Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଓଡିଶା ପାଭିଲିୟନରେ ଜନଜାତି ହସ୍ତକଳାର ଝଲକ

ନୂଆଦିଲ୍ଲୀ: ରାଜ୍ୟ ସରକାରଙ୍କ ଦ୍ଵାରା ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଗଠନ ହେବା ଫଳରେ ସେମାନଙ୍କ ଜୀବନ ଶୈଳୀରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହେବା ସହିତ ଓଡିଶାର ଜନଜାତି ସମୁଦାୟ ସମେତ ବିଲୁପ୍ତପ୍ରାୟ ଜନଜାତିଙ୍କ ସର୍ବାଙ୍ଗୀନ ଉନ୍ନତି ଏବଂ ସେମାନଙ୍କ କଳା, ସଂସ୍କୃତି ଓ ପରମ୍ପରାର ଆଶାତୀତ ସୁରକ୍ଷା ସମ୍ଭବ ହୋଇପାରିଛି। ଯାହାର ଝଲକ ଦେଖିବାକୁ ମିଳିଛି ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନରେ ଆୟୋଜିତ ହେଉଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଓଡିଶା ପାଭିଲିୟନରେ।

ରାଜ୍ୟ ସରକାରଙ୍କ ଅନୁସୂଚୀତ ଜାତି ଓ ଜନଜାତି ସଶକ୍ତିକରଣ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ପ୍ରଥମଥର ପାଇଁ ଏହି ବାଣିଜ୍ୟ ମେଳାରେ ଅଂଶ ଗ୍ରହଣ କରୁଛନ୍ତି। ପାଭିଲିୟନର ୧୯ ଓ ୨୦ ନମ୍ବର ଷ୍ଟଲରେ ଓଡିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ତରଫରୁ ଖୋଲାଯାଇଥିବା ଷ୍ଟଲରେ ଜନଜାତି ସଂପ୍ରଦାୟଙ୍କ ହସ୍ତ ସାମଗ୍ରୀ ମିଳୁଥିବା ବେଳେ, ଆଦିଶା (ADISHA) ଦ୍ଵାରା ୨୧ ନମ୍ବର ଷ୍ଟଲରେ କୋରାପୁଟ କଫି ମିଳୁଛି।

ପାଭିଲିୟନର ମଧ୍ୟ ଭାଗରେ ଥିବା ବୋଇତ ଉପରେ ନବରଙ୍ଗପୁର ଜିଲାରୁ ଆସିଥିବା ଭୋତ୍ତଡା ଜନଜାତି ସଂପ୍ରଦାୟ ଦ୍ଵାରା ଧାନରୁ ପ୍ରସ୍ତୁତ ବିଭିନ୍ନ ଦେବାଦେବୀ ଓ ଗୃହସଜ୍ଜା ସାମଗ୍ରୀ, ରାୟଗଡା ଜିଲ୍ଲାରୁ ଆସିଥିବା ଲାଞ୍ଜିଆ ସଉରା ଜନଜାତିଙ୍କ ଇଡ଼ିତାଲ ଚିତ୍ରକଳା, ଡଙ୍ଗରିଆ କନ୍ଧ ଜନଜାତିଙ୍କ ଦ୍ଵାରା ପ୍ରସ୍ତୁତ ଶାଲ ପ୍ରସ୍ତୁତିକୁ ମଧ୍ୟ ଦର୍ଶକମାନେ ସେମାନଙ୍କ କ୍ୟାମେରା ମାଧ୍ୟମରେ ସାଇତି ରଖିବା ସହିତ ଭୁରି ଭୁରି ପ୍ରଶଂସା କରୁଛନ୍ତି। ୨୦ ନମ୍ବର ଷ୍ଟଲରୁ ସେସବୁକୁ କିଣିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି।

