Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଓଡ଼ିଶା ପାଭିଲିୟନରେ ଶୋଭାପାଉଛି ମହିଳା ସଶକ୍ତିକରଣ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଆଧାରରେ ମିଶନ ଶକ୍ତି ବିଭାଗ ଅଧୀନରେ ୭୦ ଲକ୍ଷରୁ ଊଦ୍ଧ୍ୱର୍ ମହିଳାଙ୍କୁ ନେଇ ଗଠିତ ୭ ଲକ୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଶକ୍ତିକରଣର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି, ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଓଡ଼ିଶା ପାଭିଲିୟନରେ। ତାହା ସହିତ, ସହରୀ ସଭ୍ୟତାର ଚାକଚକ୍ୟରୁ ମୁହଁ ଫେରେଇ କ୍ରମଶଃ ଗ୍ରାମ୍ୟ ସଭ୍ୟତା ପ୍ରତି ଲୋକମାନଙ୍କର ଆଗ୍ରହ ମଧ୍ୟ ଦେଖିବାକୁ ମିଳିଛି, ଏହି ଷ୍ଟଲମାନଙ୍କରେ।

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଓଡ଼ିଶା ପାଭିଲିୟନରେ ମିଶନ ଶକ୍ତି ବିଭାଗର ୫ ଟି ଷ୍ଟଲ ମଧ୍ୟରୁ ଗୋଟିଏ ଷ୍ଟଲରେ କନ୍ଧମାଳ ଜିଲ୍ଲାର ଜୟଶ୍ରୀ ମହିଳା ମଣ୍ଡଳ ଦ୍ୱାରା ସଂଗୃହୀତ ଓ ପ୍ରକ୍ରିୟାକୃତ ହଳଦୀ, ଅଦା, ଗୋଲମରିଚ, ପାମ୍ପଡ ଆଦି ବିଭିନ୍ନ ପ୍ରକାର ସାମଗ୍ରୀ ରହିଥିବାବେଳେ ଅନ୍ୟ ଏକ ଷ୍ଟଲରେ ପୁରୀ ଜିଲାର ରଘୁରାଜପୁର ସ୍ଥିତ ଗୃହଲକ୍ଷ୍ମୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ଷ୍ଟଲରେ ମିଳୁଛି ବିଶ୍ୱପ୍ରସିଦ୍ଧ ପଟ୍ଟଚିତ୍ର।

ପ୍ରଥମ ଥର ପାଇଁ ବାଲେଶ୍ୱରର ବାମପଦା ଜଉ କଣ୍ଢେଇ ମହିଳା ମଣ୍ଡଳ ଦ୍ୱାରା ପ୍ରସ୍ତୁତ ଷ୍ଟଲରେ ସମସ୍ତ ବୟସର ଲୋକଙ୍କ ଭିଡ ଲାଗିରହୁଛି । ପାରିବାରିକ ସୁଖସମୃଦ୍ଧି ବୃଦ୍ଧି ପାଇଁ ଜଉ ନିର୍ମିତ ଗୌରୀଶଙ୍କର କଣ୍ଢେଇ, ମହିଳାମାନଙ୍କ ପାଇଁ ବିଭିନ୍ନ ଡିଜାଇନର ଚୁଡି ଓ ଶଙ୍ଖା, ଗୃହ ସାଜସଜ୍ଜା ସାମଗ୍ରୀ, ପିଲାମାନଙ୍କ ପାଇଁ ଜଉ କଣ୍ଢେଇ ଆଦି ମିଳୁଛି।

ସେହିପରି ଆଦିବାସୀ ଚିତ୍ରକଳା ଏବଂ ପୌରାଣିକ କଥାବସ୍ତୁ ଚିତ୍ରରେ ଚିତ୍ରିତ ଝୋଟ ନିର୍ମିତ ବ୍ୟାଗ ନେଇ ଆସିଥିବା କୋଣାର୍କର ଓମ ଗାୟତ୍ରୀ ମହିଳା ମଣ୍ଡଳ ଷ୍ଟଲରେ ମଧ୍ୟ ଭିଡ ଲାଗି ରହୁଛି। ଅନ୍ୟ ଷ୍ଟଲରେ ବୁଲୁଥିବା ଲୋକଙ୍କ ହାତରେ ଦେଖିବାକୁ ମିଳୁଛି ଏହି ମହିଳା ମଣ୍ଡଳ ଦ୍ୱାରା ନିର୍ମିତ ବିଭିନ୍ନ ଆକୃତି ଓ ଡିଜାଇନର ଝୋଟ ବ୍ୟାଗ। ଏହି ଷ୍ଟଲରେ ଝୋଟରେ ନିର୍ମିତ ଲାପଟପ ବ୍ୟାଗ, ମହିଳାଙ୍କ ମନିପର୍ସ, ଭାନିଟି ବ୍ୟାଗ, ପାଣି ବୋତଲ ବ୍ୟାଗ, ଅନ୍ୟାନ୍ୟ ବ୍ୟବହାର ପାଇଁ ବ୍ୟାଗ ଆଦି ମିଳୁଛି।

