Categories
ଆଜିର ଖବର

ଏକ୍ସିଟ୍‌ ପୋଲ୍‌ ଫଳାଫଳରେ ଭ୍ରମିତ ନହେବା ପାଇଁ କର୍ମୀଙ୍କୁ ପ୍ରିୟଙ୍କାଙ୍କ ଆହ୍ବାନ

ଦେଶବ୍ୟାପୀ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ଏକ୍ସିଟ୍‌ ପୋଲ୍‌ ରିପୋର୍ଟରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟକୁ ବହୁମତ ମିଳିବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ଏହି ଏକ୍ସିଟ୍‌ ପୋଲ୍‌ ରିପୋର୍ଟରେ ଭ୍ରମିତ ନହୋଇ ନିର୍ବାଚନୀ ଫଳାଫଳକୁ ଅପେକ୍ଷା କରିବା ପାଇଁ ଦଳୀୟ କର୍ମୀଙ୍କୁ ନିବେଦନ କରିଛନ୍ତି ପୂର୍ବ ଉତ୍ତର ପ୍ରଦେଶ ଦାୟିତ୍ବରେ ରହିଥିବା ପ୍ରିୟଙ୍କା। ଏପରି ସର୍ବେକ୍ଷଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ଏହା ଦ୍ବାରା ପ୍ରଭାବିତ ନହେବା ପାଇଁ ପ୍ରିୟଙ୍କା କହିଛନ୍ତି। କର୍ମୀ ମାନେ ଏପରି ଗୁଜବରେ ପ୍ରଭାବିତ ନହୋଇ ନିଜ ବୁଥ୍‌ ପାଇଁ ନିଜର ଦାୟିତ୍ବ ସଠିକ୍‌ ଭାବରେ ନିର୍ବାହ କରନ୍ତୁ ବୋଲି ପ୍ରିୟଙ୍କା କହିଛନ୍ତି। ନିଜ ନିଜ ବୁଥର ଷ୍ଟ୍ରଙ୍ଗ ରୁମ୍‌ ଏବଂ ଭୋଟ ଗଣତି କେନ୍ଦ୍ରରେ ଆପଣ ମାନେ ଜାଗ୍ରତ ରହିବା ଫଳରେ ଇଭିଏମ୍‌ରେ କୌଣସି ପ୍ରକାରର ତ୍ରୁଟି ହୋଇ ପାରିବ ନାହିଁ ବୋଲି ନିଜ ବାର୍ତ୍ତାରେ କହିଛନ୍ତି ପ୍ରିୟଙ୍କା । ଉଲ୍ଲେଖଯୋଗ୍ୟ ଯେ, ସମସ୍ତ ସର୍ବକ୍ଷଣରେ ଏନ୍‌ଡିଏକୁ ୩୦୦ରୁ ଅଧିକ ଆସନ ପ୍ରଦାନ କରାଯାଇଥିବା ବେଳେ କେବଳ ଏବିପି ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ୨୮୨ ଆସନ ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର

ସେନ୍‌ସେକ୍ସରେ ୯୦୦ ପଏଣ୍ଟ ବୃଦ୍ଧି, ଡଲାର ତୁଳନାରେ ଟଙ୍କା ମଜବୁତ

ଭାରତୀୟ ନିର୍ବାଚନର ଫଳାଫଳ ପୂର୍ବାନୂମାନ (ଏକ୍ସିଟ୍‌ ପୋଲ୍‌)ର ପ୍ରଭାବ ଭାରତୀୟ ଶେୟାର ବଜାର ଉପରେ ଦେଖିବାକୁ ମିଳିଛି। ଏକ୍ସିଟ୍‌ ପୋଲ୍‌ ରିପୋର୍ଟରେ ଏନ୍‌ଡିଏକୁ ବହୁମତ ମିଳିବା ପରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିଛି। ସେନ୍‌ସେକ୍ସରେ ୯୦୦ ପଏଣ୍ଟର ବୃଦ୍ଧି ଦେଖିବାକୁ ମିଳିଥିବା ବେଳେ ନିଫ୍‌ଟୀରେ ମଧ୍ୟ ୨୬୦ ପଏଣ୍ଟର ଅଭିବୃଦ୍ଧି ଘଟିଛି। ଶୁକ୍ରବାର ଦିନ ବିଏସ୍‌ଇର ସେନ୍‌ସେକ୍ସରେ ୫୩୭.୨୯ ପଏଣ୍ଟ ବୃଦ୍ଧି ଘଟିଥିବା ବେଳେ ଏହା ୩୭୯୩୦.୭୭ ପଏଣ୍ଟରେ ରହିଥିଲା । ସେହିପରି ଏନ୍‌ଏସ୍‌ଇର ନିଫ୍‌ଟି ୫୦ରେ ୧୫୦.୦୫ ପଏଣ୍ଟ ବୃଦ୍ଧି ୧୧୪୦୭.୧୫ ପଏଣ୍ଟ ରହିଥିଲା। ସୋମବାର ବଜାର ଖୋଲିବା ପରଠାରୁ ସେନସେକ୍ସ ଏବଂ ନିଫ୍‌ଟୀ ବଢିଆ ଅଭିବୃଦ୍ଧି ହାସଲ କରିଥିଲେ। ସେନସେକ୍ସ ସୋମବାରର ପ୍ରଥମ ଘଣ୍ଟାରେ ୩୮୮୯୨ ପଏଣ୍ଟରେ ପହଞ୍ଚିଥିବା ବେଳେ ନିଫ୍‌ଟୀ ୧୧୭୦୦ ପଏଣ୍ଟ ଛୁଇଁଛି। ଏହି ସମୟରେ ଭାରତୀୟ ବଜାର ୨ ପ୍ରତିଶତର ଅଭିବୃଦ୍ଧି ହାସଲ କରିଥିବା ବେଳେ ଡଲାର ତୁଳନାରେ ୭୯ ପଇସା ଶକ୍ତିଶାଳୀ ହୋଇଛି ଭାରତୀୟ ମୁଦ୍ରା। ପୂର୍ବରୁ ଟଙ୍କାର ବିନିମୟ ମୂଲ୍ୟ ୭୦.୨୨  ପଇସା ରହିଥିବା ବେଳେ ସୋମବାର ଏହ ୬୯.୪୯ ପଇସାରେ ପହଞ୍ଚିଛି।