Categories
ବିଶେଷ ଖବର ରାଜ୍ୟ ଖବର

ଛାତ୍ରଛାତ୍ରୀଙ୍କ ଭିତରେ ହକି ଖେଳ ପ୍ରତି ଆଗ୍ରହ ସୃଷ୍ଟି ପାଇଁ ସ୍କୁଲରେ ନିଆଗଲା ଅଭିନବ ପଦକ୍ଷେପ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ହକିର ସଫଳତା ସମ୍ବନ୍ଧରେ ଏକ ପ୍ରେରଣାଦାୟୀ ବକ୍ତବ୍ୟ ଦିଆଯାଇଛି। ସୋମବାର ଦିନ ପ୍ରାର୍ଥନା ସଭାରେ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ଭାରତୀୟ ହକିଦଳର ସଫଳତାର କାହାଣୀ କୁହାଯାଇଛି। ଛାତ୍ରଛାତ୍ରୀମାନେ ଭାରତୀୟ ହକି ଦଳର ପରାକାଷ୍ଠା ଓ ବିଜୟ କାହାଣୀକୁ ଉତ୍ସାହର ସହ ଶୁଣିଥିଲେ।

ଚୀନରେ ଭାରତୀୟ ପୁରୁଷ ହକିଦଳ ‘ହ୍ୱାଙ୍ଗଝୋ ଏସିଆ କ୍ରୀଡ଼ା’ରେ ସ୍ୱର୍ଣ୍ଣ ପଦକ ଜିତି, ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ୍ ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଏସୀୟ କ୍ରୀଡାରେ ଭାରତୀୟ ପୁରୁଷ ହକି ଦଳର ଏହା ଚତୁର୍ଥ ସ୍ୱର୍ଣ୍ଣ ପଦକ। ସ୍ୱର୍ଣ୍ଣ ବିଜୟୀ ଭାରତ ଦଳ ପକ୍ଷରୁ ଏକମାତ୍ର ଓଡି଼ଆ ଖେଳାଳି ଭାବେ ଅମିତ ରୋହିଦାସ୍ ପ୍ରତିନିଧିତ୍ୱ କରିଥିଲେ।

ଏହି ଜୟଗାଥାର କାହାଣୀ ପ୍ରତ୍ୟେକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିକଟରେ ପହଁଞ୍ଚାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭଗ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ନିର୍ଦ୍ଦେଶ ଅନୁସାରେ ଶିକ୍ଷକ-ଶିକ୍ଷୟିତ୍ରୀ ହକିର ଏ ସଫଳତାରେ ଓଡି଼ଶାର ଅବଦାନ ସମ୍ପର୍କରେ ପିଲାମାନଙ୍କୁ ବିସ୍ତୃତ ଭାବରେ କହିଥିଲେ।

ଆମ ରାଜ୍ୟର ହକି ତାରକା ଦିଲ୍ଲୀପ୍ ତିର୍କୀ, ବିରେନ୍ଦ୍ର ଲାକ୍ରା, ଅମିତ୍ ରୋହିଦାସ୍‌, ନୀଲମ୍ ସଞ୍ଜୀବ୍ ଖେସ୍‌, ସୁଭଦ୍ରା ପ୍ରଧାନ, ନମିତା ଟପ୍ପୋ, ଲିଲିମା ମିଞ୍ଜ୍‌ଙ୍କ ପରି ଅନେକ ହକି କ୍ରୀଡ଼ାବିତ୍‌ଙ୍କ ସମ୍ପର୍କରେ କୁହାଯାଇ ଛାତ୍ରଛାତ୍ରୀମାନଙ୍କ ମନରେ ହକି ପ୍ରତି ଆଗ୍ରହ ସୃଷ୍ଟି କରାଯାଇଥିଲା। ଫଳରେ ସେମାନଙ୍କ ଉତ୍ସାହ ଓ ଆତ୍ମବିଶ୍ୱାସ ବଢ଼ିଛି।

ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ସହ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ସ୍କୁଲ ଶିକ୍ଷାରେ କ୍ରୀଡ଼ାର ଗୁରୁତ୍ୱକୁ ଉପଲବ୍ଧି କରି ଓଡି଼ଶାରେ ୫-ଟି ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ କ୍ରୀଡ଼ାକୁ ପ୍ରାଥମିକତା ଦିଆଯାଉଛି। ରୂପାନ୍ତରିତ ହୋଇଥିବା ସମସ୍ତ ସ୍କୁଲରେ ହକି, ଟେନିସ୍‌, ଫୁଟବଲ୍‌, ବାସ୍କେଟ୍‌ବଲ୍ ସହ ପାରମ୍ପରିକ କ୍ରୀଡ଼ା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଓ ଉପକରଣ ଯୋଗାଇ ଦିଆଯାଇଛି।

ଆକର୍ଷଣୀୟ ଖେଳପଡି଼ଆ ସହ ଇଣ୍ଡୋର ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଓ କ୍ରୀଡ଼ା ଉପକରଣ ମଧ୍ୟ ଯୋଗାଇ ଦିଆଯାଇଛି। ହକିକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡିକରେ ‘ମୋ ସ୍କୁଲ ହକି କ୍ଲବ୍‌’ କାର୍ଯ୍ୟ କରୁଛି। ସ୍କୁଲସ୍ତରରୁ ପ୍ରତିଭା ଚିହ୍ନଟ ଓ ସେମାନଙ୍କୁ ଦକ୍ଷ କ୍ରୀଡ଼ାବିତ୍ କରି ଗଢ଼ିତୋଳିବାରେ ଏହି କ୍ଲବ୍ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଷଷ୍ଠ ଶ୍ରେଣୀରୁ ଉର୍ଦ୍ଧ୍ୱ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହି କ୍ଲବ୍‌ରେ ଅଂଶଗ୍ରହଣ କରି ହକି ଖେଳୁଛନ୍ତି।

Categories
Hockey Worldcup23 ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚର୍ଚ୍ଚାରେ ସୁଦର୍ଶନ ପଟ୍ଟନାୟକଙ୍କ ୫ ହଜାର ହକି ବଲରେ ନିର୍ମିତ ବାଲୁକା କଳା

