Categories
ଖେଳ ବିଶେଷ ଖବର

ଆଇପିଏଲ ୨୦୨୦: ପ୍ଲେ ଅଫ ରେ ଖେଳିବା ନେଇ ୬ଟି ଦଳ ମଧ୍ୟରେ ଆଜିଠୁ ଆରମ୍ଭ ହେଲା ଅଙ୍କ କଷା

ଶାରଜା: ଏପର୍ଯ୍ୟନ୍ତ ଚଳିତ ଆଇପିଏଲରେ ୫୨ ଟି  ଲିଗ୍ ମ୍ୟାଚ୍ ର ଖେଳ ଶେଷ ହୋଇଯାଇଥିବା ବେଳେ କେବଳ ମୁମ୍ବାଇ ଇଡିଆନ୍ସ ପ୍ଲେ ଅଫ ପାଇଁ ଯୋଗ୍ୟତା ହାସଲ କରିପାରିଛି। ଆଇପିଏଲ ଇତିହାସରେ ଏହା ଏକ ପ୍ରଥମ ଘଟଣା ହେବ। ଲିଗ୍ ମ୍ୟାଚ୍ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିଲେ ମଧ୍ୟ ପ୍ଲେ ଅଫ ପର୍ଯ୍ୟାୟ ପାଇଁ ୬ ଟି ଦଳ ସଂଘର୍ଷ କରୁଛି। ଏକମାତ୍ର ଦଳ ଭାବେ ତିନି ଥର ଚମ୍ପିୟାନ ହୋଇଥିବା ଚେନ୍ନାଇ ସୁପରକିଙ୍ଗ୍ସ ଟୁର୍ଣ୍ଣାମେଣ୍ଟର ପ୍ଲେ ଅଫରୁ ବିଦା ନେଇସାରିଛି। ବାକି ୬ ଟି ଦଳ ମଧ୍ୟରେ ଦ୍ଵିତୀୟ, ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ଆଜି ଠାରୁ ଲଢେଇ ହେବାକୁ ଯାଉଛି। ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଏହି ୬ଟି ଦଳକୁ ଯୋଗ୍ୟତା ହାସଲ କରିବା ପାଇଁ ଗୋଟିଏ ଲେଖାଏଁ ମ୍ୟାଚ ବାକି ରହିଛି। ସେଥିପାଇଁ ଏହି ଦଳଗୁଡିକୁ ଆଗାମୀ ପର୍ଯ୍ୟାୟ ଖେଳିବା ପାଇଁ ବଡ ବ୍ୟବଧାନରେ ନିଶ୍ଚିତ ବିଜୟ ଆବଶ୍ୟକ କରୁଛି।

ଆଜି ଶେଷ ରାଉଣ୍ଡ ଆରମ୍ଭ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୪ ପଏଣ୍ଟ  (-୦.୧୪୫) ଏବଂ ଦିଲ୍ଲୀ ରାଜଧାନୀ ୧୪ ପଏଣ୍ଟ (-୦.୧୫୯) ସହିତ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ଦୁଇ ଦଳ ମଧ୍ୟରୁ ଯେଉଁ ଦଳ ବିଜୟ ହାସଲ କରିବ, ସେହି ଦଳ ଦ୍ଵିତୀୟ ସ୍ଥାନ ହାସଲ କରିବ। ଅନ୍ୟ ଚାରିଟି ଦଳ ଯଥା ସନ୍ ରାଇଜର୍ସ ହାଇଦ୍ରାବାଦ ୧୨ ପଏଣ୍ଟ(୦.୫୫୫), କିଙ୍ଗସ ଏକାଦଶ ପଞ୍ଜାବ ୧୨ ପଏଣ୍ଟ(-୦.୧୩୩0), ରାଜସ୍ଥାନ ରୟାଲ୍ସ ୧୨ ପଏଣ୍ଟ (-୦.୩୭୭), ଏବଂ କୋଲକାତା ନାଇଟ୍ ରାଇଡର୍ସ ୧୨ ପଏଣ୍ଟ (-୦.୪୬୭) ସହିତ ଚତୁର୍ଥ, ପଞ୍ଚମ, ଷଷ୍ଠ ଏବଂ ସପ୍ତମ ସ୍ଥାନରେ ରହିଛନ୍ତି। ତେବେ ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ଆଜିର ପରାଜିତ ଦଳ ସହ ଏହି ଦଳଗୁଡିକ ମଧ୍ୟରେ ସମାନ ପଏଣ୍ଟ ଥିବାରୁ ଯେଉଁ ଦଳର ନେଟ୍ ରନ୍ ହାର ଅଧିକ ରହିବ, ସେହି ଦଳ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବ।

