ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ୯୦ ଟି ସିଟ୍ ପାଇଁ ଭୋଟ୍ ଗଣନା ଚାଲିଛି। ଟ୍ରେଣ୍ଡରେ ବିଜେପି ଆଗୁଆ ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ଏବେ ବିଜେପି ପଛରେ ରହିଛି। ଏହି ସମୟରେ, ପାନିପତରେ ଥିବା କଂଗ୍ରେସ ଏଜେଣ୍ଟ ଭୋଟିଂ ମେସିନରେ ଅନିୟମିତତା ଅଭିଯୋଗ କରିବା ପରେ ପାନିପତ ସିଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ୍ ଗଣନା ବନ୍ଦ ହୋଇଯାଇଛି। ଏଭଳି ପରିସ୍ଥିତିରେ ଏକଜିଟ୍ ପୋଲର ଫଳାଫଳ ଭୁଲ ପ୍ରମାଣିତ ହେଉଥିବା ଜଣାପଡିଛି। ପ୍ରାୟ ସମସ୍ତ ଏକଜିଟ୍ ସର୍ଭେରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଦେଖାଯାଇଛି। ଅକ୍ଟୋବର ୫ ତାରିଖରେ ଅନୁଷ୍ଠିତ ହରିୟାଣା ବିଧାନସଭା ନିର୍ବାଚନରେ ୬୭.୯୦ ପ୍ରତିଶତ ମତଦାନ ହୋଇଥିଲା।
Tag: evm
ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଜି ଲୋକସଭା ଏବଂ ରାଜ୍ୟସଭାର ଉଭୟ ଗୃହରେ ଚର୍ଚ୍ଚା ହେବ। ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ସୋମବାର ଦିନ ଲୋକସଭାରେ NEET ପେପର ଲିକ୍ ଏବଂ ଅଗ୍ନିବୀର ଭଳି ପ୍ରସଙ୍ଗ ଉପରେ କଡ଼ା ଆକ୍ରମଣ କରିଥିଲେ। ରାହୁଲଙ୍କ ଏହି ଭାଷଣ ସବୁଆଡେ ଆଲୋଚନା ହେଉଛି। ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ଜବାବ ଦେବାବେଳେ ସେ ସରକାରଙ୍କୁ ଟାର୍ଗେଟ କରିଥିଲେ ଏବଂ ନିର୍ବାଚନ ସମୟରେ ଦେଇଥିବା ବିବୃତ୍ତି ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଆଜି ଗୃହରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଲୋକସଭାରେ କହିଛନ୍ତି ଯେ, ମୁଁ ଇଭିଏମ୍ ଉପରେ ବିଶ୍ୱାସ କରେ ନାହିଁ। ଯଦିଓ ମୁଁ ଉତ୍ତରପ୍ରଦେଶରେ ୮୦ ଟି ଲୋକସଭା ଆସନ ଜିତିବି, ତେବେ ଇଭିଏମ୍ ଉପରେ କୌଣସି ବିଶ୍ୱାସ ରହିବ ନାହିଁ।
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଇଭିଏମ୍ ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି। ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବ ଟ୍ୱିଟର) ରେ ଏକ ପୋଷ୍ଟରେ ରାହୁଲ ଗାନ୍ଧୀ ମଧ୍ୟ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ତାଙ୍କ ପୋଷ୍ଟରେ ଶିବସେନା ସିନ୍ଦେ ଦଳର ପ୍ରାର୍ଥୀ ରବିନ୍ଦ୍ର ବାୟକରଙ୍କ ସହ ଜଡିତ ଏକ ଖବର ମଧ୍ୟ ସେୟାର କରିଛନ୍ତି। ଏଥିରେ ଇଭିଏମ୍ ସହିତ ଟାମ୍ପରିଂ କରି ଜିତିବା ଅଭିଯୋଗ ହୋଇଛି।
ରାହୁଲ ଗାନ୍ଧୀ ଟ୍ୱିଟରରେ ଲେଖିଛନ୍ତି ଯେ, “ଇଭିଏମ୍ ହେଉଛି ଭାରତରେ ଏକ ‘କଳା ବାକ୍ସ’। ସେଗୁଡିକୁ ଯାଞ୍ଚ କରିବାକୁ କାହାକୁ ଅନୁମତି ନାହିଁ। ଆମର ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ଗମ୍ଭୀର ଚିନ୍ତା ବଢୁଛି। ଯେତେବେଳେ ଅନୁଷ୍ଠାନଗୁଡ଼ିକର ଉତ୍ତରଦାୟିତ୍ୱ ଅଭାବ ହୁଏ, ସ୍ସେତେବେଳେ ଗଣତନ୍ତ୍ର ଏକ ଲୋକ ଦେଖାଣିଆ ହୋଇଥାଏ ଏବଂ ଠକେଇର ସମ୍ଭାବନା ବଢିଯାଏ।
ରାହୁଲ ଗାନ୍ଧୀ ଯେଉଁ ଖବରକୁ ସେୟାର କରିଛନ୍ତି। ତାହା ହେଉଛି ମିଡ୍ ଡେ’ ଖବର। ମିଡ୍ ଡେ’ର ରିପୋର୍ଟରେ କୁହାଯାଇଛି ଯେ, ଏପର୍ଯ୍ୟନ୍ତ ଯାଞ୍ଚରେ ବନରାଇ ପୋଲିସକୁ ରବିନ୍ଦ୍ର ବାୟକରଙ୍କ ସମ୍ପର୍କୀୟ ମଙ୍ଗେଶ ପାଣ୍ଡିଲକରଙ୍କ ବିରୋଧରେ ଅନେକ ପ୍ରମାଣ ମିଳିଛି। ମଙ୍ଗେଶ ପାଣ୍ଡିଲକରଙ୍କୁ ଇଭିଏମ୍ରେ ଟାମ୍ପରିଂ କରାଯାଇଥିବା ଅଭିଯୋଗ ହୋଇଛି, ଏହା ପରେ ବାଇକର ମୁମ୍ବାଇ ଉତ୍ତର ପଶ୍ଚିମ ଲୋକସଭା ଆସନରୁ ୪୮ ଭୋଟରେ ଜିତିଛନ୍ତି। ଅଭିଯୋଗ ହୋଇଛି ଯେ, ଭୋଟ୍ ଗଣିବା ସମୟରେ ମଙ୍ଗେଶ ଯେଉଁ ଫୋନ୍ ବ୍ୟବହାର କରୁଥିଲେ ତାହା ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ସହିତ ସଂଯୁକ୍ତ ଥିଲା।
ପୋଲିସ କହିଛି ଯେ, ଏହି ମୋବାଇଲ୍ ଫୋନ୍ ଇଭିଏମ୍ ମେସିନ୍ ଖୋଲିବା ପାଇଁ OTP ସୃଷ୍ଟି କରିବା ପାଇଁ ବ୍ୟବହୃତ ହୋଇଥିଲା। ଏହି କୌଶଳଟି ଜୁନ୍ ୪ ତାରିଖରେ ନେସ୍କୋ କେନ୍ଦ୍ର ଭିତରେ ବ୍ୟବହୃତ ହୋଇଥିଲା। ଅଭିଯୁକ୍ତ ମଙ୍ଗେଶ ପାଣ୍ଡିଲକର ଏବଂ ଦୀନେଶ ଗୁରୁଭଙ୍କୁ ବନରାଇ ପୋଲିସ ସିଆରପିସି ୪୧ଏ ନୋଟିସ ମଧ୍ୟ ପ୍ରଦାନ କରିଥିଲା, ଯିଏ ନିର୍ବାଚନ ଆୟୋଗ (ଇସି) ଙ୍କ ସହିତ ଏନକୋର (ପୋଲ ପୋର୍ଟାଲ) ଅପରେଟର ଥିଲେ। ପୋଲିସ ବର୍ତ୍ତମାନ ମୋବାଇଲକୁ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (FSL) କୁ ପଠାଇଛି, ଯାହା ଦ୍ଵାରା ମୋବାଇଲ୍ ଫୋନର ତଥ୍ୟ ଜାଣିହେବ ଏବଂ ଫୋନରେ ଉପସ୍ଥିତ ଥିବା ଫିଙ୍ଗର ପ୍ରିଣ୍ଟ ମଧ୍ୟ ନିଆଯାଉଛି।
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଜଣେ ବିଧାୟକଙ୍କୁ ଅନ୍ତରୀଣ ସୁରକ୍ଷା ଯୋଗାଇବା ଉପରେ ସୁପ୍ରିମକୋର୍ଟ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ବାସ୍ତବରେ ଆନ୍ଧ୍ରପ୍ରଦେଶର ମତଦାନ କେନ୍ଦ୍ରରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ନଷ୍ଟ କରିଥିବା ଅଭିଯୋଗ ପରେ ସୁପ୍ରିମକୋର୍ଟ ମଚେରଲା ବିଧାୟକ ପିନେଲି ରାମକୃଷ୍ଣ ରେଡ୍ଡୀଙ୍କୁ ଗଣନା କେନ୍ଦ୍ର କିମ୍ବା ଏହାର ଆଖପାଖ ଅଞ୍ଚଳକୁ ଯିବାକୁ ବାରଣ କରିଛନ୍ତି। କୋର୍ଟ ମନ୍ତବ୍ୟ ଦେଇଛନ୍ତି ଯେ, “ଆମକୁ ପରିହାସ କରାଯାଉଛି କି? ଏହା ନିଶ୍ଚିତ ଭାବରେ ପରିହାସ। ଏତେ ସଂଖ୍ୟକ ଲୋକ କିପରି ମତଦାନ ବୁଥରେ ପ୍ରବେଶ କରିପାରିବେ?”
