Categories
ବିଶେଷ ଖବର

ମୋଦୀ-ଶାହଙ୍କ ନୂଆ ରାଜନୈତିକ ଶବ୍ଦକୋଷ , ଭାରତୀୟ ରାଜନୀତିରେ ଅଭଦ୍ରାମି, ଅଶ୍ଳୀଳତା ଓ ହିଂସ୍ର ଭାଷାର ବିପୁଳ ବଜାର 

କେଦାର ମିଶ୍ର

-ଯେଉଁମାନେ ନାଗରିକ ସଂଶୋଧନ ଆଇନକୁ ବିରୋଧ କରୁଛନ୍ତି, ସେମାନଙ୍କୁ ମୁଁ ଜିଅନ୍ତା ପୋତି ଦେବିଆମେ ପୋଲିସକୁ ପୂର୍ଣ୍ଣ ସ୍ଵାଧୀନତା ଦେଇଛୁ। ସେମାନେ ଯଦି ଜଣକୁ ମାରିବେ, ତାହେଲେ ପୋଲିସ ଦଶ ଜଣଙ୍କୁ ମାରିବ।   -ରଘୁରାଜ ସିଂ, ଉତ୍ତର ପ୍ରଦେଶର  ମନ୍ତ୍ରୀ

– ପ୍ରତିବାଦକାରୀଙ୍କୁ ଆମେ ଛାଡ଼ିବୁ ନାହିଁଆମେ ପ୍ରତିଶୋଧ ନିଶ୍ଚୟ ନେବୁ। – ଆଦିତ୍ୟନାଥ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ।

– ଆମ ଦଳର (ବିଜେପିର) ସରକାର ଯେଉଁଠି ଅଛି ଆମେ ସେଠାରେ ନାଗରିକ ସଂଶୋଧନ ଆଇନକୁ ବିରୋଧ କରୁଥିବା ଲୋକଙ୍କୁ କୁକୁଡ଼ା ପରି ଗୁଳିକାରି ମାରିଛୁ। – ଦିଲୀପ ଘୋଷ, ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତି।

– ଟୁକଡେ ଟୁକଡେ ଗ୍ୟାଙ୍ଗକୁ ଦିଲ୍ଲୀର ଜନତା ଉଚିତ ଜବାବ ଦେବେ- ଅମିତ ଶାହ, ଗୃହମନ୍ତ୍ରୀ।

-କେବଳ ଅର୍ବାନ ନକ୍ସଲ ନାଗରିକ ସଂଶୋଧନ ଆଇନର ବିରୋଧ କରୁଛନ୍ତି। -ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ।

-ମୁଁ ଅସାଦୁଦ୍ଦିନ ଓୱେଶୀର ଦାଢି ପୋଡି ଦେବି ଓ ତାକୁ ମୁଣ୍ଡ ତଳକୁ ଗୋଡ ଉପରକୁ କରି ଟଙ୍ଗେଇ ଦେବି   – ଡି.ଅରବିନ୍ଦ, ବିଜେପି ସାଂସଦ। 

ସମ୍ବିଧାନର ଶପଥ ନେଇ ଶାସନ କରୁଥିବା ପାଞ୍ଚ ଜଣ ଦାୟିତ୍ଵବାନ ପ୍ରଶାସକ ଓ ଲୋକ ପ୍ରତିନିଧିଙ୍କର ବୟାନ ଇଏ। ଭାରତର ରାଜନୀତିରେ ଆମେ ବହୁ ସରକାର ଓ ବହୁ ଦଳର କ୍ଷମତା ଦଖଲ ଅଭିଯାନ ଦେଖିଛି। ହେଲେ କୌଣସି ରାଜନୈତିକ ଦଳର ନେତା ବା ଲୋକ ପ୍ରତିନିଧି ଏତେ ନୀଚ ସ୍ତରର ଭାଷା ସର୍ବ ସାଧାରଣରେ ବ୍ୟବହାର କରନ୍ତି ନାହିଁ। ଖୋଦ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଠାରୁ  ଆରମ୍ଭ କରି ଟୁଇଟ ପିଛା ଦୁଇ ଟଙ୍କା ରୋଜଗାର କରୁଥିବା ବିଜେପିର “ଟ୍ରୋଲ” ପର୍ୟନ୍ତ, ସମସ୍ତଙ୍କ ଲାଗି ହିଂସା ଓ ଅସହିଷ୍ଣୁତା ସାଧାରଣ ବିଷୟ ପାଲଟି ଯାଇଛି। ସେମାନେ କାହାକୁ କେତେବେଳେ କିଛି ବି କହିଦେଇ ପାରିବେ। ସ୍ଵାଧୀନତା ଓ ସମ୍ବିଧାନକୁ ଉପହସିତ କରାଇ ଏ ପ୍ରକାର ରାଜନୈତିକ ଗୁଣ୍ଡାମୀ, ଭାରତ ସ୍ଵାଧୀନତା ପରେ କେବେ ଦେଖିନଥିଲା। କଂଗ୍ରେସ ଶାସନ ସମୟରେ ଆମେ ତୋଷାମଦର ଭାଷା ଦେଖିଛୁ। ହେଲେ ଏଇ ସ୍ତରର ଗୁଣ୍ଡାମୀ ଜରୁରୀକାଳୀନ ପରିସ୍ଥିତି ବେଳେ ମଧ୍ୟ ଦେଖା ଯାଇନଥିଲା।

ରାଜନୈତିକ ଭାଷା ପ୍ରୟୋଗରେ ତଳସ୍ତରର କର୍ମୀମାନେ ଅନେକ ସମୟରେ ନୀଚ ସ୍ତରର କିମ୍ବା ହିଂସା ମିଶ୍ରିତ ଭାଷାର ପ୍ରୟୋଗ କରୁଥିଲେ। ସର୍ବୋଚ୍ଚ ରାଜନୈତିକ ସ୍ତରରେ ସବୁବେଳେ ସମ୍ଭ୍ରମତା ଓ ସୌଜନ୍ୟତାବୋଧର ବିଶେଷ ଆଦର ରହିଥିଲା। ଦକ୍ଷିଣ ଓ ବାମପନ୍ଥୀ ରାଜନୀତିର ଉଗ୍ର ସମୟରେ ମଧ୍ୟ ସର୍ବୋଚ୍ଚ ସ୍ତରର ନେତାମାନେ ନିଜ ଭାଷା ପ୍ରତି ବେଶ ସଚେତନ ରହୁଥିଲେ। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତିରୁ ଆସିଥିବା ଅଟଳ ବିହାରୀ ବାଜପାୟୀ, ଲାଲକୃଷ୍ଣ ଆଡଭାନୀ, କୁଶାଭାଉ ଠାକରେ ହୁଅନ୍ତୁ ବା ବାମପନ୍ଥୀ ବିଚାରରୁ ଆସିଥିବା ଇନ୍ଦ୍ରଜିତ ଗୁପ୍ତା, ଜ୍ୟୋତି ବସୁ ବା ସୋମନାଥ ଚାଟାର୍ଜି, ଏହି ତୁଙ୍ଗ ନେତାମାନେ ସାଧାରଣ ଜୀବନରେ ଭାଷାର ମର୍ୟାଦାବୋଧକୁ କେବେହେଲେ ଉଲ୍ଲଂଘନ କରିନାହାନ୍ତି। ଲାଲକୃଷ୍ଣ ଆଡଭାନୀ ଭାରତୀୟ ରାଜନୀତିରେ ସବୁଠୁ ଉଗ୍ର ଓ ବିଷାକ୍ତ ରାଜନୀତିରୁ ଆସିଛନ୍ତି, ହେଲେ ନିଜର ଭାଷଣ ଓ ଉଚ୍ଚାରଣରେ ଆଡଭାନୀଙ୍କର ଏକ ମର୍ୟାଦାବୋଧ ସବୁବେଳେ ରହିଥିଲା।

ହଠାତ ଆଜି ଏ ହିଂସ୍ର ପାଗଳାମି କାହିଁକି? ଉଗ୍ର, ହିଂସ୍ର, ଅଶ୍ଳୀଳ ଓ ଉନ୍ମାଦ ଭାଷା ପ୍ରୟୋଗକୁ ରାଜନୀତିରେ ଅତି ସାଧାରଣଭାବରେ ଆମେ ଗ୍ରହଣ କରିନେଉଛୁ କେମିତି? “ଭଦ୍ରଲୋକଙ୍କ ରାଜ୍ୟ” ଭାବରେ ପରିଚିତ ପଶ୍ଚିମବଙ୍ଗ ରାଜନୀତିରେ ବର୍ତ୍ତମାନ ସବୁଠୁ ଅଭଦ୍ର ଭାଷାର ପ୍ରୟୋଗ ଚାଲିଛି। ଏହି ଅଭଦ୍ର ପ୍ରତିଯୋଗିତାରେ ସବୁଠୁ ଆଗରେ ଅଛନ୍ତି ବିଜେପିର ପଶ୍ଚିମବଙ୍ଗ ରାଜ୍ୟ ସଭାପତି ଦିଲୀପ ଘୋଷଏ ମହାଶୟ, ସତେକି ପେଟରେ ପେଟେ ଜହର ଧରି ବୁଲୁଛନ୍ତି। ତାଙ୍କ ମୁହଁ ଖୋଲିଲେ କେବଳ ବିଷ ହିଁ ବାହାରୁଛି। ବିଜେପିକୁ ସାମ୍ନା କରିବାକୁ ଯାଇ ତୃଣମୂଳ କଂଗ୍ରେସର ନେତାମାନେ ମଧ୍ୟ ଏ ପ୍ରକାର ଅଭାଷା ପ୍ରୟୋଗ କରିବାକୁ ପଛଉନାହାନ୍ତି।

କେବଳ ଯେ ରାଜନୈତିକ ଭାଷଣବାଜିରେ ଏହା ବ୍ୟବହାର ହେଉଛି ତା ନୁହେଁ, ଜାତୀୟ ଗଣମାଧ୍ୟମରେ ଏ ପ୍ରକାର ଭାଷା ଆଜିକାଲି ଅତି ସାଧାରଣ ହୋଇ ଯାଇଛି। ବିଜେପି ମୁଖପାତ୍ର ସଂବିତ ପାତ୍ର, ଗୌରବ ଭାଟିଆ, ଜିଭିଏଲ ନରସିଂହ ରାଓ, ଅମିତାଭ ସିହ୍ନା, ବିଜେପି ଆଇଟି ସେଲର ମୁଖିଆ ଅମିତ ମାଲବ୍ୟ ପ୍ରମୁଖ ଜାତୀୟ ଗଣମାଧ୍ୟମରେ ଅଭଦ୍ରାମିର ଶିଳ୍ପ ଖୋଲି ବସିଛନ୍ତି। ବିଜେପି ଓ ଏହାର ତଥାକଥିତ ସଂଘ ବିଚାରକମାନେ ଜାତୀୟ ଟେଲିଭିଜନରେ ରାଜନୈତିକ ବିତର୍କକୁ ଗାଳିଗୁଲଜର ସ୍ତରକୁ ନେଇ ଆସିଛନ୍ତି। ଏ ପ୍ରକାର କୁକୁର ଲଢେଇରେ ରେଫରି ଭାବରେ କିଛି ନାମକରା ସାମ୍ବାଦିକ ରହିଛନ୍ତି।

ହାଶଟାଗ ସାମ୍ବାଦିକତା ଓ ଆଇଟି ସେଲ ରାଜନୀତିର ପରିଣତି ସ୍ଵରୂପ ଆଜି ଆମେ ଗୋଟେ ହିଂସ୍ର ରାଜନୈତିକ ଭାଷାର ଶିକାର ହୋଇସାରିଛୁ। ସେ ପ୍ରକାର ଭାଷାକୁ ଆଜିର ସର୍ବୋଚ୍ଚ ରାଜନୈତିକ ନେତୃତ୍ଵ ନିଜର ବଡ ସାମର୍ଥ୍ୟ ବୋଲି ଭାବୁଛନ୍ତି। ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ସ୍ତରର ନେତା ମଧ୍ୟ ଅନେକ ସମୟରେ ଦୁଇ ଟଙ୍କିଆ ଟ୍ରୋଲର ଭାଷାକୁ ବଡ ଆନନ୍ଦରେ ବ୍ୟବହାର କରୁଛନ୍ତି। ତେଣୁ ଏହି ପ୍ରକାର ଅବକ୍ଷୟ ପଛରେ ଏହି ନେତାଙ୍କର ଭୂମିକା ରହିଛି ନିଶ୍ଚୟ। ଯଦି ପ୍ରଧାନମନ୍ତ୍ରୀ ଟ୍ରୋଲ ଭଳି ବ୍ୟବହାର କରିବେ ତାହେଲେ, ଟ୍ରୋଲର ଭାଷା କଣ ହେବ?         

Categories
ବିଶେଷ ଖବର

ଜେନେରାଲ ବିପିନ ରାୱତ, ସେନାପତିର ୱର୍ଦି ଓ ରାଜନୀତି ଏକାସାଙ୍ଗରେ ରହିବା ଆମର ଗଣତନ୍ତ୍ର ଲାଗି ଶୁଭ ସୂଚନା ନୁହେଁ!!