ଏହି ୬ ଟି ଦଳ ପାଇଁ ଲିଗ୍ ଖେଳର ଶେଷ ରାଉଣ୍ଡ ପୂର୍ବରୁ ପ୍ଲେ ଅଫ୍ ରେ ସ୍ଥାନ ସୁରକ୍ଷିତ କରିବା ପାଇଁ ସେମାନେ କଣ କରିବା ଆବଶ୍ୟକ:

ଦିଲ୍ଲୀ ରାଜଧାନୀ:

ଦିଲ୍ଲୀ ନିଜର ଶେଷ ଚାରିଟି ମ୍ୟାଚ୍ ରେ ପରାଜିତ ହୋଇଥିଲେ ମଧ୍ୟ ପ୍ଲେ ଅଫ ରେ ଦ୍ଵିତୀୟ ସ୍ଥାନ ହାସଲ କରିବା ପାଇଁ ସୋମବାର ଦିନ କେବଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିବା ଜରୁରୀ ହୋଇପଡିଛି ଯଦି ସେମାନେ ଆରସିବି ବିପକ୍ଷରେ ମ୍ୟାଚ୍ ହାରିଯାଉଛନ୍ତି, ତେବେ ଯୋଗ୍ୟତା ନିଶ୍ଚିତ କରିବାକୁ ସେମାନେ ଅନ୍ୟ ଫଳାଫଳ ଉପରେ ନିର୍ଭର କରିବେ। ସେଥିପାଇଁ ଆଜି ଖେଳାଯିବାକୁ ଥିବା ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ ପଞ୍ଜାବ ପରାସ୍ତ ହୋଇ ୧୨ ପଏଣ୍ଟରେ ରହିବ। ଦ୍ବିତୀୟରେ ହାଇଦ୍ରାବାଦକୁ ମୁମ୍ବାଇ ହରାଇବା ଦରକାର, ତୃତୀୟରେ କୋଲକୋତା ଏବଂ ରାଜସ୍ଥାନ ମଧ୍ୟରେ ହେବାକୁ ଥିବା ଲିଗରେ ବିଜେତାଙ୍କ ନେଟ୍ ରନ୍-ହାର ଦିଲ୍ଲୀ ତୁଳନାରେ କମ ରହୁଥିବ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର:

ବାଙ୍ଗାଲୋରର ପରିସ୍ଥିତି ଦିଲ୍ଲୀ ସହିତ ସମାନ। ଯଦି ସେମାନେ ଦିଲ୍ଲୀକୁ ପରାସ୍ତ କରନ୍ତି, ତେବେ ସେମାନେ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜ୍ଜନ କରିବେ ଏବଂ ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ମୁମ୍ବାଇ ଇଣ୍ଡିଆନ୍ସଙ୍କୁ ଭେଟିବେ। ଯଦି ସେମାନେ ହାରିଯାଆନ୍ତି, ତେବେ ସେମାନେ ୧୪ ପଏଣ୍ଟରେ ରହିବେ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରବର୍ତ୍ତୀ ପର୍ଯ୍ୟାୟ ଖେଳିବ କି ନାହିଁ  ଆଗାମୀ ମ୍ୟାଚର ଫଳାଫଳ ପରେ ସ୍ପଷ୍ଟ ହେବ।

