ

ନୂଆଦିଲ୍ଲୀ : ବିଧାନସଭାରେ ବଜେଟ୍‌ ଅଧିବେଶନ ଚାଲିଥିବା ବେଳେ ଆସନ୍ତା କାଲି ଆଗତ ହେବାକୁ ଯାଉଛି ବଜେଟ୍‌ । ବଜେଟ୍‌ ଆଗତ ହେବା ପୂର୍ବରୁ ଆଜି ବିଧାନସଭାରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ପ୍ରକାଶ ପାଇଥିଲା । ଏହି ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ରାଜ୍ୟର ଅଭିବୃଦ୍ଧି ହାର ହ୍ରାସ ପାଇଛି । ବାତ୍ୟା ଯୋଗୁଁ କୃଷି ଉତ୍ପାଦନ ହ୍ରାସ ପାଇଥିବା କାରଣରୁ ଅଭିବୃଦ୍ଧି ହାର ହ୍ରାସ ପାଇଛି । ଚଳିତ ବର୍ଷର ଅଭିବୃଦ୍ଧି ହାର 6.16 ପ୍ରତିଶତ ରହିଛି । ପୂର୍ବ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର 7.90 ପ୍ରତିଶତ ରହିଥିଲା । ସେହିପରି ଚଳିତ ବର୍ଷ ରାଜ୍ୟର ମୁଣ୍ଡପିଛା ଆୟ କମିଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି । 2018-19 ଆର୍ଥିକ ବର୍ଷରେ ମୁଣ୍ଡପିଛା ଆୟ 95,164 ଟଙ୍କା ରହିଥିବା ବେଳେ ଚଳିତ ବର୍ଷ ମୁଣ୍ଡପିଛା ଆୟ 1,01,587 ଟଙ୍କା ରହିଛି । ଏହି ସମୟରେ ଜାତୀୟ ମୁଣ୍ଡପିଛା ଆୟ 1,35,550 ଟଙ୍କା ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର

ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପିତ : 5 ବର୍ଷରେ 4 କୋଟି ନିଯୁକ୍ତି ଲକ୍ଷ୍ୟ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଦିନ ରାଜ୍ୟସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍‌ଙ୍କ ଦ୍ବାରା ପ୍ରସ୍ତୁତ ସର୍ବେକ୍ଷଣ ରିପୋର୍ଟ ଦାଖଲ କରିଛନ୍ତି ସୀତାରମଣ । ସର୍ବେକ୍ଷଣ ରିପୋର୍ଟରେ 2025 ସୁଦ୍ଧା 5 ଟ୍ରିଲିୟନ୍‌ ଅର୍ଥନୀତି ଉପରେ ଗୁରୁତ୍ବାରୋପ କରାଯିବା ସହିତ ଆସନ୍ତା 5 ବର୍ଷ ମଧ୍ୟରେ 4 କୋଟି ଏବଂ 2030 ସୁଦ୍ଧା 8 କୋଟି ନୂତନ ନିଯୁକ୍ତି ସୃଷ୍ଟି କରାଯିବା ନେଇ ଉଲ୍ଲେଖ କରାଯାଇଛି । ଆସେମ୍ବଲିଂ ଇନ୍‌ ଇଣ୍ଡିଆ ଫର୍‌ ଓ୍ବାର୍ଲ୍‌ଡ ଜରିଆରେ ଏହି ନିଯୁକ୍ତି ସୃଷ୍ଟି କରାଯିବା ସହିତ 5 ଟ୍ରିଲିୟନ୍‌ ଅର୍ଥନୀତି ସମ୍ଭବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସେହିପରି ବିତ୍ତୀୟ ଅଭିବୃଦ୍ଧି ହାର 5 ପ୍ରତିଶତ ଲକ୍ଷ୍ୟ ରଖାଯାଇଥିବା ବେଳେ ଘରୋଇ ଅଭିବୃଦ୍ଧି ହାର 6ରୁ 6.5 ପ୍ରତିଶତ ମଧ୍ୟରେ ରହିବା ନେଇ ପୂର୍ବାନୁମାନ ଲଗାଯାଇଛି ।

