Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ନିର୍ବାଚନୀ ବଣ୍ଡକୁ ବନ୍ଦ କଲେ ସୁପ୍ରିମକୋର୍ଟ, ସମସ୍ତ ସୂଚନା ପ୍ରକାଶ ପାଇଁ ନିର୍ବାଚନ କମିଶନରଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର କିଛିମାସ ପୂର୍ବରୁ ସୁପ୍ରିମକୋର୍ଟ ୬ ବର୍ଷ ପୁରୁଣା ଇଲେକ୍ଟୋରାଲ ବଣ୍ଡ ଯୋଜନାକୁ ବେଆଇନ ଘୋଷଣା କରିଛନ୍ତି। ଏଥିସହିତ ତୁରନ୍ତ ଏହା ମାଧ୍ୟମରେ ଦାନ ନେବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବଣ୍ଡର ଗୋପନୀୟତା ବଜାୟ ରଖିବା ଅସାମ୍ବିଧାନିକ ବୋଲି କୋର୍ଟ କହିଛନ୍ତି। ଏହି ଯୋଜନା ସୂଚନା ଅଧିକାରର ଉଲ୍ଲଂଘନ।

ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗୁରୁବାର ଏହି ରାୟ ଶୁଣାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ୨୦୧୯ରୁ ଆଜି ପର୍ଯ୍ୟନ୍ତ ଇଲେକ୍ଟୋରାଲ ବଣ୍ଡ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା ଦେବାକୁ ପଡ଼ିବ।

ଆୟକର ଆଇନର ଧାରା ୧୩୯ ଦ୍ୱାରା ସଂଶୋଧିତ ଧାରା ୨୯(୧)(ସି)କୁ ଇଲେକ୍ଟୋରାଲ ବଣ୍ଡ ସ୍କିମ୍ ଉଲ୍ଲଂଘନ କରିଛି ଏବଂ ଅର୍ଥ ଆଇନ, ୨୦୧୭ ଦ୍ୱାରା ସଂଶୋଧିତ ଧାରା ୧୩(ବି)ର ଉଲ୍ଲଂଘନ କରିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଇଲେକ୍ଟୋରାଲ ବଣ୍ଡ ଜାରି କରୁଥିବା ବ୍ୟାଙ୍କ ଅର୍ଥାତ୍ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଇଲେକ୍ଟୋରାଲ ବଣ୍ଡ ଗ୍ରହଣ କରୁଥିବା ରାଜନୈତିକ ଦଳର ବିବରଣୀ ଏବଂ ପ୍ରାପ୍ତ ସମସ୍ତ ସୂଚନା ପ୍ରକାଶ କରିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୬ ତାରିଖ ସୁଦ୍ଧା ସେମାନଙ୍କୁ ନିର୍ବାଚନ କମିଶନଙ୍କୁ ହସ୍ତାନ୍ତର କରାଯିବ। ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ଇସିଆଇ ଏହାକୁ ଅଫିସିଆଲ ୱେବସାଇଟରେ ପ୍ରକାଶ କରିବ। ଏହାପରେ ରାଜନୈତିକ ଦଳଗୁଡ଼ିକ ଇଲେକ୍ଟୋରାଲ ବଣ୍ଡ ରାଶି କ୍ରେତାଙ୍କ ଆକାଉଣ୍ଟକୁ ଫେରସ୍ତ କରିବେ।

ଇଲେକ୍ଟୋରାଲ ବଣ୍ଡ କ’ଣ ?

ଇଲେକ୍ଟୋରାଲ ବଣ୍ଡ ହେଉଛି ସୁଧମୁକ୍ତ ବଣ୍ଡ ବା ମନି ଇନଷ୍ଟ୍ରୁମେଣ୍ଟ ଯାହାକୁ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ଅଧିକୃତ ଶାଖାରୁ ଭାରତର କମ୍ପାନୀ ଏବଂ ବ୍ୟକ୍ତି ବିଶେଷ କିଣି ପାରିବେ । ଏହି ବଣ୍ଡଗୁଡ଼ିକ ୧୦୦୦, ୧୦,୦୦୦, ୧ ଲକ୍ଷ, ୧୦ ଲକ୍ଷ ଏବଂ ୧ କୋଟି ଟଙ୍କାର ଗୁଣାତ୍ମକ ମୂଲ୍ୟରେ ବିକ୍ରି ହୋଇଥିଲା।

କୌଣସି ରାଜନୈତିକ ଦଳକୁ ଚାନ୍ଦା ଦେବା ପାଇଁ କେୱାଇସି ଅନୁଯାୟୀ ଆକାଉଣ୍ଟ ଜରିଆରେ ଏହାକୁ କିଣାଯାଇପାରିବ। ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜନୈତିକ ଦଳଗୁଡ଼ିକୁ ଏଗୁଡ଼ିକୁ ନଗଦ କରିବାକୁ ପଡ଼ିଥିଲା। ଦସ୍ତାବିଜରେ ଦାତାଙ୍କ ନାମ ଏବଂ ଅନ୍ୟାନ୍ୟ ସୂଚନା ରେକର୍ଡ କରାଯାଇନାହିଁ ଏବଂ ତେଣୁ ଇଲେକ୍ଟୋରାଲ ବଣ୍ଡକୁ ଅନାମବୋଲି କୁହାଯାଏ। କୌଣସି ବ୍ୟକ୍ତି କିମ୍ବା ସଂସ୍ଥା କେତେ ସଂଖ୍ୟକ ଇଲେକ୍ଟୋରାଲ ବଣ୍ଡ କିଣିପାରିବେ ତାହା ଉପରେ କୌଣସି ସୀମା ନ ଥିଲା।

ସରକାର ୨୦୧୬ ଏବଂ ୨୦୧୭ର ଫାଇନାନ୍ସ ଆକ୍ଟ ଜରିଆରେ ଇଲେକ୍ଟୋରାଲ ବଣ୍ଡ ସ୍କିମ୍ ପ୍ରଚଳନ କରିବା ପାଇଁ ୪ଟି ଆଇନରେ ସଂଶୋଧନ କରିଥିଲେ। ଜନପ୍ରତିନିଧି ଆଇନ, ୧୯୫୧,(ଆରପିଏ), କମ୍ପାନୀ ଆଇନ, ୨୦୧୩, ଆୟକର ଆଇନ, ୧୯୬୧ ଏବଂ ବିଦେଶୀ ଯୋଗଦାନ ନିୟନ୍ତ୍ରଣ ଆଇନ, ୨୦୧୦ (ଏଫ୍ସିଆରଏ), ୨୦୧୬ ଏବଂ ୨୦୧୭ର ଫାଇନାନ୍ସ ଆକ୍ଟ ଜରିଆରେ ଏହି ସଂଶୋଧନ ଆଇନ ପ୍ରଣୟନ କରାଯାଇଥିଲା।

୨୦୧୭ରେ କେନ୍ଦ୍ର ସରକାର ଅର୍ଥ ବିଲଭାବେ ଇଲେକ୍ଟୋରାଲ ବଣ୍ଡ ସ୍କିମକୁ ଗୃହରେ ଆଗତ କରିଥିଲେ। ସଂସଦରେ ଇଲେକ୍ଟୋରାଲ ବଣ୍ଡ ଯୋଜନାର ବିଜ୍ଞପ୍ତି ପାରିତ ହେବା ପରେ ୨୦୧୮ ଜାନୁଆରୀ ୨୯ରେ ଜାରି କରାଯାଇଥିଲା।

ଅଦାଲତଙ୍କ ରାୟର ପ୍ରମୁଖ ପ୍ରସଙ୍ଗ

• ଅର୍ଥ ଆଇନ, ୨୦୧୭ ଦ୍ୱାରା ସଂଶୋଧିତ ଧାରା ୧୩୯ ଏବଂ ଧାରା ୧୩(ବି) ଦ୍ୱାରା ସଂଶୋଧିତ ଆୟକର ଆଇନର ଧାରା ୨୯(୧)(ସି)ର ଉଲ୍ଲଂଘନ କରୁଛି ଇଲେକ୍ଟୋରାଲ ବଣ୍ଡ ସ୍କିମ।

• ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଇଲେକ୍ଟୋରାଲ ବଣ୍ଡ ଗ୍ରହଣ କରୁଥିବା ରାଜନୈତିକ ଦଳଗୁଡ଼ିକର ବିବରଣୀ ଏବଂ ସେମାନଙ୍କଠାରୁ ମିଳିଥିବା ସୂଚନା ପ୍ରକାଶ କରିବା ଉଚିତ। ଏହା ସହ ମାର୍ଚ୍ଚ ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରବେ।

• ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ନିର୍ବାଚନ ଆୟୋଗ ନିଜ ଅଫିସିଆଲ ୱେବସାଇଟରେ ଏହି ସୂଚନା ପ୍ରକାଶ କରିବେ। ଏହାପରେ ରାଜନୈତିକ ଦଳମାନେ ଇଲେକ୍ଟୋରାଲ ବଣ୍ଡ ରାଶି କ୍ରେତାଙ୍କ ଆକାଉଣ୍ଟକୁ ଫେରସ୍ତ କରିବେ।

• ଏହି ଯୋଜନା ଶାସକ ଦଳକୁ ଫାଇଦା ଉଠାଇବାରେ ସହାୟକ ହେବ।

• ରାଜନୀତିରେ କଳାଧନକୁ ରୋକିବାରେ ଏହା ସହାୟକ ହେବ ବୋଲି କହି ଇଲେକ୍ଟୋରାଲ ବଣ୍ଡ ଯୋଜନାକୁ ଯୁକ୍ତିଯୁକ୍ତ କରାଯାଇପାରିବ ନାହିଁ ।

