Categories
ଆଜିର ଖବର ଖେଳ ଜାତୀୟ ଖବର

କ୍ରମାଗତ ଦୁଇଟି ଦ୍ୱିଶତକରୁ ବିପୁଳ ଲାଭ ପାଇଲେ ଯଶସ୍ଵୀ: ଟେଷ୍ଟ ର଼୍ୟାଙ୍କିଙ୍ଗରେ ବଡ଼ ଲମ୍ଫ, ଟପ୍- ୫ ରେ ୩ ​​ଭାରତୀୟ

ନୂଆଦିଲ୍ଲୀ: ଟେଷ୍ଟ ର଼୍ୟାଙ୍କିଙ୍ଗରେ ଯଶସ୍ୱୀ ଜୟସ୍ଵାଲ ଏକ ବଡ଼ ଲମ୍ଫ ଦେଇଛନ୍ତି। ଇଂଲଣ୍ଡ ବିପକ୍ଷରେ ଲଗାତାର ଦୁଇଟି ଶତକ ହାସଲ କରିଥିବା ଜୟସ୍ଵାଲ ର଼୍ୟାଙ୍କିଙ୍ଗରେ ୧୪ ସ୍ଥାନ ଉପରକୁ ଉଠିଛନ୍ତି, ଯେଉଁଥିରେ ସେ ୧୫ ତମ ଟେଷ୍ଟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହା ସହିତ ତିନି ଜଣ ଭାରତୀୟ ଖେଳାଳି ODI ର଼୍ୟାଙ୍କିଙ୍ଗରେ ଟପ୍ -୫ ରେ ପ୍ରବେଶ କରିଛନ୍ତି। ଯେଉଁଥିରେ ଶୁଭମାନ ଗିଲ, ବିରାଟ କୋହଲି ଏବଂ ରୋହିତ ଶର୍ମା ଅଛନ୍ତି।

ଉଭୟ ଟେଷ୍ଟ ଏବଂ ଏକଦିବସୀୟ ମାନ୍ୟତାରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଉପକୃତ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜର ଦ୍ୱିତୀୟ ଏବଂ ତୃତୀୟ ମ୍ୟାଚରେ ଜୟସ୍ଵାଲ ଦ୍ୱିଶତକ ହାସଲ କରିଥିଲେ। ବିଶାଖାପାଟନମରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଜୟସ୍ୱାଲ ଭାରତର ପ୍ରଥମ ଇନିଂସରେ ବ୍ୟାଟିଂ କରୁଥିବାବେଳେ ୨୦୯ ରନ୍ ସଂଗ୍ରହ କରିଥିଲେ। ଏହା ପରେ ରାଜକୋଟରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ସେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିବାବେଳେ ୨୧୪ * ରନ୍ ସ୍କୋର କରିଥିଲେ। ଏହା ବ୍ୟତୀତ ଜୟସ୍ଵାଲ ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ୮୦ ରନ୍ ର ଇନିଂସ ଖେଳିଥିଲେ।

ଟେଷ୍ଟ ର଼୍ୟାଙ୍କିଙ୍ଗରେ ଟପ୍ -୫ ବିଷୟରେ କହିବାକୁ ଗଲେ ନ୍ୟୁଜିଲ୍ୟାଣ୍ଡର କେନ୍ ୱିଲିୟମ୍ସନ୍ ୮୯୩ ରେଟିଂ ସହ ଶୀର୍ଷ ସ୍ଥାନରେ ଅଛନ୍ତି। ଏହା ବ୍ୟତୀତ ଷ୍ଟିଭ ସ୍ମିଥ ୮୧୮ ରେଟିଂ ସହିତ ଦ୍ୱିତୀୟ, ଡାରିଲ ମିଚେଲ ୭୮୦ ରେଟିଂ ସହିତ ତୃତୀୟ, ବାବର ଆଜାମ ୭୬୮ ରେଟିଂ ସହିତ ଚତୁର୍ଥ ଏବଂ ଇଂଲଣ୍ଡର ଜୋ ରୁଟ୍ ୭୬୬ ରେଟିଂ ସହିତ ପଞ୍ଚମ ସ୍ଥାନରେ ଅଛନ୍ତି।

ODI ର଼୍ୟାଙ୍କିଙ୍ଗରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ମାନେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି:

ODI ର଼୍ୟାଙ୍କିଙ୍ଗରେ ୮୦୧ ରେଟିଂ ସହ ଭାରତୀୟ ଓପନର୍ ଶୁଭମାନ ଗିଲ ଦ୍ୱିତୀୟ ସ୍ଥାନରେ, ବିରାଟ କୋହଲି ୭୬୮ ରେଟିଂ ସହ ତୃତୀୟ ସ୍ଥାନରେ ଏବଂ ରୋହିତ ଶର୍ମା ୭୪୬ ରେଟିଂ ସହ ଚତୁର୍ଥ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ନ୍ୟୁଜିଲ୍ୟାଣ୍ଡର ଡାରିଲ ମିଚେଲ ୭୨୮ ରେଟିଂ ସହ ପଞ୍ଚମ ସ୍ଥାନରେ ଅଛନ୍ତି। ODI ର଼୍ୟାଙ୍କିଙ୍ଗରେ ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜମ ପ୍ରଥମ ସ୍ଥାନରେ ଅଛନ୍ତି। ୮୨୪ ରେଟିଂ ସହ ବାବର ODI ରେ ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ରହିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ପାକିସ୍ତାନରେ ଖେଳାଯିବ କି ଆଇସିସି ଚାମ୍ପିଅନ୍ସ ଟ୍ରଫି?, ଉପୁଜିଲା ନୂଆ ସମସ୍ୟା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ପାକିସ୍ତାନରେ ଖେଳାଯିବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ବିପଦରେ ଥିବା ଜଣାପଡିଛି। ଆସନ୍ତା ବର୍ଷ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବାର ଅଧିକାର ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧିକାର ରହିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଆଇସିସି ଚାମ୍ପିଅନ୍ସ ଟ୍ରଫି ଫେବୃଆରୀରୁ ମାର୍ଚ୍ଚ ୨୦୨୫ ମଧ୍ୟରେ ଅନୁଷ୍ଠିତ ହେବ। କିନ୍ତୁ ସମଗ୍ର ବିଶ୍ୱରେ କ୍ରିକେଟ୍ ଲିଗ୍ ଆୟୋଜିତ ହେତୁ ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫି ଆୟୋଜନରେ ଅସୁବିଧା ଉପୁଜିଛି।

କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ଟି -୨୦ ଲିଗ୍ ହେତୁ ଅନେକ ଦେଶର କ୍ରିକେଟ୍ ବୋର୍ଡ ଚାମ୍ପିଅନ୍ସ ଟ୍ରଫିର କାର୍ଯ୍ୟସୂଚୀରେ ଆପତ୍ତି ଉଠାଉଛି। ଚାମ୍ପିଅନ୍ସ ଟ୍ରଫି ଆଇଏଲଟି ଲିଗ୍, ଦକ୍ଷିଣ ଆଫ୍ରିକା ୨୦ ଲିଗ୍ ଏବଂ ବାଂଲାଦେଶ ପ୍ରିମିୟର ଲିଗ୍ ଯୋଗୁଁ ସମସ୍ୟା ରହିବ। ୧୯ ଜାନୁଆରୀରୁ ୧୭ ଫେବୃଆରୀ ମଧ୍ୟରେ ଆଇଏଲଟି ଲିଗ୍ ଖେଳାଯାଉଛି। ଜାନୁଆରୀରୁ ଫେବୃଆରୀ ମଧ୍ୟରେ ଦକ୍ଷିଣ ଆଫ୍ରିକା ଲିଗ୍ ମଧ୍ୟ ଆୟୋଜିତ ହୋଇଛି। ଏହି ସମୟ ମଧ୍ୟରେ ବିପିଏଲ୍ ମଧ୍ୟ ଆୟୋଜନ ହୋଇଛି।

ହୋଷ୍ଟିଂ ପରିବର୍ତ୍ତନ କରାଯାଇପାରିବ?:

କ୍ରିକବଜ୍ ରିପୋର୍ଟରେ ଏକ ଆଇଏଲଟି ଲିଗ୍ ଅଧିକାରୀଙ୍କ ଉଦ୍ଧେଶ୍ୟରେ କୁହାଯାଇଛି ଯେ, ସୀମିତ ୱିଣ୍ଡୋରେ କାମ କରିବାର ଆବଶ୍ୟକତା ରହିଛି। ଆମର ସଂସ୍କରଣ ଏବେବି ଚାଲିଛି। ଆସନ୍ତା ବର୍ଷର ସଂସ୍କରଣର ତାରିଖ ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ। କିନ୍ତୁ ଯଦି ଆଇସିସି ଚାମ୍ପିଅନ୍ସ ଟ୍ରଫିର କାର୍ଯ୍ୟସୂଚୀ ସହିତ କୌଣସି ବିବାଦ ଉପୁଜେ, ତେବେ ଆମକୁ କୌଣସି ପ୍ରକାରେ ଜାନୁଆରୀରେ ସିଜିନ ଶେଷ କରିବାକୁ ପଡିବ।

