Categories
ଆଜିର ଖବର ରାଜ୍ୟ ଖବର

ଏପ୍ରିଲ୍‌ ୩୦ ଯାଏଁ ବଢିଲା ଲକ୍‌ ଡାଉନ୍‌ ସମୟ, ସହଯୋଗ କରିଥିବାରୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ

ଭୁବନେଶ୍ବର: ଏପ୍ରିଲ୍‌ ୩୦ ଯାଏଁ ଲକ୍‌ ଡାଉନ୍ ବୃଦ୍ଧି ପାଇଁ  ନିଷ୍ପତ୍ତି ନିଆଯାଇଛି। ଏପରି ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତା ଜାରି କରାଯାଇଛି। ଏପ୍ରିଲ୍‌ ୩୦ଯାଏଁ ଟ୍ରେନ୍‌ ଓ ବିମାନ ସେବା ବନ୍ଦ ପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ରାଜ୍ୟ ବାହାରେ ଥିବା ଶ୍ରମିକ ଭାଇଙ୍କ ଯତ୍ନ ନେବାକୁ ସମ୍ପୃକ୍ତ ରାଜ୍ୟଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶା ସରକାର ମଧ୍ୟ ରାଜ୍ୟରେ ଅଟକି ଥିବା ଶ୍ରମିକଙ୍କ ଯତ୍ନ ନେଉଛନ୍ତି। ଲକ୍‌ ଡାଉନ୍‌ ସମୟରେ କୃଷି କାର୍ଯ୍ୟ ଜାରି ରହିବ। ଶ୍ରମିକମାନଙ୍କ ସୁବିଧା ପାଇଁ ମନରେଗା କାର୍ଯ୍ୟ ଜାରି ରହିବ। ଦେଶର ଅର୍ଥନୀତି ଅପେକ୍ଷା ଆମ ପାଇଁ ଲୋକଙ୍କ ଜୀବନ ଅଧିକ ଗୁରୁତ୍ବପୂର୍ଣ୍ଣ। ରାଜ୍ୟରେ ୧ ଲକ୍ଷ ରାପିଡ୍‌ ଟେଷ୍ଟିଂ ପାଇଁ ଆମେ ପଦକ୍ଷେପ ନେଉଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାହସର ସହ କରୋନା ମୁକାବିଲା ପାଇଁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କରୋନା ମୁକାବିଲା ପାଇଁ ଏପ୍ରିଲ୍‌ 14 ଯାଏଁ ଦେଶରେ ଲକ୍‌ ଡାଉନ୍‌ ଜାରି ରହିଥିବାବେଳେ ଏହାକୁ ଏପ୍ରିଲ୍‌ 30 ଯାଏଁ ବୃଦ୍ଧି କରିବାକୁ କେନ୍ଦ୍ରକୁ ସୁପାରିଶ୍‌ କରିଛନ୍ତି ନବୀନ ପଟ୍ଟନାୟକ ।

Categories
ବିଶେଷ ଖବର

ଲକ ଡାଉନ ର ସମୟସୀମା ଯଦି ବଢାଯାଏ, ଆମକୁ ଅଧିକ କିଛି ସଫଳତା ମିଳିବ କି?

କେଦାର ମିଶ୍ର

ଗୋଟେ ବିଚିତ୍ର ସ୍ଥିତିରେ ବର୍ତ୍ତମାନ ପୂରା ଦେଶ ଠିଆ ହୋଇଛି। ଗତ ମାର୍ଚ୍ଚ ୨୪ ତାରିଖରେ ଦେଶରେ ଆରମ୍ଭ ହୋଇଥିବା ଲକ ଡାଉନ ଇତିମଧ୍ୟରେ ଦୁଇ ସପ୍ତାହ ପୂରଣ କରି ଶେଷ ସପ୍ତାହରେ ପହଞ୍ଚିଛି। ଆସନ୍ତା ଏପ୍ରିଲ ୧୪ ରେ ଲକ ଡାଉନ ସରିବ ନା ଏହା ଆହୁରି କିଛି ସପ୍ତାହ ଅବ୍ୟାହତ ରହିବ ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ତେଲେଙ୍ଗାନା ଓ ଉତ୍ତର ପ୍ରଦେଶ ରାଜ୍ୟ ସରକାର ଲକ ଡାଉନ ବଢାଇବା ସପକ୍ଷରେ ମତ ଦେଇଛନ୍ତି। ଉତ୍ତର ପ୍ରଦେଶ ସରକାର କହିବା କଥା ହେଲା ଯେ ପର୍ୟନ୍ତ ନୂଆ କେଶ ଚିହ୍ନଟ ହେଉଥିବ ସେ ଯାଏ, ଲକ ଡାଉନ ଅବ୍ୟାହତ ରହୁ। ତେବେ ଏ ପ୍ରକାର ଲକ ଡାଉନ ବ୍ୟବସ୍ଥାରେ ସରକାର ଚାଲିବ କେମିତି? ରାଜ୍ୟ ସରକାରମାନେ ଭାବୁଛନ୍ତି, ତାଙ୍କୁ କାରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ସୀମିତ ରଖିବାକୁ ପଡିବ। ତେବେ ଏହା ସମ୍ଭବ କି?