• ଦାତାଙ୍କ ଗୋପନୀୟତା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ସମ୍ପୂର୍ଣ୍ଣ ରିହାତି ଦେଇ ରାଜନୈତିକ ପାଣ୍ଠିରେ ସ୍ୱଚ୍ଛତା ହାସଲ କରାଯାଇପାରିବ ନାହିଁ।

Categories
ବିଶେଷ ଖବର

ରାଜନୀତିରେ କଳାଧନର ଧଳା ରାସ୍ତା, ନେତା ପାଉଥିବା ଚାନ୍ଦା ଉପରେ କାହାର ନିୟନ୍ତ୍ରଣ ନାହିଁ

ରଙ୍ଗାଚରଣ ପ୍ରଧାନ

ଗୁମନାମ ହୈ କୋଇ।
ବଦନାମ ହୈ କୋଇ।
କିସ୍ କୋ ପତା , କୌନ ହୈ ଓହ୍
ଅଞ୍ଜାନ ହୈ କୋଇ।

ଚାଲନ୍ତୁ, ଇଏ ତ ହେଲା ପୁରୁଣା ସସପେନ୍ସ ହିନ୍ଦୀ ଫିଲିମ୍ ଗୁମନାମ୍ ର ଏକ ଲୋକପ୍ରୀୟ ଗୀତ। କିନ୍ତୁ ରାଜନୀତିରେ ଏବେ ଏମିତି ଏକ ସସପେନ୍ସ କାହାଣୀ ଚାଲିଛି ଯାହା ଫିଲମ୍ ଭଳି ଆମୋଦଦାୟକ ନୂହେଁ, ଏହା ଭାରତୀୟ ଗଣତନ୍ତ୍ର ପାଇଁ ଏକ ଟ୍ରାଜେଡି। କାହାଣୀଟି ହେଉଛି ଇଲେକ୍ଟୋରାଲ ବଣ୍ଡ ବିଷୟକୁ ନେଇ।

ଆଗରୁ କ’ଣ ହେଉଥିଲା ନା, ରାଜନୈତିକ ଦଳଗୁଡିକୁ ବିଭିନ୍ନ ଉପାୟରେ ଚାନ୍ଦା ମିଳୁଥିଲା। ଯେଉଁମାନେ କୌଣସି ପାର୍ଟିକୁ ଦେଖେଇକି ଦେଉଥିଲେ ସେମାନେ ଚେକ୍ ରେ ଦେଉଥିଲେ । ସେ କ୍ଷେତ୍ରରେ ରାଜନୈତିକ ଦଳମାନେ ୨୦ ହଜାର ଟଙ୍କା ଓ ତା’ଠାରୁ ଅଧିକ ଚାନ୍ଦା ପାଇଁ ଚାନ୍ଦାଦାତାର ସମ୍ପୁର୍ଣ ପରିଚୟ ଓ ଚାନ୍ଦାର ପରିମାଣ ନିର୍ବାଚନ କମିଶନକୁ ଦେଉଥିଲେ ଓ କମିଶନ ମାଧ୍ୟମରେ ଜନସାଧାରଣ ତାହା ଜାଣୁଥିଲେ।

ଯେଉଁମାନେ ଲୁଚେଇକି ଦେଉଥିଲେ ସେମାନେ କ୍ୟାସ୍ ରେ ଦେଉଥିଲେ ତାହା କିଏ ଦେଇଛି ଜଣା ପଡୁନଥିଲା। କାରଣ ନିୟମ କହୁଛି ଜଣେ କେବଳ ଯଦି ୨ ହଜାର ଟଙ୍କାରୁ ଅଧିକ ଚାନ୍ଦା ଦିଏ, ତେବେ ଦଳ ତା’ର ପୁରା ନାଁ ଗାଁ ଠିକଣା ଓ ପରିମାଣ ନିର୍ବାଚନ କମିଶନକୁ ଜଣାଇବ। ପାର୍ଟି କହିବ ଯେ ସେ ପାଇଥିବା କୌଣସିଟି ନଗଦ ଚାନ୍ଦା ୨୦୦୦ ଟଙ୍କାରୁ ଅଧିକ ନୂହେଁ। ତେଣୁ ନିର୍ବାଚନ କମିଶନକୁ ସେହି ଚାନ୍ଦାଦାତାଙ୍କର ନାଁ କହିବା ଦରକାର ନାହିଁ। ଖାଲି ସମୁଦାୟ କେତେ କ୍ୟାସ୍ ମିଳିଛି ସେତିକି କହିବ। ତେବେ ଆପଣ ତ ଜାଣିଛନ୍ତି, ରାଜନୈତିକ ଦଳଗୁଡିକ ପାଖକୁ ଅଧିକାଂଶ ଚାନ୍ଦା କ୍ୟାସ୍ ରେ ଆସେ ଓ କ୍ୟାସ୍ ରେ ଖର୍ଚ୍ଚ ହୁଏ ଯାହା ସେମାନେ ହିସାବରେ ଦେଖାନ୍ତି ନାହିଁ।

ଧିରେ ଧିରେ ରାଜନୈତିକ ଦଳଗୁଡିକଙ୍କୁ ଭୋଟରେ ଲଢିବା ପାଇଁ ଅଧିକରୁ ଅଧିକ ଟଙ୍କା ଦରକାର ପଡିଲା। ମଦ ବାଣ୍ଟିବାର ଅଛି। ବଡ ବଡ ରାଲି କରିବାର ଅଛି । ବିଧାୟକ ବି କିଣିବାର ଅଛି  ଏଥିପାଇଁ କ୍ୟାସ୍ ରେ ଏମିତି କେତେ ଆଣି ହେବ ଯେ ଏସବୁ ଖର୍ଚ୍ଚ କରିହେବ ?

ଏଣେ କେଉଁ ଲୋକ କିମ୍ବା କମ୍ପାନୀ କାହିଁକି ବା ଏତେ ଟଙ୍କାର ଚେକ୍ ଦେବ ? ଚେକ୍ ଦେଇଥିବା ଲୋକ କିମ୍ବା କମ୍ପାନୀର ସ୍ବାର୍ଥ ପାଇଁ ସରକାର ଯଦି କିଛି କରିବେ ତେବେ ଧରା ପଡିଯିବେ ।

ତେଣୁ ବିଜେପି ସରକାର ଚାହିଁଲା ଏମିତି ଗୋଟିଏ ବ୍ୟବସ୍ଥା ହେଉ ଯେଉଁଠି :

୧. ମୋଟା ରକମ ଚାନ୍ଦା ମିଳିବ

୨. କ୍ୟାସ୍ ରେ ଆଣିବା ଦରକାର ନାହିଁ, ବ୍ୟାଙ୍କ ମଧ୍ୟଦେଇ ଚାନ୍ଦା ଆସିବ

୩. କିନ୍ତୁ କେହି ଜାଣିବେନି। ସରକାରରେ ଥାଇ ଆମେ ତା’ କାମ କରିଦେବୁ କିନ୍ତୁ ସିଏ ଆମ ପାର୍ଟିକୁ ଟଙ୍କା ଦେଇଛି ବୋଲି କେହି ଜାଣିବେନି।

ଏହି ନୂଆ ବ୍ୟବସ୍ଥାର ନାଁ ହେଲା ଇଲେକ୍ଟୋରାଲ୍ ବଣ୍ଡ। ୨୦୧୭ ମସିହା ଫେବୄଆରୀ ୧ ତାରିଖ ଦିନ ପାର୍ଲିଆମେଣ୍ଟରେ ବଜେଟ ପଢିବା ବେଳେ ଅର୍ଥମନ୍ରୀ ଅରୁଣ ଜେଟଲି ଏଣିକି ଇଲେକ୍ଟୋରାଲ୍ ବଣ୍ଡ ଆରମ୍ଭ ହେବ ବୋଲି କହିଲେ।

ଏଠାରେ କିଛିଦିନ ପୂର୍ବେ ଘଟିଥିବା ଗୋଟିଏ ଘଟଣାକୁ ଉଦାହରଣ ଭାବେ ନିଅନ୍ତୁ। ଭୋଡାଫୋନ୍-ଆଇଡିଆ, ଏୟାରଟେଲ୍ ଓ ଜିଓଠାରୁ ସରକାରଙ୍କୁ ୪୦ ହଜାର କୋଟି ଟଙ୍କା ପାଇବାର ଥିଲା। କିନ୍ତୁ ସରକାର ସେଥିପାଇଁ ସେମାନଙ୍କୁ ଦୁଇବର୍ଷ ସମୟ ଦେଲେ। ହୁଏତ ସରକାର ସେମାନଙ୍କଠାରୁ ବିଜେପି ପାଇଁ ୨୦୦୦ କୋଟି ଟଙ୍କାର ପାର୍ଟି ଚାନ୍ଦା ଆଣିଥିବେ। କିଏ ଜାଣିଲା ? ଚେକ୍ ମାଧ୍ୟମରେ ଦେଇଥିଲେ ସିନା କିଏ ଜାଣିଥାନ୍ତା। କିନ୍ତୁ ସେମାନେ ଯଦି ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ଦେଇଥିବେ ତେବେ ତାହା କେହି ଜାଣି ପାରିବେ ନାହିଁ।

ଯଦି କେଉଁ କମ୍ପାନୀକୁ ସରକାରଙ୍କଠାରୁ କିଛି ଅନୈତିକ ସୁବିଧା ହାସଲ କରିବାର ଥିବ ସେମାନେ ଷ୍ଟେଟ୍ ବ୍ୟାଙ୍କକୁ ଯିବେ। ସେଠାରେ ଗୋଟିଏ ଚେକ୍ ଦେଇ ହୁଏତ ୧୦୦୦ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ୍ କିଣିବେ । ବଣ୍ଡ୍ ଏକ କାଗଜ ଫର୍ଦ। ସେଥିରେ ଦେଲାବାଲା କମ୍ପାନୀ କିମ୍ବା ପାଇବା ବାଲା ପାର୍ଟିର ନାଁ ଲେଖା ହୋଇ ନଥାଏ। କେବଳ ଚାନ୍ଦାର ପରିମାଣ ଓ ଗୋଟିଏ ଲୁକ୍କାୟିତ ନମ୍ବର ଲେଖା ହୋଇଥାଏ।

ବର୍ତମାନ କମ୍ପାନୀ ସେହି ବଣ୍ଡକୁ ନେଇ ସେ ଚାହୁଁଥିବା ଦଳକୁ ଦେବ। ଦଳ ବଣ୍ଡଟିକୁ ତା’ର ଏକ ସ୍ବତନ୍ତ୍ର ଆକାଉଣ୍ଟରେ ଜମା କରିଦେଲେ ତା’ ଆକାଉଣ୍ଟରେ ଟଙ୍କା ଜମା ହୋଇଗଲା। ଏକଥା କେବଳ ଦେଲାବାଲା କମ୍ପାନୀ ଜାଣିଲା ଓ ନେଲାବାଲା ଦଳ ଜାଣିଲା। ଲୋକେ ଜାଣିବା ତ ଦୁରର କଥା, ନିର୍ବାଚନ କମିଶନ ବି ଜାଣିବେ ନାହିଁ। ପ୍ରତିବର୍ଷ ନିର୍ବାଚନ କମିଶନକୁ ହିସାବ ଦେବାବେଳେ ପାର୍ଟିମାନେ କେବଳ ଏତିକି ଜଣାଇବେ ଯେ ସେମାନେ ବର୍ଷକ ଭିତରେ ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ସମୁଦାୟ କେତେଟଙ୍କା ପାଇଛନ୍ତି। କିନ୍ତୁ ସେମାନଙ୍କୁ କିଏ କିଏ କେତେଟଙ୍କାର ବଣ୍ଡ ଦେଇଛନ୍ତି ସେକଥା ଜଣେଇବେ ନାହିଁ।

ତେବେ ଆମେ କାହିଁକି ଏହାକୁ ଗଣତନ୍ତ୍ର ପାଇଁ ଏକ ଟ୍ରାଜେଡି ବୋଲି କହୁଛୁ ?

(୧) ଯଦି ଦେଲାବାଲା ଓ ନେଲାବାଲା ବିଷୟରେ ନିର୍ବାଚନ କମିଶନ କିମ୍ବା ଲୋକେ ଜାଣିଲେ ନାହିଁ ଓ ଯଦି ସୂଚନା ଅଧିକାର ଆଇନ୍ ବଳରେ ବି ଏ ସମ୍ବନ୍ଧରେ ଜାଣିବା ମନା, ତେବେ ପାରଦର୍ଶିତା ଆଉ କେଉଁଠି ରହିଲା ? ଆମେ କେମିତି ଜାଣିବୁ ଯେ ସରକାରଙ୍କ ଅମୁକ ନିଷ୍ପତ୍ତି ଯୋଗୁଁ ଫାଇଦା ପାଇଥିବା ଗୋଟିଏ କମ୍ପାନୀ ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ସରକାରୀ ଦଳକୁ ଗୁପ୍ତଧନ ଦେଇନାହିଁ ବୋଲି ?

(୨) ଷ୍ଟେଟବ୍ୟାଙ୍କଠାରୁ ଏହି ବଣ୍ଡ କିଣା ଯାଉଛି ଓ ପ୍ରତ୍ୟେକ ବଣ୍ଡରେ ଗୋଟିଏ ଗୁପ୍ତ ନମ୍ବର ଅଛି। ଯେହେତୁ ଷ୍ଟେଟବ୍ୟାଙ୍କ ସରକାରଙ୍କ ଅଧିନରେ ଅଛି ତେଣୁ କେବଳ ସରକାରୀ ଦଳ ଜାଣିପାରିବ ଯେ କେତେ ନମ୍ବର ବଣ୍ଡଟିକୁ କିଏ କିଣିଛି ଏବଂ କେଉଁ ଦଳର ବ୍ୟାଙ୍କ ଆକାଉଣ୍ଟରେ ତାହା ଜମା ହୋଇଛି । ଫଳରେ ବିରୋଧୀ ଦଳଗୁଡିକଙ୍କୁ ଯେଉଁ ଲୋକ ବା କମ୍ପାନୀ ଟଙ୍କା ଦେଇଥିବେ ସରକାର ସେମାନଙ୍କ ପାଖକୁ ସିବିଆଇ, ଇନକମ୍ ଟ୍ୟାକ୍ସ ସ୍କ୍ବାଡ୍ ଓ ଇଡି ପଠେଇ ନାନା ପ୍ରକାର ହଇରାଣ କରିବେ। ଏହି କାରଣରୁ ୨୦୧୭-୧୮ ଆର୍ଥିକ ବର୍ଷରେ ବିକ୍ରି ହୋଇଥିବା ସମୁଦାୟ ୨୧୫ କୋଟି ଟଙ୍କାର ଇଲେକ୍ଟୋରାଲ୍ ବଣ୍ଡରୁ ଏକୁଟିଆ ବିଜେପିକୁ ମିଳିଛି ୨୧୦ କୋଟି ଟଙ୍କା ଓ ଭାରତର ଅବଶିଷ୍ଟ ଦଳମାନଙ୍କୁ ମିଳିଛି ମୋଟ ମାତ୍ର ୫ କୋଟି ଟଙ୍କା। ସେହିବର୍ଷ ପାଇଁ ନିର୍ବାଚନ କମିଶନକୁ ବିଜେପି ଦେଇଥିବା ଆୟବ୍ୟୟ ହିସାବରୁ ଏଡିଆର୍ ନାମକ ଏକ ସଂସ୍ଥା ଏହି ତଥ୍ୟ ସଂଗ୍ରହ କରିଛି । ୨୦୧୮ ମାର୍ଚ୍ଚରୁ ଗତ ଅକ୍ଟୋବର ମାସ ମଧ୍ୟରେ ସମୂଦାୟ ୬୧୨୮ କୋଟି ଟଙ୍କାର ଇଲେକ୍ଟୋରାଲ୍ ବଣ୍ଡ ବିକ୍ରି ହୋଇଛି।

(୩) ପାର୍ଲିଆମେଣ୍ଟରେ ଅରୁଣ ଜେଟଲୀ କହିଥିଲେ ଯେ କମ୍ପାନୀମାନେ ଗୋଟିଏ ଦଳକୁ ଯେଉଁ ଟଙ୍କା ଦେଉଛନ୍ତି ତାହା ଅନ୍ୟ ଦଳମାନେ ଜାଣିପକାଉଛନ୍ତି । ତେଣୁ ସେମାନେ ହଇରାଣରେ ପଡୁଛନ୍ତି । ସେମାନଙ୍କ ସୁବିଧା ପାଇଁ ଇଲେକ୍ଟୋରାଲ୍ ବଣ୍ଡ ଭଳି ଏକ ଗୁପ୍ତ ବ୍ୟବସ୍ଥା କରାଗଲା।

ଅଦ୍ଭୁତ ଏ ଯୁକ୍ତି ! କମ୍ପାନୀମାନଙ୍କ ସୁବିଧା ପାଇଁ ଗୋଟିଏ ଚୋରା ଉପାୟ କାହିଁକି କରାଯିବ ?ସେମାନେ ଯଦି କୌଣସି ସ୍ବାର୍ଥ ହାସଲ ପାଇଁ ଚାନ୍ଦା ଦେଉନାହାନ୍ତି ତେବେ ସେ ବିଷୟଟି ପ୍ରଘଟ ହୋଇଯିବାରେ ଅସୁବିଧା କେଉଁଠି ଥିଲା ?

(୪) ଯଦି ପ୍ରକାଶ୍ୟରେ ଚାନ୍ଦା ମିଳୁଥିବାରୁ ରାଜନୈତିକ ଦଳମାନଙ୍କୁ ଅଧିକ ଅର୍ଥ ମିଳୁ ନଥିଲା ତାହେଲେ ନ ମିଳୁ। ସେମାନଙ୍କୁ ନିର୍ବାଚନ ବେଳେ ଏତେ ଟଙ୍କା ଖର୍ଚ୍ଚ କରିବାକୁ କିଏ କହୁଛି ? ନିର୍ବାଚନ ପରେ ବିଧାୟକ କିଣିବାପାଇଁ ଆବଶ୍ୟକ ଟଙ୍କାର ବନ୍ଦୋବସ୍ତ କରିବା ପାଇଁ ଏପରି ଏକ ଲୁଚାଛପା ବ୍ୟବସ୍ଥା କାହିଁକି ହେବ ? କେଉଁ କାରଣରୁ ସରକାରୀ ଦଳ ବା ବିଜେପିକୁ ସେମାନେ ଅଧିକ ପସନ୍ଦ କରୁଛନ୍ତି ? ସେମାନେ କ’ଣ ସରକାରଙ୍କ କାମ ଓ ସେହି ଦଳର ଆଦର୍ଶକୁ ଏତେ ଭଲ ପାଉଛନ୍ତି ? ଯଦି ପ୍ରକୄତରେ ସେଇଆ ହୋଇଥାଏ ତେବେ ସେମାନେ ଆଗ ଭଳି ଚେକ୍ ମାଧ୍ୟମରେ ଦିଅନ୍ତୁ ନା । ସେମାନଙ୍କର ଅନୈତିକ ସ୍ବାର୍ଥହାସଲ ଓ ନିର୍ବାଚନରେ ଖର୍ଚ୍ଚ କରିବା ପାଇଁ ସରକାରୀ ଦଳର ଅମାପ ଟଙ୍କାର ଆବଶ୍ୟକତା ପାଇଁ ଏମିତି ଗୋଟିଏ ଗୁପ୍ତବ୍ୟବସ୍ଥା କାହିଁକି ହେବ ?
ପୄଥିବୀର ଆଉ କେଉଁ ଗଣତନ୍ତ୍ର ଏପରି ବେନିୟମ ଓ ଅନୈତିକ କାମକୁ ଆଇନସମ୍ମତ କରିଛି ?

(୫) ଏହି ବଣ୍ଡ ବ୍ୟବସ୍ଥା ସପକ୍ଷରେ ଯୁକ୍ତି ବାଢି ସରକାରଙ୍କ ସମର୍ଥକମାନେ କୁହନ୍ତି ଯେ ଏଥିରେ ସବୁକିଛି ବ୍ୟାଙ୍କ ମାଧ୍ୟମରେ ହେଉଥିବାରୁ ଓ ଷ୍ଟେଟବ୍ୟାଙ୍କ୍ କୌଣସି କମ୍ପାନୀକୁ ଯାଞ୍ଚ ପରଖ କରିସାରିବା ପରେ ତାକୁ ବଣ୍ଡ ବିକୁଥିବାରୁ ଏହା କଳାଟଙ୍କା ନୂହେଁ।

ଏହା ଏକ ହାସ୍ୟାସ୍ପଦ ଯୁକ୍ତି। ପ୍ରଥମତଃ ଗତ କିଛି ବର୍ଷରେ ଯେପରିଭାବରେ କିଛି ଲୋକ ବ୍ଯାଙ୍କଗୁଡିକୁ ଠକି ଓ ୠଣ ନ ଫେରାଇ ବିଦେଶକୁ ପଳାଇଛନ୍ତି ସେଥିରୁ ହିଁ ଜଣାପଡେ ବ୍ୟାଙ୍କ ଗୁଡିକ କିପରି ଯାଞ୍ଚ ପରଖ କରନ୍ତି । ଦ୍ବିତୀୟରେ , ଯଦି ଚାନ୍ଦା ଦେଇଥିବା ସେହି କମ୍ପାନୀଟି ଗୋଟିଏ ସେଲ୍ କମ୍ପାନୀ ହୋଇଥିବ ?

ସେଲ୍ କମ୍ପାନୀ କାହାକୁ କୁହାଯାଏ ?

କିଛି ଲୋକ କେବଳ କଳାଟଙ୍କା ଦେଣ ନେଣ କରିବା ପାଇଁ ବିଭିନ୍ନ ଫର୍ଜି କାଗଜ ପତ୍ର ଦେଖାଇ ଗୋଟିଏ କମ୍ପାନୀ ଗଢିଥାନ୍ତି ଓ ତା’ ସହିତ କମ୍ପାନୀ ନାଁରେ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖୋଲିଥାନ୍ତି। ସେହି କମ୍ପାନୀ କେବଳ ନାମକୁ ମାତ୍ର ବ୍ୟବସାୟ କରିଥାଏ। ସେମାନେ ବ୍ୟାଙ୍କ ମାଧ୍ୟମରେ କିଛି କମ୍ପାନୀଙ୍କର କଳା ଟଙ୍କାକୁ ଧଳା କରିବା ପାଇଁ ଟଙ୍କା ଦେଇଥାନ୍ତି ଓ ଆୟକର ରିଟର୍ଣ ମଧ୍ୟ ଦାଖଲ କରିଥାନ୍ତି । କିନ୍ତୁ ସେମାନେ ଜାଣିଥାନ୍ତି ଯେ ଏହା ଦିନେ ନା ଦିନେ ଧରା ପଡିଯିବ। ତେଣୁ ବର୍ଷେ ଦୁଇ ବର୍ଷ ପରେ ସେମାନେ ଆଉ ରିଟର୍ଣ ଭରନ୍ତି ନାହିଁ ଓ ଆପେ ଆପେ ମୄତ ହୋଇଯାଆନ୍ତି।

ଏଠାରେ ଆମର କହିବାର କଥା ହେଲା ଯଦି ଏପରି ଏକ ସେଲ୍ କମ୍ପାନୀ ନିଜ ବ୍ୟାଙ୍କର ଚେକ୍ ଦେଇ ବଣ୍ଡ୍ କିଣିଥିବ ଓ ସେହି ବଣ୍ଡଟିକୁ ସରକାରୀ ଦଳକୁ ଦେଇଥିବ, ତାହେଲେ ଏଠାରେ ସବୁକିଛି ଠିକ୍ ହୋଇଛି ବୋଲି କେମିତି କୁହାଯିବ ?

(୬) ଆଉ ଗୋଟିଏ କଥା। ଆଗରୁ ପ୍ରାବଧାନ ଥିଲା ଯେ ଗୋଟିଏ କମ୍ପାନୀ ତାହାର ଗତ ତିନିବର୍ଷରେ କରିଥିବା ହାରାହାରି ଲାଭର ସର୍ବାଧିକ ୭.୫% ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦେବାରେ ଖର୍ଚ୍ଚ କରି ପାରିବ । କମ୍ପାନୀଟି କେଉଁ ଦଳକୁ କେତେ ଚାନ୍ଦା ଦେଇଛି ତାହା ବାର୍ଷିକ ଆର୍ଥିକ ରିପୋର୍ଟରେ ପରିଷ୍କାର ଭାବେ ଉଲ୍ଲେଖ କରିବ ଯାହା ଫଳରେ କମ୍ପାନୀର ସେୟାରହୋଲ୍ଡରମାନେ ଜାଣିପାରିବେ ସେମାନଙ୍କ କମ୍ପାନୀ କେଉଁ ଦଳକୁ କେତେ ଚାନ୍ଦା ଦେଇଛି । ଏହାଦ୍ବାରା ମଧ୍ଯ ସୁନିଶ୍ଚିତ କରାଯାଉଥିଲା ଯେ ଅତି କମ୍ ରେ ସେହି କମ୍ପାନୀଟି ତିନିବର୍ଷ ହେବ ବ୍ୟବସାୟ କରିଛି ଓ ବ୍ୟବସାୟଜନିତ ଲାଭରୁ ସେହି ଚାନ୍ଦା ଦେଇଛି, ତେଣୁ ତାହା ଏକ ସେଲ୍ କମ୍ପାନୀ ନୂହେଁ।

ମାତ୍ର ମୋଦୀ ସରକାର ସେହି ନିୟମକୁ ହଟାଇ ଦେଇଛନ୍ତି । ତେଣୁ ଏବେ କିଛି ଲୋକ ଏକ କମ୍ପାନୀ ଗଠନ କରି ସେଥିରେ କୌଣସି ବ୍ୟବସାୟ ନକରି ସବୁତକ ଟଙ୍କା ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ସରକାରୀ ଦଳକୁ ଦେଇପାରିବ। ଏହି କାମ ସରିଯିବା ପରେ କମ୍ପାନୀଟି ଆପେ ଆପେ ମୄତ ହୋଇଯିବ ବା ସେଲ୍ କମ୍ପାନୀ ହୋଇଯିବ। କାରଣ କେବଳ ଏହି କାମ କରିବା ପାଇଁ କମ୍ପାନୀଟି ତିଆରି ହୋଇଥିଲା । ତେଣୁ ଏହା ଦ୍ବାରା ସବୁକିଛି ବ୍ୟାଙ୍କ ମାଧ୍ୟମରେ ହେବା ସତ୍ତ୍ବେ ଦଳ ପାଖକୁ କଳାଟଙ୍କା ଆସିଲା ନାହିଁ କି ?

(୭) ଆଗରୁ ‘ବିଦେଶି ଚାନ୍ଦା ନିୟନ୍ତ୍ରଣ ଆଇନ୍’ରେ ଥିଲା ଯେ ଭାରତର କୌଣସି ରାଜନୈତିକ ଦଳ ବିଦେଶି ଚାନ୍ଦା ଗ୍ରହଣ କରିପାରିବ ନାହିଁ । ସରକାର ସେ ନିୟମ ବି ପରିବର୍ତ୍ତନ କରିଦେଲେ। ନୂଆ ନିୟମ ଅନୁଯାୟୀ କୌଣସି ଭାରତୀୟ କମ୍ପାନୀରେ ଯଦି କୌଣସି ବିଦେଶୀ କମ୍ପାନୀର ୫୦% ଅଂଶଧନ ଥାଏ ତେବେ ସେମାନେ ରାଜନୈତିକ ଦଳକୁ ଚାନ୍ଦା ଦେଇ ପାରିବେ। ତେଣୁ ଏଣିକି ବିଦେଶୀ କମ୍ପାନୀମାନେ ମଧ୍ୟ ସେମାନେ ଭାରତରେ ପୁଞ୍ଜି ଲଗେଇଥିବା କୌଣସି କମ୍ପାନୀ ମାଧ୍ୟମରେ ଇଲେକ୍ଟୋରାଲ ବଣ୍ଡ୍ କିଣି ସରକାରୀ ଦଳକୁ ଦେଇ ପାରିବେ ଓ ସରକାରଙ୍କଠାରୁ ନିଜ ମନ ମୁତାବକ କାମ ହାସଲ କରି ପାରିବେ।

ଏହାକୁ ବିଭିନ୍ନ ବିରୋଧୀଦଳ ଭିନ୍ନ ଭିନ୍ନ ସମୟରେ ପ୍ରତିବାଦ ଓ ବିରୋଧ କରିଥିଲେ ହେଁ ଅନ୍ୟାନ୍ୟ ପ୍ରମୁଖ ପ୍ରତିବାଦ ମଧ୍ୟରେ ଏହା ହଜି ଯାଇଥିଲା।

ତେବେ ପ୍ରତିବାଦ କେବଳ ବିରୋଧୀଦଳ କରି ନଥିଲେ। ଯେଉଁଦିନ ବଜେଟରେ ଏହାର ଘୋଷଣା ହେଲା ସେଦିନ ସୋମବାର ଥିଲା। ପୁର୍ବ ଶନିବାର ଦିନ ସରକାର ରିଜର୍ଭ ବ୍ୟାଙ୍କକୁ ମେଲ୍ ପଠାଇ ଏ ବିଷୟରେ ମତ ଦେବାକୁ ଏବଂ ଏଥିପାଇଁ ଆବଶ୍ୟକ ରିଜର୍ଭ ବ୍ୟାଙ୍କ ଆଇନରେ ସଂଶୋଧନ ବିଷୟରେ ପରାମର୍ଶ ଦେବାକୁ କହିଲେ । ବିଷୟଟିର ଭୟଙ୍କର ସାମ୍ଭାବ୍ୟ ପରିଣାମ ରହିଥିବା ଅନୁଭବ କରି ପରଦିନ ରବିବାର ହୋଇଥିଲେ ସୁଦ୍ଧା ରିଜର୍ଭ ବ୍ୟାଙ୍କର ତତ୍କାଳୀନ ଗଭର୍ଣର ଉର୍ଜିତ୍ ପଟେଲ ଏଥିରେ ଘୋର ଆପତ୍ତି ପ୍ରକାଶ କରି ତୁରନ୍ତ ଉତ୍ତର ପଠାଇଲେ। ରିଜର୍ଭ ବ୍ୟାଙ୍କର ବୋର୍ଡ ମଧ୍ୟ ଆପତ୍ତି ଜଣାଇଲେ । ମାତ୍ର ସରକାର ତାଙ୍କ ଜିଦ୍ ରେ ଅଟଳ ରହିଲେ। ଫାଇଲ୍ ରେ ଲେଖାଗଲା ଯେ ରିଜର୍ଭ ବ୍ୟାଙ୍କ ଗଭର୍ଣର ବିଷୟଟିକୁ ବୁଝିପାରି ନାହାନ୍ତି ଓ ବଜେଟ ଛପା ସରିଥିବାରୁ ଆଉ ପଛକୁ ହଟିବାର ସମ୍ଭାବନା ନାହିଁ। ସେତେବେଳର ନିର୍ବାଚନ କମିଶନ ମଧ୍ୟ ଏହାକୁ ଘୋର ବିରୋଧ କରି ଚିଠି ଲେଖିଲେ ମଧ୍ୟ ମନ୍ତ୍ରୀ ସେ ବିଷୟରେ କିଛି ଜାଣି ନାହାନ୍ତି ବୋଲି ପାର୍ଲିଆମେଣ୍ଟରେ ମିଛ କହିଲେ। ଶେଷରେ କମିଶନ ବାଧ୍ୟ ହୋଇ ଏହା ବିରୁଦ୍ଧରେ ସୂପ୍ରୀମ କୋର୍ଟ ଗଲେ ।

ସଂସଦରେ ଥିବା ସଂଖ୍ୟାଗରିଷ୍ଠତା ଓ ବିଶ୍ବସ୍ତ ମିଡିଆର ସହାଯତାରେ ସରକାର ଯେ କେବଳ ମନମୂଖୀଭାବେ ଆଇନ୍ ରେ ପରିବର୍ତ୍ତନ କଲେ ତାହା ନୂହେଁ, ନିଜେ ତିଆରି କରିଥିବା ଆଇନକୁ ମଧ୍ୟ ନିଜ ସୁବିଧା ଅନୁସାରେ ଭାଙ୍ଗି ଚାଲିଲେ । ହଫିଙ୍ଗଟନ ପୋଷ୍ଟରେ ପ୍ରକାଶିତ ସାମ୍ବାଦିକ ନିତୀନ ସେଠିଙ୍କ ରିପୋର୍ଟ ଅନୁସାରେ, ଗତ କର୍ଣାଟକ ନିର୍ବାଚନ ସମୟରେ ଅବଧି ସରିଯାଇଥିବା ୧୦ କୋଟି ଟଙ୍କାର ଏକ ଇଲେକ୍ଟୋରାଲ୍ ବଣ୍ଡକୁ ଗ୍ରହଣ କରିବା ପାଇଁ ସରକାର ଷ୍ଟେଟବ୍ୟାଙ୍କକୁ ବାଧ୍ୟ କରିଥିଲେ।

ଏହିପରି ଭାବେ ୨୦୧୭ ମସିହା ଫେବୄଆରୀ ୧ ତାରିଖରେ ଆଇନ୍ ପରିବର୍ତନ କରି ବେଆଇନର ନାମ ଆଇନ୍ ରଖାଗଲା, ଅସ୍ବସ୍ଥତାର ନାମ ପାରଦର୍ଶିତା ରଖାଗଲା ଓ ଅମାପ ଚାନ୍ଦାସଂଗ୍ରହରେ ଗୋଟିଏ ପାର୍ଟିର ଏକଚାଟିଆ ବ୍ୟବସ୍ଥାକୁ ନିର୍ବାଚନୀ ଗଣତନ୍ତ୍ର ବୋଲି କୁହାଗଲା । ଦେଢବର୍ଷ ଧରି ମାମଲାଟି ସୂପ୍ରୀମ୍ କୋର୍ଟରେ ପଡି ରହିଥିଲେ ମଧ୍ୟ ଏହାର ବିଚାରରେ ବିଶେଷ ଅଗ୍ରଗତି ହୋଇନାହିଁ । ଏଣେ ଦୁର୍ନୀତି, ବିଦେଶୀ ହସ୍ତକ୍ଷେପ ଓ ଦେଶ ଶାସନକୁ ସମ୍ପୁର୍ଣଭାବେ ଅସାଧୁ କମ୍ପାନୀମାନଙ୍କ ନିୟନ୍ତ୍ରଣରେ ଛାଡିବା ପାଇଁ ଦ୍ବାର ସାହାଣ ମେଲା କରି ବିଜେପି ସ୍ଥାୟୀଭାବେ ଶାସନରେ ରହିବା ପାଇଁ ଇଲେକ୍ଟୋରାଲ୍ ବଣ୍ଡର ବନ୍ଦୋବସ୍ତ କରିସାରିଛି । ସ୍ତାବକ ଗଣମାଧ୍ୟମ ପାଇଁ ଏହା ହୁଏତ ଆଉ ଏକ ମାଷ୍ଟରଷ୍ଟ୍ରୋକ୍ ହୋଇପାରେ ମାତ୍ର ଦେଶର ଗଣତନ୍ତ୍ର ପାଇଁ ଏହା ଏକ ଟ୍ରାଜେଡି ।

Categories
ବିଶେଷ ଖବର

ଇଲେକ୍ଟୋରାଲ ବଣ୍ଡ, ଏ ଶତାବ୍ଦୀର ସବୁଠୁ ବଡ ଘୋଟାଲା ବିଷୟରେ ସବୁଆଡେ ଏତେ ନୀରବତା କାହିଁକି?