ତେବେ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ସୁରକ୍ଷା କାରଣରୁ ଚାମ୍ପିଅନ୍ସ ଟ୍ରଫିକୁ ଶେଷ ମୁହୂର୍ତ୍ତରେ ମଧ୍ୟ ପାକିସ୍ତାନରୁ ସ୍ଥାନାନ୍ତର କରାଯାଇପାରେ। ପାକିସ୍ତାନ କ୍ରିକେଟ୍ ବୋର୍ଡ ଏବଂ ଆଇସିସି ମଧ୍ୟରେ ହୋଷ୍ଟିଂ ସମ୍ବନ୍ଧରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। କିନ୍ତୁ ଏହି ଡିଲ୍ ମଧ୍ୟ ପରିବର୍ତ୍ତନ ହୋଇପାରେ। ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ସମ୍ବନ୍ଧୀୟ ଚିତ୍ର ଆସନ୍ତା କିଛି ମାସ ମଧ୍ୟରେ ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ

ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ବଡ ଆଶ୍ଵସ୍ତି, ପ୍ରତିବନ୍ଧକ ହଟାଇଲା ଆଇସିସି

ନୂଆଦିଲ୍ଲୀ: ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଉପରେ ଲାଗୁ ହୋଇଥିବା ନିଲମ୍ବନକୁ ଆଇସିସି ହଟାଇ ଦେଇଛି। ଆଇସିସି ରବିବାର ଏହି ନିଷ୍ପତ୍ତି ନେଇଛି। ତୁରନ୍ତ ପ୍ରଭାବ ସହିତ ଆଇସିସି ଶ୍ରୀଲଙ୍କା କ୍ରିକେଟ୍ ଉପରେ ହୋଇଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି। ସରକାରୀ ହସ୍ତକ୍ଷେପ ଯୋଗୁଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଶ୍ରୀଲଙ୍କା କ୍ରିକେଟ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା।

ନଭେମ୍ବର ୧୦ ତାରିଖ ୨୦୨୩ରେ ଆଇସିସିର ସଦସ୍ୟ ଭାବରେ ଦାୟିତ୍ଵ ଉଲ୍ଲଂଘନ କରିଥିବାରୁ ଶ୍ରୀଲଙ୍କା କ୍ରିକେଟ୍ କୁ ପ୍ରତିବନ୍ଧକ ଲଗାଯାଇଥିଲା। ବର୍ତ୍ତମାନ ଆଇସିସି ବୋର୍ଡ ବୈଠକ ପରେ ନିଷ୍ପତ୍ତି ନିଆଯାଇଛି ଯେ, ଦ୍ୱିପାକ୍ଷିକ ଏବଂ ଆଇସିସି ଇଭେଣ୍ଟରେ ଶ୍ରୀଲଙ୍କା ଖେଳିପାରିବ। କିନ୍ତୁ ବର୍ତ୍ତମାନ ଖେଳାଯାଉଥିବା ଅଣ୍ଡର -୧୯ ବିଶ୍ୱକପ ଦକ୍ଷିଣ ଆଫ୍ରିକାକୁ ସ୍ଥାନାନ୍ତରିତ କରାଯାଇଛି, ଯାହା ପୂର୍ବରୁ ଶ୍ରୀଲଙ୍କାରେ ଖେଳାଯିବାର ଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

ବିରାଟ କୋହଲିଙ୍କ ପରି କେହି ନାହିଁ, ଆଇସିସି ଟାଇଟଲ ଜିତିବାରେ ସବୁଠୁ ଆଗରେ

ନୂଆଦିଲ୍ଲୀ: ଆଇସିସି ଟାଇଟଲ୍ ଜିତିବାରେ ବିରାଟ କୋହଲି ଶୀର୍ଷ ସ୍ଥାନରେ ଅଛନ୍ତି। କୋହଲି ହେଉଛନ୍ତି ଖେଳାଳି ଯିଏକି ଏପର୍ଯ୍ୟନ୍ତ ସର୍ବାଧିକ ବ୍ୟକ୍ତିଗତ ଆଇସିସି ଟାଇଟଲ୍ ଜିତିଛନ୍ତି। କୋହଲିଙ୍କୁ 2023 ପାଇଁ ଆଇସିସି ODI କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଛି। ଏହି ଟାଇଟଲ୍ ସହିତ କୋହଲିଙ୍କ ନାମରେ ମୋଟ 10 ଟି ବ୍ୟକ୍ତିଗତ ଆଇସିସି ପୁରସ୍କାର ରହିଛି।

ଆଇସିସି ଟାଇଟଲ ଜିତିବା ପରିପ୍ରେକ୍ଷୀରେ ଶ୍ରୀଲଙ୍କାର ପୂର୍ବତନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କୁମାର ସାଙ୍ଗାକାରା ଏବଂ ପୂର୍ବତନ ଭାରତୀୟ ଅଧିନାୟକ ଏମ.ଏମ ଧୋନି ମିଳିତ ଭାବେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଉଭୟ ଖେଳାଳି ନିଜ ନିଜ କ୍ୟାରିଅରରେ 4 ଟି ବ୍ୟକ୍ତିଗତ ଆଇସିସି ଟାଇଟଲ୍ ଜିତିଛନ୍ତି। କିନ୍ତୁ କୋହଲି 10 ଟି ବ୍ୟକ୍ତିଗତ ଆଇସିସି ଟାଇଟଲ୍ ଜିତିଛନ୍ତି। ଅର୍ଥାତ୍ ଆଇସିସି ପୁରସ୍କାର ଜିତିବା କ୍ଷେତ୍ରରେ କୌଣସି ଖେଳାଳି କୋହଲିଙ୍କ ନିକଟତର ନୁହଁନ୍ତି।

କୋହଲି ପ୍ରଥମ ଥର ପାଇଁ ନୁହେଁ ବରଂ ଚତୁର୍ଥ ଥର ପାଇଁ ଆଇସିସି ODI କ୍ରିକେଟର ହୋଇଛନ୍ତି। ସେ ପ୍ରଥମେ ଏହି ଟାଇଟଲ୍ ଜିତିଥିଲେ, ଯେତେବେଳେ ତାଙ୍କୁ ମାତ୍ର 24 ବର୍ଷ ହୋଇଥିଲା। ବର୍ତ୍ତମାନ ସେ 35 ବର୍ଷ ବୟସରେ ଚତୁର୍ଥ ଥର ପାଇଁ ଏହି ପୁରସ୍କାର ଜିତିଛନ୍ତି। ଏହି ସମୟରେ, କୋହଲି 2017 ଏବଂ 2018 ରେ ଆଇସିସି ODI କ୍ରିକେଟର ହୋଇଛନ୍ତି।

ଚଳିତ ବର୍ଷର ଆଇସିସି ODI କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ସହିତ କୋହଲି ପ୍ରଥମ କ୍ରିକେଟର ଭାବରେ 10 ଟି ଆଇସିସି ପୁରସ୍କାର ଜିତିଛନ୍ତି। ଏହା ବ୍ୟତୀତ ସେ ପ୍ରଥମ କ୍ରିକେଟର ଭାବରେ ଆଇସିସି ODI କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ଜିତିଛନ୍ତି।

ଏଗୁଡ଼ିକ ହେଉଛି କୋହଲିଙ୍କ ମୋଟ 10 ଆଇସିସି ପୁରସ୍କାର:

କ୍ରିକେଟର ଅଫ ଦ ଡିକେଡ- 2010
ODI କ୍ରିକେଟର ଅଫ ଦ ଡିକେଡ- 2010
ODI କ୍ରିକେଟର ଅଫ ଦ ଡିକେଡ- 2012
ODI କ୍ରିକେଟର ଅଫ ଦ ଡିକେଡ- 2017
କ୍ରିକେଟର ଅଫ ଦ ଇୟର- 2017
କ୍ରିକେଟର ଅଫ ଦ ଇୟର- 2018
ଟେଷ୍ଟ କ୍ରିକେଟ୍ ଅଫ ଦ ଇୟର- 2018
ODI କ୍ରିକେଟର ଅଫ ଦ ଇୟର- 2018
ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର- 2019
ODI କ୍ରିକେଟର ଅଫ ଦ ଇୟର- 2023

ସମସ୍ତ ତିନୋଟି ଫର୍ମାଟରେ କରିଛନ୍ତି କମାଲ:

କ୍ରିକେଟ୍ ଇତିହାସରେ ସେହି ଅଳ୍ପ ଖେଳାଳିଙ୍କ ମଧ୍ୟରୁ ବିରାଟ କୋହଲି ଅନ୍ୟତମ, ଯିଏ ନିଜକୁ ତିନୋଟି ଫର୍ମାଟରେ ଖାପ ଖୁଆଇ ଚମତ୍କାର ପ୍ରଦର୍ଶନ କରିବାର କ୍ଷମତା ରଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ବ୍ୟାଟ୍ସମ୍ୟାନ୍ 113 ଟେଷ୍ଟ, 292 ODI ଏବଂ 117 ଟି -20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।

ଟେଷ୍ଟର 191 ଇନିଂସରେ ସେ 29 ଶତକ ଏବଂ 30 ଟି ଅର୍ଦ୍ଧଶତକ ସହାୟତାରେ 8848 ରନ୍ ସ୍କୋର କରିଛନ୍ତି, ଯେଉଁଥିରେ ତାଙ୍କର ଉଚ୍ଚ ସ୍କୋର 254 * ରନ୍ ରହିଛି।

ଏହା ବ୍ୟତୀତ ODI ର 280 ଇନିଂସରେ ବ୍ୟାଟିଂ କରୁଥିବାବେଳେ କୋହଲି ହାରାହାରି 58.67 ରେ 13848 ରନ୍ ସଂଗ୍ରହ କରିଛନ୍ତି। ଏହି ଅବଧି ମଧ୍ୟରେ ସେ 50 ଶତକ ଏବଂ 72 ଅର୍ଦ୍ଧଶତକ ହାସଲ କରିଛନ୍ତି। କୋହଲି ହେଉଛନ୍ତି ସେହି ଖେଳାଳି ଯିଏ ODI କ୍ରିକେଟରେ ସର୍ବାଧିକ ଶତକ ହାସଲ କରିଛନ୍ତି।

ଟି -20 ଇଣ୍ଟରନ୍ୟାସନାଲ୍ ର 109 ଇନିଂସରେ କୋହଲିଙ୍କ ବ୍ୟାଟରୁ 4037 ରନ୍ ସ୍କୋର କରାଯାଇଛି। ଏହି ଅବଧିରେ ସେ ହାରାହାରି 51.75 ଏବଂ ଷ୍ଟ୍ରାଇକ୍ ରେଟ୍ 138.15 ରେ ବ୍ୟାଟିଂ କରିଛନ୍ତି। କୋହଲି ଟି -20 ଇଣ୍ଟରନ୍ୟାସନାଲରେ 1 ଶତକ ଏବଂ 37 ଅର୍ଦ୍ଧଶତକ ସ୍କୋର କରିଛନ୍ତି। ଏହି ଫର୍ମାଟରେ କୋହଲି ସର୍ବାଧିକ ରନ୍ ସ୍କୋରର।

Categories
ଆଜିର ଖବର ଖେଳ ଜାତୀୟ ଖବର

୨୦୨୩ ର ଶ୍ରେଷ୍ଠ ଟେଷ୍ଟ ଦଳ ଘୋଷଣା କଲା ଆଇସିସି, ଜାଣନ୍ତୁ କେଉଁ ଫର୍ମାଟରେ କେତେଜଣ ଭାରତୀୟ ସାମିଲ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ୨୦୨୩ ବର୍ଷର ସର୍ବୋତ୍ତମ ଟେଷ୍ଟ ଦଳ ଘୋଷଣା କରିଛି। ଏହି ଦଳରେ ଭାରତର ଦୁଇ ଖେଳାଳି ସ୍ଥାନ ପାଇଛନ୍ତି। ଆଇସିସି ଦ୍ୱାରା ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସଙ୍କୁ ୨୦୨୩ର ଶ୍ରେଷ୍ଠ ଟେଷ୍ଟ ଦଳର ଅଧିନାୟକ କରାଯାଇଛି। ଟି -୨୦ ଭଳି ପାକିସ୍ତାନର କୌଣସି ଖେଳାଳି ମଧ୍ୟ ଟେଷ୍ଟ ଦଳରେ ସ୍ଥାନ ପାଇନାହାଁନ୍ତି।

୨୦୨୩ ବର୍ଷର ଆଇସିସିର ଶ୍ରେଷ୍ଠ ଟେଷ୍ଟ ଦଳରେ ଅଷ୍ଟ୍ରେଲିଆର ପାଞ୍ଚଜଣ ଖେଳାଳି, ଭାରତରୁ ଦୁଇଜଣ, ଇଂଲଣ୍ଡରୁ ଦୁଇଜଣ, ଶ୍ରୀଲଙ୍କାରୁ ଜଣେ ଏବଂ ନ୍ୟୁଜିଲ୍ୟାଣ୍ଡର ଜଣେ ଖେଳାଳି ଅଛନ୍ତି। ଆଇସିସି ୨୦୨୩ର ଶ୍ରେଷ୍ଠ ଟେଷ୍ଟ ଦଳରେ ଭାରତର ରବିନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଅନ୍ତର୍ଭୁକ୍ତ କରିଛି। ଅଷ୍ଟ୍ରେଲିଆର ଓପନର୍ ଉସମାନ ଖ୍ୱାଜା, ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଟ୍ରାଭିସ୍ ହେଡ୍, ୱିକେଟ୍ କିପର ଆଲେକ୍ସ କେରି, ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଏବଂ ମିଚେଲ ଷ୍ଟାର୍କ ସ୍ଥାନ ପାଇଛନ୍ତି।

୨୦୨୩ ବର୍ଷର ଶ୍ରେଷ୍ଠ ଟେଷ୍ଟ ଦଳରେ ଶ୍ରୀଲଙ୍କାର ଦିମୁଥ କରୁଣାରତ୍ନେ, ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ ୱିଲିୟମସନ, ଇଂଲଣ୍ଡର ଜୋ ରୁଟ ଏବଂ ଷ୍ଟୁଆର୍ଟ ବ୍ରଡ ମଧ୍ୟ ସାମିଲ ହୋଇଛନ୍ତି। ତେବେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଜିତିଥିବା ଅଷ୍ଟ୍ରେଲୀୟ ଦଳର ପାଞ୍ଚଜଣ ସଦସ୍ୟ ଏହି ଦଳରେ ଅନ୍ତର୍ଭୁକ୍ତ।

ପ୍ରକାଶ ଯେ ପ୍ରତିବର୍ଷ ଆଇସିସି ସମସ୍ତ ତିନୋଟି ଫର୍ମାଟ୍ର ଶ୍ରେଷ୍ଠ ପୁରୁଷ ଏବଂ ମହିଳା ଦଳ ଚୟନ କରେ। ବିଶ୍ଵର ବିଭିନ୍ନ ସ୍ଥାନରୁ ୧୧ ଜଣ ଖେଳାଳି ଯେଉଁମାନେ ଭଲ ପ୍ରଦର୍ଶନ କରନ୍ତି ଏହି ଦଳଗୁଡିକରେ ସ୍ଥାନ ପାଆନ୍ତି। ଆଇସିସି ୨୦୨୩ର ଶ୍ରେଷ୍ଠ ଟି-୨୦, ସର୍ବୋତ୍ତମ ଦିନିକିଆ ଏବଂ ସର୍ବୋତ୍ତମ ଟେଷ୍ଟ ଦଳ ଘୋଷଣା କରିଛି।

୨୦୨୩ର ଆଇସିସିର ଶ୍ରେଷ୍ଠ ଟେଷ୍ଟ ଦଳ- ଉସମାନ ଖ୍ୱାଜା, ଦିମୁଥ କରୁଣାରତ୍ନେ, କେନ ୱିଲିୟମସନ, ଜୋ ରୁଟ, ଟ୍ରାଭିସ ହେଡ, ରବିନ୍ଦ୍ର ଜାଡେଜା, ଆଲେକ୍ସ କେରୀ (ୱିକେଟ୍ କିପର), ପ୍ୟାଟ କମିନ୍ସ (ଅଧିନାୟକ), ଆର ଅଶ୍ୱିନ, ମିଚେଲ ଷ୍ଟାର୍କ ଏବଂ ଷ୍ଟୁଆର୍ଟ ବ୍ରଡ।

ଆଇସିସି ODI ଟିମ୍ ଅଫ୍ ଦି ଇୟର ୨୦୨୩- ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଟ୍ରାଭିସ୍ ହେଡ୍, ବିରାଟ କୋହଲି, ଡାରିଲ ମିଚେଲ, ହେନ୍ରିଚ୍ କ୍ଲାସେନ୍ (ୱିକେଟ୍ କିପର), ମାର୍କୋ ୟାନସେନ୍, ଆଦାମ ଜାମ୍ପା, କୁଲଦୀପ ଯାଦବ, ମହମ୍ମଦ ସିରାଜ ଏବଂ ମହମ୍ମଦ ଶାମି।

୨୦୨୩ ବର୍ଷର ଶ୍ରେଷ୍ଠ ଟି -୨୦ ଦଳ – ଯଶସ୍ୱୀ ଜୟଶ୍ଵାଲ, ଫିଲ୍ ସଲ୍ଟ, ନିକୋଲାସ ପୁରାନ୍ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ମାର୍କ ଚାପମାନ, ସିକନ୍ଦର ରଜା, ଅଳ୍ପେଶ ରାମଜାନି, ମାର୍କ ଅଡାୟର, ରବି ବିଷ୍ନୋଇ, ରିଚାର୍ଡ ନଗାରୱା ଏବଂ ଅର୍ଶଦୀପ ସିଂ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଖରାପ ପିଚ୍ ଯୋଗୁଁ ବିଶ୍ୱକପ୍ ଫାଇନାଲରେ ହାରିଲା କି ଟିମ୍ ଇଣ୍ଡିଆ?, ଆଇସିସିର ମୂଲ୍ୟାୟନରୁ ମିଳିଲା ସଂକେତ

ନୂଆଦିଲ୍ଲୀ: ଭାରତୀୟ ଦଳ ବିଶ୍ୱକପ ୨୦୨୩ର ଫାଇନାଲ ହାରିବାର ପ୍ରାୟ ୧୯ ଦିନ ବିତିଗଲାଣି। ବର୍ତ୍ତମାନ ଏକ ବଡ ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରେ କୁହାଯାଇଛି ଯେ, ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ୍ ମ୍ୟାଚ୍ ଖେଳିଥିବା ପିଚ୍ କୁ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ୱାରା ମୂଲ୍ୟାୟନ କରାଯାଇଛି। ଏହାପୂର୍ବରୁ କୁହାଯାଇଥିଲା ଯେ, ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ମଧ୍ୟ ପିଚ୍ କୁ ଭାରତର ପରାଜୟର କାରଣ ବୋଲି ଦାୟୀ କରିଛନ୍ତି।

