କେଦାର ମିଶ୍ର
କୁହାଯାଏ, ଗଣତନ୍ତ୍ରରେ ନିର୍ବାଚନ ହେଉଛି ସବୁଠୁ ବଡ ଉତ୍ସବ। ଭାରତ ଯେହେତୁ ପୃଥିବୀର ସବୁଠୁ ବଡ ଗଣତନ୍ତ୍ର, ତେଣୁ ଭାରତର ସାଧାରଣ ନିର୍ବାଚନ ପୃଥିବୀର ସବୁଠୁ ବଡ ଉତ୍ସବ ମନେହେବା ସ୍ଵାଭାବିକ। ତେବେ ଗଣତନ୍ତ୍ରରେ ଗଣଙ୍କ ଶାସନ ଥାଏ। ପରିବାର ଆଧାରିତ ରାଜତନ୍ତ୍ର ଓ ସାମଂତବାଦ ଗଣତନ୍ତ୍ରର ସବୁଠୁ ବଡ ଶତ୍ରୁ। ତେବେ ଓଡିଶା ନିର୍ବାଚନର ପୃଷ୍ଠଭୂମି ଦେଖିଲେ ଲାଗୁଛି, ଏଠି ଗଣତନ୍ତ୍ରର ନୁହଁ, ବରଂ ରାଜତନ୍ତ୍ର ଓ ପରିବାର ଶାସନର ରାଜୁତି ଚାଲିଛି। ବର୍ତ୍ତମାନ ସମୟରେ ରାଜନୀତିରେ ସକ୍ରିୟ ଥିବା ତିନୋଟି ପ୍ରମୁଖ ରାଜନୈତିକ ଦଳରେ ପରିବାରବାଦ ନିଜର କାୟା ବିସ୍ତାର କରିଛି। କଂଗ୍ରେସ, ବିଜେପି ଓ ବିଜେଡିରେ ନିର୍ବାଚନ ଲଢିବାକୁ ଯେଉଁମାନଙ୍କୁ ଟିକଟ ଦିଆଯାଇଛି, ସେମାନଙ୍କ ଭିତରୁ ଏକ ବଡ ଅଂଶ କେତୋଟି ନିର୍ଦ୍ଦିଷ୍ଟ ପରିବାରକୁ ଯାଇଛି। ଏମିତି ବି ହୋଇଛି ଯେ, ଗୋଟିଏ ଗୋଟିଏ ପରିବାର ତିନୋଟି ଯାକ ଦଳରୁ ଟିକଟ ପାଇଛନ୍ତି। ଭାଇ ଗୋଟେ ଦଳରେ ତ ଭଉଣୀ ଆଉ ଗୋଟେ ଦଳରେ। ବାପା ଗୋଟେ ନିର୍ବାଚନ ମଣ୍ଡଳୀରେ ତ ପୁଅ ଆଉ ଗୋଟେ ନିର୍ବାଚନ ମଣ୍ଡଳୀରେ।
ପାରିବାରିକ ରାଜନୀତିର ସବୁଠୁ ଚମକପ୍ରଦ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ। ମାତ୍ର ଦୁଇଟି ପରିବାର ଏହି ଜିଲାରେ ତିନୋଟି ଯାକ ଦଳର ହର୍ତ୍ତାକର୍ତ୍ତା ବିଧାତା ସାଜିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂ ଦେଓଙ୍କ ପରିବାର ହାତରେ ବିଜେଡି ଓ ବିଜେପିର ଲଗାମ ରହିଥିବା ବେଳେ ସମ୍ବିଧାନ ସଭାର ସଦସ୍ୟ ଯୁଧିଷ୍ଠିର ମିଶ୍ରଙ୍କ ପରିବାର ହାତରେ କଂଗ୍ରେସର ନିୟନ୍ତ୍ରଣ ରହିଛି। ବିଜେଡ଼ିର ଷ୍ଟାର ପ୍ରଚାରକ ଭାବରେ ଅନଙ୍ଗ ଉଦୟ ସିଂ ଦେଓଙ୍କ ବଡ ପୁଅ କଳିକେଶ ନାରାୟଣ ସିଂ ଦେଓଙ୍କୁ ବଲାଙ୍ଗୀର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ସାନପୁଅ ଅର୍କେଶ ସିଂ ଦେଓଙ୍କୁ ବଲାଙ୍ଗୀର ବିଧାନସଭାର ପ୍ରାର୍ଥୀ କରିଛି। ଅନଙ୍ଗ ଉଦୟଙ୍କ ପୁତୁରା କନକ ବର୍ଦ୍ଧନ ସିଂ ଦେଓ ପାଟଣାଗଡ ବିଧାନସଭାରେ ବିଜେପି ପ୍ରାର୍ଥୀ ହୋଇଥିବାବେଳେ କନକ ବର୍ଦ୍ଧନଙ୍କ ଧର୍ମପତ୍ନୀ ସଙ୍ଗୀତା ସିଂ ଦେଓ ବଲାଙ୍ଗୀର ଲୋକସଭାର ପ୍ରାର୍ଥୀ। ପରିବାର ଭିତରେ ବିଜେଡି ଓ ବିଜେପିର ଟିକଟ ଏଇଠି ବଣ୍ଟା ହୋଇ ଯାଇଛି। ତେବେ ଏହି ପରିବାର ବିରୋଧରେ ବଲାଙ୍ଗୀର ବିଧାନସଭା ଆସନରୁ ନରସିଂହ ମିଶ୍ର ଓ ଲୋକସଭା ଆସନରୁ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର କଂଗ୍ରେସ ଟିକଟ ପାଇ ଲଢୁଛନ୍ତି।
କଂଗ୍ରେସ ଦଳରେ ବାପା ଓ ପୁଅଙ୍କୁ ଟିକଟ ଦେବାରେ ଏଥର ରେକର୍ଡ ସୃଷ୍ଟି କରାଯାଇଛି। ବଲାଙ୍ଗୀର ପରେ କଳାହାଣ୍ଡି ଲୋକସଭା ପାଇଁ ଭକ୍ତଚରଣ ଦାସ ଓ ଭବାନୀପାଟଣା ବିଧାନସଭା ଲାଗି ତାଙ୍କ ପୁଅ ସାଗର ଚରଣ ଦାସ, ସୁନ୍ଦରଗଡ ଲୋକସଭା ଲାଗି ଜର୍ଜ ତିର୍କୀ ଓ ବୀରମିତ୍ରପୁର ବିଧାନସଭା ଲାଗି ତାଙ୍କ ପୁଅ ରୋହିତ ଯୋଶେଫ ତିର୍କୀଙ୍କୁ ଟିକଟ ଦିଆ ଯାଇଛି। ସୁନ୍ଦରଗଡ ଜିଲ୍ଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଝିଅ ସୁନୀତା ବିଶ୍ଵାଳ ବିଜେଡ଼ିର ଲୋକସଭା ପ୍ରାର୍ଥୀ ହୋଇଥିବାବେଳେ ସାନଝିଅ ଅମୀତା ବିଶ୍ଵାଳ ସୁନ୍ଦରଗଡ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି।
ବିଜେପି ନିଜକୁ କ୍ୟାଡର ଭିତ୍ତିକ ଏକ ଦଳ ବୋଲି କହୁଥିଲେ ମଧ୍ୟ ଏହାର ଅନେକ ଟିକଟ ବିଭିନ୍ନ ପରିବାର ଭିତରେ ବଣ୍ଟା ହୋଇ ରହିଛି। ବିଜେପି କନକ ବର୍ଦ୍ଧନ ଓ ସଙ୍ଗୀତାଙ୍କ ପରେ ବ୍ରହ୍ମପୁର ଲୋକସଭା ପାଇଁ ପୂର୍ବତନ ମନ୍ତ୍ରୀ ହରିଶଚନ୍ଦ୍ର ବକ୍ସି ପାତ୍ରଙ୍କ ପୁଅ ଭୃଗୁ ବକ୍ସି ପାତ୍ର (ତାଙ୍କ ଭଉଣୀ ଲୋପାମୁଦ୍ରା ବକ୍ସି ପାତ୍ର ବିଜେଡିରେ ଅଛନ୍ତି), ଆସ୍କା ଲୋକସଭା ପାଇଁ ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନୀତା ପ୍ରିୟଦର୍ଶିନୀଙ୍କୁ ଟିକଟ ଦିଆଯାଇଛି।
ଆଗାମୀ ଦିନରେ ଉପକୂଳ ଓଡିଶାର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଲା ପରେ ଏହି ତାଲିକା ଢେର ଲମ୍ବା ହେବାକୁ ଯାଉଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ, ଅନନ୍ତ ସେଠୀ ଓ ତାଙ୍କ ପୁଅ କୁମାର ଚିରଞ୍ଜିବୀ ପ୍ରମୁଖଙ୍କ ନାଁ ଏବେ ଶୁଣାଯାଉଛି। ଏଠି ପ୍ରଶ୍ନ ଉଠୁଛି, ଯଦି ଗୋଟେ ପରିବାର ଭାଗ ବାଣ୍ଟି ବିଭିନ୍ନ ଦଳର ଟିକଟ ପାଇ ବନ୍ଧୁତ୍ବପୂର୍ଣ୍ଣ ଲଢେଇ କରୁଛନ୍ତି, ସେଠି ଏହି ସବୁ ନେତାଙ୍କ ସମର୍ଥକମାନେ ନିଜ ନିଜ ଭିତରେ ମାଡ଼ଗୋଳ ଲାଗୁଛନ୍ତି କାହିଁକି? ଭାରତୀୟ ରାଜନୀତିରେ ପରିବାରବାଦ ଏକ ଗ୍ରହଣୀୟ ସତ୍ୟ ଓ ସମୟକ୍ରମେ ସବୁଦଳ ଏହାକୁ ନିଜର ଅସ୍ଥି ମଜ୍ଜାଗତ କରି ସାରିଲେଣି। ଯେଉଁମାନେ ଏକଦା କଂଗ୍ରେସର ପରିବାରବାଦ ବିରୋଧରେ ବହୁତ ପ୍ରବଚନ ଦେଉଥିଲେ, ସେମାନେ ଏବେ ନିଜ ନିଜ ପରିବାରକୁ ବିଭିନ୍ନ ଦଳରେ ଥଇଥାନ କରି ଚାଲିଛନ୍ତି। ଏ ପ୍ରକାର ପାରିବାରିକ ରାଜନୀତିର ସବୁଠୁ ଖରାପ ପ୍ରଭାବ ପଡୁଛି ସାଧାରଣ ନେତା ଓ କର୍ମୀଙ୍କ ଉପରେ।
ବଲାଙ୍ଗୀର ଜିଲା ରାଜନୀତିରେ ଦଶନ୍ଧି ଦଶନ୍ଧି ଧରି ତିନୋଟି ପରିବାରର ରାଜତ୍ଵ ଚାଲିଛି। ତିନୋଟି ଯାକ ମୁଖ୍ୟ ରାଜନୈତିକ ଦଳ ଏଇ ତିନୋଟି ପରିବାରର ଜମିଦାରୀ। ସେଇ ଜମିଦାରୀ ଭିତରେ ଅନ୍ୟ କର୍ମୀମାନେ ରୟତ ବା ପ୍ରଜା ହୋଇ ରହିବେ କାହିଁକି? ଏହି ତିନୋଟି ଦଳର କର୍ମୀମାନେ ନିଜକୁ ପଚାରିବା ଉଚିତ, ସେମାନେ ତିନୋଟି ରାଜନୈତିକ ପରିବାରର କ୍ରୀତଦାସ ନା ସେମାନଙ୍କର ମଧ୍ୟ କିଛି ରାଜନୈତିକ ଅସ୍ତିତ୍ଵ ରହିଛି ?