Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ପାଇଲା ନୂଆ ରୂପ, ନବୀନ କରିବେ ଲୋକାର୍ପଣ

ଭୁବନେଶ୍ୱର: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଏକ ନୂଆ ରୂପରେ ରୂପାନ୍ତରିତ ହୋଇଛି। ଏଥିରେ ୨୫ କୋଟି ଟଙ୍କା ବ୍ୟୟ କରାଯାଇ ଏହାର ଉନ୍ନତି କରଣ କରାଯାଇଛି।

ଏହି ଯୋଜନାରେ ଗୋପବନ୍ଧୁଙ୍କ ଜନ୍ମ ପୀଠରେ ଥିବା ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ବାସଗୃହ, ଗ୍ରାମରାସ୍ତା, ଜନ୍ମପୀଠ ପରିକ୍ରମା ରାସ୍ତା, ଗୋପବନ୍ଧୁଙ୍କ ସ୍ମୁତି ସଂଗ୍ରହାଳୟ, ସୂଚନା କେନ୍ଦ୍ର, ଆତିଥ୍ୟ କେନ୍ଦ୍ର, ଶିଶୁ ପାର୍କ, ଉତ୍କଳମଣୀଙ୍କ ପ୍ରାୟ ୧୫ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି।

ସେହିପରି ସେ ଯେଉଁ ଘରେ ଜନ୍ମ ନେଇଥିଲେ ସେହି ଷଠିଘର କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ କରାଯାଇଛି। ଆସନ୍ତାକାଲି ଗୁରୁବାରରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଓଡ଼ିଶା ବିଧାନସଭା ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ୧୪୫ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ବିଧାନସଭା ପରିସରସ୍ଥ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାନ୍ୟବର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ପୁଷ୍ପାର୍ଘ୍ୟ ଅର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ବାଚସ୍ପତି ଶ୍ରୀ ଆରୁଖ କହିଛନ୍ତି ଯେ ମାନବସେବାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିବା ପଣ୍ଡିତ ଗୋପବନ୍ଧୁ ଥିଲେ ଦୀନ, ଦରିଦ୍ର ଓ ଦୁଃଖୀଙ୍କର ବନ୍ଧୁ। ନିରାଶ୍ରୟ ଓ ନିଃସହାୟଙ୍କ ସେବା କରିବାଠାରୁ ଆରମ୍ଭ କରି ଯୁବସମାଜକୁ ଆଦର୍ଶ ନାଗରିକ ଭାବେ ଗଢ଼ିତୋଳିବା ପାଇଁ ସେ ସଦା ତତ୍ପର ଥିଲେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପଣ୍ଡିତ ଗୋପବନ୍ଧୁ ନିରାଶ୍ରୟଙ୍କ ସେବା କରିବା ପାଇଁ ଆଗେଇ ଆସୁଥିଲେ।

ଓଡ଼ିଶାର ଶିକ୍ଷାର ପ୍ରସାର ସହିତ ସାହିତ୍ୟ, ସମାଜସେବା ଓ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ଥିଲା। ତାଙ୍କ ପ୍ରତିଷ୍ଠିତ ସତ୍ୟବାଦୀ ବନବିଦ୍ୟାଳୟ ଓ ଦୈନିକ ଖବରକାଗଜ ‘ସମାଜ’ ତାହାର ଅନନ୍ୟ ଉଦାହରଣ । ଉତ୍ସର୍ଗୀକୃତ ସେବା ମନୋବୃତ୍ତି ପାଇଁ ପଣ୍ଡିତ ଗୋପବନ୍ଧୁ ଓଡ଼ିଶାବାସୀଙ୍କ ନିକଟରେ ଚିରସ୍ମରଣୀୟ ରହିବେ ବୋଲି ବାଚସ୍ପତି ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ବିଧାନସଭା ସଚିବ ଶ୍ରୀ ଦାଶରଥି ଶତପଥୀ, ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ତଥା ନିର୍ଦ୍ଦେଶକ (ଗବେଷଣା) ଶ୍ରୀ କୃପାସିନ୍ଧୁ ମିଶ୍ର, ବିଧାନସଭାର ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ନିମନ୍ତ୍ରିତ ମାନ୍ୟଗଣ୍ୟ ବ୍ୟକ୍ତି ଓଡ଼ିଶାର ବରପୁତ୍ର ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ବିଧାନସଭାର ଯୁଗ୍ମ ନିର୍ଦ୍ଦେଶକ (ଗବେଷଣା) ଶ୍ରୀ ଶିବପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ପଣ୍ଡିତ ଗୋପବନ୍ଧୁଙ୍କ ଜୀବନୀ ଆଧାରିତ ସଂଗୀତ ପରିବେଷଣ କରାଯାଇଥିଲା।