ମାର୍ଚ୍ଚ ୨୪ରେ ଲକ ଡାଉନ ଆରମ୍ଭ ହେବା ବେଳକୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ପାଖାପାଖି ରହିଥିଲା। ଗତ ଦୁଇ ସପ୍ତାହରେ ଏହା ପ୍ରାୟ ଦଶଗୁଣ ବଢିଛି। ଆଜିର ତାରିଖରେ ଭାରତ ସରକାର ଦେଶରେ  ୪୭୮୯ ଜଣ କରୋନା ଆକ୍ରାନ୍ତ ରହିଥିବା କଥା ସ୍ଵୀକାର କରିଛନ୍ତି। ତେବେ କୋଭିଡ ଟ୍ରାକର ଇଣ୍ଡିଆ ଏହି ସଂଖ୍ୟା ୫୩୬୦ ଓ ଜନ ହପ୍କିନ୍ସ ବିଶ୍ଵ ବିଦ୍ୟାଳୟ ୪୯୧୧ ବୋଲି କହିଛନ୍ତି। ମୋଟାମୋଟି ଲକ ଡାଉନ ସମୟ ଠାରୁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୦ ଗୁଣ ବଢିଛି। ତେବେ ଲକ ଡାଉନ ଲାଗୁ ହୋଇନଥିଲେ ଏହା ହୁଏତ ଶହେ ଗୁଣ ବଢିଥାନ୍ତା ବୋଲି ବିଶେଷଜ୍ଞମାନେ କହୁଛନ୍ତି। ତେଣୁ ଏ ପ୍ରସଙ୍ଗରେ ଆମେ ଗୋଟିଏ କଥା ନିଶ୍ଚୟ ମାନିବା ଯେ, ୟୁରୋପ ଏବଂ ଆମେରିକା ତୁଳନାରେ ଭାରତରେ କରୋନା ସଂକ୍ରମଣ ଧୀମା ରହିଛି। କେବଳ ଭାରତ ନୁହଁ ପ୍ରାୟ ସବୁ  ଏସୀୟ ଦେଶ ଗୁଡିକରେ କରୋନା ସଂକ୍ରମଣର ଗତି ଟିକେ ମନ୍ଥର।

ଗତ ମାସେ ଭିତରେ ଆମେରିକାରେ ଏହା ହଜାରରୁ ୩,୬୮,୫୩୩, ସ୍ପେନ ରେ ୧,୪୦,୫୧୦, ଇଟାଲିରେ ୧,୩୨,୫୪୭, ଜର୍ମାନୀରେ ୨.୦୩,୭୧୭ ଓ ଫ୍ରାନ୍ସରେ ୯୮, ୯୮୪ ଆକ୍ରାନ୍ତ ବଢିଛନ୍ତି। ସେହି ତୁଳନାରେ ଏସୀୟ ଦେଶ ଯଥା ଚୀନ, ଇରାନ,ଦକ୍ଷିଣ କୋରିଆ, ଭାରତ, ପାକିସ୍ତାନ, ଜାପାନ, ମାଲେସିଆ ଇତ୍ୟାଦି ଦେଶରେ ଏହାର ସଂକ୍ରମଣ ସୀମିତ ରହିଛି। ଚୀନରେ ଏହା ଆରମ୍ଭ ହୋଇଥିଲେ ମଧ୍ୟ ଗତ ସାଢେ ତିନି ମାସରେ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨, ୭୧୮ ଓ ମୃତ୍ୟୁ ସଂଖ୍ୟା ୩୨୧୨ ଭିତରେ ରହିଛି। ସବୁଠୁ ଆଶ୍ଚର୍ୟର କଥା ହେଉଛି ଚୀନର ହୁବେଇ ପ୍ରଦେଶକୁ ବାଦ ଦେଲେ ଅନ୍ୟ ପ୍ରଦେଶ ଗୁଡିକରେ ଆକ୍ରାନ୍ତଙ୍କ ସଂଖ୍ୟା ନଗଣ୍ୟ।

ଭାରତରେ ଯଦିଓ ସବୁ ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ହେଲେ ମହାରାଷ୍ଟ୍ର(୯୪୫), ତାମିଲନାଡୁ(୬୯୦), ଦିଲ୍ଲୀ (୫୨୫), ତେଲେଙ୍ଗାନା(୩୨୪), କେରଳ(୩୩୬), ରାଜସ୍ଥାନ(୩୨୮), ଉତ୍ତର ପ୍ରଦେଶ (୩୦୫), ଆନ୍ଧ୍ରପ୍ରଦେଶ (୩୦୪), ମଧ୍ୟପ୍ରଦେଶ (୨୬୮), ଗୁଜରାଟ ଓ କର୍ଣ୍ଣାଟକ(୧୭୫), ହରିୟାନା(୧୪୩), ଜାମ୍ମୁ କାଶ୍ମୀର( ୧୨୫)  ଇତ୍ୟାଦି ରାଜ୍ୟରେ ଏହି ସଂଖ୍ୟା ଟିକେ ଅଧିକ। ବର୍ତ୍ତମାନ ସ୍ଥିତିରେ ଯଦି ଲକ ଡାଉନ ଉଠି ଯାଏ ସାମାଜିକ ଦୂରତ୍ଵ ହଟିଯିବ ଓ ହୁ ହୁ ସଂଖ୍ୟାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଯିବା, ଯାହାକୁ ସମ୍ଭାଳିବା ରାଜ୍ୟ ସରକାରମାନଙ୍କ ପକ୍ଷରେ ଅସମ୍ଭବ ହୋଇପଡିବ।