କଟକ: ବର୍ତ୍ତମାନ ସାରା ଓଡିଶାରେ ଅନୁଭୂତ ହୋଇଛି ହକି ଜ୍ବର। ଚାରିଆଡେ ବର୍ତ୍ତମାନ ହକିକୁ ନେଇ ଚର୍ଚ୍ଚା। କାରଣ ଆଜି ହେଉଛି ଏହି ହକି ମହାକୁମ୍ଭର ଉଦଘାଟନ ସଂଧ୍ୟା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ମହାକୁମ୍ଭକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ। ସେଥିପାଇଁ ପ୍ରାୟ ବର୍ଷାଧିକାଳ ଏହାର ପ୍ରସ୍ତୁତି ଆରମ୍ଭ ହୋଇଛି।

ସେଥିପାଇଁ କଟକ, ଭୁବନେଶ୍ବର ଏବଂ ରାଉରକେଲା ସହରକୁ ପୁରା ନୂଆ ରାଣୀ ପରି ସଜାଇ ଦିଆଯାଇଛି। ଚାରିଆଡେ ପେଣ୍ଟିଂ, ସ୍ଥାପତ୍ୟ ଏବଂ ସୁନ୍ଦର ତୋରଣ ସାରା ସହର ଝଲସି ଉଠିଛି। କଳିଙ୍ଗ ଷ୍ଟାଡିୟମକୁ ମଧ୍ୟ ନୂଆ ରୂପ ଦିଆଯାଇଛି। ଉଦଘାଟିତ ହୋଇଛି ରାଉରକେଲାରେ ନୂଆ ହକି ଷ୍ଟାଡିୟମ। ବର୍ତ୍ତମାନ ଚାରିଆଡେ କେବଳ ହକି ହକି ଆଉ ହକି।

ଏପରି ପରିବେଶରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କେମିିତି ବାଦ ପଡିଥାଆନ୍ତେ। ସେ ମଧ୍ୟ ନିଜର ଜଲୱା ପ୍ରଦର୍ଶିତ କରିଛନ୍ତି। ସେ କଟକ ବାଲିଯାତ୍ରା ପଡିଆରେ ନିର୍ମାଣ କରିଛନ୍ତି ଭିନ୍ନ ଏକ କଳା। ଯାହାକୁ ଯେ ଦେଖୁଛି ସେ ଘଡିଏ ଅନେଇ ରହୁଛି। ତାଙ୍କ କଳାର ଆକର୍ଷଣ ଏପରି ହୋଇଛି ଯେ ସବୁ ଆୟୋଜନଠାରୁ ଏହା ବଳିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ସୁଦର୍ଶନ ବାଲୁକା କଳାରେ ନିର୍ମାଣ କରିଛନ୍ତି ଏକ ହକି ଷ୍ଟିକ୍। ତେବେ ଏହି ବାଲୁକାରେ ସେ ସ୍ଥାପନ କରିଛନ୍ତି ବିଭିନ୍ନ ରଂଗର ହକି ବଲ। ସେ ପ୍ରାୟ ୫ ହଜାର ହକି ବଲରେ ନିର୍ମାଣ କରିଛନ୍ତି ଏହି ହକି ଷ୍ଟିକ୍। ଏହାକୁ ସେ ଏପରି ନିର୍ମାଣ କରିଛନ୍ତି ଯେ, ସେଥିରେ ସେ ହକି ଟ୍ରଫି, ହକି ଷ୍ଟିକ, ଷ୍ଟାଡିୟମ, ହକି ବଲ ଏବଂ ବିଭିନ୍ନ ଦେଶର ଜାତୀୟ ପତାକା କଳାକୁ ସେଥିରେ ସ୍ଥାନିତ କରିଛନ୍ତି।

ଏହି ହକି ଷ୍ଟିକର ଲମ୍ବା ୧୦୫ ଫୁଟ ରହିଥିବା ବେଳେ ଚଉଡା ରହିଛି ୪୫ ଫୁଟ ଏବଂ ଉଚ୍ଚତା ରହିଛି ୨୨ ଫୁଟ। ଏଥିରେ ସୁଦର୍ଶନ ୬୮ ଟନ ବାଲିକୁ ସ୍ଥାପତ୍ୟରେ ବ୍ୟବହାର କରିଛନ୍ତି। ଏଥିରେ ସୁଦର୍ଶନଙ୍କ ୧୫ ଜଣ ଛାତ୍ରଛାତ୍ରୀ ସହଯୋଗ କରିଛନ୍ତି। ତେବେ ସବୁଠାରୁ ବଡ କଥା ହେଲା ଯେ, ଏଥିରେ ବ୍ୟବହାର ହୋଇଥିବା ହକି ବଲଗୁଡିକ ବିଭିନ୍ନ ହକି ଖେଳାଳିଙ୍କଠାରୁ ସଂଗ୍ରହ କରାଯାଇଛି।

ଏହି ବାଲୁକା କଳା ଖୁବ ଶିଘ୍ର ଏକ ନୂଆ ରେକର୍ଡରେ ସ୍ଥାନିତ ହେବ ବୋଲି ଅନୁମାନ କରାଯାଇଛି।

Categories
Hockey Worldcup23 ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

‘ଆର୍ଟ ଫର ହକି’ ଭୁବନେଶ୍ୱର ପାନ୍ଥ ନିବାସରେ ଚିତ୍ରକଳା ପ୍ରଦର୍ଶନୀ

Art For Hockey: ଓଡିଶାରେ ପୁରୁଷ ହକି ବିଶ୍ୱକପ-୨୦୨୩ ଜାନୁଆରୀ ୧୩ ରୁ୨୯ତାରିଖ ପର‌୍ୟ୍ୟନ୍ତ ଅନୁଷ୍ଠିତ ହେଉଥିବା ବେଳେ ଆସନ୍ତା କାଲି ୧୧ ତାରିଖରେ କଟକରେ ରହିଛି ଉଦଘାଟନୀ ଉତ୍ସବ। ଏହି ପରିପ୍ରେକ୍ଷୀରେ ହକି କ୍ରୀଡାକୁ ନେଇ ସମସ୍ତଙ୍କମନରେ ଉତ୍ସାହ ଉଦ୍ଦୀପନା ଭରି ରହିଛି।

ଅନ୍ୟ ବିଭିନ୍ନ ମାଧ୍ୟମ ଭଳି ଓଡିଶାରେ ହକି ଖେଳର ପ୍ରଚାର ପ୍ରସାର ପାଇଁ ଉଲ୍ଲେଖନୀୟ ଯୋଗଦାନ ରଖୁଥିବା ଚିତ୍ରଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କର ସୃଜନଶୀଳତାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ତରଫରୁ ଆଜି ଏକ ନିଆରା ପ୍ରୟାସ କରାଯାଇଥିଲା।

ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଟିଡିସି ସହାୟତାରେ କଟକ ଆର୍ଟିଷ୍ଟ ଆସୋସିଏସନ,ତରଫରୁ ଓଡିଶାରେ ହକି କ୍ରୀଡାର ଐତିହ୍ୟ, ପରମ୍ପରା ଏବଂ ହକି ଖେଳକୁ  ପର୍ଯ୍ୟବସିତ କରି ଭୁବନେଶ୍ୱର ସ୍ଥିତ ପାନ୍ଥନିବାସ ଠାରେ ଆଜି ଅପରାହ୍ଣରେ ଆୟୋଜିତ ଏହି ଦିନିକିଆ ଚିତ୍ରକଳା ପ୍ରଦର୍ଶନୀ।

ଏଥିରେ କଟକ, କେନ୍ଦ୍ରାପଡ଼ା ଓ ଭୁବନେଶ୍ୱରରୁ ୩୦ଜଣ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଥିଲେ।କେତେକ ପ୍ରଦର୍ଶନୀ ସ୍ଥଳରେ ଚିତ୍ର ଆଙ୍କୁ ଥିବା ବେଳେ, ଚିତ୍ର ଶିଳ୍ପୀଙ୍କ ଦ୍ୱାରା ହକି ଉପରେ ପର୍ଯ୍ୟବସିତ ସେମାନେ ଅଙ୍କନ କରି ଆଣିଥିବା ସୁନ୍ଦର ସୁନ୍ଦର ପେଣ୍ଟିଂ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା।

ହକି ଷ୍ଟିକ୍ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଓଡିଶାର ଆରାଧ୍ୟ ଶ୍ରୀଜଗନ୍ନାଥ ଓ ହକି, ବାରବାଟୀ ଦୁର୍ଗ ଓ ହକି, ହକି ବିଶ୍ୱକପ୍ ଓ ଭାରତର ଖେଳାଳୀ, ହକି ମାସ୍କଟ ଓଲି , ହକି ଷ୍ଟିକ୍ ଆଦିକୁ ନେଇ କାନଭାସ ଓ ତୂଳୀରେ ବିଭିନ୍ନ ଚିତ୍ରଶିଳ୍ପୀଙ୍କ ଦ୍ୱାରା ଅଙ୍କିତ ଆକର୍ଷଣୀୟ ବିଭିନ୍ନ ପେଣ୍ଟିଂଙ୍କୁ ଦର୍ଶକମାନେ ବେଶ୍ ପ୍ରଶଂସା କରିଥିଲେ ।

ଏହି ଚିତ୍ରକଳା ପ୍ରଦର୍ଶନୀ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡଃ ଲେନିନ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରଦର୍ଶନୀକୁ ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଫିତାକାଟି ଉଦଘାଟନ କରିଥିଲେ।

ଏହି ପରିପ୍ରେକ୍ଷୀରେ ମେୟର ଶ୍ରୀମତୀ ଦାସ, ଓଡିଶାରେ ପୁରୁଷ ହକି ବିଶ୍ୱକପ ୨୦୧୮ ପରେ ଏବେ ୨୦୨୩ ରେ ପୁଣିଥରେ ବିଶ୍ୱକପ୍ ଆୟୋଜିତ ହୋଇଥିବାରୁ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କର ଦୁରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଯୋଗୁଁ ଆଜି ବିଶ୍ୱରେ ଓଡିଶାରଖ୍ୟାତି ବହୁଗୁଣିତହୋଇଛି ଓ ସମସ୍ତେ ଆଜି ଉତ୍ସାହର ମାହୋଲରେ ସାମିଲ ହୋଇଛନ୍ତି ବୋଲି ଶ୍ରୀମତୀ ଦାସପ୍ରକାଶ କରିବା ସହ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ ଏହାର ଅନ୍ୟତମ ଝଲକ ବୋଲି କହିଥିଲେ।

ଓଟିଡିସି ଅଧ୍ୟକ୍ଷ ଡଃ. ମହାନ୍ତି ଯୋଗଦେଇ ମୁଖ୍ୟମନ୍ତ୍ରୀ ବିକାଶର ପ୍ରତ୍ୟେକ କ୍ଷେତ୍ରରେ ସବୁଠି ରୂପାନ୍ତରୀକରଣକୁ ଗୁରୁତ୍ୱ ଦେଉଥିବା ପ୍ରକାଶ କରିବା ସହ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ  ଚିତ୍ରଶିଳ୍ରୀ ଓ ହକି କ୍ରୀଡାକୁ ଉତ୍ସାହିତ କହିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ଅଧିକାରୀ ତଥା ଓଟିଡିସିର ଡିଭିଜନାଲ ମ୍ୟାନେଜର ଶ୍ରୀ ଅଂଶୁମାନ ରଥ,ପର‌୍ୟ୍ୟଟନ ବିଭାଗ,ନିଗମର ଅନ୍ୟ ପଦାଧିକାରୀ ଏବଂ କଟକ ଆର୍ଟିଷ୍ଟ ଆସୋସିଏସନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।ଏହି ଅବସରରେ ବହୁ ସଂଖ୍ୟାରେ ଜନସାଧାରଣ ପାନ୍ଥ ନିବାସ ପରିଭ୍ରମଣ କରି ଚିତ୍ରକଳା ଶିବିର ବୁଲି ଦେଖିଥିଲେ ଏବଂଫଟୋ ଉଠାଇଥିଲେ ।

Categories
Hockey Worldcup23 ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ବିଶ୍ବକପ ହକି ଉଦଘାଟନ ପୂର୍ବରୁ ବାରବାଟୀ ସ୍ଥିତି ପରଖିଲେ ପାଣ୍ଡିଆନ

କଟକ: ଆସନ୍ତାକାଲି ବେଶ ରଂଗାରଂଗ ଉତ୍ସବ ମଧ୍ୟରେ ଉଦଘାଟିତ ହେବ ହକି ବିଶ୍ବକପ ମହାସମର। ଏଥିପାଇଁ କଟକ ବାରବାଟୀ ଷ୍ଟାଡିୟମର ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିଆନ। ସେ ସକାଳୁ ପୁରା ଷ୍ଟାଡିୟମ ବୁଲି ସୁରକ୍ଷା ବ୍ୟବସ୍ଥା ସହିତ ଦର୍ଶକମାନେ ବସିବା ବ୍ୟବସ୍ଥା ତଦାରଖ କରିଥିଲେ।

ପାଣ୍ଡିଆନଙ୍କ ସହିତ ଓସିଏ ସଭାପତି ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, କ୍ରୀଡା ସଚିବ ଆର ଭିନିଲକ୍ରିଷ୍ଣା, କଟକ ଜିଲ୍ଲାପାଳ, ପୋଲିସ କମିଶନର, ଡିସିପି, କଟକ ମେୟର, ଚାରି ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ। ବୁଧବାର ସଂଧ୍ୟାରେ ଏହି ମେଗା କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦେଶ ବିଦେଶରୁ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଯୋଗଦେବେ।

Categories
Hockey Worldcup23 ବିଶେଷ ଖବର ରାଜ୍ୟ ଖବର

ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କରିବେ କଣ, ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଧନ୍ୟବାଦ ଦେବେ କି ?

