ରାଞ୍ଚି,29/12 : ଝାରଖଣ୍ଡର 11 ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ହେମନ୍ତ ସୋରେନ୍ । ମୋରବଡି ଗ୍ରାଉଣ୍ଡରେ ହେମନ୍ତଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ । ହେମନ୍ତଙ୍କ ସହିତ ଅନ୍ୟ ତିନିଜଣ ବିଧାୟକ ଆଲମ ଗିରି ଆଲମ, ରାମେଶ୍ବର ଓରାମ ଓ ସତ୍ୟାନନ୍ଦ ଭକ୍ତା କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।
ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଉପସ୍ଥିତ ଥିଲେ । ରାହୁଲଙ୍କ ବ୍ୟତିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଉପସ୍ଥିତ ଥିଲେ । ଅନ୍ୟ ନେତାମାନଙ୍କ ମଧ୍ୟରେ ବରିଷ୍ଠ ସିପିଏମ୍ ନେତା ସୀତାରାମ ୟେଚୁରୀ, ସିପିଆଇ ନେତା ଡି.ରାଜା ଏବଂ ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, 81 ଆସନ ବିଶିଷ୍ଟ ଝାରଖଣ୍ଡ ବିଧାନସଭାରେ କଂଗ୍ରେସ-ଜେଏମ୍ଏମ୍-ଆରଜେଡି ମେଣ୍ଟ 47 ଆସନ ସହିତ ସରକାର ଗଠନ କରିଛି । (ଏଜେନ୍ସୀ)
Tag: hemantsoren
ରାଞ୍ଚି, 29/12: ଝାରଖଣ୍ଡରେ କଂଗ୍ରେସ-ଜେଏମ୍ଏମ୍-ଆରଜେଡି ମେଣ୍ଟ ସରକାର ଗଠନ କରିବାକୁ ଯାଉଛି। ଆଜି ଜେଏମ୍ଏମ୍ ନେତା ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଦିନ 2ଟାରେ ମୋରବଡି ଗ୍ରାଉଣ୍ଡରେ ହେମନ୍ତଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଝାରଖଣ୍ଡର 11 ତମ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ସଙ୍କଳ୍ପ ଦିବସ ନାମରେ ନାମିତ କରାଯାଇଥିବା ବେଳେ 6 ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ଯାଉଛନ୍ତି। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ପି ଚିଦାମ୍ବରମ୍, ଏନ୍ସିପି ନେତା ଶରଦ ପଓ୍ବାର, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଏବଂ ଆରଜେଡି ନେତା ତେଜସ୍ବୀ ଯାଦବ ପ୍ରମୁଖ ଯୋଗ ଦେବେ ବୋଲି ଜଣାପଡିଛି।
ସେହିପରି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା 6 ଜଣ ମୁଖ୍ୟମନ୍ତ୍ରୀ ହେଉଛନ୍ତି ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିଓ୍ବାଲ, ଉଦ୍ଧବ ଠାକ୍ରେ, ଅଶୋକ ଗେହଲଟ, କମଲ ନାଥ ଏବଂ ଭୂପେଶ ବାଘେଲ। ଅନ୍ୟ ମାନଙ୍କ ମଧ୍ୟରେ ଏଚ୍ଡି କୁମାରସ୍ବାମୀ, ହରିଶ ରାଓ୍ବତ, ଚନ୍ଦ୍ରବାବୁ ନାଇଡୁ, କେ କାନିମୋଝି, କେସି ଭେନୁଗୋପାଳ, ଅହମ୍ମଦ ପଟେଲ ଏବଂ ଶରଦ ଯାଦବ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି। (ଏଜେନ୍ସୀ)
ରଘୁବର ଦାସଙ୍କ ବିରୋଧରେ ମାମଲା ରୁଜୁ
ରାଞ୍ଚି, 26/12 : ଝାରଖଣ୍ଡର ବିଦାୟୀ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ରହିଥିବା ହେମନ୍ତ ସୋରେନଙ୍କ ଅଭିଯୋଗ କ୍ରମେ ଏହି ମାମଲା ରୁଜୁ କରାଯାଇଥିଲା । ରଘୁବରଙ୍କ ବିରୋଧରେ ଅନୁସୂଚିତ ଜାତି ଏବଂ ଜନଜାତି ଅଧିନିୟମ ଅନୁସାରେ ମାମଲା ରୁଜୁ କରାଯାଇଛି । ଡିସେମ୍ବର 19ରେ ହେମନ୍ତ ସୋରେନ୍ଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା କାରଣରୁ ସୋରେନ୍ଙ୍କ ପକ୍ଷରୁ ଦୁମ୍କା ଥାନାରେ ଅଭିଯୋଗ କରାଯାଇଥିଲା । ଯଦିଓ ସୋରେନ୍ ନିଜର ଅଭିଯୋଗ ଫେରସ୍ତ ନେବା ନେଇ ସୂଚନା ଦେଇଛନ୍ତି ତେବେ ଗୁରୁବାର ଦିନ ପୋଲିସ୍ ପକ୍ଷରୁ ରଘୁବରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । (ଏଜେନ୍ସୀ)
27ରେ ଶପଥ ଗ୍ରହଣ କରିବେ ହେମନ୍ତ ସୋରେନ୍
ରାଞ୍ଚି,24/12 : ଝାରଖଣ୍ଡ ନିର୍ବାଚନୀ ଫଳାଫଳ ସୋମବାର ଦିନ ଘୋଷଣା କରାଯାଇଛି । ଜେଏମ୍ଏମ୍-କଂଗ୍ରେସ-ଆରଜେଡି ମେଣ୍ଟ ସରକାର ଗଠନ କରିଥିବା ବେଳେ ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇଥିଲା । ମଙ୍ଗଳବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ଡିସେମ୍ବର 27 ତାରିଖରେ ହେମନ୍ତ ସୋରେନ୍ ଶପଥ ଗ୍ରହଣ କରିବେ । ମୋରବଡି ଗ୍ରାଉଣ୍ଡରେ ହେମନ୍ତଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ହେମନ୍ତଙ୍କ ସହିତ 12 ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ । ମହାମେଣ୍ଟକୁ 81ରୁ 47 ଆସନ ମିଳିଥିବା ବେଳେ ବିଜେପିକୁ 28 ଆସନ ମିଳିଛି । (ଏଜେନ୍ସୀ)