ଏଥିସହିତ, ଜନଜାତି ସମ୍ପ୍ରଦାୟଙ୍କ ଆଭୂଷଣ ପ୍ରତି ବର୍ତ୍ତମାନର ଯୁବପିଢୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି, ଓରମାସ ତରଫରୁ ନବରଙ୍ଗପୁର ଜିଲ୍ଲାର ମା ବନଦୁର୍ଗା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ଜନଜାତି ଅଳଙ୍କାର ବିକ୍ରୟ କରାଯାଉଛି। ଓଡିଶା ପାଭଲିୟନ ମାଧ୍ୟମରେ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଅଂଶଗ୍ରହଣ କରିଥିବା ଜନଜାତି ସଂପ୍ରଦାୟ ସେମାନଙ୍କ ପାରମ୍ପରିକ ବେଶଭୁଷା ଓ ଆଭୂଷଣରେ ରହୁଥିବାରୁ, ସେମାନଙ୍କ ଜୀବନଶୈଳୀ, କଳା, ସଂସ୍କୃତି, ପରମ୍ପରା ସମ୍ପର୍କରେ ଜାଣିବା ପାଇଁ ମଧ୍ୟ ଦର୍ଶକମାନଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଉଛି।

ଏତଦବ୍ୟତୀତ, କୋରାପୁଟ କଫି କିଣିବା ପାଇଁ ଓଡିଶା ପାଭିଲିୟନରେ ମଧ୍ୟ ପ୍ରବଳ ଜନଗହଳି ରହୁଛି। ଗତକାଲି ଓଡିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଓଡିଶା ପାଭିଲିୟନ ପରିଦର୍ଶନ କରିଥିବା ସମୟରେ କୋରାପୁଟ କଫି ଚାଷ ଓ ଏହାର ପ୍ରକ୍ରିୟାକରଣକୁ ବ୍ୟାପକ କରାଯିବା ସହିତ ଏହାକୁ ବିଶ୍ଵ ବଜାର ସୁବିଧା ପ୍ରଦାନ କରିବା ପ୍ରସ୍ତାବ ରାଜ୍ୟ ସରକାରଙ୍କ ବିଚାରାଧୀନ ରହିଛି ବୋଲି ପ୍ରକାଶ କରିଥିଲେ।

ଗତ କାଲି ଅର୍ଥାତ ୨୩ ତାରିଖ ସୁଦ୍ଧା ବିଭାଗର ୩ ଟି ଷ୍ଟଲ ସମେତ ବୋଇତର ଡେକ ଉପରେ ବସିଥିବା ହସ୍ତଶିଳ୍ପୀ ଓ କଳାକାରମାନଙ୍କ ଦ୍ଵାରା ୩ ଲକ୍ଷ ୨୧ ହଜାର ୬୩୭ ଟଙ୍କାର ବ୍ୟବସାୟ ହୋଇଥିବାବେଳେ କେବଳ ଧାନ ହସ୍ତଶିଳ୍ପ ଷ୍ଟଲ ୧ ଲକ୍ଷ ୬୩ ହଜାର ୪୮୨ ଟଙ୍କାର ବ୍ୟବସାୟ କରିଛି ଏବଂ ଅନ୍ୟ ଦୁଇଟି ଷ୍ଟଲ ୧ ଲକ୍ଷ ୫୮ ହଜାର ୧୫୫ ଟଙ୍କାର ବ୍ୟବସାୟ କରିଛନ୍ତି।

୧୪ ତାରିଖରୁ ୨୩ ତାରିଖ ଅର୍ଥାତ ବିଗତ ୧୦ ଦିନ ମଧ୍ୟରେ ଓଡିଶା ପାଭିଲିୟନକୁ ପ୍ରାୟତଃ ୨ ଲକ୍ଷରୁ ଅଧିକ ଲୋକ ଆସିଥିବା ବେଳେ ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ୟବସାୟ ହୋଇଛି ବୋଲି ପାଭିଲିୟନ ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟ ରଞ୍ଜନ ମହାନ୍ତି ପ୍ରକାଶ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭାରତ ଅର୍ନ୍ତଜାତୀୟ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନକୁ ମିଳିଲା ଶ୍ରେଷ୍ଠ ପୁରସ୍କାର