ଏନଡିଟିଭି ରିପୋର୍ଟ ଅନୁଯାୟୀ, ଜଷ୍ଟିସ ଅରବିନ୍ଦ କୁମାର ଏବଂ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ଖଣ୍ଡପୀଠ ବିରୋଧୀ ଟିଡିପିର ନମ୍ବୁଦରୀ ଶେଶାଗିରି ରାଓଙ୍କ ଦ୍ଵାରା ଦାଖଲ ହୋଇଥିବା ଦୁଇଟି ପିଟିସନର ଶୁଣାଣି କରିଥିଲେ, ଯେଉଁଥିରେ ରେଡ୍ଡି ଏବଂ ତାଙ୍କ ସହଯୋଗୀମାନେ ମତଦାନ ବୁଥ୍ ରେ ପ୍ରବେଶ କରିଥିଲେ ଏବଂ ଇଭିଏମ୍ ଗୁଡିକୁ ନଷ୍ଟ କରିଦେଇଥିଲେ। ଅନ୍ୟପକ୍ଷରେ ଆବେଦନକାରୀ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ, ମତଦାନ ଦିନ ଘଟିଥିବା ଘଟଣା ଲୋକସଭା ନିର୍ବାଚନର ଗଣତି ଦିନ ପୁନରାବୃତ୍ତି ହୋଇପାରେ।
ତେବେ ଆଜି ସୁପ୍ରିମକୋର୍ଟର ଜଷ୍ଟିସ୍ ଅରବିନ୍ଦ କୁମାର ଏବଂ ସନ୍ଦୀପ ମେହେଟ୍ଟା ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ ଗୁରୁତର ପ୍ରଶ୍ନ ଉଠାଇଛନ୍ତି, ଯାହାକୁ ସିଷ୍ଟମର ସମ୍ପୂର୍ଣ୍ଣ ଉପହାସ ବୋଲି କହିଛନ୍ତି। ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଅନ୍ତରୀଣ ସୁରକ୍ଷା ପ୍ରତ୍ୟାହାର କରିବାକୁ ଚିନ୍ତା କରୁଛନ୍ତି, ଯାହା ପିନେଲି ରାମକୃଷ୍ଣ ରେଡ୍ଡୀଙ୍କୁ ଗିରଫ କରିବାର ସୁଯୋଗ ମିଳିଥାନ୍ତା।
ଏଥି ସହ ଜଷ୍ଟିସ ଅରବିନ୍ଦ କୁମାର ଏବଂ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଘଟଣାର ଭିଡିଓ ଦେଖାଇବା ପରେ କହିଛନ୍ତି ଯେ, ଏଭଳି ମାମଲାରେ କୋର୍ଟ କିପରି ଅନ୍ତରୀଣ ସୁରକ୍ଷା ଦେଇପାରିବେ … ଯଦି ଆମେ ଏହି ଆଦେଶ ଉପରେ ରୋକ ନଲଗାଇବା ତେବେ ତାହା ସିଷ୍ଟମର ପରିହାସ ବୋଲି ବିବେଚନା କରାଯିବ। ସୁପ୍ରିମକୋର୍ଟ ଏହା ଉପରେ ଅସନ୍ତୋଷ ବ୍ୟକ୍ତ କରି ଏହା ଏକ ଲାଇଭ ୱେବ୍ ପ୍ରସାରଣ ବୋଲି କହିଥିଲେ।
ନୂଆଦିଲ୍ଲୀ: ବିହାରର ମୁମୁଙ୍ଗେର ଲୋକସଭା ଆସନର ୪୫ ଟି ବୁଥରେ ପୁନଃ ମତଦାନ ପାଇଁ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ବିହାରର ମୁଙ୍ଗେର ଲୋକସଭା ଆସନରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା ଯେଉଁଥିରେ ମତଦାନ କେନ୍ଦ୍ରରେ ଅନିୟମିତତା ଅଭିଯୋଗ ହୋଇଥିଲା ଏବଂ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦାବି କରାଯାଇଥିଲା। ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ମୁଙ୍ଗେର ଲୋକସଭା ଆସନରେ ପୁନଃ-ମତଦାନ କରିବାକୁ ଦାବି କରାଯାଇଛି।
ଏହି ମାମଲାର ଶୁଣାଣିରେ ସୁପ୍ରିମକୋର୍ଟ କ’ଣ କହିଛନ୍ତି?:
ସୁପ୍ରିମକୋର୍ଟ ଆବେଦନକାରୀ ଆରଜେଡି ପ୍ରାର୍ଥୀ କୁମାରୀ ଅନୀତାଙ୍କୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଥିଲେ। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣିରେ କହିଛନ୍ତି ଯେ, ଆବେଦନ ନକରି ହାଇକୋର୍ଟରେ ଅଭିଯୋଗ କରିବା ଆଦୌ ଠିକ୍ ନୁହେଁ। ହାଇକୋର୍ଟ ଖୋଲା ଅଛି, ଆପଣ ସେଠାକୁ ଯାଆନ୍ତୁ, ଆମେ ଏହା ଶୁଣିବୁ ନାହିଁ। ଆରଜେଡି ପ୍ରାର୍ଥୀ କୁମାରୀ ଅନୀତା କୋର୍ଟରେ ଦାଖଲ ହୋଇଥିବା ଆବେଦନକୁ ପ୍ରତ୍ୟାହାର କରି ନେଇଛନ୍ତି।
ଖୋର୍ଦ୍ଧା: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା ୨୫ ତାରିଖ ମତଦାନ ହେବ। ଆଜିଠାରୁ ପୋଲିଂ ଅଧିକାରୀ ବୁଥକୁ ଯାତ୍ରା କରିଛନ୍ତି। ଖୋର୍ଦ୍ଧା ଓ ବେଗୁନିଆ ପାଇଁ ଜିଲ୍ଲା ପଣ୍ୟାଗାର ଏବଂ ଚିଲିକା ପାଇଁ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ, ଖୋର୍ଦ୍ଧା ଷ୍ଟଙ୍ଗରୁମ କରାଯାଇଛି। ଏଠାରୁ ପୋଲିଂ ଓ ପ୍ରିଜାଇଡିଂ ଅଧିକାରୀ ମାନେ ଇଭିଏମ ଓ ଭିଭିପାର୍ଟ ମେସିନ ଧରି ବୁଥରେ କଡା ସୁରକ୍ଷା ବଳୟରେ ପହଞ୍ଚିଛନ୍ତି ବୋଲି ବେଗୁନିଆ ରିଟର୍ଣ୍ଣି ଅଫିସର ବାଦଲ ମହାନ୍ତି କହିଛନ୍ତି।
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ। ଏଥି ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ଏ ମର୍ମରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଚଞ୍ଚଳ ରାଣା କହିଛନ୍ତି ଯେ, ଆସନ୍ତା ୨୩ ତାରିଖରେ ଜୟଦେବ, ଜଟଣୀ, ବେଗୁନିଆ ଓ ଚିଲିକା ନିମନ୍ତେ ପୁଲିଂ ପାର୍ଟିମାନେ ବୁଥ୍ ଅଭିମୁଖେ ଯାତ୍ରା କରିବେ।
ସେହିଭଳି ୨୪ ତାରିଖରେ ଭୁବନେଶ୍ୱର (ମଧ୍ୟ), ଭୁବନେଶ୍ୱର (ଉତ୍ତର), ଏକାମ୍ର ଏବଂ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ନିମନ୍ତେ ପୁଲିଂ ପାର୍ଟିମାନେ ବୁଥ୍ ଅଭିମୁଖେ ଗସ୍ତ କରିବେ। ଜୟଦେବ, ଭୁବନେଶ୍ୱର (ମଧ୍ୟ), ଭୁବନେଶ୍ୱର (ଉତ୍ତର), ଏକାମ୍ର ଏବଂ ଜଟଣୀ ନିମନ୍ତେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ଚିଲିକା ନିର୍ବାଚନ ମଣ୍ଡଳୀ ନିମନ୍ତେ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ, ବେଗୁନିଆ ଓ ଖୋର୍ଦ୍ଧା ନିମନ୍ତେ ଜିଲ୍ଲା ପଣ୍ୟାଗାରରେ ଷ୍ଟ୍ରଙ୍ଗରୁମ୍ର ବ୍ୟବସ୍ଥା କରାଯାଇଛି। ଏଠାରୁ ପୁଲିଂ ପାର୍ଟିମାନେ ସଂପୃକ୍ତ ବୁଥ୍ ନିମନ୍ତେ ଯାତ୍ରା କରି ମତଦାନ ପରେ ଇଭିଏମ୍ଗୁଡ଼ିକୁ ଉକ୍ତ ସ୍ଥାନରେ ଦାଖଲ କରିବେ।
ଚଳିତ ନିର୍ବାଚନ ନିମନ୍ତେ ମୋଟ ୯୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଜୟଦେବ ନିର୍ବାଚନ ମଣ୍ଡଳୀରେ ୮ ଜଣ, ଭୁବନେଶ୍ୱର (ମଧ୍ୟ)ରେ ୧୩ ଜଣ, ଭୁବନେଶ୍ୱର (ଉତ୍ତର)ରେ ୧୨ ଜଣ, ଏକାମ୍ରରେ ୧୨ ଜଣ, ଜଟଣୀରେ ୯ ଜଣ, ବେଗୁନିଆରେ ୧୧ ଜଣ, ଚିଲିକାରେ ୧୦ ଜଣ, ଖୋର୍ଦ୍ଧାରେ ୮ ଜଣ ଏବଂ ଭୁବନେଶ୍ୱର ଲୋକସଭା ପାଇଁ ୧୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି।
ଜିଲ୍ଲାର ମୋଟ ୧୯ ଲକ୍ଷ ୬ ହଜାର ୫୧୮ ଜଣ ଭୋଟରଙ୍କ ମଧ୍ୟରେ ୯ ଲକ୍ଷ ୯୦ ହଜାର ୭୩୪ ଜଣ ପୁରୁଷ, ୯ ଲକ୍ଷ ୧୫ ହଜାର ୨୦୫ ଜଣ ମହିଳା ଏବଂ ୫୭୯ ଜଣ ତୃତୀୟ ଲିଙ୍ଗୀ ଭୋଟର ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସେମାନଙ୍କ ମଧ୍ୟରେ ୧୮-୧୯ ବର୍ଷ ବୟସର ୪୨ ହଜାର ୧୦୦ ଯୁବ ଭୋଟର ଥିବାବେଳେ ୩୨ ହଜାର ୫୭ ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ ନିର୍ବାଚନରେ ନିୟୋଜିତ ଜିଲ୍ଲାର ୫୩୩୧ ଜଣ କର୍ମଚାରୀ ପୋଷ୍ଟାଲ ବାଲାଟ୍ରେ ନିଜ ମତାଧିକାର ସାବ୍ୟସ୍ତ କରିଥିବାବେଳେ ପ୍ରାୟ ଦେଢ଼ ହଜାରରୁ ଅଧିକ ୮୫ ବର୍ଷ ବୟସରୁ ଅଧିକ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭୋଟର ଘରେ ରହି ମତଦାନ କରିଛନ୍ତି।
ଜିଲ୍ଲାର ୧୯୨୩ଟି ବୁଥ୍ ମଧ୍ୟରୁ ୫୨୫ଟି କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ସଖି ବୁଥ୍, ଭିନ୍ନକ୍ଷମ କର୍ମଚାରୀଙ୍କ ଦ୍ୱାରା ୮ଟି ଏବଂ ଯୁବ କର୍ମଚାରୀମାନଙ୍କ ଦ୍ୱାରା ପରିଚାଳିତ ୪୦ଟି ବୁଥ୍ ରହିଛି। ଏଥି ମଧ୍ୟରେ ୨୭ଟି ସମ୍ବେଦନଶୀଳ ଓ ୩୦୬ଟି ଅତିସମ୍ବେଦନଶୀଳ ବୁଥ୍ ରହିଛି। ଏଥି ସହ ୭ଟି ଇକୋ-ଫ୍ରେଣ୍ଡଲି ଏବଂ ୩୮୪ଟି ଆଦର୍ଶ ମତଦାନ କେନ୍ଦ୍ର ରହିଛି।