ସେଥିପାଇଁ ପ୍ରଥମେ ଚେନ୍ନାଇ ଦଳ ପଞ୍ଜାବକୁ ହରାଇବା ଆବଶ୍ୟକ, ଦ୍ବିତୀୟରେ ହାଇଦ୍ରାବାଦକୁ ମୁମ୍ବାଇ ହରାଇବା ଆବଶ୍ୟକ, ତୃତୀୟରେ କୋଲକୋତା ଏବଂ ରାଜସ୍ଥାନ ମଧ୍ୟରେ ହେବାକୁ ଥିବା ଲିଗରେ ବିଜେତାଙ୍କ ନେଟ୍ ରନ୍-ହାର ବାଙ୍ଗାଲୋର ତୁଳନାରେ କମ ରହୁଥିବ।

ସନରାଇଜର୍ସ ହାଇଦ୍ରାବାଦ:

ହାଇଦ୍ରାବାଦ ପାଇଁ ପରିସ୍ଥିତି ବହୁତ ସରଳ। ସର୍ବୋଚ୍ଚ ନେଟ ରନ ହାର(୦.୫୫୫) ଯୋଗୁଁ ସେମାନେ ବର୍ତ୍ତମାନ ୧୨ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ଅଛନ୍ତି। ସେମାନଙ୍କୁ କେବଳ ପ୍ଲେ ଅଫ୍ ଖେଳିବାକୁ ଅନ୍ତିମ ଲିଗ୍ ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିବାକୁ ପଡିବ। ଯଦି ସେମାନେ ହାରିଯାଆନ୍ତି, ତେବେ ସେମାନେ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଯିବେ।

କିଙ୍ଗସ ଏକାଦଶ ପଞ୍ଜାବ:

୧୩ ମ୍ୟାଚରୁ ୧୨ ପଏଣ୍ଟ ପାଇ କେଏଲ ରାହୁଲଙ୍କ ନେତୃତ୍ୱାଧୀନ ଦଳ ପଞ୍ଚମ ସ୍ଥାନରେ ରହିଛି। ଯଦି ସେମାନେ ଚେନ୍ନାଇ ବିପକ୍ଷରେ ସେମାନଙ୍କର ଅନ୍ତିମ ଲିଗ୍ ଜିତନ୍ତି, ତେବେ ସେମାନେ ୧୪ ପଏଣ୍ଟ ହାସଲ କରିବେ। ତଥାପି, ଏହା ହୁଏତ ସେମାନଙ୍କର ଯୋଗ୍ୟତା ନିଶ୍ଚିତ କରିପାରିବ ନାହିଁ କାରଣ ଅନ୍ୟ ତିନିଟି ଦଳ ମଧ୍ୟ ୧୪ ଲେଖାଏଁ ପଏଣ୍ଟ ରେ ପହଞ୍ଚି ସେମାନଙ୍କୁ ଅଧିକ ରନ ରେଟରେ ବିଦା କରିପାରିବେ।

୧- ଚେନ୍ନାଇକୁ ପଞ୍ଜାବ ପରାସ୍ତ କରିବା ପରେ ସେମାନଙ୍କର ନେଟ୍ ରନ୍ ହାର ଉଭୟ ବାଙ୍ଗାଲୋର ଏବଂ ଦିଲ୍ଲୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ପରାଜିତ ଦଳଠାରୁ ଅଧିକ ରହିବା ଆବଶ୍ୟକ

– ହାଇଦ୍ରାବାଦକୁ ମୁମ୍ବାଇ ହରାଇବା ଆବଶ୍ୟକ

୩- କୋଲକୋତା ଏବଂ ରାଜସ୍ଥାନ ମଧ୍ୟରେ ହେବାକୁ ଥିବା ଲିଗରେ ବିଜେତାଙ୍କ ନେଟ୍ ରନ୍-ହାର ପଞ୍ଜାବ ତୁଳନାରେ କମ ରହୁଥିବ।

ଯଦି, ଚେନ୍ନାଇ ଠାରୁ କିଙ୍ଗସ୍ ଏକାଦଶ ପରାସ୍ତ ହୁଏ, ତେବେ ସେମାନେ ଟୁର୍ଣ୍ଣାମେଣ୍ଟରୁ ବିଦା ନେବେ।

ରାଜସ୍ଥାନ ରୟାଲ୍ସ:

