Categories
ଜାତୀୟ ଖବର ବିଶେଷ ଖବର

“ଆଜାଦୀ” ଶବ୍ଦକୁ ନେଇ ଆଦିତ୍ୟନାଥ ଓ ରାମଦେବ ଏତେ ଭୟାତୁର କାହିଁକି?

କେଦାର ମିଶ୍ର

ହଠାତ ଏକ ସ୍ଵାଧୀନ ଦେଶରେ “ସ୍ଵାଧୀନତା” ଶବ୍ଦକୁ ନେଇ କିଛି ଲୋକ ବଡ ଚିନ୍ତିତ ଜଣାପଡ଼ୁଛନ୍ତି। କେବଳ ଚିନ୍ତିତ ନୁହନ୍ତି, ସ୍ଵାଧୀନତା ବା ଆଜାଦୀ ଶବ୍ଦକୁ ନେଇ ସେମାନେ ଭୟାତୁର ହୋଇ ପଡୁଥିବାର ଆମେ ଦେଖୁଛୁ। ଏହି ଚିନ୍ତିତ ଓ ଭୟାତୁର ଲୋକଙ୍କ ଭିତରେ ଦୁଇଜଣ ବାବାଜୀ ସର୍ବାଗ୍ରେ ରହିଛନ୍ତି। ଜଣେ ହେଲେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଓ ଆର ଜଣକ କର୍ପୋରେଟ ସନ୍ୟାସୀ ବାବା ରାମଦେବ। ଭାରତୀୟ ଆଶ୍ରମ ବ୍ୟବସ୍ଥାରେ ସନ୍ୟାସକୁ ଚରମ ମୁକ୍ତିର ସୋପାନ ବୋଲି କୁହା ଯାଇଥାଏ। ଏ ଦୁଇ ସନ୍ୟାସୀ ମୁକ୍ତି, ସ୍ଵାଧୀନତା ଓ ଆଜାଦୀ ଶବ୍ଦକୁ ନେଇ ଏତେ ଡରୁଛନ୍ତି କାହିଁକି? ବର୍ତ୍ତମାନ ଦେଶରେ ମାସେରୁ ଅଧିକ କାଳ ଚାଲିଥିବା ନାଗରିକତା ସଂଶୋଧନ ଆଇନ ବିରୋଧରେ ଆନ୍ଦୋଳନକୁ ସାମ୍ନା କରିବାରେ ଅକ୍ଷମ ଓ ଲୋକଙ୍କୁ ଏହି ଆଇନର ସାମ୍ବିଧାନିକତା ବୁଝାଇବାରେ ବିଫଳ ହେବା ପରେ, ଏହାର ବିରୋଧୀଙ୍କୁ “ଦେଶଦ୍ରୋହୀ” ବୋଲି ଦେଖାଇବାର ପ୍ରୟାସ ବିଜେପି ଆରମ୍ଭ କରିଛି। ଏହି ଦୁଇ ବାବାଜୀ ସେହି ପ୍ରୟାସର ପ୍ରୟୋଗ କରୁଛନ୍ତି।

ସେମାନଙ୍କ ପାଇଁ ଆନ୍ଦୋଳନକାରୀ ଓ ପ୍ରତିବାଦକାରୀମାନେ ଯେଉଁ ସ୍ଲୋଗାନ ଦେଉଛନ୍ତି, ତାହା ଦେଶଦ୍ରୋହ ବୋଲି କହିବାର ହାସ୍ୟାସ୍ପଦ ଉଦ୍ୟମ ଚାଲିଛି। ବିଭିନ୍ନ ପ୍ରତିବାଦ ସଭାରେ ଏ ଦେଶର ସଚେତନ ନାଗରିକ ଓ ଛାତ୍ରଛାତ୍ରୀମାନେ “ଆଜାଦୀ” ସ୍ଲୋଗାନ ଦେଉଛନ୍ତି। ସ୍ଲୋଗାନର ମୋଟାମୋଟି ମର୍ମ ହେଲା- ଆମକୁ ଭେଦଭାବ, ମନୁ ବାଦ, ଅବିଚାର, ବୈଷମ୍ୟ, ଶୋଷଣ ଓ ଦାରିଦ୍ର୍ୟରୁ ମୁକ୍ତି ଦରକାର। ଗୋଟେ ସଭ୍ୟ ସମାଜ ସବୁବେଳେ ଏହି ମୁକ୍ତିର କାମନା କରିଥାଏ। ହେଲେ ଆଜିର ଶାସକ ଦଳ ଭାବୁଛି, ସ୍ଵାଧୀନତା ର ସ୍ଲୋଗାନ ଦେବା ଦେଶଦ୍ରୋହ। ହେଲେ କାହିଁକି? ବିଜେପି ସ୍ବାଧିନତାକୁ ନେଇ ଏତେ ଚିନ୍ତିତ ହେବାର କାରଣ କଣ? ବିଜେପିର ସମର୍ଥକମାନେ ବଡ ନିରୀହ ଭାବରେ ଯୁକ୍ତି କରୁଛନ୍ତି, ଆମେ ତ ୧୫, ଅଗଷ୍ଟ, ୧୯୪୭ରେ ସ୍ଵାଧୀନତା ପାଇ ସାରିଛୁ। ପୁଣି କାହାଠୁ ସ୍ଵାଧୀନତା ପାଇବାକୁ ଏ ସ୍ଲୋଗାନ? ଏ ପ୍ରଶ୍ନର ଉତ୍ତର ଆଉ କେଉଁଠି ନୁହଁ ଆମ ସମ୍ବିଧାନର ମୁଖବନ୍ଧରେ ରହିଛି। ହେଲେ ସମ୍ବିଧାନର ଶପଥ ନେଇଥିବା ଆଦିତ୍ୟନାଥ ଏକଥା ପଢିବା ବା ବୁଝିବା ଅବସ୍ଥାରେ ନାହାନ୍ତି।

ସ୍ଵାଧୀନତା ହାସଲ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ସ୍ବାଧିନତାକୁ ବଞ୍ଚାଇ ରଖିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ସେଥିଲାଗି ଆମ ସମ୍ବିଧାନରେ ଆମେ ଚାରୋଟି ଗ୍ୟାରେଣ୍ଟି ଆମ ନିଜକୁ ଦେଇଛୁ-  “ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ, ବିଚାର,ଅଭିବ୍ୟକ୍ତି, ଆସ୍ଥା ଓ ଧାର୍ମିକ ଉପଚାରର ସ୍ଵାଧୀନତା, ମର୍ୟାଦା ଓ ସୁଯୋଗର ସମାନତା ତଥା ସାମାଜିକ ସଦଭାବନା”। ଲିବର୍ଟି ବା ସ୍ଵାଧୀନତା ସମ୍ବିଧାନ ପ୍ରଦତ୍ତ ଏକ ଅଧିକାର। ଏହା କାହାର ଦୟା ବା ଦାନ ନୁହେଁ। ତେଣୁ କେହି ଯଦି ସ୍ବାଧିନତାର ସ୍ଲୋଗାନ ଦେଉଛି, ସେ ସମ୍ବିଧାନ ଦେଇଥିବା ଅଧିକାରର କଥା ହିଁ କହୁଛି। କୌଣସି ଛାତ୍ରଛାତ୍ରୀ, ଆନ୍ଦୋଳନକାରୀ ବା ପ୍ରତିବାଦକାରୀ ଦେଶରୁ ସ୍ଵାଧୀନ ହେବାର କଥା ତ କହୁନାହାନ୍ତି, ସେମାନେ ଦେଶରେ ସ୍ଵାଧୀନ ଭାବରେ ବଞ୍ଚିବାର ସଂଘର୍ଷ କରୁଛନ୍ତି। ସେଥିରେ ଆଦିତ୍ୟନାଥ ବା ରାମଦେବଙ୍କୁ ଏତେ ଭୟ କରିବାର କାରଣ କଣ? ଭେଦଭାବ, ମନୁ ବାଦ, ଅବିଚାର, ବୈଷମ୍ୟ, ଶୋଷଣ ଓ ଦାରିଦ୍ର୍ୟରୁ ମୁକ୍ତି କଣ ଦେଶଦ୍ରୋହ? ଏହି ସବୁ କୁବ୍ୟବସ୍ଥାକୁ ବିଜେପିକୁ ସମର୍ଥନ କରୁଛି କି? ଏଥିରୁ ମୁକ୍ତି ବା ଆଜାଦୀ ନ ମିଳୁ ବୋଲି କିଏ ବା ଚାହୁଁଛି କାହିଁକି?