ତେବେ ଲକ ଡାଉନ ରହିଲେ ସ୍ଥିତି ରେ ପରିବର୍ତ୍ତନ ଆସିବ କି? ଲକ ଡାଉନ ପରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି ଓ ଆଗକୁ ଏହା ବଢି ଚାଲିବ। ସେ ଦୃଷ୍ଟିରୁ ଭାରତରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲକ ଡାଉନ ଲଗାଇ ହେବ କି? ଦେଶର ୩୦ ଭାଗ ଗରିବ ଓ ପଚାଶ ଭାଗ ନିମ୍ନ ମଧ୍ୟବିତ୍ତଙ୍କ ଜୀବନରେ ଲକ ଡାଉନର ପ୍ରଭାବ ଭୟଙ୍କର ହେବା ଆରମ୍ଭ କଲାଣି। ପ୍ରଥମ ସପ୍ତାହରେ ଖାଦ୍ୟ ତଥା ଅପରିହାର୍ୟ ଜିନିଷର ଯୋଗାଣ ଅବ୍ୟାହତ ରହିବ ବୋଲି ଆମେ ଭାବୁଥିଲେ। ହେଲେ ସମୟ କ୍ରମେ ଖାଦ୍ୟ ଓ ଦୈନନ୍ଦିନ ଆବଶ୍ୟକତା ଥିବା ଜିନିଷର ଯୋଗାଣ ବ୍ୟାହତ ହେବା ଆରମ୍ଭ କଲାଣି।

ଲକ୍ଷ ଲକ୍ଷ ଲୋକ ଆଜି ନିଜର ଜୀବିକା ହରାଇ ମୃତ୍ୟୁ ଭୟରେ ଚୁପ ରହିଛନ୍ତି। ତେବେ ଖାଇବାକୁ ନ ପାଇଲେ, ଲୋକଙ୍କ ମନରୁ ଭୟ ଆପେ ଆପେ ଚାଲିଯିବ ଏବଂ ସେମାନେ ଅଧିକ ଅମାନିଆଁ ହେବେ। ଓଡିଶାରେ ଆସନ୍ତା ଏପ୍ରିଲ ୧୪ ବେଳକୁ ଲକ ଡାଉନ ୨୫ ଦିନରେ ପହଞ୍ଚିବ। ତାଠୁ ଅଧିକ ଦିନ ଲକ ଡାଉନ ସମ୍ଭବପର କି? ଅର୍ଥନୀତିର ଯେଉଁ ବିକଳ ଅବସ୍ଥା ଓ ଟିକସ ସଂଗ୍ରହରେ ଯେଉଁ ସ୍ଥାଣୁ ସ୍ଥିତି, ସେଥିରେ ଅଧିକ ଦିନର ଲକ ଡାଉନ ଆମକୁ ଦୋହଲାଇ ଦେବାକୁ ବାଧ୍ୟ।

ବର୍ତ୍ତମାନ ଭାରତ ସରକାରଙ୍କ ଅବସ୍ଥା ବାଘ ଚଢିଥିବା ରାଜକୁମାର ପରି। ଲକ ଡାଉନ ବଢାଇବା ଯେତିକି ଭୟଙ୍କର, ତାଙ୍କୁ ନ ବଢାଇବା ସେତିକି ବିପଜ୍ଜନକ। କାମକୁ ନ ଯାଇ ବା ସଂପୂର୍ଣ୍ଣ ଅର୍ଥନୀତିକୁ ସ୍ଥାଣୁ କରିଦେଲେ ଆମେ କରୋନା ବିରୋଧରେ ଯୁଦ୍ଧ ଜିଣିଯିବା କି? କରୋନା ବିରୋଧରେ ପୃଥିବୀକୁ ଲମ୍ବା ଲଢେଇ ଲଢିବାକୁ ପଡିବ। ସେହି ଲଢେଇ ଲାଗି ଭାରତକୁ ସମ୍ବଳ ଓ ସାଧନ ମଧ୍ୟ ଦରକାର। ଟିକସ ଆଦାୟ କମିଗଲେ ଓ ଅର୍ଥନୀତି ସ୍ଥାଣୁ ହୋଇଗଲେ, ସେ ସମ୍ବଳ ଓ ସାଧନ ଆସିବା କେଉଁଠୁ?