 କେଦାର ମିଶ୍ର 

 ଇଲେକ୍ଟୋରାଲ ବଣ୍ଡ ମାନେ କଣ? ଏହାର ଉତ୍ତର ଖୋଜିବା ପୃଥିବୀର ସବୁଠୁ କଠିନ କାମ। କିଏ, କାହିଁକି ଓ କାହାପାଇଁ ରାଜନୈତିକ ଦଳଗୁଡିକୁ ଚାନ୍ଦା ଦେଉଛି, ତାହା ମହାନ ଭାରତୀୟ ଗଣତନ୍ତ୍ରରେ ଗୋପନ ହୋଇ ରହୁ ବୋଲି ବ୍ୟବସ୍ଥା କରାଯାଇଛି ଓ ତାହାର ନାଁ ରଖା ଯାଇଛି ଇଲେକ୍ଟୋରାଲ ବଣ୍ଡ। ଆମ ଦେଶରେ ନାଗରିକ ଟଙ୍କାଟିଏ ଯେମିତି ଗୋପନ ରଖିନପାରେ ସେଥିଲାଗି ଆଧାର କାର୍ଡକୁ ବ୍ୟାଙ୍କ ଏକାଉଣ୍ଟ ସହିତ ଯୋଡିବା ଲାଗି ଜିଦ କରୁଥିବା ସରକାର, ରାଜନୈତିକ ଦଳକୁ ମିଳୁଥିବା କୋଟି କୋଟି ଟଙ୍କାର ଚାନ୍ଦାକୁ ଗୋପନୀୟ ରଖିବାକୁ ଚାହୁଁଛି କାହିଁକି? ୨୦୧୭-୧୮ବର୍ଷରେ ୬୦୦୦ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ ବିକ୍ରି ହୋଇଛି ଓ ଏହାର ୯୫% ବିଜେପି ଖାତାକୁ ଆସିଛି। ତେବେ କିଏ ଓ କାହିଁକି ଏ ଚାନ୍ଦା କେଉଁ ସୂତ୍ରରୁ ଦେଇଛି, ତାହା ଜାଣିବାର ବାଟ ନାହିଁ। ବିଚକ୍ଷଣ ଓକିଲ ସ୍ଵର୍ଗତ ଅରୁଣ ଜେଟଲି ଅର୍ଥମନ୍ତ୍ରୀ ଭାବରେ ଏମିତି ଏକ ବ୍ୟବସ୍ଥା କରିଦେଇ ଯାଇଛନ୍ତି, ଯାହାକି ଏ ଦେଶର ସବୁଠୁ ବଡ ଭ୍ରଷ୍ଟାଚାରକୁ ଜନ୍ମ ଦେଇଛି। ରାଜନୈତିକ ଦଳମାନେ କାହାଠୁ କେମିତି ଚାନ୍ଦା ଆଣୁଛନ୍ତି, ତାକୁ ନିର୍ବାଚନ କମିଶନ ପାଖରେ କହିବା ବାଧ୍ୟତାମୂଳକ ଥିଲା। ଇଲେକ୍ଟୋରାଲ ବଣ୍ଡରେ ଏହି ବ୍ୟବସ୍ଥା ଉଠିଗଲା ଓ ଭୋଟର ପାଖରେ ଚାନ୍ଦାର ସୂତ୍ର ବିଷୟରେ ଜାଣିବା ଲାଗି କୌଣସି ବାଟ ରହିଲା ନାହିଁ। ଅତି ସରଳ ଭାଷାରେ କହିଲେ, କଳାଧନକୁ ନିର୍ବାଚନରେ ବ୍ୟବହାର କରିବା ଲାଗି ଇଲେକ୍ଟୋରାଲ ବଣ୍ଡ ଏକ ସହଜ ମାର୍ଗ ପାଲଟିଗଲା।

ତେବେ ଏକଥା ଆମେ କହୁନାହୁଁ, ଯେତେବେଳେ ଏ ସମ୍ପର୍କିତ ପ୍ରସ୍ତାବ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଭାରତ ସରକାରଙ୍କ ଅର୍ଥ ବିଭାଗ ପଠାଇଲେ, ଏହାର ଉତ୍ତରରେ ରିଜର୍ଭ ବ୍ୟାଙ୍କ କହିଲେ ଯେ ଏହି ବ୍ୟବସ୍ଥା କଳାଧନକୁ ରାଜନୀତିରେ ପ୍ରବେଶ କରାଇବା ଲାଗି ସୁଯୋଗ ଦେବ। ଏହା ଆମର ମୁଦ୍ରାକୁ ଦୁର୍ବଳ କରିବା ସହିତ ଆର୍ଥିକ ଭ୍ରଷ୍ଟାଚାରକୁ ପ୍ରୋତ୍ସାହିତ କରିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ରୋକଠୋକ କହିଥିଲା। ତେବେ ଅର୍ଥ ବିଭାଗ ରିଜର୍ଭ ବ୍ୟାଙ୍କର ପ୍ରସ୍ତାବକୁ ଖାରିଜ କରିଦେଇ ଏଇ ବ୍ୟବସ୍ଥାକୁ ଫେବୃଆରି ୨୦୧୭ ବଜେଟରେ ସାମିଲ କରାଗଲା। ତା ପୂର୍ବରୁ ଏ ସମ୍ପର୍କରେ ନିର୍ବାଚନ କମିଶନ, ରିଜର୍ଭ ବ୍ୟାଙ୍କ ଓ ରାଜନୈତିକ ଦଳଗୁଡିକର ଔପଚାରିକ ପରାମର୍ଶ ନିଆ ଯାଇଥିଲା। ନିର୍ବାଚନ କମିଶନ ଏହି ବ୍ୟବସ୍ଥାକୁ ଦୃଢ ବିରୋଧ କରିଥିଲେ ଓ ଏହା ବିରୋଧରେ ସୁପ୍ରିମ କୋର୍ଟରେ ଦାଖଲ ହୋଇଥିବା ମାମଲାରେ ସତ୍ୟପାଠ ମଧ୍ୟ ଦେଇଥିଲେ। ତତ୍କାଳୀନ ମୁଖ୍ୟ ନିର୍ବାଚନ କମିଶନର ଅମଲ କୁମାର ଜୋତି ଏହି ବ୍ୟବସ୍ଥା ଆମର ନିର୍ବାଚନୀ ବ୍ୟବସ୍ଥାକୁ କଳୁଷିତ କରିବ ବୋଲି କହି ଏ ପ୍ରକାର ପ୍ରସ୍ତାବ ନ ଆଣିବାକୁ ପରାମର୍ଶ ଦେଇଥିଲେ।ତେବେ ନିର୍ବାଚନ କମିଶନ ଦେଇଥିବା ମତକୁ ଲୁଚାଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ସଂସଦରେ ଯେଉଁ ବୟାନ ଦେଇଥିଲେ, ତା ବିରୋଧରେ ଏବେ ଅଭିଯୋଗ କରାଯାଇଛି।  ସେହିପରି ଏହି ବ୍ୟବସ୍ଥା ରିଜର୍ଭ ବ୍ୟାଙ୍କ ଦ୍ଵାରା ଆଦୌ ଗ୍ରହଣୀୟ ନୁହେଁ ବୋଲି କୁହାଯାଇଥିଲା। ରାଜନୈତିକ ଦଳ ଗୁଡିକ ଏହି ବ୍ୟବସ୍ଥାର ଚିଠା ପ୍ରସ୍ତାବ ନ ଦେଖି କିଛି କହି ପାରିବେ ନାହିଁ ବୋଲି କହିଥିଲେ।

ଏହି ବ୍ୟବସ୍ଥା ସହ ସମ୍ପୃକ୍ତ ସବୁ ପକ୍ଷ  ଏହାର ବିରୋଧ କରିଥିବା ସତ୍ତ୍ୱେ ଅର୍ଥ ବିଭାଗ ଓ ଖୋଦ ପ୍ରଧାନମନ୍ତ୍ରୀ କାର୍ୟାଳୟ ଇଲେକ୍ଟୋରାଲ ବଣ୍ଡକୁ ଲାଗୁ କରିବା ପାଇଁ ଅହେତୁକ ତତ୍ପରତା ଦେଖାଇଥିଲେ। ଏ ସମ୍ପର୍କିତ ସବୁ କାଗଜପତ୍ର ଏବେ ସୂଚନା ଅଧିକାର ଆଇନ ବଳରେ ଲୋକ ଲୋଚନକୁ ଆସିଛି। ନିର୍ବାଚନୀ ରାଜନୀତିରେ ବ୍ୟାପକ କଳାଧନ ସଂଗ୍ରହ କରିବା ଲାଗି ଏହି ବ୍ୟବସ୍ଥା କରାଯାଇଥିବାର ସ୍ପଷ୍ଟ ପ୍ରମାଣ ମିଳିଛି। ହେଲେ ଏହାକୁ ନେଇ ଆଲୋଚନା କରିବାକୁ ଦେଶର ଗଣମାଧ୍ୟମ ଏତେ ଡରୁଛନ୍ତି କାହିଁକି? ପ୍ରଥମେ ଏ ସମ୍ପର୍କିତ ରିପୋର୍ଟ ହାଫିଙ୍ଗଟନ ପୋଷ୍ଟ ଏବଂ ନ୍ୟୁଜ ଲନ୍ଦ୍ରିରେ ବରିଷ୍ଠ ସାମ୍ବାଦିକ ନିତିନ ସେଠି ପ୍ରକାଶ କରିଥିଲେ। ସୂଚନା ଅଧିକାର କର୍ମୀ କମୋଡର ଲୋକେଶ ବାତ୍ରା ସଂଗ୍ରହ କରିଥିବା କାଗଜପତ୍ରରୁ ଏହି ଘୋଟାଲାର ସବୁ ସତ୍ୟ ଓ ତଥ୍ୟ ଉଜାଗର ହେଲା ପରେ ଆଜି ପ୍ରଥମ ରାଜନୈତିକ ପ୍ରତିକ୍ରିୟା ସଂସଦରେ ଦେଖିବାକୁ ମିଳିଛି। ଇଲେକ୍ଟୋରାଲ ବଣ୍ଡ ବ୍ୟବସ୍ଥାରୁ ସବୁ ରାଜନୈତିକ ଦଳ ଲାଭ ଉଠାଉଥିବାରୁ କେହି ଏହା ଉପରେ ମତ ରଖିବାକୁ ନ ଚାହିଁବା ସ୍ଵାଭାବିକ। ହେଲେ ପୁରା ବଣ୍ଡ ବ୍ୟବସ୍ଥାରୁ ୯୫% ଲାଭ ଶାସକ ଦଳକୁ ଯିବା, ଆମର ନିର୍ବାଚନୀ ବ୍ୟବସ୍ଥାରେ ଭ୍ରଷ୍ଟାଚାରକୁ ସ୍ପଷ୍ଟ କରିଛି।

ସବୁଠୁ ମଜା କଥା ହେଉଛି, ଏତେ ଗୁଡାଏ ପ୍ରମାଣ ମିଳିବା ପରେ ମଧ୍ୟ ବିଜେପି ନିଜର ମୁହଁ ଟାଣ ଦେଖାଇ କହୁଛି, ଏହା ମାଧ୍ୟମରେ କେବଳ ସ୍ବଚ୍ଛ ଅର୍ଥ ନିର୍ବାଚନୀ ରାଜନୀତିକୁ ଆସୁଛି। ଯଦି ଏ ଅର୍ଥ ଏତେ ସ୍ବଚ୍ଛ, ତାକୁ ଗୋପନ ରକ୍ଷା ହେଉଛି କାହିଁକି?

