Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପୁଣି ନକଲି ଔଷଧ ଜବତ, ଆଜି କଟକ ଏବଂ ବରଗଡରେ ସ୍ବାସ୍ଥ୍ୟ ବିଭାଗର ଚଢାଉ

ଭୁବନେଶ୍ବର: ନକଲି ଔଷଧ ବିରୁଦ୍ଧରେ ରାଜ୍ୟବ୍ୟାପୀ ଲଢେଇ ଜାରି ରହିଛି । ଏହି କ୍ରମରେ ଆଜି କଟକ ଓ ବରଗଡର ଦୁଇଟି ଗୋଦାମରୁ ନକଲି ଔଷଧ ଜବତ କରାଯାଇଛି ।
ଏ ବିଷୟରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶ୍ରୀମତି ଶାଳିନୀ ପଣ୍ଡିତ୍ କହିଥିଲେ ଯେ ସନ୍ଦେହାତ୍ମକ ଔଷଧ ପ୍ରସ୍ତୁତିରେ ଲିପ୍ତ ସଂସ୍ଥାକୁ ଔଷଧର ପରୀକ୍ଷା ବିବରଣୀ ସହ ସବିଶେଷ ତଥ୍ୟ ଦେବା ପାଇଁ କୁହାଯାଇଥିଲା ।

ତାଙ୍କଠାରୁ ମିଳିଥିବା ତଥ୍ୟର ବୈଧତା ତନଖି କରି ପ୍ରାୟ ୧୧ ପ୍ରକାର ସନ୍ଦେହାତ୍ମକ ଔଷଧ କଟକ ପୁରୀଘାଟସ୍ଥିତ ଏମ୍.ଏଚ୍. ଫାର୍ମାସୁଟିକାଲ୍ ଷ୍ଟୋରରୁ ଜବତ କରାଯାଇଛି । ଜବତ ଔଷଧର ମୂଲ୍ୟପ୍ରାୟ ୨୩.୨୩ ଲକ୍ଷ ଟଙ୍କା ହେବବୋଲି ଜଣାପଡିଛି । ଏହିସବୁ ଔଷଧ ପଡୋଶୀ ରାଜ୍ୟ ଉତ୍ତର ପ୍ରଦେଶରୁ ଆସିଥିବାର ଜଣାପଡିଥିଲା ।

ଏହାଛଡା ବରଗଡର ଅଶୋକ ମେଡିକାଲ ଷ୍ଟୋରରୁ ମଧ୍ୟ ସନ୍ଦେହାତ୍ମକ ଔଷଧ ଜବତ କରାଯାଇଛି । ଅଶୋକ ମେଡିକାଲରୁ ଜବତ ଔଷଧକୁ ସନ୍ଦେହାତ୍ମକ ଭିତ୍ତିରେ ପୂର୍ବରୁ ଅଲଗାକରି ତାହାର ବିକ୍ରୀ ବନ୍ଦ କରାଯାଇଥିଲା ।

ଶ୍ରୀମତି ପଣ୍ଡିତ୍ ଆହୁରି ମଧ୍ୟ କହିଥିଲେ ଯେ ଓଡିଶାର ପ୍ରବର୍ତ୍ତନ ଟିମଙ୍କୁ ଔଷଧ ଆସୁଥିବା ରାଜ୍ୟର ପ୍ରବର୍ତ୍ତନ ବ୍ୟବସ୍ଥାସହ ଯୋଗାଯୋଗ ସଘନ କରିବାକୁ କୁହାଯାଇଛି। ଏହାଦ୍ବାରା ନକଲି ଔଷଧର ଆମଦାନି ଓ ଯୋଗାଣକୁ ବନ୍ଦ କରାଯାଇ ପାରିବ। ଧରାପଡିଥିବା ନକଲି ଔଷଧ ପ୍ରସ୍ତୁତକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ତ୍ଵରାନ୍ବିତ ହେବ ।

ଔଷଧ ପ୍ରବର୍ତ୍ତନ ଟିମମାନେ ବଜାରରେ ଉପଲବ୍ଧ ଔଷଧ ଗୁଡିକର ଯାଂଚ୍ ବ୍ୟାପକ କରିବାସହ କୈାଣସି ପ୍ରକାର ସନ୍ଦେହାତ୍ମକ କାର୍ଯ୍ୟ ଦୂଷ୍ଟିକୁ ଆସିବାମାତ୍ରେ ବିକ୍ରିବନ୍ଦ ନିର୍ଦେଶ ଜାରି କରିବେ ବୋଲି ଶ୍ରୀମତି ପଣ୍ଡିତ୍ କହିଥିଲେ ।