ଶେଷ ଦୁଇଟି ମ୍ୟାଚ୍ ଜିତି ଷ୍ଟିଭ୍ ସ୍ମିଥ୍ ନେତୃତ୍ୱାଧୀନ ଦଳ ଟୁର୍ନାମେଣ୍ଟରେ ଆଗୁଆ ରହିବାରେ ସଫଳ ହୋଇଛି। ସିଧାସଳଖ ଯୋଗ୍ୟତା ହାସଲ କରିବାକୁ, ସେମାନେ କୋଲକୋତାକୁ ପରାସ୍ତ କରିବା ଆବଶ୍ୟକ କରନ୍ତି ଏବଂ କିଙ୍ଗସ୍ ଏକାଦଶକୁ ଚେନ୍ନାଇ ହରାଇବ ଏବଂ ହାଇଦ୍ରାବାଦକୁ ମୁମ୍ବାଇ ପରାସ୍ତ କରିବା ଜରୁରୀ ହୋଇପଡିଛି। ଯଦି ସେମାନେ କେକେଆର ବିପକ୍ଷରେ ହାରିଯାଆନ୍ତି, ତେବେ ସେମାନେ ପ୍ରତିଯୋଗିତାରୁ ବାଦ୍ ପଡ଼ିବେ।

କୋଲକାତା ନାଇଟ୍ ରାଇଡର୍ସ:

୧୩ ଟି ମ୍ୟାଚରୁ ୧୨ ପଏଣ୍ଟ ସହିତ କୋଲକାତା ବର୍ତ୍ତମାନ ସପ୍ତମ ସ୍ଥାନରେ ରହିଛି। ଇଏନ୍ ମୋର୍ଗାନ୍ ନେତୃତ୍ୱାଧୀନ ଦଳ ପାଇଁ ପରବର୍ତ୍ତୀ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବା ପାଇଁ କଷ୍ଟ ହୋଇପାରେ। ସେମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବା ପାଇଁ ତିନୋଟି ବିକଳ୍ପ ରହିଛି ।

୧- ରାଜସ୍ଥାନକୁ ହରାଇବା ନିତ୍ୟାନ୍ତ ଜରୁରୀ

୨- ଚେନ୍ନାଇ ଠାରୁ ପଞ୍ଜାବ ହାରିବା ଆବଶ୍ୟକ

୩- ମୁମ୍ବାଇ ଠାରୁ ହାଇଦ୍ରାବାଦ ହାରିବା ଜରୁରୀ

ଯାହାଫଳରେ କୋଲକୋତା ୧୪ ପଏଣ୍ଟ ହାସଲ କରି ହାଇଦ୍ରାବାଦ, ରାଜସ୍ଥାନ, ପଞ୍ଜାବ (୧୨ ପଏଣ୍ଟ) ଠାରୁ ଅଧିକ ପଏଣ୍ଟ ହାରରେ ପ୍ଲେ ଅଫ କୁ ଉନ୍ନୀତ ହୋଇପାରିବ। ଯଦି ସେମାନେ ରାଜସ୍ଥାନ ଠାରୁ ପରାଜିତ ହୁଅନ୍ତି, ତେବେ ତାଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାହାର ହେବାକୁ ପଡିବ।