ଭୁବନେଶ୍ବର:  ଆଜି ଓଡିଶାର ପ୍ରମୁଖ ଖବର କାଗଜରେ ଏକ ପୁରା ପୃଷ୍ଟା ବିଜ୍ଞାପନ ବାହାରିଛି। ଆସନ୍ତାକାଲି ହେବାକୁ ଥିବା ହକି ମହାକୁମ୍ଭର ଉଦଘାଟନୀ ଉତ୍ସବର ଏହି ବିଜ୍ଞାପନ। ଏହାକୁ ପ୍ରକାଶ କରିଛନ୍ତି ଓଡିଶା ସରକାରଙ୍କ କ୍ରୀଡା ବିଭାଗ। ଏହି ବିଜ୍ଞାପନରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ।

ଏହି ବିଜ୍ଞାପନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତାହା ହେଲା ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିବେ କଣ? ଅର୍ଥାତ ସେ ପୂର୍ବରୁ ଯେଉଁ ବିଜ୍ଞାପନକୁ ନେଇ ବାଣ ଫୁଟାଇଥିଲେ, ତାହାର ଜବାବ ବିଜେଡି ଦେଲା। ଏହାପରେ ସେ ତାଙ୍କର ବକ୍ତବ୍ୟକୁ ଫେରାଇ ନେବେ ନା କ୍ଷମା ପ୍ରାର୍ଥନା କରିବେ ନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବେ।

ନିକଟରେ ଏହି ଫଟୋକୁ ନେଇ ଖୋଦ୍ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବିଜେପିର ମଙ୍ଗୁଆଳମାନେ ବେଶ ତୁମ୍ବା ତୋଫାନ କରିଥିଲେ। ଭୁବନେଶ୍ବର ରାଉରକେଲା ବିମାନ ସେବା ଉଦଘାଟନ ଦିନ ଏହି ବିବାଦ ସୃଷ୍ଟି ହୋଇଥିଲା। ରାଜ୍ୟ ସରକାର ଏହି ବିମାନ ସେବାକୁ ନେଇ ଏକ ବିଜ୍ଞାପନ ଦେଇଥିଲେ। ସେଥିରେ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିଲା। ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କ୍ଷୋଭ ପ୍ରକାଶ କରିଥିଲେ।

ସେତେବେଳେ ସେ ଅଭିଯୋଗ କରିଥିଲେ ଯେ, ଭୁବନେଶ୍ବର ରାଉରକେଲା ବିମାନ ସେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅବଦାନ। ଉଡାନ ଯୋଜନାରେ ଏହା କରାଯାଇଛି। ହେଲେ ରାଜ୍ୟ ସରକାର ଏହି ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଦେଇଥିଲେ ଭଲ ହୋଇଥାଆନ୍ତା ବୋଲି ଧର୍ମେନ୍ଦ୍ର ଅଭିଯୋଗ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଫଟୋଟିଏ ଦେଇ ନବୀନ ନିଜର ମହନିୟତା ପ୍ରକାଶ କରିପାରି ଥାଆନ୍ତା ବୋଲି ଧର୍ମେନ୍ଦ୍ର କହିଥିଲେ।

ତେବେ ଆଜି ପ୍ରକାଶ ପାଇଥିବା ହକି ଉଦଘାଟନ ଉତ୍ସବ ବିଜ୍ଞାପନରେ ଉଭୟ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଫଟୋ ପ୍ରକାଶ ପାଇଛି। ଏହାକୁ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ପ୍ରକାଶ କରିଛି। ଏହା ଦେଖିବା ପରେ ଧର୍ମେନ୍ଦ୍ର କଣ କହିବେ ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ଏବେ ଧର୍ମେନ୍ଦ୍ର ଖୋଲାମଖୁଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବାକୁ ଆଗେଇ ଆସିବେ କି ?

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ବିଶ୍ଵ କପ୍ ଜିତିଲେ ପ୍ରତି ଭାରତୀୟ ଖେଳାଳିଙ୍କୁ ମିଳିବ କୋଟିଏ ଟଙ୍କା, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ରାଉରକେଲା: ବିଶ୍ଵ କପ୍ ଜିତିଲେ ପ୍ରତି ଭାରତୀୟ ଖେଳାଳିଙ୍କୁ ଏକ କୋଟି ଟଙ୍କା ଲେଖାଏଁ ଦିଆଯିବ। ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ରାଉରକେଲାରେ ମୁଖ୍ୟମନ୍ତ୍ରୀ ସର୍ବବୃହତ୍ତ ହକି ଷ୍ଟାଡିୟମ ଉଦଘାଟନ କରି ସେ ଏହା କହିଛନ୍ତି।

ଉପସ୍ଥିତ ଜନସାଧାରଣ ଓ କ୍ରୀଡାପ୍ରେମୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ହେଉଛି ଓଡିଶାର ସମଗ୍ର ଦେଶକୁ ସବୁଠାରୁ ଶ୍ରେଷ୍ଠ ଉପହାର। ଏହା ଭାରତକୁ ହକି କ୍ଷେତ୍ରରେ ଏକ ବଡ ଶକ୍ତି ଭାବରେ ଗଢି ତୋଳିବ ଏବଂ ଆଗାମୀ ଅନେକ ଦଶକ ପର୍ଯ୍ୟନ୍ତ ହକି ଖେଳରେ ଦେଶ ଏକ ମଜବୁତ ଦଳ ଭାବରେ ପ୍ରତିଷ୍ଠା ଲାଭ କରିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହକିର ସ୍ବର୍ଣ୍ଣକ୍ଷେତ୍ର ସୁନ୍ଦରଗଡରେ ଆଜି ବିଶ୍ବର ସବୁଠାରୁ ବଡ ଷ୍ଟାଡିୟମ ଓଡିଶା ମାଟିର ଗୌରବ ଗାନ କରୁଛି। ଏ ଷ୍ଟାଡିୟମ ସାରା ବିଶ୍ବ ପାଇଁ ହକିର ମୁଖ୍ୟ କେନ୍ଦ୍ର ହୋଇ ରହିବ ଏବଂ ଦେଶର ପ୍ରମୁଖ ଟିମ୍‌ ମାନଙ୍କୁ ସେମାନଙ୍କ ପ୍ରଦର୍ଶନ ପାଇଁ ସୁଯୋଗ ଦେଇ ଚାଲିବ।