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ ଦ୍ୱାରା ୪୧ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନକୁ ଅଂଶଗ୍ରହଣକାରୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ବିଶେଷ ପ୍ରଶଂସା ପ୍ରମାଣ ପତ୍ର ଟ୍ରଫିରେ ପୁରସ୍କୃତ କରାଯାଇଛି ।

ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନର ୭ ନମ୍ବର ହଲରେ ଆୟୋଜିତ ପୁରସ୍କାର ପ୍ରଦାନ ଉତ୍ସବରେ ଓଡ଼ିଶା ତରଫରୁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଏବଂ ଓଡ଼ିଶା ପାଭିଲିୟନର ନିର୍ଦ୍ଦେଶକ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗର ସ୍ୱତନ୍ତ୍ର ପ୍ରଦର୍ଶନୀ ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ନିଆଲ ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ ସିଂହ ଖରୋଲାଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ପୁରସ୍କାର ପାଇବା ପାଇଁ ଓଡ଼ିଶା ଯୋଗ୍ୟ ବିବେଚିତ ହୋଇଛି ବୋଲି ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ ତରଫରୁ ଗତକାଲି ସୂଚନା ମିଳିବା ପରେ ଓଡ଼ିଶା ପାଭିଲିୟନର ପ୍ରତ୍ୟେକ ଷ୍ଟଲର ପରିଚାଳକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । ସେହିପରି, ଅନ୍ୟ ରାଜ୍ୟ ପାଭିଲିୟନ୍‌ଗୁଡିକ ମଧ୍ୟ ଓଡ଼ିଶା ପାଭିଲିୟନକୁ ଆସି ସେମାନଙ୍କର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

ଟେରାକୋଟା କଳାକୃତି ଶୈଳୀରେ ନିର୍ମିିତ ଏବଂ ଲାଲ ଇଟାର ଭ୍ରମ ସୃଷ୍ଟି କରୁଥିବା ଓଡ଼ିଶା ପାଭିଲିୟନ ପ୍ରଥମ ଦିନରୁ ହିଁ ଦର୍ଶକମାନଙ୍କ ଅହେତୁକ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ଚଳିତ ବର୍ଷର ବିଷୟବସ୍ତୁ ‘ଭୋକାଲ୍‌ ଫର୍‌ ଲୋକାଲ, ଲୋକାଲ ଟୁ ଗ୍ଲୋବାଲ’ ଆଧାରରେ ଓଡ଼ିଶା ପାଭିଲିୟନ ଷ୍ଟଲରେ ମିଶନ୍‌ ଶକ୍ତି ମହିଳା ମଣ୍ଡଳ ଏବଂ ଓର୍‌ମାସ୍‌ର ପଞ୍ଜୀକୃତ ଗ୍ରାମ୍ୟ ଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ପଟ୍ଟଚିତ୍ର ପ୍ରଦର୍ଶିତ ହୋଇଛି।

ସେହିପରି ଡୋକ୍ରା ସାମଗ୍ରୀ, ଲାଖ, କାଇଁଚ ଓ ସବାଇ ଘାସ, ଏବଂ ଅବ୍ୟବହୃତ କାଗଜରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ସମେତ କୋରାପୁଟ କଫି, କନ୍ଧମାଳର ଅଦା ଓ ହଳଦୀ, ଓଡ଼ିଶା ମିଲେଟ ମିଶନ ତରଫରୁ ମିଲେଟ ଜାତୀୟ ଶସ୍ୟରୁ ନିର୍ମିତ ବିସ୍କୁଟ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ, ବୟନିକା ବସ୍ତ୍ର, ଉତ୍କଳିକାର ରୂପା ତାରକସୀ ଏବଂ କୁଟୀର ଶିଳ୍ପ ସାମଗ୍ରୀ ପାଇଁ ଅସମ୍ଭବ ଭିଡ ଲାଗି ରହିଥିଲା।

