Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ମାନବସମ୍ବଳ ଓ କୌଶଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଗୁଆ ରାଜ୍ୟ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ଯୁବଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ଏବଂ ନିରନ୍ତର ପ୍ରଗତିରେ ସେମାନଙ୍କ କ୍ରିୟାଶୀଳ ଭୂମିକାକୁ ଉନ୍ନତ କରିବା କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି। ଆଜି ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏକ କର୍ମଶାଳାରେ ଯୋଗଦେଇ ଶ୍ରୀ ମହାପାତ୍ର ଉପରୋକ୍ତ ମର୍ମରେ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାର ପଦକ୍ଷେପଗୁଡ଼ିକ ନେଇ ଆଲୋକପାତ କରିଛନ୍ତି।

‘ବିକଶିତ ଭାରତ: ଦିଗନ୍ତ ପହୁଞ୍ଚ’ ଶୀର୍ଷକ ଏହି କର୍ମଶାଳାରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବିକଶିତ ଭାରତ ଓ ମାନବସମ୍ବଳ ବିକାଶ ଦିଗରେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ନେଇ ମୁଖ୍ୟ ଶାସନ ସଚିବ ବକ୍ତବ୍ୟ ରଖିଥିଲେ। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ମଧ୍ୟ ବକ୍ତବ୍ୟ ରଖି ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ସରକାର ଅନେକାନେକ ପଦକ୍ଷେପ ନେଇ ରାଜ୍ୟରେ ଦକ୍ଷତା ବିକାଶ ପରିମଣ୍ଡଳର ସ୍ଥିତି ଉପରେ ଆଲୋକପାତ କରିଥିଲେ।

ଏହି କର୍ମଶାଳାରେ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ହିମାଚଳ ପ୍ରଦେଶ, ଗୋଆ, ଜାମ୍ମୁ ଓ କାଶ୍ମୀର, ପଞ୍ଜାବ, ତ୍ରିପୁରା, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ, ମଣିପୁର ତଥା କେନ୍ଦ୍ର ଶାସିତ ଅଞ୍ଚଳ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଡାମନ-ଡିଉ-ଦାଦ୍ରା-ନଗର ହାବେଳୀ, ଲାକ୍ଷାଦ୍ୱୀପ, ଲାଦାକର ପ୍ରତିନିଧିମାନେ ଯୋଗଦେଇ ଦକ୍ଷତା ବିକାଶ ସ୍ଥିତି ନେଇ ସେମାନଙ୍କ ବକ୍ତବ୍ୟ ଉପସ୍ଥାପନ କରିଥିଲେ।

କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟର ଶାସନ ସଚିବ ଅତୁଲ ତିୱାରୀ ମଧ୍ୟ ବକ୍ତବ୍ୟ ରଖିଥିଲେ। କର୍ମଶାଳା ଆରମ୍ଭରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ସ୍ୱାଗତ ଭାଷଣ ଦେଇ ରାଜ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ହୋଇଥିବା ଦର୍ଶାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରେଘୁ ଜିଙ୍କ ସମେତ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଅପରାହ୍ନର ଉଦ୍‌ଯାପନ ଅଧିବେଶନ ପରେ ପ୍ରତିନିଧି ଦଳ ଜଟଣୀସ୍ଥିତ ଦକ୍ଷତା ବିକାଶ ପ୍ରତିଷ୍ଠାନ ଓ ମଞ୍ଚେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ ତଥ୍ୟ ସଂପର୍କରେ ଅବଗତ ହୋଇଥିଲେ ଏବଂ ଉଭୟ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଇଡିକୋର ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ବରିଷ୍ଠ ଆଇଏଏସ ଅଧିକାରୀ ହେମନ୍ତ ଶର୍ମା

ଭୁବନେଶ୍ବର: ଆଜି ବରିଷ୍ଠ ଆଇଏଏସ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଇଡିକୋର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଆଜି ସେ ଇଡିକୋ ଅଫିସ ଯାଇ ଏହି ଦାୟିତ୍ବ ଗ୍ରହଣ କରିଥିଲେ। ହେମନ୍ତଙ୍କୁ ନିକଟରେ ଇଡକୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।

ବର୍ତ୍ତମାନ ସେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଅଛନ୍ତି। ଏଥିସହିତ ସେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଦାୟିତ୍ବରେ ମଧ୍ୟ ଅଛନ୍ତି। ସେହିପରି ସେ ଇପିକଲର ମଧ୍ୟ ଅଧ୍ୟକ୍ଷ ଅଛନ୍ତି। ତାଙ୍କର ଦକ୍ଷତା ପାଇଁ ସରକାର ତାଙ୍କୁ ବହୁ ବିଭାଗର ମୁଖିଆ ଭାବେ ଅବସ୍ଥାପିତ କରିଛନ୍ତି। ଆଜି ଇଡିକୋର କର୍ମଚାରୀଙ୍କ ତରଫରୁ ତାଙ୍କୁ ସ୍ବାଗତ କରାଯାଇଥିଲା।