Categories
Hockey Worldcup23 ଆଜିର ଖବର ଖେଳ ରାଜ୍ୟ ଖବର

ବିଶ୍ବକପ ହକି ଟ୍ରଫିକୁ ସ୍ବାଗତ କଲେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ

ସମ୍ବଲପୁର: ସାରା ରାଜ୍ୟରେ ବିଶ୍ବକପ ହକି ଟ୍ରଫିକୁ ସ୍ବାଗତ କରାଯାଉଛି। ବିଭିନ୍ନ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ସଂସ୍ଥା ଏହାକୁ ସ୍ବାଗତ କରୁଛନ୍ତି। ସେହିପରି ସମ୍ବଲପୁର ବିଶ୍ବବିଦ୍ୟାଳୟର ଛାତ୍ରୀଛାତ୍ରୀ ମଧ୍ୟ ଏହାକୁ ବିପୁଳ ସଂଖ୍ୟାରେ ସ୍ବାଗତ କରିଛନ୍ତି। ସେଠାରେ ଟ୍ରଫି ପହଞ୍ଚିବା ପରେ ବିଶ୍ବବିଦ୍ୟାଳରେ ଏକ ରଂଗାରଂଗ ପରିବେଷରେ ସ୍ବାଗତ କରାଯାଇଥିଲା।

କେବଳ ସ୍ବାଗତ ନୁହଁ, ହକି ଖେଳକୁ ପ୍ରସାର କରାଇବା ପାଇଁ ସମ୍ବଲପୁର ବିଶ୍ବବିଦ୍ୟାଳୟ ତରଫରୁ ଆନ୍ତଃକଲେଜ ହକି ଟୁର୍ଣ୍ଣାମେଣ୍ଟର ଆୟୋଜନ ମଧ୍ୟ କରାଯାଉଛି। ଏହା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ଆଠ ତାରିଖ ପର୍ଯ୍ୟନ୍ତ ଚାଲିବ।

Categories
Hockey Worldcup23 ଆଜିର ଖବର ଖେଳ ରାଜ୍ୟ ଖବର

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତ, ଜାଣନ୍ତୁ କାହିଁକି ??

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଯିବେ। ସେ ଆଜି ଦିନ ୧୧ଟା ୨୦ ମିନିଟ୍‌ରେ ନିବାସରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଯିବେ। ସେଠାରୁ ସାଢ଼େ ୧୧ଟାରେ ସ୍ବତନ୍ତ୍ର ଏୟାରକ୍ରାଫ୍ଟରେ ରାଉରକେଲା ଅଭିମୁଖେ ବାହାରିବେ।

ନବୀନ ଅପରାହ୍ନ ୧୨ଟା ୧୫ ମିନିଟ୍‌ରେ ରାଉରକେଲା ବିମାନ ବନ୍ଦରରେ ଅବତରଣ କରିବେ। ୧୨ଟା ୨୦ ମିନିଟ୍‌ରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ କ୍ୟାମ୍ପସ୍‌ରେ ପହଞ୍ଚିବେ। ସେଠାରେ ସେ ବିଶ୍ବକପ ଗ୍ରାମକୁ ଉଦଘାଟନ କରିବେ। ସେହିପରି ସେଠାରେ ଥିବା ହକି ଖେଳାଳୀଙ୍କ ସହିତ ଭାବ ବିନିମୟ କରିବେ।

ଏହାପରେ ନବୀନ ଅପରାହ୍ନ ୩ଟା ୫୫ ମିନିଟ୍‌ରେ ଡିଏଭି ପୋଖରୀ ଅଭିମୁଖେ ବାହାରି ସେଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ସେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସହ ସୁନ୍ଦରଗଡ଼ ମେଡ଼ିକାଲ କଲେଜକୁ ଉଦ୍‌ଘାଟନ କରିବେ। ପରେ ପରେ ‘ମୋ ବସ୍‌’ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ।

ଅପରାହ୍ନ ୪ଟା ୨୦ ମିନିଟ୍‌ରେ ସେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚିବେ। ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ଉଦ୍‌ଘାଟନ କରିବେ। ଅପରାହ୍ନ ୪ଟା ୩୦ ମିନିଟ୍‌ରେ ଷ୍ଟାଡିୟମରୁ ରାଉରକେଲା ଅଭିମୁଖେ ବାହାରି ଅପରାହ୍ନ ୪ଟା ୪୫ ମିନିଟ୍‌ରେ ନବୀନ ନିବାସ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।

Categories
Hockey Worldcup23 ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୁଷ ହକି ବିଶ୍ୱକପ୍‌ ପାଇଁ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଜଙ୍ଗଲ ମନ୍ତ୍ରୀ ଅମାତ

ଭୁବନେଶ୍ୱର: ଓଡ଼ିଶାରେ ଚଳିତ ମାସ ୧୩ ତାରିଖରୁ ରାଜଧାନୀ ଭୁବନେଶ୍ୱର ଏବଂ ରାଉରକେଲାଠାରେ ଆରମ୍ଭ ହେଉଥିବା ବହୁ ପ୍ରତିକ୍ଷିତ ପୁରୁଷ ହକି ବିଶ୍ୱକପ୍‌-୨୦୨୩ ଉପଲକ୍ଷେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ତରଫରୁ ରାଜ୍ୟର ମନ୍ତ୍ରୀମାନେ ବିଭିନ୍ନ ରାଜ୍ୟକୁ ଗସ୍ତ କରିଛନ୍ତି ।

ସେହି ମର୍ମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ଆଜି ପୂର୍ବାହ୍ନରେ ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ହେମନ୍ତ ବିଶ୍ୱଶର୍ମାଙ୍କୁ ଦିସ୍‌ପୁରଠାରେ ସାକ୍ଷାତ କରି ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌-୨୦୨୩ରେ ଅତିଥି ଭାବରେ ଯୋଗଦେବା ପାଇଁ ସାଦର ନିମନ୍ତ୍ରଣ କରିଛନ୍ତି ।