ଭାରତୀୟ ଅର୍ଥ ବ୍ୟବସ୍ଥାରେ ଭରସା ସହିତ ବଜାର ସକ୍ଷମକୁ ଚଳିତ ଆର୍ଥକ ବର୍ଷ ସର୍ବେକ୍ଷଣ ବିଷୟବସ୍ତୁ ରଖାଯାଇଛି । ଧାର୍ଯ୍ୟ କରାଯାଇଥିବା ଅଭିବୃଦ୍ଧି ହାର ବିଗତ 11 ବର୍ଷ ମଧ୍ୟରେ ସର୍ବନିମ୍ନ ମାତ୍ର ବିଶ୍ବର ମାନ୍ଦାବସ୍ଥା କାରଣରୁ ଭାରତ ପ୍ରଭାବିତ ବୋଲି ସୁବ୍ରମଣ୍ୟମ ଉଲ୍ଲେଖ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ଅର୍ଥନୀତିରେ ଦେଖାଦେଇଥିବା ଶୀଥିଳତାର ସମୟ ଶେଷ ହୋଇଛି ଏବଂ ଆଗାମୀ ଦିନରେ ଭାରତୀୟ ଅର୍ଥନୀତି ଉର୍ଦ୍ଧ୍ବମୁଖୀ ହେବା ବୋଲି ସୁବ୍ରମଣ୍ୟନ୍‌ ଉଲ୍ଲେଖ କରିଛନ୍ତି । ସେହିପରି ପିଆଜ ପରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ବଜାର ଦର ନିୟନ୍ତ୍ରଣରେ ସରକାର ବିପଳ ହୋଇଛନ୍ତି ବୋଲି ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସେହିପରି ଅର୍ଥନୈତିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସର୍ବେକ୍ଷଣ ରିପୋର୍ଟରେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।

ଅର୍ଥନୈତିକ ସଂସ୍କାର ପାଇଁ ସରକାରଙ୍କୁ ଦିଆଯାଇଥିବା ପରାମର୍ଶ :
5 ଟ୍ରିଲିୟନ୍‌ ଅର୍ଥନୀତି ହାସଲ କରିବା ପାଇଁ ଭିତ୍ତିଭୂମି କ୍ଷେତ୍ରରେ 1.4 ଟ୍ରିଲିୟନ୍‌ ଡଲାର ନିବେଶ ପ୍ରସ୍ତାବ ।
ଉତ୍ପାଦନ କ୍ଷେତ୍ରରେ ‘ଆସେମ୍ବଲିଂ ଇନ୍‌ ଇଣ୍ଡିଆ ଫର୍‌ ଓ୍ବାର୍ଲ୍‌ଡ’ର ପ୍ରଚଳନ । ଏହା ଦ୍ବାରା ନିଯୁକ୍ତି ଏବଂ ରୋଜଗାରରେ ବୃଦ୍ଧି ଘଟିବ ।
ନୂତନ ବ୍ୟବସାୟ, ସମ୍ପତ୍ତି ପଞ୍ଜୀକରଣ ଏବଂ ଟିକସ୍‌ ପୈଠ ଇତ୍ୟାଦିରେ ସରଳ ନିୟମର ପ୍ରଚଳନ ।
ସରକାରୀ ବ୍ୟାଙ୍କର କାର୍ଯ୍ୟବ୍ୟବସ୍ଥାରେ ସୁଧାର ଏବଂ ସୂଚନା ସର୍ବସାଧାରଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ।

ଏହି ସର୍ବେକ୍ଷଣ ରିପୋର୍ଟ ପ୍ରସ୍ତୁତି ପାଇଁ 6 ମାସ ଧରି ପରିଶ୍ରମ କରିଥିବା ନେଇ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଉଲ୍ଲେଖ କରିଛନ୍ତି । ଗତବର୍ଷ ବଜେଟ୍‌ ଜୁଲାଇ ମାସରେ ଉପସ୍ଥାପନ କରାଯାଇଥିବା ବେଳେ ହାତରେ ଅଧିକ ସମୟ ରହିଥିଲା ମାତ୍ର ଚଳିତ ବର୍ଷ କମ୍‌ ସମୟରେ ଏହି ସର୍ବେକ୍ଷଣ ଶେଷ କରିଥିବାରୁ ନିଜ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି ସୁବ୍ରମଣ୍ୟନ୍‌ । ସେହିପରି ବଜେଟ୍‌ ଅଧିବେଶନର ପ୍ରଥମ ଚରଣ ଫେବୃୟାରୀ 1ରୁ ଆରମ୍ଭ ହୋଇ ଫେବୃୟାରୀ 11 ପର୍ଯ୍ୟନ୍ତ ଚାଲିବ । ସେହିପରି ଅଧିବେଶନର ଦ୍ବିତୀୟ ଚରଣ ମାର୍ଚ୍ଚ 2ରୁ ଆରମ୍ଭ ହୋଇ ଏପ୍ରିଲ୍‌ 3 ପର୍ଯ୍ୟନ୍ତ ଚାଲିବ ।