ଏଥି ସହିତ, ଆଗାମୀ ଦିନରେ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ଓ ବିଶ୍ୱକପ ହକି ସମ୍ପର୍କରେ ମଧ୍ୟ ବ୍ୟାପକ ପ୍ରଚାର ପ୍ରସାର ପାଇଁ ସୁବନ୍ଦୋବସ୍ତ ହୋଇଥିଲା। ଦର୍ଶକମାନଙ୍କ ଅନ୍ୟତମ ପ୍ରମୁଖ ଆକର୍ଷଣ ଥିଲା ଓଡ଼ିଶା ମିଲେଟ ମିଶନର ମାସ୍କଟ ‘ମିଲି’।

ଓଡ଼ିଶାର ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ ଗତ ୧୪ ତାରିଖ ଦିନ ଏହାକୁ ଉଦ୍‌ଘାଟନ କରିଥିବାବେଳେ ବିଭିନ୍ନ ଦିବସରେ ଗ୍ରାମ୍ୟ ଉନ୍ନୟନ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡେଇ, ଭଦ୍ରକ ଲୋକସଭା ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ଓଡ଼ିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ ଡଃ. ଲେନିନ ମହାନ୍ତି, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସମ୍ପାଦିକା କସ୍ତୁରୀ ମହାପାତ୍ର, ସୂଚନା ଓ ଲୋକସମ୍ପର୍କ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଯୋଗଦେଇଥିଲେ।

ସେହିପରି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ, ଭାରତ ସରକାରଙ୍କ ବେସାମରିକ ବିମାନ ଉଡାଣ ସୁରକ୍ଷା ବ୍ୟìରୋର ମହା-ନିର୍ଦ୍ଦେଶିକା ଶ୍ରୀମତୀ ଉଷା ପାଢୀ, ରାଷ୍ଟ୍ରୀୟ ନିଯୁକ୍ତି ପ୍ରଦାନ ସଂସ୍ଥାର ସଚିବ ତଥା ମୁଖ୍ୟ ନିର୍ବାହୀ ଶ୍ରୀ ସଂଜୀବ ମିଶ୍ର, ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ରଙ୍ଗଲାଲ ଜାମୁଡା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀଙ୍କ ସମେତ ଅନ୍ୟାନ୍ୟ ରାଜ୍ୟର ବରିଷ୍ଠ ପଦାଧିକାରୀ ପ୍ରମୁଖ ଓଡ଼ିଶା ମଣ୍ଡପ ପରିଦର୍ଶନ କରି, ଏହାର ସାଜସଜ୍ଜା, ପରିଷ୍କାର-ପରିଚ୍ଛନ୍ନତା, ଗ୍ରାହକ ଓ ତଥ୍ୟ ସଂଗ୍ରହକାରୀଙ୍କ ପ୍ରତି ଉତ୍କୃଷ୍ଟ ଆତିଥେୟତା ପାଇଁ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ଭୂୟସୀ ପ୍ରଶଂସା କରିବା ସହିତ ଓଡ଼ିଶା ପାଭିଲିୟନ୍‌ ପୁରସ୍କାର ପାଇବା ପାଇଁ ପ୍ରମୁଖ ଦାବିଦାର ବୋଲି ମତବ୍ୟକ୍ତ କରିଥିଲେ।

ସେହିପରି, ଗତ ୨୪ ତାରିଖ ଦିନ ପ୍ରଗତି ମୈଦାନର ଆମ୍ଫି ଥିଏଟରରେ ଆୟୋଜିତ ଓଡ଼ିଶା ରାଜ୍ୟ ଦିବସକୁ ମାନନୀୟ ମନ୍ତ୍ରୀ ଶ୍ରୀଯୁକ୍ତ ଘଡେଇ ଉଦ୍‌ଘାଟନ କରିବା ସହିତ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟìର ସ୍ୱତନ୍ତ୍ର ସଂଖ୍ୟାକୁ ଉନ୍ମୋଚନ କରିଥିଲେ। ଉକ୍ତଦିନ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ସୁପ୍ରତିଷ୍ଠିତ ନାଟ୍ୟ ଅନୁଷ୍ଠାନମାନଙ୍କ ଦ୍ୱାରା ପରିବେଷିତ ଓଡିଶୀ, ସମ୍ବଲପୁରୀ, ବଜାଶାଲ ଓ ଆଧୁନିକ ଫ୍ୟìଜନ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା। ବିଗତ ୧୪ ଦିନ ମଧ୍ୟରେ ଓଡ଼ିଶା ମଣ୍ଡପକୁ ଲକ୍ଷାଧିକ ଜନ ସମାଗମ ହୋଇଥିବାବେଳେ ଆନୁମାନିକ ୪୦ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିଲା।