ସୂଚନାଯୋଗ୍ୟ ଯେ ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀର ସମସ୍ତ ୨୦୦ଟି ମତଦାନ କେନ୍ଦ୍ର କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବ। ଉକ୍ତଦିନଗୁଡ଼ିକରେ ପୁଲିଂ ପାର୍ଟିମାନଙ୍କ ସହାୟତା ନିମନ୍ତେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳ ଯଥା-ଜଟଣୀ, ପିପିଲି, ଖୋର୍ଦ୍ଧା, ବାଳକାଟି, ବାଲିଅନ୍ତା ଓ ବାଲିପାଟଣାର ବିଭିନ୍ନ ରୁଟ୍ରେ ବସ୍ମାନ ଚଳପ୍ରଚଳ କରିବ। ଏହି ବସ୍ଗୁଡ଼ିକ ୨୫ ତାରିଖ ସନ୍ଧ୍ୟା ୭ ଘଟିକାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଚଳପ୍ରଚଳ କରିବ। ପ୍ରତ୍ୟେକ ସଖି ବୁଥ୍ରେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଆନୁଷଙ୍ଗିକ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯିବ। ଏଥି ମଧ୍ୟରେ ୧୧୪୪ଟି ବୁଥ୍ରେ େୱବ୍କାଷ୍ଟିଂ କରାଯିବ। ପ୍ରାୟ ୧୫ ହଜାର ପୁଲିଂ ଅଧିକାରୀ ଏହି ମତାଦନ ପ୍ରକ୍ରିୟା ନିମନ୍ତେ ନିୟୋଜିତ ହୋଇଛନ୍ତି। ଏଥିନିମନ୍ତେ ୧୦ ପ୍ଲାଟୁନ ସିଏପିଫ ଯବାନଙ୍କ ସମେତ ପ୍ରାୟ ୨୨ ପ୍ଲାଟୁନ ସୁରକ୍ଷା କର୍ମଚାରୀ ମୁତୟନ କରାଯାଇଛି। ଆସନ୍ତା ୨୫ ତାରିଖରେ ଜିଲ୍ଲାରେ ସକାଳ ୭ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ।
ଏଥି ସହ ଆବଶ୍ୟକ ସ୍ଥଳେ ସହାୟତା କରିବାକୁ ୨୪ ଜଣ ଇସିଆଇଏଲ୍ ଯନ୍ତ୍ରୀ ଏବଂ ମତଦାନ ପ୍ରକ୍ରିୟାରେ ସହଯୋଗ କରିବାକୁ ୫୫ ଜଣ ସହଯୋଗୀ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ଏତଦ୍ବ୍ୟତୀତ ଜିଲ୍ଲାସ୍ତରରେ ୨୪ ଘଣ୍ଟିଆ ସୂଚନା କେନ୍ଦ୍ର ଖୋଲାଯାଇ ନିର୍ବାଚନ ସଂପର୍କିତ ସମସ୍ତ ଅଭିଯୋଗ ଉପରେ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥି ସହ ୧୯୫୦କୁ କଲ୍ କରି ନାଗରିକମାନେ ବିଭିନ୍ନ ଅଭିଯୋଗ କରିପାରୁଛନ୍ତି।
ଏତଦ୍ବ୍ୟତୀତ ସମସ୍ତ ବୁଥ୍ରେ ବିଦୁ୍ୟତ, ଆଲୋକୀକରଣ, ଖାଦ୍ୟ ଓ ପାନୀୟ ଜଳ, ଶୌଚାଳୟ, ପ୍ରତୀକ୍ଷା ଗୃହ, ସୂଚନା ଫଳକ, ସହାୟତା କେନ୍ଦ୍ର, କ୍ରେଚ୍, ସେଲ୍ଫି ସେଣ୍ଟର, ଡାକ୍ତରୀ ଟିମ୍ର ସୁବିଧା କରାଯାଇଛି। ପ୍ରତ୍ୟେକ ବୁଥ୍ରେ ଦିବ୍ୟାଙ୍ଗ ଭୋଟରମାନଙ୍କ ନିମନ୍ତେ ହ୍ୱିଲ୍ ଚେୟାର ସହ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଭ୍ରାମ୍ୟମାଣ ଡାକ୍ତରୀ ଟିମ୍ ମୁତୟନ ହୋଇଛନ୍ତି। ପ୍ରତ୍ୟେକ ବୁଥ୍ରେ ସହାୟତା ନିମନ୍ତେ ତାଲିମପ୍ରାପ୍ତ ସେ୍ୱଚ୍ଛାସେବୀ ନିଯୁକ୍ତ କରାଯାଇଛି। ଭୋଟରମାନେ ସେମାନଙ୍କର ମତଦାନ କେନ୍ଦ୍ର ଜାଣିବା ନିମନ୍ତେ ଭୋଟର ସୂଚନା ପତ୍ର ଦିଆଯାଇଛି। ଭୋଟରମାନେ ‘ଭୋଟର ହେଲପ୍ ଆପ୍’ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ‘ମୋ ବୁଥ୍’ ଆପ୍ ସହାୟତାରେ ସେମାନଙ୍କର ମତଦାନ କେନ୍ଦ୍ର ଏବଂ ଅବସ୍ଥିତି ସଂପର୍କରେ ବିଶଦ ଭାବେ ଜାଣିପାରିବେ।
ଭୋଟରମାନଙ୍କ ସଚେତନତା ପାଇଁ ଜିଲ୍ଲା ପ୍ରଶାସନ ଓ ବିଏମ୍ସି ପକ୍ଷରୁ ଗଣଦୌଡ଼, ୱାକାଥନ୍, ସାଇକେଲ୍ ଶୋଭାଯାତ୍ରା ଏବଂ ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଜିଲ୍ଲାରେ ତିନିଜଣ ସାଧାରଣ ପର୍ଯ୍ୟବେକ୍ଷକ, ଜଣେ ପୋଲିସ୍ ପର୍ଯ୍ୟବେକ୍ଷକ ଏବଂ ୪ ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିବା ଜିଲ୍ଲାପାଳ ଶ୍ରୀ ରାଣା ସୂଚନା ଦେଇଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଖୋରଧାଏବଂ ନିର୍ବାଚନ ଡେପୁଟି କଲେକ୍ଟର ମନୋଜ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।
ଭୁବନେଶ୍ୱର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ହୋଇସାରିଛି। ମତଦାନ ପରେ ଇଭିଏମ୍ଗୁଡ଼ିକୁ ବିଭିନ୍ନ ଷ୍ଟ୍ରଙ୍ଗ୍ରୁମ୍ରେ ସଂପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ପ୍ରକାଶ କରିଛନ୍ତି।
ପ୍ରଥମ ସ୍ତରରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଓ ଦ୍ୱିତୀୟ ସ୍ତରରେ ରାଜ୍ୟ ସଶସ୍ତ୍ର ପୋଲିସ ବାହିନୀଙ୍କ ସୁରକ୍ଷା ବଳୟ ମଧ୍ୟରେ ଏହି ଷ୍ଟ୍ରଙ୍ଗ୍ରୁମ୍ଗୁଡ଼ିକ ରହିଛନ୍ତି। ସିସିଟିଭି ମନିଟରିଂ ମଧ୍ୟ ଜାରୀ ରହିଛି। ନିର୍ବାଚନରେ ପ୍ରତିଯୋଗିତା କରିଥିବା ପ୍ରାର୍ଥୀମାନଙ୍କ ପ୍ରତିନିଧିମାନେ ମତଗଣନା ପର୍ଯ୍ୟନ୍ତ ଏଠାରେ ଉପସ୍ଥିତ ରହିବାର ବ୍ୟବସ୍ଥା ରହିଛି।
ମତଗଣନା ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଏହି ସମସ୍ତ ଷ୍ଟ୍ରଙ୍ଗ୍ରୁମ୍ ସିଏପିଏଫ୍ (CAPF) ସୁରକ୍ଷା ବଳୟ ମଧ୍ୟରେ ସଂପୂର୍ଣ୍ଣ ସୁରକ୍ଷିତ ଭାବେ ରହିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚିତ କରିଛନ୍ତି। ଏହାପରେ ଆସନ୍ତା ଜୁନ ୪ ତାରିଖରେ ଏହା ଗଣତି ପାଇଁ ଖୋଲାଯିବ।
ନୂଆଦିଲ୍ଲୀ: ଭାରତରେ ୨୦୨୪ ସାଧାରଣ ନିର୍ବାଚନରେ ମତଦାନ ପ୍ରକ୍ରିୟାକୁ ପ୍ରତ୍ୟକ୍ଷ ଭାବେ ଦେଖିଥିବାରୁ ବିଭିନ୍ନ ଦେଶରୁ ଆସିଥିବା ଅନ୍ତର୍ଜାତୀୟ ପ୍ରତିନିଧିମାନେ ଖୁସି ବ୍ୟକ୍ତ କରିଛନ୍ତି। କେତେକ ପ୍ରତିନିଧି ନିର୍ବାଚନରେ ସ୍ୱଚ୍ଛତାକୁ ପ୍ରଶଂସା କରିଥିବା ବେଳେ ଅନ୍ୟମାନେ ଗ୍ରୀନ୍ ପୋଲିଂ ଷ୍ଟେସନ ଭଳି ନିର୍ବାଚନ ଆୟୋଗଙ୍କ ପଦକ୍ଷେପକୁ ପ୍ରେରଣାଦାୟକ ବୋଲି କହିଛନ୍ତି। ଇଭିଏମ-ଭିଭିପାଟ୍ ର ରେଣ୍ଡମାଇଜେସନ୍ ସମେତ ନିର୍ବାଚନରେ ଜ୍ଞାନକୌଶଳର ବ୍ୟାପକ ବ୍ୟବହାରକୁ ପ୍ରତିନିଧିମାନେ ପ୍ରଶଂସା କରିଥିଲେ। ଗଣତାନ୍ତ୍ରିକ ଆଦର୍ଶକୁ ସୁଦୃଢ଼ କରିବା ଦିଗରେ ଭାରତୀୟ ମତଦାତାଙ୍କ ଅତୁଟ ବିଶ୍ୱାସ ଓ ପ୍ରତିବଦ୍ଧତାକୁ ନେଇ ସେମାନେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ବୋଲି କେତେକ ପ୍ରତିନିଧି କହିଛନ୍ତି। ମୋଟାମୋଟି ଭାବରେ,ଭାରତରେ ନିର୍ବାଚନ ପ୍ରକ୍ରିୟା ଏକ ଶାନ୍ତିପୂର୍ଣ୍ଣ, ସମାବେଶୀ,ସୁଲଭ ଏବଂ ଏକ ଉତ୍ସବମୁଖର ମନୋଭାବ ସହିତ ଅନୁଷ୍ଠିତ ହୁଏ ବୋଲି ଭାରତ ଗସ୍ତରେ ଆସିଥିବା ଏହି ଦେଶଗୁଡ଼ିକର ନିର୍ବାଚନ ପରିଚାଳନା ସମିତି ସଦସ୍ୟମାନେ ଏକମତ ହୋଇଥିଲେ।
ଅନ୍ତର୍ଜାତୀୟ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମ (ଆଇଇଭିପି) ଅଧୀନରେ ନିକଟରେ ଶେଷ ହୋଇଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭାରତର ସାଧାରଣ ନିର୍ବାଚନର ପ୍ରତ୍ୟକ୍ଷ ଅନୁଭବ କରିବା ପରେ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇଛି।
ତୃତୀୟ ପର୍ଯ୍ୟାୟରେ ୧୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହୋଇଥିଲା ଏବଂ ପ୍ରତିନିଧିମାନେ ୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ଦେଖିଥିଲେ, ଯେଉଁଥିରେ ବିଶ୍ୱସ୍ତରର ସବୁଠୁ ଅଧିକ ମଣିଷ ଓ ବ୍ୟବସ୍ଥାଗତ ଗତିବିଧି ଦେଖିବାକୁ ମିଳିଥିଲା।
ଆଇଇଭି ୨୦୨୪ର ତୃଣମୂଳସ୍ତରରେ ଅନୁଭୂତି
କର୍ଣ୍ଣାଟକ
କାମ୍ବୋଡିଆ, ଟ୍ୟୁନିସିଆ, ମୋଲଡୋଭା, ସେସେଲ୍ସ ଏବଂ ନେପାଳର ପ୍ରତିନିଧିମାନେ କର୍ଣ୍ଣାଟକର ବେଲଗାମ ସଂସଦୀୟ ନିର୍ବାଚନ ମଣ୍ଡଳୀ ଗସ୍ତ କରି ମତଦାନ କେନ୍ଦ୍ର ଭିତରେ ମତଦାନ ଅଧିକାରୀ ଓ ପ୍ରିଜାଇଡିଂ ଅଫିସରଙ୍କ ସହ ଆଲୋଚନା କରିଥିଲେ, ଛାୟା ମତଦାନ ବା ମକ୍ ପୋଲ୍ ଦେଖିଥିଲେ, କମାଣ୍ଡ କଣ୍ଟ୍ରୋଲ ସେଣ୍ଟର, ମିଡିଆ ମନିଟରିଂ ସୁବିଧା ପରିଦର୍ଶନ କରିଥିଲେ। ଛାୟା ମତଦାନ ବା ମକ୍ ପୋଲ୍, ମତଦାନ କେନ୍ଦ୍ର ଭିତରେ ପ୍ରାର୍ଥୀଙ୍କ ପ୍ରତିନିଧିଙ୍କ ଉପସ୍ଥିତି ଓ ସମ୍ପୃକ୍ତି ଯୋଗୁଁ ପ୍ରତିନିଧିମାନେ ସ୍ୱଚ୍ଛତାକୁ ପ୍ରଶଂସା କରିଥିଲେ।