ଗୋଟେ ପକ୍ଷରେ ଆଜାଦୀ ବିରୋଧରେ ଆଦିତ୍ୟନାଥ ପ୍ରବଳ କ୍ରୋଧରେ ଥିବା ବେଳେ, ନିଜେ ନିଜର ଭାଷଣରେ ଘୃଣା ଓ ପ୍ରତିଶୋଧର ହିଂସାକୁ ପ୍ରୋତ୍ସାହିତ କରୁଛନ୍ତି। ଧର୍ମ ଆଧାରରେ ଲୋକଙ୍କୁ ଭାଗ ଭାଗ କରିବା ସହିତ ସରକାରୀ ବିଚାରକୁ ବିରୋଧ କରୁଥିବା ଲୋକଙ୍କୁ ସ୍ପଷ୍ଟ ଧମକ ଦେଉଛନ୍ତି। କୌଣସି ଗଣତାନ୍ତ୍ରିକ ଦେଶରେ ସମ୍ବିଧାନର ଶପଥ ନେଇଥିବା ପଦାଧିକାରୀ ସ୍ଵାଧୀନତା ବିରୋଧରେ ଏ ପ୍ରକାର ମନ୍ତବ୍ୟ ଦେବା ଇତିହାସ ଦୃଷ୍ଟିରୁ ପ୍ରଥମ। ଯେଉଁମାନେ ଆଜାଦୀର ସ୍ଲୋଗାନ ଦେଉଛନ୍ତି ସେମାନଙ୍କ ବିରୋଧରେ “ଦେଶଦ୍ରୋହ” ମାମଲା କରାଯିବ ବୋଲି ଆଦିତ୍ୟନାଥ ଧମକ ଦେବା ପଛରେ ମଧ୍ୟ ସ୍ପଷ୍ଟ ସମ୍ବିଧାନ ବିରୋଧୀ ଧାରଣା ରହିଛି। ଦେଶଦ୍ରୋହ ଆଇନ ବା ଭାରତୀୟ ପିଙ୍ଗଳ କୋଡର ର ଧାରା ୧୨୪ଏ କୌଣସି ସରକାର ହାତରେ ଖେଳଣା ନୁହେଁ। ଏହାକୁ ଅତି ଜରୁରୀ ପରିସ୍ଥିତିରେ ହିଁ ପ୍ରୟୋଗ କରାଯାଇପାରିବ ବୋଲି ସୁପ୍ରିମ କୋର୍ଟ ବାରମ୍ବାର କହିଛନ୍ତି। ବିଭିନ୍ନ ସମୟରେ ଏହି ଆଇନକୁ ଲାଗୁ କରିବା ସମୟରେ ସରକାରକୁ ସତର୍କ ରହିବାକୁ ସୁପ୍ରିମ କୋର୍ଟ କହିଛନ୍ତି। ତା ସତ୍ତ୍ୱେ ଜଣେ ମୁଖ୍ୟମନ୍ତ୍ରୀ ଏହି ଆଇନର ଧମକ ଦେଉଛନ୍ତି କାହିଁକି?

ଗୋଟେ କଥା ମାନେ ରଖିବାକୁ ପଡିବ, ପୃଥିବୀର ଅନ୍ୟତମ ପୁରୁଣା ଗଣତନ୍ତ୍ର ଭାବରେ ଆମେରିକା “ଷ୍ଟାଚ୍ୟୁ ଅଫ ଲିବର୍ଟି” ମାଧ୍ୟମରେ ସ୍ବାଧିନତାକୁ ସଭ୍ୟ ସମାଜର ସର୍ବୋଚ୍ଚ ପ୍ରାଥମିକତା ଭାବରେ ଗ୍ରହଣ କରିଛି। ଆମର ସମ୍ବିଧାନ ମଧ୍ୟ ସ୍ଵାଧୀନତା ବା ଲିବର୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି। ସେଥିରେ କୌଣସି ବ୍ୟକ୍ତି, ଦଳ ବା ସରକାର ଯଦି ଆଜାଦୀ ଶବ୍ଦକୁ ନେଇ ଆତଙ୍କିତ ହୁଅନ୍ତି, ତାହଲେ ସେମାନେ ସମ୍ବିଧାନ ବିରୋଧୀ ବୋଲି ନିଜେ ନିଜକୁ ପ୍ରମାଣିତ କରୁଛନ୍ତି।