ଏ ପ୍ରକାର ଭ୍ରଷ୍ଟାଚାର  ବିରୋଧରେ ଚୁପ ରହିବାର ଅର୍ଥ ହେଉଛି, ଦେଶରେ ଗଣତନ୍ତ୍ର ବ୍ୟବସ୍ଥାର ହତ୍ୟାଲାଗି ନିଜକୁ ସାମିଲ କରିବା।

Categories
ଆଜିର ଖବର

ଇଲୋକ୍ଟରାଲ ବଣ୍ଡ ପ୍ରତିବାଦରେ ଗୃହତ୍ୟାଗ କଲା କଂଗ୍ରେସ

ଇଲୋକ୍ଟରାଲ ବଣ୍ଡ ଏବଂ ପିଏସ୍‌ୟୁ ଗୁଡିକର ଘରୋଇକରଣକୁ ବିରୋଧ କରି କକ୍ଷତ୍ୟାଗ କରିଛନ୍ତି କଂଗ୍ରେସ ସାଂସଦ । ଉଭୟ ଲୋକସଭା ଏବଂ ରାଜ୍ୟସଭାରେ କଂଗ୍ରେସ ସଦସ୍ୟଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ଉଭୟ ଘଟଣାକୁ ଦୁର୍ନୀତି ବୋଲି ଅଭିହିତ କରି ସାଂସଦ ମାନେ ଏହି ପଦକ୍ଷେପ ନେଇଥିବା ଜଣାପଡିଛି । ସାଂସଦଙ୍କ ହଙ୍ଗାମା ଫଳରେ ରାଜ୍ୟସଭାକୁ ମଧ୍ୟାନ୍ନ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିବା ବେଳେ ଲୋକସଭାକୁ 15 ମିନିଟ୍‌ ମୁଲତବୀ ରଖାଯାଇଥିଲା । ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ନେତୃତ୍ବରେ ସଦସ୍ୟ ମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ । ଏହି ନିୟମ ଦ୍ବାରା ସରକାର ଦେଶବାସୀଙ୍କୁ ଲୁଟୁଛନ୍ତି ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏକ ସ୍ବଚ୍ଛ ସରକାର ପରିଚାଳିତ ହେଉଛି । ଏଥିରେ ଦୁର୍ନୀତିର କୌଣସି ଅବକାଶ ନାହିଁ ବୋଲି ଯୋଶୀ ମତବ୍ୟକ୍ତ କରିଥିଲେ ।

Categories
ବିଶେଷ ଖବର ମତାମତ

ରାଜନୈତିକ ଦଳ ସଂଗ୍ରହ କରୁଥିବା ଚାନ୍ଦା ବିଷୟରେ ସାଧାରଣ ନାଗରିକ ଜାଣିପାରିବ ନାହିଁ କାହିଁକି?

କେଦାର ମିଶ୍ର

ଆଜି ମାନ୍ୟବର ସୁପ୍ରିମକୋର୍ଟ ସବୁ ରାଜନୈତିକ ଦଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନେ ଇଲେକ୍ଟୋରାଲ ବଣ୍ଡ ଜରିଆରେ ଯେତିକି ଅର୍ଥ ସଂଗ୍ରହ କରିଛନ୍ତି, ତାହାର ସବିଶେଷ ବିବରଣୀ ଜଉମୁଦ ଦିଆ ଲଫାପାରେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରନ୍ତୁ। ତେବେ ରାଜନୈତିକ ଦଳ ଗୁଡିକ ବୈଧାନିକ ଭାବରେ ଗ୍ରହଣ କରୁଥିବା ଚାନ୍ଦାକୁ ଗୋପନ ରଖିବାର ଅର୍ଥ କଣ? ଏ ସମ୍ପର୍କରେ ସୁପ୍ରିମ କୋର୍ଟରେ ଶୁଣାଣି ବେଳେ ଆଟର୍ଣ୍ଣୀ ଜେନେରାଲ କେ.କେ.ବେଣୁଗୋପାଳ ଯାହା କହିଥିଲେ ତାହା ଅତ୍ୟନ୍ତ ବିପଜ୍ଜନକ। ସରକାରଙ୍କ ତରଫରୁ ଆଟର୍ଣ୍ଣି ଜେନେରାଲ କହିଥିଲେ ଯେ ରାଜନୈତିକ ଦଳଙ୍କର ଅର୍ଥ ଓ ଚାନ୍ଦା ବିଷୟରେ ଜାଣିବାର ଅଧିକାର ଭୋଟରଙ୍କର ନାହିଁ। ଦେଶର ସର୍ବବୃହତ ଗଣତନ୍ତ୍ରର ସବୁଠୁ ବଡ ସରକାରୀ ଓକିଲ ଯେତେବେଳେ ଏ ପ୍ରକାର ଯୁକ୍ତି ରଖନ୍ତି, ସେଠି ଆମକୁ ଭାବି ନେବାକୁ ପଡିବ ଯେ ଦେଶର ଗଣତନ୍ତ୍ର ଏବେ ବିପନ୍ନ। ଇଲେକ୍ଟୋରାଲ ବଣ୍ଡ ଜରିଆରେ ବିଭିନ୍ନ କର୍ପୋରେଟ କେଉଁ ଦଳକୁ କେତେ ଚାନ୍ଦା ଦେଲେ ତାହା ଗୋପନୀୟ ହୋଇ ରହୁ ବୋଲି ନରେନ୍ଦ୍ର ମୋଦୀ ସରକାର ଏକ ମନି ବିଲ ଲୋକସଭାରେ ପାରିତ କରାଇଛନ୍ତି। ଏହି ଆଧାରରେ ଏବେ ରାଜନୈତିକ ଦଳ ଗୁଡିକ ପାଉଥିବା ଚାନ୍ଦା ବିଷୟକ ତଥ୍ୟ ଆଉ ଲୋକଲୋଚନକୁ ଆସୁନାହିଁ। ରାଜନୈତିକ ଦଳମାନଙ୍କର ମଧ୍ୟ ଗୋପନୀୟତାର ଅଧିକାର ବା ରାଇଟ ଟୁ ପ୍ରାଇଭେସି ରହିଛି ବୋଲି ମୋଦୀ ସରକାର ଯୁକ୍ତି କରୁଛନ୍ତି।

ଏ ସଙ୍କ୍ରାନ୍ତରେ ଆଗତ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ବିଚାର କରି ମାନ୍ୟବର ସୁପ୍ରିମ କୋର୍ଟ ପ୍ରାଥମିକ ଭାବରେ ସବୁ ରାଜନୈତିକ ଦଳ ଇଲେକ୍ଟୋରାଲ ବଣ୍ଡ ଜରିଆରେ ଆସିଥିବା ସବୁ ଚାନ୍ଦାର ସବିଶେଷ ତଥ୍ୟ ଗୋପନୀୟ ଭାବରେ ଦେବାକୁ କହିଛନ୍ତି। ଏକଥା ବିଲକୁଲ ବୁଝା ପଡୁନାହିଁ ଯେ ଖୋଦ ସୁପ୍ରିମ କୋର୍ଟ ସବୁକଥାରେ ଗୋପନୀୟତାକୁ ଏତେ ଗୁରୁତ୍ଵ ଦେବାର କାରଣ କଣ? ରାଫାଲେ ମାମଲାରେ ଜଉମୁଦ ଥିବା ଲଫାପାରେ ସରକାର ସୁପ୍ରିମ କୋର୍ଟକୁ ବିଭ୍ରାନ୍ତ କରିଥିବାର ପ୍ରମାଣ ମିଳି ସାରିଛି। ସେହିପରି ବେଡ ଲୋନ ମାମଲାରେ ୭ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଖାଇଯାଇଥିବା ଶିଳ୍ପପତିଙ୍କ ନାମ ମଧ୍ୟ ଗୋପନ ରହିଛି। ଏବେ ରାଜନୈତିକ ଦଳ ପାଉଥିବା ଚାନ୍ଦା ମଧ୍ୟ ସାମୟିକ ଭାବେ ଗୋପନ ରହୁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ଏଠି ସାଧାରଣ ନାଗରିକ ଭାବରେ ଆମର ପ୍ରଶ୍ନ ହେଲା ଯଦି ଏ ଦେଶର ସବୁକିଛି ଗୋପନୀୟ, ତାହେଲେ ଆମର ଗଣତନ୍ତ୍ର କେବଳ ଏକ ବାହାନା କି? ରାଜତନ୍ତ୍ର ବା ଏକଛତ୍ରବାଦରେ ଗୋପନୀୟତା ଏକ ମୌଳିକ ଆବଶ୍ୟକତା। କିନ୍ତୁ, ଗଣତନ୍ତ୍ରରେ ସ୍ଵଚ୍ଛତା ଓ ପାରଦର୍ଶିତା ହେଉଛି ସର୍ବୋପରି।