ଗୋଆ
ଭୁଟାନ, ମଙ୍ଗୋଲିଆ ଏବଂ ଇସ୍ରାଏଲର ଏକ ଗଣମାଧ୍ୟମ ଟିମ୍ ଗୋଆର ଉଭୟ ନିର୍ବାଚନ ମଣ୍ଡଳୀରେ ମତଦାନ ଏବଂ ଆନୁସଙ୍ଗିକ ବ୍ୟବସ୍ଥା ଦେଖିଥିଲେ। ମକ୍ ପୋଲ୍, କମାଣ୍ଡ କଣ୍ଟ୍ରୋଲ ସେଣ୍ଟର, ମିଡିଆ ମନିଟରିଂ ସେଣ୍ଟର ଓ ଡେସପ୍ୟାଚ୍ସେଣ୍ଟର ସମ୍ପର୍କରେ ମଧ୍ୟ ସେମାନଙ୍କୁ ଅବଗତ କରାଯାଇଥିଲା। ଭୂଟାନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଏବଂ ଭୁଟାନ ଓ ମଙ୍ଗୋଲିଆର ନିର୍ବାଚନ ଅଧିକାରୀମାନେ ନିର୍ବାଚନ ପରିଚାଳନାରେ ମତଦାନ କେନ୍ଦ୍ର ଭିତରେ ରାଜନୈତିକ ଦଳ, ଗଣମାଧ୍ୟମ, ପ୍ରାର୍ଥୀଙ୍କ ପ୍ରତିନିଧିଙ୍କୁ ସାମିଲ କରିବାରେ ସ୍ୱଚ୍ଛତାକୁ ପ୍ରଶଂସା କରିଥିଲେ। ଦିବ୍ୟାଙ୍ଗ ପୋଲିଂ ଷ୍ଟେସନ ଏବଂ ପିଙ୍କ ପୋଲିଂ ଷ୍ଟେସନକୁ ପରିଦର୍ଶନ କରି ପ୍ରତିନିଧିମାନେ ଏହାକୁ ପ୍ରଶଂସା କରିବା ସହଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।
ପ୍ରତିନିଧିମାନେ ଇଭିଏମ୍-ଭିଭିପ୍ୟାଟର ରେଣ୍ଡମାଇଜେସନ୍ ପାଇଁ ସଫ୍ଟୱେରର ବ୍ୟବହାରକୁ ସେମାନେ ପ୍ରଶଂସା କରିଥିଲେ।
ମଧ୍ୟପ୍ରଦେଶ
ଶ୍ରୀଲଙ୍କା ଏବଂ ଫିଲିପାଇନ୍ସର ପ୍ରତିନିଧିଙ୍କୁ ନେଇ ଗଠିତ ଏକ ୧୧ ଜଣିଆ ଅନ୍ତର୍ଜାତୀୟ ଟିମ୍ ଭୋପାଳ, ବିଦିଶା, ସିହୋର ଏବଂ ରାଇସେନ ନିର୍ବାଚନ ମଣ୍ଡଳୀର ମତଦାନ କେନ୍ଦ୍ର ପରିଦର୍ଶନ କରି ଲୋକସଭା ନିର୍ବାଚନର ପ୍ରକ୍ରିୟା ସମ୍ପର୍କରେ ପ୍ରାଥମିକ ସୂଚନା ହାସଲ କରିଛନ୍ତି। ମତଦାତାଙ୍କ ସହ କଥାବାର୍ତ୍ତା କରି ସେମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାରତୀୟ ନାଗରିକଙ୍କ ଉତ୍ସାହ ଓ ସକ୍ରିୟ ଅଂଶଗ୍ରହଣକୁ ଅନୁଭବ କରିଥିଲେ। ନିଜ ଅନୁଭୂତିକୁ ପ୍ରତିଫଳିତ କରି ପ୍ରତିନିଧିମାନେ ଭାରତରେ ଦେଖିଥିବା ଜୀବନ୍ତ ଗଣତନ୍ତ୍ରକୁ ପ୍ରଶଂସା କରିଥିଲେ। ଗଣତାନ୍ତ୍ରିକ ଆଦର୍ଶକୁ ସୁଦୃଢ଼ କରିବା ଦିଗରେ ଭାରତୀୟ ଭୋଟରଙ୍କ ଅତୁଟ ବିଶ୍ୱାସ ଓ ପ୍ରତିବଦ୍ଧତାକୁ ନେଇ ସେମାନେ ବିଶେଷ ଭାବରେ ପ୍ରଭାବିତ ହୋଇଥିଲେ।
ଉତ୍ତର ପ୍ରଦେଶ
ଚିଲି, ଜର୍ଜିଆ, ମାଳଦ୍ୱୀପ, ନାମିବ୍ୟା, ପାପୁଆ ନ୍ୟୁ ଗିନି ଏବଂ ଉଜବେକିସ୍ତାନର ପ୍ରତିନିଧିମାନେ ୭ ମେ, ୨୦୨୪ରେ ଉତ୍ତରପ୍ରଦେଶର ଫତେପୁର ସିକ୍ରି ଏବଂ ଆଗ୍ରା ସଂସଦୀୟ କ୍ଷେତ୍ରରେ ମତଦାନ ଦେଖିଥିଲେ। ଏହି ଦୁଇ ନିର୍ବାଚନ ମଣ୍ଡଳୀଅଧୀନରେ ରହିଥିବା ତାଜମହଲ ଏବଂ ଫତେପୁର ସିକ୍ରିର ସ୍ଥାପତ୍ୟ ଶୈଳୀ ଦେଖିବା ପାଇଁ ଅତିଥିମାନଙ୍କୁ ନିଆଯାଇଥିଲା। ମତଦାନ ଦିନ ଏବଂ ମତଦାନ ଦିନର ପୂର୍ବ ଦିନ ସେମାନେ ବିଭିନ୍ନ ବ୍ୟବସ୍ଥା/କାର୍ଯ୍ୟକଳାପ ସମ୍ପର୍କରେ ଅବଗତ ହୋଇଥିଲେ। ଭାରତରେ ନିର୍ବାଚନ ପ୍ରକ୍ରିୟା ଏକ ଶାନ୍ତିପୂର୍ଣ୍ଣ, ସମାବେଶୀ ଏବଂ ସୁଲଭ ବୋଲି ଏହି ଦେଶଗୁଡ଼ିକର ନିର୍ବାଚନ ପରିଚାଳନା ସମିତିର ସଦସ୍ୟମାନେ ସହମତ ହୋଇଥିଲେ।
ଗୁଜରାଟ
ଅହମ୍ମଦାବାଦରେ ହେବାକୁ ଥିବା ଲୋକସଭା ନିର୍ବାଚନ ୨୦୨୪ ପାଇଁ ଫିଜି, ଅଷ୍ଟ୍ରେଲିଆ, ରୁଷ, ମାଡାଗାସ୍କର, କିର୍ଗିଜସ୍ତାନର ପ୍ରତିନିଧିମାନେ ପ୍ରାକ୍ ନିର୍ବାଚନ ବ୍ୟବସ୍ଥା ଏବଂ ମତଦାନ ପ୍ରକ୍ରିୟା ଦେଖିଥିଲେ। ଡବଲ ଲକ୍ ବ୍ୟବସ୍ଥା ଥିବା ଷ୍ଟ୍ରଙ୍ଗରୁମ୍ ଏବଂ ଇଭିଏମ୍ ର ପ୍ରଭାବଶାଳୀ ସୁରକ୍ଷା କୁ ସୁନିଶ୍ଚିତ କରିବା ପାଇଁ ସଶସ୍ତ୍ର ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥିବାରୁ ପ୍ରତିନିଧି ଦଳ ପ୍ରଭାବିତ ହୋଇଥିଲେ। ଅହମ୍ମଦାବାଦ ପୂର୍ବ ସଂସଦୀୟ କ୍ଷେତ୍ରର ସାନନ୍ଦ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମହିଳାଙ୍କ ଦ୍ୱାରା ପରିଚାଳିତ ମତଦାନ କେନ୍ଦ୍ରଗୁଡ଼ିକୁ ମଧ୍ୟ ପ୍ରତିନିଧିଙ୍କ ଦ୍ୱାରାପ୍ରଶଂସା କରାଯାଇଥିଲା। ଏହା ମହିଳାମାନଙ୍କ ଉପରେ ଆତ୍ମବିଶ୍ୱାସ ଏବଂ ସେମାନଙ୍କ ଅଂଶଗ୍ରହଣକୁ ବଢ଼ାଉଥିବା ସେମାନେ ମତପ୍ରକାଶ କରିଥିଲେ। ବୟସ୍କ ଭୋଟରଙ୍କୁ ସାହାଯ୍ୟ କରିବା ପାଇଁ ସ୍ୱେଚ୍ଛାସେବୀଙ୍କ ସହ ସବୁ ସ୍ଥାନରେ ରାମ୍ପ ଓ ହ୍ୱିଲଚେୟାରର ସୁବିଧାକୁ ମଧ୍ୟ ପ୍ରଶଂସା କରାଯାଇଥିଲା। ଦୃଷ୍ଟିହୀନ ଭୋଟରଙ୍କ ପାଇଁ ବ୍ରେଲ ବାଲଟ ପେପର ବ୍ୟବସ୍ଥାମଧ୍ୟ ଦୃଷ୍ଟିହୀନ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ଭଲ ପଦକ୍ଷେପ ବୋଲି ଅନ୍ତର୍ଜାତୀୟ ପ୍ରତିନିଧିମାନେ ପ୍ରଂସା କରିଥିଲେ।
ମହାରାଷ୍ଟ୍ର
ବାଂଲାଦେଶ, ଶ୍ରୀଲଙ୍କା, କାଜାଖସ୍ତାନ ଏବଂ ଜିମ୍ବାୱେର ନିର୍ବାଚନ ପରିଚାଳନା ସଂସ୍ଥାର ପ୍ରତିନିଧିମାନେ ମହାରାଷ୍ଟ୍ରର ରାୟଗଡ ସଂସଦୀୟ କ୍ଷେତ୍ର ପରିଦର୍ଶନ କରି ନିର୍ବାଚନ ପୂର୍ବ ବ୍ୟବସ୍ଥା, ମତଦାନ ଦଳ ଗୁଡ଼ିକର ବିସ୍ତାର ଏବଂ ଅନ୍ୟାନ୍ୟ ଲଜିଷ୍ଟିକ୍ସଦେଖିଥିଲେ। ଏହି ଦଳ ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଫିସର, ପ୍ରିଜାଇଡିଂ ଅଫିସର ଏବଂ ଅନ୍ୟ ନିର୍ବାଚନ ସମ୍ବନ୍ଧୀୟ ଅଧିକାରୀଙ୍କ ସହ ଭାରତୀୟ ନିର୍ବାଚନର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ। ମତଦାନ କେନ୍ଦ୍ରରେ ସ୍ୱଚ୍ଛତା ବ୍ୟବସ୍ଥାଦେଖି ପ୍ରତିନିଧିମାନେ ପ୍ରଭାବିତ ହୋଇଥିଲେ।
ପୃଷ୍ଠଭୂମି
ଅଷ୍ଟ୍ରେଲିଆ, ବାଂଲାଦେଶ ଭୁଟାନ, କାମ୍ବୋଡିଆ, ଚିଲି, ଫିଜି, ଜର୍ଜିଆ, କାଜାଖସ୍ତାନ, କିର୍ଗିଜ ପ୍ରତିନିଧି, ମାଡାଗାସ୍କର, ମାଳଦ୍ୱୀପ, ମଙ୍ଗୋଲିଆ, ମୋଲଡୋଭା, ନାମିବିଆ, ନେପାଳ, ନ୍ୟୁ ଗିନି, ଫିଲିପାଇନ୍ସ, ରୁଷିଆ, ସେସେଲ୍ସ, ଶ୍ରୀଲଙ୍କା, ଟ୍ୟୁନିସିଆ, ଉଜ୍ବେକିସ୍ତାନ, ଜିମ୍ବାୱେ ଭଳି ୨୩ଟି ଦେଶର ପ୍ରତିନିଧି ୫ ମେ ୨୦୨୪ ରେ ତୃତୀୟ ପର୍ଯ୍ୟାୟ ମତଦାନ ଦେଖିବା ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଅଧିବେଶନରେ ସେମାନେ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର ଏବଂ ଡ. ସୁଖବୀର ସିଂହ ସାନ୍ଧୁଙ୍କ ସହ ଆଲୋଚନା କରିଥିଲେ। ଏହାପରେ ପ୍ରତିନିଧିମାନେ ୬ଟି ଛୋଟ ଛୋଟ ଦଳରେ ବିଭକ୍ତ ହୋଇ ବିଭିନ୍ନ ରାଜ୍ୟ ଯଥା କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ, ଉତ୍ତରପ୍ରଦେଶ, ଗୋଆ ଓ ମଧ୍ୟପ୍ରଦେଶ ଗସ୍ତ କରିବା ସହ ଏଥିପାଇଁ ୧୩ଟି ନିର୍ବାଚନ ମଣ୍ଡଳୀର ମତଦାନ କେନ୍ଦ୍ର ପରିଦର୍ଶନ କରିଥିଲେ। ନିର୍ବାଚନ ପ୍ରସ୍ତୁତି, ଲଜିଷ୍ଟିକ୍ସ ଏବଂ ୱେବକାଷ୍ଟିଂ ବ୍ୟବସ୍ଥା ଦେଖିବା ସହ ନିର୍ବାଚନ ପୂର୍ବ ଦିନ ପୋଲିଂ ଅଫିସର ଓ ପ୍ରିଜାଇଡିଂ ଅଫିସରଙ୍କ ସହ ଯୋଗାଯୋଗ କରିବା ଏବଂ ମକ୍ ପୋଲ୍ ଦେଖିବା, ପ୍ରକୃତ ମତଦାନ ଦେଖିବା ଏବଂ ନିର୍ବାଚନ ଦିନ ଅର୍ଥାତ୍ ୭ ମେ, ୨୦୨୪ରେ ଭୋଟରଙ୍କ ସହ ଆଲୋଚନା କରିବା ପାଇଁ ରାଜ୍ୟର ସିଇଓମାନେ ଏହି ଗୋଷ୍ଠୀଗୁଡ଼ିକର ଗସ୍ତ ଆୟୋଜନ କରିଥିଲେ।
ନୂଆଦିଲ୍ଲୀ: ଭୋଟର ଭେରିଫାଏଡ୍ ପେପର ଅଡିଟ୍ ଟ୍ରେଲ୍ (VVPAT) ସହିତ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ରେ ଦିଆଯାଉଥିବା ଭୋଟର ଶତପ୍ରତିଶତ ଯାଞ୍ଚ ଦାବିରେ ସୁପ୍ରିମକୋର୍ଟ ଏକ ବଡ ରାୟ ଦେଇଛନ୍ତି। VVPAT ସ୍ଲିପ୍ ମେଳଣ ସହ ଜଡିତ ସମସ୍ତ ଆବେଦନକୁ କୋର୍ଟ ଖାରଜ କରିଛନ୍ତି।
ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ, ଫଳାଫଳ ଘୋଷଣା ହେବାର ୭ ଦିନ ମଧ୍ୟରେ ପ୍ରାର୍ଥୀ ପୁନଃ-ଯାଞ୍ଚ ପାଇଁ ଦାବି କରିପାରିବେ। ଇଞ୍ଜିନିୟରମାନେ ମାଇକ୍ରୋ କଣ୍ଟ୍ରୋଲରର ମେମୋରୀ ଯାଞ୍ଚ କରିବେ। ପ୍ରାର୍ଥୀଙ୍କୁ ଏହି ଅନୁସନ୍ଧାନର ଖର୍ଚ୍ଚ ବହନ କରିବାକୁ ପଡିବ। ଯଦି ଏହା ଭୁଲ ପ୍ରମାଣିତ ହୁଏ, ତେବେ ଟଙ୍କା ଫେରସ୍ତ ହେବ।
ଏଥିସହ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପାଙ୍କର ଦତ୍ତଙ୍କ ଖଣ୍ଡପୀଠ ଭବିଷ୍ୟତରେ VVPAT ସ୍ଲିପରେ ବାର୍ କୋଡ୍ ଉପରେ ବିଚାର କରିବାକୁ ନିର୍ବାଚନ ଆୟୋଗଙ୍କୁ କହିଛନ୍ତି। ଏହା ବ୍ୟତୀତ ବାଲାଟ ପେପର ମାଧ୍ୟମରେ ନିର୍ବାଚନ ହେବାର ଦାବି ମଧ୍ୟ ଖଣ୍ଡପୀଠ ଗ୍ରହଣ କରିନାହାନ୍ତି। ଗତ ଶୁଣାଣିରେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତିରେ ସଂରକ୍ଷିତ ରଖିଥିଲେ।
ଗତ ଶୁଣାଣି ସମୟରେ ଜଷ୍ଟିସ ସଂଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପାଙ୍କର ଦତ୍ତାଙ୍କ ଖଣ୍ଡପୀଠ ଭିଭିପିଏଟ୍ ସହିତ ଇଭିଏମ୍ ମାଧ୍ୟମରେ ଦିଆଯାଇଥିବା ଭୋଟର ଯାଞ୍ଚ ଉପରେ ଆବେଦନ ଉପରେ ନିଜର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ।
ଏହି ସମୟରେ ନିର୍ବାଚନ ଆୟୋଗରେ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟିଙ୍କୁ କୋର୍ଟ କହିଛନ୍ତି ଯେ, ଆମେ ଭୁଲ ପ୍ରମାଣିତ ହେବାକୁ ଚାହୁଁନାହୁଁ କିନ୍ତୁ ଆମର ଅନୁସନ୍ଧାନ ବିଷୟରେ ସମ୍ପୂର୍ଣ୍ଣ ନିଶ୍ଚିତ ହେବାକୁ ଚାହୁଁଛୁ। ଏହି କାରଣରୁ ଆମେ ସ୍ପଷ୍ଟୀକରଣ ମାଗିବାକୁ ଚିନ୍ତା କରିଥିଲୁ ..।’
ବାସ୍ତବରେ, VVPAT ହେଉଛି ଏକ ସ୍ଵାଧୀନ ଭୋଟ୍ ଯାଞ୍ଚ ବ୍ୟବସ୍ଥା। ଏହା ମାଧ୍ୟମରେ, ଭୋଟରମାନେ ଜାଣିପାରିବେ ଯେ ସେମାନଙ୍କର ଭୋଟ୍ ସେହି ବ୍ୟକ୍ତିଙ୍କ ନିକଟକୁ ଯାଇଛି, ଯାହାଙ୍କୁ ସେମାନେ ଭୋଟ୍ ଦେଇଛନ୍ତି।
ନୂଆଦିଲ୍ଲୀ: ଉଦ୍ଧବ ଦଳର ସାଂସଦ ସଞ୍ଜୟ ରାଉତ ବିଜେପି ବିରୋଧରେ ଏକ ବଡ ଅଭିଯୋଗ କରିଛନ୍ତି। ଇଭିଏମ୍ ସମ୍ବନ୍ଧରେ ସେ ଅନେକ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ସଞ୍ଜୟ ରାଉତ କହିଛନ୍ତି ଯେ, “ଆମେ ଇଭିଏମ୍ କୁ ଗଣତନ୍ତ୍ର ଭାବରେ ଗ୍ରହଣ କରୁନାହୁଁ। ଏଥିରେ ଆମେ କାହା ପାଇଁ ଭୋଟ୍ ଦେଇଛୁ ତାହା ଜାଣି ନାହୁଁ। ବାଲାଟ ପେପରରେ ଆମେ କାହାକୁ ଭୋଟ୍ ଦେଇଥିଲୁ ତାହା ଜାଣିଥିଲୁ। ବାଲାଟ ପେପର ମାଧ୍ୟମରେ ନିର୍ବାଚନ କରାଯିବା ଉଚିତ ବୋଲି ଆମେ କହିଆସିଛୁ। କିନ୍ତୁ ବିଜେପି ଆମ କଥା ଶୁଣୁନାହିଁ। ଅନେକ ବଡ ଦେଶରେ ବାଲାଟ ପେପର ମାଧ୍ୟମରେ ନିର୍ବାଚନ ଅନୁଷ୍ଠିତ ହୁଏ। ”
ସଞ୍ଜୟ ରାଉତ ଆହୁରି କହିଛନ୍ତି ଯେ, “ବାଲାଟ ପେପର ମାଧ୍ୟମରେ ନିର୍ବାଚନ କରିବାକୁ ବିଜେପି ଅନ୍ତତଃପକ୍ଷେ ସାହସ ଦେଖାଇବା ଉଚିତ। ବିଜେପି କାହିଁକି ଇଭିଏମକୁ ଏତେ ଭଲ ପାଏ? କୌଣସି ଘୋଟାଲା ଅଛି କି? ବିଜେପି ଇଭିଏମ ମାଧ୍ୟମରେ କୌଣସି ସ୍କାମ କରିବାକୁ ଚାହୁଁଛି କି?”
ଏପରିକି କିଛି ମାସ ପୂର୍ବରୁ ସାଂସଦ ରାଉତ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇଥିଲେ। ଗତ ବର୍ଷ ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମ୍ପର୍କରେ ସଞ୍ଜୟ ରାଉତ ବିଜେପିକୁ ଟାର୍ଗେଟ କରିଥିଲେ। ଶିବସେନା (ୟୁବିଟି) ନେତା କହିଛନ୍ତି ଯେ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ବିଜେପିର ବିଜୟ ଲୋକଙ୍କ ସମର୍ଥନକୁ ପ୍ରତିଫଳିତ କରୁନାହିଁ ବରଂ ‘ଇଭିଏମ୍ ଜନାଦେଶ’ କୁ ଦର୍ଶାଏ।
ଉଲ୍ଲେଖ ଯୋଗ୍ୟ ଯେ, ଗତ ବର୍ଷ ତିନୋଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ବଡ଼ ବିଜୟ ପଞ୍ଜିକରଣ କରିଥିଲା। ସଞ୍ଜୟ ରାଉତ ଏକ ବିବୃତ୍ତିରେ କହିଛନ୍ତି ଯେ, “ନିର୍ବାଚନ ଫଳାଫଳ ଅପ୍ରତ୍ୟାଶିତ ଏବଂ ଆଶ୍ଚର୍ଯ୍ୟଜନକ କିନ୍ତୁ ଆମେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସମ୍ମାନ ଦେଉଛୁ। ଯେତେବେଳେ ଜନାଦେଶ ଆପଣଙ୍କ ଦଳ ବିରୁଦ୍ଧରେ ଯାଏ, ଆପଣଙ୍କୁ ଏହାକୁ ଗ୍ରହଣ କରିବାକୁ ପଡିବ। ତେବେ ମଧ୍ୟପ୍ରଦେଶର ଫଳାଫଳ କେବଳ ଆମ ପାଇଁ ଆଶ୍ଚର୍ଯ୍ୟଜନକ ନୁହେଁ ବରଂ ହୃଦୟ ବିଦାରକ ମଧ୍ୟ। ଚାରିଟି ରାଜ୍ୟ ମଧ୍ୟରୁ ତିନୋଟିର ନିର୍ବାଚନ ଫଳାଫଳକୁ ଇଭିଏମ୍ ଆଦେଶ ଭାବରେ ମାନିବା ଉଚିତ ଏବଂ ଏହାକୁ ଗ୍ରହଣ କରାଯିବା ଉଚିତ୍। ”
ସେହି ସମୟରେ ସଞ୍ଜୟ ରାଉତ ମଧ୍ୟ ସମାନ ବିବୃତ୍ତି ପୁନରାବୃତ୍ତି କରିଥିଲେ। ସେ କହିଥିଲେ ଯେ, ମୁଁ ସେମାନଙ୍କୁ (ବିଜେପି) ବାଲାଟ ପେପର ମାଧ୍ୟମରେ ନିର୍ବାଚନ କରିବାକୁ ଆହ୍ଵାନ କରୁଛି ଏବଂ ଆମେ ଫଳାଫଳ ଦେଖିବୁ।
ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାନ ସେନା (MNS) ମୁଖ୍ୟ ରାଜ ଠାକରେ ଶନିବାର ଦିନ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ବିଷୟରେ ରାଜ ଠାକରେ କହିଛନ୍ତି ଯେ, ଇଭିଏମ୍ ବଦଳରେ ବାଲାଟ ପେପର ମାଧ୍ୟମରେ ମତଦାନ କରାଯିବା ଉଚିତ। ମୋର ପ୍ରଶ୍ନ ହେଉଛି ଯେ, ଯଦି ବିଶ୍ଵର ସର୍ବତ୍ର ଭୋଟ୍ ପେପର ମାଧ୍ୟମରେ କରାଯାଏ, ତେବେ ଭାରତରେ ଏହା କାହିଁକି ଇଭିଏମ୍ ମାଧ୍ୟମରେ କରାଯାଇଥାଏ। ପ୍ରକୃତରେ, ରାଜ ଠାକରେ ଲୋକସଭା ନିର୍ବାଚନ ପୂର୍ବରୁ ସାରା ରାଜ୍ୟ ଗସ୍ତର ଏକ ଅଂଶ ଭାବରେ କଲ୍ୟାଣରେ ଥିଲେ। ଏଠାରେ ସେ କେବଳ ଇଭିଏମ୍ ନୁହେଁ ରାଜ୍ୟ ରାଜନୀତି ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ବିବୃତ୍ତି ଦେଇଛନ୍ତି।
ରାଜ୍ୟର ରାଜନୀତି ସମ୍ପର୍କରେ ସେ କହିଛନ୍ତି ଯେ, ମୁଁ ମହାରାଷ୍ଟ୍ରର ବର୍ତ୍ତମାନର ରାଜନୀତିର ପରିସ୍ଥିତି କେବେ ଦେଖି ନାହିଁ। ବର୍ତ୍ତମାନ ଲୋକମାନଙ୍କୁ ନ୍ୟାୟ ଦେବା ଆବଶ୍ୟକ, ନଚେତ୍ ସେମାନେ ଭାବିବେ ଯେ କେହି ଆମକୁ ଗୋଡ଼ାଇବେ ନାହିଁ ଏବଂ ଯଦି ଜନସାଧାରଣ ଠିକ୍ ସମୟରେ ପଦକ୍ଷେପ ନ ନିଅନ୍ତି, ତେବେ ମହାରାଷ୍ଟ୍ରର ରାଜନୀତି ଆହୁରି ବୁଡ଼ିଯିବ। ଏହା ବ୍ୟତୀତ ସେ କହିଛନ୍ତି ଯେ, ଫେବୃଆରୀ ମାସରେ ମହାରାଷ୍ଟ୍ରର ଜଳ ଅବସ୍ଥା ଆହୁରି ବିଗିଡି ଯାଇଛି, ଅନେକ ସ୍ଥାନରେ ମରୁଡ଼ି ପରିସ୍ଥିତି ଦେଖାଦେଇଛି, କିନ୍ତୁ ଏସବୁକୁ ଲୋକମାନେ ଧ୍ୟାନ ଦେଉନାହାଁନ୍ତି, ବରଂ ଜାତିର ସାହାରା ନିଆଯାଉଛି।
ଶରଦ ପାୱାରଙ୍କ ଉପରେ ରାଜ ଠାକରେଙ୍କ ଟାର୍ଗେଟ:
ରାଜ ଠାକରେ ମଧ୍ୟ ଶରଦ ପାୱାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଛନ୍ତି ଯେ, ଛତ୍ରପତି ଶିବାଜୀ ମହାରାଜଙ୍କ ନାମ ନେଉ ନ ଥିବା ଶରଦ ପାୱାରଙ୍କୁ ଆଜି ତାଙ୍କର ମନେ ପଡିଲା। ସେ କହିଛନ୍ତି ଯେ, ଶରଦ ପାୱାର ବୋଧହୁଏ ଛତ୍ରପତି ଶିବାଜୀ ମହାରାଜଙ୍କ ନାମ ନେଇ ନାହାଁନ୍ତି କାରଣ ସେ ଅନୁଭବ କରିଛନ୍ତି ଯେ ଯଦି ସେ ତାଙ୍କ ନାମ ନିଅନ୍ତି ତେବେ ମୁସଲମାନମାନଙ୍କ ଭୋଟ୍ କଟିଯିବ। ଆଉ ଏବେ ସେ ଛତ୍ରପତି ଶିବାଜୀ ମହାରାଜଙ୍କୁ ମନେ ପକାଉଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଆମର ମହାପୁରୁଷମାନଙ୍କୁ ଜାତିରେ ବିଭକ୍ତ କରିଛୁ।
ପ୍ରକାଶ ଯେ, ନିକଟରେ ରାଜ ଠାକରେ ଏନଡିଏରେ ଯୋଗଦେବା ନେଇ କଳ୍ପନାଜଳ୍ପନା ହୋଇଥିଲା, ଯେତେବେଳେ ମୁମ୍ବାଇ ବିଜେପି ମୁଖ୍ୟ ଆଶିଷ ସୋଲାର ରାଜ ଠାକରେଙ୍କୁ ଭେଟିଥିଲେ। ଉଭୟଙ୍କ ଏହି ସାକ୍ଷାତ ଶିବାଜୀ ପାର୍କରେ ଥିବା ରାଜ ଠାକରେଙ୍କ ଘରେ ହୋଇଥିଲା।