Categories
ଆଜିର ଖବର ଜାତୀୟ ଖବର

ବର୍ଷା ବିତ୍ପାତ : ହାଇଦ୍ରାବାଦ-ତେଲେଙ୍ଗାନାରେ 30 ମୃତ, ମୁମ୍ବାଇ-ପୁଣରେ ବି ପ୍ରବଳ ବର୍ଷା

ମୁମ୍ବାଇ :  ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ସ୍ଥଳଭାଗ ଛୁଇଁବା ପରେ ଓଡ଼ିଶା ସମେତ କେତେକ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି । ତେଲେଙ୍ଗାନାରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷାରେ 30 ଲୋକଙ୍କର ମୃତ୍ୟୁ ଘଟିଲାଣି। ଏଥିମଧ୍ୟରୁ କେବଳ 15 ଜଣ କେବଳ ହାଇଦ୍ରାବାଦର। ସହରର ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିରହିଥିବା ବେଳେ ସାରା ରାତି ବର୍ଷା ହେବାରୁ ଏକ ପାଚେରୀ ଭାଙ୍ଗି ପଡ଼ିଥିଲା। ଏହି ପାଚେରୀ ନିକଟରେ ଥିବା ୧୦ଟି ଘର ଉପରେ ଅଜାଡି ପଡ଼ିବାରୁ 9 ଜଣଙ୍କର ମୃତ୍ୟୁ ହୋଇଛି। ବର୍ଷା ଯୋଗୁ ରାଜଧାନୀ ହାଇଦ୍ରାବାଦ୍‌ ସ୍ଥିତି ବେହାଲ ହୋଇଯାଇଛି। ମିଳିଥିବା ଖବର ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁ ବିଦ୍ୟୁତ ଖୁଣ୍ଟ ସବୁ ଉପୁଡି ଯାଇଛି। ଫଳରେ ସହରରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି। ହଜାର ହଜାର ଏକର କ୍ଷେତ ଜଳାର୍ଣ୍ଣବ ହୋଇଯାଇଛି। ଏନଡିଆରଏଫ ଏବଂ ସେନା ସହାୟତାରେ ଉଦ୍ଧାର କାର୍ଯ୍ୟ ଚାଲିଛି।

ଅପରପକ୍ଷରେ ବର୍ଷା ଯୋଗୁଁ ମାୟାନଗରୀର ଅବସ୍ଥା ମଧ୍ୟ ସଙ୍ଗୀନ ରହିଛି । ମହାରାଷ୍ଟ୍ରର ମୁମ୍ବାଇ ଓ ଥାଣେ ସମେତ ବହୁ ଅଞ୍ଚଳରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବର୍ଷା ଜାରି ରହିଥିବାରୁ ତଳିଆ ଅଞ୍ଚଳରେ ପାଣି ଭରି ଯାଇଛି । ଅନ୍ଧେରୀ, ହିନ୍ଦମାତା, ଜାଗେଶ୍ବରୀ, କିଙ୍ଗ ସର୍କଲ୍‌, କୁର୍ଲା, ମରୋଲ୍‌, ଗୋରେଗାଓଁ, ଘାଟକୋପର, ଚୈମ୍ବୁର ସମେତ ବହୁ ଅଂଶରେ ପ୍ରବଳ ବର୍ଷା ହୋଇଛି । ପାଣିପାଗ ବିଭାଗ ମୁମ୍ବାଇ ପାଇଁ ରେଡ୍‌ଆଲର୍ଟ ଜାରି କରିଛି । (ଏଜେନ୍ସି)

Categories
ବିଶେଷ ଖବର

ଭିଡତନ୍ତ୍ର ଆଡକୁ ଅଗ୍ରସର ହେଉଥିବା ଗଣତନ୍ତ୍ର ଆଖିରେ ଏନକାଉଣ୍ଟର ବନାମ ଦୁଷ୍କର୍ମ

ସମୀକ୍ଷା ବ୍ୟୁରୋ

ସାରାଦେଶରେ ଏବେ ଗଣଦୁଷ୍କର୍ମ ଓ ଏନକାଉଣ୍ଟରକୁ ନେଇ ଚର୍ଚ୍ଚା। ହାଇଦ୍ରାବାଦର ଗଣଦୁଷ୍କର୍ମ ଓ ଏହାର ପରବର୍ତ୍ତୀ ଏନକାଉଣ୍ଟରକୁ ନେଇ ଚର୍ଚ୍ଚା  ଥମି ନଥିବାବେଳେ ଉନ୍ନାଓ  ମୃତ୍ୟୁ। ପୁଣି ଦୁଷ୍କର୍ମ ଅଭିଯୋଗ ଫେରାଇ ନ ଆଣିବା ପାଇଁ ଏସିଡ୍‌ ମାଡ଼ର ଘଟଣା ସାମ୍ନାକୁ ଆସିଛି। ଦେଶରେ ନାରୀ ଜାତି ଉପରେ ଚାଲିଥିବା ନିର୍ଯାତନା ଓ ଅତ୍ୟାଚାର ଥମିବାର ନାଁ ଧରୁନାହିଁ। ଗୋଟିଏ ଘଟଣା ଉପରୁ ପରଦା ନ ଉଠୁଥିବାବେଳେ ଅନ୍ୟ ଗୋଟେ ଘଟଣା ଘଟିଯାଉଛି। ପ୍ରତି କୋଡିଏ ମିନିଟ୍‌ରେ ଜଣେ ଦୁଷ୍କର୍ମର ଶିକାର ହେଉଛନ୍ତି।