କେଦାର ମିଶ୍ର

ଭାରତୀୟ ଗଣତନ୍ତ୍ରର ସବୁଠୁ ବଡ ଉପଲବ୍ଧି ହେଉଛି, ଗତ ସତୁରୀ ବର୍ଷ ଧରି ଆମର ସେନାବାହିନୀ ଓ ସାଧାରଣ ପ୍ରଶାସନ ନିଜ ନିଜର ସୀମାରେ ରହି କାମ କରିଛନ୍ତିଲୋକଙ୍କ ଦ୍ଵାରା ନିର୍ବାଚିତ ସରକାର ସାଧାରଣ ଶାସନର ଦାୟିତ୍ଵ ନେଇଥିବା ବେଳେ ଏ ସମ୍ପର୍କରେ ସେନାବାହିନୀ ସବୁବେଳେ ମର୍ୟାଦାଜନକ ଦୂରତାରେ ରହି ଆସିଛିକୌଣସି ସେନାନାୟକ ଆମ ଦେଶରେ ଦାୟିତ୍ବରେ ଥିବାବେଳେ ରାଜନୀତି ସମ୍ପର୍କରେ ବା ରାଜନୈତିକ ବିଚାର ସମ୍ପର୍କରେ କୌଣସି ମତ ରଖିନାହାନ୍ତି। ଅବସର ପରେ ଅନେକ ସେନାମୁଖ୍ୟ ରାଜନୀତିକୁ ଆସିଛନ୍ତି ଓ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଶାସନର ଦାୟିତ୍ଵ ସମ୍ଭାଳିଛନ୍ତି। ହେଲେ ଦାୟିତ୍ଵ ସମ୍ଭାଳୁଥିବା ସମୟରେ ସେମାନେ ରାଜନୀତି ସହ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସମ୍ପୃକ୍ତ ରହିନାହାନ୍ତି। ନରେନ୍ଦ୍ର ମୋଦୀ ସରକାରରେ ମନ୍ତ୍ରୀ ରହିଥିବା ପୂର୍ବତନ ସେନାବାହିନୀ ମୁଖ୍ୟ ଜେନେରାଲ ଭି.କେ.ସିଂଙ୍କ ଠାରୁ ଆରମ୍ଭ କରି କଂଗ୍ରେସ ରେ ଯୋଗ ଦେଇଥିବା ଜେନେରାଲ ଶଙ୍କର ରାୟ ଚୌଧୁରୀଙ୍କ ପର୍ୟନ୍ତ, ସମସ୍ତେ ଏହି ମର୍ୟାଦା ପାଳନ କରିଛନ୍ତି। ପ୍ରଥମଥର ଲାଗି ଆମେ ଦେଖୁଛୁ, ଆଜିର ସେନାବାହିନୀ ମୁଖ୍ୟ ଜେନେରାଲ ବିପିନ ରାୱତ ଶାସକ ଦଳର ରାଜନୀତି ସପକ୍ଷରେ ଖୋଲାଖୋଲି ମତବ୍ୟକ୍ତ କରୁଛନ୍ତି।

ବର୍ତ୍ତମାନ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆମର ଛାତ୍ରଛାତ୍ରୀମାନେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଛନ୍ତି। ସେମାନେ ଏହି ଆଇନକୁ ବିରୋଧ କରୁଛନ୍ତି କାରଣ, ଏହି ଆଇନ ଦେଶର ସମ୍ବିଧାନରେ ରହିଥିବା ମୌଳିକ ଧର୍ମ ନିରପେକ୍ଷ ନୀତିର ବିରୁଦ୍ଧାଚରଣ କରୁଛି। ଏହି ପ୍ରତିବାଦକୁ ଖୋଲାଖୋଲି ବିରୋଧ କରିବା ଦେଶର ସର୍ବୋଚ୍ଚ ସେନାନାୟକଙ୍କ ପକ୍ଷରେ ସମୀଚୀନ କି? ଦେଶର ରାଜନୀତି ସହିତ ସେନାବାହିନୀ ସମ୍ପୃକ୍ତ ହେବା, ଆମ ଗଣତନ୍ତ୍ର ଲାଗି ଏକ ଅଶୁଭ ସଙ୍କେତ ନୁହେଁ କି? ୧୯୪୭, ୧୯୬୨, ୧୯୬୯, ୧୯୭୧ ଓ ୧୯୯୮ ରେ ଯେତେବେଳେ ଆମେ ପଡୋଶୀଙ୍କ ସହିତ ଯୁଦ୍ଧ କରିଛୁ, ସେତେବେଳେ ମଧ୍ୟ ଦେଶର ଆଭ୍ୟନ୍ତରୀଣ ରାଜନୀତି ପ୍ରସଙ୍ଗରେ ଆମର ସେନା ନୀରବ ରହିଛନ୍ତି। ତାହା ହିଁ ଆମ ଗଣତନ୍ତ୍ରର ସବୁଠୁ ବଡ ସଫଳତା

ସାଧାରଣ ପ୍ରଶାସନ ଓ ସାମରିକ ପ୍ରଶାସନ ସବୁବେଳେ ନିଜ ନିଜର ସୀମା ଭିତରେ ରହି ଆସିଥିବାରୁ ଆମେ କେବେହେଲେ ସାମରିକ ଶାସନ ଭଳି ବିପଜ୍ଜନକ ସ୍ଥିତି ଆଡକୁ ଯାଇନାହୁଁ। ୧୯୪୦ ଦଶକରେ ଭାରତ ସହିତ ସ୍ଵାଧୀନତା ପାଇଥିବା ଅନେକ ଦେଶ ସାମରିକ ଶାସନର ବିଷଚକ୍ରରେ ପଡିଥିବା ବେଳେ ଭାରତ ନିଜର ଗଣତନ୍ତ୍ରକୁ ଅକ୍ଷୁଣ୍ଣ ରଖିପାରିଛି। ଆମର ପଡୋଶୀ ଶ୍ରୀଲଙ୍କା, ପାକିସ୍ତାନ, ବର୍ମା, ବାଂଲାଦେଶ ଓ ମାଲଦୀପ ବାରମ୍ବାର ସାମରିକ ଶାସନ ଦ୍ଵାରା କବଳିତ ହୋଇଛନ୍ତି। ଭାରତରେ ସାମରିକ ପ୍ରଶାସନ ନିଜକୁ ରାଜନୀତି ଠାରୁ ଦୂରେଇ ନିରପେକ୍ଷ ଭୂମିକାରେ ରହୁଥିବାରୁ ଆମର ଗଣତନ୍ତ୍ର ସୁରକ୍ଷିତ ରହି ଆସିଛି। ସତୁରୀ ବର୍ଷ ଧରି ଆମର କୌଣସି ସେନାନାୟକ ସାଧାରଣ ପ୍ରଶାସନ, ରାଜନୈତିକ ଦଳ ବା ରାଜନୈତିକ ବିଚାର ସମ୍ପର୍କରେ କୌଣସି ମତ ରଖିନଥିଲେ।

ଜେନେରାଲ ବିପିନ ରାୱତ ତାର ବ୍ୟତିକ୍ରମ ହେବାକୁ ଚାହିଁବାର କାରଣ କଣ? ଜେନେରାଲ ରାୱତ ଆଉ ମାତ୍ର ଚାରିଦିନ ପରେ ଚାକିରିରୁ ଅବସର ନେବେ। ସେହି ସମୟରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଥିବା ଦେଶର ସାଧାରଣ ଲୋକଙ୍କ ବିରୋଧରେ ଜେନେରାଲ ରାୱତ ଭାଷଣ ଦେବା ଏକ ଅଶୁଭ ସଙ୍କେତ ଦେଉଛିଆମର ସାମରିକ ଶାସନ ବ୍ୟବସ୍ଥା ରାଜନୀତି ପ୍ରତି ମୋହଗ୍ରସ୍ତ ହେବା ଫଳରେ ସେନାବାହିନୀର ନିରପେକ୍ଷ ଚରିତ୍ରକୁ ନେଇ ସନ୍ଦେହ ଉଠିବା ସ୍ଵାଭାବିକସେନାବାହିନୀ ରାଜନୀତିର ଉର୍ଦ୍ଧ୍ଵରେ ରହି ଜାତୀୟ ଅନୁଷ୍ଠାନର ସମ୍ମାନ ପାଉଥିବା ବେଳେ ଆମର ସେନାନାୟକମାନେ ରାଜନୀତି କରିବା, ଗଣତନ୍ତ୍ର ଲାଗି ବିପଜ୍ଜନକ

ଏ ପ୍ରସଙ୍ଗରେ ସାଧାରଣ ପ୍ରଶାସନର ମୁଖିଆ ଭାବରେ ମାନ୍ୟବର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ନିଜର ଦାୟିତ୍ଵ ନିର୍ବାହ କରିବା ଉଚିତ। ସେନାବାହିନୀ ନିଜର ଦାୟିତ୍ଵ ସମ୍ପର୍କରେ ସବୁବେଳେ ସତର୍କ ଓ ସଚେତନ ଅଛନ୍ତି ବୋଲି ଆମେ ଗର୍ବିତ। ହେଲେ ସେନାବାହିନୀର ରାଜନୀତିକରଣ ଆମଲାଗି ଆଦୌ ଗ୍ରହଣୀୟ ବ୍ୟବସ୍ଥା ନୁହେଁଆଗାମୀ ଦିନରେ ତିନି ସେନାବାହିନୀର ମୁଖ୍ୟ ଭାବରେ ଜଣେ ସାମରିକ ମୁଖ୍ୟଙ୍କୁ ସରକାରଙ୍କ ମୁଖ୍ୟ ସାମରିକ ଉପଦେଷ୍ଟା ଦାୟିତ୍ଵ ଦିଆଯିବ। ସେଥିଲାଗି ଜେନେରାଲ ରାୱତଙ୍କ ନାମ ଶୁଣା ଯାଉଛି। ସେହି ସମୟରେ ତାଙ୍କର ପ୍ରତ୍ୟକ୍ଷ ରାଜନୈତିକ ବୟାନ ଆଦୌ ସୈନିକ ସୁଲଭ ଆଚରଣ ନୁହେଁ ବୋଲି କହିବାକୁ  ଆମେ ବାଧ୍ୟ। ଏ ଦେଶରେ ନେତୃତ୍ଵ ର ଚେହେରା ଓ ବିଚାର କଣ ହେବ, ତାହା ଏ ଦେଶର ଜନ ସାଧାରଣ ନିର୍ଣ୍ଣୟ କରିବେ। ସେ ସମ୍ପର୍କରେ ସେନାବାହିନୀର କୌଣସି ଭୂମିକା ରହିବା ଉଚିତ ନୁହେଁ।  

Categories
ବିଶେଷ ଖବର

କ୍ଷମତାର ଲଢେଇ ମଧ୍ୟରେ ସମ୍ପର୍କ ଫିକା : ଭାରତୀୟ ରାଜନୀତିରେ କ୍ଷମତା ବନାମ ପରିବାର

ସାଗରିକା

ଭାରତୀୟ ରାଜନୀତିରେ କ୍ଷମତା ପାଇଁ ବାପ-ପୁଅ, ଭାଇ –ଭାଇ ମଧ୍ୟରେ ବିବାଦ କିଛି ନୂଆ କଥା ନୁହେଁ। ରାଜତନ୍ତ୍ରଠାରୁ ଆରମ୍ଭକରି ଆଜିର ଗଣତନ୍ତ୍ର ପର୍ଯ୍ୟନ୍ତ ସବୁଠି କ୍ଷମତାର ମାୟାରେ ବାୟା। କ୍ଷମତା ପାଇଁ କେତେ ପରିବାର ଭାଙ୍ଗିଛି, ପୁଣି କେତେ ଶତ୍ରୁ ମିତ୍ର ହୋଇଛନ୍ତି, ତାହା ଆକଳନ କରିବା ଅସମ୍ଭବ। ତେବେ ନିକଟରେ ଚାଲିଥିବା ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ କ୍ଷମତା ପାଇଁ ପରିବାର ଫାଟ ସୃଷ୍ଟି ହୋଇଛି। ମହାରାଷ୍ଟ୍ରରେ ବିଜେପିକୁ ସମର୍ଥନ ଦେଇ ଏନ୍‌ସିପି ନେତା ଅଜିତ୍‌ ପାଓ୍ବାର ନିଜ ପରିବାର ବିରୋଧରେ ଯାଇଛନ୍ତି। ତେବେ ପ୍ରଥମଥର ପାଇଁ ଅଜିତ୍‌ ପାଓ୍ବାରା କ୍ଷମତା ପାଇଁ ପରିବାର ବିରୋଧରେ ଯାଇନାହାନ୍ତି। ରାଜନୀତିରେ ଏହି ମାହୋଲ୍‌ରେ ବହୁ ଖ୍ୟାତିସମ୍ପନ୍ନ ପରିବାର ମଧ୍ୟ କ୍ଷମତା ପାଇଁ ଭାଗବଣ୍ଟା ହୋଇଯାଇଛନ୍ତି। ରାଜନୀତିରେ କ୍ଷମତା ପାଇଁ ସମେସ୍ତ ନିଜ ନିଜ ବାଟକୁ ବାଛିନେଇଥା’ନ୍ତି।  ଭାରତୀୟ ରାଜନୀତିର ସବୁଠୁ ପ୍ରଭାବଶାଳୀ ତଥା ଚର୍ଚ୍ଚିତ ରାଜନୈତିକ ପରିବାର ହେଉଛି ଗାନ୍ଧି ପରିବାର। କ୍ଷମତା ଯୁଦ୍ଧରୁ ମଧ୍ୟ ଏହି ପରିବାର ମଧ୍ୟ ନିସ୍ତାର ପାଇନାହିଁ। ଗାନ୍ଧି ପରିବାର ଓ କଂଗ୍ରେସଠାରୁ ଅଲଗା ହୋଇଥିଲେ ସଞ୍ଜୟ ଗାନ୍ଧି। ସଞ୍ଜୟଙ୍କ ସ୍ତ୍ରୀ ମାନେକା ଓ ପୁଅ ବରୁଣ ଗାନ୍ଧି ଆଜି ବିଜେପିର ସାଂସଦ ରୂପେ ରହିଛନ୍ତି। ସେହିପରି ସିନ୍ଧିଆ ପରିବାରରେ ମଧ୍ୟ କ୍ଷମତାର ଯୁଦ୍ଧ ହୋଇଥିଲେ। ଗୋଟିଏ ପଟରେ ମାଧବରାଓ ସିନ୍ଧିଆଙ୍କ ଭଉଣୀ ତଥା ବସୁନ୍ଧରା ରାଜେ ବିଜେପିରେ ଥିବାବେଳେ ପୁଅ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରେ ରହିଛନ୍ତି। ଏମାନଙ୍କ ପରି ଅନେକ ପରିବାର ରାଜନୀତିର କ୍ଷମତା ଲଢେଇ ଭିତରେ ଭାଗ ଭାଗ ହୋଇଯାଇଛନ୍ତି। ସେହି ଭାଗ ହୋଇଯାଇଥିବା ପରିବାରଙ୍କ ମଧ୍ୟରେ ରହିଛନ୍ତି –