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭାରେ ପରାଜୟ ପରେ ଅନେକ କଂଗ୍ରେସ ନେତା ଲଗାତାର ଇଭିଏମକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ଏପରିକି ଦୁଇଥର ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ମଧ୍ୟ ସ୍ପଷ୍ଟଭାବେ କହିଛନ୍ତି ଯେ ସେ ଇଭିଏମ ଉପରେ ବିଶ୍ୱାସ କରନ୍ତି ନାହିଁ। କିନ୍ତୁ ଜାଣନ୍ତୁ ଭାରତୀୟ ଜନତା ପାର୍ଟି (ବିଜେପି)ର ଏହି ବିଜୟର ଭିତିରି କାହାଣୀ।
ମଧ୍ୟପ୍ରଦେଶରେ ବିଜେପିର ବିଜୟ ପରେ ଉତ୍ସାହିତ କର୍ମୀମାନେ ରାଜ୍ୟ ବିଜେପି ମୁଖ୍ୟ ଭି.ଡି. ଶର୍ମାଙ୍କୁ କାନ୍ଧରେ ବୋହି ତାଙ୍କ ଘରକୁ ନେଇଥିଲେ। ଏହା ଥିଲା ବିଜୟଯାତ୍ରା। ଏହାପରେ ଶର୍ମା ଏହି ବିଜୟ ପଛରେ ଦଳର ରଣନୀତି ବିଷୟରେ ପ୍ରକାଶ କରିଥିଲେ। ଏକଦା ବିଜୟ ନିଶ୍ଚିତ ଭାବୁଥିବା କଂଗ୍ରେସକୁ ଦଳକୁ କିପରି ପରାସ୍ତ କରାଯାଇଛି ବୋଲି ସେ କହିଛନ୍ତି।
ଶର୍ମା କହିଛନ୍ତି ଯେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ରଣନୀତିକୁ ୪୦ ଲକ୍ଷ ବୁଥ ସ୍ତରୀୟ କର୍ମୀ କାର୍ଯ୍ୟକାରୀ କରିଛନ୍ତି। ଏହା ଶାହାଙ୍କ ରଣନୀତିର ଫଳ। ଅମିତ ଶାହା ରାଜ୍ୟର ସମସ୍ତ ବୁଥରେ ୫୧ ପ୍ରତିଶତ ଭୋଟ ଦେବାକୁ ଲକ୍ଷ୍ୟ ରଖିଥିଲେ। ଏହାପରେ ଆମ କର୍ମୀମାନେ ଏହାକୁ ମିଶନ ଭାବି ରାଜ୍ୟର ସମସ୍ତ ୬୪ ହଜାର ୫୨୩ଟି ବୁଥରେ ଦିନରାତି ସଙ୍ଗଠନ କାମ କରିଥିଲେ। ଏହାର ପରିଣାମ ହେଉଛି ଯେ ଆମେ ଆମ ଲକ୍ଷ୍ୟରେ ପହଞ୍ଚିପାରିବା।
ସଂଘର୍ଷର ବର୍ଷେ, ତା’ପରେ ବିଜୟ
ଏଥିପାଇଁ ପ୍ରସ୍ତୁତି କରିବାକୁ ବିଜେପିକୁ ପାଖାପାଖି ବର୍ଷେ ସମୟ ଲାଗିଥିଲା ବୋଲି ସେ କହିଛନ୍ତି। ବିଜେପି ଚୁପ୍ ଚାପ୍ ବୁଥ ସ୍ତରୀୟ କର୍ମୀଙ୍କୁ ନେଇ ଏକ ସେନା ଗଠନ କରିଥିଲା। ଏହି କର୍ମୀମାନେ ଅମିତ ଶାହାଙ୍କ ଯୋଜନାକୁ ଶେଷ ପର୍ଯ୍ୟନ୍ତ ବହନ କରି କଂଗ୍ରେସକୁ ଆଶ୍ଚର୍ଯ୍ୟ କରିଥିଲେ। ଜାନୁଆରୀ ୨୦୨୨ରେ ଦଳ ଅତି କମରେ ୯୬% ବିଧାନସଭାରେ ବୁଥ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଥିଲା। କୁଶାଭାଇ ଠାକରେଙ୍କ ଜନ୍ମ ଶତବାର୍ଷିକୀ ପାଳନ ସମୟରେ ଏହା ଆରମ୍ଭ ହୋଇଥିଲା।
ସବୁ କିଛି ଡିଜିଟାଲ ମାଧ୍ୟମରେ କରାଯାଇଛି
ବିଜେପି ରାଜ୍ୟ ସମ୍ପାଦକ ରଜନୀଶ ଅଗ୍ରୱାଲ କହିଛନ୍ତି, ଏହି ରଣନୀତି କାର୍ଯ୍ୟକାରୀ କରିବା ସମୟରେ ଆମେ ସମସ୍ତ ବୁଥ ସ୍ତରୀୟ କର୍ମୀଙ୍କ ଫଟୋ ସହ ରେକର୍ଡକୁ ଡିଜିଟାଇଜ କରିଥିଲୁ। ସରକାରଙ୍କ ଏହି ଲାଭଦାୟକ ଯୋଜନାରେ ଉପକୃତ ହୋଇଥିବା ହିତାଧିକାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ବୁଥ ସ୍ତରୀୟ କର୍ମୀମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଆମେ ହିତାଧିକାରୀ, ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ଲୋକଙ୍କଠାରୁ ସରକାରଙ୍କ ଯୋଜନା ବିଷୟରେ ପଚାରିଥିଲୁ। ଏହାପରେ ସେ ଏହି ସମ୍ପ୍ରଦାୟର ସମସ୍ତ ଲୋକଙ୍କୁ ସରକାରୀ ଯୋଜନା ବିଷୟରେ ବାରମ୍ବାର ଅବଗତ କରାଇବା ସହ ମନେପକାଉଥିଲୁ। ଏ ନେଇ ଆମେ ପ୍ରତ୍ୟେକ ବ୍ୟକ୍ତିଙ୍କ ସହ କଥା ହୋଇଥିଲୁ। ଆମେ ସେମାନଙ୍କୁ ଆମ ଯୋଜନା ବିଷୟରେ ମନେପକାଇ ଦେଉଥିଲୁ, ଯାହାଫଳରେ ସେମାନେ ବୁଥକୁ ଗଲେ ସେମାନଙ୍କ ମନରେ ଏହା ମନେପଡ଼େ। ସେ କହିଛନ୍ତି ଯେ ଆମେ ମଧ୍ୟ ଡିଜିଟାଇଜେସନରୁ ଉପକୃତ ହୋଇଛୁ ଏବଂ ରାଜ୍ୟ ନେତୃତ୍ୱ ସିଧାସଳଖ କର୍ମୀଙ୍କ ସହ ଯୋଗାଯୋଗରେ ଅଛନ୍ତି।
ଡବଲ୍ ଇଞ୍ଜିନ୍ ସରକାରଙ୍କ ସମସ୍ତ ଯୋଜନାର ହିତାଧିକାରୀଙ୍କ ତାଲିକା ଗାଁ’ଭିତ୍ତିକ, ୱାର୍ଡ ସ୍ତରରେ ଓ ସହରଭିତ୍ତିକ ବୁଥ ସ୍ତରୀୟ କର୍ମୀଙ୍କୁ ପ୍ରଦାନ କରାଯାଇଛି। ଏହା ଶ୍ରମିକମାନଙ୍କୁ ଦିଆଯାଇଥିଲା। ସେ ଦର୍ଶାଇଛନ୍ତି ଯେ କଂଗ୍ରେସ ଏହାର ନିର୍ବାଚନ ପାଇଁ ଘରୋଇ ଏଜେନ୍ସିଗୁଡ଼ିକୁ ଆଉଟସୋର୍ସ କରିଛି ଏବଂ ସେମାନଙ୍କର କୌଣସି ତୃଣମୂଳ ସ୍ତରର କର୍ମୀ ନାହାନ୍ତି।
ଆଦର୍ଶକୁ ଗୁରୁତ୍ୱ
ମାର୍ଚ୍ଚ ମାସରେ ଦଳ ପକ୍ଷରୁ ଏକ ଆଦର୍ଶ ତାଲିମ କର୍ମଶାଳାର ଆୟୋଜନ କରାଯାଇଥିଲା। ଏହି ବୈଠକରେ ମୂଳସ୍ତରର କର୍ମୀଙ୍କ ମଧ୍ୟରେ ଉତ୍ସାହ ରହୁନଥିବା ଅଭିଯୋଗ ହୋଇଥିଲା। ୨୦୧୮ରେ ମଧ୍ୟ ଏଭଳି ଏକ ଅଭିଯୋଗ ଆସିଥିଲା, ଯେଉଁଥିପାଇଁ ଦଳକୁ କ୍ଷତି ସହିବାକୁ ପଡ଼ିଥିଲା। ଏହାପରେ ବିଭିନ୍ନ ପ୍ରଶିକ୍ଷଣ ଅଧିବେଶନରେ ବୁଥ ସ୍ତରୀୟ କର୍ମୀଙ୍କୁ ‘ନେସନ୍ ଫର୍ଷ୍ଟ’ର ଆଦର୍ଶ ସହିତ ପରିଚିତ କରାଯାଇଥିଲା।
କାମରେ ଆସିଲା ଅଯୋଧ୍ୟା ଓ ରାମ ମନ୍ଦିର
ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି, ଅଯୋଧ୍ୟା ଓ ରାମ ମନ୍ଦିର ପ୍ରସଙ୍ଗରେ କର୍ମୀଙ୍କୁ ଏକାଠି କରିବାରେ ଆମେ ସାହାଯ୍ୟ ପାଇଛୁ। ଏହାପରେ ବିଜେପି କେଉଁ ଦିଗକୁ ଯାଉଛି ତାହା କୁହାଯାଇଥିଲା। ସେମାନଙ୍କୁ ଆଦର୍ଶର ଯାତ୍ରା ବିଷୟରେ ବର୍ଣ୍ଣନା କରାଯାଇଥିଲା। ଏସବୁ କଥା ତାଙ୍କ ମନରେ ଗଢ଼ି ଉଠିଥିଲା। ପ୍ରତି ରବିବାର ବୁଥ ସ୍ତରୀୟ କର୍ମୀମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ କି ବାତ୍ ଶୁଣୁଥିଲେ ଏବଂ ଆପରେ ତାଙ୍କ ଫଟୋ ପୋଷ୍ଟ କରୁଥିଲେ।
ଏହାବ୍ୟତୀତ ବୁଥ ସ୍ତରରେ ଦଳ ଅନେକ ନୂଆ ପଦବୀ ସୃଷ୍ଟି କରିଛି। ସୋସିଆଲ ମିଡିଆ ପ୍ରଭାରୀ, ହିତାଧିକାରୀ ପ୍ରଭାରୀ ଏବଂ ପାୱାର ସେଣ୍ଟର ପ୍ରଭାରୀ ଭଳି ପଦବୀ ସୃଷ୍ଟି କରାଯାଇଥିଲା। ଏକ ଶକ୍ତି କେନ୍ଦ୍ରରେ ୬-୮ ଜଣ ବୁଥ ସ୍ତରୀୟ କର୍ମୀ ରହିଥିଲେ। ସମୁଦାୟ ୧୦,୯୧୬ଟି ପାୱାର ଷ୍ଟେସନ ନିର୍ମାଣ କରାଯାଇଥିଲା। ଯେଉଁଥିପାଇଁ ପୃଷ୍ଠା ମୁଖ୍ୟଙ୍କ ନିଯୁକ୍ତି ତ୍ୱରାନ୍ୱିତ ହୋଇଥିଲା। ଏସସି/ଏସଟି ସମ୍ପ୍ରଦାୟର ଅତି କମରେ ୧୦ ଜଣ ଶ୍ରମିକ ହେବା ଆବଶ୍ୟକ ବୋଲି ଜୋରଦାର ଗୁରୁତ୍ୱାରୋପ କରାଯାଇଥିଲା।
ମହିଳାମାନଙ୍କର ଦୃଢ଼ ସମର୍ଥନ ମିଳିଥିଲା
ବହୁ ସଂଖ୍ୟକ ମହିଳା କର୍ମୀଙ୍କ ସମର୍ଥନ ମିଳିଛି। ବିଶେଷ କରି ଏମାନେ ସମସ୍ତେ ଲାଡଲି ଭଉଣୀ (ରାଜ୍ୟ ସରକାରଙ୍କ ମହିଳା କେନ୍ଦ୍ରୀତ ଯୋଜନା) ଥିଲେ। ସେମାନେ ଆମକୁ ସାହାଯ୍ୟ କରିବାକୁ ଆସିଥିଲେ। ସେତେବେଳେ ଆମେ ଜାଣିଥିଲୁ ଯେ ଆମେ ଜିତିଛୁ। ଅନ୍ୟଜଣେ ବିଜେପି ନେତା କହିଛନ୍ତି ଯେ ବୁଥ କର୍ମୀମାନେ ଯେପରି ଏକାକୀ କାମ କରିବେ ନାହିଁ ତାହା ଦଳ ସୁନିଶ୍ଚିତ କରିଛି। ବିଭିନ୍ନ ଅଞ୍ଚଳରେ ବୁଥ ସ୍ତରୀୟ କର୍ମୀଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଖେଳ ଏବଂ ଖାଦ୍ୟର ଯୋଜନା ମଧ୍ୟ ହୋଇଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଓ ପ୍ରତିବାଦଭାବ ପରିବର୍ତ୍ତେ ବନ୍ଧୁ ଭାବ ସୃଷ୍ଟି ହୋଇଥିଲା ଏବଂ ସମସ୍ତେ ନିର୍ବାଚନର ରଣନୀତି ଉପରେ ଆଲୋଚନା ଆରମ୍ଭ କରିଥିଲେ। ଏହାପରେ ସମସ୍ତେ ପରସ୍ପରକୁ ସାହାଯ୍ୟ କରିଥିଲେ । ସେ କହିଛନ୍ତି ଯେ ବୁଥ ସ୍ତରୀୟ କର୍ମୀମାନେ ସମୁଦାୟ ୪୨ ହଜାର ହ୍ୱାଟ୍ସଆପ୍ ଗ୍ରୁପ ସୃଷ୍ଟି କରିଛନ୍ତି ଯାହାଦ୍ୱାରା ପାରସ୍ପରିକ ସହଯୋଗ ବଜାୟ ରହିପାରିଥିଲା।
ଜୁନ୍ ମାସରେ ଆରମ୍ଭ ହୋଇଥିଲା ବଡ଼ ଅଭିଯାନ