ସମ୍ପ୍ରତି ଦେଶରେ ଚାଲିଥିବା ଦୁଷ୍କର୍ମ ଓ ଏନକାଉଣ୍ଟରକୁ ନେଇ ସାରା ଦେଶ ଏବେ ଦୁଇ ଭାଗରେ ବିଭାଜିତ ହୋଇଯାଇଛି। ହାଇଦ୍ରାବାଦ ଗଣ ଦୁଷ୍କର୍ମ ଘଟଣାର ଏନକାଉଣ୍ଟର ପରେ ଏହାକୁ ନେଇ ଦେଶରେ ଗୋଟେ ଅଲଗା ପ୍ରକାର ବାତାବରଣ ଦେଖିବାକୁ ମିଳିଛି। ତେଲେଙ୍ଗାନା ପୋଲିସ୍‌ର ଏପରି କାର୍ଯ୍ୟକୁ ପ୍ରଚୁର ଜନସମର୍ଥନ ମିଳୁଥିବାବେଳେ ବୁଦ୍ଧିଜୀବୀ, ସମାଜକର୍ମୀ ତଥା ନ୍ୟାୟମୂର୍ତ୍ତିମାନେ ଏହାର ବିରୋଧ କରିଛନ୍ତି।

ହାଇଦ୍ରାବାଦ ଦୁଷ୍କର୍ମ ପୀଡ଼ିତାଙ୍କୁ ସାହାଯ୍ୟ ନାମରେ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବାବେଳେ ଉତ୍ତରପ୍ରଦେଶର ଉନ୍ନାଓରେ ଦୁଷ୍କର୍ମ ଅଭିଯୋଗ ଆଣି ନ୍ୟାୟ ଅପେକ୍ଷାରେ ଥିବା ପୀଡ଼ିତାଙ୍କୁ ଅଭିଯୁକ୍ତମାନେ ଜୀଅନ୍ତା ଜାଳିଦେଇଥିଲେ। ୯୦% ପୋଡ଼ିଯାଇଥିବା ଏହି ପୀଡ଼ିତା ଜୀବନ ସହ ୪୦ ଘଣ୍ଟାର ଯୁଦ୍ଧ କରି ଶୁକ୍ରବାର ରାତ୍ର ୧୧.୪୦ ସମୟରେ ପ୍ରାଣ ହରାଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ପୀଡ଼ିତା ଜଣକ ବୟାନ ରେକର୍ଡ ପାଇଁ କୋର୍ଟ ଯିବା ରାସ୍ତାରେ ହିଁ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଏହି ପ୍ରସଙ୍ଗରେ ବିଳମ୍ବିତ ନ୍ୟାୟକୁ କିଛି ଲୋକ ଦାୟୀ କରୁଥିବାବେଳେ ହାଇଦ୍ରାବାଦ ଏନ୍‌କାଉଣ୍ଟର ପରି ଏହି ପ୍ରସଙ୍ଗରେ ଅଭିଯୁକ୍ତଙ୍କ ପ୍ରତି ସେପରି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
ଦୁଷ୍କର୍ମ ଘଟଣାରେ କଠୋର ଦଣ୍ଡ ଆଇନ୍‌ ଓ ତ୍ବରିତ ନ୍ୟାୟ ପ୍ରକ୍ରିୟାକୁ ନେଇ ସାଧାରଣରେ ଦାବି ଉଠୁଛି। ଅପରାଧର ମୂଳୋତ୍ପାଟନ କରିବାକୁ ହେଲେ ଆଜିର ସମୟରେ ଭୟ ହିଁ ଏକମାତ୍ର ମାଧ୍ୟମ। ଆମର ନ୍ୟାୟ ବ୍ୟବସ୍ଥାର ଶିଥୀଳତା ଯୋଗୁଁ ଲୋକେ ଆରାମରେ ଅପରାଧ କରି ଖସି ଯାଉଛନ୍ତି। ଅନ୍ୟ ରାଷ୍ଟ୍ର ପରି ଯଦି ଦୁଷ୍କର୍ମକୁ ନେଇ କଠୋର ଦଣ୍ଡବ୍ୟବସ୍ଥା କରାଯା’ନ୍ତା, ତେବେ ଏହାକୁ କିଛିକାଂଶରେ ବନ୍ଦ କରାଯାଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