ଏହି ସାକ୍ଷାତ ଅବସରରେ ମନ୍ତ୍ରୀ ଶ୍ରୀ ଅମାତ ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ୱଶର୍ମାଙ୍କୁ ସ୍ୱତନ୍ତ୍ର ଟି-ସାର୍ଟ, ରୌପ୍ୟ ସ୍ମାରକ ପ୍ରଦାନ କରିଛନ୍ତି । ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ୱଶର୍ମା ବ୍ୟକ୍ତିଗତ ନିମନ୍ତ୍ରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଆନ୍ତରିକ ସାଧୁବାଦ ଜଣାଇବା ସହ ହକି ବିଶ୍ୱକପ୍‌ ଆୟୋଜନର ସଫଳତା କାମନା କରିଛନ୍ତି ।

Categories
Hockey Worldcup23 ଆଜିର ଖବର ଖେଳ ରାଜ୍ୟ ଖବର

ହକି ଷ୍ଟିକ ତିଆରି ସହ ସଂକୀର୍ତ୍ତନ କରି ଦାବି ଜଣାଇଲା ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ

ଭୁବନେଶ୍ୱର : ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର ୨୩ ଦିନର ଧାରଣାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ଓଡ଼ିଶା କଳା ଓ କ୍ରୀଡ଼ା ପ୍ରଶିକ୍ଷକ ପ୍ରଶିକ୍ଷିକାମାନେ ହକି ଷ୍ଟିକ୍ ତିଆରି ଓ ସଂକୀର୍ତ୍ତନ କରି ଅଭିନବ ଉପାୟରେ ରାଜ୍ୟ ସରକାରଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିବା ସହିତ ତିଆରି କରିଥିବା ହକି ଷ୍ଟିକ୍‌କୁ ରାଜରାସ୍ତାରେ ପ୍ରଦର୍ଶନ କରିଥିଲେ।

କଳା ଓ କ୍ରୀଡ଼ା ମହସଂଘର ଏଭଳି ଅଭିନବ ପ୍ରଦର୍ଶନକୁ ସେହି ବାଟ ଦେଇ ଯାଉଥିବା ପଥଚାରୀମାନେ ଉପଭୋଗ କରିବା ସହିତ କଳା ଓ କ୍ରୀଡ଼ା ପ୍ରଶିକ୍ଷକ, ପ୍ରଶିକ୍ଷିକାଙ୍କ ସହିତ ସେଲ୍‌ଫି ମଧ୍ୟ ନେଇଥିଲେ ।

ଦୀର୍ଘ ୯ ବର୍ଷ ଧରି ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର ଦାବୀ ‘ସ୍ଥାୟୀ ନିଯୁକ୍ତି’ ପ୍ରସ୍ତାବକୁ ସରକାରଙ୍କୁ ଅବଗତ କରାଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ମହାସଂଘର ଦାବି ପ୍ରତି କର୍ଣ୍ଣପାତ କରିନାହାଁନ୍ତି । ତେଣୁ ମହାସଂଘ ବାଧ୍ୟ ହୋଇ ଚଳିତବର୍ଷ ବିଧାନସଭା ଅଧିବେଶନ ତା ୫.୧୨.୨୦୨୨ରିଖ ଠାରୁ ଦୀର୍ଘ ୨୩ ଦିନ ଧରି ବିଧାନସଭା ସମ୍ମୁଖରେ ମହାସଂଘ ତାର ଧାରଣା ଜାରି ରଖିଛି । ରାଜ୍ୟ ସରକାରଙ୍କ ଉଦାସୀନତା ମନୋଭାବ କଳା ଓ କ୍ରୀଡ଼ା ପ୍ରଶିକ୍ଷକମାନଙ୍କୁ ମାନସିକ ଓ ଶାରୀରିକ ଭାବେ ଆଘାତ ଦେଇଛି।

ଯେତେଦିନ ପର୍ଯ୍ୟନ୍ତ ରାଜ୍ୟ ସରକାର ମହାସଂଘର ଦାବୀ ପ୍ରତି ଦୃଷ୍ଟି ଦେଇ ନାହାଁନ୍ତି, ସେତେଦିନ ପର୍ଯ୍ୟନ୍ତ ରାଜରାସ୍ତାରେ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ମହାସଂଘର ଆବାହକ ଧର୍ମେନ୍ଦ୍ର ପଣ୍ଡା, ଜଗତଜୀବନ ନାୟକ ଓ ଦେବବ୍ରତ ପଟ୍ଟନାୟକ, ସଂଯୋଜକ ଆଶୁତୋଷ ଶତପଥି, ବିଜନ ଦାସ, ବସନ୍ତ ଷଣ୍ଢ, ପ୍ରଦୀପ ପଟେଲ, ତ୍ରିଲୋଚନ ଜେନା, ବାବାଜି ଚରଣ ଦାସ, ରଶ୍ମୀ ରଞ୍ଜନ ମିଶ୍ର, ଶଙ୍କର ପ୍ରସାଦ ମହାପାତ୍ର, ସୁଧାକର ଜେନା, ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ଆରତୀ ଆଚାର୍ଯ୍ୟ, ସ୍ମୀତାଞ୍ଜଳି ମହାପାତ୍ର, ଭାଗିରଥି ସ୍ୱାଇଁ, ତପନ ପଣ୍ଡା, ସ୍ୱାତୀମୁକ୍ତା, ଦିଲ୍ଲୀପ ପଣ୍ଡା, ମନୋଜ ଚୌଧୁରୀ, ହିମାଦ୍ରୀ ସାହୁ, କୃଷ୍ଣସୁଦାମା ପାଣିଗ୍ରାହୀ ପ୍ରମୁଖ ଚେତାବନୀ ଦେଇଛନ୍ତି । ଏହି ଧାରଣାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ଦୁଇ ହଜାରରୁ ଉର୍ଦ୍ଧ୍ୱ କଳା ଓ କ୍ରୀଡ଼ା ପ୍ରଶିକ୍ଷକ ପ୍ରଶିକ୍ଷିକା ସାମିଲ୍ ହୋଇଥିଲେ ।

Categories
ଆଜିର ଖବର

ଆଜିଠାରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଏଫଆଇଏଚ୍ ପୁରୁଷ ସିରିଜ ଫାଇନାଲ ଆରମ୍ଭ

ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆଜିଠୁ  ଆରମ୍ଭ ହୋଇଛି ଏଫଆଇଏଚ୍ ପୁରୁଷ ହକି ସିରିଜ ଫାଇନାଲ।  ଆୟୋଜକ ଭାରତ ସମେତ ୮ଟି ଦେଶ ଏହି ସିରିଜ୍ଅରେ ଅଂଶ ଗ୍ରହଣ କରିଛନ୍ତି। ପ୍ରଥମ ଦିନରେ ୩ଟି ମ୍ୟାଚ ରହିଛି। ପ୍ରଥମ ମ୍ୟାଚ ଅପରାହ୍ନ ୫ଟାରେ ସାଉଥ ଆଫ୍ରିକା ଓ ୟୁଏସ୍ଏ ମଧ୍ୟରେ ହେବ। ଦ୍ୱିତୀୟ ମ୍ୟାଚ୍ ପୋଲାଣ୍ଡ ଏବଂ ଉଜବେକିସ୍ତାନ ମଧ୍ୟରେ ଖେଳାଯିବ। ଶେଷ ମ୍ୟାଚ ସନ୍ଧ୍ୟା ୭ଟା ବେଳେ ହେବ। ଏହି ମ୍ୟାଚ୍‌ରେ ଆୟୋଜକ  ଭାରତ ଓ ଋଷ୍‌ ମଧ୍ୟରେ ମୁକାବିଲା ହେବ। ଭାରତ ଓ ରୁଷିଆକୁ ଛାଡିଦେଲେ ସାଉଥ ଆଫ୍ରିକା, ମେକ୍ସିକୋ, ଜାପାନ, ଉଜବେକିସ୍ତାନ, ପୋଲାଣ୍ଡ ଏବଂ ୟୁଏସଏ ଏହି ସିରିଜିରେ ଭାଗ ନେଇଛନ୍ତି।

Categories
ଆଜିର ଖବର

ସୁଲତାନ ଆଜଲାନ ଶାହ କପ୍‌ ହକି : ପୋଲାଣ୍ଡକୁ ୧୦-୦ରେ ପରାସ୍ତ କଲା ଭାରତ

ସୁଲତାନ ଆଜଲାନ ଶାହ କପ୍‌ ହକିରେ ନିଜର ଶେଷ ମ୍ୟାଚ୍‌ରେ ଭାରତ ୧୦-୦ର ବଡ ବ୍ୟବଧାନରେ ବିଜୟୀ ହୋଇଛି। ଏହିତ ମ୍ୟାଚ୍‌ ପୂର୍ବରୁ ଫାଇନାଲରେ ପ୍ରବେଶ କରି ସାରିଥିବା ଭାରତୀୟ ଦଳ ଆଜିର ମ୍ୟାଚ୍‌ ପାଇଁ ଦୁଇ ପରିବର୍ତ୍ତନ କରିଥିଲା ଏବଂ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଥିଲା।  ସୁରେନ୍ଦ୍ର କୁମାର ଦଳର ନେତୃତ୍ବ ନେଇଥିଲେ। ଭାରତ ପକ୍ଷରୁ ମ୍ୟାଚ୍‌ର ପ୍ରଥମ ମିନିଟ୍‌ରେ ଫିଲ୍‌ଡ ଗୋଲ୍‌ ଜରିଆରେ ଦେଇଥିଲେ ବିବେକ ପ୍ରସାଦ। ଭାରତ ଆଜିର ମ୍ୟାଚ୍‌ରେ ତିନୋଟି ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିଥିଲା। ଭାରତ ପକ୍ଷରୁ ସୁମିତ କୁମାର(୭), ବରୁଣ କୁମାର (୧୮,୨୫), ସୁରେନ୍ଦ୍ର କୁମାର (୧୯), ସିମରନ୍‌ଜିତ୍‌  ସିଂ(୨୯), ନୀଳକଣ୍ଠ (୩୬), ମନ୍‌ଦୀପ୍‌(୫୦,୫୧) ଏବଂ ଅମିତ ରୋହିଦାସ (୫୫) ମିନିଟ୍‌ରେ ଗୋଲ୍‌ ସ୍କୋର କରିଥିଲେ। ଫାଇନାଲ ପୂର୍ବରୁ ଏହି ବିଜୟ ଭାରତର ମନୋବଳ ବୃଦ୍ଧିରେ ସହାୟକ ହେବ ବୋଲି କୁହାଯାଉଛି। ମନ୍‌ଦୀପ୍‌ ସିଂ ବର୍ତ୍ତମାନ ସୁଦ୍ଧା ୭ଟି ଗୋଲ୍‌ ସ୍କୋର କରିଛନ୍ତି। ଆସନ୍ତାକାଲି ଭାରତ ଦକ୍ଷିଣ କୋରିଆ ବିପକ୍ଷରେ ଫାଇନାଲ୍‌ ମ୍ୟାଚ୍‌ ଖେଳିବ।