ଏହାପରେ ଜୁନ୍ ମାସରେ ବିଜେପିର ସବୁଠାରୁ ବଡ଼ ଯୋଗାଯୋଗ ଅଭିଯାନ ଆରମ୍ଭ ହୋଇଥିଲା। ଏହି ସମୟରେ ବୁଥ୍ ସ୍ତରୀୟ କର୍ମୀମାନେ ଘରକୁ ଘର ବୁଲି ଭୋଟରଙ୍କ ସହ ଯୋଗାଯୋଗ କରିବା ଆରମ୍ଭ କରିଥିଲେ। ଏହି କର୍ମୀମାନେ ଭୋଟରଙ୍କୁ ଗତ ୯ ବର୍ଷମଧ୍ୟରେ କେନ୍ଦ୍ର ସରକାରଙ୍କ ଯୋଜନା ବିଷୟରେ ଅନେକ ସୂଚନା ଦେଇଥିଲେ। ଏହି ଅଭିଯାନ ଚାଲିଥିବାବେଳେ ବିଜେପି କ୍ୟାଡର ସ୍ତରୀୟ କର୍ମୀଙ୍କ ଏକ ଗୋଷ୍ଠୀ ମଧ୍ୟ ଗଠନ କରିଥିଲା। ଏହାପରେ ବିଜେପି ଏଭଳି କାର୍ଯ୍ୟକ୍ରମ ଆୟୋଜନ ଜାରି ରଖିଥିଲା। ଏଠାରେ ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତାମାନେ ଏକାଠି ହୋଇ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିଲେ। ସେ କହିଛନ୍ତି ଯେ ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏଭଳି ଏକ ବୈଠକର ଅଧ୍ୟକ୍ଷତା କରିଥିଲେ।
ଅକ୍ଟୋବର ମାସରେ କର୍ମକର୍ତ୍ତା ମହାକୁମ୍ଭ ଆୟୋଜନ କରାଯାଇଥିଲା, ଯେଉଁଠାରେ ରାଜ୍ୟ ନେତାମାନେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ରଣନୀତିକୁ ଆଗକୁ ବଢ଼ାଇବା ପାଇଁ ବୁଥ ସ୍ତରୀୟ କର୍ମୀମାନଙ୍କୁ ନିବେଦନ କରିଥିଲେ। ସେମାନଙ୍କୁ ନିର୍ବାଚନ ରଣନୀତିର ପ୍ରିଣ୍ଟ ଆଉଟ୍ ଦିଆଯାଇଥିଲା। ଏହି କାମ ପାଇଁ ତାଙ୍କୁ ସମ୍ପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା। ଏଥିରେ ଯେଉଁଠି ବିଜେପି ଦୁର୍ବଳ ଥିବ ସେଠାରେ ତୃତୀୟ ଦଳର ବିଜୟ ସୁନିଶ୍ଚିତ କରିବା ପାଇଁ କର୍ମୀମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା, ଯାହାଦ୍ୱାରା ଭୋଟ୍ ପ୍ରତିଶତ ବିଚ୍ଛିନ୍ନ ହୋଇଯାଇଥିଲା। ଗତ ନିର୍ବାଚନକୁ ଆଧାର କରି ରଣନୀତି ପ୍ରସ୍ତୁତ କରାଯାଇଥିବା ବିଜେପି କହିଛି।
ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀଠାରେ ରାଜ୍ୟର ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ଡେପୁଟି କଲେକ୍ଟରମାନଙ୍କୁ ଇଭିଏମ୍ର ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ସଂପର୍କରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ କର୍ମଶାଳାର ଶୁଭାରମ୍ଭ କରିବା ସହ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନେ ପ୍ରକୃତରେ ଇଭିଏମ୍ଗୁଡ଼ିକର ମାର୍ଫତ୍ଦାର ଅଟନ୍ତି ବୋଲି ମତ ପ୍ରକାଶ କରିଥିଲେ। ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କିମ୍ବା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଭିଏମ୍ ସୁପରଭାଇଜର୍ ଅଟନ୍ତି।
ଜିଲ୍ଲାପାଳ/ଅତିରିକ୍ତ ଜିଲ୍ଲାପାଳମାନେ କର୍ମଶାଳାରେ ସଂପୂର୍ଣ୍ଣ ଭାବେ ଅବଗତ ହେଲେ ଆଗାମୀ ଦିନରେ ହେବାକୁ ଥିବା ଇଭିଏମ୍ର ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ସହଜ ହୋଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ କର୍ମଶାଳାରେ ଉପସ୍ଥିତ ଅଧିକାରୀମାନଙ୍କୁ କହିଛନ୍ତି।
ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଆମ ରାଜ୍ୟରେ ଇଭିଏମ୍ର ଏଫ୍ଏଲ୍ସି ତନଖି କାର୍ଯ୍ୟ ଦୁଇଗୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ୩ ଅକ୍ଟୋବର ଠାରୁ ୨୦ ଅକ୍ଟୋବର ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ୧୦ଗୋଟି ଜିଲ୍ଲା ପାଇଁ ଓ ଅବଶିଷ୍ଟ ୨୦ କୋଟି ଜିଲ୍ଲା ପାଇଁ ୦୧ ନଭେମ୍ବର ଠାରୁ ୧୫ ନଭେମ୍ବର ପର୍ଯ୍ୟନ୍ତ ସଂପୃକ୍ତ ଜିଲ୍ଲାସ୍ତରରେ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି।
ନିର୍ବାଚନ ଆୟୋଗଙ୍କ ତରଫରୁ ଏସ୍. ସୁନ୍ଦରରାଜନ୍ (ଭା.ପ୍ର.ସେ), ନିର୍ଦ୍ଦେଶକ, ଇଭିଏମ୍, ନିର୍ବାଚନ ଆୟୋଗଙ୍କ ସଚିବ ମଧୁସୂଦନ ଗୁପ୍ତା ଏବଂ ଭାରତ ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍ର ଡେପୁଟି ଜି.ଏମ୍ ପି.ସି. ମଣ୍ଡଳ, ରାଜ୍ୟ ଇଭିଏମ୍ ନୋଡାଲ ଅଧିକାରୀ ତଥା ଜାତୀୟ ସ୍ତରୀୟ ମାଷ୍ଟର ଟ୍ରେନର ଶ୍ରୀ ପ୍ରମୋଦ କୁମାର ସାହୁ ପ୍ରମୁଖ କର୍ମଶାଳାରେ ଉପସ୍ଥିତ ରହି ପ୍ରଥମ ପର୍ଯ୍ୟାୟ ଇଭିଏମ୍ ତନଖି କାର୍ଯ୍ୟ ସଂପର୍କରେ ବିସ୍ତୃତ ଭାବେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ଆଗାମୀ ଦିନରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟକ୍ରମରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନେ ସଂପୃକ୍ତ ଜିଲ୍ଲାର ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ଉପସ୍ଥିତ ରହିବା ପାଇଁ ପୂର୍ବରୁ ଚିଠି ମାଧ୍ୟମରେ ଜଣାଇବେ ଓ ତନଖି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ହଲ୍ ମଧ୍ୟରେ ଫଟୋଗ୍ରାଫି/ଭିଡିଓଗ୍ରାଫି କିମ୍ବା ମୋବାଇଲ୍ ବ୍ୟବହାରକୁ ନିର୍ବାଚନ ଆୟୋଗଙ୍କ ତରଫରୁ ସଂପୂର୍ଣ୍ଣ ବାରଣ କରାଯାଇଛି।
ଇଭିଏମ୍ ତନଖି କାର୍ଯ୍ୟକ୍ରମ ହେଉଥିବା ହଲ୍ଟି ସଂପୂର୍ଣ୍ଣ ଭାବେ ସିସିଟିଭି ନଜରରେ ରହିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନେ ନିୟମିତ ଭାବେ ଇଭିଏମ୍ ତନଖି କାର୍ଯ୍ୟକ୍ରମକୁ ପରିଦର୍ଶନ କରିବେ। ଇଭିଏମ୍ ତନଖି କାର୍ଯ୍ୟକ୍ରମ ଶେଷରେ ଇଭିଏମ୍ ସୁପରଭାଇଜର ଏକ ଏଫ୍ଏଲ୍ସି ସାର୍ଟିଫିକେଟ୍ ରାଜନୈତିକ ଦଳର ପ୍ରତିନିଧିଙ୍କୁ ପ୍ରଦାନ କରିବେ।
ଆମ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଇଭିଏମ୍ ତନଖି କାର୍ଯ୍ୟ ନିମନ୍ତେ ନିର୍ବାଚନ ଆୟୋଗଙ୍କ ଜରିଆରେ ପ୍ରାୟ ୩୦୦ ଜଣ ଇଂଜିନିୟର ନିଯୁକ୍ତ ହେବେ ବୋଲି ଭାରତ ଇଲେକ୍ଟ୍ରୋନିକ୍ସର ଡେପୁଟି ଜେନେରାଲ୍ ମ୍ୟାନେଜର୍ ପ୍ରକାଶ କରିଛନ୍ତି। ଇଭିଏମ୍ ତନଖି କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ସକାଳ ୯ଟା ଠାରୁ ଆରମ୍ଭ ହୋଇ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ଚାଲିବ।
ଏହି ସମୟରେ ବ୍ୟାପକ ସୁରକ୍ଷା ନିମନ୍ତେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତରଫରୁ ଏକ ସେକ୍ସନ୍ ପୁଲିସ୍ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି କର୍ମଶାଳାରେ ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଡେପୁଟି କଲେକ୍ଟର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ମିହିର କୁମାର ମହାନ୍ତି, ଯୁଗ୍ମ ସଚିବ ତଥା ଯୁଗ୍ମ ସଚିବ ସଂଜୟ କୁମାର ଲୁଗୁନ୍, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶଙ୍କ ସମେତ ନିର୍ବାଚନ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ସମୀକ୍ଷା ବ୍ୟୁରୋ
ପାଟକୁରା ନିର୍ବାଚନ ସରିଛି ଓ ଆସନ୍ତା ୨୪ରେ ଏହାର ଫଳାଫଳ ଘୋଷଣା ହେବ। ହେଲେ ଫଳ ବାହାରିବା ଆଗରୁ ଇଭିଏମ କୁ ନେଇ ଯେଉଁ ପ୍ରକାର ଗଣ୍ଡଗୋଳ ଘଟୁଛି ଓ ଭୁବନେଶ୍ବରରେ ବିଜେପି ନେତାମାନେ ଯେଉଁପ୍ରକାର ପ୍ରତିକ୍ରିୟା ରଖୁଛନ୍ତି, ସେଥିରୁ ଗୋଟେ କଥା ର ଆଭାସ ଅବଶ୍ୟ ମିଳୁଛି। ପାଟକୁରାରେ ବିଜେପି ନିଜ ସଫଳତାକୁ ନେଇ ବିଶେଷ ଆଶାବାଦୀ ଥିବାଭଳି ଲାଗୁନାହିଁ। ଯଦିଓ ଦଳୀୟ ପ୍ରାର୍ଥୀ ବିଜୟ ମହାପାତ୍ର ନିଜ ପରାଜୟକୁ ନେଇ ଦୃଢୋକ୍ତି ରଖିଛନ୍ତି ଓ ତାଙ୍କର ଅନୁଗତ କିଛିଜଣ ସାମ୍ବାଦିକ ସେ ଅତି କମ ବ୍ୟବଧାନରେ ଜିତିବେ ବୋଲି ପ୍ରଚାର ଚଳାଇଛନ୍ତି, ବିଜେପି କିନ୍ତୁ ନିଜ ଆଚରଣରେ ପରାଜୟକୁ ଏକ ପ୍ରକାର ସ୍ଵୀକାର କରିନେଉଛି। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ପାଟକୁରାରେ ସବୁ ବୁଥରେ ଇଭିଏମ ଜାଲସାଜି ହୋଇଛି ଓ ସବୁ ପ୍ରିଜାଇଡିଂ ଅଫିସର ବିଜେଡ଼ିକୁ ସାହାଯ୍ୟ କରିଛନ୍ତି।