ହାଇଦ୍ରାବାଦ ଏନକାଉଣ୍ଟର ପରେ ଏହାକୁ ନେଇ ସୁପ୍ରିମ୍‌କୋର୍ଟରେ ଯାଚିକା ଦାଏର କରାଯାଇଛି। ଏହି ଏନ୍‌କାଉଣ୍ଟରକୁ ନେଇ ରହିଥିବା ଅନେକ ପ୍ରଶ୍ନର ଉତ୍ତର ଖୋଜାଯାଉଛି। ଜାତୀୟ ମାନବାଧିକାର କମିଶନ ଏହାର ସମୀକ୍ଷା କରୁଥିବାବେଳେ ଗତକାଲି ଏହି ଏନ୍‌କାଉଣ୍ଟରକୁ ନେଇ ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଶରଦ ଅରବିନ୍ଦ ବୋବ୍‌ଡେମତ ଦେଇ କହିଛନ୍ତି ଯେ, ପ୍ରତିଶୋଧପୂର୍ଣ୍ଣ ନ୍ୟାୟ କେବେ ବି ନ୍ୟାୟ ପଦବାଚ୍ୟ ନୁହେଁ।

ପ୍ରତିଶୋଧ କେବେ ନ୍ୟାୟ ହୋଇପାରିବନି ଏହା ସତ୍ୟ, ତେବେ ନ୍ୟାୟ ପାଇଁ ପୀଡ଼ିତାଙ୍କୁ ଆଉ କେତେ କଷ୍ଟ କରିବାକୁ ପଡ଼ିବ। ୨୦୧୨ରେ ଘଟିଥିବା ନିର୍ଭୟା ଆଜି ବି ନ୍ୟାୟ ପାଇଁ ପଡ଼ି ରହିଛି। ଦୁଷ୍କର୍ମ ପୀଡ଼ିତା ପାଇଁ ଫାଷ୍ଟ ଟ୍ରାକ୍‌ କୋର୍ଟର ସୁବିଧା ରହିଥିଲେ ବି ଦଣ୍ଡ ବ୍ୟବସ୍ଥାରେ ଏତେ ଶିଥିଳତା କାହିଁକି ?

ଗଣତନ୍ତ୍ରକୁ ଭିଡତନ୍ତ୍ର କବଳରୁ ମୁକ୍ତ କରିବାକୁ ହେଲେ ତ୍ବରିତ ନ୍ୟାୟ ଓ ନ୍ୟାୟପାଳିକାର ସଂସ୍କାର ଆଜିର ସମୟରେ ବଡ଼ ଆବଶ୍ୟକତା ପାଲଟିଛି।

