Categories
ଆଜିର ଖବର ରାଜ୍ୟ ଖବର

ଲଘୁଚାପ ପ୍ରଭାବରେ ଆସନ୍ତାକାଲିଠାରୁ ବର୍ଷା ସମ୍ଭାବନା : 5ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଜିଠୁ 23 ତାରିଖ ଯାଏଁ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । କାଲି ସକାଳ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ 5 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ରହିଛି । ମୟୂରଭଞ୍ଜ, ଢେଙ୍କାନାଳ, ମାଲକାନଗିରି, କୋରାପୁଟ ଓ ରାୟଗଡା ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ଏନେଇ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର । ଆସନ୍ତା 23 ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ରହିଥିବା ଯୋଗୁଁ କାଲିଠୁ 22 ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ବର୍ଷା ବିତ୍ପାତ : ହାଇଦ୍ରାବାଦ-ତେଲେଙ୍ଗାନାରେ 30 ମୃତ, ମୁମ୍ବାଇ-ପୁଣରେ ବି ପ୍ରବଳ ବର୍ଷା

ମୁମ୍ବାଇ :  ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ସ୍ଥଳଭାଗ ଛୁଇଁବା ପରେ ଓଡ଼ିଶା ସମେତ କେତେକ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି । ତେଲେଙ୍ଗାନାରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷାରେ 30 ଲୋକଙ୍କର ମୃତ୍ୟୁ ଘଟିଲାଣି। ଏଥିମଧ୍ୟରୁ କେବଳ 15 ଜଣ କେବଳ ହାଇଦ୍ରାବାଦର। ସହରର ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିରହିଥିବା ବେଳେ ସାରା ରାତି ବର୍ଷା ହେବାରୁ ଏକ ପାଚେରୀ ଭାଙ୍ଗି ପଡ଼ିଥିଲା। ଏହି ପାଚେରୀ ନିକଟରେ ଥିବା ୧୦ଟି ଘର ଉପରେ ଅଜାଡି ପଡ଼ିବାରୁ 9 ଜଣଙ୍କର ମୃତ୍ୟୁ ହୋଇଛି। ବର୍ଷା ଯୋଗୁ ରାଜଧାନୀ ହାଇଦ୍ରାବାଦ୍‌ ସ୍ଥିତି ବେହାଲ ହୋଇଯାଇଛି। ମିଳିଥିବା ଖବର ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁ ବିଦ୍ୟୁତ ଖୁଣ୍ଟ ସବୁ ଉପୁଡି ଯାଇଛି। ଫଳରେ ସହରରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି। ହଜାର ହଜାର ଏକର କ୍ଷେତ ଜଳାର୍ଣ୍ଣବ ହୋଇଯାଇଛି। ଏନଡିଆରଏଫ ଏବଂ ସେନା ସହାୟତାରେ ଉଦ୍ଧାର କାର୍ଯ୍ୟ ଚାଲିଛି।

ଅପରପକ୍ଷରେ ବର୍ଷା ଯୋଗୁଁ ମାୟାନଗରୀର ଅବସ୍ଥା ମଧ୍ୟ ସଙ୍ଗୀନ ରହିଛି । ମହାରାଷ୍ଟ୍ରର ମୁମ୍ବାଇ ଓ ଥାଣେ ସମେତ ବହୁ ଅଞ୍ଚଳରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବର୍ଷା ଜାରି ରହିଥିବାରୁ ତଳିଆ ଅଞ୍ଚଳରେ ପାଣି ଭରି ଯାଇଛି । ଅନ୍ଧେରୀ, ହିନ୍ଦମାତା, ଜାଗେଶ୍ବରୀ, କିଙ୍ଗ ସର୍କଲ୍‌, କୁର୍ଲା, ମରୋଲ୍‌, ଗୋରେଗାଓଁ, ଘାଟକୋପର, ଚୈମ୍ବୁର ସମେତ ବହୁ ଅଂଶରେ ପ୍ରବଳ ବର୍ଷା ହୋଇଛି । ପାଣିପାଗ ବିଭାଗ ମୁମ୍ବାଇ ପାଇଁ ରେଡ୍‌ଆଲର୍ଟ ଜାରି କରିଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ପ୍ରବଳ ବର୍ଷିବ, ସାତଟି ଜିଲ୍ଲାକୁ ରେଡ-ୱାର୍ଣ୍ଣିଂ

ଭୁବନେଶ୍ୱର : ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ପଶ୍ଚିମ ଓଡ଼ିଶାର ସାତଟି ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେଗୁଡ଼ିକ ହେଲା ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ଝାରସୁଗୁଡ଼ା ଓ ଦେବଗଡ଼ ।ଲଘୁଚାପ ପ୍ରଭାବରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଭୂସ୍ଖଳନ, ଅକସ୍ମାତ ବନ୍ୟା, ତଳିଆ ଅଞ୍ଚଳରେ ପାଣି ଜମିଯିବା, କଚ୍ଚା ରାସ୍ତା ଓ ଘର ଭୁଶୁଡ଼ି ପଡ଼ିବା ଭଳି ଦୁର୍ବିପାକର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ଏହା ବ୍ୟତୀତ ସୋନପୁର, ବୌଦ୍ଧ, ଅନୁଗୁଳ, ସୁନ୍ଦରଗଡ଼ ଓ କେନ୍ଦୁଝର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଏବଂ ମୟୂରଭଞ୍ଜ, ଜଗତସିଂହପୁର, ଯାଜପୁର ଓ ଢେ଼ଙ୍କାନାଳରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । ଏହା ସହ ଅଶାନ୍ତ ସମୁଦ୍ରକୁ ଯିବାକୁ କେନ୍ଦ୍ର ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି । କେନ୍ଦ୍ରର ସୂଚନା ଅନୁଯାୟୀ ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ପାଗ ମେଘୁଆ ରହିଥିବା ବେଳେ ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଢେ଼ଙ୍କାନାଳ ଆଦି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଯାଇଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ଏହି ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଡ଼କୁ ଗତି କରି ଅଧିକ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ । ପ୍ରଭାବରେ ଆଜି ବର୍ଷାର ପରିମାଣ ବଢ଼ିବ ଓ ପଶ୍ଚିମ ଓଡ଼ିଶାର ଉପରୋକ୍ତ ସାତୋଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବ  ।