Categories
ଆଜିର ଖବର ଜାତୀୟ ଖବର

କନୌଜଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨୦ ମୃତ, ୨୧ ଆହତ, ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି ଓ ଯୋଗୀ

କନୌଜ : ଉତ୍ତରପ୍ରଦେଶ କନୌଜଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨୦ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୧ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଯାତ୍ରୀବସ କନୌଜର ଗୁରସହାୟଗଞ୍ଜ ଠାରୁ ଜୟପୁର ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଗତକାଲି ରାତି ପ୍ରାୟ ସାଢ଼େ ୯ଟାରେ ଏହି ଘଟଣା ଘଟିବା ପରେ ବସ ଜଳିବାକୁ ଲାଗିଥିଲା । ଏହି ବସରେ ପାଖାପାଖି ୪୩ ଜଣ ଯାତ୍ରୀ ଥିଲେ । ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି । ସେ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଥିବା ବେଳେ ଆହତମାନଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଓ ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ସେହିପରି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । (ଏଜେନ୍ସି)