Categories
ଆଜିର ଖବର

ହାଇଦ୍ରାବାଦ ଆତଙ୍କବାଦୀଙ୍କ ପାଇଁ ଭୂସ୍ବର୍ଗ : ବନ୍ଦାରୁ ଦତ୍ତାତ୍ରେୟ

ହାଇଦ୍ରାବାଦକୁ ଆତଙ୍କବାଦୀଙ୍କ ଭୂସ୍ବର୍ଗ କହିଛନ୍ତି ବିଜେପି ନେତା ତଥା ସିକନ୍ଦରାବାଦରୁ ବିଜେପି ସାଂସଦ ରହିଥିବା ବନ୍ଦାରୁ ଦତ୍ତାତ୍ରେୟ। ନିକଟରେ ଆଇଏସ୍‌ ଲିଙ୍କ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ପକ୍ଷରୁ ୪ ଯୁବକଙ୍କୁ ଗିରଫ କରାଯାଇଥିଲା। ସର୍ବଦା ଆଇଏସ୍‌ ଲିଙ୍କରେ ଦେଶର ଏକ ନମ୍ବର ସ୍ଥାନ ରହିବା ନେଇ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ସମାଲୋଚନା କରିଛନ୍ତି ଦତ୍ତାତ୍ରେୟ। ଦତ୍ତାତ୍ରେୟ କହିଛନ୍ତି, କେସିଆର ଅସଦ୍ଦୁଦ୍ଦିନ୍‌ ଓଓ୍ବେସୀଙ୍କ ସହିତ ଭିତିରି ବୁଝାମଣା କରିଛନ୍ତି, ଫଳରେ ପୋଲିସ୍‌ ଏମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହାନ୍ତି। ପୋଲିସ୍‌ର ନିଷ୍କ୍ରିୟତା ପାଇଁ ଦେଶର ଅଧିକ ଆଇଏସ୍‌ ଆତଙ୍କୀଙ୍କ ଲିଙ୍କ ହାଇଦ୍ରାବାଦରୁ ମିଳୁଛି। ପୋଲିସ୍‌କୁ ସଶକ୍ତ କରିବା ପାଇଁ ଅନ୍ୟ ଏକ ଆତଙ୍କ ନିରୋଧୀ ସେଲ୍‌ର ନିର୍ମାଣ ପାଇଁ କହିଛନ୍ତି ଏହି ସିକନ୍ଦରାବାଦ ସାଂସଦ। ନିକଟରେ ମୋଦି ମଧ୍ୟ କେସିଆରଙ୍କୁ ସମାଲୋଚନା କରି କହିଥିଲେ, କେସିଆର ହେଉଛନ୍ତି କାର୍‌ର ଡ୍ରାଇଭର୍‌ ମାତ୍ର କାର୍‌ର ଷ୍ଟିଅରିଂ ଓଓ୍ବେସୀଙ୍କ ହାତରେ ରହିଛି। ସୂଚନାଯୋଗ୍ୟ ଯେ, ଚଳିତ ଲୋକସଭା ନିର୍ବାଚନ ପାଇଁ ଟିଆରଏସ୍‌ ଏବଂ ଏଆଇଏମ୍‌ଆଇଏମ୍‌ ଏକତ୍ର ୧୭ଟି ଆସନରେ ନିର୍ବାଚନ ଲଢିଛନ୍ତି।

Categories
ଆଜିର ଖବର

ହାଇଦ୍ରାବାଦରେ ୯୦ଲକ୍ଷ ଟଙ୍କା ଜବତ, ହାୱାଲା ରାକେଟ ଠାବ

ହାଇଦ୍ରାବାଦରେ ପୋଲିସ ୯୦.୫ଲକ୍ଷ ନଗଦ ଟଙ୍କା ଜବତ କରିବା ସହ ଏକ ହାୱାଲା ରାକେଟ ଠାବ କରିଛି। ଲୋକସଭା ନିର୍ବାଚନ ପୂର୍ବରୁ ଏହି ବେନାମୀ ଟଙ୍କା ଜବତ କରାଯାଇଛି। ଅର୍ଥାତ ଜବତ ଟଙ୍କାର କେହି ଦାବିଦାର ନାହାନ୍ତି। ଗତ ଡିସେମ୍ବର ମାସରେ ବିଧାନସଭା ନିର୍ବାଚନ ବେଳେ ପୋଲିସ ୨୯ କୋଟି ଟଙ୍କା ଜବତ କରିଥିଲା। ୯କୋଟି ଟଙ୍କାର ସୁନା ଗହଣା ମଧ୍ୟ ଜବତ ହୋଇଥିଲା। ଗତ ନିର୍ବାଚନ ବେଳେ ତେଲେଙ୍ଗାନାରେ  ୧୩୭କୋଟି ଟଙ୍କା ଓ ବିଭିନ୍ନ ସାମଗ୍ରୀ ଜବତ ହୋଇଥିଲା। ବେଆଇନ  ଟଙ୍କା ଚାଲାଣ ଉପରେ ନଜର ରଖିବା ଲାଗି  ୪୫ଟି ସ୍କ୍ବାଡ ଗଠନ କରାଯାଇଛି ବୋଲି ଜଣେ  ଆଇପିଏସ ଅଧିକାରୀ କହିଛନ୍ତି।