ଦେବୀଲାଲ୍‌ 

୧୯୮୯ରେ ହରିୟାଣାର ବରିଷ୍ଠ ନେତା ଦେବୀଲାଲ୍‌ ବିପିସିଂ ସରକାରରେ ଯେତେବେଳେ ଉପ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇଥିଲେ। ସେତେବେଳେ ସେ ହରିୟାଣାର ମୁଖ୍ୟମନ୍ତ୍ରୀ ଥିଲେ। ଦେବୀଲାଲ୍‌ ଉପପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ ପରିବାର ଭାଗ ହୋଇଯାଇଥିଲା। ଦେବୀଲାଲ୍‌ଙ୍କ ପରେ ତାଙ୍କ ରାଜନୈତିକ କମାଣ ଓମ୍‌ ପ୍ରକାଶ ଚୌତାଲଙ୍କ ହାତରେ ରହିଥିଲା। କିନ୍ତୁ ତାଙ୍କର ଅନ୍ୟ ପୁତ୍ର ରଣଜୀତ ଚୌତାଲା ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଥିଲେ। ରଣଜିତ୍‌ ଓମ୍‌ପ୍ରକାଶଙ୍କ ମୁଖ୍ୟମନ୍ତ୍ରୀ ହେବା ପରେ ଦଳ ଛାଡ଼ି କଂଗ୍ରେସରେ ସାମିଲ୍‌ ହୋଇଥିଲେ।ରାଜନୀତି ପାଇଁ ଚୌତାଲା ପରିବାର ଭାଙ୍ଗିବା ଏତିକିରେ ସରିନଥିଲା। ଗତ ବର୍ଷ ଓମ୍‌ପ୍ରକାଶ ଚୌତାଲ୍‌ଙ୍କ ଦୁଇ ପୁଅ ମଧ୍ୟ କ୍ଷମତା ପାଇଁ ଅଲଗା ହୋଇଯାଇଛନ୍ତି। ଓମ୍‌ପ୍ରକାଶ ଅଭୟ ଚୌତାଲାଙ୍କ ହାତରେ ଆଇଏନ୍‌ଏଲ୍‌ର କମାଣ ରହିଥିବାବେଳେ ଦୁଷ୍ୟନ୍ତ ଅଲଗା ହୋଇ ଜେଜେପି ଦଳ ଗଠନ କରିଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ୧୦ଟି ଆସନ ଜିତି ବିଜେପି ସହ ମିଶି ସରକାରରେ ରହିଛନ୍ତି।

ଠାକ୍‌ରେ ପରିବାର

ମହାରାଷ୍ଟ୍ର ରାଜନୀତିରେ ସବୁଠୁ ପ୍ରଭାବଶାଳୀ ପରିବାର ହେଉଛନ୍ତି ଠାକ୍‌ରେ ପରିବାର। ବାଲାସାହେବ ଠାକ୍‌ରେଙ୍କ ‘ଶିବସେନା’ ଭାରତୀୟ ରାଜନୀତିରେ ଦବଦବା ରଖିଆସିଛି। ତେବେ ଏହି ପ୍ରଭାବଶାଳୀ ପରିବାରରେ ମଧ୍ୟ କ୍ଷମତା ଲଢେଇ ରହିଛି। ୧୫ ବର୍ଷ ପୂର୍ବେ ଏହି ପରିବାର କ୍ଷମତା ପାଇଁ ଭାଙ୍ଗିଯାଇଛି। ବାଲାଠାକେର୍‌ଙ୍କ ପୁତୁରାଙ୍କ ରାଜ୍‌ ଠାକ୍‌ରେ ନିଜ ଦାଦାଙ୍କ ପଦାଙ୍କ ଅନୁସରଣ କରିଥିଲେ। ପ୍ରାୟ ସମେସ୍ତ ଜାଣିଥିଲେ ଯେ, ଶିବସେନାର କମାଣ ପୁତୁରା ରାଜ୍‌ ଠାକ୍‌ରେଙ୍କ ହାତରେ ହିଁ ରହିବ। କିନ୍ତୁ କ୍ଷମତାର ଏହି ଲଢେଇ ଭିତରେ ବାଜି ମାରିନେଇଥିଲେ ବାଲ୍‌ ଠାକ୍‌ରେଙ୍କ ପୁତ୍ର ଉଦ୍ଧବ ଠାକ୍‌ରେ। ୨୦୦୪ ମସିହାରେ ବାଲ୍‌ଠାକ୍‌ରେ ଉଦ୍ଧବ ଠାକ୍‌ରେଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ରୂପେ ନିଯୁକ୍ତି କରି ନିଜର ଉତ୍ତରାଧିକାରୀ ବାଛିନେଇଥିଲେ। ଏହାପରେ ରାଜ୍‌ ଠାକ୍‌ରେ ୨୦୦୫ରେ ଶିବସେନାରୁ ନିଜକୁ ଅଲଗା କରିଦେଇଥିଲେ। ୨୦୦୬ରେ ମହାରାଷ୍ଟ୍ରରେ ନବ ନିର୍ମାଣ ସେନା ନାମରେ ଏକ ନୂତନ ଦଳ ନିର୍ମାଣ କରିଥିଲେ।

ଚନ୍ଦବାବୁ ନାଇଡୁ ଓ ଏନ୍‌ଟି ରାମା ରାଓ

ଆନ୍ଧ୍ର ରାଜନୀତିରେ କିମ୍ବଦନ୍ତୀ ପୁରୁଷ ହେଉଛନ୍ତି ଏନ୍‌ଟି ରାମା ରାଓ । କ୍ଷମତାର ଲଢେଇ ଭିତରେ ଏହି ଶକ୍ତିଶାଳୀ ପରିବାର ମଧ୍ୟରେ ଝଡ ସୃଷ୍ଟି ହୋଇଛି । ୧୯୮୨ରେ ଅଭିନେତାରୁ ନେତା ହୋଇଥିବା ଏନ୍‌ଟି ରାମା ରାଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ରୂପେ ଜିତିଥିଲେ ।୧୯୯୪ରେ ତାଙ୍କ ଜ୍ବାଇ ଚନ୍ଦ୍ରବାବୁ ନାଇଡୁ ଏନ୍‌ଟି ରାଓଙ୍କୁ ଦଳର ଅଧ୍ୟକ୍ଷ ପଦରୁ ହଟାଇ ଦେଇଥିଲେ। ୧୯୯୫ରେ ପ୍ରଥମ ଥର ପାଇଁ ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ। ତେବେ ଏହାକୁ ଗ୍ରହଣ କରିନଥିଲେ ଏନ୍‌ଟି ରାଓଙ୍କ ସ୍ତ୍ରୀ ଲକ୍ଷ୍ମୀ। ଅରାଜି ହୋଇ ନିଜେ ଏକ ଅଲଗା ଦଳ ଗଠନ କରିଥିଲେ। କିନ୍ତୁ ରାଜନୀତିରେ ଏତେ ବେଶି ସଫଳ ହୋଇପାରିନଥିଲେ। ୨୦୧୪ରେ ଲକ୍ଷ୍ମୀ ଜଗମୋହନ ରେଡ୍ଡିଙ୍କ ଦଳ ‘ଓ୍ବାଇଏସଆର୍‌ କଂଗ୍ରେସ’ରେ ସାମିଲ୍‌ ହୋଇଛନ୍ତି।

ବାଦଲ ପରିବାର

୨୦୧୦ରେ ପଞ୍ଜାବର ଲୋକପ୍ରିୟ ତଥା ଶକ୍ତିଶାଳୀ ରାଜେନୖତିକ ପରିବାର ବାଦଲ ପରିବାର ମଧ୍ୟରେ ଭଟ୍ଟା ପଡିଥିଲା। ୨୦୧୦ରେ ପ୍ରକାଶ ସିଂ ବାଦଲ୍‌ଙ୍କ ପୁତୁରା ମନପ୍ରୀତ୍‌ ବାଦଲ୍‌ ଶିରୋମଣି ଅକାଳି ଦଳରୁ ଅଲଗା ହୋଇ ପିପିପି ଦଳ ଗଠନ କରିଥିଲେ। ୨୦୦୭ରେ ଅକାଳୀ ଦଳ ସରକାର ଗଢିଥିବାବେଳେ ପ୍ରକାଶ ସିଂ ବାଦଲ୍‌  ତାଙ୍କ ପୁତ୍ର ସୁଖବୀର୍‌ ବାଦଲଙ୍କୁ ଉପମୁଖ୍ୟମନ୍ତ୍ରୀ କରିଥିବାବେଳେ ମନପ୍ରୀତ୍‌ଙ୍କୁ ଅର୍ଥମନ୍ତ୍ରୀ କରିଥିଲେ। କିନ୍ତୁ ସୁଖବୀର୍‌ଙ୍କୁ ପ୍ରକାଶ ସିଂ ବାଦଲ୍‌ ନିଜ ଉତ୍ତରାଧିକାରୀ ଘୋଷଣାକୁ ନେଇ ନାରାଜ ହୋଇ ମନପ୍ରୀତ୍‌ ୨୦୧୨ରେ ପିପିପି ଦଳ ଗଠନ କରିଥିଲେ। ତେବେ ବିଶେଷ କିଛି ସଫଳତା ନ ପାଇ ୨୦୧୪ରେ କଂଗ୍ରେସରେ ସାମିଲ୍‌ ହୋଇଥିଲେ ମନପ୍ରୀତ୍‌।  ମନପ୍ରୀତ୍‌ ୨୦୧୭ରେ କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ରୂପେ ଅବସ୍ଥାପିତ ରହିଥିବାବେଳେ ସୁଖବୀର୍‌ ବାଦଲଙ୍କ ହାତରେ ଅକାଳୀ ଦରର କମାଣ ରହିଛି।

କରୁଣାନିଧି ଓ ତାଙ୍କ ପୁତ୍ର

୧୯୬୯ରୁ ୨୦୧୧ ମଧ୍ୟରେ ଏମ୍‌. କରୁଣନିଧି ପଞ୍ଚମ ଥର ପାଇଁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାମିଲ୍‌ନାଡୁର ରାଜନୈତିକ କ୍ଷମତା ଏକପ୍ରକାରର ଏମ୍‌କେ ଷ୍ଟାଲିନ୍‌ଙ୍କ ହାତରେ ରହିଥିଲା। କିନ୍ତୁ ଏହା ତାଙ୍କ ଭାଇ ଅଲାଗିରିଙ୍କୁ ପସନ୍ଦ ନଥିଲା। ଅଲାଗିରି ବିଶ୍ବାସଘାତକତା ଦେଖି କରୁଣାନିଧି ତାଙ୍କୁ ଦଳରୁ ବାହା କରିଦେଇଥିଲେ। ଏବଂ ଦଳର ପୂରା କମାଣ ଷ୍ଟାଲିନ୍‌ଙ୍କ ହାତରେ ଦେଇଥିଲେ।

ମୁଲାୟମ୍‌ ସିଂ ପରିବାର

୨୦୧୬ରେ ତିନି ତିନି ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ରହିଥିବା ମୁଲାୟମ ସିଂ ଯାଦବଙ୍କ ପରିବାରରେ ମଧ୍ୟ କ୍ଷମତା ଲଢେଇ ଦେଖିବାକୁ ମିଳିଥିଲା। ୨୦୧୬ରେ ମୁଲାୟମ ସିଂ ଯାଦବ ଓ ଅଖିଳେଶଙ୍କ କିଛି ନିଷ୍ପତ୍ତିକୁ ନେଇ ଚାଲିଥିବା ବିବାଦ ବେଶ୍‌ ଉଲ୍ଲେଖଯୋଗ୍ୟ। ମୁଲାୟମ ସିଂ ଯାଦବ ନିଜ ଭାଇ ଶିବପାଲ୍‌ ଯାଦବଙ୍କୁ ଯେତେବେଳେ  ‘ସମାଜବାଦୀ ପାର୍ଟି’ର ଅଧ୍ୟକ୍ଷ କରିଥିଲା, ଏହାକୁ ଗ୍ରହଣ କରିନଥିଲେ ମୁଲାୟମଙ୍କ ପୁତ୍ର ଅଖିଳେଶ। ସେହି ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ଅଖିଳେଶ ଦଳର ଏକ ବୈଠକ ଡାକି ଦଳର ନୂତନ ଅଧ୍ୟକ୍ଷ ରୂପେ ନିଜେ ଉଭା ହୋଇଥିଲେ। ଏହି ଘଟଣା ଏତେ ବିବାଦମୟ ହୋଇଥିଲା ଯେ, ଏହା ପରିଶେଷରେ ନିର୍ବାଚନ ଆୟୋଗଙ୍କ ନିକଟରେ ପହଞ୍ଚିଥିଲା। ଏଠାରେ ଅଖିଳେଶ ବାଜି ମାରି ନେଇଥିଲେ ଓ ଦଳୀୟ ଚିହ୍ନ ମଧ୍ୟ ପ୍ରାପ୍ତ ହୋଇଥିଲା। ଅପରପକ୍ଷେ ୨୦୧୯ରେ ଶିବପାଲ୍‌ ଯାଦବ ଦଳରୁ ଅଲଗା ହୋଇ ଏକ ନୂତନ ଦଳ ଗଠନ କରି ନିର୍ବାଚନ ଲଢିଥିଲେ।

ଭାରତୀୟ ରାଜନୀତିର କ୍ଷମତାର ଲଢେଇ ଭିତରେ ସମ୍ପର୍କ ପୂରା ଫିକା। ରାଜନୀତିରେ ଆଗରେ ସମ୍ପର୍କ ମୂଲ୍ୟହୀନ। ଏଠି କେହି କାହାର ନୁହନ୍ତି। ଧୋକ୍କା, ବିଶ୍ବାସଘାତକତା ଓ ପ୍ରବଞ୍ଚନାରେ ରାଜନୀତିର ଗୋଟିରେ ପରିବାର ବନାମ କ୍ଷମତା ଭିତରେ ସମ୍ପର୍କ ଏଠି ବିପର୍ଯ୍ୟସ୍ତ।

Categories
ବିଶେଷ ଖବର ମତାମତ

ରାଜନୈତିକ ଦଳ ସଂଗ୍ରହ କରୁଥିବା ଚାନ୍ଦା ବିଷୟରେ ସାଧାରଣ ନାଗରିକ ଜାଣିପାରିବ ନାହିଁ କାହିଁକି?

କେଦାର ମିଶ୍ର

ଆଜି ମାନ୍ୟବର ସୁପ୍ରିମକୋର୍ଟ ସବୁ ରାଜନୈତିକ ଦଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନେ ଇଲେକ୍ଟୋରାଲ ବଣ୍ଡ ଜରିଆରେ ଯେତିକି ଅର୍ଥ ସଂଗ୍ରହ କରିଛନ୍ତି, ତାହାର ସବିଶେଷ ବିବରଣୀ ଜଉମୁଦ ଦିଆ ଲଫାପାରେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରନ୍ତୁ। ତେବେ ରାଜନୈତିକ ଦଳ ଗୁଡିକ ବୈଧାନିକ ଭାବରେ ଗ୍ରହଣ କରୁଥିବା ଚାନ୍ଦାକୁ ଗୋପନ ରଖିବାର ଅର୍ଥ କଣ? ଏ ସମ୍ପର୍କରେ ସୁପ୍ରିମ କୋର୍ଟରେ ଶୁଣାଣି ବେଳେ ଆଟର୍ଣ୍ଣୀ ଜେନେରାଲ କେ.କେ.ବେଣୁଗୋପାଳ ଯାହା କହିଥିଲେ ତାହା ଅତ୍ୟନ୍ତ ବିପଜ୍ଜନକ। ସରକାରଙ୍କ ତରଫରୁ ଆଟର୍ଣ୍ଣି ଜେନେରାଲ କହିଥିଲେ ଯେ ରାଜନୈତିକ ଦଳଙ୍କର ଅର୍ଥ ଓ ଚାନ୍ଦା ବିଷୟରେ ଜାଣିବାର ଅଧିକାର ଭୋଟରଙ୍କର ନାହିଁ। ଦେଶର ସର୍ବବୃହତ ଗଣତନ୍ତ୍ରର ସବୁଠୁ ବଡ ସରକାରୀ ଓକିଲ ଯେତେବେଳେ ଏ ପ୍ରକାର ଯୁକ୍ତି ରଖନ୍ତି, ସେଠି ଆମକୁ ଭାବି ନେବାକୁ ପଡିବ ଯେ ଦେଶର ଗଣତନ୍ତ୍ର ଏବେ ବିପନ୍ନ। ଇଲେକ୍ଟୋରାଲ ବଣ୍ଡ ଜରିଆରେ ବିଭିନ୍ନ କର୍ପୋରେଟ କେଉଁ ଦଳକୁ କେତେ ଚାନ୍ଦା ଦେଲେ ତାହା ଗୋପନୀୟ ହୋଇ ରହୁ ବୋଲି ନରେନ୍ଦ୍ର ମୋଦୀ ସରକାର ଏକ ମନି ବିଲ ଲୋକସଭାରେ ପାରିତ କରାଇଛନ୍ତି। ଏହି ଆଧାରରେ ଏବେ ରାଜନୈତିକ ଦଳ ଗୁଡିକ ପାଉଥିବା ଚାନ୍ଦା ବିଷୟକ ତଥ୍ୟ ଆଉ ଲୋକଲୋଚନକୁ ଆସୁନାହିଁ। ରାଜନୈତିକ ଦଳମାନଙ୍କର ମଧ୍ୟ ଗୋପନୀୟତାର ଅଧିକାର ବା ରାଇଟ ଟୁ ପ୍ରାଇଭେସି ରହିଛି ବୋଲି ମୋଦୀ ସରକାର ଯୁକ୍ତି କରୁଛନ୍ତି।

ଏ ସଙ୍କ୍ରାନ୍ତରେ ଆଗତ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ବିଚାର କରି ମାନ୍ୟବର ସୁପ୍ରିମ କୋର୍ଟ ପ୍ରାଥମିକ ଭାବରେ ସବୁ ରାଜନୈତିକ ଦଳ ଇଲେକ୍ଟୋରାଲ ବଣ୍ଡ ଜରିଆରେ ଆସିଥିବା ସବୁ ଚାନ୍ଦାର ସବିଶେଷ ତଥ୍ୟ ଗୋପନୀୟ ଭାବରେ ଦେବାକୁ କହିଛନ୍ତି। ଏକଥା ବିଲକୁଲ ବୁଝା ପଡୁନାହିଁ ଯେ ଖୋଦ ସୁପ୍ରିମ କୋର୍ଟ ସବୁକଥାରେ ଗୋପନୀୟତାକୁ ଏତେ ଗୁରୁତ୍ଵ ଦେବାର କାରଣ କଣ? ରାଫାଲେ ମାମଲାରେ ଜଉମୁଦ ଥିବା ଲଫାପାରେ ସରକାର ସୁପ୍ରିମ କୋର୍ଟକୁ ବିଭ୍ରାନ୍ତ କରିଥିବାର ପ୍ରମାଣ ମିଳି ସାରିଛି। ସେହିପରି ବେଡ ଲୋନ ମାମଲାରେ ୭ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଖାଇଯାଇଥିବା ଶିଳ୍ପପତିଙ୍କ ନାମ ମଧ୍ୟ ଗୋପନ ରହିଛି। ଏବେ ରାଜନୈତିକ ଦଳ ପାଉଥିବା ଚାନ୍ଦା ମଧ୍ୟ ସାମୟିକ ଭାବେ ଗୋପନ ରହୁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ଏଠି ସାଧାରଣ ନାଗରିକ ଭାବରେ ଆମର ପ୍ରଶ୍ନ ହେଲା ଯଦି ଏ ଦେଶର ସବୁକିଛି ଗୋପନୀୟ, ତାହେଲେ ଆମର ଗଣତନ୍ତ୍ର କେବଳ ଏକ ବାହାନା କି? ରାଜତନ୍ତ୍ର ବା ଏକଛତ୍ରବାଦରେ ଗୋପନୀୟତା ଏକ ମୌଳିକ ଆବଶ୍ୟକତା। କିନ୍ତୁ, ଗଣତନ୍ତ୍ରରେ ସ୍ଵଚ୍ଛତା ଓ ପାରଦର୍ଶିତା ହେଉଛି ସର୍ବୋପରି।

ଇଲେକ୍ଟୋରାଲ ବଣ୍ଡ ବ୍ୟବସ୍ଥାକୁ ନିର୍ବାଚନ କମିଶନ ମଧ୍ୟ ଦୃଢ ବିରୋଧ କରିଛନ୍ତି। ତା ସତ୍ତ୍ୱେ ମଧ୍ୟ ଏହା ଉପରେ ପ୍ରତିବନ୍ଧକ  ଲଗା ନଯିବା ଦୁର୍ଭାଗ୍ୟର ବିଷୟ। ସରକାର ଓ ରାଜନୈତିକ ଦଳ ଗୁଡିକର ଅସ୍ତିତ୍ଵ ହେଉଛି, ଭୋଟରଙ୍କ ଇଚ୍ଛା। ଭୋଟରଙ୍କ ଲାଗି ହିଁ ଦଳ ଗୁଡିକ ବଞ୍ଚି ରୁହନ୍ତି। ଯଦି ଭୋଟର ରାଜନୈତିକ ଦଳର ବାସ୍ତବ ସ୍ଥିତି ବିଷୟରେ ଅବଗତ ହେବାର ଅଧିକାର ପାଇବ ନାହିଁ, ତା ହେଲେ ସେ ଭୋଟ ଦେବ କାହିଁକି? ନିର୍ବାଚନରେ ରାଜନୈତିକ ଦଳ ଗୁଡିକ ବ୍ୟବହାର କରୁଥିବା ଅର୍ଥ ଓ ସମ୍ପତ୍ତି ବିଷୟରେ କଡାଗଣ୍ଡା ହିସାବ ମାଗିବାର ଅଧିକାର ସାଧାରଣ ନାଗରିକକୁ ଦିଆ ଯାଇନାହିଁ କାହିଁକି? ସର୍ବଶେଷ ତଥ୍ୟ ଅନୁଯାୟୀ ଇଲେକ୍ଟୋରାଲ ବଣ୍ଡ ଜରିଆରେ ୯୫% ଅର୍ଥରାଶି କେବଳ ଭାରତୀୟ ଜନତା ପାର୍ଟିର ଖାତାକୁ ଆସିଛି। କେଉଁ ସୂତ୍ରରୁ ଏ ଟଙ୍କା ଆସିଛି ଓ କିଏ କାହିଁକି ଏ ଟଙ୍କା ଦେଇଛି, ସେକଥା ଆମଠୁ ଲୁଚାଯିବ କାହିଁକି? ଯେଉଁ ଦଳ ସରକାରରେ ରହୁଛି, ତାକୁ ସର୍ବାଧିକ ଚାନ୍ଦା ମିଳିବାର କାରଣ ସ୍ପଷ୍ଟ । ହେଲେ ସେ ଚାନ୍ଦାର ସଠିକ ବିବରଣୀ ଲୋକଙ୍କଠାରୁ ଲୁଚେଇକି ରଖିବାର ଅର୍ଥ କଣ?

ଏବେ କୁହାଯାଉଛି, ଗତ ପାଞ୍ଚ ବର୍ଷରେ ମୋଦୀ ସରକାର ଅମଳରେ କୌଣସି ବଡ ଘୋଟାଲା ହୋଇନାହିଁ। ତେବେ ରାଫାଲେ କଥା ଉଠିବା ପରେ ଏବେ ଆଉ ସେ ଅନ୍ଧବିଶ୍ଵାସ ଆଉ କାହାର ନାହିଁ। ଏ ସରକାର ଅମଳରେ ଅନେକ ତଥ୍ୟକୁ ଲୁଚେଇ ରକ୍ଷା ଯାଉଛି। ବିଭିନ୍ନ ତଥ୍ୟ ଓ ପରିସଙ୍ଖ୍ୟାନ ଏବେ ଅସ୍ପଷ୍ଟ ବା ଅର୍ଦ୍ଧସ୍ପଷ୍ଟ। ସ୍ଵଚ୍ଛତା ନଥିବା ତଥ୍ୟ କୁ ନେଇ ନିଜକୁ ଦୁର୍ନୀତିମୁକ୍ତ ବୋଲି କହିବା ଅତ୍ୟନ୍ତ ହାସ୍ୟାସ୍ପଦ କଥା। ଦଳ ଭିତରର ଆର୍ଥିକ କାରବାରକୁ ଲୁଚାଇବାକୁ ବିଜେପି ଓ ମୋଦୀ ସରକାର ଯେଉଁ ପ୍ରକାର ଉଦ୍ୟମ କରୁଛନ୍ତି, ସେଥିରେ ସେମାନଙ୍କର ଉଦ୍ଦେଶ୍ୟକୁ ନେଇ ସନ୍ଦେହ ସୃଷ୍ଟି ହେବା ସ୍ଵାଭାବିକ। ଏ ଦେଶର ସାଧାରଣ ନାଗରିକ ଭୋଟ ଦେବା ଆଗରୁ ସବୁ ରାଜନୈତିକ ଦଳଙ୍କ ହିସାବ କିତାବ ଦେଖିବାର ଅଧିକାର ପାଇବା ଉଚିତ ବୋଲି ଆମେ ଆଶା ରଖୁଛୁ। ପରବର୍ତ୍ତୀ ଶୁଣାଣି ପରେ ମାନ୍ୟବର ସୁପ୍ରିମ କୋର୍ଟ ଏ ପ୍ରସଙ୍ଗରେ ଗଣତାନ୍ତ୍ରିକ ମର୍ୟ୍ୟାଦାକୁ ଗୁରୁତ୍ଵ ଦେବେ ବୋଲି ଆମେ ଆଶା ରଖୁଛୁ।