‘ଟାଇମ୍ସ ଅଫ୍ ଇଣ୍ଡିଆ’ ଅନୁଯାୟୀ, ଆଇସିସି ପାଞ୍ଚଟି ବିଶ୍ୱକପ୍ ମ୍ୟାଚ୍ ପିଚ୍ କୁ ହାରାହାରି ରେଟିଂ ଦେଇଛି, ଯେଉଁଥିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ମଧ୍ୟ ରହିଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟାଇଟଲ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିଲା, ଯେଉଁଥିରେ ଟିମ୍ ଇଣ୍ଡିଆ ୫୦ ଓଭରରେ ୨୪୦ ରନ୍ ସ୍କୋର କରିଥିଲା ​​ଏବଂ ଅଷ୍ଟ୍ରେଲିଆ ୪୩ ଓଭରରେ ମ୍ୟାଚ ଜିତିଥିଲା।

ରାହୁଲ ଦ୍ରାବିଡ ମଧ୍ୟ ପିଚକୁ ଦାୟୀ କରିଛନ୍ତି:

ବିସିସିଆଇ ସମୀକ୍ଷା ବୈଠକରେ ଫାଇନାଲ ମ୍ୟାଚ୍ ହାରିଥିବାରୁ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ମଧ୍ୟ ପିଚ୍‌କୁ ଦାୟୀ କରିଛନ୍ତି। ଖବର ଅନୁଯାୟୀ, ମୁଖ୍ୟ ପ୍ରଶିକ୍ଷକ କହିଥିଲେ ଯେ, ଆଶା ଅନୁଯାୟୀ ଟର୍ନ ପାଇ ନ ଥିବାରୁ ଆମେ ହାରିଛୁ। ଯଦି ସ୍ପିନରମାନେ ଟର୍ନ ପାଇଥାନ୍ତେ, ଆମେ ଜିତିଥାନ୍ତେ। ଏହି ରଣନୀତି ସହିତ ଆମେ ପ୍ରଥମ ୧୦ଟି ମ୍ୟାଚ୍ ଜିତିଲୁ, କିନ୍ତୁ ଫାଇନାଲରେ ଏହା କାମ କଲା ନାହିଁ।

ଏକ ଖରାପ ପିଚରେ ଅଷ୍ଟ୍ରେଲିଆ କିପରି ଚମତ୍କାର ଖେଳିଲା?:

ସର୍ବପ୍ରଥମେ, ନରେନ୍ଦ୍ର ମୋଦୀ ଷ୍ଟାଡିୟମର ପିଚକୁ ହାରାହାରି ରେଟିଂ ଦେଇ ଆଇସିସି ନିଶ୍ଚିତ କରିଛି ଯେ, ପିଚ୍ ‘ଭଲ’ ନୁହେଁ। ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ, ତେବେ ଅଷ୍ଟ୍ରେଲିଆ ଏହି ପିଚରେ କିପରି ଚମତ୍କାର କଲା? ଏହି ପ୍ରଶ୍ନ ଉଠାଯିବା ସ୍ୱାଭାବିକ। ତେବେ ଖରାପ ପିଚରେ ଟସ୍ ହାରିବା ଟିମ୍ ଇଣ୍ଡିଆ ପାଇଁ କ୍ଷତିକାରକ ପ୍ରମାଣିତ ହୋଇଛି।

ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦିନରେ ପିଚ୍ ବୋଲରମାନଙ୍କୁ କିଛି ପରିମାଣରେ ସମର୍ଥନ କରିଥିଲା। କିନ୍ତୁ ଭାରତୀୟ ଦଳ ବୋଲିଂ କରିବାକୁ ଆସିବା ବେଳକୁ ଲାଇଟ୍ ଜଳୁଥିଲା ଏବଂ ପଡ଼ିଆରେ କାକର ମଧ୍ୟ ପଡିବା ଆରମ୍ଭ ହୋଇଥିଲା। ଏଭଳି ପରିସ୍ଥିତିରେ ଭାରତୀୟ ଦଳର ବୋଲରମାନଙ୍କ ପାଇଁ କୌଣସି ସୁଯୋଗ ନଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଆଇସିସି ର ବଡ଼ ନିଷ୍ପତ୍ତି: ବିଶ୍ୱକପ-୨୦୨୩ ର ବ୍ରାଣ୍ଡ ଆମ୍ବାସାଡର ହେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଙ୍ଗଳବାର ଦିନ ଅହମ୍ମଦାବାଦରୁ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ପାଇଁ ଭାରତର କିମ୍ବଦନ୍ତୀ ଖେଳାଳି ସଚିନ୍ ତେନ୍ଦୁଲକରଙ୍କୁ ବିଶ୍ୱ ଦୂତ (ବ୍ରାଣ୍ଡ ଆମ୍ବାସାଡର) ଭାବରେ ନିଯୁକ୍ତ କରିଛି। ତେନ୍ଦୁଲକର ୬ ଥର ODI ବିଶ୍ୱକପରେ ଭାଗ ନେଇଛନ୍ତି। ଗୁରୁବାର ଦିନ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍ ପୂର୍ବରୁ ସେ ବିଶ୍ୱକପ ଟ୍ରଫି ସହ ପଡ଼ିଆକୁ ଆସି ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିବେ। ତେନ୍ଦୁଲକର ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ଯେ, “୧୯୮୭ ରେ ଏକ ବଲ୍ ବୟ ହେବା ଠାରୁ ଆରମ୍ଭ କରି ୬ ଟି ଟୁର୍ଣ୍ଣାମେଣ୍ଟରେ ଦେଶ ପାଇଁ ପ୍ରତିନିଧିତ୍ୱ କରିବା ପର୍ଯ୍ୟନ୍ତ ବିଶ୍ୱକପ୍ ସର୍ବଦା ମୋ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଆସୁଛି। ୨୦୧୧ ରେ ବିଶ୍ୱକପ୍ ଜିତିବା ମୋର କ୍ରିକେଟ୍ କ୍ୟାରିୟରର ଗର୍ବର ମୁହୂର୍ତ୍ତ ଅଟେ।”

ସେ କହିଛନ୍ତି ଯେ, “ଏଠାରେ ଅନେକ ବିଶ୍ୱସ୍ତରୀୟ ଦଳ ଏବଂ ଖେଳାଳି ଭାରତରେ ହେବାକୁ ଥିବା ବିଶ୍ୱକପ୍‌ରେ କଡ଼ା ପ୍ରତିଯୋଗିତା କରିବାକୁ ପ୍ରସ୍ତୁତ ଅଛନ୍ତି। ମୁଁ ଏହି ଆକର୍ଷଣୀୟ ଟୁର୍ଣ୍ଣାମେଣ୍ଟକୁ ଅପେକ୍ଷା କରିଛି। ବିଶ୍ୱକପ ଭଳି ବଡ଼ ପ୍ରତିଯୋଗିତା ଯୁବ ଖେଳାଳିଙ୍କୁ ପ୍ରେରଣା ଯୋଗାଉଛି।” ମୁଁ ଆଶା କରୁଛି “ଏଥର, ଏହି ଟୁର୍ଣ୍ଣାମେଣ୍ଟ ଯୁବକ ଯୁବତୀ ଏବଂ ବାଳକମାନଙ୍କୁ କ୍ରୀଡ଼ାରେ ଯୋଗଦେବାକୁ ଏବଂ ଦେଶକୁ ପ୍ରତିନିଧିତ୍ୱ କରିବା ପାଇଁ ପ୍ରେରଣା ଯୋଗାଇବ।

ପ୍ରକାଶ ଯୋଗ୍ୟ ଯେ, ସଚିନ ତେନ୍ଦୁଲକର ହେଉଛନ୍ତି ବ୍ୟାଟ୍ସମ୍ୟାନ୍ ଯିଏ ବିଶ୍ୱକପ ଇତିହାସରେ ସର୍ବାଧିକ ଶତକ ହାସଲ କରିଛନ୍ତି। ବିଶ୍ୱକପ ଇତିହାସରେ ୬ ଟି ଶତକ ହାସଲ କରିବାରେ ତେନ୍ଦୁଲକର ସଫଳ ହୋଇଛନ୍ତି। ଏଥି ସହିତ ତେନ୍ଦୁଲକର ବିଶ୍ୱକପରେ ୨୨୭୮ ରନ୍ ସଂଗ୍ରହ କରିଛନ୍ତି। ତାଙ୍କ ନାମରେ ସମୁଦାୟ ୧୫ ଟି ଅର୍ଦ୍ଧଶତକ ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

PCB କୁ ବଡ ଝଟକା ଦେବାକୁ ପ୍ରସ୍ତୁତ ବିସିସିଆଇ, ପାକିସ୍ତାନ ବିନା ଖେଳାଯିବ ଏସିଆ କପ୍

ନୂଆଦିଲ୍ଲୀ: ବିସିସିଆଇ ଏବଂ ପିସିବି ମଧ୍ୟରେ ବିବାଦ କମିବାର ନାମ ନେଉନାହିଁ। ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଏକ ବଡ ଝଟକା ଦେବା ପାଇଁ ବିସିସିଆଇ ପ୍ରସ୍ତୁତି ଚଳାଇଛି। ପାକିସ୍ତାନ ବିନା ଏସିଆ କପ୍ ଆୟୋଜନ କରିବାକୁ ବିସିସିଆଇ ଯୋଜନା କରିଛି। ଏହାପୂର୍ବରୁ, ବିସିସିଆଇ PCB ର ହାଇବ୍ରିଡ୍ ମଡେଲକୁ ପ୍ରତ୍ୟାଖ୍ୟାନ କରିଥିଲା।

ବାସ୍ତବରେ ଏ ବର୍ଷ ପାକିସ୍ତାନ କ୍ରିକେଟ୍ ବୋର୍ଡର ଏସିଆ କପ୍ ଆୟୋଜନ କରିବାର ଅଧିକାର ରହିଛି। ଏହି ପ୍ରସଙ୍ଗରେ ପୁରା ବିବାଦ ଆରମ୍ଭ ହୋଇଛି। ପାକିସ୍ତାନ ସହ ସୁରକ୍ଷା ସମସ୍ୟା ହେତୁ ବିସିସିଆଇ ତାର ଦଳ ପଠାଇବାକୁ ମନା କରିଦେଇଛି। ଏହା ପରେ ହାଇବ୍ରିଡ୍ ମଡେଲ୍ ନେଇ ପିସିବି ଭାରତକୁ ନିରପେକ୍ଷ ସ୍ଥାନରେ ମ୍ୟାଚ୍ ପରିଚାଳନା କରିବାର ବିକଳ୍ପ ଦେଇଥିଲା। କିନ୍ତୁ ବିସିସିଆଇ ମଧ୍ୟ ଏହି ମଡେଲକୁ ପ୍ରତ୍ୟାଖ୍ୟାନ କରିଛି।

ଟେଲିଗ୍ରାଫ୍ ରିପୋର୍ଟ ଅନୁଯାୟୀ, ଏସିଆ କପରେ ଅଂଶଗ୍ରହଣ କରୁଥିବା ବାକି ଦଳ ପାକିସ୍ତାନ ବିନା ଖେଳିବାକୁ ପ୍ରସ୍ତୁତ ଅଛନ୍ତି। ଶ୍ରୀଲଙ୍କାରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଏସିଆ କ୍ରିକେଟ୍ ପରିଷଦ ପ୍ରସ୍ତୁତି ଚଳାଇଛି। ଯଦି ପାକିସ୍ତାନ ଏଥିରେ ଭାଗ ନେବାକୁ ପଡିବ ତେବେ କେବଳ ଶ୍ରୀଲଙ୍କାରେ ଖେଳିବାକୁ ପଡ଼ିବ। ଯଦି ପାକିସ୍ତାନ ଏହି ବିକଳ୍ପକୁ ଗ୍ରହଣ ନକରେ, ତେବେ ଏସିଆ କପ୍‌ରୁ ଦୂରେଇ ରହିବାକୁ ପଡ଼ିବ।

ବିଶ୍ୱକପ୍‌ରେ ପହଞ୍ଚିଲା ବିବାଦ:

ଚଳିତ ବର୍ଷ ଭାରତରେ ଆୟୋଜିତ ହେବାକୁ ଥିବା ଏକଦିବସୀୟ ବିଶ୍ୱକପରେ ଏସିଆ କପ୍ ବିବାଦ ପହଞ୍ଚିଛି। ପାକିସ୍ତାନରୁ ଲଗାତାର ଧମକ ରହିଛି ଯେ, ଯଦି ଭାରତ ନିଜ ମାଟିରେ ଏସିଆ କପ୍ ଖେଳିବ ନାହିଁ, ତେବେ ସେମାନେ ବିଶ୍ୱକପକୁ ବର୍ଜନ କରିପାରନ୍ତି। ତେବେ ଆଇସିସି ଅଧ୍ୟକ୍ଷଙ୍କ ତରଫରୁ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଏଭଳି ପଦକ୍ଷେପ ନନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି PCB ଏହି ବିକଳ୍ପ ବାଛିଥାଏ ତେବେ ICC ରୁ କଡା କାର୍ଯ୍ୟର ସମ୍ମୁଖୀନ ହେବାକୁ ପଡିପାରେ।

ବିଶ୍ୱକପ ଖେଳିବା ନେଇ ପିସିବି ମୁଖ୍ୟ ନଜାମ ସେଠୀଙ୍କ ମନୋଭାବ ମଧ୍ୟ ନରମ ହୋଇଛି। ପିସିବି ମୁଖ୍ୟ ବର୍ତ୍ତମାନ ସମଗ୍ର ପ୍ରସଙ୍ଗକୁ ପାକିସ୍ତାନ ସରକାରଙ୍କୁ ଛାଡିଛନ୍ତି। ନଜାମ ସେଠୀ କହିଛନ୍ତି ଯେ, ଯଦି ପାକିସ୍ତାନ ସରକାର ଅନୁମତି ଦିଅନ୍ତି, ତା’ହେଲେ ତାଙ୍କ ଦଳ ଭାରତ ଯାଇ ବିଶ୍ୱକପ୍‌ର ଏକ ଅଂଶ ହେବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଦିନିକିଆ, ଟି-୨୦ ପରେ ଏବେ ଟେଷ୍ଟରେ ମଧ୍ୟ ଭାରତ ଏକ ନମ୍ବର: ଦେଖନ୍ତୁ ICC ର ତାଜା ଅପଡେଟ

ନୂଆଦିଲ୍ଲୀ: ନାଗପୁରରେ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍ ଜିତିବା ପରେ ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଟେଷ୍ଟ ମାନ୍ୟତାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଆଇସିସି ଦ୍ୱାରା ପ୍ରକାଶିତ ସର୍ବଶେଷ ଟେଷ୍ଟ ମାନ୍ୟତାରେ ଟିମ୍ ଇଣ୍ଡିଆ ୧୧୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ପହଞ୍ଚିଛି। ଅଷ୍ଟ୍ରେଲିଆ ଦଳ ବର୍ତ୍ତମାନ ୧୧୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ବର୍ତ୍ତମାନ ଭାରତୀୟ ଦଳ କ୍ରିକେଟ୍ ର ତିନୋଟି ଫର୍ମାଟର ର଼୍ୟାଙ୍କିଙ୍ଗରେ ଏକ ନମ୍ବର ଦଳ ହୋଇପାରିଛି।

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ପୂର୍ବରୁ ଭାରତୀୟ ଦଳ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ କଙ୍ଗାରୁ ଦଳ ପ୍ରଥମ ସ୍ଥାନରେ ଥିଲା। ଦଳ ଟେଷ୍ଟ ର଼୍ୟାଙ୍କିଙ୍ଗରେ ନାଗପୁରରେ ଏକପାଖିଆ ବିଜୟର ଲାଭ ପାଇଲା ଏବଂ ଦଳ ସମସ୍ତ ଫର୍ମାଟରେ ବିଶ୍ୱ କ୍ରିକେଟ୍ ରେ ଏକ ନମ୍ବର ଦଳ ହୋଇପାରିଛି।

ଭାରତୀୟ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ କ୍ରିକେଟ୍ ର ତିନୋଟି ଫର୍ମାଟରେ ନମ୍ବର -୧ ସ୍ଥାନ ଅଧିକାର କରିବାରେ ସଫଳ ହୋଇଛି। ନାଗପୁର ଟେଷ୍ଟ ମ୍ୟାଚରେ ପ୍ରବେଶ କରିବା ପୂର୍ବରୁ ଅଷ୍ଟ୍ରେଲିଆ ଦଳ ୧୨୬ ପଏଣ୍ଟ ପାଇଥିଲା, ଯାହା ପରେ ପରାଜୟ କାରଣରୁ ସେମାନେ ୧୧୧ ପଏଣ୍ଟ ପାଇଥିଲେ। ଏଥି ସହିତ ଭାରତୀୟ ଦଳ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ସ୍ଥାନ ପାଇବାକୁ ପାଦ ଆଗକୁ ବଢାଇଛି। ଯେଉଁଥିରେ ଯଦି ଏହି ଟେଷ୍ଟ ସିରିଜର ଅବଶିଷ୍ଟ ୩ ଟି ମ୍ୟାଚ ମଧ୍ୟରୁ ୨ ଟି ଜିତିବାରେ ସଫଳ ହୁଏ, ତେବେ ଦଳ ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିବ।

ନାଗପୁର ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ରବିନ୍ଦ୍ର ଜାଡେଜାଙ୍କ ଚମତ୍କାର ସ୍ପିନ୍ ଯୋଡି ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା, ଯେଉଁଥିରେ ଉଭୟ ଏକାଠି ମୋଟ ୧୫ ଟି ୱିକେଟ୍ ନେଇଥିଲେ। ବର୍ତ୍ତମାନ ଅଶ୍ୱିନ ୮୪୬ ରେଟିଂ ପଏଣ୍ଟ ସହ ନୂତନ ଆଇସିସି ଟେଷ୍ଟ ବୋଲିଂ ର଼୍ୟାଙ୍କିଙ୍ଗରେ ଚତୁର୍ଥରୁ ଦ୍ୱିତୀୟକୁ ସିଧା ଯାଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

IPL ୱିଣ୍ଡୋ ସମ୍ବନ୍ଧରେ BCCI ର ବଢିପାରେ ସମସ୍ୟା, ICC ପାଖରେ ଏହି ଅଭିଯୋଗ କରିବ ପାକିସ୍ତାନ ବୋର୍ଡ

ନୂଆଦିଲ୍ଲୀ: ୨୦୨୪ ରୁ ଆଇପିଏଲ ପାଇଁ ଆଇସିସିରୁ ୱିଣ୍ଡୋ ବୃଦ୍ଧି କରିବାକୁ ବିସିସିଆଇ ଦାବି କରିସାରିଛି। କିନ୍ତୁ ବର୍ତ୍ତମାନ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏହି ପ୍ରସଙ୍ଗରେ ବିସିସିଆଇର ଅସୁବିଧାକୁ ବଢାଇପାରେ। ପିସିବି ବିଶ୍ବାସ କରେ ଯେ, ପରବର୍ତ୍ତୀ FTP କ୍ୟାଲେଣ୍ଡରରେ ଆଇପିଏଲ୍ କୁ ଅଢେଇ ମାସର ୱିଣ୍ଡୋ ଦେବାର ପ୍ରସ୍ତାବ ଉପରେ ଆଇସିସି ବାକି ବୋର୍ଡ ସହିତ କଥା ହେବ। କାରଣ ଏହା ଅନେକ ଆନ୍ତର୍ଜାତୀୟ ସିରିଜ୍ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ ଆଶା କରୁଛି।

୨୦୨୪ ରୁ ୨୦୩୧ ପର୍ଯ୍ୟନ୍ତ FTP ଚକ୍ରରେ ଆଇପିଏଲ୍ ପାଇଁ ଅଢେଇ ମାସର ୱିଣ୍ଡୋ ରହିବ ବୋଲି ବିସିସିଆଇ ସଚିବ ଜୟ ଶାହା କହିଛନ୍ତି। ଶାହା କହିଛନ୍ତି, “ଆଗାମୀ FTP ଚକ୍ରରୁ ଆଇପିଏଲ ପାଇଁ ଅଢେଇ ମାସର ଏକ ୱିଣ୍ଡୋ ରହିବ, ଯାହାଦ୍ୱାରା ସମସ୍ତ ଶୀର୍ଷ ଅନ୍ତର୍ଜାତୀୟ କ୍ରିକେଟର ଏଥିରେ ଖେଳିବେ। ଆମେ ଅନ୍ୟ ବୋର୍ଡ ଏବଂ ଆଇସିସି ସହିତ ମଧ୍ୟ ଆଲୋଚନା କରିଛୁ।

କିନ୍ତୁ ପିସିବି ବିଶ୍ଵାସ କରେ ଯେ, ଏହି ବିଷୟରେ ଆଲୋଚନା ହେବା ଆବଶ୍ୟକ। ପିସିବି ସୂତ୍ରରୁ ପ୍ରକାଶ ଯେ, ଆଇସିସି ବୋର୍ଡ ଜୁଲାଇରେ ବର୍ମିଂହାମ କମନୱେଲଥ ଗେମ୍ସ ପରିସରରେ ବୈଠକ କରିବ ଏବଂ ଏହି ପ୍ରସଙ୍ଗରେ ଆଲୋଚନା ହେବ।

ଉଲ୍ଲେଖ ଯୋଗ୍ୟ ଯେ, ମୁମ୍ବାଇ ଉପରେ ୨୦୦୮ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନୀ ଖେଳାଳିଙ୍କୁ ଆଇପିଏଲରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନୀ ଖେଳାଳିଙ୍କ ଆଇପିଏଲରେ ସ୍ଥାନ ପାଇବାର କୌଣସି ସୁଯୋଗ ନାହିଁ।

Categories
ଆଜିର ଖବର ଖେଳ

କ୍ରିକେଟ ଉପରେ କରୋନା ମାଡ଼, ଏବର୍ଷ ହେବନି ଟି-20 ବିଶ୍ବକପ୍

ନୂଆଦିଲ୍ଲୀ, କ୍ରିକେଟ ଉପରେ କରୋନା ମାଡ଼। କୋଭିଡ-19 ମହାମାରୀ କାରଣରୁ 2020 ଟି-20 ବିଶ୍ବକପ୍ କ୍ରିକେଟକୁ ସ୍ଥଗିତ ରଖାଯାଇଛି। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ଆଇସିସି ଆଜି ଏହା ଘୋଷଣା କରିଛି। ଗତ କିଛି ମାସ ଧରି ଟି-20 ବିଶ୍ବକପ୍ ଆୟୋଜନ ନେଇ ବିଚାର ବିମର୍ଷ ଚାଲିଥିଲା। ଏହି ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆରେ ହେବାକୁ ଥିଲା। ଆଉ ଏବେ ଏହା ହେବନାହିଁ।

Categories
ଆଜିର ଖବର ଖେଳ

କରୋନା ପାଇଁ ନୂତନ ଗାଇଡ୍‌ଲାଇନ୍‌ ଜାରି କଲା ଆଇସିସି

ନୂଆଦିଲ୍ଲୀ : କରୋନା କାରଣରୁ କ୍ରିକେଟ୍‌ ଖେଳ ଦୀର୍ଘଦିନ ହେବ ବନ୍ଦ ରହିଥିବା ବେଳେ ପୁନର୍ବାର ଏହାକୁ ଆରମ୍ଭ କରିବାର ପ୍ରକ୍ରିୟା ଆରମ୍ଭ କରିଛି ଆଇସିସି । ଅନୀଲ କୁମ୍ବଲେଙ୍କ ନେତୃତ୍ବାଧୀନ ଆଇସିସି ପରିଚାଳନା କମିଟି ପକ୍ଷରୁ କିଛି ସଂଶୋଧନର ପ୍ରସ୍ତାବ ଦିଆଯାଇଛି । ସିଇସି ପକ୍ଷରୁ ଏହି ନୂତନ ଗାଇଡ୍‌ଲାଇନ୍‌ ମଙ୍ଗଳବାର ଦିନ ଜାରି କରାଯାଇଛି । ତେବେ ଏହି ନୂତନ ନିୟମ କେବଳ ଟେଷ୍ଟ କ୍ରିକେଟ୍‌ ପାଇଁ ଲାଗୁ କରାଯାଇଛି ।

କୋଭିଡ୍‌ 19 ସବ୍‌ଷ୍ଟିଚ୍ୟୁଟ୍‌ : ପ୍ରତ୍ୟୋକ ଟିମ୍‌ ପାଇଁ ଜଣେ କୋଭିଡ୍‌ 19 ସବ୍‌ଷ୍ଟିଚ୍ୟୁଟ୍‌ ରଖାଯିବ । ଏହି ସବ୍‌ଷ୍ଟିଚ୍ୟୁଟ୍‌ ଡାକ୍ତର ଜଣକ ଟିମ୍‌ର ପ୍ରତ୍ୟୋକ ସଦସ୍ୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବେ । ଆସନ୍ତା ଜୁଲାଇ ମାସରେ ଅନୁଷ୍ଠିତ ହେବାକୁ ଥିବା ଓ୍ବିଣ୍ଡିଜ୍‌-ଇଂଲଣ୍ଡ ସିରିଜ୍‌ରେ ପ୍ରଥମ ଥର ପାଇଁ ଏହି ନିୟମର ପ୍ରଚଳନ କରାଯିବ ।

ଛେପ ବ୍ୟବହାର ଉପରେ ରୋକ୍‌ : ବୋଲିଂ ପୂର୍ବରୁ ଖେଳାଳି ବଲ୍‌ରେ ଛେପ ଲଗାଉଥିବା ବେଳେ ଏହା ଉପରେ ରୋକ୍‌ ଲଗଯାଇଛି । କୌଣସି ଖେଳାଳି ଏଣିକି ବଲ୍‌ରେ ଛେପ ଲଗାଇ ପାରିବେ ନାହିଁ ବୋଲି ସିଇସି ପକ୍ଷରୁ କୁହାଯାଇଛି । ଦୁଇ ଥରରୁ ଅଧିକ ବଲ୍‌ ଉପରେ ଛେପ ଲଗାଇଲେ 5 ରନ୍‌ର ପେନାଲ୍‌ଟି ପ୍ରଦାନ କରାଯିବ । ସେହିପରି ଖେଳ ଆରମ୍ଭ ହେବା ପୂର୍ବରୁ ବଲ୍‌କୁ ସାନିଟାଇଜ୍‌ କରିବା ଅମ୍ପାୟାରଙ୍କ ଦାୟିତ୍ବ ରହିବ ।

ସ୍ଥାନୀୟ ଅମ୍ପାୟାର : ଅନ୍ତର୍ଜାତୀୟ ଗସ୍ତ ଉପରେ ରୋକ୍‌ ଲଗାଯାଇଥିବା କାରଣରୁ ସମସ୍ତ ମ୍ୟାଚ୍‌ରେ ସ୍ଥାନୀୟ ଅମ୍ପାୟାରଙ୍କୁ ବ୍ୟବହାର କରାଯାଇଛି । ପ୍ରଥମ ଥର ପାଇଁ ଆଇସିସି ପକ୍ଷରୁ ଏହି ନିୟମକୁ ଆପଣାଯାଇଛି । ଏହି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଆଇସିସି ପକ୍ଷରୁ ଡିଆରଏସ୍‌ ନିୟମରେ ପରିବର୍ତ୍ତନ କରାଯାଇଛି । ଅନଭିଜ୍ଞ ଅମ୍ପାୟାର ରହିଥିବାରୁ ପ୍ରତି ଟିମ୍‌କୁ ପ୍ରତି ଇନିଂସରେ ଗୋଟିଏ ଲେଖାଏଁ ଅଧିକ ରିଭ୍ୟୁ ପ୍ରଦାନ କରାଯିବ ।