ଆଜିର ଏହି ପୁରସ୍କାର ପ୍ରଦାନ ଉତ୍ସବରେ ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଭୁ ନାୟାର, ସାଧାରଣ ପରିଚାଳକ ଶ୍ରୀଯୁକ୍ତ ବିମଳ କୁମାର ଦୁବେ, ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଆୟୋଜନ ଦାୟିତ୍ୱରେ ଥିବା ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନର ସ୍ୱତନ୍ତ୍ର ଅଧିକାରୀ କର୍ଣ୍ଣେଲ ପୁଷ୍ପମ କୁମାରଙ୍କ ସମେତ ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ଆବାସିକ ଉପାୟୁକ୍ତ ଶ୍ରୀ ସୁଧାଂଶୁ ଶେଖର ମହାନ୍ତି, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ପ୍ରଦର୍ଶନୀ ଅଧିକାରୀ ଶ୍ରୀ ଦୀପକ କୁମାର ସାହୁ ଏବଂ ବାଣିଜ୍ୟ ମେଳା ପାଇଁ ନିୟୋଜିତ ସୂଚନା ଓ ଲୋକସମ୍ପର୍କ ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଚଳିତ ବର୍ଷ ଓଡ଼ିଶାକୁ ପ୍ରାପ୍ତ ଆନୁମାନିକ ୪୬୦ ବର୍ଗ ମିଟର ସ୍ଥାନରେ ନିର୍ମିତ ଓଡ଼ିଶା ମଣ୍ଡପର ଡିଜାଇନ ଭୁବନେଶ୍ୱରର ଭର୍ଚ୍ୟୟାଲ କମ୍ୟୁନିକେଶନ୍‌ କରିଥିବା ବେଳେ କଟକର ଭାରତୀ ଚିତ୍ରାଳୟ ଏହାର ନିର୍ମାଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନୂଆଦିଲ୍ଲୀରେ ଉନମୋଚିତ ହେଲା ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ୟୁ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ IITF ମେଳାର ଓଡ଼ିଶା ଦିବସ କାର୍ଯ୍ୟକ୍ରମରେ ଆଜି ଓଡିଶା ସରକାରଙ୍କ ମୁଖପତ୍ର ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ସ୍ବତନ୍ତ୍ର ସଂସ୍କରଣ ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡାଇଙ୍କ ଦ୍ବାରା ଉନ୍ମୋଚିତ ହୋଇଛି। ଉତ୍କଳ ପ୍ରସଙ୍ଗ ସମ୍ପାଦକ ଶ୍ରୀମତୀ କସ୍ତୁରୀ ମହାପାତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ପ୍ରଗତି ମୈଦାନ ଆମ୍ଫିଥିଏଟରରେ ଅନୁଷ୍ଠିତ ଏହି ସମାରୋହରେ ଓଟିଡିସି ଅଧ୍ୟକ୍ଷ ଡ. ଲେନୀନ୍ ମହାନ୍ତି, ରେସିଡେଣ୍ଟ୍ କମିଶନର ଶ୍ରୀ ରବିକାନ୍ତ, ସ୍ବତନ୍ତ୍ର ରେସିଡେଣ୍ଟ କମିଶନର ଶ୍ରୀମତୀ ଦେବଯାନୀ ଚକ୍ରବର୍ତ୍ତୀ, ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ମଣ୍ଡପ,ବରିଷ୍ଠ ପଦାଧିକାରୀଙ୍କ ପରିଦର୍ଶନ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆଜି ସପ୍ତମ ଦିବସ। ନଭେମ୍ବର ୧୪ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ବାଣିଜ୍ୟ ମେଳାକୁ ଗତକାଲିଠାରୁ ଦର୍ଶକମାନଙ୍କ ସୁଅ ଛୁଟିଛି। ଗତକାଲିଠାରୁ ସର୍ବସାଧାରଣଙ୍କ ପାଇଁ ଏହି ମେଳା ଖୋଲାଯିବା ପରେ ଓଡ଼ିଶା ପାଭିଲିୟନ୍‌କୁ ହଜାର ହଜାର ଦର୍ଶକଙ୍କ ସୁଅ ଛୁଟିଛି। ପାଭିଲିୟନ୍‌ର ସୁନ୍ଦର ସାଜସଜ୍ଜାରେ ଆକୃଷ୍ଟ ହୋଇ ଦର୍ଶକମାନେ ବହୁସଂଖ୍ୟାରେ ସେଲ୍‌ଫି ନେବା ପରିଲକ୍ଷିତ ହୋଇଥିଲା।

ଆଜି ପୂର୍ବାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ପ୍ରଥମେ ଓଡ଼ିଶା ମଣ୍ଡପକୁ ପରିଭ୍ରମଣ କରିବା ପରେ ନିକଟସ୍ଥ ଅନ୍ୟ କେତେକ ରାଜ୍ୟର ମଣ୍ଡପ ବୁଲି ଦେଖିଥିଲେ। ପରେ ପରେ ଉପସ୍ଥିତ ବିଭାଗୀୟ ପଦାଧିକାରୀମାନଙ୍କ ସହିତ ଆଲୋଚନା ସମୟରେ ଓଡ଼ିଶା ମଣ୍ଡପର ସାଜସଜ୍ଜାକୁ ନେଇ ସନ୍ତୋଷ ବ୍ୟକ୍ତ କରିବା ସହିତ ଚଳିତ ବର୍ଷର ଅଭିଜ୍ଞତାକୁ ପାଥେୟ କରି ଆଗାମୀ ବର୍ଷରେ ଏହାଠାରୁ ଉନ୍ନତ ଓ ଉତ୍କୃଷ୍ଟ ମାନର କରିବାକୁ ପରାମର୍ଶ ଦେଇଥିଲେ।

ବିଗତ ଦିନମାନଙ୍କରେ ଦର୍ଶକମାନଙ୍କ ଉପସ୍ଥିତି, କ୍ରୟ-ବିକ୍ରୟର ସ୍ଥିତି, ବହୁଳ ପ୍ରଚାରପ୍ରସାର ପାଇଁ ଗଣମାଧ୍ୟମ ଜରିଆରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମେତ ଓଡ଼ିଶା ଦିବସ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ପଚାରି ବୁଝିଥିଲେ।

ଅନୁରୂପ ଭାବେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏବଂ ବେସାମରିକ ବିମାନ ଉଡ଼ାଣ ପ୍ରାଧିକରଣର ମହାନିର୍ଦ୍ଦେଶିକା ଶ୍ରୀମତୀ ଉଷା ପାଢ଼ୀ ମଧ୍ୟ ଆଜି ଓଡ଼ିଶା ମଣ୍ଡପର ସମସ୍ତ ଷ୍ଟଲକୁ ବୁଲି ଦେଖିଥିଲେ। ଏହି ଅବସରରେ ସେ ସୂଚନା ଓ ଲୋକସଂପର୍କ ବିଭାଗ ତତ୍ତ୍ୱାବଧାନରେ ହୋଇଥିବା ମଣ୍ଡପ ଡିଜାଇନ ସମେତ ଅନ୍ୟ ସମସ୍ତ ଆନୁଷଙ୍ଗିକ ସାଜସଜ୍ଜା ଓ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ।