ମୟୂରଭଞ୍ଜର ଜୟ ମା ଦୁର୍ଗା ମହିଳା ମଣ୍ଡଳ ଆଣିଥିବା ତମ୍ବା ନିର୍ମିତ ଡୋକରା ସାମଗ୍ରୀ ଷ୍ଟଲରେ ଜନଜାତି ବ୍ୟବହାର କରୁଥିବା ବିଭିନ୍ନ ଡିଜାଇନର ଅଳଙ୍କାର ମଧ୍ୟ ମିଳୁଥିବାରୁ ଏହି ଷ୍ଟଲଟି ସମସ୍ତଙ୍କର ବିଶେଷ କରି ଯୁବପିଢିଙ୍କ ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ଓଡିଶା ପାଭିଲିୟନର ସାଜସଜ୍ଜା ଓ ପରିପାଟୀ ବେଶ୍‌ ରୁଚିସମ୍ପନ୍ନ ହୋଇଥିବାରୁ ସେଲଫି ନେବା ପାଇଁ ଲୋକମାନଙ୍କର ଏଠାରେ ଗହଳି ଦେଖିବାକୁ ମିଳୁଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ନୂଆଦିଲ୍ଲୀରେ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନ, ବିଶେଷ ଆକର୍ଷଣ ମିଲେଟ୍‌ ମିଶନ

ଭୁବନେଶ୍ୱର: ଆଜି ଅପରାହ୍ନରେ ନୂଆଦିଲ୍ଲୀ ପ୍ରଗତି ମଇଦାନଠାରେ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନକୁ ପଂଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତର୍ନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ ଶୁଭ ଉଦଘାଟନ କରିଛନ୍ତି ।

ଏହି ଉଦଘାଟନୀ ଉତ୍ସବରେ ଆବାସିକ କମିଶନର ଶ୍ରୀ ରବିକାନ୍ତ, ସ୍ୱତନ୍ତ୍ର ଆବାସିକ କମିଶନର ଶ୍ରୀମତୀ ଦେବଜାନୀ ଚକ୍ରବର୍ତ୍ତୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ ଉପସ୍ଥିତ ଥିଲେ । ଚଳିତ ୪୧ତମ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶାର କଳାବାସ୍ତୁ ଓ କାରିଗରୀର ନିଖୁଣ ଅବତାରଣା କରାଯାଇ ଏଠାରେ ପ୍ରଦର୍ଶିତ କରାଯାଇଛି । ଏଥିରେ ମିଲେଟ୍‌ ମିଶନ ପ୍ରମୁଖତା ସହିତ ପ୍ରଦର୍ଶିତ ହୋଇଛି ।

ସର୍ବମୋଟ ୨୪ଗୋଟି ଷ୍ଟଲରେ ମିଲେଟ୍‌ ମିଶନ ସମେତ ଓରମାସ, ମିଶନ ଶକ୍ତି, ବୟନିକା, ଉତ୍କଳିକା, କୋରାପୁଟ କଫି, ଟସର ଶିଳ୍ପ, ଜନଜାତି ଅଳଙ୍କାର, କଟକ ତାରକସି କାମ ଏବଂ ନୂତନ ପିଢିର ଉଦ୍ୟୋଗୀଙ୍କ ଦ୍ୱାରା ନିର୍ମିତ ଷ୍ଟାର୍ଟ ଅପ ପ୍ରଭୃତି ସ୍ଥାନୀତ ହୋଇଛି ।
ମେଳାର ଉଦଘାଟନୀ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଥିଲେ ଯେ ଓଡିଶା ବର୍ତ୍ତମାନ ବିଶ୍ୱରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ପ୍ରମୁଖତା ହାସଲ କରିଛି ।

ଆମେ କୋଭିଡର ଦ୍ୱିତୀୟ ଲହର ସମୟରେ ସମଗ୍ର ଦେଶରେ ଅମ୍ଳଜାନ ଯୋଗାଇ ଜନତାଙ୍କ ସହିତ ଦୃଢ ଭାବେ ଛିଡା ହୋଇଛୁ ଏବଂ ବର୍ତ୍ତର୍ମାନ ଆମେ ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ନେତୃତ୍ୱ ନେଉଛୁ । ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଭିଡିଓ ବାର୍ତ୍ତା ଜରିଆରେ ପ୍ରବାସୀ ଓଡିଆମାନଙ୍କୁ ମେଳାର ସଫଳତା ପାଇଁ ଆହ୍ୱାନ ଜଣାଇଛନ୍ତି ।

ଅନୁରୂପ ଭାବେ ଉଦଘାଟନୀ ଅବସରରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ଅମାତ କହିଥିଲେ ଯେ ଓଡିଶା ଆଂଚଳିକ ସ୍ତରରେ ହେଉଥିବା ପ୍ରତ୍ୟେକଟି ସୂକ୍ଷ୍ମ ଓ କାରିଗରୀପୂର୍ଣ୍ଣ ମୂଲ୍ୟବାନ ସାମଗ୍ରୀକୁ ବିଶ୍ୱସ୍ତରରେ ପହଂଚାଇବା ପାଇଁ ଏହା ମେଳା ହେଉଛି ଏକ ପ୍ରକୃଷ୍ଟ ମଂଚ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ତୃଣମୂଳସ୍ତରରୁ ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଇବା ଉଦ୍ଦେଶ୍ୟରେ କାର୍ଯ୍ୟକାରୀ କରାଯାଉଥିବା ଯୋଜନାଗୁଡିକର ସଫଳତା ଏହି ମେଳାରେ ପ୍ରତିଫଳିିତ ହୋଇଛି ।

ପୁଷ୍ଟିସାଧନ ଓ କର୍ମନିଯୁକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନେଇଥିବା ଓଡିଶା ମିଲେଟ୍‌ ମିଶନ, ପୁରୁଷ ହକି ବିଶ୍ୱକପ୍‌ ଆୟୋଜନର ଏଠାରେ ସ୍ୱତନ୍ତ୍ର ପ୍ରଚାର କରାଯାଇଛି । ଏଥି ସହିତ ଆଗାମୀ ୩ୟ ମେକ ଇନ୍‌ ଓଡିଶା କନକ୍ଲେଭକୁ ଏଠାରେ ବିଜ୍ଞାପିତ କରାଯାଇଛି । ଏହି ମେଳା ମାଧ୍ୟମରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଗ୍ରାହକମାନେ ଓଡିଶାର ଉପିାଦ ପ୍ରତି ଆକୃଷ୍ଟ ହେବେ ବୋଲି ମନ୍ତ୍ରୀ ଶ୍ରୀ ଅମାତ ଆଶାପ୍ରକଟ କରିଥିଲେ ।

ନଭେମ୍ବର ୧୪ରୁ ୨୭ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି ବାଣିଜ୍ୟ ମେଳାରେ ନଭେମ୍ବର ୨୪ତାରିଖ ଦିନ ସ୍ୱତନ୍ତ୍ର ଭାବେ ଓଡିଶା ରାଜ୍ୟ ଦିବସ ପାଳନ କରାଯିବ । ଅପରାହ୍ନ ଘ୨.୩୦ମି ରୁ ଘ୪.୦୦ମି ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡିଶାରୁ ନିମନ୍ତ୍ରିତ ହୋଇଥିବା ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନଗୁଡିକ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରିବା ସ୍ଥିରୀକୃତ ହୋଇଛି ।

ସମ୍ପୂର୍ଣ୍ଣ ଟେରାକୋଟା ଢାଂଚାରେ ନିର୍ମିତ ଏହି ମଣ୍ଡପ ଅଧିକ ଆକର୍ଷଣୀୟ ହେବା ସହ ଲୋକଙ୍କର ବେଶ୍‌ ପସନ୍ଦ ହୋଇଥିବା ପରିଲକ୍ଷିତ ହୋଇଛି । ଏହି ମଣ୍ଡପ ଢାଂଚାର ପରିକଳ୍ପନା ଭର୍ଚୁ କମୁ୍ୟନିକେଶନ, ଭୁବନେଶ୍ୱର କରିଥିବାବେଳେ ଏହାର ନିର୍ମାଣ ଭାରତୀ ଚିତ୍ରାଳୟ, କଟକ ଦ୍ୱାରା ସମ୍ପାଦିତ ହୋଇଛି ।