Categories
ଆଜିର ଖବର ଜାତୀୟ ଖବର

ଏଆଇସିଟିଇ ଇନଭେଷ୍ଟର୍ ନେଟୱାର୍କ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରରେ ନବସୃଜନ ଏବଂ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବୁଧବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ ‘ଶିକ୍ଷା ମନ୍ତ୍ରଣାଳୟ – ଏଆଇସିଟିଇ ଇନଭେଷ୍ଟର ନେଟୱାର୍କ’ର ଶୁଭାରମ୍ଭ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଏବଂ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ ବା ଏଆଇସିଟିଇ ଦ୍ୱାରା ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆରମ୍ଭ ହୋଇଛି । ଛାତ୍ରଛାତ୍ରୀ କିମ୍ବା ଅଧ୍ୟାପକଙ୍କ ନେତୃତ୍ୱାଧୀନ ଷ୍ଟାର୍ଟଅପ୍ ଗୁଡ଼ିକୁ ଆର୍ଥିକ ସହାୟତା, ପରାମର୍ଶ ପ୍ରଦାନ କରିବା ଏହି ନେଟୱାର୍କର ଲକ୍ଷ୍ୟ ରହିଛି । ଛାତ୍ରଛାତ୍ରୀ, ଅଧ୍ୟାପକ, ନିବେଶକ ଏବଂ ବଜାରକୁ ଗୋଟିଏ ପ୍ଲାଟଫର୍ମରେ ଆଣି ନବସୃଜନ ସଂସ୍କୃତିକୁ ସୁଦୃଢ଼ କରିବ ଏବଂ ଷ୍ଟାର୍ଟ-ଅପ୍ ପାଣ୍ଠି ସମସ୍ୟାକୁ ଦୂର କରିବାରେ ଏହି ପଦକ୍ଷେପ ବେଶ୍ ସହାୟକ ହେବ । ଜାତୀୟ ଶିକ୍ଷା ନୀତିର କଳ୍ପନା ଅନୁସାରେ ଷ୍ଟାର୍ଟଅପ୍ ଦୃଶ୍ୟପଟ୍ଟକୁ ପ୍ରୋତ୍ସାହିତ କରିବା ତଥା ଇନୋଭେସନ କ୍ଷେତ୍ରରେ ଭାରତକୁ ‘ନ୍ୟୁମେରୋ ୟୁନୋ’ ବା ୧ ନମ୍ବର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନକୁ ପୂରଣ କରିବା ଦିଗରେ ଏହା ଏକ ଅନ୍ୟତମ ପଦକ୍ଷେପ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏମଓଇ-ଏଆଇସିଟିଇ ନେଟୱାର୍କ ମାଧ୍ୟମରେ ଦକ୍ଷ ଉଦ୍ଭାବକଙ୍କ ପାଇଁ ଏକ ଇକୋସିଷ୍ଟମକୁ ସୁଦୃଢ କରାଯାଉଛି । ଏହି ଇକୋସିଷ୍ଟମ ନୂଆ ଆଇଡିଆରୁ ଆରମ୍ଭ କରିବା ଠାରୁ ବ୍ୟବସାୟରେ ଷ୍ଟାଟଅପ୍ ସଫଳ ରୂପାୟନ ହେବା ହେବା ପର୍ଯ୍ୟନ୍ତ ସବୁପ୍ରକାର ସମର୍ଥନ ପ୍ରଦାନ କରିବ । ଶିଳ୍ପ ପୁଞ୍ଜିପତି କେବଳ ନିବେଶକ ନୁହଁନ୍ତି, ବରଂ ପରାମର୍ଶଦାତା ଏବଂ ଅଂଶୀଦାର ମଧ୍ୟ ।  ଏହି ଅବସରରେ ଶ୍ରୀ ପ୍ରଧାନ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନର ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆସୁଥିବା ଆଇଡିଆର ସଫଳ ରୂପ ଦେବା ପାଇଁ ସହଯୋଗୀ ହେବାକୁ ଉପସ୍ଥିତ ପାର୍ଟନର୍ସ ଓ ପରାମର୍ଶଦାତାଙ୍କୁ ଆହ୍ୱାନ କରିଛନ୍ତି । ଆମେ କେବଳ ଆଇଡିଆ ଓ ବ୍ୟବସାୟରେ ନୁହେଁ, ବରଂ ଦେଶର ସ୍ୱପ୍ନକୁ ପୂରଣ କରିବା ପାଇଁ ମଧ୍ୟ ନିବେଶ କରିବା । ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବା ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଥିଲେ ।