ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ପରେ, ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ଦୁଇଟି ଗତିରୋଧ ସ୍ଥାନ ଡେମଚୋକ ଏବଂ ଦେପସାଙ୍ଗରୁ ସୈନ୍ୟ ପ୍ରତ୍ୟାହାର କାର୍ଯ୍ୟ ଶେଷ ହୋଇଛି ଏବଂ ଖୁବ୍ ଶୀଘ୍ର ଏହି ସ୍ଥାନଗୁଡିକରେ ପାଟ୍ରୋଲିଂ ଆରମ୍ଭ ହେବ। ବୁଧବାର ଦିନ ଭାରତୀୟ ସେନା ସୂତ୍ରରୁ ଏହି ସୂଚନା ଦିଆଯାଇଛି। ସୂତ୍ରରୁ ପ୍ରକାଶ ଯେ, ଗୁରୁବାର ଦିନ ଦୀପାବଳି ଅବସରରେ ଉଭୟ ପକ୍ଷ ମଧ୍ୟରେ ମିଠା ବିନିମୟ ହେବ।
ଭାରତରେ ଚୀନ୍ ରାଷ୍ଟ୍ରଦୂତ ଜୁ ଫେଇହୋଙ୍ଗ କୋଲକାତାରେ ଏକ ଇଭେଣ୍ଟ ସମୟରେ ସୈନ୍ୟ ପ୍ରତ୍ୟାହାର ସହ ଜଡିତ ପ୍ରଶ୍ନ ଉପରେ କହିଛନ୍ତି ଯେ, ‘ମୁଁ ଆଶା କରୁଛି ଯେ ଏହି ବୁଝାମଣା ଅନୁଯାୟୀ ଭବିଷ୍ୟତ ସମ୍ପର୍କ ସୁରୁଖୁରୁରେ ଆଗକୁ ବଢିବ ଏବଂ ଉଭୟ ପକ୍ଷ ମଧ୍ୟରେ ନିର୍ଦ୍ଦିଷ୍ଟ ମତଭେଦ ଦୂର ହେବ। ସହମତି ବାଧାପ୍ରାପ୍ତ ହେବ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମତଭେଦକୁ କିପରି ମୁକାବିଲା କରାଯିବ। ପୂର୍ବ ଲଦାଖରେ ଥିବା LAC ଉପରେ ପାଟ୍ରୋଲିଂ ଏବଂ ସୈନ୍ୟବାହିନୀକୁ ନେଇ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିନାମା ଚାରି ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଥିବା ବିବାଦକୁ ଶେଷ କରିବାରେ ଏକ ପ୍ରମୁଖ ସଫଳତା ଭାବରେ ଦେଖାଯାଉଛି।