ନୂଆଦିଲ୍ଲୀ: ଆଜି ମଧ୍ୟପ୍ରଦେଶର ଉଜ୍ଜୈନରେ ଅବସ୍ଥିତ ମହାକାଳ ମନ୍ଦିରର ଗର୍ଭଗୃହରେ ଭସ୍ମ ଆରତୀ ସମୟରେ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଦୁର୍ଘଟଣାରେ ପୁରୋହିତଙ୍କ ସମେତ ୧୪ ଜଣ ଆହତ ହୋଇଛନ୍ତି, ଯେଉଁଥିରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। କୁହାଯାଉଛି ଯେ, ଆରତୀ ସମୟରେ କର୍ପୁର ଜଳିଯିବା କାରଣରୁ ନିଆଁ ଲାଗିଯାଇଥିଲା। ଠିକ୍ ସମୟରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଏହି ଘଟଣାରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ଦେଇ ଉଜ୍ଜୈନ କଲେକ୍ଟର ନୀରଜ କୁମାର ସିଂ କହିଛନ୍ତି ଯେ, ନିଆଁକୁ ଆୟତ୍ତ କରାଯାଇଛି ଏବଂ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକାଶ ଯେ, ଯେତେବେଳେ ଏହି ଦୁର୍ଘଟଣା ଘଟିଲା, ସେତେବେଳେ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବଙ୍କ ପୁଅ ବୈଭବ ଏବଂ ଝିଅ ଡକ୍ଟର ଆକାଂକ୍ଷା ନନ୍ଦୀ ମନ୍ଦିରରେ ବସି ବାବାଙ୍କୁ ପୂଜା କରୁଥିଲେ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସହ ମହାକାଳ ମନ୍ଦିରରେ ଅଗ୍ନିକାଣ୍ଡ ସମ୍ପର୍କରେ ଆଲୋଚନା କରିଛନ୍ତି ଏବଂ ଘଟଣା ସମ୍ପର୍କରେ ସୂଚନା ପାଇଛନ୍ତି। ଅମିତ ଶାହା କହିଛନ୍ତି ଯେ, ”ଆହତମାନଙ୍କୁ ସ୍ଥାନୀୟ ପ୍ରଶାସନ ସହାୟତା ଏବଂ ଚିକିତ୍ସା ଯୋଗାଉଛି। ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ବାବା ମହାକାଳଙ୍କୁ ପ୍ରାର୍ଥନା କରୁଛି।”