Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରୀୟ କୃଷିରତ ମହିଳା ପ୍ରତିଷ୍ଠାନ ପରିଦର୍ଶନ କଲେ ମେଘାଳୟ ଗଣମାଧ୍ୟମ ପ୍ରତିନିଧି

ଭୁବନେଶ୍ଵର: ଚାରିଦିନିଆ ଓଡ଼ିଶା ଗସ୍ତରେ ଥିବା ୧୦ ଜଣିଆ ମେଘାଳୟ ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଭୁବନେଶ୍ୱରସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର)-କେନ୍ଦ୍ରୀୟ କୃଷିରତ ମହିଳା ପ୍ରତିଷ୍ଠାନ (ସିଆଇଡବ୍ଲୁଏ)ପରିଦର୍ଶନ କରିଛନ୍ତି। ସେମାନେ ସିଆଇଡବ୍ଲୁଏ ପରିସରରେ ବୈଜ୍ଞାନିକମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମତବିନିମୟ କରିଛନ୍ତି। ବିଶେଷ କରି କୃଷି କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ନେଇ ସିଆଇଡବ୍ଲୁଏ ପରିସରରେ ଜାରି ରହିଥିବା ଗବେଷଣା ଓ ଅନୁସନ୍ଧାନ ସମ୍ପର୍କରେ ମେଘାଳୟର ସାମ୍ବାଦିକମାନଙ୍କୁ ସୂଚନା ଦିଆଯାଇଥିଲା। ବୈଜ୍ଞାନିକମାନେ ସୂଚନା ଦେଇଥିଲେ ଯେ, କୃଷି କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବଢ଼ାଇବା, ଲିଙ୍ଗଗତ ତାରତମ୍ୟ ଦୂର କରିବା ଏବଂ ମହିଳା ଚାଷୀଙ୍କ ସଶକ୍ତିକରଣ ଉଦ୍ଦେଶ୍ୟରେ ବିଶ୍ୱର ଏକମାତ୍ର ଗବେଷଣା ପ୍ରତିଷ୍ଠାନ ଭାବେ ସିଆଇଡବ୍ଲୁଏ କାର୍ଯ୍ୟ କରୁଛି। ଏହି ଅବସରରେ ପ୍ରତିଷ୍ଠାନରେ ଉପସ୍ଥିତ ଥିବା ବିଭିନ୍ନ ମହିଳା କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ପ୍ରତିନିଧି, ମହିଳା ଚାଷୀ, ଅଂଶୀଦାରମାନଙ୍କ ସହିତ ମେଘାଳୟ ସାମ୍ବାଦିକମାନେ ମତବିନିମୟ କରିଥିଲେ। ସେମାନେ ମହିଳା ଏଫପିଓଗୁଡ଼ିକର କାର୍ଯ୍ୟଧାରା ଓ ଉପଲବ୍ଧି ସମ୍ପର୍କରେ ଅବଗତ ହୋଇଥିଲେ।

ଅନ୍ୟପକ୍ଷରେ ମେଘାଳୟ ଗଣମାଧ୍ୟମ ପ୍ରତିନିଧିମାନେ କଟକ ଜୋବ୍ରାସ୍ଥିତ ଓଡ଼ିଶା ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟ ବୁଲି ଦେଖିଥିଲେ। ସେଠାରେ ସଂଗୃହିତ ବିଭିନ୍ନ କଳାକୃତି ଦେଖିବା ସହିତ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓ ଇତିହାସ ସମ୍ପର୍କରେ ଅବଗତ ହୋଇଥିଲେ । ସେମାନଙ୍କୁ ସଂଗ୍ରହାଳୟ ଏବଂ ଐତିହାସିକ କଟକ ସହରର ଗୁରୁତ୍ୱ ବିଷୟରେ ସୂଚନା ଦିଆଯାଇଥିଲା । ସେମାନେ ନେତାଜୀ ସୁଭାଷ ବୋଷଙ୍କ ଜନ୍ମସ୍ଥାନ ମଧ୍ୟ ପରିଦର୍ଶନ କରିଥିଲେ ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା, ଅନୁଷ୍ଠାନ, ପ୍ରକଳ୍ପ ଓ ପଦକ୍ଷେପ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ପତ୍ର ସୂଚନା କାର୍ଯ୍ୟାଳୟ, ଶିଲଂ ଓ ପତ୍ର ସୂଚନା କାର୍ଯ୍ୟାଳୟ, ଭୁବନେଶ୍ୱର ସହଯୋଗରେ ଏହି ଗଣମାଧ୍ୟମ ପ୍ରତିନିଧିଙ୍କ ଗସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଭାରତରେ ଦୁଗ୍ଧ ଓ ଅଣ୍ଡା ଉତ୍ପାଦନ ୬ % ବୃଦ୍ଧି ପାଇଛି: ଆଇସିଏଆର୍‌ ମହା ନିର୍ଦ୍ଦେଶକ

ଭୁବନେଶ୍ୱର: ଅର୍ଥନୀତି ଉପରେ କୋଭିଡ-୧୯ ମହାମାରୀର ଗଭୀର ପ୍ରଭାବ ପଡିବା ସତ୍ୱେ
ଭାରତରେ ଦୁଗ୍ଧ ଏବଂ ଅଣ୍ଡାର ଉତ୍ପାଦନ ୬% ବୃଦ୍ଧି ପାଇଛି ବୋଲି କହିଛନ୍ତି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର୍‌)ର ମହା ନିର୍ଦ୍ଦେଶକ ଓ କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ଡ. ତ୍ରିଲୋଚନ ମହାପାତ୍ର।

ଏହି ମହାମାରୀ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଥିବା କୃଷକମାନଙ୍କ କାର୍ଯ୍ୟକୁ ବନ୍ଦ କରିପାରି ନାହିଁ କିମ୍ବା ସେମାନଙ୍କର କୃଷି ଉତ୍ପାଦନ କାର୍ଯ୍ୟରେ କୌଣସି ପ୍ରଭାବ ପକାଇ଼ ପାରି ନାହିଁ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରୋ କଲ୍‌ଚରାଲ୍ ସାଇନ୍‌ସେସ୍ ପକ୍ଷରୁ ଆୟୋଜିତ ୩ ଦିନିଆ ଇଜାତୀୟ ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଡ. ମହାପାତ୍ର ଏହି ସୂଚନା ଦେଇଛନ୍ତି।

କୃଷି କ୍ଷେତ୍ରରେ ବିଭିଧତା ଏକ ସଫଳ କୃଷି ଅର୍ଥନୀତିର ମାନଦଣ୍ଡ ବୋଲି କହିବା ସହ କୃଷି କ୍ଷେତ୍ରରେ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ନୂତନ ବୈଜ୍ଞାନିକ ଜ୍ଞାନ କୌଶଳର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ପ୍ରମୁଖ ପରାମର୍ଶଦାତା ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ପୂର୍ବତନ କୁଳପତି ପ୍ରଫେସର ଡି.ପି. ରାୟ, ସୋଆର କୁଳପତି
ପ୍ରଫେସର ଅଶୋକ କୁମାର ମହାପାତ୍ର, ଆଇଏଏସ୍‌ର ଡିନ୍ (ପିଜି) ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ଡିନ୍‌ ପ୍ରଫେସର ବିଜୟ କୁମାର ସାହୁ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ପ୍ରଫେସର ବିବୁଧ ପରାସର।