ବୋୖଦ୍ଧାୟନ ଆଚାର୍ଯ୍ୟ
ଓଡ଼ିଶାରେ ସରିଯାଇଛି ସମସ୍ତ ପର୍ଯ୍ୟାୟର ନିର୍ବାଚନ କିଛି ରିପୋଲିଂ କୁ ବାଦ ଦେଲେ ଏବେ ଇଭିଏମରେ କଏଦ ହୋଇଯାଇଛି ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ। ତେବେ ଫଳାଫଳ ଯାହା ହେଉନା କାହିଁକି ଫେସବୁକ ଭଳି ସାମାଜିକ ଗଣମାଧ୍ୟମ ପୃଷ୍ଠାରେ ଏଥର ଛାଇଯାଇଛି ଭୋଟରଙ୍କ ମାଳମାଳ ଫଟୋ। କିଏ ସେଲ୍ଫି ନେଇ ଆଉ ହାତରେ ଲାଗିଥିବା କାଳୀ ଦାଗକୁ ଦେଖାଇଛି ତ କିଏ ପୁଣି ସଂକ୍ଷିପ୍ତରେ ଜଣାଇଦେଇଛି ତାଙ୍କ ଅଂଚଳର ମୁଡ଼। ସତେ ଯେମିତି ପ୍ରାର୍ଥୀ ଚୟନ ଅପେକ୍ଷା ଫେସବୁକ ପୋଷ୍ଟକୁ ପ୍ରାଧାନ୍ୟ ଦେଇଛନ୍ତି କିଛି ଭୋଟର। କାହାକୁ ଭୋଟ ଦେବେ ତାହାକୁ ନେଇ ଯେତିକି ଉତ୍କଣ୍ଠା ନାହିଁ ବରଂ କେତେ ଶୀଘ୍ର ହାତରେ କାଳୀ ଲାଗିବ ଆଉ ବୁଥ ବାହାରକୁ ଯାଇ ଫେସବୁକରେ ପୋଷ୍ଟ କରିକି କମେନ୍ଟ ଆଉ ଲାଇକ୍ସ ମିଳିବ ତାହାକୁ ନେଇ ଜୋରଦାର ମାନସିକ ପ୍ରସ୍ତୁତି ମଧ୍ୟ କରିଛନ୍ତି। ୨୦୧୨ ମସିହାରେ ଫେସବୁକ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ଭୁବନେଶ୍ୱରରେ ୧ ଲକ୍ଷ ୯୦ ହଜାର ଲୋକ ଫେସବୁକ ବ୍ୟବହାର କରିଛନ୍ତି। ଆଉ ୨୦୧୨ ତୁଳନାରେ ନିଶ୍ଚିତ ଭାବେ ଏହି ସଂଖ୍ୟା ବଢିଥିବ। ତେବେ ଫେସବୁକରେ ଯଦି ଭୁବନେଶ୍ୱରର ଏତେ ବ୍ୟକ୍ତି ଅଛନ୍ତି ତାହା ହେଲେ ଭୋଟ ପ୍ରତିଶତ କାହିଁକି କମିଛି। କାହିଁକି ଅଧିକ ଭୋଟ ମିଳିପାରିନାହିଁ। ଆଉ ଏକ ଦିଗକୁ ବିଚାରକୁ ନେଲେ ରାଜନୈତିକ ବ୍ୟକ୍ତି ବିଶେଷ ଓ ଦଳମାନଙ୍କର ବିଭିନ୍ନ ପୋଷ୍ଟ ଓ କିଛି ଭାଇରଲ ପୋଷ୍ଟକୁ ଅନେକ ଥର ଫେସବୁକ କାନ୍ଥରେ ସେୟାର କରାଯିବା ସହ ଲାଇକ୍ସ ବି କରାଯାଇଛି। କିନ୍ତୁ ସମସ୍ତେ କଣ ଭୋଟ ଦେଇଛନ୍ତି। ମୋବାଇଲରେ ବସି ଲାଇକ୍ସ କରିବା ଓ ମତଦାନ କେନ୍ଦ୍ରରେ ଯାଇ ଭୋଟ ଦେବା ମଧ୍ୟରେ ବହୁତ ଫରକ ରହୁଛି।ଏହା ଯୁଦ୍ଧ କ୍ଷେତ୍ରକୁ ନଯାଇ କିଏ ଜିତିବା କିଏ ହାରିବା ଭଳିଆ କଥା କହିବା ଯାହା। ଫେସବୁକରେ ମାତିଥିବା ଏହି ତଥାକଥିତ ଭୋଟର ପ୍ରାୟତଃ ସମାନ। ବଡ କଥା ଗାଁ ଗହଳିରେ ଅଧିକାଂଶ ଲୋକ ଫେସବୁକ ବ୍ୟବହାର କରୁନଥିଲେ ବି ଭୋଟ ଦେବାକୁ ଦେଖାଇଛନ୍ତି ସ୍ୱତନ୍ତ୍ର ଆଗ୍ରହ। ଧୁ ଧୁ ଖରାରେ ବୁଥ ବାହାରେ ଛିଡା ହୋଇ ୫ ବର୍ଷରେ ମିଳିଥିବା ସୁଯୋଗକୁ ହତାଦର କରିନାହାନ୍ତି।
(ଉପରୋକ୍ତ ଆଲେଖ୍ୟଟି କାହାକୁ ଆକ୍ଷେପ କରି ଲେଖାଯାଇନାହିଁ ବରଂ ଫେସବୁକରେ ନିର୍ବାଚନ ମାହୋଲକୁ ଦର୍ଶାଯାଇଛି )