Categories
ଆଜିର ଖବର ରାଜ୍ୟ ଖବର

ଚୀନ୍‌,ଜାପାନ ଓ ଦକ୍ଷିଣ କୋରିଆରେ ଥିବା ଓଡିଆଙ୍କୁ ରାଜ୍ୟ ବିକାଶର ପ୍ରତିନିଧି ହେବା ପାଇଁ ଧର୍ମେନ୍ଦ୍ରଙ୍କ ଆହ୍ବାନ

ନୂଆଦିଲ୍ଲୀ/ଭୁବନେଶ୍ବର : ଚୀନ୍‌, ଜାପାନ ଏବଂ ଦକ୍ଷିଣ କୋରିଆରେ ରହିଥିବା ଓଡିଆଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଦେଶ ମାନଙ୍କରେ ଅବସ୍ଥାନ କରୁଥିବା ପ୍ରବାସୀ ଓଡିଆଙ୍କୁ ରାଜ୍ୟର ପ୍ରତିନିଧି ହେବା ପାଇଁ ଧର୍ମେନ୍ଦ୍ର ଆହ୍ବାନ ଦେଇଛନ୍ତି । ପ୍ରବାସୀ ମାନେ ବାହାର ଦେଶରେ ଓଡିଶାର ପରିଚୟକୁ ତିଆରି କରିପାରିବେ ଏବଂ ଗ୍ଲୋବାଲ୍‌ ଆଇଡିଆ ମାଧ୍ୟମରେ ଓଡିଶାକୁ ପୁଞ୍ଜିନିବେଶର ପେଣ୍ଠସ୍ଥଳୀ ଭାବରେ ବିକଶିତ କରିପାରିବେ ।

ଓଡିଶାରେ ଅମାପ ଖଣିଜ ସମ୍ପଦ ରହିଥିବା ବେଳେ ପ୍ରବାସୀ ମାନେ ଏହାର ସୁଯୋଗ ନେବା ଉଚିତ୍‌ । ଏକବିଂଶ ଶତାବ୍ଦୀରେ ଓଡିଶାକୁ ଆଗକୁ ନେବାଲାଗି ରାଜ୍ୟରେ ପୁଞ୍ଜିନିବେଶ ବଢାଇ ଅର୍ଥନୀତିକୁ ସମୃଦ୍ଧ କରିବାକୁ ପଡିବ ବୋଲି ଧର୍ମେନ୍ଦ୍ର ମତ ଦେଇଥିଲେ । ପ୍ରବାସୀ ମାନେ ବିଶ୍ବ ଆଇଡିଆର ସମ୍ବଳକୁ ଉପଯୋଗ କରି ଓଡିଶାକୁ ଆଗାମୀ ଦିନରେ ଆଗକୁ ନେବା ଉଚିତ୍‌ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଓଡିଆ ଲୋକ ପ୍ରଗତିଶୀଳ, ବୁଦ୍ଧିମାନ ଏବଂ ପରିଶ୍ରମୀ । ପୂର୍ବ ଭାରତର ଏହି ପ୍ରବେଶ ଦ୍ବାର ଆଗାମୀ ଦିନରେ ଅର୍ଥନୈତିକ ଶକ୍ତି ଭାବରେ ଉଭା ହେବାକୁ ଯାଉଛି । ପରସ୍ଥିତି ଦ୍ବାରା ଲୋକେ ପରିବର୍ତ୍ତିତ ହୋଇଥାନ୍ତି ଏବଂ ବର୍ତ୍ତମାନର ମହାମାରୀରେ ସମ୍ଭାବନାକୁ ସୁଯୋଗରେ ପରିଣତ କରିବାର ସମୟ ଆସି ପହଞ୍ଚିଛି । ଓଡିଶା ନିୟମିତ ବାତ୍ୟାର ସମ୍ମୁଖୀନ ହେଉଥିବା ବେଳେ ଓଡିଶାକୁ ବିଶ୍ବରେ ଆଗକୁ ନେବାର ସମୟ ଆସିଛି ।

ଚୀନ୍‌, ଜାପାନ୍‌ ଏବଂ ଦକ୍ଷିଣ କୋରିଆ ପରି ରାଷ୍ଟ୍ର ଗୁଡିକରେ ବିଜ୍ଞାନ ଏବଂ ଧର୍ମକୁ ସମାନ ଭାବରେ ପ୍ରଧାନ୍ୟ ଦିଆଯାଇଥାଏ । ଓଡିଶାର ସଂସ୍କୃତି ମଧ୍ୟ ସମାନ । ମାର୍ଗଶୀର ଗୁରୁବାରରେ ଘରସଫା, ସ୍ବଚ୍ଛତାର ବିଜ୍ଞାନ ବୋଲି ଧର୍ମେନ୍ଦ୍ର ମତ ଦେଇଥିଲେ । ଏହି ତିନି ରାଷ୍ଟ୍ରରେ ବର୍ତ୍ତମାନ କରୋନା ନିୟନ୍ତ୍ରଣରେ ରହିଥିବା ବେଳେ ଭିଡିଓ କଲ୍‌ ଜରିଆରେ ସେଠିକାର ପରସ୍ଥିତି ସମ୍ପର୍କରେ ବର୍ଣ୍ଣନା କରିଥିଲେ ପ୍ରବାସୀ । ସରକାର, ବିଜ୍ଞାନ, ଗବେଷଣା ଏବଂ ବେସରକାରୀ ସଂସ୍ଥାଙ୍କ ମଧ୍ୟରେ ରହିଥିବା ଉତ୍ତମ ସମନ୍ବୟ କାରଣରୁ କରୋନାକୁ ନିୟନ୍ତ୍ରଣ କରାଯାଇଛି ବୋଲି ପ୍ରବାସୀ ମାନେ ମତ ଦେଇଥିଲେ ।