Categories
ଆଜିର ଖବର ଖେଳ

ବିଜୟରୁ ନ୍ୟୁଜିଲ୍ୟାଣ୍ଡ ଶୃଙ୍ଖଳା ଆରମ୍ଭ କଲେ ବିରାଟ ବାହିନୀ

ଅକଲ୍ୟାଣ୍ଡ: ବିଜୟରୁ ନ୍ୟୁଜିଲ୍ୟାଣ୍ଡ ଗସ୍ତ ଆରମ୍ଭ କରିଛି ଭାରତ। ବିରାଟ କୋହଲିଙ୍କ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡକୁ ୬ ଓ୍ବିକେଟରେ ପରାସ୍ତ କରିବାରେ ସକ୍ଷମ ହୋଇଛି। ଏହି ବିଜୟ ସହିତ ଭାରତ ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ୨୦୪ ରନ୍‌ ବିଜୟ ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ଦଳ ୧୯ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଭାରତ ପକ୍ଷରୁ ଶ୍ରେୟସ୍‌ ଆୟାର ସର୍ବାଧିକ ୫୮ ରନ୍‌ ସଂଗ୍ରହ କରିଥିବା ବେଳେ ରାହୁଲ ୫୬ରନ୍‌ର ଇନିଂସ ଖେଳିଥିଲେ। ଟସ୍‌ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲେ କୋହଲି। ଭାରତୀୟ ବୋଲିଂକୁ ନ୍ୟୁଜିଲ୍ୟାଣ୍ଡ ବ୍ୟାଟ୍ସମ୍ୟାନ୍‌ ଅନାୟାସରେ ଆକ୍ରମଣ କରିଥିଲେ। ଦୁଇ ଓପନର ମାର୍ଟିନ୍‌ ଗପ୍ତିଲ(୩୦) ଏବଂ କଲିନ୍‌ ମୁନ୍ରୋ (୫୯) ପ୍ରଥମ ଓ୍ବିକେଟ୍‌ରେ ୫୯ ରନ୍‌ ସଂଗ୍ରହ କରିଥିଲେ। ମୁନ୍ରୋଙ୍କ ୪୨ ବଲ୍‌ ଇନିଂସରେ ୬ ଚୌକା ଏବଂ ଦୁଇ ଛକ୍କା ସାମିଲ ଥିଲା। ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ୍‌ଙ୍କ ୫୧ ଏବଂ ରସ୍‌ ଟେଲରଙ୍କ ୫୪ ରନ୍‌ ବଳରେ ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ ହରାଇ ୨୦୩ ରନ୍‌ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ୬ ଜଣ ବୋଲର ନିୟୋଜିତ କରାଯାଇଥିବା ବେଳେ ମହମ୍ମଦ ସାମିଙ୍କ ବ୍ୟତିତ ସମସ୍ତ ବୋଲର ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ।

ଜବାବରେ ଭାରତର ଆରମ୍ଭ କିଛି ଠିକ୍‌ ନଥିଲା। ଦଳୀୟ ସ୍କୋର ୧୬ ରନ୍‌ରେ ନିର୍ଭରଯୋଗ୍ୟ ରୋହିତ ଶର୍ମା (୭) ପ୍ୟାଭିଲିୟନ୍‌ ଫେରିଥିଲେ। ଅନ୍ୟତମ ଓପ୍‌ନର କେ ଏଲ୍‌ ରାହୁଲ(୫୬) ଏବଂ ଅଧିନାୟକ ବିରାଟ କୋହଲି (୪୫)ଙ୍କ ମଧ୍ୟରେ ୯୯ ରନ୍‌ର ଭାଗିଦାରୀ ହୋଇଥିଲା। ରାହୁଲ ୨୭ଟି ବଲ୍‌ରୁ ୪ ଚୌକା ଏବଂ ୩ ଛକ୍କା ସହାୟତାରେ ୫୬ ରନ୍‌ ସଂଗ୍ରହ କରିଥିଲେ। ଲଗାତାର ବ୍ୟବଧାନରେ ଉଭୟ ଆଉଟ୍‌ ହେବା ପରେ ଶ୍ରେୟସ୍‌ ଆୟାର (୫୮) ଭାରତକୁ ବିଜୟ ରେଖା ପାର କରାଇଥିଲେ। ଆୟାର ୨୯ଟି ବଲ୍‌ର ସମ୍ମୁଖୀନ ହୋଇ ୫ଟି ଚୌକା ଏବଂ ୩ ଛକ୍କା ସହାୟତାରେ ୫୮ ରନ୍‌ ସଂଗ୍ରହ କରିଥିଲେ। (ଏଜେନ୍ସୀ)