ଏ ପ୍ରକାର କାହାଣୀ ନିର୍ବାଚନ ପରେ ଆତ୍ମା ବିଶ୍ବାସର ଅଭାବରୁ ଆସିଥାଏ। ବର୍ତ୍ତମାନ ସମୟରେ ସାରା ଦେଶରେ ବିଜେପି ଇଭିଏମ ଜାଲସାଜିକୁ ଅସ୍ଵୀକାର କରୁଥିବା ବେଳେ ପାଟକୁରାରେ ଏକାକୀ ତାହା ସମ୍ଭବ ହେବ କେମିତି? କେତୋଟି ସମ୍ବେଦନଶୀଳ ବୁଥରେ ହୁଏତ କିଛି ଅନିୟମିତତା ହୋଇଥାଇପାରେ, ହେଲେ ପୁରା ନିର୍ବାଚନ ସହ ସମ୍ପୃକ୍ତ ସବୁ ପ୍ରିଜାଇଡିଂ ଅଫିସର ବିଜେଡ଼ିର ସହଯୋଗୀ ବୋଲି କହିବା ହାସ୍ୟାସ୍ପଦ ବ୍ୟାପାର। ଗୋଟେ ପୁରା ନିର୍ବାଚନ ମଣ୍ଡଳୀର ଭୋଟ ଗ୍ରହଣ ରେ ଗଡବଡି ହେବା ଅସମ୍ଭବ ନିଶ୍ଚୟ। ତାପରେ ଏକାକୀ ଗୋଟିଏ ନିର୍ବାଚନ ମଣ୍ଡଳୀ ରେ ଭୋଟ ଗ୍ରହଣ ହେଉଥିବାରୁ ସବୁ ରାଜନୈତିକ ଦଳ, ଗଣମାଧ୍ୟମ ଓ ଭୋଟରଙ୍କ ନଜର ଏହାର ପ୍ରତ୍ୟେକ ବୁଥ ଉପରେ ରହିଛି। ତେଣୁ ନିର୍ବାଚନ ପ୍ରକ୍ରିୟାରେ କୌଣସି ପ୍ରକାର ସାମାନ୍ୟ ତ୍ରୁଟି ବିଚ୍ୟୁତି ହେଲେ ଏହାକୁ ଲୋକଙ୍କ ନଜରରୁ ଲୁଚା ଯାଇପାରିବ ନାହିଁ।
ତେବେ ଏକଥା ମଧ୍ୟ ସତ୍ୟ ଯେ ବିଜେପି ନିଜର ପାଟକୁରା ଗଣିତ ବିଷୟରେ ମୂଳରୁ ସଚେତନ। ବିଜୟ ମହାପାତ୍ରଙ୍କୁ ଜିତାଇବା ଲାଗି ବିଜେପି ଯେ ଆବଶ୍ୟକୀୟ ହୋମୱାର୍କ କରିନାହିଁ, ସେକଥା ଜଳ ଜଳ ଦିଶୁଛି। ତେଣୁ ଫଳ ବାହାରିବା ଆଗରୁ ଇଭିଏମ ପ୍ରସଙ୍ଗ ଉଠାଇ ବିଜେପି ନିଜର ଦୁର୍ବଳତାକୁ ଲୁଚାଇବାକୁ ଚେଷ୍ଟା କରୁଛି। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ମଧ୍ୟ ଜାଣନ୍ତି ଯେ ଦଳ ତାଙ୍କ ପଛରେ ସେତେ ଦୃଢତାର ସହିତ ଛିଡା ହୋଇନାହିଁ। ଏବେ ନିଜ ମୁଣ୍ଡରୁ ଦୋଷ ଛଡାଇବାକୁ ଇଭିଏମ ଓ ପ୍ରିଜାଇଡିଂ ଅଫିସରଙ୍କ ବାହାନା କରାଯାଉଛି। ଯଦି ସତରେ ସବୁ ବୁଥରେ ଇଭିଏମ ଜାଲସାଜି ହୋଇଛି, ତେବେ ଏହାର ପ୍ରମାଣ ଦେଖାଇ ପୁରା ନିର୍ବାଚନକୁ ରଦ୍ଦ କରାଯାଉ ବୋଲି ବିଜେପି ଦାବି କରିବ କି? ଯଦି ନିର୍ବାଚନ କମିଶନ ବିଜେପିର ଦାବି ଣ ମାନନ୍ତି ତାହେଲେ ବିଜେପି ହାଇକୋର୍ଟ ରେ ମାମଲା ଦାୟର କରିବ କି?
ସମସ୍ତେ ଜାଣନ୍ତି ଆସନ୍ତା ୪୮ ଘଣ୍ଟା ପାଇଁ ଏହା କେବଳ ଏକ ଗାଲୁଗପ। ରାଜ୍ୟସଭା ନିର୍ବାଚନରେ ବିଜେଡ଼ିଠାରୁ ମାତ୍ରାଧିକ ଅନୁଗ୍ରହ ନେଇ ସାରିଲା ପରେ ବିଜେଡି ବିରୋଧରେ କହିବାକୁ ବିଜେପି ପାଖରେ ଆଉ ବିଶେଷ କିଛି ନାହିଁ। ପାଟକୁରାରେ ବିଜେପି ବିଜେଡି ଲଢେଇ ଅପେକ୍ଷା ବିଜୟ ମହାପାତ୍ର ବନାମ ବିଜେଡି ଲଢେଇ ଦେଖିବାକୁ ମିଳିଥିଲା। ବିଜେପି ଭଲଭାବରେ ଜାଣେ ଯେ, ବିଜୟ ମହାପାତ୍ର ଜିତିଲେ ମଧ୍ୟ ତାହାର ଶ୍ରେୟ ବିଜେପିକୁ ମିଳିବ ନାହିଁ। ତେଣୁ ପ୍ରକାରାନ୍ତରେ ନିର୍ବାଚନ ଫଳ ବାହାରିବା ଆଗରୁ ବିଜେପି ନିଜ ପରାଜୟକୁ ସୁରକ୍ଷା ଦେବାଲାଗି ଇଭିଏମକୁ ଏକ କବଚ ଭାବରେ ବ୍ୟବହାର କରିବାକୁ ଚାହୁଁଛି।
୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବାର ୨ ଦିନ ପୂର୍ବରୁ ଇଭିଏମ ଓ ଭିଭିପାଟ୍ ମାମଲାକୁ ନେଇ ପୁଣି ଏକାଠି ହୋଇଛନ୍ତି ବିରୋଧୀ ଦଳ। ଏ ନେଇ ୨୧ଟି ବିରୋଧୀ ଦଳର ପ୍ରତିନିଧି ମଙ୍ଗଳବାର ନିର୍ବାଚନ ଆୟୋଗଙ୍କୁ ଭେଟି ଦାବି ଜଣାଇବେ। କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍.ଡି. କୁମାରସ୍ବାମୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ, କଂଗ୍ରେସ ନେତା ଅଭିଷେକ ମନୁ ସିଂଙ୍ଘୱୀ ଏବଂ ଅହମଦ ପଟେଲ ପ୍ରମୁଖ ପ୍ରତିନିଧି ଦଳ ସହିତ ନିର୍ବାଚନ ଆୟୋଗଙ୍କ ସହ ସାକ୍ଷାତ କରିବେ ବୋଲି ସୂଚନା ମିଳିଛି। ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟିର ବରିଷ୍ଠ ନେତାମାନଙ୍କୁ ପ୍ରତିନିଧି ଦଳରେ ସାମିଲ କରିବାକୁ ଉଦ୍ୟମ କରାଯାଉଛି ବୋଲି ଜଣେ ନେତା କହିଛନ୍ତି। ନିର୍ବାଚନରେ ସ୍ବଚ୍ଛତା ଆଣିବା ଲାଗି ଏକ ନିର୍ବାଚନ ମଣ୍ଡଳୀର ୫୦ ପ୍ରତିଶତ ଇଭିଏମ ସହିତ ଏହାର ଭିଭିପାଟ ସ୍ଲିପଗୁଡ଼ିକୁ ଗଣନା କରିବା ଦାବିରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଥିଲା। ଗତ ରବିବାର ଦିନ ଏକ୍ସିଟ୍ ପୋଲ୍ରିପୋର୍ଟ ପ୍ରକାଶନ ପରେ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ହଲଚଲ୍ ସୃଷ୍ଟି ହୋଇଛି। ତେବେ ଏହା ଶତପ୍ରତିଶତ ସତ୍ୟ ନୁହେଁ, ଅସଲ ରେଜଲ୍ଟ ତ ମେ ୨୩ ତାରିଖରେ ଜଣାପଡିବ ବୋଲି ବିରୋଧୀ ଦଳ କହିଛନ୍ତି।
ଇଭିଏମ୍ରେ ଦଳୀୟ ଲୋଗୋ ତଳେ ବିଜେପିର ନାମ ଥିବା ନେଇ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ବିରୋଧୀ ଦଳ । ଅନ୍ୟ ସମସ୍ତ ଦଳର କେବଳ ଚିହ୍ନ ରହିଥିବା ବେଳେ ପଦ୍ମ ଚିହ୍ନ ତଳେ ବିଜେପିର ନାମ ରହିଥିବା ନେଇ ଅଭିଯୋଗ କରିଛନ୍ତି ବିପକ୍ଷ ଦଳ । ଦଶ ବିପକ୍ଷ ରାଜନୈତିକ ଦଳର ସଦସ୍ୟ ମାନଙ୍କ ଏକ ଦଳ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କୁ ଭେଟି ଏ ନେଇ ଅଭିଯୋଗ ଦାୟର କରିଛନ୍ତି । ଏହି ଦଳରେ କଂଗ୍ରେସ ଦଳର ଅଭିଷେକ ମନୁ ସିଂଘଭୀ ଏବଂ ତୃଣମୂଳର ଦୀନେଶ ତ୍ରିବେଦୀ ଏବଂ ଡେରେକ୍ ଓ ବ୍ରାଏନ୍ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି। ବିପକ୍ଷ ସଦସ୍ୟ ମାନେ ବିଜେପିର ନାମ ଇଭିଏମ୍ରୁ ହଟାଯାଉ କିମ୍ବା ଅନ୍ୟାନ୍ୟ ରାଜନୈତିକ ଦଳ ଗୁଡିକର ନାମ ଦଳୀୟ ଚିହ୍ନ ସହିତ ଯୋଡା ଯାଉ ବୋଲି ନିର୍ବାଚନ କମିଶନରଙ୍କ ନିକଟରେ ଦାବି କରିଛନ୍ତି । ଏହାକୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଅସ୍ବୀକାର କରାଯାଇଥିବା ବେଳେ ୨୦୧୩ରେୁ ବିଜେପିର ଆବେଦନ ପରେ ବିଜେପି ଏହି ଚିହ୍ନ ବ୍ୟବହାର କରି ଆସୁଛି ଏବଂ ୨୦୧୪ ଠାରୁ ହିଁ ବ୍ୟବହୃତ ହେଉଛି ବୋଲି କୁହାଯାଇଛି । ଏନେଇ ପଶ୍ଚିମବଙ୍ଗ ନିର୍ବାଚନ କମିଶନଙ୍କୁ ଏକ ଚିଠି ଜରିଆରେ ସ୍ପଷ୍ଟୀକରଣ ଦେଇଥିବା ବେଳେ ଇଭିଏମ୍ ବଦଳାଯିବ ନାହିଁ ବୋଲି ସୁନୀଲ ଅରୋରା ସ୍ପଷ୍ଟ କରିଛନ୍ତି ।
ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ଦାୟର କରାଯାଇଥିବା ଯାଚିକା ଉପରେ ବିଚାର କରି ସୁ୍ପ୍ରିମ୍କୋର୍ଟ ଭିଭିପାଟ୍ ଗଣନା ପାଇଁ ଇଭିଏମ୍ ସଂଖ୍ୟା ବଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଏଣିକି ଗୋଟିଏ ବଦଳରେ ଏକ ନିର୍ବାଚନମଣ୍ଡଳୀରେ ୫ ଆସନରେ ଭିଭିପାଟ୍ ଗଣତି ହେବ। ବିଭିନ୍ନ ବିରୋଧୀ ଦଳ ମଧ୍ୟରୁ ୨୧ ଟି ଦଳ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରିଥିଲେ। ମାମଲାର ଶୁଣାଣି କରି ଖଣ୍ଡପୀଠ କହିଥିଲେ ପ୍ରତ୍ୟେକ ଆସନ ପାଇଁ ପୂର୍ବରୁ ଗୋଟିଏ ଆସନରେ ଭିଭିପାଟ୍ ଗଣାଯାଉଥିଲା ମାତ୍ର ବିରୋଧୀଙ୍କ ଅଭିଯୋଗ ପରେ ଏହି ସଂଖ୍ୟାରେ ବୃଦ୍ଧି କରାଯାଇଛି। ପୂର୍ବରୁ ନିର୍ବାଚନ କମିଶନ ୪୧୨୫ ପେପର ସ୍ଲିପ୍ କୁ ଇଭିଏମ୍ ସହ ମ୍ୟାଚ୍ କରାଉଥିବା ବେଳେ ବର୍ତ୍ତମାନର ନିଷ୍ପତ୍ତି ଅନୁଯାୟୀ ୨୦୬୨୫ ସ୍ଥାନରେ ଭିଭିପାଟ୍ ଗଣନା ହେବ।
( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )