Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜଙ୍ଗଲ ପରିବେଶ ବିଭାଗର ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ନନ୍ଦନକାନନକୁ ବିଶ୍ବସ୍ତରୀୟ କରିବାକୁ ନିର୍ଦ୍ଦେଷ

ଭୁବନେଶ୍ବର: ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ବିଗତ ଚାରି ବର୍ଷର କାର୍ଯ୍ୟକ୍ରମଗୁଡିକର ସମୀକ୍ଷା କରିଛନ୍ତି ।

ଏହି ସମୀକ୍ଷା ପରେ ଗୀତ ଗୋବିନ୍ଦ ସଦନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦିପ କୁମାର ଅମାତ କହିଛନ୍ତି ଯେ ୨୦୧୯ ମସିହା ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ପରିବେଶ ପର୍ଯ୍ୟଟନ ବିକଶିତ କରାଯାଇଛି।

ଏହି ବିଭାଗର ଅଧୀନରେ ୪୯ ଗୋଟି ପରିବେଶ ପର୍ଯ୍ୟଟନ କେନ୍ଦ୍ର ବିକାଶ କରାଯାଇ କାର‌୍ୟ୍ୟକ୍ଷମ କରାଯାଇଛି ଓ ଆଉ ୬ ଗୋଟି ନୂତନ କେନ୍ଦ୍ରର କାର‌୍ୟ୍ୟକ୍ଷମ କରାଯିବାର ଅଛି। ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ୬୫୦ ସ୍ଥାନୀୟ ବାସିନ୍ଦାଙ୍କୁ ସିଧାସଳଖ ରୋଜଗାର ମିଳିପାରିଛି। ଏହି ପ୍ରକଳ୍ପ ମାଧ୍ୟମରେ ଏବେ ବାର୍ଷିକ ୧୩ କୋଟି ଟଙ୍କାର ରାଜସ୍ୱ ଆଦାୟ ସମ୍ଭବ ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତି।

ଏହା ସହ ୫-ଟି ର ରୂପାନ୍ତରିକରଣ ଅଧୀନରେ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଓଡିଶା ଜଙ୍ଗଲ ବିଭାଗ କୋଡ୍ ସଂଶୋଧନ, ପରିବେଶପର‌୍ୟ୍ୟଟନ ର ବିକାଶ, ଭରତପୁର ଓ ଚନ୍ଦକା ଅଭୟାରଣ୍ୟ ଠାରେ ପ୍ରାକୃତିକ ଉଦ୍ୟାନର ବିକାଶ, ମଣିଷ ଓ ହାତୀ ଲଢେଇର ପ୍ରତିକାର, ପ୍ଲାଷ୍ଟିକର ଏକକ ବ୍ୟବହାର ଉପରେ କଟକଣା, ୧୪୦୦୦ ହେକ୍ଟର ଭୂମି ବ୍ୟାଙ୍କ ପ୍ରତିଷ୍ଠା ଇତ୍ୟାଦି କାର୍ଯ୍ୟକ୍ରମ ଅତ୍ୟନ୍ତ ସଫଳତାର ସହ କରାଯାଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ଅମାତ ଉଲ୍ଲେଖ କରିଛନ୍ତି।

ବିଗତ ବର୍ଷ ମାନଙ୍କରେ ରାଜ୍ୟ ମଧ୍ୟରେ ୫୩୭ ବର୍ଗ କି.ମି. ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ଓ ୩୫୬ ବର୍ଗ କି.ମି. ର ବୃକ୍ଷ ଆଚ୍ଛାଦିତ ଅଞ୍ଚଳର ଅଭିବୃଦ୍ଧି ହୋଇପାରିଛି। ଫଳରେ ମୋଟ କ୍ଷେତ୍ରଫଳର ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ୩୩.୫ % ତଥା ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ୩୬.୭୧% କୁ ବୃଦ୍ଧି ପାଇଛି ଏବଂ ଏହା ଯଥାକ୍ରମେ ଦେଶରେ ୩ୟ ଓ ୨ୟ ସ୍ଥାନ ଅଧିକାର କରିପାରିଛି। ସାରାଦେଶରେ ବିଭାଗ ଦ୍ଵାରା ସର୍ବାଧିକ ୮ ବର୍ଗ କି.ମି.ର ହେନ୍ତାଳ ବନର ଅଭିବୃଦ୍ଧି ଘଟିଛି ଯାହାକି ଦେଶର ସର୍ବାଧିକ।