Categories
ଆଜିର ଖବର

ସୁଲତାନ ଆଜଲାନ ଶାହ କପ୍‌ ହକି : ପୋଲାଣ୍ଡକୁ ୧୦-୦ରେ ପରାସ୍ତ କଲା ଭାରତ

ସୁଲତାନ ଆଜଲାନ ଶାହ କପ୍‌ ହକିରେ ନିଜର ଶେଷ ମ୍ୟାଚ୍‌ରେ ଭାରତ ୧୦-୦ର ବଡ ବ୍ୟବଧାନରେ ବିଜୟୀ ହୋଇଛି। ଏହିତ ମ୍ୟାଚ୍‌ ପୂର୍ବରୁ ଫାଇନାଲରେ ପ୍ରବେଶ କରି ସାରିଥିବା ଭାରତୀୟ ଦଳ ଆଜିର ମ୍ୟାଚ୍‌ ପାଇଁ ଦୁଇ ପରିବର୍ତ୍ତନ କରିଥିଲା ଏବଂ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଥିଲା।  ସୁରେନ୍ଦ୍ର କୁମାର ଦଳର ନେତୃତ୍ବ ନେଇଥିଲେ। ଭାରତ ପକ୍ଷରୁ ମ୍ୟାଚ୍‌ର ପ୍ରଥମ ମିନିଟ୍‌ରେ ଫିଲ୍‌ଡ ଗୋଲ୍‌ ଜରିଆରେ ଦେଇଥିଲେ ବିବେକ ପ୍ରସାଦ। ଭାରତ ଆଜିର ମ୍ୟାଚ୍‌ରେ ତିନୋଟି ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିଥିଲା। ଭାରତ ପକ୍ଷରୁ ସୁମିତ କୁମାର(୭), ବରୁଣ କୁମାର (୧୮,୨୫), ସୁରେନ୍ଦ୍ର କୁମାର (୧୯), ସିମରନ୍‌ଜିତ୍‌  ସିଂ(୨୯), ନୀଳକଣ୍ଠ (୩୬), ମନ୍‌ଦୀପ୍‌(୫୦,୫୧) ଏବଂ ଅମିତ ରୋହିଦାସ (୫୫) ମିନିଟ୍‌ରେ ଗୋଲ୍‌ ସ୍କୋର କରିଥିଲେ। ଫାଇନାଲ ପୂର୍ବରୁ ଏହି ବିଜୟ ଭାରତର ମନୋବଳ ବୃଦ୍ଧିରେ ସହାୟକ ହେବ ବୋଲି କୁହାଯାଉଛି। ମନ୍‌ଦୀପ୍‌ ସିଂ ବର୍ତ୍ତମାନ ସୁଦ୍ଧା ୭ଟି ଗୋଲ୍‌ ସ୍କୋର କରିଛନ୍ତି। ଆସନ୍ତାକାଲି ଭାରତ ଦକ୍ଷିଣ କୋରିଆ ବିପକ୍ଷରେ ଫାଇନାଲ୍‌ ମ୍ୟାଚ୍‌ ଖେଳିବ।

Categories
ଆଜିର ଖବର

ଅଷ୍ଟ୍ରେଲିଆକୁ ୮ ରନରେ ହରାଇଲା ଭାରତ, ଦିନିକିଆରେ ୫୦୦ତମ ବିଜୟ

ନାଗପୁରରେ ଟିମ୍ ଇଣ୍ଡିଆକୁ ବିଜୟ ଭେଟି ଦେଲେ ବିଜୟ ଶଙ୍କର। ଶେଷ ଓଭରରେ ଅଷ୍ଟ୍ରେଲିଆର ଦୁଇଟି ଓ୍ୱିକେଟ ଖସାଇ ବିଜୟ ମୁଣ୍ଡି ମାରିଥିଲେ ଅଲରାଉଣ୍ଡର ବିଜୟ ଶଙ୍କର। ଶେଷ ଓଭରରେ ଅଷ୍ଟ୍ରେଲିଆକୁ ଜିତିବା ପାଇଁ ୧୧ ରନ୍ ଦରକାର ଥିବା ବେଳେ ଭାରତକୁ ଆବଶ୍ୟକ ଥିଲା ୨ଟି ଓ୍ୱିକେଟ। ତେବେ ଭ୍ରମଣକାରୀ ଦଳ ୮ ରନ୍ ଦୂରରେ ରହି ଯାଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୨୫୦ ରନ୍ କରିଥିଲା। ଜବାବରେ କଙ୍ଗାରୁ ବାହିନୀ ୨୪୨ରନରେ ଅଲ ଆଉଟ୍ ହୋଇଥିଲା। ଏହାଥିଲା ଭାରତର ଦିନିକିଆରେ ୫୦୦ତମ ବିଜୟ। ଏହି ମ୍ୟାଚରେ ବିରାଟ କୋହଲି ୪୦ତମ ଶତକ ହାସଲ କରିଥିଲେ।