ବିଶେଷ କରି, କୋରାପୁଟ କଫି, ହକି ଓ ମିଲେଟ୍‌ର ପ୍ରଚାର-ପ୍ରସାର ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ନେଇ ନିଜର ଖୁସି ବ୍ୟକ୍ତ କରିଥିଲେ। ଓଡ଼ିଶା ମିଲେଟ୍‌ ମିଶନର ମାସ୍କଟ ‘ମିଲି’ ସହ ସେଲ୍‌ଫି ନେବା ସହିତ ସମ୍ବଲପୁରୀ ବସ୍ତ୍ରର ପ୍ରଚାରପ୍ରସାର ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ସମ୍ୟକ ସୂଚନା ଦେଇଥିଲେ। ଓଡ଼ିଶା ମଣ୍ଡପରେ ପ୍ରବଳ ଜନସମାଗମକୁ ଦୃଷ୍ଟିରୁ ରଖି ଦିଲ୍ଲୀ ପୋଲିସ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ନୂଆଦିଲ୍ଲୀରେ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନ, ବିଶେଷ ଆକର୍ଷଣ ମିଲେଟ୍‌ ମିଶନ

ଭୁବନେଶ୍ୱର: ଆଜି ଅପରାହ୍ନରେ ନୂଆଦିଲ୍ଲୀ ପ୍ରଗତି ମଇଦାନଠାରେ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନକୁ ପଂଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତର୍ନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ ଶୁଭ ଉଦଘାଟନ କରିଛନ୍ତି ।

ଏହି ଉଦଘାଟନୀ ଉତ୍ସବରେ ଆବାସିକ କମିଶନର ଶ୍ରୀ ରବିକାନ୍ତ, ସ୍ୱତନ୍ତ୍ର ଆବାସିକ କମିଶନର ଶ୍ରୀମତୀ ଦେବଜାନୀ ଚକ୍ରବର୍ତ୍ତୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ ଉପସ୍ଥିତ ଥିଲେ । ଚଳିତ ୪୧ତମ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶାର କଳାବାସ୍ତୁ ଓ କାରିଗରୀର ନିଖୁଣ ଅବତାରଣା କରାଯାଇ ଏଠାରେ ପ୍ରଦର୍ଶିତ କରାଯାଇଛି । ଏଥିରେ ମିଲେଟ୍‌ ମିଶନ ପ୍ରମୁଖତା ସହିତ ପ୍ରଦର୍ଶିତ ହୋଇଛି ।

ସର୍ବମୋଟ ୨୪ଗୋଟି ଷ୍ଟଲରେ ମିଲେଟ୍‌ ମିଶନ ସମେତ ଓରମାସ, ମିଶନ ଶକ୍ତି, ବୟନିକା, ଉତ୍କଳିକା, କୋରାପୁଟ କଫି, ଟସର ଶିଳ୍ପ, ଜନଜାତି ଅଳଙ୍କାର, କଟକ ତାରକସି କାମ ଏବଂ ନୂତନ ପିଢିର ଉଦ୍ୟୋଗୀଙ୍କ ଦ୍ୱାରା ନିର୍ମିତ ଷ୍ଟାର୍ଟ ଅପ ପ୍ରଭୃତି ସ୍ଥାନୀତ ହୋଇଛି ।
ମେଳାର ଉଦଘାଟନୀ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଥିଲେ ଯେ ଓଡିଶା ବର୍ତ୍ତମାନ ବିଶ୍ୱରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ପ୍ରମୁଖତା ହାସଲ କରିଛି ।

ଆମେ କୋଭିଡର ଦ୍ୱିତୀୟ ଲହର ସମୟରେ ସମଗ୍ର ଦେଶରେ ଅମ୍ଳଜାନ ଯୋଗାଇ ଜନତାଙ୍କ ସହିତ ଦୃଢ ଭାବେ ଛିଡା ହୋଇଛୁ ଏବଂ ବର୍ତ୍ତର୍ମାନ ଆମେ ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ନେତୃତ୍ୱ ନେଉଛୁ । ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଭିଡିଓ ବାର୍ତ୍ତା ଜରିଆରେ ପ୍ରବାସୀ ଓଡିଆମାନଙ୍କୁ ମେଳାର ସଫଳତା ପାଇଁ ଆହ୍ୱାନ ଜଣାଇଛନ୍ତି ।