ଇଲେକ୍ଟୋରାଲ ବଣ୍ଡ ବ୍ୟବସ୍ଥାକୁ ନିର୍ବାଚନ କମିଶନ ମଧ୍ୟ ଦୃଢ ବିରୋଧ କରିଛନ୍ତି। ତା ସତ୍ତ୍ୱେ ମଧ୍ୟ ଏହା ଉପରେ ପ୍ରତିବନ୍ଧକ  ଲଗା ନଯିବା ଦୁର୍ଭାଗ୍ୟର ବିଷୟ। ସରକାର ଓ ରାଜନୈତିକ ଦଳ ଗୁଡିକର ଅସ୍ତିତ୍ଵ ହେଉଛି, ଭୋଟରଙ୍କ ଇଚ୍ଛା। ଭୋଟରଙ୍କ ଲାଗି ହିଁ ଦଳ ଗୁଡିକ ବଞ୍ଚି ରୁହନ୍ତି। ଯଦି ଭୋଟର ରାଜନୈତିକ ଦଳର ବାସ୍ତବ ସ୍ଥିତି ବିଷୟରେ ଅବଗତ ହେବାର ଅଧିକାର ପାଇବ ନାହିଁ, ତା ହେଲେ ସେ ଭୋଟ ଦେବ କାହିଁକି? ନିର୍ବାଚନରେ ରାଜନୈତିକ ଦଳ ଗୁଡିକ ବ୍ୟବହାର କରୁଥିବା ଅର୍ଥ ଓ ସମ୍ପତ୍ତି ବିଷୟରେ କଡାଗଣ୍ଡା ହିସାବ ମାଗିବାର ଅଧିକାର ସାଧାରଣ ନାଗରିକକୁ ଦିଆ ଯାଇନାହିଁ କାହିଁକି? ସର୍ବଶେଷ ତଥ୍ୟ ଅନୁଯାୟୀ ଇଲେକ୍ଟୋରାଲ ବଣ୍ଡ ଜରିଆରେ ୯୫% ଅର୍ଥରାଶି କେବଳ ଭାରତୀୟ ଜନତା ପାର୍ଟିର ଖାତାକୁ ଆସିଛି। କେଉଁ ସୂତ୍ରରୁ ଏ ଟଙ୍କା ଆସିଛି ଓ କିଏ କାହିଁକି ଏ ଟଙ୍କା ଦେଇଛି, ସେକଥା ଆମଠୁ ଲୁଚାଯିବ କାହିଁକି? ଯେଉଁ ଦଳ ସରକାରରେ ରହୁଛି, ତାକୁ ସର୍ବାଧିକ ଚାନ୍ଦା ମିଳିବାର କାରଣ ସ୍ପଷ୍ଟ । ହେଲେ ସେ ଚାନ୍ଦାର ସଠିକ ବିବରଣୀ ଲୋକଙ୍କଠାରୁ ଲୁଚେଇକି ରଖିବାର ଅର୍ଥ କଣ?

ଏବେ କୁହାଯାଉଛି, ଗତ ପାଞ୍ଚ ବର୍ଷରେ ମୋଦୀ ସରକାର ଅମଳରେ କୌଣସି ବଡ ଘୋଟାଲା ହୋଇନାହିଁ। ତେବେ ରାଫାଲେ କଥା ଉଠିବା ପରେ ଏବେ ଆଉ ସେ ଅନ୍ଧବିଶ୍ଵାସ ଆଉ କାହାର ନାହିଁ। ଏ ସରକାର ଅମଳରେ ଅନେକ ତଥ୍ୟକୁ ଲୁଚେଇ ରକ୍ଷା ଯାଉଛି। ବିଭିନ୍ନ ତଥ୍ୟ ଓ ପରିସଙ୍ଖ୍ୟାନ ଏବେ ଅସ୍ପଷ୍ଟ ବା ଅର୍ଦ୍ଧସ୍ପଷ୍ଟ। ସ୍ଵଚ୍ଛତା ନଥିବା ତଥ୍ୟ କୁ ନେଇ ନିଜକୁ ଦୁର୍ନୀତିମୁକ୍ତ ବୋଲି କହିବା ଅତ୍ୟନ୍ତ ହାସ୍ୟାସ୍ପଦ କଥା। ଦଳ ଭିତରର ଆର୍ଥିକ କାରବାରକୁ ଲୁଚାଇବାକୁ ବିଜେପି ଓ ମୋଦୀ ସରକାର ଯେଉଁ ପ୍ରକାର ଉଦ୍ୟମ କରୁଛନ୍ତି, ସେଥିରେ ସେମାନଙ୍କର ଉଦ୍ଦେଶ୍ୟକୁ ନେଇ ସନ୍ଦେହ ସୃଷ୍ଟି ହେବା ସ୍ଵାଭାବିକ। ଏ ଦେଶର ସାଧାରଣ ନାଗରିକ ଭୋଟ ଦେବା ଆଗରୁ ସବୁ ରାଜନୈତିକ ଦଳଙ୍କ ହିସାବ କିତାବ ଦେଖିବାର ଅଧିକାର ପାଇବା ଉଚିତ ବୋଲି ଆମେ ଆଶା ରଖୁଛୁ। ପରବର୍ତ୍ତୀ ଶୁଣାଣି ପରେ ମାନ୍ୟବର ସୁପ୍ରିମ କୋର୍ଟ ଏ ପ୍ରସଙ୍ଗରେ ଗଣତାନ୍ତ୍ରିକ ମର୍ୟ୍ୟାଦାକୁ ଗୁରୁତ୍ଵ ଦେବେ ବୋଲି ଆମେ ଆଶା ରଖୁଛୁ।

Categories
ଆଜିର ଖବର

ଇଲୋକ୍ଟରାଲ ବଣ୍ଡ ସମ୍ପର୍କରେ ସୂଚନା ଦେବେ ରାଜନୈତିକ ଦଳ

ଶୁକ୍ରବାର ସୁପ୍ରିମ୍‌କୋର୍ଟ ଏକ ଏତିହାସିକ ରାୟ ପ୍ରଦାନ କରିଛନ୍ତି। ସୁପ୍ରିମ୍‌କୋର୍ଟ କହିଛନ୍ତି ରାଜନୈତିକ ଦଳ ମାନେ କଉଁଠାରୁ ନିଜର ଚାନ୍ଦା ସଂଗ୍ରହ କରୁଛନ୍ତି ଏହା ଜାଣିବାର ଅଧିକାର ସାଧାରଣ ଭୋଟରଙ୍କ ରହିଛି। ତେଣୁ ପ୍ରତ୍ୟେକ ରାଜନୈତିକ ଦଳ ନିଜର ଚାନ୍ଦା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିବା ଆବଶ୍ୟକ ବୋଲି ଏକ ଅନ୍ତରୀଣ ଆଦେଶ ଶୁଣାଇଛନ୍ତି। ପୂର୍ବରୁ ରାଜନୈତିକ ଦଳ ଗୁଡିକ କେବଳ ଇଲେକ୍ଟୋରାଲ ବଣ୍ଡ ଜରିଆରେ ଚାନ୍ଦା ସଂଗ୍ରହ କରିପାରିବେ ବୋଲି ଆଦେଶ ଦେଇଥିଲେ କୋର୍ଟ। କୋର୍ଟ କହିଛନ୍ତି ଏହି ଚାନ୍ଦା କିଏ ଦେଉଛି ଯଦି ନ ଜାଣିହେବ ତେବେ ନିର୍ବାଚନରେ କଳାଟଙ୍କାର ପ୍ରଭାବକୁ ଚାହିଁ ମଧ୍ୟ ରୋକି ହେବ ନାହିଁ। ନିର୍ବାଚନ ଆୟୋଗଙ୍କ ସମ୍ମୁଖରେ ସମସ୍ତ ରାଜନୈତିକ ଦଳ ନିଜର ଚାନ୍ଦା ସମ୍ପର୍କିତ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବେ ବୋଲି କୋର୍ଟ ଆଦେଶ ଦେଇଛନ୍ତି। ମେ ୩୦ ସୁଦ୍ଧା ସମସ୍ତ ରାଜନୈତିକ ଦଳ ନିଜର ଚାନ୍ଦା ସମ୍ପର୍କିତ ସୂଚନା ନିର୍ବାଚନ କମିଶନଙ୍କୁ ପ୍ରଦାନ କରିବେ। ଏକ ସ୍ବେଚ୍ଛାସେବୀ ସଙ୍ଗଠନର ଯାଚିକା ଉପରେ ବିଚାର କରି ସର୍ବୋଚ୍ଚ କୋର୍ଟ ଏହି ରାୟ ଶୁଣାଇଛନ୍ତି। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଦୀପକ ଗୁପ୍ତା ଏବଂ ସଞ୍ଜୀବ ଖନ୍ନାଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଥିଲେ।