ଭୁଲରେ ଭାଜପାକୁ ଭୋଟ ଦେଇଥିବାରୁ ନିର୍ବାଚନ ଚିହ୍ନ ଲାଗିଥିବା ଅଙ୍ଗୁଳିକୁ କାଟିଦେଇଛନ୍ତି ଜଣେ ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ବୁଲନ୍ଦସହରରେ। ବୁଲନ୍ଦସହରର ଶିକାରପୁର ଅଞ୍ଚଳର ଜଣେ ଦଳିତ ସମ୍ପ୍ରଦାୟର ଯୁବକ ଜଣକ ହେଲେ ପଓ୍ବନ କୁମାର। ସେ ବହୁଜନ ସମାଜବାଦୀ ପାର୍ଟି(ବିଏସପି)ର ବଡ ସମର୍ଥକ। ଗୁରୁବାର ସକାଳୁ ଭୋଟ ଦେବାପାଇଁ ଯାଇଥିବାବେଳେ ଇଭିଏମ୍ ମେଶିନରେ ହଠାତ୍ ବିଏସପି ଦଳୀୟ ଚିହ୍ନ ହାତୀ ବଦଳରେ ଭାଜପାର ଦଳୀୟ ଚିହ୍ନ ପଦ୍ମ ବଟନ୍ ଉପରେ ପ୍ରେସ୍ କରିଦେଇଥିଲେ। ସେ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ ଆରଏଲଡି ମେଣ୍ଟରେ ବିଏସପିରୁ ପ୍ରାର୍ଥୀ ହୋଇଥିବା ଯୋଗେଶ ବର୍ମାଙ୍କୁ ଭୋଟ ଦେବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ଭୋଟଟି ଭୁଲବଶତଃ ବିଜେପି ଏମପି ତଥା ପ୍ରାର୍ଥୀ ଭୋଲା ସିଂହଙ୍କ ଖାତାକୁ ଚାଲିଯାଇଥିଲା। ଭୋଟ ଦେଇ ଆସିବା ପରେ ସେ ନିଜ ଭୁଲ ପାଇଁ ପଶ୍ଚାତାପ କରିବା ସହ ନିର୍ବାଚନ କାଳି ଲାଗିଥିବା ଅଙ୍ଗୁଳିକୁ କାଟିଦେଇଥିଲେ। ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଜାରି କରି ନିଜର ଦୁଃଖ ପ୍ରକାଶ କରିଛନ୍ତି ପଓ୍ବନ।