Categories
ବିଶେଷ ଖବର ମତାମତ

ଗଣତନ୍ତ୍ର ବି ଛଡେଇ ନେଇପାରେ ସ୍ବାଧୀନତା ଓ କରିପାରେ ବନ୍ଦୀ

ଦେବ ରଞ୍ଜନ

ଗଣତାନ୍ତ୍ରିକ ବିଚାର ନେଇ କାଶ୍ମୀରର ସନ୍ଦର୍ଭରେ ଆଜି କିଛି କହିବା ଅଥବା ଲେଖିବା ନିଜ ଘର ଉପରକୁ ଟେକା ମାରିବା ସଦୃଶ କଥା। ସେ ବନ୍ଧୁ ହେଉ କି ପରିବାର ସମସ୍ତେ ବୁଝି ନେଇଛନ୍ତି ଯେ ଗଣତନ୍ତ୍ରର ଅର୍ଥ ନୁହେଁ ବ୍ୟକ୍ତିକୁ ସ୍ବାଧୀନତା ଦେବା, କାଶ୍ମୀରବାସୀଙ୍କୁ ତ ଆଦୌ ନୁହେଁ। ’ଗୋଟେ ଦେଶ ଗୋଟେ ପତାକା’ ସ୍ଲୋଗାନ ଏଭଳି ଭାବପ୍ରବଣତା ତିଆରି କରିଦେଇଛି ଯେ ଯେମିତି ତୁମେ ଯଦି ବିଜେପି ସରକାରଙ୍କ ସହିତ ନାହଁ ତେବେ ତୁମେ ପାକିସ୍ତାନୀ! ନା ମୁଁ କେବେ କାଶ୍ମୀର ଯାଇପାରିଛି ନା କାଶ୍ମିରୀୟତ ସହିତ ମୋର କୌଣସି ସମ୍ପର୍କ ରହିଛି। କାଶ୍ମୀର ସହିତ ମୋର ସମ୍ପର୍କ ମୋର ଜଣେ ଆଦିବାସୀ ବନ୍ଧୁଙ୍କ ମାଧ୍ୟମରେ ଯିଏ ଜଣେ ଭାରତୀୟ ସେନାବାହିନୀର ଯବାନ। ସେ ସର୍ବଦା ଦୁଇଟି ମଣିଷ ହୋଇଥାଏ। ଗାଁରେ ଥିଲେ କୁହେ, ‘ଏ ପୁଲିସବାଲା ଯାହାକୁ ଇଚ୍ଛା ତାହାକୁ ବାନ୍ଧି ଆଣୁଛନ୍ତି  ନହେଲେ ଏନକାଉଣ୍ଟର କରିଦେଉଛନ୍ତି। ସମସ୍ତେ କ’ଣ ମାଓବାଦୀ ହୋଇଛନ୍ତି ନା ଚୋର?’ ପୁଣି କାଶ୍ମୀର କଥା ପଡ଼ିଲେ କୁହେ, ‘ଟ୍ରିଗର୍‌ ଉପରେ ଆଙ୍ଗୁଳି ରଖିଲେ ଯାଇ ମତେ ଶାନ୍ତି ଲାଗେ। କେତେବେଳେ କୁଆଡୁ ଉଗ୍ରପନ୍ଥୀ ଆସିଯିବେ କିଏ ଜାଣେ ? ଗଲା ବର୍ଷ ତା’ର ହିସାବରେ ପ୍ରାୟେ ୫ ଲକ୍ଷ ଯବାନ ଜଗିଥିଲେ ସମଗ୍ର କାଶ୍ମୀରକୁ। ଏବେ ତାହା ସାତ ଲକ୍ଷ ଅର୍ଥାତ୍‌ ପ୍ରତି ସାତ କି ଆଠ କାଶ୍ମୀରବାସୀଙ୍କ ବିପକ୍ଷରେ ଜଣେ ଆଧୁନିକ ଅସ୍ତ୍ରଧାରୀ ଯବାନ। ଉଭୟ କାଶ୍ମୀରବାସୀ ଓ ନିଯୁକ୍ତି ଯବାନ ସମେସ୍ତ ଅଜଣା ଆତଙ୍କ ମଧ୍ୟରେ। ଧାରା ୩୭୦ର ଉଚ୍ଛେଦ କେବଳ ହେଲା ନାହିଁ  ତା’ ସହିତ କାଶ୍ମୀର ନିଜର ରାଜ୍ୟମାନ୍ୟତା ମଧ୍ୟ ହରାଇଛି। ଆଗକୁ ହୁଏ କୌଣସି ବି ରାଜ୍ୟ ଏପରିକି ଆଦିବାସୀ ବହୁଳ ପଞ୍ଚମ ଅନୁଚ୍ଛେଦ ମଧ୍ୟ ନିଜର ସ୍ବତନ୍ତ୍ର କ୍ଷମତା ଟିକକ ହରାଇପାରେ। ସେତେବେଳେ ହୁଏତ ସ୍ଲୋଗାନ୍‌ ରହିବ ’ଗୋଟେ ଦେଶ ଗୋଟେ ଆଇନ’- ବିଧାନସଭା ହେଉ କି ଗ୍ରାମସଭା କାହାରି ସ୍ବତନ୍ତ୍ର କ୍ଷମତା ରହିବା ଉଚିତ୍‌ ନୁହେଁ।  ଧାରା ୩୭୦ଉଚ୍ଛେଦ ପରଠାରୁ ବନ୍ଧୁପତ୍ନୀ ଜଣକ ନା ଟିଭି ସାମ୍ନାକୁ ଆସୁଛି ନା କାଶ୍ମୀରରୁ କିଛି ଫୋନ୍‌ ଆସୁଛି। ଦେଶର ଆଜି ସାତ ଲକ୍ଷ ଯବାନଙ୍କ ପରିବାର ମଧ୍ୟ ସେହି ଅନିଶ୍ଚିତତା ମଧ୍ୟରେ ଥିବେ ଠିକ୍‌ ମୁଁ, ମୋର ବନ୍ଧୁପତ୍ନୀ ଓ ତା’ ପରିବାର ଲୋକଙ୍କ ପରି। ପ୍ରେମ ଓ ଜାତୀୟତା ମଧ୍ୟରେ ଦୂରତା ଅନେକ, ହୁଏତ ମିଶ୍ରଣ ଅସମ୍ଭବ।

ଏଥର ନିଜ ଦେଶର ନିଜ ଲୋକଙ୍କ ବିପକ୍ଷରେ ନିଜେ ବନ୍ଧୁକ ଧରିଲା ବେଳେ ମୋର ବନ୍ଧୁଟି ସତେରେ କ’ଣ ଭାବୁଥିବ ? ଏହି କଥା ଗଲା ପାଞ୍ଚ ତାରିଖଠାରୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ପଚାରିବାକୁ ଚାହୁଁଛି। ହଁ, ସେ ମୋର ପ୍ରଧାନମନ୍ତ୍ରୀ। ହୁଏତ ମୁଁ ତାଙ୍କର ଅନେକ କଥାରେ ଅସହମତ ହୋଇପାରୁଥାଏ। ପଚାରିବାକୁ ଇଚ୍ଛା କରିବି କ’ଣ ସତେରେ ଏହା ପରେ ମୋର ବନ୍ଧୁ ଜଣକ ଟ୍ରିଗର ଉପରୁ ଆଙ୍ଗୁଳି ଉଠାଇ ନିଶ୍ଚିନ୍ତରେ ଟିକେ ଶୋଇପାରିବ ? ସେ ଆଉ ନିଜ ଦେଶର ସେହି କାଶ୍ମୀର ଲୋକଙ୍କୁ ଏନକାଉଣ୍ଟର କରିବନି, ହରଣଚାଳ କରିବନି, ପେଲେଟ ଗନରେ ମାରିବନି, ରାତି ଅଧରେ ଉଠାଇବନି ତ ଯଦି ତୁମ କଥା ସତ ହୋଇଥାଏ ଯେ କାଶ୍ମୀରରେ ସମ୍ପୂର୍ଣ୍ଣ ଶାନ୍ତି ଚାଲିଆସିଛି ? ସତେରେ କ’ଣ ଏହାପରେ କାଶ୍ମୀରବାସୀ ମୋର ବନ୍ଧୁଙ୍କୁ ହସି ହସି ବିଦାୟ ଦେବେ ଓ ଉଗ୍ରପନ୍ଥୀମାନଙ୍କୁ ନିପାତ କରିପାରିଥିବା ହେତୁ ଧନ୍ୟବାଦ ଜଣାଇବେ ? ବହୁ ବର୍ଷ ତଳେ ଏମିତି ଏକ ଛବି ଟିଭି ପରଦାରେ ଆଫଗାନିସ୍ତାନରେ ଦେଖିଥିଲି। ଛୋଟ ଝିଅଟିଏ ରୁଷ ସଶସ୍ତ୍ର ବାହିନୀର ଟ୍ୟାଙ୍କ ଫେରିଯାଉଥିଲାବେଳେ ଯବାନଟିକୁ ଫୁଲଟିଏ ଆଣି ଦେଉଥିଲା। ବହୁତ ବର୍ଷ ପରେ ଜାଣିଲି ତାହା ସ୍ବତଃ ସ୍ଫୂର୍ତ୍ତ ନଥିଲା, ଛବିଟିକୁ ଟିଭି ପାଇଁ ତିଆରି କରାଯାଇଥିଲା। ଠିକ୍‌ ଅଛି ଯେ କାଶ୍ମୀରବାସୀ ମୋର ବନ୍ଧୁଙ୍କୁ ଏହାପରେ ହସି ହସି ବିଦାୟ ନ ଦେଇପାରନ୍ତି। କାରଣ ପ୍ରତିବାଦ ଓ ପ୍ରତିଶୋଧ ମଧ୍ୟରେ ଅନେକ ଦୂରତା ରହିଛି। ଆମେ ଅଳ୍ପ କିଛି ଜନଗଣ ଆଜି ସରକାରଙ୍କୁ କେବଳ ନିଜର ପ୍ରତିବାଦ ଜଣାଉଛୁ। ସେମାନେ କିନ୍ତୁ ପ୍ରତିଶୋଧ ଓ ପ୍ରତିହିଂସାର ଅଗ୍ନିରେ ଜଳୁଛନ୍ତି, ଠିକ୍‌ ଆଫଗାନିସ୍ତାନ, ପାଲେଷ୍ଟାଇନ୍‌ ଓ ସିରିଆ ଭଳି। ମହାତ୍ମା ଗାନ୍ଧିଙ୍କର ସେହି କଥା ଯେ ତୁମେ ଯଦି ଆଖି ବଦଳରେ ଆଖି ନେବାକୁ ଚାହିଁବ ତେବେ ବିଶ୍ବ ଅନ୍ଧ ପାଲଟିଯାଇଥିବା ଜାଣିବ। ଏହା ଶାସକଙ୍କ ପାଇଁ ଅଧିକ ପ୍ରଯୁର୍ଜ୍ୟ। ସମଗ୍ର ରାଜ୍ୟବାସୀଙ୍କୁ ବିଜେପି ସରକାର ଜଣେ ଜଣେ ଉଗ୍ରପନ୍ଥୀ ଅଥବା ସମ୍ଭାବ୍ୟ ଉଗ୍ରପନ୍ଥ ଭାବରେ ଦେଖିବା ଓ ରାଜ୍ୟକୁ ସଂଘୀୟ ସ୍ଥିତିରୁ ଉଚ୍ଛେଦ କରି କେନ୍ଦ୍ରର ଅଧୀନକୁ ନେଇ ଆସିବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ। ଏହି ଅଗଣତାନ୍ତ୍ରିକ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ସରକାର ରାତିକ ଭିତରେ ହଜାର ହଜାର ଯବାନଙ୍କୁ ଗୋଟେ ଛୋଟ ସ୍ଥାନକୁ ପଠାଇ ସେମାନଙ୍କୁ ଘେରାବନ୍ଦୀ କରିଦେଲେ! ଏଭଳି ଅଗଣତାନ୍ତ୍ରିକ ପଦକ୍ଷେପ କିପରି ଏକ ମହାନ ଜାତୀୟତାବାଦୀ କାର୍ଯ୍ୟ ହୋଇଗଲା କିନ୍ତୁ ଏକ ରାଜ୍ୟ ଉପରେ କେନ୍ଦ୍ର ସରକାର ଲଗାତର ଭାବରେ ସୈନ୍ୟ ପଠାଇ ଅତ୍ୟାଚାର କରିଚାଲିବା ଆମ ଆଲୋଚନାର କେନ୍ଦ୍ର ବିନ୍ଦୁ କେବେ ବି ହୋଇପାରିଲା ନାହିଁ ? ଦୁଃଖର କଥା ଯେ ଆମର ଜାତୀୟତା ଆମର ମାନବିକତାକୁ ଢାଙ୍କିଦେଇଛି ଓ ଏହା ଆମକୁ ଅନେକ ବିଷୟରେ ଅନ୍ଧ କରିଦେଉଛି।

ଧାରା ୩୭୦ ଉଚ୍ଛେଦ ଦ୍ବାରା କାଶ୍ମୀରବାସୀ ଉପକାର ପାଇବେ କି ନାହିଁ ତାହା ମୁଁ କହିପାରୁନି। ଏବେ ତ ବିଭିନ୍ନ ତୁଳନାତ୍ମକ ରିପୋର୍ଟ ଆସିଲାଣି ଯେ କାଶ୍ମୀରର ଶିକ୍ଷା, ଅପପୃଷ୍ଟି, ଶିଶୁ ମୃତ୍ୟୁହାର ଇତ୍ୟାଦି କ୍ଷେତ୍ରରେ ଜାତୀୟ ହାର ଏପରିକି ଗୁଜୁରାଟଠାରୁ ଜାମୁ ଓ କାଶ୍ମୀରର ସ୍ଥିତି ବେଶ୍‌ ଉନ୍ନତ। ତଥ୍ୟ ଜାଣିବାର ଅଧିକାର ୨୦୦୪ ମସିହାରୁ ସେଠାରେ ଲାଗୁ ହୋଇଥିଲା। ବର୍ତ୍ତମାନ ସରକାରଙ୍କ ଜିଏସ୍‌ଟିକୁ ଜାମ୍ମୁ କାଶ୍ମୀର ସରକାର ବିଧାନସଭାରେ ପାସ୍‌ କରିଥିଲେ। ଦ୍ବୈତ ନାଗରିକ ବ୍ୟବସ୍ଥା କେବଳ ମିଥ୍ୟା ପ୍ରଚାର। ଯେକୌଣସି ଭାରତୀୟ ଭିସା ଓ ପାସପୋର୍ଟ ସାହାଯ୍ୟରେ ଯେମିତି ଅନ୍ୟ ଦେଶକୁ ଯାଇପାରିବ ସେମିତି ପାକିସ୍ତାନୀ ଜଣେ ଆସିପାରିବ। କିନ୍ତୁ ସେ କାଶ୍ମୀରରେ ସ୍ଥାୟୀ ବାସିନ୍ଦା ହୋଇପାରିବ ନାହିଁ। କାଶ୍ମୀରର ସମ୍ବିଧାନରେ ଜଣେ ଭାରତୀୟ ‘ସ୍ଥାୟୀ ବାସିନ୍ଦା’ ଓ ସେ କାମ ଅନ୍ବେଷଣରେ କାଶ୍ମୀର ଯାଇପାରିବ। କେବଳ କାଶ୍ମୀରରେ କାହିଁକି ନାଗାଲାଣ୍ଡ, ହିମାଚଳ ପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ଆଣ୍ଡାମାନ ନିକୋବରରେ ଅନ୍ୟ ପ୍ରଦେଶର ଲୋକେ ଜାଗା କିଣିପାରିବେ ନାହିଁ। ବିବାହିତା କାଶ୍ମୀର ଝିଅ ବିବାହ ପରେ ନିଜ ଜମିର ଅଧିକାର ନିଜ ରାଜ୍ୟରେ ହରାଇବା ଯେଉଁ ପ୍ରସ୍ତାବ ଥିଲା ତାହାକୁ ସେଠାର ହାଇକୋର୍ଟ ୨୦୦୧ ମସିହାରୁ ଉଚ୍ଛେଦ କରିସାରିଛି। ଏହାପରେ ବି କ’ଣ ଆମ୍ଭେମାନେ କାଶ୍ମୀରରେ ଚାଲିଥିବା ମାନବିକ ଅଧିକାର ଉଲ୍ଲଂଘନ ବିପକ୍ଷରେ କୌଣସି ସ୍ବର ଉଠାଇବା ନାହିଁ ? ଆଜି ସାଧାରଣ କାଶ୍ମୀର ନାଗରିକ କେତେବେଳେ ଭାରତୀୟ ଯବାନ ତ ପୁଣି କେତେବେଳେ ସ୍ଥାନୀୟ ଉଗ୍ରପନ୍ଥୀ ପୁଣି ସୀମାରେ ପାକିସ୍ତାନୀ ସୈନ୍ୟର ଗୁଳିରେ ମୃତ୍ୟୁବରଣ କରୁଛନ୍ତି। କିନ୍ତୁ ଧାରା ୩୭୦ ଉଚ୍ଛେଦ ପରେ ବିଜେପିର ରାଜ୍ୟ ମୁଖ୍ୟମାନେ ଯେଉଁ ଭଳି ବୟାନ ଦେଉଛନ୍ତି ସେଥିରୁ ଜଣାପଡୁଛି ଯେ ଆମେ କେଉଁ ଅଷ୍ଟାଦଶ ଶତାବ୍ଦୀର ରାଜାଙ୍କ ଯୁଦ୍ଧ ଜୟର କାହାଣୀ ଲେଖୁଛୁ। ସେତେବେଳେ ରାଜାମାନେ ଯୁଦ୍ଧ ଲଢୁଥିଲେ ଭୂଖଣ୍ଡକୁ ଅକ୍ତିଆର କରିବା ଲାଗି ଓ ଅକ୍ତିଆର କରିବା ପରେ ଶତ୍ରୁ ରାଜ୍ୟର ଯୁବକମାନଙ୍କୁ ହତ୍ୟା କରୁଥିଲେ, ନାରୀକୁ ଉପଭୋଗ କରୁଥିଲେ ଓ ଜମିକୁ ନିଜ କବ୍‌ଜାକୁ ଆଣୁଥିଲେ। ହୁଏତ କେହି ସାଧାରଣ ମଣିଷ ଜମି କିଣୁ କି ନକିଣୁ ଏବେ ରିଲାଏନ୍ସ କମ୍ପାନୀ ଘୋଷଣା କରିଛି ସ୍ବତନ୍ତ୍ର ପ୍ୟାକେଜ୍‌ ଦେଇ ସେ କାଶ୍ମୀରରେ ଜମି ଅଧିଗ୍ରହଣ କରିବ ଓ ସେଠାରେ ବିକାଶ କରିବ। ଗଣତନ୍ତ୍ର ଓ  ଗଣ – କର୍ପୋରେଟତନ୍ତ୍ର ମଧ୍ୟରେ ଥିବା ପାର୍ଥକ୍ୟ ଆଉ କିଛି ନାହିଁ। କଂଗ୍ରେସ ପାର୍ଟି ଯେଉଁ ଆର୍ଥିକ କ୍ଷେତ୍ରରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରିଥିଲା ସେହି ସମାନ ପ୍ରକ୍ରିୟାକୁ ବିଜେପି ଦ୍ରୁତଗତିରେ ଆପଣାଇ ଚାଲିଛି।

ଗଣତନ୍ତ୍ରକୁ ମୁଁ ମୋର ସ୍କୁଲ ବହିରେ ଯାହା ପଢିଛି ଆଜି ତାହା ଗଣତନ୍ତ୍ର ନୁହେଁ ଓ ଆଜି ଗଣତନ୍ତ୍ର କହିଲେ ଯାହା ବୁଝାପଡେ ତାହା କିନ୍ତୁ ସ୍କୁଲ ବହିରେ କେବେ ଲେଖାହୋଇନଥିଲା। ମୁଁ ସ୍ବପ୍ନ ଦେଖୁଥିଲି ୭୦ ବର୍ଷର ସ୍ବାଧୀନତା ଭିତରେ ମୋର ଦେଶ ଏତେ ଉପରକୁ ଉଠିଯାଇଥିବ ଯେ ସାରା ବିଶ୍ବକୁ ସେ କହୁଥିବ ଗଣତନ୍ତ୍ର ମଧ୍ୟରେ ନା ରଙ୍ଗ ନା ଜାତି ନା ଅର୍ଥ (ଆର୍ଥିକ) ନା ଧର୍ମର କୌଣସି ପ୍ରଭେଦ ରହିଛି। ସମସ୍ତେ ଶାନ୍ତି ଓ ସୁଖରେ ଅବସ୍ଥାନ କରିବାର ପଦ୍ଧତି ହେଲା ଏହି ଗଣତନ୍ତ୍ର। କିନ୍ତୁ ବାସ୍ତବତା ହେଲା ଦେଶ ସତରେ ବହୁତ ଉଚ୍ଚକୁ ଚାଲିଯାଇଥିବା ଲାଗୁଛି କାରଣ ଏଥିରେ ଅନେକ ଆଜି ଆଣ୍ଠେଇ ପଡିଛନ୍ତି। ଦେଶ ଯଦି କିଛି ଦେଉଛି ତେବେ ତାହା ଖଜୁରୀ ଗଛର କୋଳି, ନିଶୁଣି ଥିବା ଲୋକ ହିଁ ନେଇପାରୁଛି। ଏବେ ଗାନ୍ଧିଙ୍କ ୧୫୦ତମ ଜନ୍ମତିଥି ପାଳନ କରୁଛେ। କିନ୍ତୁ ଗଣତନ୍ତ୍ରକୁ ସୁଧାରିବାର ପ୍ରୟାସ ଆମେ କରୁନାହୁଁ କାରଣ ଏଭଳି ଗଣତନ୍ତ୍ରକୁ ନେଇ ଭାବପ୍ରବଣ ସାଜିବାର ଅନେକ କାରଣ ରହୁଛି।

Categories
ବିଶେଷ ଖବର

ଓଡ଼ିଶାର ଖବରକାଗଜକୁ ନେଇ  ଅପ୍ରିୟ ସତ କହିବାରେ କିଛି ଅସୁବିଧା ଅଛି କି??

କେଦାର ମିଶ୍ର

ସମଗ୍ର ଗଣମାଧ୍ୟମ କ୍ଷମତା ଓ ପୁଞ୍ଜିର ଦାସତ୍ୱ ସ୍ୱୀକାର କରିନେଇଛନ୍ତି – ସୁତରାଂ ସେମାନଙ୍କଠୁ କୌଣସି ସାମାଜିକ ପ୍ରତିବଦ୍ଧତା ଆଶା କରିବା ବୃଥା ବୋଲି ଆମେ ମାନିନେବା କି? ସମାଜର ଶେଷଧାଡ଼ିରେ ଠିଆ ହୋଇଥିବା ଶୋଷିତମାନଙ୍କର ବ୍ୟଥା – ବେଦନା ଲେଖିବା ପାଇଁ ସାମ୍ବାଦିକଙ୍କର ସମୟ ନାହିଁ। ଏହା ହିଁ ଆଜିର ବିଡ଼ମ୍ବିତ ସତ୍ୟ କି? ବିଜ୍ଞାପନ ଦେଉଥିବା ଓ ହୱାଲା ମାଧ୍ୟମରେ କମ୍ପାନୀକୁ ମାଲାମାଲ କରୁଥିବା ବ୍ୟକ୍ତି ବା ଅନୁଷ୍ଠାନର ମୁଖପତ୍ର ଭାବରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବିବେକକୁ ବନ୍ଧା ପକାଇବା କେତେଦୂର ଯଥାର୍ଥ? ଏହାର ବିକଳ୍ପ କିଛି ନାହିଁ କି? ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ଆଜି ଅପରିହାର୍ଯ୍ୟ ହୋଇପଡ଼ିଛି। ଗଣତନ୍ତ୍ରର ସୁରକ୍ଷା ପାଇଁ ଚିନ୍ତିତ ପ୍ରତ୍ୟେକ ସଚେତନ ନାଗରିକ ପାଇଁ ଏଇ ପ୍ରଶ୍ନସବୁ ଆଜି ସବୁଠୁ ଗୁରୁତ୍ବପୂର୍ଣ୍ଣ । ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାର ବିଫଳତାକୁ ସାମ୍ନା କରିବା ପାଇଁ ଗଣମାଧ୍ୟମ ଏକମାତ୍ର ସଫଳ ବିକଳ୍ପ। ଏହି ଅନ୍ତିମ ଆଶାଟି ଯଦି ନିଜତ୍ୱ ହରାଇ ବସେ, ସେଠି ଗଣତନ୍ତ୍ରର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ଲାଗିବ ନିଶ୍ଚୟ। ଆଜିର ପରିପ୍ରେକ୍ଷୀରେ ଏହା ହିଁ ଘଟିଛି ଓଡ଼ିଶାରେ।

ବିଧାନପାଳିକା ଓ କାର୍ଯ୍ୟପାଳିକାର ମଙ୍ଗୁଆଳମାନଙ୍କ ହାତରେ ଗଣମାଧ୍ୟମ ନିଜକୁ ବନ୍ଧା ପକାଇଦେଇଛି। ଓଡ଼ିଶା ରାଜନୀତିର ପ୍ରମୁଖ ଗଦିମାନ ଆବୋରି ବସିଥିବା ନେତାଙ୍କ ମର୍ଜି ମୁତାବକ ଆମେ ସାମ୍ବାଦିକମାନେ କଲମ ଚାଳନା କରୁଛୁ। କୌଣସି ନା କୌଣସି ରାଜନୈତିକ ଗୋଷ୍ଠୀର ସ୍ୱାର୍ଥରକ୍ଷା ପାଇଁ ଗଣମାଧ୍ୟମ ନିଜର ସାଧନ ଓ ସମ୍ବଳର ବିନିଯୋଗ କରିଚାଲିଛି। ଉଦାହରଣ ଆଦୌ ବିରଳ ନୁହେଁ। କୌଣସି ନା କୌଣସି ରାଜନୈତିକ ମଂଚରେ ବା ଦଳରେ  ଆମେ ଆମ ରାଜ୍ୟର ଅଗ୍ରଣୀ ସମ୍ପାଦକମାନଙ୍କୁ ନିଶ୍ଚୟ ଦେଖୁଛୁ। ନିରପେକ୍ଷ ସମ୍ବାଦ ପରିବେଷଣ ପାଇଁ ଲୋକଙ୍କ ପାଖରୁ ପ୍ରତି ସକାଳେ ଟଙ୍କା ଆଦାୟ କରୁଥିବା ଆମ ସମ୍ବାଦପତ୍ର ଓ ଚ୍ୟାନେଲମାନେ ‘ନିରପେକ୍ଷତା’କୁ  ଏକ ଅନ୍ଧବିଶ୍ୱାସ ବୋଲି କହିବାକୁ ଲଜ୍ଜିତ ହେଉନାହାନ୍ତି। କିଛି ବର୍ଷ  ତଳେ ଓଡ଼ିଶାର ଜଣେ ପ୍ରଖ୍ୟାତ ସମ୍ପାଦକଙ୍କ ଶ୍ରୀମୁଖରୁ ଆମେ ଏଇ ବାର୍ତ୍ତା ପାଇଥିଲୁ ଯେ, ‘ଖବର କାଗଜ ବ୍ୟବସାୟରେ ଲାଭର ଗୁରୁତ୍ୱ ସବୁଠୁ ବେଶୀ। ନିରପେକ୍ଷ ସମ୍ବାଦ ଆଦର୍ଶବାଦର ମୁଖା ପିନ୍ଧିଥିବା ଛଳନା ମାତ୍ର।’ ତେବେ ଏହା ହିଁ ଆଜିର ବାସ୍ତବତା ଓ ସତ୍ୟ।

ଗଣମାନସ ଓ ଗଣମାଧ୍ୟମର ଆଦର୍ଶ

ନିଜର ବିଚାର  ଆଦର୍ଶ ପାଇଁ ସମ୍ବାଦପତ୍ରକୁ ଏକ ମିଶନ ଭାବରେ ଗ୍ରହଣ କରିଥିଲେ ମହାତ୍ମା ଗାନ୍ଧୀ ଏବଂ ତାଙ୍କରି ଅନୁସରଣରେ ଓଡ଼ିଶାର ଗୋପବନ୍ଧୁ ଦାସ। ‘ଇଣ୍ଡିଆନ୍ ଓପିନିଅନ୍’ ପ୍ରକାଶ କରିବାକୁ ଯାଇ ଗାନ୍ଧିଜୀ ବ୍ୟକ୍ତିଗତ ଭାବରେ ୨୬,୦୦୦ଟଙ୍କା କ୍ଷତିଭରଣ କରିଥିଲେ। ନିଜ ବିଚାର ଓ ଆଦର୍ଶର ପ୍ରଚାର ଲାଗି ବିଜ୍ଞାପନକୁ ପୁରାପୁରି ନିଷିଦ୍ଧ କରାଗଲା ଗୋଟେ ସମୟରେ। ଗାନ୍ଧୀ ଭଲଭାବରେ ଜାଣିଥିଲେ ବିଜ୍ଞାପନ ଛାପିବାର ଅର୍ଥ ସତ୍ୟ ଓ ସ୍ୱାଧୀନତାକୁ ବଳି ପକେଇବା। ପ୍ରାରମ୍ଭିକ ପର୍ଯ୍ୟାୟରେ ଗୋପବନ୍ଧୁଙ୍କ ‘ସମାଜ’ ମଧ୍ୟ ଏହି ଆଦର୍ଶକୁ ପାଥେୟ କରି ପ୍ରତିଷ୍ଠା ଲାଭ କରିଥିଲା।

ଓଡ଼ିଆ ଅସ୍ମିତାର ପ୍ରତିଷ୍ଠା ଓ ସଂସ୍କୃତିର ନବଜାଗରଣ ପାଇଁ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ ଜନ୍ମଲାଭ କରିଥିଲା। ତେବେ ଏଇଠି ମଧ୍ୟ ଆରମ୍ଭ ହୋଇଥିଲା ବିଜ୍ଞାପନ ସଂସ୍କୃତିର ଦୁରାରମ୍ଭ ଏବଂ ଧନୀକ ଗୋଷ୍ଠୀର ପ୍ରଶଂସା ପାଇଁ କାର୍ଯ୍ୟ କରିବାର ଦୁରାଗ୍ରହ। ଲୋକ ଜୀବନର ସମସ୍ୟା ଅପେକ୍ଷା ସମାଜବାଦୀ ଶାସକଙ୍କ ସୁଦୃଷ୍ଟି ଲାଭର ଆଙ୍କାକ୍ଷା କେତେକାଂଶରେ ‘ଦୀପିକା’ ପୃଷ୍ଠାରେ ଦେଖିବାକୁ ମିଳିଥାଏ। ପ୍ରାରମ୍ଭିକ ପର୍ଯ୍ୟାୟରେ ‘ସମ୍ବାଦପତ୍ର’ ଥିଲା ସାମ୍ରାଜ୍ୟବାଦର ସୁଫଳ, ତେଣୁ ସାମ୍ରାଜ୍ୟବାଦ ପ୍ରତି ଏକ ପ୍ରକାର ସ୍ୱାଭାବିକ କୃତଜ୍ଞତା, ‘ଦୀପିକା’ ସମେତ ସମକାଳୀନ ଅନ୍ୟାନ୍ୟ ଭାରତୀୟ  ଖବର କାଗଜରେ ଦୃଷ୍ଟିଗୋଚର ହୋଇଥାଏ। ଅନ୍ୟଦିଗରେ ଓଡ଼ିଶା ଗଠନର ସଂକଳ୍ପ, ଭାଷା-ସଂସ୍କୃତିର ପୁନର୍ଜାଗରଣ ଏବଂ ଜାତୀୟ ଜୀବନକୁ ଉଦବୁଦ୍ଧ କରିବାର ଦାୟିତ୍ୱ ଏମାନେ ବହନ କରିଥିଲେ। ‘ଉତ୍କଳ ଦୀପିକା’ର ପ୍ରକାଶକ ଓ ସମ୍ପାଦକ ଥିଲେ ଉପନିବେଶବାଦୀ ସରକାରଙ୍କ ରାଜ କର୍ମଚାରୀ। ତଥାପି ବେଳେବେଳେ ସେମାନେ ଯେଉଁ ସାହସ ଓ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିଲେ ତାର କୌଣସି ତୁଳନା ନାହିଁ।୧୮୬୬ ର ଭୟଂକର  ଦୁର୍ଭିକ୍ଷର ଗର୍ଭରୁ ଦୀପିକାର ଜନ୍ମ, ତେଣୁ ସ୍ବାଭାବିକ ଭାବରେ ଏଥିରେ ଭୋକ ଓ ବିଶ୍ବାସର ଭାଷା ସବୁଠୁ ବେଶୀ ପ୍ରତିଫଳିତ। ଅନେକ ସମୟରେ ବ୍ରିଟିଶ୍ ରାଜ୍ ର କଟୁ ସମାଲୋଚନା କଲାବେଳେ ଦୀପିକାର ସମ୍ପାଦକ ଓ ସାମ୍ବାଦିକମାନେ ଟିକେ ବି ପଛଘୁଞ୍ଚା ଦେଇ ନାହାନ୍ତି। ଦୀପିକାର ପୃଷ୍ଠଭୂମିରୁ  ଆମର ଗଣମାଧ୍ୟମ କିଛି ବି ଶିକ୍ଷାଲାଭ କରିନାହିଁ, ଏକଥା ନିରାଟ ସତ୍ୟ।

ଆଜି ଯେତେବେଳେ ଓଡ଼ିଆ ସମ୍ବାଦପତ୍ରର ମାଲିକ/ସମ୍ପାଦକମାନେ ଛୋଟ ଛୋଟ ରାଜନୈତିକ ସ୍ୱାର୍ଥ ପାଇଁ ସାମ୍ବାଦିକତାର ପବିତ୍ର କର୍ତ୍ତବ୍ୟକୁ ବନ୍ଧା ପକାନ୍ତି, ସେଠି ପ୍ରତିବାଦ କରିବାପାଇଁ କୌଣସି ବିକଳ୍ପ ସ୍ୱର କ୍ଷୀଣ ଭାବରେ ନ ଶୁଭିବା, ଓଡ଼ିଆ ଜାତିର ସବୁଠୁ ବଡ଼ ଦୁର୍ଭାଗ୍ୟ। ଗତ କୋଡ଼ିଏବର୍ଷ ଭିତରେ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜନ ଆନ୍ଦୋଳନ ଗଢ଼ିଉଠିଛି – ତା’ର ସବିଶେଷ ବିବରଣୀ କୌଣସି ସମ୍ବାଦପତ୍ରରେ ମିଳିବ ନାହିଁ। ବାଲିଆପାଳର କ୍ଷେପଣାସ୍ତ୍ର ଘାଟି ବିରୋଧୀ ଆନ୍ଦୋଳନ, ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ, ଗୋପାଳପୁର ଟାଟା ବିରୋଧୀ ଆନ୍ଦୋଳନ, ଲାଞ୍ଜିଗଡ଼, କାଶୀପୁର, କଳିଙ୍ଗନଗର ଏସବୁର ଇତିହାସ ଲେଖିବା ପାଇଁ ସମ୍ବାଦପତ୍ରର ପୃଷ୍ଠା ଖୋଜିଲେ ଆମେ ଖୁବ୍ ବେଶି ସଫଳତା ପାଇବା ନାହିଁ। କାଁ ଭାଁ ଛୋଟ ଛୋଟ ଖବରକୁ ବାଦ୍ ଦେଲେ ଜନତାର ଆନ୍ଦୋଳନ ଏବଂ ପ୍ରତିରୋଧକୁ ଗଣମାଧ୍ୟମ ବିଶେଷ ଗୁରୁତ୍ୱ ଦେଇନାହିଁ। ପ୍ରମାଣ ଦେବା ନିରର୍ଥକ । ଓଡ଼ିଶାର ସମ୍ବାଦପତ୍ର ମାଲିକ ବା ସମ୍ପାଦକ ଯେଉଁ ଦଳର ସମର୍ଥକ, ସେହି ଦଳର ମୁଖପତ୍ର ପରି ସମ୍ପୃକ୍ତ ସମ୍ବାଦପତ୍ର କାମ କରିଛି। ନିର୍ବାଚନ ଲଢ଼ୁଥିବା ସମ୍ପାଦକଙ୍କ ପ୍ରଚାର ପତ୍ର ହୋଇ ଅଥିବା ବ୍ୟବସାୟ କରୁଥିବା ମାଲିକଙ୍କ କଳାବଜାର ଲୁଚାଇର କମ୍ବଳ ହୋଇ,ଗଣମାଧ୍ୟମ ଆମ ରାଜ୍ୟରେ ବଞ୍ଚି ରହିଛି।