Categories
Uncategorized

ଆଜଲାନ ଶାହ କପ୍‌ ହକି : ମାଲେସିଆକୁ ପରାସ୍ତ କଲା ଭାରତ

ସୁଲତାନ ଆଜଲାନ୍ ସାହ କପ୍‌ ହକି ପ୍ରତିଯୋଗିତାରେ ଭାରତ ଆୟୋଜକ ମାଲେସିଆକୁ ୪-୨ ଗୋଲ୍‌ରେ ହରାଇ ଦେଇଛି। ଏଥି ସହିତ ଭାରତ ମଧ୍ୟ ତୃତୀୟ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ସହିତ ଫାଇନାଲ୍ ଖେଳିବା ସମ୍ଭାବନାକୁ ବଢ଼ାଇଛି। ପ୍ରଥମ ମ୍ୟାଚ୍‌ରେ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ଜାପାନକୁ ହରାଇଥିବା ଭାରତ ରବିବାର ଦ୍ବିତୀୟ ମ୍ୟାଚ୍‌ରେ ଶେଷ ମିନିଟରେ‌ ଗୋଲ୍ ବରଣ କରି କୋରିଆ ସହ ପଏଣ୍ଟ ଭାଗ କରିଥିଲା। ମଙ୍ଗଳବାରର ବିଜୟ ପରେ କୋରିଆ ଏବଂ ଭାରତ ସମାନ ୭ ପଏଣ୍ଟ୍ ପାଇ ଟେବୁଲ୍‌ର ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ଭାରତ ଏହି ମ୍ୟାଚ୍‌ରେ ମୋଟ ୯ ପେନାଲଟି କର୍ଣ୍ଣର ଅର୍ଜନ କରିଥିଲେ ମଧ୍ୟ ଗୋଟିଏ ଗୋଲ୍ ପାଇନଥିଲା। ମାତ୍ର ଭାରତୀୟ ଖେଳାଳି ଆକ୍ରମଣାତ୍ମକ ହକି ଖେଳିବା ସହ ସମସ୍ତ ଗୋଲ୍‌କୁ ଫିଲଡ୍ ଗୋଲରୁ ଦେଇଥିଲା। ଅନ୍ୟପକ୍ଷରେ ମାଲେସିଆ ନିଜର ଉଭୟ ଗୋଲ୍ ପେନାଲଟି କର୍ନରରୁ ଦେଇଥିଲା। ପ୍ରଥମ କ୍ବାର୍ଟର‌ ଗୋଲଶୂନ୍ୟ ବିତିବା ପରେ ଦ୍ବିତୀୟ କ୍ବାର୍ଟର ପ୍ରାରମ୍ଭରୁ ସୁମିତ (୧୭ ମିନିଟ) ଭାରତକୁ ପ୍ରଥମ ଅଗ୍ରଣୀ ଦେଇଥିଲେ। ୪ ମିନିଟ୍ ପରେ ମାଲେସିଆର ଅଧିନାୟକ ରାଜି ରହିମ୍‌ (୨୧) ପେନାଲଟି କର୍ଣ୍ଣର ଜରିଆରେ ଗୋଲଟିକୁ ପରିଶୋଧ କରି‌ ଦେଇଥିଲେ। ଭାରତୀୟ ଦଳର ବି ସୁମିତ୍‌ କୁମାର (୨୭)ତମ ମିନିଟ୍‌ରେ ଭାରତକୁ ପୁଣି ଥରେ ଆଗୁଆ (୨-୧) କରାଇ ଦେଇଥିଲେ। ଏଥି ସହିତ ଭାରତ ମଧ୍ୟ ଦ୍ବିତୀୟ କ୍ବାର୍ଟରକୁ ନିଜ ସପକ୍ଷରେ ରଖିଥିଲା। ତୃତୀୟ କ୍ବାର୍ଟରରେ ବରୁଣ କୁମାର ୩୬ତମ ମିନିଟ୍‌ରେ ଆଉ ଏକ ଫିଲଡ୍ ଗୋଲ୍ ଦେଇଥିଲେ। ଚତୁର୍ଥ କ୍ବାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏଁ‌ ଗୋଲ୍ ଦେଇଥିଲେ। ‌ତେଙ୍ଗକୁ ତାଜୁଦ୍ଦିନ୍‌ ୫୭ତମ ମିନିଟ୍‌ରେ ପେନାଲଟି କର୍ନରରୁ‌ ଗୋଲ୍‌ ଦେଇ ଭାରତକୁ ଚାପରେ ପକାଇଥିଲେ।ମନଦୀପ୍ ସିଂହ ୫୮ ମିନିଟ୍‌ରେ ଏକ ସୁନ୍ଦର ଫିଲଡ୍ ଗୋଲ୍‌ ଦେଇ ଭାରତର ବିଜୟକୁ ନିଶ୍ଚିତ କରିଥିଲେ। ଭାରତ ଏବଂ କୋରିଆ ସମାନ ୭ ପଏଣ୍ଟ୍‌ ଲେଖାଏଁ ପାଇଥିବା ବେଳେ ମାଲେସିଆ ଏବଂ କାନାଡ଼ା ସମାନ ୬ ପଏଣ୍ଟ୍‌ ଲେଖାଏଁ ପାଇଛନ୍ତି।

Categories
ଆଜିର ଖବର

ଆଜଲାନ ଶାହ କପ୍‌ ହକି ୨୦୧୯ : ଜାପାନକୁ ୨-୦ରେ ହରାଇଲା ଭାରତ

ସୁଲତାନ ଆଜଲାନ ଶାହ କପ୍‌ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ନିଜର ମୁକାବିଲା ବିଜୟ ସହିତ ଆରମ୍ଭ କରିଛି। ଏସିଆନ୍‌ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜେତା ଜାପାନକୁ ୨-୦ରେ ପରାସ୍ତ କରି ଭାରତ ନିଜର ଅଭିଯାନ ଆରମ୍ଭ କରିଛି। ମାଲେସିଆରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମଣ୍ଟରେ ଭାରତ ପକ୍ଷରୁ ମ୍ୟାଚ୍‌ର ୨୪ ତମ ମିନିଟ୍‌ରେ ପ୍ରଥମ ଗାେଲ୍‌ ସ୍କାେର କରିଥିଲେ ବରୁଣ କୁମାର। ପେନାଲ୍‌ଟି କର୍ଣ୍ଣରରୁ ଭାରତକୁ ଏହି ଗୋଲ୍‌ ମିଳିଥିଲା। ମ୍ୟାଚ୍‌ର ୫୬ ତମ ମିନିଟ୍‌ରେ ସିମ୍‌ରନ୍‌ଜିତ୍‌ ସିଂ ଦ୍ବିତୀୟ ଗାେଲ୍‌ ସ୍କାେର କରିବା ସହିତ ଦଳର ଅଗ୍ରଣୀକୁ ୨-୦କୁ ବଢାଇଥିଲେ। ଜାପାନ ପକ୍ଷରୁ ଗୋଲ ଶୁଝିବା ନିମନ୍ତେ ଆପ୍ରାଣ ଉଦ୍ୟମ କରାଯାଇଥିଲେ ମଧ୍ୟ ଭାରତୀୟ ରକ୍ଷଣଭାଗ ସମସ୍ତ ଉଦ୍ୟମ ପଣ୍ଡ କରି ଦେଇଥିଲେ। ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ମନ୍‌ପ୍ରୀତ୍‌ ସିଂ ଦଳର ନେତୃତ୍ବ ନେଉଛନ୍ତି।  ବରୁଣ କୁମାରଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯାଇଥିଲା। ରବିବାର ଭାରତ ନିଜର ପରବର୍ତ୍ତୀ ମ୍ୟାଚ୍‌ରେ ଦକ୍ଷିଣ କୋରିଆକୁ ଭେଟିବ। ରାଉଣ୍ଡ ରବିନ୍‌ଲିଗ୍‌ରେ ଖେଳାଯାଉଥିବା ଏହି ମୁକାବିଲାର ଫାଇନାଲ୍‌ ମାର୍ଚ୍ଚ ୩୦ରେ ଖେଳାଯିବ।