Categories
ଆଜିର ଖବର ଖେଳ

2022କୁ ଘୁଞ୍ଚିପାରେ ଟି 20 ବିଶ୍ବକପ୍‌! : ଆଇପିଏଲ୍‌ ପାଇଁ ରାସ୍ତା ପ୍ରଶସ୍ତ

ନୂଆଦିଲ୍ଲୀ : ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଟି 20 ବିଶ୍ବକପ୍‌ ଦୁଇ ବର୍ଷ ପାଇଁ ଘୁଞ୍ଚିପାରେ । ଆସନ୍ତା କାଲି ଆଇସିସିର ବୈଠକ ପୂର୍ବରୁ ଆଇସିସିର ଜନୈକ ଅଧିକାରୀ ନାମ ଗୋପନ ରଖି ଏହି ସୂଚନା ପ୍ରକାଶ କରିଛନ୍ତି । ଏହି ଘୋଷଣା ପରେ ଆଇପିଏଲ୍‌ ହେବାର ରାସ୍ତା ପ୍ରଶସ୍ତ ହୋଇଛି । ଅକ୍ଟୋବର-ନଭେମ୍ବରରେ ଟି 20 ବିଶ୍ବକପ୍‌ ହେବାର କାର୍ଯ୍ୟକ୍ରମ ରହିଥିଲା ମାତ୍ର କରୋନା ଭାଇରସ୍‌ ଆତଙ୍କ କାରଣରୁ ଏହାକୁ ସ୍ଥଗିତ ରଖାଯାଇପାରେ । ଯଦି ଏହି ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖାଯାଏ ତେବେ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଆଇପିଏଲ୍‌ ଅନୁଷ୍ଠିତ ହୋଇପାରିବ । ପୂର୍ବରୁ ବିସିସିଆଇ ବନ୍ଦ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଆୟୋଜନକୁ ସବୁଜ ସଙ୍କେତ ପ୍ରଦାନ କରି ସାରିଛି । (ଏଜେନ୍ସି)

Categories
ଖେଳ ବିଶେଷ ଖବର

ବ୍ୟାକ୍‌ ଟୁ କ୍ରିକେଟ୍‌ ଗାଇଡ୍‌ଲାଇନ୍‌ ଜାରି କଲା ଆଇସିସି : ଆଇସୋଲେସନ୍‌ ଟ୍ରେନିଂ କ୍ୟାମ୍ପର ପ୍ରସ୍ତାବ

ଦୁବାଇ : ବିଭିନ୍ନ କ୍ରିକେଟ ଖେଳୁଥିବା ଦେଶ ପକ୍ଷରୁ ଲକ୍‌ଡାଉନ୍‌ ନିୟମକୁ କୋହଳ କରାଯାଉଥିବା ବେଳେ ଆଇସିସି ପକ୍ଷରୁ ବ୍ୟାକ୍‌ ଟୁ କ୍ରିକେଟ୍‌ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଶୁକ୍ରବାର ଆଇସିସିର ମେଡିକାଲ ଟିମ୍‌ ପକ୍ଷରୁ ଏହି ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। କ୍ରିକେଟ୍‌ ସିଜିନ୍‌ ଆରମ୍ଭ ହେବା ପୂର୍ବରୁ ସମସ୍ତ ଖେଳାଳିଙ୍କ ପାଇଁ ଏକ 14 ଦିନିଆ କ୍ବାରେଣ୍ଟାଇନ୍‌ କ୍ୟାମ୍ପ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଅଭ୍ୟାସ ତଥା ଯାତ୍ରା ସମୟରେ ଖେଳାଳି କିପରି ନିଜକୁ ସୁରକ୍ଷିତ ରଖିବେ ତାହା ଏହି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରାଯାଇଛି।

ସେଫ୍‌ଟି ଫାଷ୍ଟ :
1. ଖେଳାଳି ତଥା ସମୁଦାୟ କ୍ରୀଡାବିତ ଗୋଷ୍ଠୀଙ୍କ ସୁରକ୍ଷା ଆଇସିସିର ପ୍ରଥମ ଲକ୍ଷ୍ୟ।
2. କରୋନା ସଂକ୍ରମଣ କିମ୍ବା ସଂକ୍ରମଣରେ ବୃଦ୍ଧି ହେବାର କୌଣସି ସମ୍ଭାବନା ନଥିଲେ ହିଁ କ୍ରିକେଟ୍‌ ପୁନର୍ବାର ଆରମ୍ଭ ହେବ।
3. କ୍ରିକେଟ୍‌ ଜଗତ ସହିତ ଜଡିତ ବିଭିନ୍ନ ଜିନିଷରୁ ଯେମିତି ସଂକ୍ରମଣ ନ ବ୍ୟାପେ ତାହାର ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ଅଭ୍ୟାସ ସେସନ୍‌ ଅଥବା ମ୍ୟାଚ୍‌ ପୂର୍ବରୁ ପଡିଆ, ଚେଞ୍ଜିଙ୍ଗ ରୁମ୍‌, ବଲ୍‌ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବ ବୋଲି ଆଇସିସି ମତ ଦେଇଛି।

ସରକାରୀ ଉପଦେଶ :
1. ଯେଉଁ ଯେଉଁ ରାଷ୍ଟ୍ରରେ କ୍ରିକେଟ୍‌ ଉପରେ ରୋକ୍‌ ଲଗାଯାଇଛି, ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ କଟକଣା ନଉଠିବା ଯାଏଁ କ୍ରିକେଟ୍‌ ଖେଳ ଆରମ୍ଭ କରାଯିବ ନାହିଁ।
2. ପ୍ରତ୍ୟେକ ଆଇସିସି ସଦସ୍ୟ ରାଷ୍ଟ୍ର ନିଜ ସ୍ଥାନୀୟ ସରକାରଙ୍କ ନିକଟରୁ ବିମାନ ଯାତ୍ରା (ଘରୋଇ ଏବଂ ଅନ୍ତର୍ଜାତୀୟ) ଓ କ୍ବାରେଣ୍ଟାଇନ୍‌ ସହାୟତା ନିମନ୍ତେ ଆବେଦନ କରିବେ।

ନେତୃତ୍ବ ଏବଂ କ୍ରିକେଟର ସୁଦୂରପ୍ରସାରୀ ପ୍ରଭାବ :
1. ଏହି ମହାମାରୀର ମୁକାବିଲା କ୍ଷେତ୍ରରେ କ୍ରିକେଟ୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ସମାଜରେ ଏକ ସକରାତ୍ମକ ମେସେଜ୍‌ ପହଞ୍ଚାଇବାରେ କ୍ରିକେଟ୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଇଛି ।
2. ଆଇସିସି କ୍ରିକେଟ୍‌ ଖେଳିବାର ମାହୋଲ ସୃଷ୍ଟି କରିଥିବା ବେଳେ ସ୍ଥାନୀୟ ବୋର୍ଡ ପକ୍ଷରୁ ଏକ ସୁସ୍ଥ ଏବଂ ସ୍ବଚ୍ଛ ବ୍ୟବସ୍ଥା ସୃଷ୍ଟି କରିବାକୁ ପଡିବ ଏବଂ ସରକାରଙ୍କ ନିକଟରୁ ଅନୁମତି ହାସଲ କରିବାକୁ ପଡିବ । ଏହା ସହିତ ବିଭିନ୍ନ ବୋର୍ଡଙ୍କ ସହିତ ମିଶି କ୍ରିକେଟ୍‌ ସାମ୍ରଜ୍ୟକୁ ଆଗକୁ ବଢାଇବାର ଏହା ଏକ ଅଭିନବ ପ୍ରୟାସ ।
3. ବ୍ୟକ୍ତିଗତ ଭାବରେ କ୍ରିକେଟ୍‌ ବିଭିନ୍ନ ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା ସାଧାରଣ ଲୋକଙ୍କ ଜୀବନକୁ ପୂର୍ବବତ କରିବା ସହିତ ବିଭିନ୍ନ ପ୍ରକାରର ଶାରୀରିକ ଓ ମାନସିକ ସୁରକ୍ଷା ପ୍ରଦାନ କରିଥାଏ ।