ସମ୍ବାଦିକର ଅଧର୍ମ

ଓଡ଼ିଶାରେ ପେଶାଦାର ସାମ୍ବାଦିକତାକୁ ମୂଳରୁ ଉଧେଇବାକୁ ଦିଆଗଲା ନାହିଁ। ରାଜନୀତିର ପ୍ରତିପତ୍ତି ଓ ପତିଆରା ଭୋଗ କରୁଥିବା କେତୋଟି ନିର୍ଦ୍ଦିଷ୍ଟ ପରିବାର ବଂଶାନୁକ୍ରମେ ସମ୍ପାଦକ ହେବାର ଯୋଗ୍ୟତା ପାଇଲେ। ଗଣମାଧ୍ୟମ ସଂସ୍ଥା ପାରିବାରିକ ଥଇଥାନ କେନ୍ଦ୍ର ପାଲଟିଲା। ଫଳରେ ପେଶାଦାର ମନୋଭାବ ନେଇ ଖୁବ୍ କମ୍ ସାମ୍ବାଦିକ ବୃତ୍ତିରେ ପ୍ରବେଶ କଲେ। ଓଡ଼ିଶାର ପ୍ରତ୍ୟେକ ସାମ୍ବାଦିକ ଆଜୀବନ ପାରିବାରିକ ଶାସନର ବୋଝ ମୁଣ୍ଡେଇ ଚାଲିଲେ। ସେମାନଙ୍କର ବୃତ୍ତିଗତ ଅଭିଳାଷ, ଚାକିରୀର ସ୍ଥାୟିତ୍ୱ, ଆର୍ଥିକ – ସାମାଜିକ ସୁରକ୍ଷା, ସଂସ୍ଥାର ଲାଭାଂଶରେ ଅଧିକାର ଇତ୍ୟାଦି ଆଦୌ ରହିଲା ନାହିଁ। ଗୋତି ଶ୍ରମିକ ପରି ସମ୍ପାଦକ/ସାମ୍ବାଦିକଙ୍କୁ ବ୍ୟବହାର ପ୍ରଦର୍ଶନ କଲେ। ଆମ୍ଭ ଜାଣିବାରେ ଓଡ଼ିଆ ସମ୍ବାଦପତ୍ରରେ କାର୍ଯ୍ୟ କରୁଥିବା ନବେ ଭାଗରୁ ଅଧିକ କର୍ମଚାରୀ ଆର୍ଥିକ ଓ ମାନସିକ ଶୋଷଣର ଶିକାର ହୋଇଥାନ୍ତି। ରାଜ୍ୟରେ ଅବଶ୍ୟ ସାମ୍ବାଦିକ ସଂଘର ଅଭାବ ନାହିଁ । ଆଜିପର୍ଯ୍ୟନ୍ତ ସାମ୍ବାଦିକତାକୁ ଏକ ସ୍ଥାୟୀ ବୃତ୍ତି ଭାବରେ ଗ୍ରହଣ କରିନେବାର ପରିବେଶ ସାମ୍ବାଦିକ ସଂଘମାନେ ତିଆରି କରିପାରିନାହାନ୍ତି -ଏହା ସେମାନଙ୍କର ଚରମ ବିଫଳତା। ରାଜ୍ୟର ସତର୍କ ପ୍ରହରୀ ଭାବରେ ଗଣମାଧ୍ୟମରେ କାମ କରୁଥିବା ସାମ୍ବାଦିକମାନଙ୍କ ପେଟ ଶୁଖିଲା, ଜିଭ ସ୍ଥାଣୁ, କଲମ ଅଚଳ ଓ ମନୋବଳ ଦୁର୍ବଳ। ଏମିତି ଏକ ପରିସ୍ଥିତିରେ ସମ୍ବାଦପତ୍ରଠାରୁ ଆମେ କ’ଣ ବା ଆଶା କରିବା।

ଏକଥା ସତ ଯେ, ଜାତୀୟ ସ୍ତରରେ ସମ୍ବାଦପତ୍ରର ଅବକ୍ଷୟ ଘଟିଛି। କର୍ପୋରେଟ ନିୟନ୍ତ୍ରଣରେ ଗଣମାଧ୍ୟମ ପରିଚାଳିତ ହେଉଛି। ତେବେ ଆଦର୍ଶ ଓ ବିକଳ୍ପ ବିଚାରର କିଛି କିଛି ବାଟ ଏବେ ମଧ୍ୟ ଖୋଲାରହିଛି। ପେଶାଦାର ପ୍ରତିଯୋଗିତାର ପରିଣାମସ୍ୱରୂପ ପ୍ରକୃତ ସତ୍ୟ ଓ ତଥ୍ୟ ଲୋକଲୋଚନକୁ ଆସିପାରୁଛି। ଓଡ଼ିଶାରେ ସ୍ଥିତି ସମ୍ପୂର୍ଣ୍ଣ ଓଲଟା। ଏଠି ସମ୍ବାଦପତ୍ରରେ ପେଶାଦାର ପ୍ରତିଯୋଗିତା ଅପେକ୍ଷା ବ୍ୟକ୍ତିଗତ ଅସହିଷ୍ଣୁଭାବର ପ୍ରତିଫଳନ ଯଥେଷ୍ଟ ଅଧିକ। ଆକ୍ଷେପ, ପ୍ରତିଆକ୍ଷେପ, ଉଦ୍ଦେଶ୍ୟମୂଳକ ସମ୍ବାଦ ପରିବେଷଣ, ପରସ୍ପରକୁ ନୀଚ କରି ଦେଖାଇବାର ବାଲ୍ୟ ଚପଳତା, ନିଜକୁ ମହାପୁରୁଷ ଭାବରେ ପ୍ରଚାରିତ କରିବାର ନିର୍ଲଜ ଅଭିପ୍ରାୟ ଏବଂ ସର୍ବୋପରି କାଗଜର ପ୍ରତ୍ୟେକ ଇଞ୍ଚକୁ ଚଢ଼ାଦାମରେ ବିକିବାର ବଜାରୀ ମାନସିକତା – ଆମ ସମ୍ବାଦପତ୍ରମାନଙ୍କର କେତୋଟି ବିଶେଷ ଗୁଣ। ଏକନମ୍ବର ହେବାର ପ୍ରୟାସରେ ଆମେ ସାମ୍ବାଦିକତାର ଗୌରବ ଓ ସ୍ୱାଭିମାନକୁ ବଳି ପକେଇଛୁ। ସମ୍ବାଦପତ୍ରର ଧର୍ମକୁ ଆମରି ହାତରେ ହାଣ ଖୁଆଇବାକୁ ଆମର ମହାମାନ୍ୟ ମାଲିକ/ ସମ୍ବାଦକମାନେ ପ୍ରତିଜ୍ଞାବଦ୍ଧ।

ସମ୍ବାଦପତ୍ର ରାଜନୈତିକ ଆଦର୍ଶକୁ ବରଣ କରିବା ଅସମୀଚୀନ ନୁହେଁ। ହେଲେ ରାଜନୈତିକ ଫାଇଦା ହାସଲ ପାଇଁ ସମ୍ବାଦପତ୍ରର ବ୍ୟବହାର ଗଣତନ୍ତ୍ରର ସବୁଠୁ ବଡ଼ ଅପରାଧ। ସେ ଦୃଷ୍ଟିରୁ ଆମର ସାମ୍ବାଦିକମାନେ ନିଜର ମୂଲ୍ୟାୟନ କରନ୍ତୁ।