ବନୀକରଣ କାର‌୍ୟ୍ୟକ୍ରମର ସଫଳ ରୂପାୟନ ସ୍ୱରୂପ ବିଗତ ୪ ବର୍ଷ ମଧ୍ୟରେ ରାଜ୍ୟରେ ମୋଟ ୩,୭୧,୧୬୩ ହେକ୍ଟର ଜମିରେ ନୂତନ ବନୀକରଣ ଓ ପଥପାର୍ଶ୍ଵ ବନୀକରଣ ଯୋଜନାରେ୧୬,୩୪୬ ରନିଂ କି.ମି.ର ବନୀକରଣ କରାଯାଇଛି। ଜଙ୍ଗଲ ଓ ରାଜସ୍ୱ ବିଭାଗର ମିଳିତ ଉଦ୍ୟମ କ୍ରମେ ରାଜ୍ୟର ମୋଟ ୬୧୨୦୪ ବର୍ଗ କି.ମି. ର ଆଧୁନିକ ପ୍ରଣାଳୀରେ ସର୍ବେକ୍ଷଣ କାର‌୍ୟ୍ୟ ଚାଲୁରହିଛି। ଏଯାବତ ୨୬୫ ଗୋଟି ଜଙ୍ଗଲ ବ୍ଲକର ପୁନଃ-ବିଜ୍ଞପ୍ତି କରିବାରେ ଆମ ରାଜ୍ୟ ଦେଶରେ ସର୍ବ ପ୍ରଥମ।

ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ନିର୍ଦେଶନାମାର ପ୍ରାବଧାନ ବ୍ୟତୀତ ୫ ଲକ୍ଷ ଟଙ୍କାର ଅତିରିକ୍ତ ଅନୁଦାନ ପ୍ରଦାନ କରାଯାଇ ୮୨୦ ପରିବାରଙ୍କୁ ଜାତୀୟ ଉଦ୍ୟାନ ଏବଂ ଅଭୟାରଣ୍ୟ ମଧ୍ୟରୁ ସ୍ଵେଚ୍ଛାରେ ସ୍ଥାନାନ୍ତରିତ କରାଯାଇପାରିଛି। ରାଜ୍ୟର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦେଶରେ ସର୍ବୋକୃଷ୍ଟ (ଋଙ୍ଘମରକ୍ଷକ୍ଷରଦ୍ଭଗ୍ଧ) ବର୍ଗରେ ସ୍ଥାନିତ ହୋଇଛି।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ମନୁଷ୍ୟ ବନ୍ୟପ୍ରାଣୀଙ୍କ ସଂଘର୍ଷ ଜନିତ ଅନୁକମ୍ପା ରାଶିର ବୃଦ୍ଧି କରାଯାଇଛି।