Categories
ଅପରାଧ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନକଲି ଔଷଧ ଧରପଗଡ, ରାଜ୍ୟ ବାହାର କଂପାନୀ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ଔଷଧ କାରବାର ଉପରେ ଚଢ଼ଉ ଓ ଧରପଗଡ ଜୋରଦାର କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ଔଷଧ ଉପରେ କଡ଼ା ନଜର ରଖିବା ସହ ସମସ୍ତ ସମ୍ବେଦନଶୀଳ ଓ ସନ୍ଦେହାତ୍ମକ ଗୋଦାମ ଉପରେ ସଘନ ଚଢ଼ାଉ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଔଷଧ ଗୋଦାମ ସହ ଖୁଚୁରା ବ୍ୟବସାୟ କେନ୍ଦ୍ର ଓ ଦୋକାନ ମାନଙ୍କରେ ମଧ୍ୟ ଚଢ଼ାଉ ଜାରି ରହିଛି। ଇତି ମଧ୍ୟରେ କଟକରେ ୬ ଟି, କେନ୍ଦ୍ରାପଡାରେ ୧ ଟି, ଝାରସୁଗୁଡାରେ ୨ ଟି,ଏବଂ ସୁନ୍ଦରଗଡ, ବରଗଡ ଓ ସମ୍ବଲପୁରରେ ୧ ଟି ଲେଖାଏଁ ଯାଗାରୁ ନକଲି ଔଷଧ ଧରାଯାଇ ଆଇନଗତ ମକଦ୍ଦମା ରୁଜୁ କରାଯାଇଛି। ଦୋକାନମାନଙ୍କରେ ଥିବା ପ୍ରତି ଔଷଧ ଷ୍ଟ୍ରିପ୍କୁ ଯାଞ୍ଚ କରାଯାଉଛି। ଲଗାତର ଭାବେ ଚଢ଼ାଉ ଜାରି ରଖି ନକଲି କାରବାର କରୁଥିବା ଲୋକ ଓ ଦୋକାନୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମତୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରାପ୍ତ ସୂଚନାରୁ ଜଣାପଡିଛି, କଟକର ଭି.ଆର୍.ଏଜେନ୍ସି, ପୁଜା ଏଣ୍ଟରପ୍ରାଇଜରସ୍, କୟାଲ ଏଜେନ୍ସି, ମହାବୀର ପ୍ରସାଦ ରାଧେଶ୍ୟାମ, ଶ୍ରୀ ଡିଷ୍ଟ୍ରିବ୍ୟୁଟରସ୍ ଏବଂ ଶ୍ରୀ ଏମ୍.ଏଚ୍ ଆଦି ଗୋଦାମରୁ ଚଢ଼ଉପରେ ନକଲି ଔଷଧ ମିଳିଛି ।

ସେହିପରି ଝାରସୁଗୁଡା ଜିଲ୍ଲାର ଶ୍ୟାମ ମେଡ଼ିକାଲ ଓ ଅମିତ୍ ଏଜେନ୍ସି, ସୁନ୍ଦରଗଡ଼ର ପ୍ରକାଶ ମେଡିକାଲ ପ୍ରା.ଲିଃ, ବରଗଡର ଅଶୋକ ମେଡିକାଲ ହଲ୍, ସମ୍ବଲପୁରର ଦୁର୍ଗା ଏଜେନ୍ସି ଏବଂ କେନ୍ଦ୍ରାପଡାର ସାଇ ଆଦି ଗୋଦାମରୁ ଚଢ଼ାଉ ପରେ ନକଲି ଔଷଧ ମିଳିଛି। ଏସବୁ ଏଜେନ୍ସି, ଗୋଦାମ ଓ ଦୋକାନ ବିରୁଦ୍ଧରେ ଡ୍ରଗ୍ସ୍ ନିୟନ୍ତ୍ରଣ ଆଇନ୍ ଅନୁସାରେ ମକଦ୍ଦମା ରୁଜୁ କରାଯାଇଛି ।