Categories
ଆଜିର ଖବର

ହାଇଦ୍ରାବାଦ ଦିନିକିଆରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇ ଶୃଙ୍ଖଳକୁ ୧-୦ରେ ଆଗୁଆକଲା।

ହାଇଦ୍ରାବାଦ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆରେ ଭାରତୀୟ ଦଳ ବିଜୟ ଲାଭ କରିଛି।  ଉକ୍ତ ୫ମ୍ୟାଚ ବିଶିଷ୍ଠ ଦିନିକିଆ ଶୃଙ୍ଖଳକୁ ଘରୋଇ ଦଳ ୧-୦ ରେ  ଆଗୁଆ କରିନେଇଛି । ପୂର୍ବରୁ ଭ୍ରମଣକାରୀ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା। କିନ୍ତୁ ଅଧିନାୟକ ଫିଞ୍ଚଙ୍କ ନିଷ୍ପତି ଅନୁସାରେ ଦଳ ପ୍ରଥମ ବ୍ୟାଟିଂର ଲାଭ ନେଇପାରିନଥିଲା। ଅଷ୍ଟ୍ରେଲିଆ ଦଳ କେବଳ ୭ ୱିକେଟ ହରାଇ ୨୩୬ରନ କରିବାରେ ସକ୍ଷମ ହୋଇଥିଲା। ୨୩୭ରନର ଏକ ଛୋଟ ସ୍କୋରକୁ ପିଛା କରିବାକୁଯାଇ ଭାରତୀୟ ଦଳ ତାର ପ୍ରାରମ୍ଭିକ ୱିକେଟ ଶିଖର ଧୱନଙ୍କୁ ଶସ୍ତାରେ ହରେଇ ଅଡୁଆରେ ପଡିଥିଲା, କିନ୍ତୁ ଅଧିନାୟକ କୋହଲୀ ଆଉ ରୋହିତଙ୍କ ଯୋଡି ପିଚରେ କିଛି ସମୟ ପାଇଁ ଜମିରହି ଦଳୀୟ ସ୍କୋରକୁ ୮୦ ରନରେ ପହଞ୍ଚାଇଥିବା ବେଳେ ଜାମ୍ପାଙ୍କ ଦ୍ଵାରା କୋହଲୀ ୪୪ରନ କରି ଏଲବିଡବ୍ଲୁ ଆଉଟ ହୋଇ ପାବିଲିଅନ ଫେରିଥିଲେ। ତାପରେ ଦଳୀୟ ସ୍କୋର ୯୯ ରନ ଥିବାବେଳେ ରୋହିତ ଏବଂ ରାୟୁଡୁ ଆଉଟ ହୋଇ ସମସ୍ୟାରେ ପଡ଼ିଥିବାବେଳେ, ଧୋନୀ ଏବଂ କେଦାର ଯାଦବଙ୍କ ଯୋଡି ଖେଳ ଶେଷ ପର୍ଯନ୍ତ ରହି ଦଳକୁ ଜିତେଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।  ଧୋନୀ ୭୨ବଲରେ ୫୯ରନ ଏବଂ କେଦାର ୮୭ ବଲରେ ୮୧ରନ କରି ନଟଆଉଟ ରହିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଏନ ନିଲେ ଏବଂ ଏ ଜାମ୍ପା ୨-୨ ୱିକେଟ ନେଇଥିଲେ।  ଏହି ମ୍ୟାଚରେ ମହମ୍ମଦ ସମିଙ୍କୁ ସ୍ଵୀଗୀ ଅଫ ଦି ପ୍ଲେୟାର, କୁଲଦୀପ ଯାଦବଙ୍କୁ ଜନା ବ୍ୟାଙ୍କେବଲ ଅଫ ପ୍ଲେୟାର ଏବଂ କେଦାର ଯାଦବଙ୍କୁ ମ୍ୟାନ ଅଫ ଦି ମ୍ୟାଚ ରୂପେ ପୁରଷ୍କୃତ କରାଗଲା।