Categories
ଆଜିର ଖବର ଖେଳ

ଆଇସିସି ଅମ୍ପାୟାର ପ୍ୟାନେଲ୍‌ରେ ସାମିଲ୍‌ ହେଲେ ଦୁଇ ଭାରତୀୟ ମହିଳା

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍‌ କାଉନ୍‌ସିଲ୍‌ ପକ୍ଷରୁ ଅମ୍ପାୟାର ପ୍ୟାନେଲ୍‌ ଘୋଷଣା କରାଯାଉଛି । ଆଇସିସି ପକ୍ଷରୁ ବୁଧବାର ଘୋଷିତ ନୂତନ ତାଲିକାରେ ଦୁଇ ଜଣ ଭାରତୀୟ ମହିଳା ଅମ୍ପାୟାର ପ୍ୟାନେଲ୍‌ରେ ସ୍ଥାନ ପାଇଛନ୍ତି । ଦୁଇ ଭାରତୀୟ ମହିଳା ଅମ୍ପାୟାର ଜନନୀ ନାରାୟଣନ୍‌ ଏବଂ ବୃନ୍ଦା ରାଠୀଙ୍କୁ ସାମିଲ କରାଯିବା ପରେ ଆଇସସିର ଅମ୍ପାୟର ସଂଖ୍ୟା 12କୁ ବୃଦ୍ଧି ପାଇଛି । ଆଇସିସି ପକ୍ଷରୁ 100% କ୍ରିକେଟ୍‌ କାର୍ଯ୍ୟକ୍ରମ ଜରିଆରେ ଏହି ଦୁଇ ମହିଳାଙ୍କୁ ସାମିଲ କରାଯାଇଛି । ଆଇସିସିର ବରିଷ୍ଠ ମ୍ୟାନେଜର ଆଡ୍ରିଆନ୍‌ ଗ୍ରିଫିଥ୍‌ ଦୁଇ ଭାରତୀୟଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଖେଳ

ଟି 20 ରାଙ୍କିଙ୍ଗ ଦ୍ବିତୀୟ ସ୍ଥାନରେ ରାହୁଲ୍‌ : ଦଶମ ସ୍ଥାନକୁ ଖସିଲେ କୋହ୍‌ଲି

ନୂଆଦିଲ୍ଲୀ : ସୋମବାର ଆଇସିସି ପକ୍ଷରୁ ବିଶ୍ବ ଟି 20 ରାଙ୍କିଙ୍ଗ ପ୍ରକାଶ ପାଇଛି । ଭାରତୀୟ ବ୍ୟାଟ୍ସମ୍ୟାନ୍‌ କେ ଏଲ୍‌ ରାହୁଲ୍‌ ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି ଦଶମ ସ୍ଥାନକୁ ଖସିଛନ୍ତି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ 5 ଟିକିଆ ଟି 20 ସିରିଜ୍‌ରେ ରାହୁଲ୍ 56 ଆଭରେଜ୍‌ରେ 224 ରନ୍‌ ସଂଗ୍ରହ କରିଥିଲେ । ବାବର ଆଜମ୍‌ ପୂର୍ବବତ୍‌ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଆରୋନ୍‌ ଫିଞ୍ଚ ତୃତୀୟ ସ୍ଥାନରେ ରହିଛନ୍ତି । ନ୍ୟୁଜିଲ୍ୟାଣ୍ଡ ସିରିଜ୍‌ ପୂର୍ବରୁ ରାହୁଲ୍‌ 12 ତମ ସ୍ଥାନରେ ରହିଥିବା ବେଳେ ବେଳେ ଏହି ସିରିଜ୍‌ ପରେ ଦଶଟି ସ୍ଥାନ ଉପରକୁ ଉଠିଛନ୍ତି । ଅନ୍ୟତମ ଭାରତୀୟ ରୋହିତ ଶର୍ମା 9ମ ସ୍ଥାନରେ ରହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଖେଳ

19 ବର୍ଷରୁ କମ୍‌ ବିଶ୍ବକପ୍‌ : ଭାରତର କ୍ରମାଗତ ତୃତୀୟ ବିଜୟ

ବ୍ଲଏମ୍‌ଫୋଣ୍ଟେନ୍‌ : 19 ବର୍ଷରୁ କମ୍‌ ବିଶ୍ବକପ୍‌ରେ ଭାରତୀୟ ଦଳ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବର୍ଷା ବାଧାପ୍ରାପ୍ତ ମୁକାବିଲାକୁ ଭାରତ 44 ରନ୍‌ରେ ଜିତି ନେଇଛି । ଏହି ବିଜୟ ସହିତ ଭାରତ ଗ୍ରୁପ୍‌ ଏର ପଏଣ୍ଟ ଟେବୁଲ୍‌ ଶୀର୍ଷରେ ରହିଛି । ବର୍ଷା କାରଣରୁ ମ୍ୟାଚ୍‌କୁ 23 ଓଭରକୁ ହ୍ରାସ କରାଯାଇଥିଲା । ଟସ୍‌ହାରି ପ୍ରଥମେ ବ୍ୟାଟିଂର ଆମନ୍ତ୍ରଣ ପାଇଥିବା ଭାରତ 23 ଓଭରରେ କୌଣସି ଓ୍ବିକେଟ୍‌ ନ ହରାଇ 115 ରନ୍‌ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ଦୁଇ ଓପ୍‌ନର ଯଶସ୍ବୀ ଜୟସ୍ବାଲ ଏବଂ ଦିବ୍ୟାଂଶ ସକ୍ସେନା ଅର୍ଦ୍ଧଶତକ ହାସଲ କରିଥିଲେ । ଜୟସ୍ବାଲ 77 ବଲ୍‌ର ସମ୍ମୁଖୀନ ହୋଇ 4 ଚୌକା ଏବଂ ଦୁଇ ଛକ୍କା ସହାୟତାରେ 57 ରନ୍‌ ସଂଗ୍ରହ କରିଥିବା ବେଳେ ଦିବ୍ୟାଂଶ 62 ବଲ୍‌ରୁ 6ଟି ଚୌକା ସହିତ 52 ରନ୍‌ ସଂଗ୍ରହ କରିଥିଲେ । ଡିଏଲ୍‌ ନିୟମ ଅନୁଯାୟୀ ନ୍ୟୁଜିଲ୍ୟାଣ୍ଡକୁ 23 ଓଭରରେ 192 ରନ୍‌ର ଲକ୍ଷ୍ୟ ପ୍ରଦାନ କରାଯାଇଥିଲା । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ପ୍ରଥମ 5 ଓଭରରେ 50 ରନ୍‌ ସଂଗୃହୀତ ହୋଇଥିବା ବେଳେ ଦୁଇ ସ୍ପିନର ମ୍ୟାଚର ରୂପରେଖ ବଦଳାଇଥିଲେ । ଦୁଇ ସ୍ପିନର ଅଥର୍ବ ଆଙ୍କୋଲେକର 3 ଏବଂ ରବି ବିଷ୍ଣୋଇ 4ଟି ଓ୍ବିକେଟ୍‌ ଅକ୍ତିଆର କରିବାରୁ ନ୍ୟୁଜିଲ୍ୟାଣ୍ଡ ବିଜୟରୁ ରନ୍‌ ଦୂରରେ ରହିଥିଲା । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ରିସ୍‌ ମାରିଉ(42) ଏବଂ ଫର୍ଗସ୍‌ ଲେଲ୍‌ମ୍ୟାନ୍‌ 31 ରନ୍‌ ସଂଗ୍ରହ କରିଥିଲେ । ନ୍ୟୁଜିଲ୍ୟଣ୍ଡର 7 ଜଣ ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କ ଛୁଇଁପାରନଥିଲେ । ଆଙ୍କୋଲେକର 28 ରନ୍‌ ବିନିମୟରେ 3ଟି ଏବଂ ବିଷ୍ଣୋଇ 27 ରନ୍‌ ବିନିମୟରେ 4ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଦୁଇ ପେସ୍‌ ବୋଲର କାର୍ତ୍ତିକ ତ୍ୟାଗୀ ଏବଂ ସୁଶାନ୍ତ ମିଶ୍ରା ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ରବି ବିଷ୍ଣୋଇଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।

Categories
ଆଜିର ଖବର ଖେଳ

ଆଇସିସି ଟେଷ୍ଟ ରାଙ୍କିଙ୍ଗ : ଏକ ନମ୍ବର ସ୍ଥାନ ବଜାୟ ରଖିଲେ କୋହଲି

ମୁମ୍ବାଇ : ଆଇସିସି ପକ୍ଷରୁ ନୂତନ ଟେଷ୍ଟ ରାଙ୍କିଙ୍ଗ ଶୁକ୍ରବାର ପ୍ରକାଶ ପାଇଛି । ସଦ୍ୟ ପ୍ରକାଶିତ ରାଙ୍କିଙ୍ଗରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ମାର୍ନସ ଲାବୁଶ୍ଚାଞ୍ଜେ ତୃତୀୟ ସ୍ଥାନରେ ରହିଛନ୍ତି । ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଉନ୍ନତ ପ୍ରଦର୍ଶନ କରିଥିବା ବେନ୍‌ ଷ୍ଟୋକ୍‌ସ ଅଲରାଉଣ୍ଡରଙ୍କ ତାଲିକାରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । କୋହଲିଙ୍କ ବ୍ୟତିତ ଚେତେଶ୍ବର ପୂଜାରା ଏବଂ ଆଜିଙ୍କ୍ୟ ରାହାଣେ ଟପ୍‌ଟେନ୍‌ରେ ରହିଛନ୍ତି । ଚେତେଶ୍ବର ପୂଜାରା ପୂଜାରା ପୂର୍ବବତ୍‌ ଷଷ୍ଠ ସ୍ଥାନରେ ରହିଥିବା ବେଳେ ଆଜିଙ୍କ୍ୟ ରାହାଣେ ଗୋଟିଏ ସ୍ଥାନ ଉପରକୁ ଉଠି ଅଷ୍ଟମ ସ୍ଥାନରେ ରହିଛନ୍ତି । (ଏଜେନ୍ସୀ)