ମନୁଷ୍ୟ ମୃତ୍ୟୁରେ ୬.୦୦ ଲକ୍ଷ ଟଙ୍କା, ୬୦% ରୁ କମ ଅକ୍ଷମତା ପାଇଁ ୧.୫ ଲକ୍ଷ ଟଙ୍କା, ୬୦% ରୁ ଅଧିକ ଅକ୍ଷମତା ପାଇଁ ୨.୫ ଲକ୍ଷ ତଥା ଆହତମାନଙ୍କର ଚିକିତ୍ସା ବ୍ୟବସ୍ଥା ପାଇଁ ୫୦୦୦ ଟଙ୍କା ରୁ ୧୦୦୦୦ ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହା ବାଦ୍ ଗୋରୁ ମୃତ୍ୟୁରେ ୩୭,୫୦୦ ଟଙ୍କା, ବଳଦ/ଷଣ୍ଢ ମୃତ୍ୟୁରେ ୩୨,୦୦୦ ଟଙ୍କା, ଫସଲ ନଷ୍ଟ ପାଇଁ ଏକର ପିଛା ୨୦,୦୦୦ ଟଙ୍କା ରୁ ୨୫,୦୦୦ ଟଙ୍କା, ସମ୍ପୂର୍ଣ ଘର କ୍ଷତି ପାଇଁ ବିଜୁ ପକ୍କା ଘର କିମ୍ବା ସେହି ମୂଲ୍ୟ ସହିତ ଅତିରିକ୍ତ ୨୦,୦୦୦ ଟଙ୍କା ଓ ଆଂଶିକ କ୍ଷତି କ୍ଷେତ୍ରରେ ୧୦,୦୦୦ ଟଙ୍କା କ୍ଷତି ପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ବୋଲି ମନ୍ତ୍ରୀ ଶ୍ରୀ ଅମାତ ସୂଚନା ଦେଇଛନ୍ତି।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୨ଟି ପର‌୍ୟ୍ୟାୟ ରେ ପ୍ରାୟ ୮ ଲକ୍ଷ ୧୫ ହଜାର କେନ୍ଦୁପତ୍ର ହିତାଧିକାରୀମାନଙ୍କ ନିମନ୍ତେ ମୋଟ ୧୯୪ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ପ୍ରତ୍ୟେକ ତୋଳାଳୀଙ୍କୁ ୨୦୦୦ ଟଙ୍କା ସହ ପାଣି ବୋତଲ ଓ ଚପଲ ପାଇଁ ଯଥାକ୍ରମେ ୨୦୦ ଟଙ୍କା ଓ ୧୨୦ ଟଙ୍କା ପ୍ରଦାନ କରାଯାଇଛି। ବନ୍ଧାଳୀ ଓ ଋତୁକାଳୀନ କର୍ମଚାରୀଙ୍କୁ ୩୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଇଛି। ୨୦୨୨ ଫସଲ ବର୍ଷରେ ସଂପୂର୍ଣ୍ଣ ସହାୟତା ରେକର୍ଡ ପରିମାଣର ୧୯୪ କୋଟି ଟଙ୍କା ଅଟେ।

ଓଡିଶା ବନାଞ୍ଚଳ ଉନ୍ନୟନ ସମିତି ଆନୁକୁଲ୍ୟରେ ଆମ ଜଙ୍ଗଲ ଯୋଜନା ଅଧୀନରେ ୬୦୧୬ ବନ ସଂରକ୍ଷଣ ସମିତି, ୨୧୨୭୩ ସ୍ଵୟଂ ସହାୟକ ଗୋଷ୍ଠୀ ଓ ସିଆଇଜି କାର‌୍ୟ୍ୟରତ ରହି ଜଙ୍ଗଲ ସୁରକ୍ଷା ସହ, ରୋଜଗାରକ୍ଷମ ଯୋଜନା ମାଧ୍ୟମରେ ଜୀବିକା ନିର୍ବାହ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଅମାତ ସୂଚନା ଦେଇଛନ୍ତି।

କେନ୍ଦୁପତ୍ର ତୋଳା ବର୍ଷରେ ରେକର୍ଡରୁ ଉର୍ଦ୍ଧ୍ବ ଏକ୍ସ-ଗ୍ରାସିଆ ମଞ୍ଜୁର କରାଯାଇଛି। ଆମ ଜଙ୍ଗଲ ଯୋଜନା ସହିତ ଅନ୍ୟ ବିଭାଗଗୁଡିକର ବିକାଶମୂଳକ ଯୋଜନାର ସମ୍ମିଶ୍ରଣ ଯୋଗୁଁ ଜଙ୍ଗଲ ଓ ଜୀବନ ଜୀବିକା ସୁଦୃଢ ହୋଇପାରିଛି। ପ୍ରଶମନମୂଳକ ପଦକ୍ଷପଗୁଡକୁ ସୁନିଶ୍ଚିତ କରି ବିଭାଗ ସକ୍ରିୟ ଭାବରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପଗୁଡିକର ରୂପାୟନ କରୁଛି।

୨୦୨୩-୨୪ ଆର୍ଥିକ ବର୍ଷରେ ଦ୍ରବ୍ୟ ଓ ସେବା କର ବାବଦରେ କେନ୍ଦୁପତ୍ର ବ୍ୟବସାୟର କ୍ଷତିକୁ ଭରଣା କରିବା ପାଇଁ ୫୦ କୋଟି ଟଙ୍କାର “ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି” ର ସୃଷ୍ଟି କରାଯାଇଛି। ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ଗୁଡିକର ପ୍ରଶଂସା କରିବା ସହିତ ଭିତରକନିକା, ଚିଲିକା, ଶିମିଳିପାଳ, ଚନ୍ଦକା ଓ ଭରତପୁର ଅଭୟାରଣ୍ୟକୁ ବିକଶିତ କରି ସର୍ବୋତ୍ତମ ବନ୍ୟଜନ୍ତୁ ଆବାସସ୍ଥଳୀ ଓ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଅମାତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବିଶ୍ୱସ୍ତରୀୟ ଉଦ୍ୟାନ ଭାବରେ ବିକଶିତ କରାଯିବ। ସେହିପରି ଗୋଷ୍ଠୀ ସହଭାଗିତାରେ ପରିବେଶ ପର‌୍ୟ୍ୟଟନକୁ ଆହୁରି ଉନ୍ନତ କରାଯିବ। ନିଜସ୍ୱ ଖର୍ଚ୍ଚରେ ରାଜ୍ୟ ସରକାର ବାଘ ଓ ହାତୀର ଗଣନା କରିବେ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଶ୍ରୀ ଦେବିଦତ୍ତ ବିଶ୍ଵାଳ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟଜନ୍ତୁ) ଶ୍ରୀ ସୁଶୀଲ କୁମାର ପୋପଲି, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (କେନ୍ଦୁଲିପି)ଶ୍ରୀମତୀ ପୁଷା ଜୁଲେ ମେକରୋ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

‘ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର ଆକ୍ସନ୍‌ ପ୍ଲାନ୍‌’

ଭୁବନେଶ୍ୱର: ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଜର୍ମାନ ସରକାରଙ୍କ ପରିବେଶ ସଂସଦୀୟ କମିଟି ଓ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ସ୍ଥାନୀୟ ଖାରବେଳ ଭବନ ସମ୍ମିଳନୀ କକ୍ଷଠାରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାର ସବୁବେଳେ ଜୈବବିବିଧତା, ବନ୍ୟଜନ୍ତୁ ଓ ଜଳସଂରକ୍ଷଣ ଉପରେ ପ୍ରାଧାନ୍ୟ ଦେଇଆସିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଥିଲେ । ରାଜ୍ୟର ବନ୍ୟଜନ୍ତୁ ଓ ସେମାନଙ୍କ ବାସସ୍ଥାନର ଉପଯୁକ୍ତ ସୁରକ୍ଷା ପାଇଁ ଓଡ଼ିଶାରେ ୧୯ଟି ବନ୍ୟଜନ୍ତୁ ଅଭୟାରଣ୍ୟ ରହିଛି । ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷାକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ବୋଲି ସେ କହିଥିଲେ ।

ଜିଆଇଜେଡ୍‌ ଭିତରକନିକାକୁ ପ୍ରମୁଖ ରାମସାର୍‌ ସାଇଟ୍‌ ଭାବରେ ଚୟନ କରିଛି । ଚିଲିକା ବିକାଶ ପ୍ରାଧିକରଣ (ସିଡିଏ) ଭିତରକନିକା ରାମସାର୍‌ ସାଇଟ୍‌ର ସମନ୍ୱିତ ପରିଚାଳନା ପାଇଁ ହାଇଡ୍ରୋ-ବାୟୋଲୋଜିକାଲ ଆକଳନ ଉପରେ ଏକ ଅଧ୍ୟୟନ କରିଥିଲା । ଦୀର୍ଘକାଳୀନ ତଥ୍ୟରୁ ସର୍ବେକ୍ଷଣ ଓ ବିଶ୍ଳେଷଣ କରି ଜଳର ଗୁଣାତ୍ମକ ମୂଲ୍ୟାଙ୍କନ ଓ ସ୍ୱାସ୍ଥ୍ୟ ରିପୋର୍ଟ କାର୍ଡ ପ୍ରସ୍ତୁତି ପାଇଁ ହାଇଡ୍ରୋଲୋଜିକାଲ୍‌ ବ୍ୟବସ୍ଥା ଏବଂ ମନିଟରିଂ ପାରାମିଟରଗୁଡ଼ିକୁ ନିଶ୍ଚିତ କରିବା ପାଇଁ ସିଡିଏ ସୁପାରିଶ କରିଛି ବୋଲି ମନ୍ତ୍ରୀ ଶ୍ରୀ ଅମାତ ସୂଚନା ଦେଇଥିବାବେଳେ ସିଡିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ସୁଶାନ୍ତ ନନ୍ଦ ଏ ବିଷୟରେ ଅତିଥିମାନଙ୍କୁ ବିଶେଷ ଅବଧାରଣା ଦେଇଥିଲେ ।