ଅନୁରୂପ ଭାବେ ଉଦଘାଟନୀ ଅବସରରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ଅମାତ କହିଥିଲେ ଯେ ଓଡିଶା ଆଂଚଳିକ ସ୍ତରରେ ହେଉଥିବା ପ୍ରତ୍ୟେକଟି ସୂକ୍ଷ୍ମ ଓ କାରିଗରୀପୂର୍ଣ୍ଣ ମୂଲ୍ୟବାନ ସାମଗ୍ରୀକୁ ବିଶ୍ୱସ୍ତରରେ ପହଂଚାଇବା ପାଇଁ ଏହା ମେଳା ହେଉଛି ଏକ ପ୍ରକୃଷ୍ଟ ମଂଚ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ତୃଣମୂଳସ୍ତରରୁ ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଇବା ଉଦ୍ଦେଶ୍ୟରେ କାର୍ଯ୍ୟକାରୀ କରାଯାଉଥିବା ଯୋଜନାଗୁଡିକର ସଫଳତା ଏହି ମେଳାରେ ପ୍ରତିଫଳିିତ ହୋଇଛି ।

ପୁଷ୍ଟିସାଧନ ଓ କର୍ମନିଯୁକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନେଇଥିବା ଓଡିଶା ମିଲେଟ୍‌ ମିଶନ, ପୁରୁଷ ହକି ବିଶ୍ୱକପ୍‌ ଆୟୋଜନର ଏଠାରେ ସ୍ୱତନ୍ତ୍ର ପ୍ରଚାର କରାଯାଇଛି । ଏଥି ସହିତ ଆଗାମୀ ୩ୟ ମେକ ଇନ୍‌ ଓଡିଶା କନକ୍ଲେଭକୁ ଏଠାରେ ବିଜ୍ଞାପିତ କରାଯାଇଛି । ଏହି ମେଳା ମାଧ୍ୟମରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଗ୍ରାହକମାନେ ଓଡିଶାର ଉପିାଦ ପ୍ରତି ଆକୃଷ୍ଟ ହେବେ ବୋଲି ମନ୍ତ୍ରୀ ଶ୍ରୀ ଅମାତ ଆଶାପ୍ରକଟ କରିଥିଲେ ।

ନଭେମ୍ବର ୧୪ରୁ ୨୭ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି ବାଣିଜ୍ୟ ମେଳାରେ ନଭେମ୍ବର ୨୪ତାରିଖ ଦିନ ସ୍ୱତନ୍ତ୍ର ଭାବେ ଓଡିଶା ରାଜ୍ୟ ଦିବସ ପାଳନ କରାଯିବ । ଅପରାହ୍ନ ଘ୨.୩୦ମି ରୁ ଘ୪.୦୦ମି ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡିଶାରୁ ନିମନ୍ତ୍ରିତ ହୋଇଥିବା ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନଗୁଡିକ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରିବା ସ୍ଥିରୀକୃତ ହୋଇଛି ।

ସମ୍ପୂର୍ଣ୍ଣ ଟେରାକୋଟା ଢାଂଚାରେ ନିର୍ମିତ ଏହି ମଣ୍ଡପ ଅଧିକ ଆକର୍ଷଣୀୟ ହେବା ସହ ଲୋକଙ୍କର ବେଶ୍‌ ପସନ୍ଦ ହୋଇଥିବା ପରିଲକ୍ଷିତ ହୋଇଛି । ଏହି ମଣ୍ଡପ ଢାଂଚାର ପରିକଳ୍ପନା ଭର୍ଚୁ କମୁ୍ୟନିକେଶନ, ଭୁବନେଶ୍ୱର କରିଥିବାବେଳେ ଏହାର ନିର୍ମାଣ ଭାରତୀ ଚିତ୍ରାଳୟ, କଟକ ଦ୍ୱାରା ସମ୍ପାଦିତ ହୋଇଛି ।