ରାଜ୍ୟର ଜୈବ ସମ୍ବଳର ସଂରକ୍ଷଣ ପାଇଁ ସରକାର ୭୨୫୬ଟି ଜୈବବିବିଧତା ପରିଚାଳନା କମିଟି ଗଠନ କରିଛନ୍ତି । ଜଳବାୟୁ ପରିବର୍ତ୍ତନ ଆଜି ବିଶ୍ୱର ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୨୧-୨୦୩୦ ବର୍ଷ ପାଇଁ ପ୍ରଥମ ଓ ଏକମାତ୍ର ରାଜ୍ୟ ଭାବରେ ବିସ୍ତୃତ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରିଛି ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ଜଳବାୟୁ ପରିବର୍ତ୍ତନ, ଜୈବବିବିଧତା ଓ ବନ୍ୟଜନ୍ତୁ ସଂରକ୍ଷଣ, ଜଳ ଓ ଏହାର ମାନର ସଂରକ୍ଷଣ ଆଦି ପ୍ରମୁଖ ସମସ୍ୟା ରୂପେ ଦେଖାଯାଇଛି । ଏଗୁଡ଼ିକୁ ସଂରକ୍ଷିତ କରିବାକୁ ହେଲେ ପୃଥିବୀର ପ୍ରତ୍ୟେକଟି ଦେଶ ମଧ୍ୟରେ ସମନ୍ୱୟ ଦରକାର ବୋଲି ଜର୍ମାନ ସରକାରଙ୍କ ପରିବେଶ ସଂସଦୀୟ କମିଟିର ପ୍ରତିନିଧିମାନେ ପ୍ରକାଶ କରିଥିଲେ । ଆକାଶମାର୍ଗରୁ ଓଡ଼ିଶାର ନଦନଦୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ବିଭୋର କରିଛି ବୋଲି ସେମାନେ ପ୍ରକାଶ କରିଥିଲେ ।

ଜୈବବିବିଧତା, ବନ୍ୟଜନ୍ତୁ, ହେନ୍ତାଳବଣର ସୁରକ୍ଷା ଓ ସଂରକ୍ଷଣ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଉପରେ ଓଡ଼ିଶା ସରକାର ସବୁବେଳେ ପ୍ରାଧାନ୍ୟ ଦେଇଆସିଛନ୍ତି । ବନ ସୁରକ୍ଷା ସମିତିମାନେ ଏ ଦିଗରେ ରାଜ୍ୟ ସରକାରଙ୍କୁ ସମୁଚିତ ସହଯୋଗ କରିଆସିଛନ୍ତି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା ସ୍ୱାଗତ ଭାଷଣରେ ପ୍ରକାଶ କରିଥିଲେ । ଭିତରକନିକା ରାମସାର ସାଇଟ୍‌ର ସମନ୍ୱିତ ପରିଚାଳନା ପାଇଁ ହାଇଡ୍ରୋ-ଇକୋଲୋଜିକାଲ୍‌ ଆକଳନର ଆବଶ୍ୟକତା ଉପରେ ଚିଲିକା ବିକାଶ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ସୁଶାନ୍ତ ନନ୍ଦ ବିସ୍ତୃତ ଅବଧାରଣା ଦେଇଥିଲେ ।

ବିଭାଗୀୟ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ଡ. କେ. ମୁରୁଗେସାନ୍‌ ଧନ୍ୟବାଦ ଦେବା ସହ ବୈଠକ ପରିଚାଳନା କରିଥିଲେ । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସୁଶୀଲ କୁମାର ପୋପ୍‌ଲି, ଶ୍ରୀ ଦେବୀଦତ୍ତ ବିଶ୍ୱାଳ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଡ. ପ୍ରଦୀପ କୁମାର ରାଉତ ଓ ଜର୍ମାନ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।
ପ୍ରତିନିଧିମାନେ ଆସନ୍ତାକାଲି ଭିତରକନିକା ପରିଦର୍ଶନର କାର୍ଯ୍ୟକ୍ରମ ରହିଛି ।